ଠିକଣା
ଠିକଣା
ବ୍ଲକ ଅଫିସରେ ତାକୁ ଦେଖି ସମସ୍ତେ ଟୁପ୍ ଟାପ୍ ହୁଅନ୍ତି।କେହି କେହି ଦେଖେଇ ଶିଖେଇ କୁହନ୍ତି।।ଆଉ କେହି କୁହନ୍ତି ରିମାକୁ ପାକଳ ଜିନିଷ ଭଲ ଲାଗେ।ସେ ହେଉ ଫଳ ଅବା ମଣିଷ।ଏମିତି ଟୀକା ଟିପ୍ପଣୀ ଶୁଣି ନ ଶୁଣିଲା ପରି ହୁଏ ରିମା।ତାର କାହା କଥାକୁ କି କାହା ବାହାବାକୁ ମୋଟେ ଅପେକ୍ଷା ନଥାଏ।
ଟାଇମରେ ଆସେ, କାମ କରେ ଓ ଟାଇମ ଯାଏ।ଘଣ୍ଟା କଣ୍ଟା ଦେଖି ଯିବା ଆସିବା ଓ କାମ।ଯେତେ ଯିଏ କହିଲେ ବି ଆଉ ଟିକେ ରହିଯାଆ କାମଟି ସରିଯିବ ଓ ଯିବା ହେବନାହିଁ।ସକାଳ ଆଠରେ ପହଞ୍ଚିବ,ଗୋଟାଏ ତିରିଶି ରେ କ୍ୟାଟିନ ଯିବ ଲଞ୍ଚ୍ ପାଇଁ,ତିନିଟାରେ କଫି ମଗେଇ ପିଇବ ଓ ଠିକ୍ ପାଞ୍ଚରେ ଅଫିସ୍ ଛାଡିବ।ମାସେ ହେବ ଜଏନ୍ କରିଛି ଝିଅଟି ଏ ବି ଡି ଓ ଭାବେ।କାମ ପୁରା ନିଟ୍।ମୁହେଁ ମୁହେଁ ଜବାବ।ଅନ୍ୟାୟ ଯାଏନି ଆଖିରେ।
ବି ଡ଼ି ଓ ବି ବେଳେ ବେଳେ ଅପଦସ୍ଥ ହୁଅନ୍ତି ତା କାମ ଆଗେ।ସେଥି ପାଇଁ ବ୍ଲକ ଅଫିସ୍ ରେ ସେ ଝିଅଟିକୁ ପ୍ରାୟ ସମସ୍ତେ ମନ ଭିତରେ ଡରନ୍ତି । ଅଙ୍ଗନବାଡି ସୁପର୍ ଭାଇଜର୍ ବେଶୀ ଡରନ୍ତି ସେ ଝିଅଟିକୁ।ଝଡି କି ବଢି ହେଉ ସମୟଜ୍ଞାନ ଓ କାମ କରିବା ତରିକା ସଭିଏଁ ସେ ଝିଅଟିଠାରୁ ଶିଖିବା ଉଚିତ ବୋଲି ମୋର ମନେ ହୁଏ। ମୁଁ ସେଇ ଅଫିସ୍ ର ଜିପିଓ।ଜୀବନରେ ପ୍ରଥମ ଥର ଜଣେ କାମିକା କର୍ମଚାରୀ ଦେଖିବାକୁ ମିଳିଲା।ମେଳାପୀ କିନ୍ତୁ ଗପିବାକୁ ପସନ୍ଦ କରେନା।ଏଇ ଜଷ୍ଟ୍ ମର୍ନିଂ, ଗୁଡ୍ ଡେ, ହାଇ, ବାଏ ଇତ୍ୟାଦି କେତୋଟି ଶବ୍ଦ ବ୍ୟବହାର କରେ ଯାହା।
