STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ତତ୍ତ୍ଵ ଓ ତଥ୍ୟରେ ମହାଶିବରାତ୍ରି

ତତ୍ତ୍ଵ ଓ ତଥ୍ୟରେ ମହାଶିବରାତ୍ରି

5 mins
31

  

ଶିବ ମଙ୍ଗଳମୟ,ଆଶୁତୋଷ,ଅଳ୍ପ ପୂଜାରେ ସେ ସନ୍ତୁଷ୍ଟ ହୁଅନ୍ତି l ସନତ୍ କୁମାରଙ୍କ ମତ ଅନୁଯାୟୀ ଶିବଙ୍କୁ ପ୍ରସନ୍ନ କରିବାପାଇଁ ଦଶ ଗୋଟି ବ୍ରତ ଅଛିl ତନ୍ମମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବସିଦ୍ଧି ପ୍ରଦାୟକ l ଜାବାଳିଙ୍କ ଶ୍ରୁତି ମଧ୍ୟ ଏହା କହିଥାଏ l ଆଉ କେତେକ ଶ୍ରୁତିରେ ମାଘ କୃଷ୍ଣଚତୁର୍ଦ୍ଦଶୀ ତିଥି ଶିବରାତ୍ରି ବୋଲି ବର୍ଣ୍ଣନା ରହିଛି l କିନ୍ତୁ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥିହିଁ ଶିବରାତ୍ରି ବୋଲି ସର୍ବଜନ ବିଦିତ l ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ର ସମେତ ଏହା ଦେଶର ସବୁ ଶୈବପୀଠରେ ଭକ୍ତି ଏବଂ ଶ୍ରଦ୍ଧାର ସହ ପାଳିତ ହୋଇଥାଏ l

ପୌରାଣିକ ତଥ୍ୟାବଳୀରୁ ଜଣାଯାଏ ଦେବ ଦେବ ମହାଦେବଙ୍କ ଦ୍ୱାରା ଏହି ଦିନ ଏ ସଂସାର ପ୍ରକଟ ହୋଇଥିଲା l ଦେବତା,ଦାନଵଙ୍କ ଦ୍ୱାରା ସଙ୍ଘଟିତ ହୋଇ ଥବା ସାଗର ମନ୍ଥନରୁ ସଂସାର ନାଶକାରୀ ଯେଉଁ ହଳାହଳ କାଳ କୂଟ ଗରଳ ଉତ୍ପନ୍ନ ହୋଇ ଥିଲା ତାହାକୁ ଶିବ ପାନକରି ସମଗ୍ର ସଂସାରକୁ ଧ୍ବଂସ ମୁଖରୁ ବଞ୍ଚାଇଥିଲେ l ବିଷ ପାନ ପରେ ସେ ବିଷ ଜ୍ୱାଳାରେ ମୂର୍ଛିତ ହୋଇଯାଇ ଥିଲେ l ତାଙ୍କ ସଂଜ୍ଞା ଫେରିବା ପର୍ଯ୍ୟନ୍ତ ଦେବ ଗଣ ଓ ଶିବଗଣ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସି ଥିଲେ l ଏ ଘଟଣାର ସ୍ମୃତି ସ୍ୱରୂପ ମହା ଶିବରାତ୍ରି ପାଳିତ ହୁଏ l ପୁଣି ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶଙ୍କର ଲିଙ୍ଗ ଭାବରେ ପ୍ରକଟ ହୋଇ ଥିବାରୁ ଏହି ଦିନକୁ ମହା ଶିବରାତ୍ରି ଭାବରେ ପାଳନ କରାଯାଏ l

