ଟିମା ଚା' ଦୋକାନୀ
ଟିମା ଚା' ଦୋକାନୀ
ଛୋଟ ସହରଟିଏ। ଏଇ କେତେ ବର୍ଷ ଭିତରେ ଏ ସହର ଅନେକ ବଦଳିଛି। ହେଲେ ସଦର ରାସ୍ତାରେ ଗୋଟେ ବରଗଛ ତଳେ ଟିମା ଚା ଦୋକାନ ଯେମିତି ଥିଲା ସେମିତି।
ଟିମା ତାର ଚା ଦୋକାନ ଆରମ୍ଭ କଲାବେଳେ ବରଗଛଟି ବେଶ୍ ଛୋଟ ଥିଲା।ଏବେ ତାହା ମହାଦ୍ରୁମରେ ପରିଣତ ହୋଇଗଲାଣି। ଖରା,ବର୍ଷା, ଶୀତରେ - ଲୋକମାନେ ତା ଚା ଦୋକାନ ଆଗରେ ଅଟକି ଯାଇ ଚା କପେ ପିଇଯିବାକୁ ଭୁଲନ୍ତି ନାହିଁ।ସେଇ ଚା ପିଇବା ଭିତରେ ପଲ୍ଲୀରୁ ଦିଲ୍ଲୀ ଯାଏ କଥା ପଡିଯାଏ। କଥା ଆରମ୍ଭ କରେ ଟିମା।ଅନ୍ୟମାନେ ତା ସହିତ ଯୋଡି ହୁଅନ୍ତି।ନାନା ଟୀକା ଟିପ୍ପଣୀ ଦିଅନ୍ତି।ଥଟ୍ଟା, ପରିହାସ ବି କରନ୍ତି। ଦେଶ ବଦଳୁନାହିଁ। ଦେଶବାସୀଙ୍କୁ ପ୍ରକୃତ ସ୍ବାଧୀନତା ମିଳୁନାହିଁ। ସ୍ବାଧୀନତାର ଲକ୍ଷ୍ୟ ହାସଲ ହେଉନାହିଁ। ନାରୀଟିଏ ଆଜି ବି ନିଜକୁ ଅସୁରକ୍ଷିତ ମଣୁଛି। ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ସାକାର ହେଉନାହିଁ। ଟିମା ମୁହଁରେ ସବୁବେଳେ ପ୍ରାୟ ଏହିପରି କଥା ସବୁ ବସା ବାନ୍ଧି ରହିଥାଏ। ବୋଧହୁଏ ଏହି କାରଣରୁ କେହି ଫାଜିଲ୍ ଟୋକା ତା ସାଇନ୍ ବୋର୍ଡ଼ ତଳେ ଦେଶଭକ୍ତ ବୋଲି ଲେଖି ଦେଇଥିଲା।ହେଲେ ସେ କେବେ ତାକୁ ଲିଭେଇବାର ଆବଶ୍ୟକତା ଦେଖି ନ ଥିଲା। ଟିମା ଚା ଦୋକାନୀ।
ସାଧାରଣ ସ୍ବାସ୍ଥ୍ୟ।ଚା ଦୋକାନୀ ପରି ଦେହ,ମୁହଁ।ବୟସ ପ୍ରାୟ ପଚାଶ।କିନ୍ତୁ ବେଶ୍ ସ୍ଫୂର୍ତ୍ତିଶୀଳ । ସାଧାସିଧା,ସରଳ ଚେହେରା। ତାର ଗରାଖ ସେବା ତ ଚାଲିଥାଏ । ତା ସାଙ୍ଗେ ତାର ଗପସପ ବି।ସବୁ ସମୟରେ ଖୁବ୍ ଦାୟିତ୍ୱ ସଚେତନ ଥାଏ ସେ। ହୀରା ବୋଲି ଝିଅଟିଏ ସବୁଦିନେ ତା ଦୋକାନରେ ଦୁଧ ଦିଏ।
- ଦେଶ ସିନା ସ୍ବାଧୀନ ହେଲା, ହେଲେ ତୁମମାନଙ୍କୁ ଏଯାଏ ସ୍ବାଧୀନତା ମିଳିଲା ନାହିଁ । କେତେ ଘର କେତେ ଦୋକାନ ବୁଲୁଛୁ । ଟିକେ ଦେଖିଚାହିଁ ଚଳୁଥିବୁ ଝିଅ । ଦୁଧ ଦେଇ ସେ ଫେରି ଯାଉ ଯାଉ ତାକୁ ଲକ୍ଷ୍ୟ କରି ଟିମା କହେ । ଶୁଣି ହସିଦେଇ ଚାଲିଯାଏ ସେ ।
- ମୋ ଦେହରୁ ପରା ଗଉଡୁଣୀ ଗନ୍ଧ ବାହାରୁଛି । ମତେ କିଏ ଛୁଇଁବ ? କେବେକେବେ ଏତିକି କହିଦିଏ ।
ଟିମା ହସି ପକାଏ ତା ମୁହଁରୁ ଏକଥା ଶୁଣି । ଦିନେ ହଠାତ୍ ସେ ଫେରି ଆସି ଟିମାକୁ କହିଲା - ଆସ ତ ଦେଖିବ,କେମିତି ସେ ଟୋକା ମତେ ଟଣାଟଣି କରୁଛି।
- କିଏ ସେ ?
