Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Aravinda Das

Tragedy


2.3  

Aravinda Das

Tragedy


ଟେବୁଲ,ଚଉକି, କଲମ ଓ ପ୍ରେମପତ୍ର

ଟେବୁଲ,ଚଉକି, କଲମ ଓ ପ୍ରେମପତ୍ର

5 mins 824 5 mins 824


କଲିଙ୍ଗ ବେଲ ମାରିଲା ପରେ,କବାଟ ଖୋଲି ବାହାରିଥିବା ଭଦ୍ରବ୍ୟକ୍ତି ଜଣଙ୍କ ମୋତେ ଦେଖି ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,"କାହାକୁ ଖୋଜୁଛନ୍ତି ?'

 "ଦୀନବନ୍ଧୁ ବାବୁ ଅଛନ୍ତି ?ଏଇଟା ପ୍ଲଟ ନମ୍ବର ୭୭ ?ଦୀନବନ୍ଧୁ ନାୟକଙ୍କ ଘର ଏଇଟା ତ?"

  "ହଁ, ମୁଁ ତାଙ୍କ ପୁଅ, ଅବିନାଶ । କିଛି କାମ ଥିଲା ?"

"ହଁ, କିଛି ପର୍ସନାଲ କାମ ଥିଲା । ମୁଁ ଆଡ଼ଭୋକେଟ ତୁଷାର ମହାନ୍ତି । "

  "ମୋତେ କୁହନ୍ତୁ । "

ଟିକେ ଇତସ୍ତତ ହୋଇ କହିଲି,",ନା,ନା, କେବଳ ତାଙ୍କ ସହ ହିଁ କଥା ହେବି ମୁଁ । କିଛି ପ୍ରପର୍ଟି ଉଇଲ  ବିଷୟରେ କଥା ଥିଲା । "

  "କେଉଁ ପ୍ରପର୍ଟି ?ଆପଣ କେଉଁଠୁ ଆସିଛନ୍ତି ?"

 ଗଳା ଖଙ୍କାରି ନିଜ ଭିଜିଟିଂ କାର୍ଡ ବଢ଼ାଇ ଦେଇ କହିଲି, "ଦେଖନ୍ତୁ, ମୋର ଜଣେ କ୍ଳାଏଣ୍ଟ, ,ମନୋରମା ମହାନ୍ତି, ଯିଏ ଆପଣଙ୍କ ବାପାଙ୍କ ଅନ୍ତରଙ୍ଗ ବାନ୍ଧବୀ, ସେ ନିଜର ସମ୍ପତ୍ତି ଦୀନବନ୍ଧୁ ବାବୁଙ୍କ ନାଁରେ ଉଇଲ କରିଛନ୍ତି । ମୋ କ୍ଳାଏଣ୍ଟଙ୍କ ଡେଥ୍ ପରେ ଏବେ ଆପଣଙ୍କ ବାପା..."


  ଟିକିଏ ଆଶ୍ଚର୍ଯ୍ୟ ହୋଇ ଅବିନାଶ କହିଲା,"ବାପାଙ୍କ କେହି ମହିଳା ବନ୍ଧୁ ଥିବା କଥା ଆମେ ତ କେବେ ଶୁଣିନୁ କି କି ଜାଣିନୁ । "

 ପକେଟରୁ ଗୋଟେ ଚିଠି କାଢି ଦେଖାଇ ପଚାରିଲି, "ଏଇଟା ଆପଣଙ୍କ ବାପାଙ୍କ ହାତଲେଖା ଚିଠି । ଏମିତି ଅନେକ ଚିଠି ମୋ କ୍ଳାଏଣ୍ଟଙ୍କ ପାଖକୁ ଆପଣଙ୍କ ବାପା ବରାବର ଲେଖୁଥିଲେ । ମୋ କ୍ଳାଏଣ୍ଟ ଅବିବାହିତା ଥିଲେ । ଛାଡ଼ନ୍ତୁ ସେସବୁ କଥା । "

  ଚିଠିଟିକୁ ତନ୍ନ ତନ୍ନ କରି ପରୀକ୍ଷା କଲାବେଳେ ,ପଛପଟୁ ଜଣେ ମହିଳା ବାହାରି ଆସି ପଚାରିଲେ, "କଣ ହୋଇଛି ?"

