ତାଲାବନ୍ଦ
ତାଲାବନ୍ଦ


ଏଇ ତାଲାବନ୍ଦଟା ବି ମଣିଷ ସହ ଭେଦଭାବ କରିବାରେ କିଛି ପଛୁଆ ନୁହେଁ। କାହା ପାଇଁ ପୁଷମାସ ତ ଆଉ କାହାର ସର୍ବନାଶ! ଥିଲାବାଲା ଆଉ ନଥିଲାବାଲା ମଧ୍ୟରେ ଥିବା ଅଲ୍ଲଂଘନୀୟ ପାଚେରୀକୁ ଆହୁରି ଦୀର୍ଘ ଓ ଉଚ୍ଚ କରିଦେଇଛି। ମୋ ପାଇଁ ମଣିଷ ଗୋଟିଏ ଜୀବ କିନ୍ତୁ ଦିଇଟା ଜାତି! ଥିଲାବାଲା ଆଉ ନଥିଲାବାଲା! ଏହା ମୋର କୌଣସି ଯାତ୍ରା ନାଟକର ସଂଳାପ ନୁହେଁ ବରଂ ମୋ ଜୀବନ ଯାତ୍ରାରେ ଅନୁଭବ କରିଥିବା ତମାମ ତିକ୍ତ ମଧୁର ଅନୁଭୂତିରୁ ନିଛକ ସତ୍ୟର ପରିପ୍ରକାଶ।
ମୋର ପରିଚୟ ତ ଏବେ ଯାଏଁ ଆପଣମାନଙ୍କୁ ଦେଇନାହିଁ। ମୁଁ ପୃଥ୍ଵୀରାଜ ଜୟସିଂହ! କିଛି ମନେପଡିଲା କି କାହାର? ହଁ, କେମିତି ବା ମନେ ରଖିବ କିଏ ମୋତେ? ଏଠି ସଭିଏଁ ତ ସାଥୀ ସୁଖ ସମୟରେ, ଦୁଃଖରେ ଚିହ୍ନି ପାରିବା ବଡ଼ କଥା!
ଆଉ ଥରେ ନିଜକୁ ଚିହ୍ନାଇ ଦେଉଛି। ମୁଁ ପୃଥ୍ୱୀରାଜ ଜୟସିଂହ! ଭାରତ ବିଖ୍ୟାତ ଅମରାବତୀ ଅପେରାର ପ୍ରମୁଖ କଳାକାର। ଦିନେ ଯାହାର ଗୋଟିଏ ଝଲକରେ ରଙ୍ଗମଞ୍ଚ କମ୍ପି ଉଠୁଥିଲା କରତାଳି ଆଉ ହ୍ବିସିଲ୍ ମାଡରେ, ହିରୋଇନ ସହ ରୋମାଣ୍ଟିକ୍ ସିନ୍ ବେଳେ ଚେୟାର ଉଡେ ପବନରେ। ମୁହିଁ ସେଇ କଳାକାର। ଯାତ୍ରା ନାଟକର ଅପ୍ରତିଦ୍ୱନ୍ଦୀ ନାୟକ, ଅଦ୍ୱିତୀୟ ଅଭିନୟ ମୋର। ଲୋକେ ଟିକଟ ଖଣ୍ଡେ ପାଇବା ପାଇଁ ଏମିତି ଭିଡ଼ ଜମାନ୍ତି ଯେ ଲାଠିଚାର୍ଜ ଯାଏ କଥାଯାଏ।
ହେଲେ ଏ ବର୍ଷ ଯାତ୍ରା ଋତୁର ମଝିରେ କରୋନା ମହାମାରୀର ତାଣ୍ଡବ ସବୁକିଛି ଓଲଟପାଲଟ କରିଦେଲା। ଯାତ୍ରାକୁ ଜୀବିକା ନିର୍ବାହର ମାଧ୍ୟମ କରିଥିବା ହଜାର ହଜାର କଳାକାର ଓ ଟେକ୍ନିସିଆନ୍ ଏବେ ବେକାର। ନା ଏବେ ଅଛି କଳାର ବଜାର ନା ଟିକଟର କଳାବଜାରୀ! ସବୁ ଶୂନ୍ୟ ହିଁ ଶୂନ୍ୟ। ଏ କରୋନା ମହାମାରୀ ଆଉ ତାସହିତ ତାଲାବନ୍ଦ ଆମ ଭଳି କଳାକାରଙ୍କ ପାଇଁ ଗୋଟେ ଖଳନାୟକ। ଗୋଟିଏ ମୁହୂର୍ତ୍ତରେ ସବୁକିଛି ଛାରଖାର ହୋଇଯାଇଛି। ସମଗ୍ର ବିଶ୍ୱ ଏବେ କରୋନାମୟ, ସମସ୍ତଙ୍କ ମୁହଁରେ ତାରି ଚର୍ଚ୍ଚା। ଅସମ୍ଭବ ଭୟର ବାତାବରଣ ସବୁଆଡ଼େ।
ମାନବିକତା ଆଜି ଧ୍ଵଂସ ମୁଖରେ। ନିଜ ବିନା ଅନ୍ଯ କାହା ପାଇଁ କାହାର ବି ସମ୍ବେଦନଶୀଳତା ନାହିଁ କି ବିଶ୍ବାସ ବି ନାହିଁ। କେବଳ ଅର୍ଥ ହିଁ ଅର୍ଥ ଚିନ୍ତା ଘାରିଛି ସଭିଙ୍କୁ। ଏପରି ସ୍ଥିତିରେ ବି ମୁନାଫାଖୋର ଲୋକ ଲାଭ କମେଇବାକୁ କୁଣ୍ଠାବୋଧ କରୁନାହାଁନ୍ତି। ମାନବୀୟ ମୁଲ୍ୟବୋଧର ଗଭୀର ଅବକ୍ଷୟ ଘଟିଛି ଦିନ କେଇଟାରେ।
ଏଇ ତାଲାବନ୍ଦ କାହା ପାଇଁ ହୋଇଥିବ ସ୍ମୃତି ମଧୁର କ୍ଷଣ ପ୍ରିୟଜନର ସାନିଧ୍ୟ ଲାଭରେ କିନ୍ତୁ ମୋ ପରି ଯାଯାବରଟିଏ ପାଇଁ ଅକଥନୀୟ ଅତ୍ୟାଚାର ଏବଂ ଅସହ୍ୟ ଦୁଃଖ ଭରା ଅନୁଭୂତି। ଜଠରାଗ୍ନିର ଜ୍ଵାଳା ଯେ କେତେ ଭୟଙ୍କର ଓ ସର୍ବଗ୍ରାସୀ ମର୍ମେ ମର୍ମେ ଅନୁଭବ କରିଛି ପହିଲିବାର। ଅନିଶ୍ଚିତ ଭବିଷ୍ୟତକୁ ନେଇ କାଟୁଥିବା ପ୍ରତିଟି ମୁହୂର୍ତ୍ତ ସୁଖପ୍ରଦ ହେବ କିପରି? କବିର କଳ୍ପନାବିଳାସ କଣ ଦୁରେଇ ଦେଇ ପାରିବ ଏ ପାଣ୍ଡୁର ବାସ୍ତବତାକୁ??
ଯିଏ ସବୁ ଆରାମରେ ଘରେ ରହିଲେ ତାଲାବନ୍ଦ ପାଇଁ, ଭଳିକି ଭଳି ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ଭାଇରାଲ୍ କଲେ ସୋସିଆଲ ମିଡିଆରେ । କିନ୍ତୁ ଥରଟେ ବି କେହି ଭାବିଛି କି ଘରଭଡ଼ା ଦେଇନପାରି ଖୋଲା ଆକାଶ ତଳେ ଅଖିଆ ଅପିଆ ଦିନ କାଟୁଥିବା ଅସଂଖ୍ଯ ଲୋକଙ୍କ କଥା। ଧୂ ଧୂ ଖରାରେ ହଜାର ହଜାର ମାଇଲ ଖାଲି ପାଦରେ ଚାଲି ଚାଲି ଯାଉଥିବା ଅସହାୟ ଲୋକଙ୍କୁ ଦେଖିଲେ ମନେ ହୁଏ ପ୍ରାଣ ରକ୍ଷା ପାଇଁ ଏ ପଳାୟନ। ଏଇ ଲୋକଙ୍କ ମଧ୍ୟରେ ମୁଁ ବି ଜଣେ ଅରକ୍ଷିତ ବେସାହାରା ସର୍ବହରା। ଚାରିଟା ମାସର ପାଉଣା ନପାଇ ହନ୍ତସନ୍ତ ହେଉଥିବା ମଣିଷଟିଏ।
ଯେତେବେଳେ ରୋଜଗାରର ବାଟ ବନ୍ଦ ହୋଇଯାଏ, ସେତେବେଳେ ଘର ଭଡା, ଖାଇବା ଖର୍ଚ୍ଚ , ସ୍କୁଲ୍ ଫିସ୍, ଲୋନ୍ ଇ.ଏମ୍.ଆଇ. ସବୁ ଭାରି ପଡେ ଏକା ସାଙ୍ଗରେ ଏକାକୀ ମଣିଷ ଉପରେ। ପିଲା ସ୍କୁଲ ନଯାଆନ୍ତୁ କି ପାଠ ନପଢନ୍ତୁ ପଛେ ଫିସ୍ ଦିଅ। ପାଖରେ ପଇସା ଥାଉ କି ନଥାଉ ଘରଭଡ଼ା ଦିଅ, ଇ.ଏମ୍.ଆଇ. ଭର। କିନ୍ତୁ କେହିଜଣେ ବି ପଚାରୁନି ଦରମା ମିଳିଛି କି ନାହିଁ? ଏ ଅସମୟରେ କେମିତି ଚଳୁଛ?