ମହାଭାରତର ଶାନ୍ତି ପର୍ବରେ କଥିତ ଅଛି, ଭୀଷ୍ମ ଶରଶଯ୍ୟାରେ ଶାୟିତଥାଇ ଧର୍ମରାଜ ଯୁଧିଷ୍ଠିରଙ୍କୁ ଧର୍ମ ଉପଦେଶ ପ୍ରଦାନ ଛଳରେ ମହା ଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁ ବଂଶ ରାଜା ମହାରାଜ ଚିତ୍ରଭାନୁଙ୍କ କାହାଣୀ କହିଥିଲେ l ଏହି କାହାଣୀ ଅନୁସାରେ ଥରେ ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ରାଣୀ ଶିବ ରାତ୍ରି ଉପବାସ ପାଳନ କଲେ l ଏହି ସମୟରେ ମହାମୁନୀ ଅଷ୍ଟବକ୍ର ଋଷି ତାଙ୍କ ରାଜ ଦରବାରକୁ ଆସି ରାଜାଙ୍କୁ ଶିବରାତ୍ରୀ ପାଳନର କାରଣ ଜିଜ୍ଞାସା କଲେ l ରାଜା ଜାତସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କରି କହିଲେ, ପୂର୍ବ ଜନ୍ମରେ ସେ ସୁସ୍ୱର ନାମରେ ଜଣେ ବ୍ୟାଧ ଥିଲେ l ଶିକାର ନିମନ୍ତେ ଏକଦା ସେ ଜଙ୍ଗଲରେ ବୁଲୁ ବୁଲୁ ସନ୍ଧ୍ୟା ହୋଇ ଯିବାରୁ ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ର ଜନ୍ତୁଙ୍କ କବଳରୁ ରକ୍ଷାର୍ଥେ ନିକଟରେ ଥିବା ଗୋଟିଏ ବେଲ ବୃକ୍ଷ ଉପରେ ଆଶ୍ରୟ ନେଲେ l ରାତିସାରା ବେଲପତ୍ର ତୋଳି ତଳକୁ ପକାଇବା ସହ ସେ ନିଜ ପରିବାର କଥା ମନେ ପକାଇ ଅଶ୍ରୁ ଝରାଇବାକୁ ଲାଗିଲେ l ତାଙ୍କ ଅଜାଣତରେ ନୟନରୁ ଝରି ପଡୁଥିବା ଅଶ୍ରୁ ଓ ବେଲ ପତ୍ର ବିଲ୍ୱ ବୃକ୍ଷର ପାଦ ଦେଶରେ ଥିବା ଏକ ଶିବଲିଙ୍ଗ ଉପରେ ପଡୁଥାଏ l ଏମିତି ରାତ୍ରି ପାହି ଗଲା ଓ ସେ ଶିକାରଧରି ଘରକୁ ଫେରିଲେ l ପ୍ରଥମେ ଜଣେ ଭିକ୍ଷୁକକୁ କିଛି ଖାଦ୍ୟ ଦାନ କରି ନିଜେ ଭୋଜନ କଲେ l କିଛିବର୍ଷ ପରେ ତାଙ୍କର ମୃତ୍ୟୁ ହେବାରୁ ସେ ଶୈବ ଲୋକ ପ୍ରାପ୍ତ ହେଲେ l ଅଜ୍ଞାତରେ ମଧ୍ୟ ସେ ଶିବରାତ୍ରିରେ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ଅର୍ପଣ କରି ଥିବାରୁ ସେ ସଦାଶିବଙ୍କ କରୁଣା ଲାଭ କରି ଶୈବ ଲୋକ ପ୍ରାପ୍ତ ହୋଇଥିଲେ l 

ଓଡ଼ିଶାର ସମସ୍ତ ଶୈବପୀଠ ଯଥା ଆଖଣ୍ଡଳମଣି ଶ୍ରୀଲୋକନାଥ, ଲିଙ୍ଗରାଜ, କପିଳାସ, ଗୁପ୍ତେଶ୍ୱର, ବେଦବ୍ୟାସ, ମହେନ୍ଦ୍ରଗିରି,ହୁମା,ହରିଶଙ୍କର ଆଦି ତଥା ଗାଁ ଗହଳିରେ ଥିବା ଶିବ ମନ୍ଦିର ଗୁଡିକରେ ଏହି ଦିନ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଶିବରାତ୍ରି ବା ଜାଗର ପାଳନ କରିଥାନ୍ତି l ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସମେତ ଭାରତ ବର୍ଷରେ ଲକ୍ଷଲକ୍ଷ ଶିବ ମନ୍ଦିରରେ ଶିବରାତ୍ରି ଏବଂ ଜାଗର ଭକ୍ତିପୂତ ଭାବେ ମହା ସମାରୋହରେ ପାଳିତ ହୋଇଥାଏ l ଶୈବକ୍ଷେତ୍ର ବାରାଣାସୀ ଏ ଦିନ ଶିବପୁରୀ ପରି ଶୋଭାୟମାନ ହୋଇଥାଏ l ଶିବ ଉପାସନା ପାଇଁ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋକୃଷ୍ଟ l ଅନ୍ୟ ଦେବତା ମାନଙ୍କର ପୂଜା ଦିନରେ ହେଉଥିବାବେଳେ ଭଗବାନ ସଦା ଶିବଙ୍କର ପୂଜା ରାତ୍ରିରେ ହେଇଥାଏ l