ରିମା ମୋଠାରୁ ବହୁତ ଜୁନିଅର।ମୁଁ ତାଠାରୁ ଢେର ବଡ଼ ହେବି। ଅର୍ଥାତ ମୋ ଦେହକୁ ଚାଳିଶି ଛୁଇଁବ ବୋଲି ବାତିନି ଆସିଗଲାଣି।ତାକୁ ଜମା ଚବିଶି ବର୍ଷ।ଛୁଆ ଟା।ହେଲେ କଥା ବାର୍ତ୍ତା ପୁରା ମେଚର୍ ଙ୍କ ପରି। କମ୍ କୁହେ ଚାକିରୀ ପ୍ରଥମ ଦିନ ଅଫିସ୍ ରେ କେହି ନଥିଲେ।ଫନି ପାଇଁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ।ମୁଁ ହିଁ ତାର ଜ ଏ ନିଂ ଲେଟର ରଖିଥିଲି ଓ କଣ କେମିତି କାମ କରିବାକୁ ପଡିବ କହିଥିଲି।ବୋଧହୁଏ ସେଥିପାଇଁ ଅପେକ୍ଷା କୃତ ଅନ୍ୟମାନଙ୍କ ଠାରୁ ଟିକେ ଅଧିକ କଥା ହୁଏ,ଭଲ ମନ୍ଦ ପଚାରେ ମୋତେ।ସ୍ମାଇଲ ଦିଏ ନି ତ ଫିଙ୍ଗେ।ଦିନେ ଦିନେ ମୋ ପାଇଁ ବି କପି ଅର୍ଡର କରି ଆଣେ ଓ ମୋ ଟେବୁଲ ପାଖେ ଆସି ପିଏ। ଅଳ୍ପ ଆଳାପ ବି କରେ।ଏଇ ଯେମିତି ଭାଉଜ କଣ କରନ୍ତି। ପୁଅ ଓ ଝିଅ କେଉଁ କ୍ଲାସ, କେମିତି ପଢ଼ନ୍ତି। ବାପା ବୋଉ ପାଖରେ ନା ଗାଁ ରେ,ଇତ୍ୟାଦି।
ମୋତେ ବି ଖୁସି ଲାଗେ।
ଏପରି ଗୋଟିଏ ଅଦ୍ଭୁତ ବନ୍ଧନରେ ବାନ୍ଧି ହୋଇଗଲି ମୁଁ।ରିମା କୌଣସି କାରଣରୁ ଦେହ ବା ଗାଡି ଖରାପ କି ଘର ଅସୁବିଧା ନେଇ ଅଫିସ୍ ନ ଆସି ଛୁଟିରେ ରହିଲେ ମୋତେ ଭଲ ଲାଗେନି।ତାର ଅନୁପସ୍ଥିତି ମୋତେ ଖାଁ ଖାଁ ଭାବ ଆଣି ଦିଏ।କାମରେ କି ଆଉ କେଉଁଥିରେ ମନ ଲଗାଇ ହୁଏନି।କି ଗୋଟେ ଆକର୍ଷଣ, ଆସକ୍ତି ମୋତେ ଜାବୁଡି ଧରେ।ଛାଟିପିଟି ପଳାଏ ଅଫିସ୍ ଛାଡି।କେବେ କେବେ ମୋ ମିସେସ୍ କୁ କହି ତା ପାଇଁ ଭଲ ମନ୍ଦ ଟିଫିନ୍ ବି ଆଣେ।ବେଳେବେଳେ ସାଙ୍ଗ ହୋଇ ଅଫିସ୍ ଛାଡୁ।ସେ ମୋତେ କଫି ପାଇଁ ଡାକି ନିଏ।ଘଣ୍ଟା ଘଣ୍ଟା ଗପେ ଏଣୁ ତେଣୁ ମୋ ସହ।
