Satyabati Swain

Tragedy

4  

Satyabati Swain

Tragedy

ତୁ ଅଛୁ ମୋ ଭିତରେ

ତୁ ଅଛୁ ମୋ ଭିତରେ

7 mins
322



ବନ୍ଧୁତା ଗୋଟିଏ ବିଶ୍ବାସର ପକ୍ଷୀ।

ଭରସା ଓ ଆସ୍ଥାର ଛାତ ଯାହାକୁ ପାଇ ଜୀବନ ଖୁସିରେ ଝୁମେ।


କିଛି ସମ୍ପର୍କ ରକ୍ତର ଉପରୁ ତିଆରି ହୋଇଥାଏ।

କିଛି ସମ୍ପର୍କ ଭାବର ଆମ ଚାରିପାଖେ ହାଉଯାଉ ହୁଅନ୍ତି। କିଛି ସମ୍ପର୍କ ହୃଦୟର ଯିଏ ଆତ୍ମାରେ ଘର କରି ରୁହନ୍ତି।


କ୍ରାନ୍ତି ସେମିତି ଏକ ନିଆରା ଜଣେ ବାନ୍ଧବୀ ମୋର ଯିଏ ହୃଦୟ କାନ୍ଥରେ ଛାପି ହୋଇଥିବା ଛବି ପରି।

ଚାଲୁ ଚାଲୁ ହଠାତ୍ ଦେଖା ହୋଇଗଲା ତା ସହ।

ସହପାଠିର ଏରୁଣ୍ଡି ଡେଇଁ କେତେବେଳେ ଅନ୍ତରଙ୍ଗ ହୋଇ ଆତ୍ମୀୟତାର ତମ୍ବୁ ତଳେ ପାଖା ପାଖି ବସି

ଗଲୁ ଜଣା ପଡିଲା ନାହିଁ।ସମୟ ବହୁଥିଲା ତା ବାଗରେ। ସେ ହଜିଗଲା ସମୟ ସୁଅରେ।ଖୁବ୍ ଖୋଜିଲା ଝୁରିଲା ଦିନା କେତେ ମୋ ନିର୍ବୋଧ ଭାବ ଭର୍ତ୍ତି ହୃଦୟ ତାକୁ।ପୁଣି ମୋରି ଭିତରୁ ମୋତେ କେହି କହିଲା ଯାହାକୁ ଖୋଜୁଛୁ ଏତେ ଅଧିରେ ସେ ପରା ତୋ ଭିତରେ !


ଅନେକ ଦିନ ଧରି ସେ କଲେଜ ଆସୁ ନ ଥିଲା ।ଏଣୁ ପହଞ୍ଚି ଗଲି ତା ଗାଁ ରେ। ସେ ମୋତେ ଦେଖି କାବା ହୋଇ କହିଲା, ବିନା ସୂଚନାରେ କେହି ଆସେ ?


ସୂଚନା ! ପୁଣି ତୋତେ !! ତୋର ଏ କଥା ମୋର ହଜମ ହେଉ ନାହିଁ ତ ?


ଏଇଟା ଆମ ଗାଁ ରେ ବୋକା। ଏଠି ବଏ ଫ୍ରେଣ୍ଡ କାହାର ନଥାନ୍ତି। ଯଦି ଥାଆନ୍ତି ତ...


ତ କଣ ହୁଏ ? ବିପ୍ଳବ ମୋ ପାଟିରୁ କଥା ଛଡେଇ ନେଇ କହିଲା।


ବହୁତ କିଛି ହୁଏ। ସେମାନେ ପରସ୍ପରକୁ ଭଲ ପାଆନ୍ତି ବୋଲି  ଧରି ନିଅନ୍ତି ଏବଂ  ଅନର୍ କିଲିଙ୍ଗ୍ ବି କରି ଦିଅନ୍ତି।


କାହିଁକି ? କେଉଁ ଅପରାଧରେ ?


ଇଚ୍ଛାକୃତ ପ୍ରେମ ଏଠି ପାପ, ଜଘନ୍ୟ ଅପରାଧ ସହ ସମାନ।


କେହି ପ୍ରତିବାଦ କରି ନାହାଁନ୍ତି ଏପରି ଅନ୍ୟାୟ, ନୃଶଂସ ମାନସିକତା  କାର୍ଯ୍ୟ ପାଇଁ ?


