STORYMIRROR

Lopamudra Parida

Drama Action Inspirational

2  

Lopamudra Parida

Drama Action Inspirational

ଟଙ୍କା ଗୋଟିଏ, ରୂପ ଭିନ୍ନ

ଟଙ୍କା ଗୋଟିଏ, ରୂପ ଭିନ୍ନ

4 mins
108


____

ତୀର୍ଥ ହରିଦ୍ୱାର ଗଙ୍ଗାର ଆଳତୀ ସଂଧ୍ୟା ସମୟ ।ଫେନିଳ ଉତ୍ଫୁଲ୍ଲିତ ଦୁଗ୍ଧ ଧବଳ ଢେଉ ।ଜଞ୍ଜିର ରେଲିଂ ଏପଟେ ପର୍ଯ୍ୟଟକ ମାଳ ।ଆଠ/ ଦଶ ବର୍ଷର ଛୁଆଟିମାନ ବଡ ରସିଟିଏ ପାଣିରେ ପକେଇ ପାଦ ଟାଣି ଟାଣି ଆଗକୁ ବଢୁଥାନ୍ତି ।ଦୃଶ୍ୟ ଭୟପ୍ରଦ,ଛାତିଥରା।ପ୍ରଚଣ୍ଡ ଉଲ୍ଲୋଳିତ ପାବନୀ ଜାହ୍ନବୀର ଘାଇଭଙ୍ଗା ଗତିକୁ ଭୃକ୍ଷେପ ନାହିଁ ।ଲକ୍ଷ୍ୟ ପର୍ଯ୍ୟଟକର ପାପୁଲିକୁ ।

ପୂଣ୍ୟ ଠୁଳ କରିବାର ଦୁର୍ବାର ଇଚ୍ଛାରେ ଝଣଝଣ ଟଙ୍କାଏ ଟଙ୍କାଏ ପଡୁଥାଏ ନଦୀ ଗର୍ଭକୁ ।ପିଲାଏ ଖୁସି ।ରସି ଅଗରେ ବନ୍ଧା ମୁଣ୍ଡା ଚୁମ୍ବକଟି ତାର ଚୁମ୍ବକୀୟ ଶକ୍ତିରେ ଯୋଗାଡୁଥାଏ ଆଧାର ଓଠଟିମାନଙ୍କ ପାଇଁ ।ଯାହା ଚୁମ୍ବକ ଧରିନେଇ ପାରିଲା ଯେତୋଟି ।

ବିଜେତା ଚୁମ୍ବକ ।

ଯୋଗାଏ ଭାତ । 

ତରଳ ମନ ଗଙ୍ଗାର ଉର୍ମି ସହ ତାଳ ଦେଲା ।

ପରିଶ୍ରମ ଲକ୍ଷ୍ମୀ ପ୍ରାପ୍ତିର ବାଟ ଦେଖାଏ ।କଷ୍ଟ କୋଉଥିରେ ନାହିଁ !

୨ 

______

ବଡ ଦାଣ୍ଡରେ ଛତାଟିଏ ଧରି ତୁମ ପାଦ ନ ତାତୁ ବୋଲି ସ୍ପ୍ରାଇଟ୍ ବୋତଲ ଠିପି ମଝି କଣା କରି ଛିଞ୍ଚୁ ଥାଏ ପାଣି ଆଉ ପୋଛି ପକାଉଥାଏ ଘଡିକି ଘଡି ସିଏ ।ଜନ୍ମାନ୍ଧ ଲୋକଟିର ଓଜନ ଯନ୍ତ୍ର ଥୁଆ ହାତେକର ବିପଣୀରେ ଗହଳି କାଇଁ ହବ ।