ମୁଁ କାବା ହୁଏ।ଅଫିସ୍ ରେ ତ ଲାଗେନି ଏ ଝିଅଟି ଏତେ ଗପୁଡି!!ଭାରି ରିଜର୍ଭ ଅଫିସ୍ ରେ।କିନ୍ତୁ ବାହାରେ ଓଃ ନନ୍ ଷ୍ଟପ୍ ବ୍ରେକ୍ ଲେସ୍ ଗାଡି।ଦିନେ କଫି ହାଉସ୍ ରେ କହିଲା "ଜାଣନ୍ତି ସାର୍ ମୋର ଗୁଡାଏ ବଏ ଫ୍ରେଣ୍ଡ୍ ଅଛନ୍ତି। କେହି ମାସେ କି ଦି ମାସରୁ ଅଧିକ ସ୍ଥାୟୀ ହୋଇ ରହି ପାରୁ ନାହାନ୍ତି। ସେମାନେ ନୁହନ୍ତି ମୋର ମାସେ ଦୁଇ ମାସରେ ସେମାନଙ୍କ ସଂଗେ ଗପିବାକୁ କି ଡେଟ୍ ରେ ଯିବାକୁ ଇଚ୍ଛା ହୁଏନି। ସବୁବେଳେ ନୂଆ ନୂଆ ବନ୍ଧୁ ମୋର ଆବଶ୍ୟକ। ସେଥିପାଇଁ ଆଜିଯାଏ ଗୋଟେ ସ୍ଥାୟୀ ବନ୍ଧୁ କରି ପାରିନି। ଆହୁରି ମଜା କଥା କଣ ଜାଣନ୍ତି ମୋତେ ମ୍ୟାରେଜ୍ କରି ଖୁଣ୍ଟରେ ବନ୍ଧା ପଡ଼ିବାକୁ ପସନ୍ଦ ନୁହେଁ। ମୁଁ ମୁକ୍ତ ଆକାଶରେ ଉଡିବାକୁ ଚାହେଁ।ପଞ୍ଜୁରୀ,ବେଢ଼ିକୁ ଘୃଣା କରେ।ଭାବିଛି ଜୀବନରେ ସିଙ୍ଗିଲ ରହିଯିବି।କଫି ହାଉସ୍ ରେ ବି କେଉଁ ବଏ ଫ୍ରେଣ୍ଡ୍ ଦେଖିଲେ ଉଠି ଯାଇ ହଗ୍ କରେ ମୋ ଆଗରେ।
ସେ କାହାକୁ ହଗ୍ କଲେ କି କାହାର ପ୍ରଶଂସା କଲେ ମୋ ହୃଦୟ ହଲଚଲ ହୁଏ।ସହି ପାରେନି।ମନ କୁହେ ମୋତେ ଏମିତି ହଗ୍ ଟିଏ କରନ୍ତା ନାହିଁ!!!ସେ ମୋ ଭିତରେ କିଛି ସ୍ଥାନ ମାଡି ବସୁଥିଲା।ଅଧିକରୁ ଅଧିକ ତା ସହ
ସମୟ ବିତେଇବାକୁ ମନ ଚାହୁଁଥିଲା।ଦିନେ ଦିନେ ଜାଣି ଜାଣି ଗାଡି ଚକା ଲିକ୍ କରି ତା ଆକ୍ଟିଭା ପଛେ ବସି ଆସିବାକୁ ପାଗଳ ହୋଇ ଯାଉଥିଲି। ତା ଗାଡି ପଛେ ବସି କେତେ କଣ ରୋମାଂଚିତ ହଉଥିଲା ହୃଦ।
କଣ ହେଉଛି ମୋ ସହ!!!ମୁଁ ବିବାହିତ,ପୁଣି ଯଥେଷ୍ଟ ବଡ଼।ଅଥଚ ରିମାକୁ ଦେଖିଲେ ଭଲ ପାଇବାକୁ ଇଚ୍ଛା ହେଉଛି କାହିଁକି? ଉପରେ କିନ୍ତୁ ମୁଁ ଦେଖାଇ ହୁଏ ମୋର ତା ସହ ମିଶିଲେ କି କଫି ପିଇଲେ କିଛି ପ୍ରତିକ୍ରିୟା ହେଉନି। ତାକୁ କଳ୍ପନାରେ ନେଇ କାହିଁ କୁଆଡେ ବୁଲି ଯାଏ କ୍ଷଣକରେ। ତାକୁ ଭାବିବାକୁ,ଦେଖିବାକୁ,ତା କଥା ଶୁଣିବାକୁ,ନ ଜାଣିଲା ପରି ତା ଦେହକୁ ସ୍ପର୍ଶ କରିବାକୁ ଅହେତୁକ ଆଗ୍ରହ ଜନ୍ମେ।ଠିକ୍ ଗୋଟେ ନୂଆ ନୁଆ ପ୍ରେମ କରୁଥିବା ପ୍ରେମିକ ପରି ମୋ ଭିତରେ କିଛି ହୁଏ।କିନ୍ତୁ କିଛି କହି ପାରେନି; ଖୁବ ସଂଯତ ରୁହେ।ଯେହେତୁ ମୋତେ ସେ ସମ୍ମାନ ଦିଏ, ସାର୍ ସାର୍ କୁହେ।