କିଏ କରିବ ? ଜୀବନକୁ କିଏ ଭଲ ନ ପାଏ ? ହଁ ଯେଉଁ କେତେଜଣ ବିଦ୍ରୋହୀ ସାଜିଛନ୍ତି ,ସାହସ କରି ସ୍ୱର ଉତ୍ତୋଳନ କରିଛନ୍ତି ସେମାନଙ୍କୁ ଅନର୍ କିଲିଙ୍ଗ ପୁରସ୍କାର ଦେଇଛନ୍ତି ତା ନିଜ ଲୋକଙ୍କ ସହମତିରେ ଅନ୍ୟମାନେ।


ତେବେ ତ ମୁଁ ଏଥିକୁ ଆସି ଠିକ୍ କରିଛି। ଆମ ପରି ଯୁବ ଗୋଷ୍ଠୀ ଯହିଁ ଅନ୍ଧ ପରମ୍ପରା ବିପକ୍ଷରେ ସ୍ୱର ଉତ୍ତୋଳନ ନ କରିବେ ତ ସମାଜ ସୁଧୁରିବ କେମିତି, ପରିବର୍ତ୍ତନ ହେବ କାହାଦ୍ବାରା ?


ତୋତେ ହାତ ଯୋଡୁଛି ବିପ୍ଳବ ତୁ ଏଠୁ ଚାଲିଯା।


ଯାଇଥାନ୍ତି ଏବେ କିନ୍ତୁ ଯିବାର ପ୍ରଶ୍ନ ଉଠୁନି କ୍ରାନ୍ତି।



ଦେଖ୍ ଏମିତିରେ ମୋ ଦେହ ଭଲ ନାହିଁ।


ସେଇଥିପାଇଁ ତ ଆସିଛି। ତୋର ଏତେ ଦିନ ଧରି ଖବର ଅନ୍ତର ନ ଥିଲା । ମନଟା କାହିଁକି ଗୋଳେଇ ଘାଣ୍ଟି ହେଲା। ଲାଗିଲା ତୋର କିଛି ହୋଇଛି।  ବ୍ୟସ୍ତ ହଅନା। ମୁଁ ଆସି ଗଲେଣି ମାନେ ତୋ ଦେହ ଏଣିକି ଭଲ ହୋଇଯିବ। 


ଭଲ ! ମନେ ମନେ କହିଲି ଆଉ ମୁଁ ଭଲ ହେବି ନା କଲେଜ ଯିବି ନା ତୁମ ମାନଙ୍କ ସହ ମଜା ମସ୍ତି କରିବି।


କଣ ହେଲା କ୍ରାନ୍ତି ଷ୍ଟାଚ୍ୟୁ ହୋଇଗଲୁ ?କେତେ ବଡ଼ ବଡ଼ କଥା କହୁଥିଲୁ?ମୁଁ କୁଆଡେ ତୋର ଭାରି ପସନ୍ଦ! ପ୍ରିୟ ! ଜୀବନ ଦେଇ ଭଲ ପାଉ ? ଏବେ କିନ୍ତୁ ଯାହା ଦେଖୁଛି ତୁ ସବୁ ମିଛ କହୁଥିଲୁ ?


ନିଜକୁ ଭିତରେ କହି ହେଲି ନା ରେ ସାଙ୍ଗ ସେତେ

ବେଳେ ସବୁ ସତ କହିଥିଲି।ଏବେ ଯାହା କହିବି କେବଳ ମିଛ ହିଁ କହିବି। 


ବିପ୍ଳବ ମୋର ଜଣେ ଘନିଷ୍ଠ ବନ୍ଧୁ।ଦୁହେଁ ଗୋଟିଏ ସ୍କୁଲରେ ପଢି  ଏବେ ପ୍ଲସ ଥ୍ରୀ ଗୋଟିଏ କଲେଜରେ ପଢ଼ୁଛୁ। ରଜ ଛୁଟିରେ ଘରକୁ ଆସିଥିଲି ଯେ ଆଉ  ଯାଇ ନାହି। କେମିତି ଯିବି ? ଯିବାର ସବୁ ବାଟ ମୋର ବନ୍ଦ। ହଁ ଯିବି ତ ନିଶ୍ଚୟ କଲେଜ ନୁହେଁ କିନ୍ତୁ। ଯିବା କିନ୍ତୁ ଥୟ।


ତାକୁ ଆମ ବଣ ରାଇଜର ନୀତି ନିୟମ ଭୟ ଦେଖାଇ ଡରାଉବାକୁ ଚେଷ୍ଟା କରୁଥିଲି।ମୁଖ୍ୟ ଲକ୍ଷ୍ୟ ସେ ଡରି ପଳାଉ ଯେତେ ଶୀଘ୍ର ଏ ସ୍ଥାନ ଛାଡି ।ନଚେତ୍ ମୋ କଥା ଜାଣିଲା ପରେ ସେ ମୋତେ ଛାଡ଼ି ଆଦୋୖ ଯିବ ନାହିଁ।ମୋ ପାଇଁ ତା କ୍ୟାରିଅର ବର୍ବାଦ ହେବା ମୁଁ କଣ ସହି ପାରିବି!


