Satyabati Swain

Tragedy

2.8  

Satyabati Swain

Tragedy

ତିନି ପୃଷ୍ଠା

ତିନି ପୃଷ୍ଠା

5 mins
236



ତିନି ପୃଷ୍ଠାର ଗୋଟେ ବହି ମୋ ଜୀବନ । ସରଳ ମନ ପବିତ୍ର ହୃଦୟ ଅଳ୍ପକେ ସନ୍ତୁଷ୍ଟ ପ୍ରାପ୍ତି କରୁଥିବା ଜୀବନ ମୋର ପିଲାଦିନ । ସେ ଅତୀତ । ଅତୀତ କିନ୍ତୁ ସତ୍ୟ,ସୁନ୍ଦର ଓ ନିଷ୍ପାପ ବି । ସେ ଦିନର ଧୂଳି ଧୁସରିତ ଦେହ,ବାଲିଘରବୋହୁ ବୋହୁକା ଖେଳ,ପୋଖରୀରେ,ଘର ଅଗଣା ଉପର ଆକାଶେ ପୁଣି ମାମୁଁଘର ଗାଁରେ ବି ଗୁଡିଏ ଜହ୍ନର ଭ୍ରମ ସୃଷ୍ଟି କରୁଥିବା ମନ ଶୈଶବ ଅତୀତ । ଅତୀତ ପୋଖରୀ ଗାଧୁଆ । ବହୁତ ପଛରେ ମୁଠିଏ ଜହ୍ନ ରାତିର ଆଲୁଅ ପାଖି । ଯିଏ ମିଛି ମିଛିକା ବାଲିଘର,ବାଲିରେ ଭାତ,ତରକାରୀ,ଶାଗ, ମାଛଭଜା,ବାଲିର ଚୁଲି, ସଢେଇର ହାଣ୍ଡି,କଡେଇ ମୁଁ ବର 'ପାଖି' କନିଆଁ । ଅନ୍ୟ ସାଙ୍ଗ ମାନଙ୍କ ଭିତରେ ସଖୀବୋଉ,ନଖି ବାପା ଓ ଲୋଚନ ପାଖିର ଭାଇ । ବାଲିଘର ଆଗରେ ବିଭିନ୍ନ ଡାଳ ପୋତା ଯାଇ ଗଛ ଭର୍ତ୍ତି ଗହଳ ସୁନ୍ଦର ବଗିଚା । ବାଲି ବାଡ଼ ଘେରା ଚାରି ପାଖ । ଗେଟ ବି ବାଲିର । ଦାଣ୍ଡ କୂଅ ମୂଳ ବା ବାଡ଼ି ଛଣ ଗଦା ମୂଳେ ସେ ଖେଳ । ବଡ଼ ମାନଙ୍କ ଅଲକ୍ଷେ ଚାଲୁଥିଲା ଖେଳ । କେହି ଯଦି ଦେଖି ଦେଉଥିଲା ଖୁବ୍ ଲାଜରା ହୋଇଯାଉଥିଲା ମୁହଁ । ଖେଳ ଭଙ୍ଗା ହେଉଥିଲା ସେଦିନ ପାଇଁ ।

 

   ଗୁହାଳରେ ପଶି ରାତିରେ ଲୁଚକାଳି ଖେଳ । ନଖି ଘର ଗୁହାଳେ ଲୁଚୁ ବୋଲି ତା ମା ଗୋରୁ କୁଣ୍ଡ ପାଣି ଛାଟେ । ପବନା ଘର ପୋଖରୀ ମୂଳ ଖଜୁରୀ ଗଛରେ ତା ବୋଉ ମରିକି ଭୂତ ହୋଇଅଛି ବୋଲି ସେଠିକି ଦିନ ବେଳା ଯିବାକୁ ଖୁବ୍ ଭୟ ଲାଗୁଥିଲା ସେଇ ପିଲାବେଳେ । କୁସୁନିଆଁ ଅଜାଘର ତେନ୍ତୁଳି ଗଛ ମୂଳେ ଖରା ବେଳିଆ କଇଁଆ ଆଣି କଇଁଆ ପଣା କରି ହାପୁଡିବା । ସନ୍ଧ୍ୟାରେ ଦଧିବାମନ ଠାକୁରଙ୍କ ପାଖକୁ ଗଲା ବେଳେ ସେଇ ଯେଉଁ ଜଙ୍ଗଲ ପରି ଦିଶୁଥିବା ଢ଼ିହ ପାରି ହେବାର ସାହସ । ବହୁତ ଡରାଉଥିଲା ସେ ଖଣ୍ଡିଆ ବାରି । ଓଃ କି ଭୟ ସେଠି, କେଉଁ ଭୂତ କି ଡାହାଣୀ ଥିବେ ଭାବି । କେହି ଜଣେ ମରି ଗଲେ ମାସେ ଦି ମାସ ସେଇ ମଲା ଲୋକର ଭୟ ହୃଦୟ ଥରାଏ । କେଜାଣି ପିଲା ଦିନେ ନିଜ ଚାରି ପାଖରେ ଏତେ ଭୟ ଥାଏ କାହିଁକି ! କାହିଁକି ଛନ୍ଦ କପଟ ନଥାଏ । ଟିକେ ଖୁସି ମହଣେ ଲାଗେ । ବୋଉ ସଂଗେ ମାମୁଁଘର ଯିବା ଓ ମାମୁଁଘର ଗାଁ ସହ ସେ ଗାଁ ପିଲାଙ୍କ ସଙ୍ଗେ ସାଙ୍ଗ ହେବା ଖୁସି ସତରେ ଏବେ ବି ମନ ଝୁରେ । ଝୁରେ ସେଇ ମରିଯାଇଥିବା ଦିନର ବଞ୍ଚିରହିଥିବା କଥା ସ୍ମୃତି ।


      ବାଡେଇ ବାଡେଇ ବାପା ସ୍କୁଲ ନେବା ଖାଇଲା ବେଳେ ହେଇ ତୋ ପଛ ପଟେ ବିଛା କହି ଭଉଣୀ ଗିନାରୁ ଅଣ୍ଡା କି ମିଠା ଆଣି ଖାଇଦେବା ବାପା ମୁଠାରେ ନିଜ ହାତ ଝାଳ ହେଲେବି ମୁଠେଇ ମେଳା ବୁଲିବା ହାଟ କରିବା । ବାପା ହଳ କରିବାକୁ ଗଲେ ତାଙ୍କ ପାଇଁ ପାଣି ଜଳଖିଆ ନେଇ ବିଲକୁ ଯିବା ଧନ ପାହି ଉପରେ ବାପା ସଂଗେ ବସି ଖାଇବା କି ମଜା ! ଗାଁ ଦାଣ୍ଡରେ ହୁଗୁଳା ଢୋଲା ପେଣ୍ଟ ଟେକି ଟାୟାର ଗଡ଼ାଇବା, ଗୁଲି, କବାଡି, ବାଗୁଡି, ଲୁଣି ପେଟି ଖେଳ କି ମୁସ୍କିଲ ଆନନ୍ଦ ଦେଉଥିଲା । ରଜ,ଦୋଳ,ହୋଲି,ରାକ୍ଷୀ ଦଶହରାକୁ ଡଙ୍ଗା ଭାଷାକୁ ଆଁ କରି ଅନେଇବାର ଜୋଶ କିଛି ନିଆରା ଥିଲା କୈଶୋରର । ଡାଲି ଭାତ କଥା ଶୁଣି ଚାତକ ପରି ଅନେଇବା କେତେବେଳେ ଖାଇବାକୁ ଯିବା କହି ଘରେ ବେଳେବେଳେ ମାଡ଼ ବି ଖାଇବା କି ଆନନ୍ଦ ଦିଏ ସେଇ ପିଲାଦିନ ଶୈଶବ ଓ କୈଶୋର ଏବେ ଅତୀତ । ଧୂଳି ଜମିଗଲାଣି ତା ଉପରେ । ପାଖି ତା ପ୍ରେମ ସଂସାର କରୁଛି ଆର ସହି ବିଶୁ ସହ । ପାଖି ପ୍ରେମ ଅତୀତ । ତଥାପି ସେ ମନ ପଟେ ଜହ୍ନ କେବେ କେବେ କଡ଼ ଲେଉଟେଇଲେ ବର୍ତ୍ତମାନ ଜୀବନ ଆକାଶରେ । ସୁଖଦାୟୀ ଜୀବନର ପ୍ରଥମ ପୃଷ୍ଠା ।


