ଟେଡି
ଟେଡି
ଆଜି ବି ସୁବୁ ଟେଡି ମୋ କାଚ ଆଲମୀରାରେ ସଯତ୍ନେ ସାଇତି ରଖିଛି।ଟେଡି ପଛର କାହାଣୀ କିନ୍ତୁ ଛାତି ଥରେଇ ଦେଲା ପରି ।
ସେତେବେଳେ ଭାରି ଆକୁଳ ହେଉଥିଲି ଗୋଟେ ଟେଡି ଓ ଚାକିରି ପାଇଁ। ନିହାତି ଏ ଦୁଇଟି ମୋର ଦରକାର ଥିଲା ।
ରଜ ସଂକ୍ରାନ୍ତି ଦିନ।
ଚିଠିଟିଏ ଡାକରେ ଆସିଥିଲା ମୋ ନାଁ ରେ।
ଚିଠିଟି ଖୋଲି ମୁଁ କିଛି କ୍ଷଣ ବାକ୍ ଶୁନ୍ୟ ହୋଇଗଲି।
ଓଃ... ସେ ଚିଠିରେ ମୋ ଜୀବନର୍ ଖୁସି ଯେ ମୁଦା ହୋଇଥିଲା ମୁଁ କଣ ଜାଣିଥିଲି !
ଖୁସିରେ ଆତ୍ମହରା ହୋଇ ଚିଠିଟି ହାତରେ ଧରି ଡାକ ଛାଡ଼ିଲି ମା ,ଭାଇ , ଭାଉଜ ,ସୁବୁ ଆରେ ଶୁଣ ।ଦେଖ ମୋ ହାତରେ ଖୁସିର ଚାବି।
କଣ ପାଗେଳି ପରି ହେଉଛ ଲକ୍ଷ୍ମୀ?
ହଁ ଭାଉଜ ପାଗେଳି ହେବା କଥା ତ।ଗେସ୍ କର କଣଥିବ ଏ ଲଫାପା ଭିତରେ? ହୁଁ କୁହ କୁହ ଭାଉଜ?
କଣ ଏତେ ସସପେନ୍ସ ରଖୁଛ କୁହ ମ୍ କଣ ଅଛି?
ହା.. ହା.. ଏ.ହେ.. ହେ.. ମୋର ଚାକିରୀ ହୋଇ ଯାଇଛି ହାଇସ୍କୁଲରେ । ସାତ ଦିନ ଭିତରେ ଜଏନ୍ କରିବି।ଓହୋ ସୁବୁ ମୋ ସୁନା ତୋ ଚିଜଟି ଏଥରକ ତୁ ପାଇଯିବୁ।ଏତେ ଖୁସି !ଏପରି ଅନୁଭବ ପ୍ରକାଶ କରିବାକୁ ସତରେ ମୁଁ ଅସମର୍ଥ ଥିଲି ସେଦିନ।
ଅଭାବୀ ଘରର ଝିଅ ସରକାରୀ ଚାକିରିଟିଏ ଯୋଗ୍ୟତା ଭିତ୍ତିରେ ପାଇଲେ କେମିତି ଲାଗେ!!ଏ ଅନୁଭବ କେବଳ ନିହାତି ଚାକିରୀଟିଏ ଖୋଜୁଥିବା ମଣିଷ ହିଁ ବୁଝି ପାରିବ।କି ଅପ୍ରକାଶ୍ୟ ଆନନ୍ଦ ଚୁମେ ମନ ହୃଦୟ ନିଯୁକ୍ତି ପତ୍ର ହାତରେ ପଡିଲେ ! ଲାଗେ ସତେ କି ଦୁନିଆଁ ର ସବୁ ଖୁସି ନିଯୁକ୍ତି ପତ୍ରର କେଇ ଧାଡି ଅକ୍ଷର ଭିତରେ ଅଜାଡି ହୋଇ ପଡିଛି।