ବ୍ରତାଚାରୀମାନେ ଶିବରାତ୍ରିରେ ସାରାଦିନ ଉପାସ ରହନ୍ତି,ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡଦୀପ ଜାଳି ଉଜାଗର ରହନ୍ତି l ଜାଗରଦିନ ଶିବଙ୍କ ପୂଜା ସହ ନାମ ଜପ କରା ଯିବାର ବିଧି ରହିଛି l ଗୁରୁ ଦତ୍ତ ନାମ ଜପର ବିଧି ରହିଛି ଓ ଯିଏ ଗୁରୁ କରି ନଥିବ ସେ ଶିବଙ୍କର ଅଷ୍ଟନାମ ଯଥା ଭବ, ଶର୍ବ, ରୁଦ୍ର,ପଶୁପତି, ଉଗ୍ର,ଭୀମ, ଈଶାନ ମଧ୍ୟରୁ ଯେ କୌଣସି ନାମ କିମ୍ବା 'ଓଁ ନମଃ ଶିବାୟ' ପଞ୍ଚାକ୍ଷର ମନ୍ତ୍ର ଜପ କରି ପାରିବ l

ଶିବରାତ୍ରି ଚାରି ପ୍ରହରରେ ସମ୍ପନ୍ନ ହୋଇଥାଏ ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା l ପ୍ରଥମ ପ୍ରହର ବା ସନ୍ଧ୍ୟାରେ ଶିବ ଲିଙ୍ଗକୁ ଦୁଗ୍ଧାଭିଷେକ କରାଯାଏ l ଦ୍ୱିତୀୟ ପ୍ରହରରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ l ତୃତୀୟପ୍ରହର ବା ଘୋର ରାତ୍ର ସମୟରେ ଶିବ ଲିଙ୍ଗକୁ ମହୁରେ ଅଭିଷେକ କରାଯାଏ l ରାତ୍ରର ଶେଷ ପ୍ରହରରେ ଶିବମନ୍ଦିର ଚୁଡ଼ାକୁ ମହାଦୀପ ଉଠାଯାଏ l ସାରା ସଂସାରରୁ ଅଜ୍ଞାନରୂପୀ ଅନ୍ଧକାର ଦୂରକରି ଆଲୋକପ୍ରଦାନ କରିବା ମହାଦୀପ ଦାନର ଉଦ୍ଦେଶ୍ୟ l ମହାଦୀପ ଦର୍ଶନରେ ସମଗ୍ର ଶୈବ କ୍ଷେତ୍ର ଶ୍ରଦ୍ଧାଳୁ ମାନଙ୍କ 'ଓଁ ନମଃ ଶିବାୟ ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠେ l ଏହିଦିନ ଶିବ ଲିଙ୍ଗଙ୍କୁ କେତକୀ, ଅରଖ, ଦୁଦୁରା, ଗୟସ ଫୁଲ ଚଢ଼ାଯିବାର ବିଧି ରହିଛି l ଶିଵରାତ୍ରୀରେ ଅଖଣ୍ଡଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳିତ ହେଉଥିବାରୁ ଏହାକୁ ଜାଗର ଓଷା କୁହା ଯାଇଥାଏ l ଜାଗରକୁ ନେଇ ଆମର ଗୋଟିଏ ଲୋକକଥା ଅଛି :-

        ମଉସା ଦେ ପଇସା, 

    ମାଉସୀ କରିଛି ଜାଗର ଓଷା ll

ଶିବ ମଙ୍ଗଳମୟ l ସେ ସମସ୍ତ ଜଗତର କଲ୍ୟାଣ ପାଇଁ ଗରଳ ପାନ କରିପାରନ୍ତି ଅର୍ଥାତ ସଂସାରରୁ ସମସ୍ତ କଳୁଷ ହରଣ କରି ପାରନ୍ତି l ସଂସାରର ତ୍ରିତାପ ହରଣ କରିବାକୁ ପ୍ରଭୁ ଭୋଳାନାଥ ଶିବ ହିଁ ସମର୍ଥ l ଏଣୁ ଭାଗବତରେ କୁହା ଯାଇଛି :-