ଏହା ସତ୍ୟ ଯେ ଆମରି ଭିତରୁ କେତେକ ସଭ୍ୟ ଶିକ୍ଷିତ ହେଲେ ବି ଏଠିକାର ରୀତିନୀତି ଅନୁସାରେ ଚଳିବାକୁ ବାଧ୍ୟ।ପ୍ରଥା ପରମ୍ପରା ଆଗରେ ବାପ ପୁଅ କି ଝିଅ ଦେଖନ୍ତି ନାହିଁ।ବରଂ ଆଗ ଦେଖନ୍ତି ନିଜ ପ୍ରଥା ଓ ପରମ୍ପରା। ମୋ ବାପି ପାଠ ପଢି ସିଡୁଲ ଟ୍ରାଇବ କୋଟାରେ ଜଣେ ନାମୀ ଦାମୀ ଅଫିସର ରାଜଧାନୀରେ। ସେଇଠି ରହି ମୋ ପାଠ ପଢା। ଗାଁ ରେ ମୋର ଦୁଇ ଭାଇ ଅଛନ୍ତି। ସେମାନେ ପଢିବାକୁ ଭଲ ପାଇଲେ ନାହିଁ ।ବଡ଼ ବଡ଼ ବ୍ୟବସାୟୀ ସେମାନେ। ପାଠ ବି ଆମର ଏତେ ଦରକାର ନାହିଁ। ବଣ ଜଙ୍ଗଲ ଆମ ମାଆ । ସେ ହିଁ ଆମ ଗାଁ ଲୋକଙ୍କୁ ଚଳିବା ପାଇଁ ଯାହା ଆବଶ୍ୟକ ସବୁ ଯୋଗାଏ। ଏଠିକାର ଲୋକଙ୍କ ଚାହିଁବା ଖୁବ୍ କମ୍। ଜାଉ,ଶାଗ,ପେଜ କି ଭାତ ଯାହା ଦିଟା ପେଟକୁ ଓ ଦର ଖଣ୍ଡେ ପିନ୍ଧିବାକୁ ମିଳିଲେ କାହିଁରେ କେତେ। ସହର ଲୋକଙ୍କ ପରି ଯେତେ ଯୁଆଡୁ ମିଳିଲେ ବି ଆଉ ଦରକାର ପୁଣି ଦରକାର ଆହୁରି ଦରକାର ଏବଂ ଦିଅ ଦିଅ ବୋଲି ଭିକାରୀ ପରି ବୋବାଳି ଛାଡନ୍ତି ନାହିଁ ଏଠିକାର ମଣିଷ।


ଅଳ୍ପକେ ସନ୍ତୁଷ୍ଟ ଓ ଆନନ୍ଦ ଭାବ ଏମାନଙ୍କୁ ସବୁବେଳେ ଜାବୁଡି ଧରିଥାଏ । ଆମ ଏଠିକାର ଆଦିମ ଅଧିବାସୀ ବହୁତ ସରଳ, ବାଘ ପରି ବଳ ,କଠୋର ପରିଶ୍ରମୀ। ଦିନସାରା ପଥର ପିଟି ପିଟି ଗୋଡିରେ ପରିଣତ କରି ଭଲ ଦି ପଇସା ରୋଜଗାର କରନ୍ତି ।  ସେ ରୋଜଗାର ଅନେକଙ୍କର ହାଣ୍ଡିଆ କି ବୋତଲ ମଦରେ ଉଡିଯାଏ। ମୋ ବାପି କିନ୍ତୁ ପଢିଥିବାରୁ  ଜଣେ ଅଫିସର । ଯଦିଓ  ଜଣେ ବଡ ଅଫିସର  ତଥାପି ଆମ ଗାଁ ର ସମସ୍ତ ପୁନେଇଁ ପରବରେ ସେ ଗାଁ କୁ ଆସନ୍ତି। ମାଆ ଓ ଭାଇ ମାନେ ତ ସହର ଯିବାକୁ ଆଦୋୖ ପସନ୍ଦ କରନ୍ତି ନାହିଁ। ସହରର କୁଆଡେ ହିସାବୀ ଜୀବନ।ଖାଇବା ପିଇବା ଏମିତି କି ସମ୍ପର୍କ ବି ହିସାବ କରି କରନ୍ତି ସହରୀ ଲୋକେ। ଯାହା କୁହନ୍ତି,କରନ୍ତି,ଖାଆନ୍ତି ,ଶ୍ଵାସ କ୍ରିୟା କରନ୍ତି ସବୁଥିରେ କୃତ୍ରିମତା । ବାଘ ପ୍ରକୃତି ସହ ମଣିଷ ଚେହେରା  ପ୍ରାୟ ଲୋକଙ୍କର। 


