Satyabati Swain

Tragedy

2.1  

Satyabati Swain

Tragedy

ତରୁ କାନ୍ଦୁଛି

ତରୁ କାନ୍ଦୁଛି

3 mins
726




କେହି ଜଣେ ଉଁ ଉଁ ହୋଇ ଅସ୍ପଷ୍ଟ ସ୍ଵରରେ କାନ୍ଦୁଥିଲା।ଧକେଇ ହେଲା ପରି ଲାଗୁଥିଲା ତା ସ୍ୱରରୁ.।ମାନବ କାନ ପାତିଲା।କୁଆଡୁ ଆସୁଛୁ ଏ ଶବ୍ଦ।ସ୍ୱରରୁ ବାରି ହୋଇ ଯାଉଥିଲା ପିଲା ଟିଏ ହୋଇଥିବ।ଏଣିକି ତେଣିକି ଚାହିଁଲା ସେ।ନିଛାଟିଆ ଦୁମୁ ଦୁମୁ ଖରା ବେଳ।ସେ ତ ମୁଣ୍ଡ ବିକିଛି ପର ପାଖେ।ତା ପାଇ ଖରା ତରା କଣ?ଅଫିସ୍ ଫାଇଲ ନେଇ ଯାଉଛି ସେ ଭୁବନେଶ୍ୱର।ମୁଖ୍ୟ ରାସ୍ତାରେ ନଯାଇ ବାଇ ପାସ ନାଳ ବନ୍ଧ ରାସ୍ତାରେ ଯାଉଛି ସେ।ସମୟ ଦିନ ସାଢେ ବାର। ନିର୍ଘାତ ଖରାକୁ ଅସହ୍ୟ ଗୁଳୁ ଗୁଳୁ।ମାନବ ଗାଡି ଟି ଅଟକାଇ ଉଁ ଉଁ ଶବ୍ଦ ଜୁଆଡୁ ଆସୁଥିଲା ଖୋଜି ଖୋଜି ଗଲା।

         ଆରେ ଏତ କଅଁଳ ଛୁଆଟିଏ।ଢଙ୍କ ମୋଡି ପଡିଛି ନୁଖୁରା ନିସ୍ତେଜ ହୋଇ।କୁଲୁ ବୁଲିଆ ଚେହେରା ଝାଉଁଳି ପଡି ଧୂଳିଧୁସରିତ ହୋଇ କାନ୍ଧୁଛି ଉଁ ଉଁ କ୍ଷୀଣ ସ୍ୱରରେ।ଉଠିବାର ଯୁ ନାହିଁ।ଖାଇ ନାହିଁ କି ପିଇ ନାହିଁ ବୋଧେ ଢେର ଦିନ ହେବ।ମାନବ ଛୁଆଟି ପାଖକୁ ଗଲା।ଧୀରେ ଉଠାଇ ଖଣ୍ଡିଏ ବାଡ଼ି ସାହାରା ଦେଇ ବସାଇଲା।ଜୁଳୁ ଜୁଳୁ ଆଖି ମିଟି ମିଟି କରି ପିଲାଟି ଅତି ଆତୁର୍ ହୋଇ କହିଲା ପାଣି ପାଣି।ମାନବ ତା ପାଣି ବୋତଳରୁ ପାଣି ଢାଳି ପିଇବାକୁ ଦେଲା।ଆଶ୍ଚର୍ଯ୍ୟ ସାଏଁ ସାଏଁ କରି ଏକା ନିଃଶ୍ଵାସକେ ପିଇଦେଲା ବୋତଳରୁ ଅଧା ପାଣି ସେ।

       ପାଣି ପିଇବାରୁ ଟିକେ ଚେଙ୍ଗା ହେଲା ସେ।ତାକୁ ମାନବ ପଚାରିଲା ତୋ ନାଁ କଣ?ଏଠି ଏମିତି କାଇଁକି ପଡିଛୁ?ଏଇ ଦିଟା ପ୍ରଶ୍ନ ତା କୋହର କାରଣ ହେବାକୁ ଯଥେଷ୍ଟ ଥିଲା।ସେ ଭୋ ଭୋ ହୋଇ କାନ୍ଦି ପକେଇଲା।ମାନବକୁ ଖରାପ ଲାଗିଲା।ସେମିତି କିଛି ସାଙ୍ଘାତିକ କଥା ସେ ପଚାରି ନାହିଁ।ହେଲେ ପିଲାଟା ଏମିତି କାନ୍ଦିଲା କାହିଁକି?ମାନବ ତାକୁ କୋଳକୁ ଆଣି ଥାପୁଡ଼ାଇ ଦେଲା।କାହିଁକି ଏପରି କାନ୍ଦିଲୁ ଧନ! ପଚାରିଲା।