ଛିଃ ନିଜକୁ ଧିକ୍କାର କରେ।ଘର ସଂସାର୍,ପତ୍ନୀ ପିଲା ଛୁଆ ଥାଉ ଥାଉ ମୋ ଭିତରକୁ ଏ ବାଜେ ଚିନ୍ତା ଆସୁଛି କାହିଁକି?ମନକୁ ଶାସନ କରେ।ମୋ ପତ୍ନୀ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ତାକୁ ଅନୁଭବ କରି ଅଧିକ ରୋମାଂଚିତ ହୋଇଯାଏ।ପର ମୁହୂର୍ତ୍ତରେ ମୋ ପତ୍ନୀ ସହ ବିଶ୍ୱାସଘାତକତା କରୁଛି ବୋଲି ଲାଗେ।ହେ ପ୍ରଭୁ କାହିଁକି ପୁରୁଷ ମନ ଏମିତି କରିଛ!!କେହି ନ ଜାଣିଲେ ବି ମୁଁ ଜାଣୁଛି ଯେଉଁ ଚିନ୍ତା ରିମାକୁ ନେଇ ମୋ ଭିତର ଅଳିଆ ହେଉଛି ତାକୁ ସଫା କରିବାକୁ ପଡିବ।
କିନ୍ତୁ ହଠାତ୍ ଦିନେ ରିମା ମେଞ୍ଚାଏ ଗୋଲାପ ଫୁଲ ଆଣି ସମସ୍ତଙ୍କୁ ହାପି ଭାଲେଣ୍ଟାଇନ ଡେ ୱଇସି କଲା ଓ ଶେଷରେ ମୋତେ ବି ଫୁଲ ଟିଏ ଦେଇ କେବଳ ୱଇସି କଲାନି ହଗ୍ ଟିଏ ବି କଲା।ଓଃ କିଛି କ୍ଷଣ ମୋ ଭିତର ଝଣ୍ ଝଣ୍ ହୋଇଗଲା।ତାକୁ ପେଲି ଦେଇ କହିଲି ଏ କି ପିଲାଳିଆମୀ ! ଦୂର ହୁଅ।ସବୁ କଥାରେ ସୀମା ଥାଏ। ମୋତେ ହଗ୍ କରିବାକୁ କେମିତି ସାହସ ହେଲା।
ସେ ଗମ୍ଭୀର ହୋଇ ଗଲା କିନ୍ତୁ ଅନିଚ୍ଛା କୃତ ହସି କହିଲା ୟୁ ଆର ସୋ ଟିପିକାଲ ସାର୍।ମୁଁ ପ୍ରକୃତିସ୍ଥ ହେଲି।ସାରା ଅଫିସ୍ ସ୍ତବ୍ଧ ମୋର ଏପରିର ବ୍ୟବହାରରେ ଭାଲେଣ୍ଟାଇନ ଡେ ମୋ ଜୀବନରେ ଏମିତି କେହି ଜଣାଇଁ ନଥିଲେ।ମୁଁ ବି ଟିକେ ଅଧିକ ରିଆକ୍ଟ କଲି ବୋଲି ଅନୁଭବ କଲି। ରିମା ପାଖକୁ ଯାଇ ସରି କହିଲି ଏବଂ ମୋ ତରଫରୁ କଫି ଅର୍ଡର କରି ତା ସହ ବସି ପିଇଲି।
