ତ୍ରିରଙ୍ଗାର ମୂଲ୍ୟ
ତ୍ରିରଙ୍ଗାର ମୂଲ୍ୟ
ରାଜଧାନୀ ଭୁବନେଶ୍ଵରର ଏକ ସମ୍ଭ୍ରାନ୍ତ ଘରୋଇ ବିଦ୍ୟାଳୟ। ରାଇଜ ଯାକର ବଡବଡିଆଙ୍କ ପିଲା ସେଠି ପାଠ ପଢନ୍ତି। ଶୁଣିବାକୁ ମିଳେ ଯେ, କୁଆଡ଼େ ଏଠିକାର ସୁରକ୍ଷା କର୍ମୀ ମଧ୍ଯ ଅନର୍ଗଳ ଇଂଲିଶ୍ କୁହନ୍ତି। ଅଗଷ୍ଟ ପନ୍ଦର ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ସଜବାଜ ହୋଇ କଡା ଇସ୍ତ୍ରୀ ହୋଇଥିବା ୟୁନିଫର୍ମ ପରିଧାନ କରି ବିଦ୍ଯାଳୟ ପରିସରରେ ସମବେତ ହୋଇଛନ୍ତି ସ୍ବାଧୀନତା ଦିବସ ପାଳନ କରିବାକୁ। ସ୍ବାସ୍ଥ୍ୟବାନ ଏବଂ ସୁନ୍ଦର ଛାତ୍ରଛାତ୍ରୀ। ସୂର୍ଯ୍ୟମୁଖୀ ଫୁଲ ପରି ଉଜ୍ଜ୍ବଳ ସୁନ୍ଦର ଦିଶୁଛି ସଭିଙ୍କର ମୁଖମଣ୍ଡଳ।
ବିଦ୍ୟାଳୟ ବାହାର ଫାଟକ ପାଖରେ ଦଶ ବାର ବର୍ଷର ଛୋଟ ଝିଅଟିଏ ବିକୁଛି ପ୍ଲାଷ୍ଟିକ୍ ତିଆରି ଜାତୀୟ ପତାକା। ପିନ୍ଧିଛି ମସିଆ ଜାମା ତାର ମଳିଚିଆ ଦେହରେ ଲଜ୍ଜା ନିବାରଣ କରିବା ପାଇଁ। ଯେଉଁ ବୟସରେ ଅନ୍ୟ ପିଲାମାନଙ୍କ ସହିତ ମିଶି ଇସ୍କୁଲକୁ ଯିବା କଥା ସେଇ କଅଁଳା ବୟସରେ ପେଟ ପୋଷିବକୁ ରାସ୍ତାରେ ଜିନିଷ ବିକ୍ରିକରି ଚଳୁଛି ପିଲାଟି। ସତେ ଯେମିତି ସର୍ବଶିକ୍ଷା ଅଭିଯାନଟା ଏଇ ପିଲାଟି ପାଇଁ ପ୍ରହସନ ପାଲଟିଛି।
ଏତିକି ବେଳେ ସେଇଠି ଅଟକିଲା ବିଏମଡବ୍ଲୁ କାରଟିଏ। ତହିଁରୁ ଓହ୍ଲାଇ ଆସିଲା ସେଇ ବିଦ୍ୟାଳୟର ଛାତ୍ରୀଟିଏ। ବୟସ ପାଖାପାଖି ତେର ଚଉଦ ବର୍ଷ ହେବ। ତରବରିଆ ଭାବେ ଘରୁ ବାହାରି ଆସିଥିବାରୁ ସେ ଭୁଲିଯାଇଥିଲା ସାଙ୍ଗରେ ଆଣିବାକୁ ତ୍ରିରଙ୍ଗା। ଅଗତ୍ୟା ସେଇ ପତାକା ବିକୁଥିବା ପିଲାଟିକୁ ପଚାରିଲା, "ୟେ ତ୍ରିରଙ୍ଗାର ଦାମ୍ କେତେ?"
: ଗୋଟା ଦଶ ଟଙ୍କା ଦିଦି...
: ବହୁତ୍ କହୁଛୁ ତୁ। ଆଉ ଘଣ୍ଟାଏ ପରେ ତ କେହି ପଚାରିବେନି। ବିକିବୁ କାହାକୁ? ଦଶ ଟଙ୍କାରେ ଦିଇଟା ଦେ। ମୋର ଦିଇଟା ଦରକାର।
ଛାତ୍ରୀଟିର କଥାରେ ମୁଣ୍ଡ ଟୁଙ୍ଗାରି ଦୁଇଟି ତ୍ରିରଙ୍ଗା ବଢାଇଦେଲା ପିଲାଟି ଆଉ କିଛି ବି ନକହି ନିରବରେ।
ପାଖରେ ଠିଆ ହୋଇ ଏହି ଦୃଶ୍ୟକୁ ଦେଖୁଥିବା ଉଚ୍ଚଶିକ୍ଷିତ ଦରୱାନ୍ ମନେ ମନେ ଭାବୁଥିଲା, "କି ଯୁଗ ଆସିଲା ସତେ? ଯେଉଁ ତ୍ରିରଙ୍ଗା ପାଇଁ ଅସଂଖ୍ଯ ସ୍ବାଧୀନତା ସେନାନୀ ବଳିଦାନ ଦେଇଛନ୍ତି, ସେଇ ତ୍ରିରଙ୍ଗା ଆଜି ଏତେ ମୂଲ୍ୟହୀନ ହୋଇଯାଇଛି!"
ତଥାପି ଦରୱାନ୍ ମନେ ମନେ କହୁଥିଲା, ଯାହା ବି ହୋଇଯାଉ କିନ୍ତୁ ମୋ ଭାରତ ମହାନ!!!