           ସେ ନାକ ସୁଉଁ ସୁଉଁ କରି କହିଲା ମୋ ନାଁ 'ତରୁ'।ମୋ ବାପାକୁ ଲୋକେ ହାଣି ମାରିଦେଇଥିଲେ ବହୁତ ଆଗରୁ।ମୋ ବୋଉ ଆଉ ମୋ ଭାଇ ଭଉଣୀଙ୍କୁ ଫନି ବାଡେଇ ପିଟି ସମସ୍ତଙ୍କୁ ମାରିଦେଲା।ଆମ ସାଇ ପଡିଶା,ବନ୍ଧୁ ବାନ୍ଧବ,ମାମୁଁ ମାଇଁ କାହାକୁ ଛାଡି ନାହାନ୍ତି ନା ଲୋକେ ନା ଫନି।ଦୂର ଦୁରାନ୍ତ କୁଟୁମ୍ବ ମଧ୍ୟ ଏମାନଙ୍କ ହାବୁଡ଼ରୁ ନିସ୍ତାର ପାଇ ନାହାନ୍ତି।ଆଜି ମୋର କେହି ନାହାନ୍ତି।ଛୁଆଟା ,ଧାପେ ବୋଲି ମୁଁ କେବଳ ବଞ୍ଚିଗଲି।କିଏ ମୋ ଯତ୍ନ ନେବ!କାହା ସାଙ୍ଗେ ଖେଳିବି!ମନ ଖୁସି କରିବା ପାଇଁ ମାମୁଁ,ମାଉସୀ ଘର ବି ନାହିଁ ଟିକେ ବୁଲିଯିବି।

          କାନ୍ଦୁ କାନ୍ଦୁ ସେ କହୁଥିଲା ଜାଣିଛ ଥରେ ପଧାନ ବୁଢା ଝାଡା ହେଲା।କେଉଁଥିରେ ଭଲ ହେଲା ନାହିଁ।ମୋରି ବୋଉ ଔଷଧ ଦେଲା ଯେ ତିନି ପାନକେ ଝାଡା ବନ୍ଧ।ବୁଲା ବୋଉର ଖଣ୍ଡେ ଜାଳ ନଥିଲା ଗଣ୍ଡେ ଫୁଟାଇବାକୁ।ଆମରି ପାଖରୁ ଜାଳ ନେଇ ରୋଷେଇ କଲା।ରାମ ବିଶ୍ୱାଳ ଛାତ ପକାଇଲା ଆମରି ସାହାଯ୍ୟରେ।ସମିନା ଘର କବାଟ କି ସୁନ୍ଦର!ସେ ବି ଆମ ପାଇଁ।ଅନନ୍ତ ବାବୁଙ୍କ ଖଟ ଦେଖିଛ!କେମିତିଆ ସୁନ୍ଦର ହୋଇଛି କହିଲ!ସିଏ ବି ଆମ ଯୋଗୁଁ।ଆଗେ ଆମ ଜ୍ଞାତି କୁଟୁମ୍ବ ଚାରି ଆଡ଼େ ଭଣ ଭଣ ହେଉଥିଲେ।ତାଙ୍କ ଯୋଗୁଁ ବାୟୁମଣ୍ଡଳ ବିଶୁଦ୍ଧ ହେଉଥିଲା ।ସେମାନେ ଗାଡି,ମଟର, କଲକରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ପିଇ ଲୋକଙ୍କୁ ବିଶୁଦ୍ଧ ବାୟୁ ଦେଉଥିଲେ।ସେଇ ସର୍ବେଶ୍ୱର ଲେଙ୍କା ପରି କମ୍ ଲୋକ ଫୁସଫୁସ୍ ଜନିତ ରୋଗରେ ମରୁଛନ୍ତି ପ୍ରତିଦିନ।

          ଜାଣିଛ ବାବୁ ଶୋଭନ ବାବୁଙ୍କ ବାହା ଘର କାର୍ ,ବେଦୀ ଫାଟକ କେମିତି ଆମରି ସାଜସଜାରେ ଝଲସୁଥିଲା!ଆଉ ତୁମ ଠାକୁର ବେକରେ ସେ ଯେଉଁ ଗଜରା ମାଳ,ସେ କାହା ପାଇଁ।ହଁ ଆୟାର ବାବୁଙ୍କ ବେଣୀ ଦେଖିଛ ନା!କି ସୁନ୍ଦର ଦିଶେ ଆମ ଯୋଗୁଁ।ତୁମେ ଅମୃତ ତୁଲ୍ୟ ଯେଉଁ ମହୁ ଖାଉଛ ସବୁ ଆମ ରସ।ଅତର ଛିଞ୍ଚି କେମିତି ମହ ମହ ବାସୁଛ! ସେ ବା ଆମ ପାଇଁ।ତୁମେ ସବୁ ମଣିଷ ପୂଜା ଠାରୁ ଆରମ୍ଭ କରି ସଜ ବାଜ ସହ କେଉଁଠି ନାହୁଁ ଆମେ ତୁମ ମଣିଷଙ୍କ ପାଖେ !

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମେ ମଣିଷ ସହ ଥାଉ।ସବୁ କ୍ଷେତ୍ରରେ ସାହାଯ୍ୟ,ସହଯୋଗ କରିଥାଉ।କିନ୍ତୁ ଆମ ଦୁର୍ଦ୍ଦିନ ଓ ଦୁର୍ଭାଗ୍ୟ ଯେ...