ଚଢିଗଲି ମୁଁ ପୃଥୁଳ ମେଦ ସବୁକୁ ଗୋଟେଇ ।ବଢେଇ ଦେଲି ଦଶ ଟଙ୍କିଆଟେ ।ହାତ ପାପୁଲିରେ ଅଣ୍ଡାଳି ଆଙ୍ଗୁଳି ତାର ତାକୁ ଜଣେଇଦେଲେ କେତେ ଦେଲି ବୋଲି ।ଫେରାଇଲା ହସଟିଏ ସହ ପଦ୍ମ ଅଙ୍କା ସୁନେଲି କଏନଟେ । କାହିଁକି କେଜାଣି ପାଟିରୁ ବାହାରି ଗଲା, " ଥାଉ ,ରଖ ।"

ସେ ହସ ବିସ୍ତାରିତ ହେଲା ମୁଦିତ ନିମିଳିତ ଡୋଳାର ।କହିଲା, " ମାଆ ମୁଁ ପରା ଲକ୍ଷ୍ମୀ ଦାଣ୍ଡରେ ବସିଛି ।ସିଏ ଦଉଛି,ଦଉଥିବ ।" ସେମିତି ଟେକି ହେଇ ରହିଥିବା ହାତରୁ ପାଞ୍ଚ ଟଙ୍କା ଫେରେଇ ଆଣିଲା ବେଳେ ମୋ ମେଦ ତକ ତରଳି କ୍ଷୀଣ ହୋଇ ଛିଟକି ସାରିଥିଲେ ।

ବୁଝିଲି ।,ଦୟା ,କ୍ଷମା, କରୁଣା ,ସମବେଦନା, ଆଦି ଦିବ୍ୟ ଗୁଣ ଅହଂ ବଳେ ଆମେ ଭାବୁ ଆମେ କରୁ ଅନ୍ୟ ପ୍ରତି ମାତ୍ର ପ୍ରକୃତରେ ତାହା ନିଜ ପ୍ରତି ହିଁ ।

_____

ପୁଳାଏ କାଗଜକୁ ଜାବୁଡି ଧରି ଅଭିଶାପ ଓଜାଡୁଥିଏ ପାଗେଳୀଟେ ସେ ସାହି ଉପାନ୍ତ ଅଭିଶପ୍ତ ଗଛ ମୂଳେ ଯୋଉଠି ବୃଷଭଟେ ନିତି ଶୁଏ,ଚାକୁଳେ ,କିନ୍ତୁ ଶିଙ୍ଘ ହଲାଏନି ।ଠିକ୍ ସେଇଠି ,.....ସମ୍ପୁଥାଏ ଟଙ୍କାର ଚାରିପୁରୁଷକୁ ତା' ଘରଭଙ୍ଗା ପାଇଁ ଦାୟୀ କରି ।ଏଇ ଟଙ୍କା କାଳେ ମନ୍ଥରା ସାଜି ଭାଙ୍ଗିଦେଲା ତାର ନାଟମନ୍ଦିର ।ସୁନା ସଂସାର ।ସେ ବନବାସରେ ଚିରଦିନ ।

ଭିକାରୁଣୀ ଭାବି କିଏ କିଏ ପଇସାଏ ପକେଇଲେ ଗୋଟେଇନେଇ ଫିଙ୍ଗିଦିଏ ଯେତେ ଦୂର ତାର ବଳ ।ଜାଗା ବଦଳାଇଦିଏ ତା' ରହିବା ଥାନ ହରେଇବା ଭୟରେ ପୁଣି ଥରେ ସେ ଗଛ ମୂଳେ, ବୃତ୍ତ କରି ଘୁରୁଥାଏ ।ଲୋକେ କୁହାକୁହି ହୁଅନ୍ତି ସମୁକ ବଡ ଲୋକର ମାଆଟି ଆହା, ସନ୍ତାନବତୀ ଥିଲା।