       ଜଳଧି ମନ୍ଥନର ବିଷ l

      ରୁଦ୍ର ହୁଁ ଆନେ ନାହିଁ ଗ୍ରାସ ll

ସଦାଶିବ ସମସ୍ତ ଦେବ,ଯକ୍ଷ,ରକ୍ଷ,ନର, କିନ୍ନରଙ୍କୁ ଐଶ୍ୱର୍ଯ୍ୟ ପ୍ରଦାନ କରି ନିଜେ ବିଷ ଭକ୍ଷଣ କରନ୍ତି l ସେଥିପାଇଁ ସେ ହୋଇଛନ୍ତି ନୀଳକଣ୍ଠ l ଯିଏ ଶିବ ସିଏ ସତ୍ୟ ଓ ସୁନ୍ଦର l ସେ ସ୍ମଶାନ ବାସୀ l ଭସ୍ମ ବିଲେପିତ ଶରୀର ତାଙ୍କର ସୂଚନା ଦିଏ ପ୍ରାଣୀର ଅନ୍ତିମ ଆଶ୍ରୟ ସ୍ମଶାନ l ପରମ ଯୋଗୀ ହୋଇ ସେ ଇଙ୍ଗିତ କରନ୍ତି ଅନିତ୍ୟ ସଂସାର ପ୍ରତି l ତାଙ୍କ ତୃତୀୟ ନୟନ ଜ୍ଞାନ ଚକ୍ଷୁ, ବ୍ରହ୍ମ ଚକ୍ଷୁ, ବିଶ୍ୱ ଦର୍ଶନ ଚକ୍ଷୁ, ପୁଣି ସେ କୋପକଲେ ଏହା ସଂହାର ଚକ୍ଷୁ l ତାଙ୍କର ତ୍ରିନେତ୍ର ସ୍ବପ୍ନ,ଜାଗୃତି ଓ ସୁଷୁପ୍ତି ତିନୋଟି ଅବସ୍ଥାକୁ ସୂଚିତ କରି ଥାଏ l

• ଶିବଙ୍କ ଲଲାଟରେ ଭସ୍ମର ତିନି ରେଖା ଲୋକ ବାସନା, ଦେହ ବାସନା,ଶାସ୍ତ୍ର ବାସନା ନିଃଶେଷ କରିବାର ସଙ୍କେତ ଦିଏ l ଅନ୍ୟ ଅର୍ଥରେ,ଭକ୍ତକୁ ହିଂସା, ବାସନା ଏବଂ ମାୟା ତ୍ୟାଗ ପାଇଁ ଏହା ନିର୍ଦ୍ଧେଶ ଦିଏ l

• ତାଙ୍କର ଜଟାଜୁଟ ପରମ ବୈରାଗ୍ୟର ସୂଚନା l 

• ସେ ଭଗବତୀ ଗଙ୍ଗାଙ୍କୁ ମସ୍ତକରେ ଧାରଣ କରି ତ୍ରିଜଗତର କଲ୍ୟାଣସାଧନ କରୁଛନ୍ତି l ଗଙ୍ଗା ଶାନ୍ତି ଓ ପବିତ୍ରତାର ପ୍ରତୀକ l

• ତାଙ୍କ ମସ୍ତକରେ ଥିବା ଅର୍ଦ୍ଧଚନ୍ଦ୍ର ମାନସିକ ବୁଦ୍ଧି, ବିକାଶ ଏବଂ ସର୍ବଦା ଶାନ୍ତ ରହିବାର ପ୍ରତୀକ l