           ତରୁ ଏସବୁ କହୁ କହୁ ତାର କ୍ରୋଧ ଫୁଟିଲାଣି।କାନ୍ଦୁ କାନ୍ଦୁ ସେ ପୁଣି କହିଲା ଜାଣିଲ ବାବୁ ଆମକୁ ଖାଇ ତମେ ବଞ୍ଚୁଛ।ଆମେହିଁ ତୁମ ନିଃଶ୍ୱାସ, ଜୀବନ।ପିନ୍ଧୁଛ ବି ଆମଠାରୁ ନେଇ।ତୁମ ଶରୀର ମୋରି ବାପା ଦାଦାଙ୍କ ଅବଦାନ।ତୁମ ସୁସ୍ଥତା, ତୁମ ଆୟୁଷ ମୋରି ଭାଇ ବନ୍ଧୁଙ୍କ ଯୋଗୁଁ। ବର୍ଷା ବି ଆମେ ଆଣୁ।ପ୍ରତି ଜୀବ ଓ ଜଗତ ଆମ ବିନା ତିଷ୍ଠିଵା ଅସମ୍ଭବ।ପ୍ରକୃତି ବି ଆମ ନାଶ ପାଇଁ ରାଗି ଗଲାଣି।ଆମକୁ ନିର୍ମମ ପରି ଭାଙ୍ଗିଲ,କାଟିଲ,ବଂଶ ନାଶ ବି କଲ।କେଉଁଠି କରିବ ମଲ୍,କେଉଁଠି ହେବ କାରଖାନା,ଘର ,ହାଟ, ବଜାରବୋଲି ଆମ କୁଳ ବୁଡ଼େଇ ଦେଲ।ସବୁଜିମା ପରିବର୍ତ୍ତେ ରଙ୍ଗ ବେରଙ୍ଗ କୋଠା ଠିଆ କଲ।ଫଳ କଣ ହେଲା?

       ଝଡି, ବଢି,ମରୁଡି,ବାତ୍ୟା,ରୋଗ,ଅଂଶୁଘାତ ରେ ତ୍ରାହି ତ୍ରାହି ଡାକିଲେଣି ସବୁ ମଣିଷ।ଏବେ ମୁଁ ଏକା।ମୁଁ ବି ଖାଦ୍ୟ,ପାଣି,ଯତ୍ନ ବିନା ଅକାଳରେ ମରିଯିବି।ଶେଷ ହୋଇଯିବ ପୃଥିବୀ,ଧ୍ୱଂସ ହୋଇଯିବ ଜୀବ ଜଗତ।ଦେଖ ଖାଇବା ପିଇବା ବିନା ମୋ ବାପା ବୋଉ,ଭାଇ ଭଉଣୀ ସାଙ୍ଗ ସାଥି ସମସ୍ତଙ୍କୁ ହରାଇ ଏକା ମରଣ ସହ ଲଢେ଼ଇ କରୁଛି। ବନ୍ଦ ହେବା ନାଁ ନ ନେଇ ରାହା ଧରି କାନ୍ଦୁଥିଲା ତରୁ କଇଁ କଇଁ ହୋଇ।ତୁମେ ଜାଣିଛ ଆମକୁ କାଟିଲ ବେଳେ କି କଷ୍ଟ ଲାଗେ ଆମକୁ!

      ମାନବ ସ୍ଥାଣୁ ତରୁ କଥା ଶୁଣି। ସେ କହିଲା ତୁ ବ୍ୟସ୍ତ ହଅନା ମା।ମୁଁ କଥା ଦେଉଛି ତୁ ଏଣିକି ଏକା ହେବୁ ନାହିଁ।ମୁଁ ସୃଷ୍ଟି କରିବି ତୋର ଅନେକ ନୂଆ ସାଙ୍ଗ ସାଥି।ସବୁଆଡେ ଭରିଦେବି ତୋର ଆତ୍ମିୟ ସ୍ବଜନ।ଆମେ ତୁମର ଯତ୍ନ ନେବୁ,ସୁରକ୍ଷା ଦେବୁ।କାରଣ ତୁମେ ବଞ୍ଚିଲେ ଆମେ ବଞ୍ଚିବୁ।ପରିବେଶ ହସିବ।ସୁସ୍ଥ ଓ ବିକଶିତ ଦେଶ ହେବ।ତୁ ଚିନ୍ତା କରନା ମା।ଆମର ଚୈତନ୍ୟ ଉଦୟ ହେଲାଣି। ଆମେ ବିନାଶ ତୁମକୁ ସୃଷ୍ଟି କରି ରୋକିବୁ।ପକ୍କା କଥା ଦେଉଛି।

    ବିଳମ୍ବ ହୋଇ ଯାଉଥିଲା ଅଫିସ୍ ରେ ପହଞ୍ଚିବା।ମାନବର।ସେ ତା ବୋତଲର ଆଉ ଅଧା ପାଣି ତରୁକୁ ପିଇବାକୁ ଦେଲା।ତରୁ ଟିକେ ମୂର୍କି ହସି ବାଏ ବାଏ କରୁଥିଲା ମାନବକୁ।

     


Rate this content
Log in

Similar oriya story from Tragedy