ବହୁକୁଟୁମ୍ବୀ ପରିବାର ପ୍ରତିପୋଷଣ କରିବା କେତେ ଯେ କଷ୍ଟକର ତାହା ବଖାଣିବା ମୁସ୍କିଲ। ଏଇଟା ମୋର ଅନୁଭବ। ଆମ ପରି ଖଟିଖିଆ ମେହନତି ଲୋକ ସଦାସର୍ବଦା ଲୁଟିଖିଆଙ୍କ ଦ୍ଵାରା ଶୋଷିତ। ଆମର ଶୋଣିତରେ ସେମାନେ ପ୍ରତିପାଳିତ। ଅଥଚ ଏ ଦୁର୍ଦ୍ଦିନରେ ଆମକୁ ରାସ୍ତାରେ ଠିଆ କରାଇଦେଇ ନିଜେ ଘରର ଚାରିକାନ୍ଥ ମଧ୍ୟରେ ସୁରକ୍ଷିତ। ହୃଦୟହୀନ ସମ୍ବେଦନଶୂନ୍ଯ ଏଇ ତଥାକଥିତ ଭଦ୍ରମୁଖା ପିନ୍ଧା ପୁଞ୍ଜି ଐରାବତମାନେ ଆମର ଦୁର୍ଦ୍ଦଶାରେ ବି ଲୁଟୁଛନ୍ତି ଜାନ୍ତବ ପୈଶାଚିକ ଆନନ୍ଦ। ନୀତିହୀନ ରାଜନୀତିକୁ ପେଶା କରିଥିବା ଠିକାଦାରମାନେ କାଦୁଅ ଫିଙ୍ଗାରେ ବ୍ଯସ୍ତ। ଆଉ କଣ ବା ଆଶା କରାଯାଇପାରେ ଏଇ ପରାଙ୍ଗପୁଷ୍ଟ ପରଜିବୀ ଅମେରୁଦଣ୍ଡୀମାନଙ୍କ ଠାରୁ?
ମୁହଁରେ ରଙ୍ଗ ମାଖି ଆମେ କଳାକାରମାନେ ଦୁନିଆଁ ସାମ୍ନାରେ ରଙ୍ଗମଞ୍ଚକୁ ଆସୁ ସୁନ୍ଦର ଦେଖାଯିବା ପାଇଁ ନୁହେଁ ବରଂ ଦୁଃଖକୁ ଲୁଚାଇ ସଭିଙ୍କର ମନୋରଞ୍ଜନ କରିବା ପାଇଁ। କେହି କେବେ ଜାଣିବାକୁ ଚାହିଁଛି କି ଗୋଟେ କଳାକାର କେତେ ଦୁଃଖରେ ଜିଏଁ ଜୀବନ। ସମସ୍ତେ ନାଟକର ଟିକଟ ଭାଉ ଦେଖନ୍ତି କିନ୍ତୁ କଳାକାରର ପାଉଣା କଥା କେହି ବି ପଚାରନ୍ତି ନାହିଁ।
ଦୁନିଆ ଦାଣ୍ଡରେ ଆମ ରୂପର ଅଭିନୟର ତ ମୂଲ୍ଯ ଅଛି କିନ୍ତୁ ଆମ ଅସରନ୍ତି ଦୁଃଖ ଦୁର୍ଦ୍ଦଶାର କିଛି ଉପସମ ନାହିଁ। ଏଇ ତାଲାବନ୍ଦ ହିଁ ଆଜି ଚିହ୍ନାଇ ଦେଇଛି ମଣିଷ ରୂପୀ ଅମଣିଷମାନଙ୍କୁ...।