  "ଓକିଲ ବାବୁ ଏ ଚିଠି ଦେଖାଇ କହୁଛନ୍ତି, ଆମ ବାପା କାଳେ ଜଣେ ସ୍ତ୍ରୀ ଲୋକଙ୍କୁ ବରାବର ଚିଠି ଦେଉଥିଲେ । "

ଚିଠି ଟାକୁ ଦେଖି ସେ ମହିଳା ବିରକ୍ତ ଭାଵ ମୁହଁରେ ଫୁଟାଇ କହିଲେ,"ଏଇଟା ତ ବାପାଙ୍କ ହାତଲେଖା । ମୁଁ କହୁନଥିଲି, ଚୁପ୍ କିନା ନିଜ ରୁମ ରେ ପଶି ଚିଠି ଲେଖନ୍ତି ବୋଲି ?ବୁଢ଼ାକାଳେ ପ୍ରେମଲୀଳା ?ଭାଗ୍ୟଭଲ ବୋଉ ମରିଯାଇଛନ୍ତି । ସେ ସ୍ତ୍ରୀ ଲୋକ ଏବେ କଣ ଚାହୁଁଛି ?"

 "ସେ ମରିଯାଇଛନ୍ତି ଆଉ ବାପାଙ୍କ ନାଁ ରେ କିଛି ପ୍ରପର୍ଟି ଛାଡି ଯାଇଛନ୍ତି । "


   ମୁହଁର ରଙ୍ଗ ବଦଳିଗଲା ଦୀନବନ୍ଧୁ ବାବୁଙ୍କ ବୋହୂର । ଦୁହେଁ ଫୁସ ଫୁସ ହୋଇ କିଛି କଥା ହେଲେ ।

    ମୁହଁରେ ହସଟେ ଖେଳାଇ ଅବିନାଶ କହିଲେ," ଆପଣ ଭିତରକୁ ଆସନ୍ତୁ ।

 " ଦୀନବନ୍ଧୁ ବାବୁ କେତେବେଳେ ଫେରିବେ ?ମୁଁ କେବଳ ତାଙ୍କ ସହ ଏକୁଟିଆ କଥା ହେବି । "

   ମୋ କାର୍ଡ ଉପରେ ଆଖି ବୁଲାଇଆଣି ଅବିନାଶ କହିଲେ,"ବାପା,ତୀର୍ଥ ଯାତ୍ରା ପାଇଁ ଯାଇଛନ୍ତି । ଏଇ ସପ୍ତାହରେ ଫେରିବେ । ଯେଉଁ କାଗଜପତ୍ର ଅଛି ,ଦେଇଯାଆନ୍ତୁ ମୁଁ ଦସ୍ତଖତ କରାଇ ରଖିଦେବି । ପ୍ରପର୍ଟି ର ଦାମ କେତେ ହେବ ?

 "କାଗଜପତ୍ର ଦେବା ଆଗରୁ କିଛି ଫର୍ମାଲିଟି ଅଛି । ପ୍ରପର୍ଟି ଅତି କମ୍ ରେ ପଚାଶ ଲକ୍ଷ ହେବ । ସେଇ ଜାଗାଟା ରେ ଏବେ ଗୋଟେ ସ୍କୁଲ ଚାଲିଛି । "

ଅବିନାଶ ର ଆଖିଟା ବଡ଼ ହୋଇଗଲା ।

 "ଆପଣଙ୍କର ଅନ୍ୟ ଭାଇ,ଭଉଣୀ କେହି ଅଛନ୍ତି ?"ପଚାରିଲି ମୁଁ ।

"ହଁ ,ଆଉ ଜଣେ ସାନ ଭାଇ ବି ଏଇ ଉପର ମହଲାରେ ରହୁଛି । "