ସେବେଠାରୁ ରିମା ମୋତେ ଆହୁରି ଭଲ ଲାଗିଲା।ମାତ୍ର ପାଞ୍ଚ ମାସ ପୁରିଛି କି ନାହିଁ ସେ ଓ ଏ ଏସ୍ ପାଇ ସେକ୍ରେଟେରିଏଟ୍ ରେ ସର୍ଭିସ ପାଇଗଲା। ଯେଉଁଦିନ ସେ ଆମ ଅଫିସ୍ ଛାଡିଲା ବହୁତ କଷ୍ଟ ଲାଗିଲା ଯେ ଆଉ ଆଖି ସାମନାରେ ରିମାକୁ ଦେଖି ପାରିବି ନାହିଁ କି ସମୟ ବିତେଇ ପାରିବି ନାହିଁ।
ଶେଷ ଥର ତା ସହ କଫି ହାଉସ୍ ଗଲି।କଫି ପିଇ ସାରି ଆମେ ନିକଟସ୍ଥ ପାର୍କକୁ ଗଲୁ।ପାର୍କର ବଉଳ ଗଛ ତଳେ ବସି ସେ ଅନେକ ରହସ୍ୟ ମୟ କଥା ତା ଜୀବନର ମୋତେ କହିଲା।ଅନାଥ ଆଶ୍ରମ ତା ଘର। ତାକୁ ଗୋଟେ ଡ୍ରେନ୍ କଡରୁ ଉଦ୍ଧାର କରା ଯାଇଥିଲା। ଶେଷରେ କହିଲା ସାର୍ ମୋତେ ଥରେ ହଗ୍ କରିବେ କି,ଖୁବ ନିଜର ଭାବି ପ୍ରଥମ ଆଉ ଶେଷ ଥର ମୋର କେହି ଆତ୍ମୀୟ ପରି। ବାବା,ଭାଇ,ବଏ ଫ୍ରେଣ୍ଡ ,ମା ଭଉଣୀ ଯେଉଁ ସମ୍ପର୍କ ହେଉ ନା କାହିଁକି ନିହାତି ନିଜର ପରି ହଗ୍ ଟିଏ କରିବେ ସାର୍।
ମୁଁ ଜଡ ହୋଇ ଯାଉଥିଲି।କେତେ ସ୍ନେହ କାଙ୍ଗାଳ ଏଇ ରିମା!!ମୁଁ ତାକୁ କୋଳେଇ ନେଲି।ମୋ ଭିତରେ କିଛି ବି ଅସନା ନଥିଲା।ନିର୍ମଳ ସଫା ଆକାଶ ହୋଇଯାଉଥିଲେ ମୋ ମନ।କୁତ୍ସିତ ବାସନା କି କାମନା ମୋ ଭିତରେ ଆଦୌ ନଥିଲା । ତା ମୁଣ୍ଡ ସାଉଁଳେଇଲା ବେଳେ ମୋତେ ଲାଗୁଥିଲା ମୋ ସାନ ଭଉଣୀ 'ପିହୁ'କୁ କୋଳେଇଛି ଅବା।ମୋ ଭିତରେ ଗୋଟେ ସୁଖଦ ଅନୁଭୂତି ଗଜୁରୁଥିଲା।ମୁଁ ପୁରୁଷରୁ ହୋଇ ଯାଉଥିଲି ସ୍ନେହ ପ୍ରଗଳ୍ଭ ଗୋଟିଏ ଭାଇ।
ସେବେଠୁ ପ୍ରତି ରାକ୍ଷୀ ପୂର୍ଣ୍ଣିମାରେ ରିମା ଆମ ଘରକୁ ଆସିବା ଥୟ। ମୋ ବାପା ବୋଉ ତାକୁ ଝିଅ କରିଛନ୍ତି। ଆମ ଘର ତାର ନିଜ ଘର 'ଠିକଣା' ହୋଇଯାଇଛି। ଘର ନଥିବା କି ମା ବାବା ନଥିବା ଅନାଥର ଦୁଃଖ ସେ କେବେ ଅନୁଭବ ନକରୁ ଏ ଚେଷ୍ଟାରେ ଆମେ ସମସ୍ତେ ଲାଗି ପଡ଼ିଲୁ।