ମୁଁ ଜାଣେ ବିପ୍ଳବଟା ସବୁବେଳେ ଏମିତି। ଯେଉଁଠି ବାରଣ ସେଠି ବିପ୍ଳବ।


ମୋ ଭାବନାରେ  ବାଧା ଦେଇ ବିପ୍ଳବ କହିଲା, କ୍ରାନ୍ତି ତୁ ପ୍ରାୟ ସମୟ କାନ୍ଥ ହେଉ କାହିଁକି ? ମୁଁ କଣ କହୁଛୁ ତୁ ଶୁଣି ପାରୁଛୁ ତ ? ରଜ ଛୁଟିରେ ଆସିଛୁ ଯେ ଯିବାର ନାଁ ନେଉନୁ?  କେତେ ପଢା ହେଲାଣି ଜାଣିଛୁ ? ଫିଜିକିସ୍ ଅନର୍ସ ନେଇ କିଏ ଏମିତି ଖାମ ଖିଆଲ ହୁଏ ?


ମୋର ଆଉ ପଢିବାକୁ ଇଛା ହେଉ ନାହିଁ। ଆମ ଅଞ୍ଚଳର ମୁଁ ସବୁଠାରୁ ଅଧିକ ପଢୁଆ ଝିଅ । ଏତେ ପଢି କରିବି କଣ ?


କଣ କହିଲୁ ଏତେ ପଢି ! କେତେ ପଢିଛୁ ତୁ ? ଏଇ ବର୍ଷ ତ ଦ୍ୱାଦଶ ସାରିଲୁ । ଆହୁରି କେତେ ପାଠ ଅଛି। ତୁ ପରା କୁଆଡେ ଭଲ ଲେକ୍ଚର୍ ଟିଏ ହେବାକୁ ଚାହୁଁଥିଲୁ ! କହୁଛୁ କଣ ଆଉ ପଢିବି ନାହିଁ !


ନା ଆଉ ପଢିବି ନାହିଁ ।


କ୍ରାନ୍ତି ! ସତ କହ ତୋର ହୋଇଛି କଣ ?


ଓଃ କେତେ ପଚାରୁଛୁ ମ ? କହିଲି ପରା ଏଠୁ ପଳା।


ଭାଙ୍ଗି ପଡି ଅସହାୟ ସ୍ୱରରେ ବିପ୍ଳବ କହିଲା, ତୁ ମୋତେ ପସନ୍ଦ କରୁ ଓ ଭଲ ପାଉ ତ ?


ହଁ ତ ଖୁବ୍ ପସନ୍ଦ କରେ। ଭଲପାଏ କହିଲି ତା ମନ ଭଳିବା ପାଇଁ। ଦେଖ ସାଙ୍ଗ ମୋ କଥା ମାନି ଯେତେ ଶୀଘ୍ର ଏଠୁ ଯିବୁ ତୋର ମଙ୍ଗଳ।ନଚେତ୍ ଆମ ବଣ ଜଙ୍ଗଲ ଘେରା ଗାଁ ର ଲୋକେ ଟାଙ୍ଗିଆରେ କାଟି ଟିକି ଟିକି କରିଦେବେ। ଆମର ଏଠି ଅନର୍ କିଲିଙ୍ଗ ହେବାର ଅନେକ ଉଦାହରଣ ଅଛି।


ମିଛେଇଟା ତୁ ।


ଚୁପ ଏକବାର ଚୁପ୍ ।


କାହିଁକି ? ମୋତେ ଭଲ ପାଉ ଅଥଚ ପାଖରେ ପାଇ ମୋ ଆଡେ ଚାହୁଁନୁ କଥା ହେଉନୁ ବରଂ ହୁରୁଡାଉଛୁ ? ଯା ପଳା ଯା ପଳା ହେଉଛୁ  ତ କଣ ଆଉ କୁହନ୍ତି ?


ବୋକା ଦେଖି ପାରୁନୁ କି ମୋ ଜେଜେ, ବାପା ମାଆ ,ଭାଇ  ଓ ଆମ ଗାଁ ଲୋକେ ଅଛନ୍ତି । ତୁ ମୋ ବନ୍ଧୁ ଜାଣିଲେ କିବା ତୋ ସହ ହସ ପୌରୁଷ ହେଲେ ତିଳକୁ ତାଳ କରିବେ ।ମୋ ନାଁ ରେ ହାଟ ବସେଇବେ । ଘରେ ବାହାରେ ମୋତେ ବଦନାମ କରିବେ । ତୁ ସିନା ସହରରୁ ଆସିଛୁ ଆମେ ପରା ଗାଁ ରେ ରହିଛୁ। ଗାଁ ର ପ୍ରଥା ପରମ୍ପରା ସହରଠାରୁ ଟିକେ ଭିନ୍ନ । ତୁମ ସହରରେ ପୁଅଟିଏ ଝିଅଟିର ହାତ ଧରି ଚାଲି ଯିବାରେ କାହାର କିଛି ଯାଏ ନାହିଁ । ଆମର କିନ୍ତୁ ଏଠି ସେମିତି ହୁଏନି ବିଲକୁଲ । ହାତ ଧରି ଚାଲିବା ଛାଡ଼ ଦୂରତା ବଜାଇ ରଖି ସମ ବୟସ୍କ ଦୁଇ ବିପରୀତ ଧର୍ମୀ ଲିଙ୍ଗ ଯେ କୌଣସି ସମ୍ପର୍କ ରଖି ଭଲ କଥା ହେଲେ ବି ଲୋକେ ସେମାନଙ୍କୁ ସହଜରେ ଗ୍ରହଣ କରନ୍ତି ନାହିଁ। ଅପବାଦ ଦିଅନ୍ତି। 


ପ୍ରେମ କରିବା ଯେମିତି ଏଠି ଗୋଟେ ମସ୍ତବଡ଼ ଅପରାଧ।


ତୁ ଛେଳି କ୍ରାନ୍ତି। ଭୟ କରି କେହି ପ୍ରେମରେ ଜିତନ୍ତି! ତୁ ଜିତିବୁ କଣ ଯୁଦ୍ଧ ପୂର୍ବରୁ ଅର୍ଜୁନ ପରି ଅସ୍ତ୍ର ତ୍ୟାଗ କରି ସାରିଲୁଣି ?


କଣ କରନ୍ତି ସତରେ ? ଅନ୍ୟମାନଙ୍କ କଥାକୁ ମୋର ଖୁବ୍ ଡର।


ହେଉ ତୁ ଡରୁଥା, ଆଉ ଦିନେ ତୋ ପାଖକୁ ଆସିବିନି କ୍ରାନ୍ତି। ଯେତେ ଡାକିବୁ ଶୁଣିବି ନାହିଁ କି ତୋ ସହ ଆଉ ସାଙ୍ଗ ହେବି ନାହିଁ।


ତୁ ଭାରି ଦୁଷ୍ଟ, ଜିଦିଆ ଓ ଅଭିମାନି। ଛାଡ଼ିବୁନି ଦେଖୁଛି  । ବିଶ୍ୱାସ କର ମୋ ଦେହ ଭିଷଣ ଖରାପ।ଦେଖୁନୁ କେତେ ଜର। ଆଉ ଏହା ବି ଜାଣେ ତୁ ଯଦି ନ ଯାଉ ଏଠିକା ଲୋକେ ମୋ ସହ ତୋତେ ନିଶ୍ଚୟ ମାରିଦେବେ। ମୋର ମରିବାକୁ ଡର ନାହିଁ। କିନ୍ତୁ ତୁ କାହିଁକି ସୁନ୍ଦର ଜୀବନଟି ହାରିବୁ ବିପ୍ଳବ ?