 ଚାହା ଓ ବିସ୍କୁଟ ଖାଉ ଖାଉ ମୁଁ ଘର ଭିତରେ ଆଖି ବୁଲାଇ ଆଣିଲି ଓ ଯିବା ଆଗରୁ କହିଲି, "ଦୀନବନ୍ଧୁ ବାବୁ ଆସିଲେ ମୋତେ ଫୋନ୍ କରିଦେବେ । କାଗଜ ପତ୍ରର ହକଦାର କେବଳ ସେ । "

   ଦୁଇଦିନ ପରେ ଫୋନ୍ ପାଇଲି । ଦୀନବନ୍ଧୁ ବାବୁ ତୀର୍ଥଯାତ୍ରାରୁ ଫେରି ଆସିଥିଲେ ।


  ତାଙ୍କ ଘରେ ପହଁଚିଲା ପରେ ମୋର ଭବ୍ୟ ସ୍ବାଗତ ହେଲା । ଦୁର୍ବଳ ଓ ଅବଶ ଦିଶୁଥିଲେ ଦୀନବନ୍ଧୁ ବାବୁ । ଯେଉଁ ନୂଆ ଡ୍ରେସ ପିନ୍ଧିଥିଲେ,ଦେଖିଲେ ଟିକେ ଅଡୁଆ ଲାଗୁଥିଲା । ଚୁପଚାପ ମୋତେ ଅନାଉଥିଲେ ଦୀନବନ୍ଧୁ ବାବୁ ।

 ମୁଁ ,ଦୀନବନ୍ଧୁ ବାବୁଙ୍କୁ ପଚାରିଲି,"ଆପଣ ତୀର୍ଥ ଯାତ୍ରାରେ କୁଆଡେ ଯାଇଥିଲେ ? "

 "ଉତ୍ତର ଭାରତ ଯାଇଥିଲେ ବାପା । "ସାନ ପୁଅ କହିଲା ।

   "ପ୍ରପର୍ଟି କାଗଜ ଆଣିଛନ୍ତି ?"ଅବିନାଶ ପଚାରିଲା ।  

  ହସିଦେଇ କହିଲି, "ପ୍ରପର୍ଟି ଆଉ ପାଞ୍ଚ ବର୍ଷ ଯାଏଁ ସ୍କୁଲ ନାଁ ରେ ଲିଜରେ ଅଛି । ପାଞ୍ଚ ବର୍ଷ ପରେ ଆପଣଙ୍କ ବାପାଙ୍କ ନାଁ କୁ ଟ୍ରାନ୍ସଫର ହେବ । ଦୀନବନ୍ଧୁ ବାବୁଙ୍କ ସହ ମୁଁ ଟିକେ ଏକାନ୍ତରେ କଥା ହୁଅନ୍ତି । ଯଦି ଆପଣମାନେ କିଛି ନଭାବନ୍ତି । "

 ଦୁଇ ପୁଅ ଓ ବୋହୁ ପରସ୍ପର ମୁହଁ ଚାହାଁଚାହିଁ ହୋଇ ରୁମ ବାହାରକୁ ଗଲେ ।

 "ଆପଣ ବୋଧେ ଛାତ ଉପର ସେଇ ଗୋଟିକିଆ ଘରେ ରୁହନ୍ତି ? ଚାଲନ୍ତୁ ଛାତ ଉପରକୁ ଯିବା । ଖୋଲା ପବନ ଓ ନୀଳ ଆକାଶ ,କାଳେ ଆପଣଙ୍କର ଭାରି ପ୍ରିୟ ?କବିତା ବି ଲେଖନ୍ତି ଆପଣ ?"

  ଆଶ୍ଚର୍ଯ୍ୟ ହୋଇ ଦୀନବନ୍ଧୁ ବାବୁ କହିଲେ "ଆପଣ କଣ ଜଣେ ଡିଟେକ୍ଟଟିଭ ?"