• ତାଙ୍କର ବସ୍ତ୍ର ମୃଗଚର୍ମ ତୀବ୍ରତାର ପ୍ରତୀକ l

• ବ୍ୟାଘ୍ର ଚର୍ମ ଆସନ ଅହଂକାର ଦମନକୁ ସୁଚାଇ ଥାଏ l

• ତାଙ୍କ ଦିଗମ୍ବର ଭୂଷଣ ପରମ ସନ୍ନ୍ୟାସ ସୂଚକ l 

• ତାଙ୍କ ସର୍ପ ଭୂଷଣ ସତର୍କତା, ଜାଗ୍ରତ, ଆଧାରଯୁକ୍ତ ତଥ୍ୟ ଗ୍ରହଣକୁ ନିର୍ଦ୍ଧେଶ କରେ l

• ତାଙ୍କର ଡମ୍ବରୁ ନାଦ ଶବ୍ଦବ୍ରହ୍ମ ଓ ସକଳନାଦର ପ୍ରତୀକ l

• ପଞ୍ଚମୁଖ ସୂଚିତ କରେ ସୃଷ୍ଟି, ସ୍ଥିତି, ସଂହାର,

 ତିରୋଭାବ ଓ ଅନୁଗ୍ରହ ଆଦି ପଞ୍ଚ କୃତ୍ୟକୁ l

• ବୃଷଭ ବାହନ ପବିତ୍ରତାର ପ୍ରତୀକ l 

• ତାଙ୍କର ତ୍ରିଶୂଳ ଆୟୁଧ ତ୍ରିଶକ୍ତି, ତ୍ରିଦେବ ଓ ତ୍ରିଭୁବନକୁ ସୂଚାଇ ଥାଏ l

ଶିବ ବ୍ରହ୍ମ ଜ୍ଞାନୀ l ସର୍ବ ଶାସ୍ତ୍ର ଜ୍ଞାତା ମହା ଜ୍ଞାନୀ l ସେ କଳା,ସାହିତ୍ୟ,ନୃତ୍ୟ,ସଙ୍ଗୀତର ଆଦିଦେବ l ସଦାଶିବ ନିତ୍ୟ ଧ୍ୟେୟ ଜ୍ଞାନ, ବୈରାଗ୍ୟ,ତତ୍ତ୍ୱ ଓ ଦର୍ଶନର ସ୍ୱୟଂସମ୍ପୂର୍ଣ୍ଣ ବିଗ୍ରହ, ତେଣୁ ସେ ଦେବ ଦେବ ମହାଦେବ l 

ଆସନ୍ତୁ, ଶିବରାତ୍ରୀ ଅବସରରେ ପ୍ରତିଜ୍ଞା କରିବା ଆମର ଏ ସମସ୍ତ ଜୀବନକୁ ଏକ ଶିଵରାତ୍ରୀରେ ପରିଣତକରି ଆମର ସମସ୍ତ ଅଜ୍ଞାନକାଳିମା ଦୂର କରିବା l ଅଜ୍ଞାନ ଦୂରହେଲେ ଶିବ ସ୍ୱୟଂ ଆମର ହୃଦୟ କନ୍ଦରରେ ବିରାଜମାନ କରିବେ l ଆମେ ନିଜ ଭିତରେ ଦେଖି ପାରିବା ସେହି ସତ୍ୟ, ଶିବ ଓ ସୁନ୍ଦରଙ୍କୁ l ସେତେବେଳେ ଆମକୁ ଶିବ ଦର୍ଶନ ପାଇଁ କୌଣସି ଶିବାଳୟକୁ ଯିବାର ଆବଶ୍ୟକତା ରହିବ ନାହିଁ l ଆଗକୁ ଆସୁଛି ଶିବରାତ୍ରୀ l ଏହି ଅବସରରେ ଗୋପବନ୍ଧୁଙ୍କ ଭାଷାରେ କହିବା :- 

   କରି ଅଛି ଉପବାସ ପୂଜିବି ଶଙ୍କର l

   ଜାଗର ଜାଳିଣ ହେବି ନିଶି ଉଜାଗର ll

 କାହିଁ ଗଲେ ଦେଖିବି ସେ ସତ୍ୟ ଶିବ ରୂପ l

  ନାଶିବି କି ଦୀପ ଜାଳି ଘୋର ତମ ସ୍ତୂପ ? 

             ଓଁ 

    ଓଁକାର ବିନ୍ଦୁ ସଂଯୁକ୍ତେ ନିତ୍ୟ 

        ଧ୍ୟାୟନ୍ତି ଯୋଗୀନଃ l

  କାମଦଂ ମୋକ୍ଷଦଂ ଦେବ ଓଁକାରାୟ 

          ନମୋନମଃ !

        ଓଁ ନମଃ ଶିବାୟଃ 

           


Rate this content
Log in

Similar oriya story from Inspirational