ସେ ଚମକି ପଡିଲା..ମୋ ଦେହରେ ହାତ ମାରି।

ସତରେ ତୋତେ ଜର !! ମୁଁ ଭାବିଲି ତୁ ମୋ ପ୍ରେମିଳ ମନର ଧୈର୍ଯ୍ୟ ପରୀକ୍ଷା କରିଛୁ।ଜାଣି ଜାଣି ମୋତେ ରଗଉଛୁ, ଡରାଉଛୁ ?


ତୋତେ କଣ ମୁଁ ମିଛ କହି ପାରିବି  ବିପ୍ଳବ ? 


ତାହେଲେ ସତରେ ମୋର ଚାଲିଯିବା ଉଚିତ ? ତୁ ଯିବୁ ନାହିଁ କଲେଜ ?


ତୁ ଯାଆ ପରେ ମୁଁ ଯିବି।ବିପ୍ଳବ ମୋ କଥା ଶୁଣି ମନଟି ମାରି ଦେଲା । ପ୍ରକୃତ କଥାଟି ମୁଁ ତାକୁ କହି ପାରୁନଥିଲି।ମୋତେ ଭାରି କଷ୍ଟ ହେଲା ତା ମଉଳା ମୁହଁ ଦେଖି।ସତ କହିବାକୁ ଗଲେ ସେ ମୋତେ ଭାରି ଭଲ ଲାଗେ । ମୋ ଭାଇ ଦୁହେଁ ତାକୁ ଜଙ୍ଗଲ ରାସ୍ତା ପାରି କରି ଦେବାକୁ ବାହାରିଲେ। ଗଲା ବେଳେ ରହ କହି ତାକୁ ଗୋଟେ ଟାଇଟ ହଗ୍ କଲି। ଆଖିରୁ ଗଳି ପଡ଼ିଲା ଲୁହ କେଇ ଟୋପା ।


ସେ ବି କାନ୍ଦୁରା ମୁହଁ କରି ମୋ ଆଖିରୁ ଅଦୃଶ୍ୟ ହୋଇଗଲା। ବେଜାଏ ଅକୁହା ଯନ୍ତ୍ରଣା ଛାତିରେ ଧରି ଛଟପଟ ହେଲି।

*******

କିଛି ଦିନ ପରେ….ଆରେ କର୍ଜି ତୁମେ କ୍ରାନ୍ତି ଘର ଗାଁ ପିଲାଟି ?


ହଁ ଭାଇ। ତୁମେ କେମିତି କ୍ରାନ୍ତିକୁ ଜାଣିଲ ?


ଏଇ କଲେଜରେ ପୁଣି ଏକା ଅନର୍ସ ଆମର। ସେ ପାଞ୍ଚ ମାସରୁ ଉର୍ଦ୍ଧ ହୋଇଯିବ କଲେଜ ଆସୁନି ତ।କେମିତି ଅଛି ସେ ?


ତୁମେ କିଛି ଜାଣିନ ?


କଣ ? 


ଆଜକୁ ଦୁଇ ମାସେ ହେବ ସେ ପରା ଲିଭର କ୍ୟାନ୍ସରରେ ମରି ଗଲାଣି ।


ବିପ୍ଳବ ମୁଣ୍ଡରେ ହାତ ଦେଇ ନଥ୍ କି ତଳେ ବସି ପଡ଼ି ଜୋରେ  ଚିତ୍କାର କଲା କ୍ରାନ୍ତି " ତୁ ମିଛେଇ" । ମୋତେ ସେଇଥିପାଇଁ ତଡି ପଠେଇଲୁ ?


ସେବେଠାରୁ କ୍ରାନ୍ତିର ସ୍ମୃତିକୁ ନେଇ ଏକା ଏକା ଚାଲୁଛି। ବାସ୍ ! ସେଦିନୁ ମନେ ପଡିଲେ ଆଖି ବୁଜି ଦେଇ ତା ସକାଳ ତାଜା ଗୋଲାପି ମୁହଁ ,ଯୋଗୀ ବଶ ହେବା ହସ ଦିଶିଯାଏ। କ୍ରାନ୍ତି ତୁ ନାହୁଁ ସଶରିରରେ ଦୃଶ୍ୟ ହୋଇ ବାହାରେ କିନ୍ତୁ ଅଛୁ ଅଦୃଶ୍ୟ ହୋଇ ମୋ ଭିତରେ। ମୋ ସହ ତୁ ଥିବୁ ଏ ବିପ୍ଳବ ନାଁ ଶବ ହେବା ଯାଏ।




Rate this content
Log in

Similar oriya story from Tragedy