- ଏଇ ପାଖ ଘରବାଲାର ପୁଅ ।
- ଚାଲ୍ ତ ସେ ଛତରା,ଲଫଙ୍ଗାକୁ ମୁଁ ଦେଖେ । ଝିଅପିଲାର ଇଜ୍ଜତ ଉପରେ ହାତ ପକେଇବାକୁ ସେ କିଏ ? ଏମିତି କହିକହି ହୀରା ପଛେ ପଛେ ଆସିଲା ସେ । ହୀରା ପଛରେ ଥାଏ । ଟୋକା ସହିତ ସାମ୍ନାସାମ୍ନି ହୋଇଗଲା ସେ ।
- କିରେ ? ଝିଅଙ୍କ ପ୍ରତି କାହିଁକି ତୋର ଏତେ ଖରାପ ନଜର ?
- ଏ ଟୋକିଗୁଡାଙ୍କୁ ବି କିଛି କମ୍ ଭାବନି ତୁମେ । ଏମାନେ ଦୁଧ ବିକିବା ପାଇଁ ସହରକୁ କାହିଁକି ଆସୁଛନ୍ତି ? ଟୋକା ମୁହଁ ଭଡକ ଦେଖାଇଲା ।
ଟିମା କହିଲା - ଘରେ କେହି ରୋଜଗାରିଆ ନାହାନ୍ତି।ଦୁଧ ବେପାରରୁ ତାର ଘର ଚଳେ।ସେତିକି ପାଇଁ ତାର କଣ ଏ ଦେଶରେ ସ୍ବାଧୀନତା ନାହିଁ ? ତା ପରି ଝିଅମାନଙ୍କୁ ଅସୁବିଧାରେ ଦେଖି ଟଣାଟଣି କରିବା କଣ ଭଦ୍ରଲୋକ ପୁଅର ସ୍ବାଧୀନତା ? ଟିକେ ତ ସେମାନଙ୍କୁ ଭଉଣୀ ବୋଲି ଭାବ। ଟିକେ ବି ଦେଶର ସ୍ବାଧୀନତାକୁ ସମ୍ମାନ ଦେଇ ଶିଖ। ଏତିକିରେ ଟୋକାର ମୁଣ୍ଡ ଲଜ୍ଜାରେ ତଳକୁ ନଇଁଗଲା। ଟିମା ଯେମିତି ଯାଇଥିଲା ସେମିତି ଫେରିଆସିଲା।
କେଉଁଦିନ ଏ ଦେଶର ଲୋକେ ସ୍ବାଧୀନତାର ଅର୍ଥ ବୁଝିବେ ? କେଉଁଦିନ ଏ ଦେଶରେ ମା,ଭଉଣୀଙ୍କ ଇଜ୍ଜତ ସୁରକ୍ଷିତ ରହିବ ? ବାଟ ସାରା ସେ ତା ନିଜକୁ ଏହି ପ୍ରଶ୍ନ ହିଁ ପଚାରୁଥିଲା ।
ପରଦିନ ତା ସାଇନ୍ ବୋର୍ଡରୁ ଦେଶଭକ୍ତ ଶଦ୍ଦଟି କୁଆଡେ ଉଭାନ ହୋଇଯାଇଥିବା ଦେଖିବାକୁ ମିଳିଥିଲା।