  ଚୁପଚାପ ସିଡ଼ି ବାଟ ଦେଇ ଉପରକୁ ଯିବାକୁ ଅନୁରୋଧ କରି କହିଲି, "ଆସନ୍ତୁ ,କିଛି ପ୍ରାଇଭେଟ କଥା ଅଛି । "

  ଦୁଇ ମହଲା ଛାତ ଉପରେ ପହଂଚି ,

 ଦୀନବନ୍ଧୁ ବାବୁ ମୋତେ ସିଧା ଅନାଇ ପଚାରିଲେ, " କେଉଁ ମନୋରମା ମୋ ନାଁ ରେ ଉଇଲ କରିଛି ?କାହାକୁ ପ୍ରେମପତ୍ର ଲେଖିଛି ବୋଲି ଆପଣ ମୋ ପିଲାମାନଙ୍କୁ ମିଛ କହିଛନ୍ତି ?କଣ ଚାହାନ୍ତି ଆପଣ ?"


  "ଆପଣଙ୍କ ଚାହେଁ ଆପଣଙ୍କ ସୁସ୍ଥ ,ନିରାମୟ ଭବିଷ୍ୟତ ଓ ସମ୍ମାନପୁର୍ଣ୍ଣ ଜୀବନ ବଞ୍ଚିବାର ଅଧିକାର । ବାସ୍ ଏତିକି ଛଡ଼ା ଆଉ କିଛି ଚାହେଁନା ମୁଁ । " ସ୍ପଷ୍ଟ ସ୍ୱରରେ କହିଲି ।

 ଟିକିଏ ଅବିଶ୍ବାସ ଭରା ଚାହାଣୀରେ ଚାହିଁ ଦୀନବନ୍ଧୁ ବାବୁ କହିଲେ "ଦେଖନ୍ତୁ, ପୁଣି ଥରେ ଆପଣଙ୍କୁ ମୁଁ କହୁଛି, ଭୁଲ ଜାଗାକୁ ଆସିଛନ୍ତି ଆପଣ । କୌଣସି ମନୋରମା ମହାନ୍ତିଙ୍କୁ ମୁଁ ଜାଣେନା । "


  ମୃଦୁ ହସି ,ଦୀନବନ୍ଧୁ ବାବୁଙ୍କ ପିଠିକୁ ଥାପୁଡ଼େଇ କହିଲି, " ମୁଁ ଆପଣଙ୍କ ସମବୟସ୍କ ହେବି । ଆପଣଙ୍କୁ ମିଛ କହିବିନି ବୋଲି ଉପରକୁ ଡାକିଲି । ଆପଣ କୌଣସି ମନୋରମା ମହାନ୍ତିଙ୍କୁ ଜାଣିନାହାନ୍ତି ଓ କୌଣସି ଚିଠି ବା ପ୍ରେମ ପତ୍ର ବି ଲେଖିନାହାନ୍ତି ବୋଲି ମଧ୍ୟ ମୁଁ ଜାଣେ । କାରଣ ମନୋରମା ମହାନ୍ତି ହେଉଛି ଏକ କଳ୍ପିତ ନାଁ । ଓକିଲାତି ପେଶା ଛଡ଼ା ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଗୋଟେ ଏନ.ଜି.ଓ ମଧ୍ୟ ମୁଁ ଚଳାଏ । ଏଇ କାଗଜରେ ଆପଣ ଦସ୍ତଖତ କରନ୍ତୁ । "


  "ଇଏ ପୁଣି କେଉଁ କାଗଜ ?ଆପଣ ତାହେଲେ ମିଛ କଥା ମୋ ପିଲାଙ୍କୁ କାହିଁକି କହିଲେ ?ସମସ୍ତଙ୍କ ଆଗରେ ଆପଣ କ୍ଷମା ମାଗନ୍ତୁ । ?"

