STORYMIRROR

T.Durga Prasad Rao

Tragedy

3  

T.Durga Prasad Rao

Tragedy

ଟିକି କମଳ

ଟିକି କମଳ

1 min
313


ଚାଲିବା ବାଟରେ ସ୍ମିତା ଘୁରି ଘୁରି ଦେଖୁଥିଲା ସରୋବରରେ ଫୁଟିଥିବା ଏକମାତ୍ର ଆକର୍ଷଣୀୟ ଟିକି କମଳ ଆଡ଼େ।

- କଣ ଏତେ ଦେଖୁଛ ମିତା? ଦଳ ଆଉ ପଙ୍କ ଛଡ଼ା ସେ ସରୋବରରେ କଣ ଅଛି ଯେ ଏତେ ଦେଖୁଛ?

ସ୍ମିତା ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ତାର ଆଙ୍ଗୁଳି ଦେଖାଇ କହିଲା, ଦେଖୁନ ଏତେ ଦିନ ଧରି ଯେଉଁ ସରୋବରକୁ ଆଡ଼ ଆଖିରେ ମଧ୍ୟ ଦେଖିବାକୁ ଇଚ୍ଛା ହେଉନଥିଲା, ସେ ଆଜି କେମିତି ଟିକି କମଳଟିଏ ନିଜ ବକ୍ଷରେ ଧାରଣ କରି ମନଲୋଭା ଦିଶୁଛି। ବାରମ୍ବାର ଆଖି ଦୁଇଟି ସେଇ ଆଡ଼କୁ ସ୍ୱତସ୍ଫୁର୍ତ୍ତ ଘୁରି ଯାଉଛି। ସ୍ମିତା ଆଖି କୋଣରେ ଲୁହ ଜକେଇ ଆସିଥିଲା।

ମୁଁ ବୁଝି ପାରୁଥିଲି ସ୍ମିତା ମନର ଅଭିବ୍ୟକ୍ତି। ବିବାହର ଦୀର୍ଘ ପନ୍ଦର ବର୍ଷ ପରେ ମଧ୍ୟ ଆମ ଦୁହିଁଙ୍କ କୋଳ ଶୂନ୍ୟ ଥିଲା। ଆଉ ସ୍ମିତା ଏଇ ସରୋବର ପରି ପରିବାରର ସଭିଙ୍କ ପାଇଁ ଯେମିତି ଧୀରେ ଧୀରେ ନିଜକୁ ଅଲୋଡ଼ା ଅନାବଶ୍ୟକ ମନେ କରୁଥିଲା। ତେବେ ଏତେ ଦିନ ପରେ ଈଶ୍ୱର ଶୁଣିଛନ୍ତି ଆମର ଡାକ। ସ୍ମିତା ଗର୍ଭବତୀ। ଭାବିଲି, ହସପିଟାଲରୁ ଚେକ୍ ଅପ୍ ପରେ ଫେରିବା ବାଟରେ ସରୋବରର ଗୋଳିଆ ଆଉ ପଙ୍କିଳ ପାଣିରେ ଆଜି ଓଦା ହେବି ପଛେ ସେଇ ଟିକି କମଳକୁ ସ୍ମିତାକୁ ଉପହାର ରୂପେ ଭେଟି ଦେବି।

- ମ୍ୟାଡାମ୍ ସବୁ ଠିକ୍ ତ? ଡାକ୍ତର ମ୍ୟାଡାମ୍.ଙ୍କ ଉଦ୍.ବିଗ୍ନ ଚେହେରା ଦେଖି ମୁଁ ଟିକେ ଶଙ୍କାରେ ପଡ଼ିଗଲି। ମ୍ୟାଡାମ୍ ମୋତେ ବାହାରକୁ ଡାକି ନେଇ କହିଲେ, ଏଇଟା ଗର୍ଭଧାରଣର ଲକ୍ଷଣ ନୁହେଁ। ତୁମ ସ୍ତ୍ରୀଙ୍କ ପେଟରେ ଟ୍ୟୁମରଟିଏ ବଢ଼ୁଛି। ଯେତେ ଶୀଘ୍ର ସମ୍ଭବ ସହରକୁ ନେଇଯାଅ, ଅସ୍ତ୍ରୋପଚାର ଆବଶ୍ୟକ। ମୁଣ୍ଡ ମୋର ଚକ୍କର କାଟିଦେଲା। ଏକଥା ସ୍ତ୍ରୀଙ୍କୁ କେମିତି କହିବି କିଛି ବୁଦ୍ଧିବାଟ ଦିଶୁନଥିଲା।

ଫେରିବା ବାଟରେ ଲକ୍ଷ୍ୟ କଲି କମଳଟି ମଉଳି ନଇଁ ପଡ଼ିଛି ସରୋବର ପାଣିରେ। ମୁଁ ମୋ ଆଖିର ଲୁହ ଲୁଚାଇବାକୁ ସ୍ମିତାଙ୍କ ଆଗରେ ଆଗରେ ଚାଲୁଥିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy