Sunanda Mohanty

Tragedy Thriller Others

3  

Sunanda Mohanty

Tragedy Thriller Others

ତାସଘର

ତାସଘର

3 mins
5


ନେତି ଆଈ ନଇଁ ପଡ଼ିଥିଲେ ବି ଭାଜେ ମୁଢ଼ି. ହାଟରେ ତା ମୁଢ଼ି଼ର ଭାଉ ଜୋର. ମୁଢ଼ି କିଣିବା ସହ ତା ମୁଢ଼ି ପାଗ ପାଇଁ ତା ପାଖରେ ହାଟରେ ଭାରି ଭିଡ଼. ମିକ୍ସଚର, ବୁଟ ଭଜା,ବାଦାମ ଭଜା, ନଡିଆ କୋରା ସାଙ୍ଗକୁ ଧନିଆଁ ପତ୍ର ଓ ଖଟା ପାଣି ଅଳ୍ପ ଗୋଳେଇ ମୁଢ଼ି ପାଗ ଯିଏ ଖାଇଛି ସେ କେବେ ଭୁଲିନି ବରଂ ଭିଡ଼ ଜମେଇଛି. ନେତି ବୁଢ଼ୀ ମଧ୍ୟ ସମସ୍ତଙ୍କୁ ମୁଢ଼ି ପାଗ ଠୋଲାରେ ବଢ଼େଇ ଦେବାରେ ଅଭ୍ୟସ୍ତ ହାତ ଦୁଇଟା ପାଇଛି ଯେମିତି. ବଳି ପଡିଲେ ପାଖରେ ଗାଈ ବଳଦ ବିକୁଥିବା ଗୋବିନ୍ଦ ଗାଈ ବଳଦ ଭିତରୁ ସେଇ କଳା ଦାମ୍ବୁଡ଼ିଟା ପାଖେ ଅଜାଡି ଦେଇ ଆଉଁସି ଆଣେ ତା ଦେହ. ମନେ ମନେ ଭାବେ କେବେ ଯିବୁ ମୋ ଘରକୁ କେଜାଣି!ବାକି ପଇସା ସିନା ଗୋବିନ୍ଦ ହାତରେ ପଇଠ କଲେ ସେ ଦେବ ଦାମ୍ବୁଡ଼ିଟାକୁ!ନାତିଟା କୋଉଦିନୁ କହିଲାଣି ଖରା ହଉଛି ଜେଜି ମୋ ପାଇଁ ରଙ୍ଗୀନ ଛତା ଓ ଚପଲ କିଣିଦେ. ବୁଢ଼ୀର ତ ଦାମ୍ବୁଡ଼ିଟିକୁ କିଣିବାକୁ ଭାରି ମନ. ଅଣ୍ଟା ନଇଁ ପଡିଲେ ମଧ୍ୟ ତା ହାତର ଯାଦୁରେ ଯେଉଁ ମୁଢ଼ି ଫୁଟେ ସେଥିରେ ଟିକେ କ୍ଷୀର ପକେଇ ଜେଜିମା ନାତି ଖାଇଲେ ପୋଷଣ ପାଇବ ଶରୀର. ବାଡ଼ି ବଗିଚାରେ କରିଥିବା ସବୁଜ ସଜ ପନିପରିବା ଖାଉଥିଲେ ବି ଭିଟାମିନ(12) ବାର ଦିହକୁ ହିତ ବୋଲି ନାତିଆ କହେ ତ ପାକୁଆ ପାଟି ମେଲାଇ ହସିଦିଏ ନେତି ଆଈ କହେ ଦୁହାଁଳିଆ ଗାଈ ସିନା କିଣି ହବନି ଦାମ୍ବୁଡ଼ିଟିଏ କିଣି କଅଁଳ ଦୁବଘାସ ଖାଇ ଦିନ କେଇଟାରେ ଦୁହାଁଳିଆ ଗାଈ ହେବାକୁ କେତେ ଦିନ ଲାଗିବ?ହାଟରେ ଠାଵ କରିଥିବା କଳା ଦାମ୍ବୁଡ଼ିଟିକୁ ନିଶ୍ଚୟ ଦିନ କେଇଟାରେ ଘରକୁ ଆଣିବ ନେତି ବୁଢ଼ୀ. ମୁଢ଼ି ବିକା ପଇସା ଏକାଠି କରି ଘରକୁ ଆଣିବ ନେତକୁ ନିଶ୍ଚୟ ।

      ନାତି ବାବୁଲାଟା ଭାରି ବଗୁଲିଆ ହେଲାଣି. ବାପା ମାଆ ଛେଉଣ୍ଡ ପିଲାଟାକୁ ଆକଟି କିଛି କହିପାରେନା ନେତି ବୁଢ଼ୀ ହେଲେ ବାବୁଲା କହୁଥାଏ ବୁଝିଲୁ ଜେଜିମା ଦିବା ସ୍ବପ୍ନ ଦେଖେନା. ସେଇ ଭିକାରୀ ଗପ ଶୁଣିନୁ କି?ଭିକ୍ଷା କରି କରି ପେଟରୁ କାଟି ଅନାଗତ ଭବିଷ୍ୟତ ପାଇଁ ସଞ୍ଚୟ କରିଥିବା ପଇସା ଘଡିଟିକୁ ମୁଣ୍ଡ ଉପରେ ଟାଙ୍ଗି ଶୋଉ ଶୋଉ ସ୍ବପ୍ନ ଦେଖୁଥିଲା ଯେ ଆଉ କିଛି ପଇସା ହୋଇଗଲେ ଭଲ ଝିଅଟିଏ ଦେଖି ବାହା ହେବ.ଗୋଟେ ଭଲ ଘରେ ରହିବ.ତାର ଗୋଟେ ସୁନ୍ଦର ପୁଅ ହେବ.ତାକୁ ପାଠ ପଢ଼ାଇବା ବେଳେ ପଣିକିଆ ନଆସିଲେ ଦେବି ଯେ ଗୋଟେ ଚଟକଣା କହି ପଇସା ଘଡିକୁ ଏମିତି ପାହାରେ ଦେଲା ଯେ ଗୋଟି ଗୋଟି ସଞ୍ଚିଥିବା ପଇସାକୁ ପୁଣି ଏକତ୍ର କରିବାକୁ ଯାଇ ସେ ସେଦିନ ବୁଝି ଯାଇଥିଲା ଯେ ଦିବାସ୍ବପ୍ନ ଖାଲି ଯାତନା ଛଡା ଆଉ କିଛି ନୁହେଁ . ତେଣୁ ତୁ ଆଉ ସେ ଦିବସ୍ବପ୍ନ ଦେଖେନା. ନେତି ବୁଢ଼ୀ କହେ ମୁଁ ବଡ଼ ସ୍ବପ୍ନ କିଛି ଦେଖୁନିରେ ଧନ. ମନେ ମନେ ଭାବେ ନାତିଟା ମନ ମସ୍ତିଷ୍କରେ ବଡ଼ ହେଲାଣି. ବଢନ୍ତା ଶରୀର ଓ ମୁଣ୍ଡ ପାଇଁ ସେ ଯେମିତି ହେଲେ ଗାଈଟିଏ କିଣି ବାବୁଲାକୁ କ୍ଷୀର ପିଆଇବ ।

   ନେତି ବୁଢ଼ୀ ଏତିକି ଭାବୁ ଭାବୁ କାହୁଁ ଥିଲା କଳାହାଣ୍ଡିଆ ମେଘ ଉଠେଇ ଚାରିଆଡ଼ ଅନ୍ଧାର ଦିଶିଲା. ମାଇକିରେ ଡାକ ପଡିଥିଲା ଘୁର୍ଣ୍ଣିଝଡ଼ ଆସୁଛି ଯିଏ ଯାହା ଜିନିଷ ପତ୍ର ନେଇ ସୁବିଧା ଯାଗା ଦେଖି ଉଠିଯାଅ . ବୁଢ଼ୀ ଘୋଡେଇ ଦେଲା ମୁଢ଼ି ଅଖାକୁ. ଚାହିଁଲା ପାଖ ଗୋରୁ ହାଟକୁ. ଗୋବିନ୍ଦା ଗାଈ ବାଛୁରୀ ଅଡ଼େଇ ଯାଉ ଯାଉ କଳା ମଚମଚ ଦାମ୍ବୁଡ଼ିଟା ଅଟକି ଗଲା. ନେତି ବୁଢ଼ୀ ଡାକିଲା ଆ ଆ ନେତ . ସେତେବେଳକୁ ବରକୋଳିଆ ଟୋପା ପଡି ଅନ୍ଧାର. ଛିଟିକା ମାରି ମୁଢ଼ି ଅଖା ଓଦା ହୋଇଆସୁଛି. କୁଆଡେ ଗଲା ବାବୁଲା ବାରବୁଲା?ଦାମ୍ବୁଡ଼ିକୁ ଛାଡ଼ି ଗୋବିନ୍ଦ ବାହାରି ଗଲାଣି. ମୁଢ଼ି ଆଞ୍ଜୁଳେ ଥୋଇ ଆଉଁସିଲା ନେତି ବୁଢ଼ୀ ଦମ୍ବୁଡ଼ିକୁ. ତା ପରେ ପରେ ବିଜୁଳି ଘଡଘଡି ଚଡଚଡି ତୁହାକୁ ତୁହା. ହଠାତ ଚଡଚଡି ପଡି ଦମ୍ବୁଡ଼ିଟା ଚାରିକାତ ମେଲାଇ ପଡିଗଲା. ଦୁଇଘଣ୍ଟା ପରେ କାଳବୈଶାଖିର କୋପରୁ ନେତି ବୁଢ଼ୀ ସିନା ରକ୍ଷା ପାଇଗଲା ହେଲେ ଗୋବିନ୍ଦ ପୋଲିସ ନେଇ ହାଜର. ଏଇ ବୁଢ଼ୀ ମୁଢ଼ି ଦେଇ ମୋ ଦାମ୍ବୁଡ଼ିକୁ ମାରିଛି. ନେହୁରା ହେଲା ବୁଢ଼ୀ. ଯେତେ ସତ କହିଲେ ବି ଦାରୋଗାବାବୁ ଛାଡିଲା ନାହିଁ. ଅଣ୍ଟିରୁ କାଢି ଦୁଇଶହ ଟଙ୍କା ଗଣି ବୁଢ଼ୀ ଫେରୁଥିଲା ଚିରା ଫଟା ଛତା ଭିତରେ ବାବୁଲା ସହ.ଯିବା ପୂର୍ବରୁ ଦାମ୍ବୁଡ଼ିକୁ ବୁଲି ଚାହିଁବାର ସାହାସ ନଥିଲା କି କହିପାରୁନଥିଲା ପୋଲିସକୁ ସେ ଦାମ୍ବୁଡ଼ି କିଣିବା ପାଇଁ ଗୋବିନ୍ଦକୁ ଦେଇଥିବା ଦୁଇଶହ ଲେଖାଏଁ ବାରଶହଟଙ୍କା ଫେରିପାଇବାର ଅଛି. ଗଲାବେଳେ ଦାମ୍ବୁଡ଼ିଟାକୁ ଟିକେ ଆଉଁସି ନପାରି ଓଦା ମୁଢ଼ି ବସ୍ତା ଛାଡ଼ି ବୁଢ଼ୀ ଚାଲୁଥିଲା ନଇଁ ନଇଁ ନାତି ସହ କାନ୍ଦି କାନ୍ଦି.ବୁଢ଼ୀର ସ୍ବପ୍ନ ଭାଙ୍ଗି ଚୁନା ହୋଇଯାଇଥିଲା ।



Rate this content
Log in

Similar oriya story from Tragedy