  ମୋ ଓଠରେ ଖେଳିଗଲା ଏକ ରହସ୍ୟମୟ ହସ । " ମୁଁ ମିଛ ନକହିଥିଲେ, ଆପଣଙ୍କ ଦୁଇ ପୁଅ କଣ ଜରାନିବାସ ରୁ ଆପଣଙ୍କୁ ଘରକୁ ଆଣିଥାନ୍ତେ ?ଚିଠି ଦେଖାଇଲି ବୋଲି ସେମାନଙ୍କ ବିଶ୍ବାସ ହେଲା । ଏଇ କାଗଜରେ ଆପଣ ନିଜ ଦୁଇ ପୁଅଙ୍କ ନାଁରେ ଅଭିଯୋଗ କରିବେ ଯେ ସେମାନେ ଆପଣଙ୍କୁ ନିଜ ଘରୁ ବାହାର କରି ଜରାନିବାସରେ ଛାଡ଼ିଛନ୍ତି । । "କହି ଗୋଟାଏ ପ୍ୟାକେଟରେ ଥିବା ପୁଳାଏ ଚିଠି ଓ କଲମ ଟିଏ ତାଙ୍କ ହାତକୁ ବଢ଼ାଇଦେଲି ।


  " ମୋର କଲମ ଓ ମୋ ହାତଲେଖା ଚିଠି କିଏ ଦେଲା ଆପଣଙ୍କୁ ? ଏସବୁ ତ ମୁଁ ମନୋରମା କୁ....

 "ହଁ,ଏକୁଟିଆ ବସି, ଏସବୁ ଚିଠି ଆପଣ ନିଜ ସ୍ବର୍ଗବାସୀ ସ୍ତ୍ରୀ, ମନୋରମାଙ୍କୁ ଲେଖୁଥିଲେ । ଆପଣଙ୍କ ଜଣେ ପ୍ରିୟ ପାଖରୁ ହିଁ ମୋତେ ମିଳୁଛି ଆପଣଙ୍କ ଚିଠି ସବୁ । "

 "କିଏ "?ଅସ୍ପଷ୍ଟ ଆର୍ତ୍ତନାଦ ଟିଏ ବାହାରିଆସିଲା ଦୀନବନ୍ଧୁଙ୍କ କଣ୍ଠରୁ ।

  "ଆପଣଙ୍କ ଟେବୁଲ ଡ୍ରୟାର ।  ଆପଣଙ୍କ ପ୍ରିୟ ଟେବୁଲ ଓ ଚଉକି, ଯାହାକୁ ଆପଣଙ୍କ ପିଲାମାନେ ,ମୋ ସାମ୍ନା ଘରେ ରହୁଥିବା ଏକ ପୁରୁଣା ଆସବାସପତ୍ର କାରାବାର କରୁଥିବା ବେପାରୀକୁ ବିକିଦେଇଥିଲେ । ଆଣ୍ଟିକ ଫର୍ନିଚର ରେ ମୋର ଆଗ୍ରହ । ଆପଣଙ୍କ ଫର୍ନିଚର କିଣି ଘରକୁ ନେଇ ସେଇ ଟେବୁଲ ଡ୍ର ଭିତରେ ଆବିଷ୍କାର କଲି ଆପଣଙ୍କ ଚିଠି ସବୁ, ଯାହା ନିଜ ସ୍ବର୍ଗତ ପତ୍ନୀଙ୍କୁ ଆପଣ ଲେଖୁଥିଲେ । ଆପଣଙ୍କୁ ଜରାନିବାସ ପଠାଯାଉଛି ବୋଲି ବି ଆପଣ ଲେଖିଥିଲେ । ଗୋଟାଏ ଚିଠି ଉପରେ ଆପଣଙ୍କ ଘର ଠିକଣା ଥିଲା । ଆପଣ ଜଲଦି ଏ କାଗଜରେ ଦସ୍ତଖତ କରିଦିଅନ୍ତୁ । ଅନେକ ବୟସ୍କ ଅବହେଳିତ ଲୋକଙ୍କ ପାଇଁ ଏମିତି କାମ ମୁଁ ହାତକୁ ନେଉଛି । ପିଲାଙ୍କୁ ବୁଦ୍ଧି ଶିଖାଇବା ଦାୟିତ୍ୱ...."