ପାଗଳୀ କେମିତି ହେଲା କେହି ଜାଣେନା ।

ଘର କାନ୍ଥରେ ଭୁଷୁଡେ ଅଲେଖା କିମ୍ବଦନ୍ତୀରୁ ଅଜସ୍ର ।

____

"ଯେତେ ହାତଖୋଲା ଖର୍ଚ୍ଚ କରିବ ,ସେତେ ଆସିବ ।

ଦବା ଲୋକ ବଡ । ମାଲିକ ଚାହିଁଛି ।

ଅନ୍ୟର ପେଟ କଥା ଆଗେ ବୁଝ ।ସଞ୍ଚିତ ଧନ ପରା ଖଣ୍ଟ ଖାଏ, ଯକ୍ଷ ପାଲଟେ ।ନର ସେବାରେ ନାରାୟଣ ତୁଷ୍ଟ " କହୁଥିବା ଓ କାମରେ କରୁଥିବା ବାପାଟିଏ ଆଜି ଏକାକୀ ନିଃସ୍ୱ ଜରାଶ୍ରମର ବାରଣ୍ଡାରେ ଶେଷ ପବନ କେତୋଟିକୁ ଗଣତି କରୁଛି ।ଲୁହ ଝୁଲୁଛି ଆଖିକୋଣରେ, ହସ କେବେଠୁ ଲୁଚକାଳି ଖେଳୁଛି ।

ଏଇ କଣ ପ୍ରତିଦାନ ମୂଲ୍ୟବୋଧର ?

ପୁଅ କାଳେ ସବୁ ମାସରେ ଟଙ୍କା ଗଣିକି ପଠଉଛି ।ଦିନେ ଗଡିନି ।

_______

ପିମ୍ପୁଡି ପରି ଜୀବନ ତମାମ ଦାନ୍ତରେ କାମୁଡି କାମୁଡି ସଞ୍ଚିଥିବା ଗୁମ୍ଫା ଗୁମ୍ଫା ଭରା ଟଙ୍କା ଗଦିରେ ନିଦ କାଇଁ ? ପାହାଡ ପରି ପ୍ରାସାଦ କାନ୍ଥ ବି ଟଙ୍କା ଯୋଡେଇଇଟାରେ ଗଢା, ହେଲେ....... ଭାତ ଗଣ୍ଡେ ଫୁଟେଇବା କଥା କିଏ ପଚାରେ, ପାଣି ମୁନ୍ଦେ ବଢେଇବାକୁ ହାତଟେ କାଇଁ ?

" ଯେତେ ଚାହଁ ସେତେ ଟଙ୍କା ଦେଇପାରେ, ଅମ୍ଳଜାନ ସିଲିଣ୍ଡର ଦିଟି ଆଣି ଘରେ ଖଞି ଯାଅ ।"

ଏଠି ହାସପାତାଳରେ ବେଡ୍ ଅଭାବ, ଇୟେ ଆସିଲେ ଟଙ୍କା ବଦଳେ ଜୀବନ କିଣିବାକୁ ।

ଆଚ୍ଛା ଅଜସ୍ର ଟଙ୍କା ବଦଳରେ ଦେଇପାରିବକି ହସ ମୁଠେ? ବଦଳେଇପାରିବ ପେଲିଦେଇଥିବା ସମୟ କଣ୍ଟାକୁ ଆଗକୁ ଟାଣିଆଣି? ପାରିବ କି ?

କଣିକାଏ ସ୍ନେହ ହେଲେ ଅରଜିଥାନ୍ତ ! ଏକାଳେ ନିର୍ମ୍ଯାଲ୍ଯ ସମ ପ୍ରତେ ନୋହିଥାନ୍ତା କି ଆଉ ?

____

ହ୍ୱିଲଚେୟାରରେ ପରୀଟେ ପରି ବସିଥିବା ଝିମୁନର ମୁଣ୍ଡ ବାନ୍ଧିଦେଉଥିଲା ତାର ନୂଆ ଆୟା ସୁକାନ୍ତି ।ପାଖରେ ଜାକି ହେଇ ଠିଆ ହେଇଥିଲା ତା' ଝିଅ ଝୁନୀ ।ଠିକ୍ ଝିମୁନ୍ ବୟସର ।

ଫେରିବା ବାଟରେ ପଚାରିଲା,ମାଆ ତୁ ସିନା କହୁ ଆମର ପଇସା ନାହିଁ ବୋଲି ତୁ କିଣିଦେଇପାରୁନୁ ମତେ ସ୍ଲିପର ହଳେ, ତାଙ୍କର ତ କେତେ ପଇସା ।ସେମାନେ ତା'ପାଇଁ ପାଦ ହଳେ କିଣି ଆଣୁନାହାନ୍ତି କାହିଁକି ?