      ଏବେର ଜୀବନ ବର୍ତ୍ତମାନ । ସ୍ତ୍ରୀ ପିଲା ରୋଗୀଣା ବୋଉ ଅଳ୍ପ ଦରମାର ଚାକିରୀ । ବାପା ଚାକିରୀ କରିବା ପୂର୍ବରୁ ମାରି ଯାଇଛନ୍ତି । ଜାଗା ଖଣ୍ଡେ କିଣି ସହରରେ ଘର ବଖୁରାଏ କରି ନପାରିବାର ଅବଶୋଷ । ପୁଅଟା ପାଠ ନପଢି ଛକରେ ମଦ ଖାଇ ଗଡ଼ିବା କଷ୍ଟ ଛାତି ଫଟାଏ । ମୋ ପୁଅ ମୋ ପରି ହୋଇପାରିନି ବାଧ୍ୟ ଅଜ୍ଞାବହ ଶ୍ରବଣ କୁମାର ପୁତ୍ର । ଯିଏକି ବାପାଙ୍କ ଖୁସି ପାଇଁ ପାଖିକୁ ଭଲ ପାଇଲେ ମଧ୍ୟ ବିବାହ କରି ପାରିନଥିଲା କେବଳ ବାପା ମନ ଉଣା କଲେ ବୋଲି । ମୋ ପୁଅ ଅବାଧ୍ୟ ପୁଅ କି ମୁଁ ନିଜେ ସେତିକି ଯୋଗ୍ୟ ବାପା ନୁହେଁ ଏ କଥା ବି ମୋତେ ଦ୍ଵନ୍ଦରେ ପକାଏ । ବୋଧେ ମୁଁ ମୋ ବାପା ପରି ସେତିକି ସ୍ଥାନ ସମ୍ମାନ ସୃଷ୍ଟି କରି ପାରିନି ମୋ ପିଲାଙ୍କ ମନ ଭିତରେ ।


      ବର୍ତ୍ତମାନ ମୋର ସଂଘର୍ଷମୟ ଜୀବନ,ସ୍ବପ୍ନ,ଆଶା ସହ । ବୋଉକୁ ଅତି ଭଲ ଡାକ୍ତରି ଚିକିତ୍ସା ଦେଇପାରୁନି କାରଣ ଅଣ୍ଟୁନି ମୋ ରୋଜଗାର ଡାଲି ଭାତକୁ । ପୁଅ ମାଗିଲା ଗାଡି ଚଢି ବୁଲିବ । ଦେଇ ପାରିଲିନି । ପୁଅ କହିଲା ପଢିବ ପଇସା ଦିଆ କଲେଜରେ ଲକ୍ଷ ଲକ୍ଷ ଟଙ୍କା ଦେଇ ପଢ଼ିବ । ତା ବି କେଉଁଠୁ ପାରିଲି । ବାପା ତାର ଗୋଟେ ସ୍କୁଲ ପିଅନ ବୁଝିଲାନି ନେତାଙ୍କ ପଛେ ଗୋଡ଼ାଇଲା । ନେତା ମୋ ପୁଅର ବେକାରୀ ଫାଇଦା ଉଠାଇଲେ ହଁ କରିଦେବି କହି କହି ନିଜ ପାର୍ଟିର ପ୍ରଚାର କାମରେ ଲଗାଇଲେ ମୋ ପୁଅକୁ ଗାଡି ଓ ତେଲ ଦେଲେ ପେଟକୁ ପେଟେ ମଦ ବି । ନଷ୍ଟ ହୋଇଗଲା ପୁଅ ମୋ ହାତରୁ ଖସିଗଲା । ଅସାମାଜିକ କାମ କଲା । ନେତା ଆସି ମୁକାଳିଲା । ମୋ ପୁଅ ମୋଠୁ ଦୁରେଇ ଗଲା ହୋଇଗଲା ଅସାମାଜିକ ଯୁବକ ଦେଶକୁ ପୀଡା ଦେଉଥିବା ଗୋଟେ ବଥ ।


    ଝିଅଟି ମୋର ଭଲ ପଢେ । ବୃତ୍ତି ପାଉଥିଲା । ସେଇ ହିଁ ମୋର ସ୍ବପ୍ନକୁ ସଫଳ କରିବ ମୋ ଗରିବୀ ଅସହାୟତାକୁ ବୁଝିବ ବୋଲି ଆଶା ପୋଷଣ କଲି ଯେ ସେ ରେଜେଷ୍ଟ୍ରି ମ୍ୟାରେଜ କରି ଘର ବସେଇଲାଣି ମୋ ଆଶୀର୍ବାଦ ବିନା । ଶୁଣୁଛି ତାର ଗୋଟେ ପୁଅ ହୋଇଛି । ସେ ପୁନେରେ ଅଛି । ନାତି ଟୋକାକୁ ଦେଖିବାକୁ ମନ । କିନ୍ତୁ ଯାଇ ହେଉନି ବାପା ପଣିଆକୁ ବାଧୁଛି ବୋଲି ।