  ନିରବତା ଭାଙ୍ଗି ଦୀନବନ୍ଧୁ ଧୀର ସ୍ୱରରେ କହିଲେ, "ଚିଠି ଗୁଡାକ ନଷ୍ଟ କରିବାକୁ ଭୁଲିଯାଇଥିଲି ମୁଁ । ମୋ ପାଇଁ କଷ୍ଟ ସ୍ବୀକାର କରିଥିବାରୁ ଆପଣଂକୁ ଅନେକ ଧନ୍ୟବାଦ । ତେବେ ମୋତେ କ୍ଷମା କରିଦିଅନ୍ତୁ । ସତ କହିବାକୁ ଗଲେ ଜୀବନର ଏଇ ଶେଷ ପର୍ଯାୟରେ ଆମେ ଅଦରକାରୀ,ଅସହାୟ ହୋଇପଡୁ ଠିକ୍ ସେଇ କାଠ ଟେବୁଲ ,ଚଉକି ଭଳି । ହୁଏତ ମୋ ଲାଳନ ପାଳନରେ କେଉଁଠି ଭୁଲ ରହିଯାଇଥିଲା ବୋଲି ଶେଷରେ ପିଲାମାନେ ବୋଧେ ଏମିତି ନିଷ୍ପତ୍ତି ନେଲେ । ମୁଁ କିନ୍ତୁ ଏହାକୁ ଅନ୍ୟ ଭାବରେ ବିଚାର କଲି । ସେମାନଙ୍କ ପାଖରେ ସମୟ ଅଭାବ ଅଥବା ଜରାନିବାସ ରେ ମୋ ଭଳି ଅନ୍ୟ ଲୋକମାନଙ୍କ ସହ ରହିଲେ ମୁଁ ବୋର ହେବିନି ବୋଲି ସେମାନେ ଏମିତି କଲେ । କେତେ ଦିନ ଆଉ ବଞ୍ଚିବି ? ସେମାନଙ୍କ ନାଁରେ କେସ କରି ,ପୋଲିସ ପାଖରେ ଫେରାଦ ହୋଇ ମୋତେ କଣ ମିଳିବ ? ଦୟା ଓ ସ୍ନେହ ଦୁଇଟା ଭିନ୍ନ ଜିନିଷ । କାହା ଦୟା ମୁଁ ଚାହୁଁନି । ମୋ ପେନ୍ସନ ଟଙ୍କାରେ ଜରାନିବାସ ଖର୍ଚ୍ଚ ଭରଣା କରୁଛି । ଜବରଦସ୍ତି କଣ କାହାଠାରୁ ସ୍ନେହ ଆଦାୟ କରାଯାଇ ପାରେ ?ବାପା,ମା ତ ସବୁବେଳେ ସେଇ କାଠ ଟେବୁଲ ,ଚଉକି ଭଳି ସର୍ଵସଂହା । ଆଶାକରୁଛି ମୋ କଥା ଆପଣ ବୁଝି ପାରୁଛନ୍ତି । ମୋ ଟେବୁଲ, ଚଉକି ଆପଣଙ୍କ ଭଳି ପାଖରେ ଉପଯୁକ୍ତ ଆଦର ପାଇବେ ବୋଲି ମୋ ଆଶା । ଚିଠି ଗୁଡାକ ପାଇଁ ଅନେକ ଧନ୍ୟବାଦ । "


   ହତବାକ ହୋଇ ମୁଁ ଥରେ ଦୀନବନ୍ଧୁ ବାବୁ ଓ ଆକାଶକୁ ଚାହିଁଲି । ସିଡ଼ି ଘର ପାଖରେ ତଳକୁ ମୁଣ୍ଡ ପୋତି ଠିଆ ହୋଇଥିବା ଦୀନବନ୍ଧୁ ବାବୁଙ୍କ ଦୁଇପୁଅଙ୍କୁ ଅତିକ୍ରମ କରି ଆସିଲାବେଳେ ମୋ ଆଖି ସାମ୍ନାରେ ଭାସି ଉଠୁଥିଲା ସେଇ ପୁରୁଣା ଟେବୁଲ,ଚଉକି ର ଚିତ୍ର ଓ ତା ସହିତ ଦୀନବନ୍ଧୁ ବାବୁଙ୍କ ଶୁଖିଲା ମୁହଁଟା ।



Rate this content
Log in

More oriya story from Aravinda Das

Similar oriya story from Tragedy