_______

ଭାଇକୁ ଭଗାରୀ କରି ,ସାମ _ ଦାମ_ ଦଣ୍ଡ _ ଭେଦ ଯୋଗେ ଚୁଟି ଝଡାଝଡି ହେଇ ଆପଣାର ଏକଇରବଳା କୁଳମଣି ପାଇଁ ଆଣ୍ଡୁଳେଇଥିବା ସମ୍ପତ୍ତି କୁ' ଠ 'ରେ ଠୋକର ମାରି ରୁକ୍ ସାମ ଯର୍ଜୁ ଅଥର୍ବକୁ ଆପଣେଇ କେଉଁ ଏକ ବିତୃଷ୍ଣ ମୁହୂର୍ତ୍ତରେ ବାହାରିଗଲା ପୁଅ ଘରୁ ଗୋଡକାଢି ।

ଏବେ ହିମାଳୟ କୋଳରେ ତାର ସଂପୂର୍ଣ୍ଣ ସଂଗତି ।ସେ ସାରିପୁତ୍ତ ।

ପୁଅ ଯଦି ଯୋଗ୍ୟ ହୁଏ ଧନ ସଞ୍ଚୁ କାହା ପାଇଁ ।

ଯୋଗ୍ୟତାର ମାପକାଠି ଅର୍ଜିଥିବା ଟଙ୍କା ତ ନୁହେଁ ।

_______

______

ଟଙ୍କା,ଟଙ୍କା, ଟଙ୍କା

ବସ୍ତାରେ ରୋଜଗାର, ବସ୍ତାରେ ଖର୍ଚ୍ଚ ।

ଚହଳ ପଡିଛି ସହର ବଜାରେ ।

*****

*******

ହଁ ହଁ କାଟିଦିଅ ବଣ ମୁଲକ 

ଚେରରୁ ନିପାତ କର ଗାଁ ସବୁକୁ 

ମାଡିଯାଉ ଯାଦୁ ପରି ସହରୀକରଣ ।

*****

ପାଇଲ କି କିଛି? ଟଙ୍କା?

କାଇଁ ମିଳିଲାନି ତ କିଛି ।ଓଲଟି ପାଦେ ଲାଗିଗଲା ପଙ୍କପଟଳ।

ରେ କର୍ମକୁଣ୍ଠ ! ଯା ରଖାହେଇଛି ତୋ ପାଇଁ ଟଙ୍କିକିଆ ଚାଉଳ ବସ୍ତା ବସ୍ତା ।କର୍ମଠ ହେବୁ କିଆଁ? କୋଉ ଗରଜରେ ।

ନାଃ ।

ଶୁଣାଯାଏ

ଟଙ୍କା ମୁହଁ କରିଦିଏ ବଙ୍କା ।

ଏଠି ତ ହାତ ବି ଅଚଳ ।କଣ ଟଙ୍କା ବଳ ?

_____

ରବିବାର ସକାଳ, ଧାଡି ଧାଡି ଗହଳି ଦାଣ୍ଡରେ ।

_"ମାଆଆ ଭିକ ଗଣ୍ଡେ ମିଳୁ " ।

ପକେଟରୁ କାଢି ଟଙ୍କାଏ ଦେଲି ବୋଉ ଭିତର ଘରେ ଥିଲା ବୋଲି ।

_ କଣ ଟଙ୍କାଏ? ରଖ ହୋ ।ଟଙ୍କାଏରେ ଆଉ ଚାହା କପେ ହଉଚି ନା ଆଗେ? 