ଖୁସିରେ ସୁବୁକୁ ଧରି ଘେରାଏ ବୁଲି ଗଲି।ଚାକିରି ପାଇଛି ଯେତିକି ଖୁସି ନ ଥିଲି ତାଠାରୁ ବେଶୀ ଖୁସି ଥିଲି ସୁବୁ ଚାହୁଁଥିବା ଚିଜ ଟି ମୁଁ କିଣି ବାକୁ ସକ୍ଷମ ହେବି।କାରଣ ପାଞ୍ଚ ହଜାର ଟଙ୍କା ସେ ଚାହୁଁଥିବା ଚିଜଟିର ଦାମ୍।
ସୁବୁ ବି ବହୁତି ଖୁସି। ଖୁସିରେ ଚିଲେଇ କହିଲା" ଏହେ ମୋ ଦି ର ଚାକିରି ହୋଇଗଲା।ମୋତେ ଟେଡି ଆଣି ଦେବ।" ମୋ ଗାଲରେ ଗୋଟେ ଚୁମା ଦେଇ ସେ କହିଲା," ଟେଡି ଟା ଆଣିବ ନା ଦି। ବେଡ୍ ରେ ଏକା ଏକା ପଡ଼ି ଭଲ ଲାଗୁ ନାହିଁ ସମସ୍ତେ ଘରେ କାମରେ ବ୍ୟସ୍ତ।ମୋ ସଂଗେ କଥା ହେବାକୁ କାହା ପାଖେ ସମୟ ନାହିଁ। ମୁଁ ତା ସହ ଖେଳିବି,କଥା ହେବି। ସିଏ ମୋ ସାଙ୍ଗ ହେବ।"
ହଁ ଲୋ ପରୀ ରାଣୀ। ତୋ ପାଇଁ ନିଶ୍ଚେ ଆଣିଦେବି।
ସୁବୁ ବ୍ଲଡ଼ ଆବସିସା ରୋଗର ଶିକାର।ସବୁବେଳେ ବେଡ୍ ଶୋଇଥାଏ।ଭୁଲ୍ କହିଲି ବୋଧେ ମତ୍ୟୁ ଅପେକ୍ଷା ରେ ଥାଏ।ପିଲା ଲୋକ ବୁଝି ପାରେନି ଏ ଦୁରା ରୋଗ କଥା।ଭାବେ ଦେହ ଖରାପ, ଭଲ ହୋଇ ଯିବନି ବଳେ।ଶିଶୁ ଭବନରୁ ଡାକ୍ତର ଡିସଚାର୍ଯ୍ୟ କରି ଦେଇଥାନ୍ତି ଘରକୁ। କାହାକୁ ଆମକୁ ସତରେ ଜଣା ନଥାଏ ଆମ ସୁବୁ ର ଭବିଷ୍ୟତ।ଦିନକୁ ଦିନ କଙ୍କାଳ ହୋଇ ଯାଉଥାଏ ସେ।
ବାଛି ବାଛି ନାଁ ତାର ଦେଇଥିଲି ଶତାବ୍ଦୀ। ମା ପାଟିରେ ଶତାବ୍ଦୀ ପଶିଲାନି।ସେ ସୁବୁ ଡାକୁ ଡାକୁ ସମସ୍ତଙ୍କର ଶତାବ୍ଦୀ ସୁବୁ ହୋଇଗଲା।ତୃତୀୟ ଶ୍ରେଣୀ ରେ ପଢୁଥିଲା ବେଳେ ସେ ରୋଗାଗ୍ରସ୍ତ ହୋଇଥିଲା।
ଶିଶୁ ଭବନରୁ ଡିସ୍ ଚାର୍ଯ୍ୟ ହୋଇ ଆସିଲା ବେଳେ ଶୋ ରୁମ୍ ରେ ଏକ କଥା କୁହା ଟେଡି ମୋତେ କିଣି ଦେବାକୁ କହିଥିଲା। ଯାହାର ଦାମ୍ ଥିଲା ପାଞ୍ଚ ହଜାର।ଦେଇ ପାରି ନଥିଲି ତା ପସନ୍ଦିଆ ଟେଡି ଅର୍ଥ ଅଭାବରୁ।