       ଲାଗୁଛି ବୋଉ ଆଉ ବେଶୀ ଦିନ ନୁହେଁ । କତରା ଲଗା ହୋଇଗଲାଣି । ମୋର ଚାକିରୀ ଆଉ ଦୁଇବର୍ଷ ଅଛି । ସ୍ତ୍ରୀ ଟି ଉଲୁଗୁଣା ଦିଏ ଧିକ୍କାର କରେ ମୋ ପାରିବା ପଣିଆକୁ ପୁରୁଷତ୍ୱକୁ । ବର୍ତ୍ତମାନ ମୋର କ୍ଷତାକ୍ତ । ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ପୋଡା ଆମଲେଟ୍ ଆଶା । ଜୀବନର ଦ୍ୱିତୀୟ ପୃଷ୍ଠା ମୋର ହା ହୁତାଶ ପୂର୍ଣ୍ଣ କିନ୍ତୁ ମାୟା ମୋହର ସୁନା ହରିଣ ।


        ମୁଁ ଜାଣିନି ଅଜଣା ଭବିଷ୍ୟତ ମୋର କଣ ହେବ? ଭବିଷ୍ୟତ ପୃଷ୍ଠା ମୋ ପାଇଁ ଅପଢ଼ା । ମୁଁ ଚକ୍ରଧର ପର୍ବତ ପିଅନ,ବହୁତ ଦୌଡ଼ିଲିଣି; ମୋ ଘର ସଂସାର ହୋଇ । କିଛି ଦିନ ପରେ ମୁଁ ଅସ୍ତ ହୋଇ ଦିଗବଳୟରେ ମିଶିଯିବି । କିଛି ନେଇକି ଆସି ନଥିଲି,କିଛି ନେବିନି ବି । ଏଇଟା ମୁଁ ଜାଣେ ତଥାପି ଅବୁଝା ହୁଏ । ପୁଣି ମାୟା ମୋହର ଦଲ୍ ଦଲ୍ ରେ ଫସିଯାଏ । ମୋ ସାଙ୍ଗ ବାଥ୍ ରୁମ୍ ରେ ପଡି ହଠାତ୍ ଚାଲିଗଲା । ଆମ ପଡୋଶୀ ଶିବୁ ବାବୁ ବୃଦ୍ଧାଶ୍ରମରେ ମଲେ ଯେ ପୁଅ ମୁଖାଗ୍ନି ଦେବାକୁ ଆସି ପାରିଲାନି ଆମେରିକାରୁ ଖବର ଗଲେବି । ମେଘା ନାନୀ ତିନି ବର୍ଷ ହେଲା ପକ୍ଷଘାତ ରୋଗରେ ଆକ୍ରାନ୍ତ । ସମସ୍ତେ ଚାହୁଁଛନ୍ତି ମରି ଯାଉ ତରି ଯାଉ । କିନ୍ତୁ ନିଃଶ୍ୱାସ ବନ୍ଦ ହେଉନି । ମୋ ଭବିଷ୍ୟତ ସେମିତିରେ ବି ଅଜଣା । କିନ୍ତୁ ସମସ୍ତଙ୍କ ଯାତନା ଦେଖି ମୋର ଭାରି ଭୟ । ଭବିଷ୍ୟତ ଭୟରେ ମୋ ଜୀବନର ସନ୍ଧ୍ୟାକୁ ଅପେକ୍ଷା ମୋର । ହେ ଚିର ସତ୍ୟ ପ୍ରିୟତମ ତୁମେ ଆସ ମୋତେ କୋଳାଗ୍ରତ କର,ଆଲିଙ୍ଗନ କର । ମୋତେ ଭଲ ପାଅ । ଲିଭେଇ ଦିଅ ମୋ ଭିତରର ଦୁଃଖ,ଯନ୍ତ୍ରଣା ସବୁଦିନ । ଆସ ପ୍ରିୟତମ ମୁଁ ବାହୁ ପ୍ରସାରୀ ଅପେକ୍ଷା ରତ ତୁମକୁ ।


   ଜୀବନର ତିନି ପୃଷ୍ଠା ଅତୀତ ,ବର୍ତ୍ତମାନକୁ ପଢି ପାରିଛି । ପଢି ପାରୁନି ଶେଷ ପୃଷ୍ଠା ଭବିଷ୍ୟତକୁ । କାରଣ ସେ ପୃଷ୍ଠା ସମ୍ପୂର୍ଣ୍ଣ କଳା ଓ ଅସ୍ପଷ୍ଟ ।



Rate this content
Log in

Similar oriya story from Tragedy