ଫୋପାଡି ଦେଇ ଡଗଡଗକି ଆଗେଇଗଲା ନବାବୀ ଢଙ୍ଗରେ ।

ତା' ପଛକୁ ଆଣ୍ଠୁରେ ଚକଲଗା ପଟା ଗଡେଇ ଆସୁଥିବା ଆଉ ଜଣେ ବୁଢା ଭିକାରୀ ହାତ ବଢେଇଦେଇ କହିଲେ ଦିଅ ମାଆ ମତେ ଦିଅ ।ଅଧୁଲିଏ ହେଲେ ବି ମୁଁ ନେବି ।ତାର ସିନା କର୍ମଦୋଷେ ଲକ୍ଷ୍ମୀ ଛାଡିଲେ, ବାହୁରେ ଜୋର ଅଛି ।ମୋର ଭାଗ୍ୟ ଦୋଷକୁ ପାଦଦିଟି ବି ନାହିଁ ଯାହା ।

୧୦

_____

ବର୍ଷାର ଚପଳ ଧାରାରେ କୁନିହାତଟେ ଗୋଲାପି ନୋଟଟେ ଡ୍ୟାଡିଙ୍କ ଡ୍ରୟାରରୁ ନେଇ ପେପର ବୋଟ୍ ତିଆରି ଭସେଇଦେଲା ।ଅଏଲ୍ ପେପର୍ ନା ,ଭେଦେଇପାରିଲାନି ବର୍ଷା ପାଣି ଭାସିଗଲା ଗେଟ୍ ତଳ ଫାଙ୍କ ଦେଇ ।ତାଳିମାରି ନାଚୁଥିଲା କଣ୍ଢେଇ ।

ଗେଟ୍ ବାହାର ଝୋପଡି ପାଖେ ଲଟପଟ କୁଦୁଥିବା କୁନି ପାଦସବୁ ଗୋଲାପି ଡଙ୍ଗା ପାଇ ଖୁସିରେ ମାଆ ହାତକୁ ବଢେଇଦେଲେ ।

ମାଆ ହାତ ଯୋଡି ଆକାଶକୁ ଚାହିଁଲା ।

______________________

୧୧

________

_ ବାବୁ ଗୋଟିଏ ଜର ଔଷଧ,ଖିର ପାକେଟଟେ,ଆଉ ପାଉରୁଟି ପାକେଟଟେକୁ କେତିକି ପଇସା ପଡିବ?

_ ଆ ଆଜି ସଂଜକୁ ।ନେଇଯିବୁ ଫୁଲ ପାଉଣା ଦେଇ ।

ଆଖିର ଠାର ଘୃଣାଠୁ ବି ଘୃଣା ପାଇବାର ଯୋଗ୍ୟ ନଥିଲା ।

ଫେରିଯାଉଥିଲା ଷଢା ଷଡଯନ୍ତ୍ର ମସୁଧାକୁ ବୁଝିପାରି ମୀନୁ ,ତା ' କୋଳରେ ଧକଉଥିଲା ଜରୁଆ ପେଜୁଆ ଆଖି ହଳେ ।ସେଇ ଆଖି ଉପରେ ନଜର ପଡିଲାରୁ ପାଦ ଥମକୁ ଥିଲେ ତାର ଆପେ । ହେଲେ ଫେରିଲାନି ସେ ପାପ ପଇସାରେ ପିଲା ପାଟିରେ ବିଷ ଦେବାକୁ ।

ଖାଦ୍ୟ ଆଉ ବିଷ ଭିତରେ କେତେ ଫରକ ଯେ ?

ଗୋଟେ ରାତି ଆଉ ମୁଠେ ଫୋପଡା କାଗଜ ଟଙ୍କାର ତ ! ଯାହାକୁ କୁହନ୍ତି " ନୋଟ୍ " ।

*********



Rate this content
Log in

Similar oriya story from Drama