ଚାକିରି ମାସେ ପୁରିଲା। ଗୁରୁବାର ଦିନ ମୋତେ ଗୋଟେ ମାସର ଦରମା ମିଳିଲା। ପ୍ରଥମେ ଦରମା ପଇସାରେ ମୁଁ ଆଗ ସୁବୁ ମନ ପସନ୍ଦର ଟେଡି ଟି କିଣିଲି।ଘରଠାରୁ ମୋ ଚାକିରୀ ସ୍ଥାନ ଦୂର ଥୁବାରୁ ଭଡାରେ ଘରଟିଏ ନେଇ ରହୁଥିଲି।ଦୁଇ ଦିନ ପରେ ରବିବାର ପଡିବ।ଆଗ ଟେଡି ଟା ନେଇ ସୁବୁକୁ ଦେବି ଓ ତା ମୁହଁର ଖୁସିକୁ କେମିତି ଦେଖିବି ସେଇ ଚିନ୍ତାରେ ମୋତେ ଆଉ ନିଦ ହେଉ ନଥିଲା।ଗୋଟେ ଅଜବ ଖୁସି ମୋତେ ଗ୍ରାସି ଗଲା ଯେପରି ।ମୋତେ ଲାଗୁଥିଲା ଟେଡି ନୁହେଁ ଦୁନିଆଁର ସବୁ ଖୁସି ଯେମିତି ସୁବୁ ପାଇଁ କିଣି ଦେଇଛି। ରବିବାର ଦିନ ଯିବି ଓ ସେଇ ଖୁସି ସୁବୁ ହାତରେ ଅଜାଡି ଦେଇ କହିବି ତୋ ଚାହିଁବା ଚିଜ ନେ କଣ୍ଢେଇ ରାଣୀ।
ଜଣକ ଚାହିଁବା ଜିନିଷଟି କିଣି ପାରିବାର ସାମର୍ଥ୍ୟ ରଖିଲେ କି ଯେ ଆନନ୍ଦ ଲାଗେ ମୁଁ କେବଳ ଟେଡି ଟେ କିଣିଲା ପରେ ବୁଝି ପାରିଲି।
ଶନିବାର ଦିନ ରାତି ଆଠଟାରେ ଗୋଟେ ଖବର ମୋ ପାଦ ତଳୁ ମାଟି ଯେପରି ଖସାଇ ନେଲା। ମୁଁ ଯେମିତି ଗଳି ପଡୁଥିଲି ମାଟି ଭିତରେ।ବଡ଼ ପାଟିରେ ଡାକୁଥିଲି ସୁ......ବୁ,ସୁ....ବୁ ଦେଖ୍ ତୋ ପାଇଁ ତୋ ଟେଡି ଆଣିଛି ପରୀ ରାଣୀ।ନେ କଣ୍ଢେଇ ତୋ ଟେଡି।
ଚାକିରି ପାଇଲି,ଦରମା ମିଳିଲା,ଟେଡି ବି କିଣିଲି।କିନ୍ତୁ ମୋର ଦୁର୍ଭାଗ୍ୟ ଯାହା ପାଇଁ ଟେଡି କିଣିଲି ବୋଧେ ବହୁତ ଡେରି ହୋଇଗଲା। ସେ ଋଷି ଗଲା। ଶନିବାର ସନ୍ଧ୍ୟାରେ ସୁବୁ ଚିର ଦିନ ଲାଗି ଆଖି ବୁଜିଦେଇଥିଲା।
ଘରେ ପହଞ୍ଚିଲି ଗୋଟେ ଗ୍ଲାନିରେ,ଦୁଃଖରେ। ଅବସୋସ ରହିଗଲା ସୁବୁକୁ ମୁଁ ଗୋଟେ ଟେଡି ଦେଇ ପାରିଲି ନାହିଁ। କିଣି ଥିବା ଟେଡି ଟି ଧରି ସମସ୍ତେ କାନ୍ଦୁଥିଲେ ଭୋ ଭୋ ହୋଇ।
ଆଜି ବି ଟେଡି ଟି ସାଇତା ହୋଇ ରହିଛି କାଚ ଆଲମାରୀରେ।ତାକୁ ଛୁଇଁଲେ ଛୁଇଁ ହୋଇଯାଏ ମୋ ଆଦରର ସୁବୁକୁ ଯେ ମାତ୍ର ସାତ ବର୍ଷ ବୟସରେ ସବୁଦିନ ଆମକୁ ଛାଡି ଆର ପୁରକୁ ଯାତ୍ରା କରିଥିଲା।