STORYMIRROR

Pravanjan Dash

Inspirational

3  

Pravanjan Dash

Inspirational

ତାବିଜ

ତାବିଜ

2 mins
251

ଅନେକ ଦିନ ତଳର କଥା ଥରେ ଏକ ସାଧୁବାବା ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଜଣେ ଯୁବକକୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦେଖିବାକୁ ପାଇଲେ । ଯୁବକ ଜଣକ ପ୍ରାୟ ସବୁ କାର୍ଯ୍ୟରେ ବିଫଳ ହୋଇ ହତାଶ ସାଜି ମନ ଦୁଃଖରେ ବସି ନିଜ ଜୀବନ ଓ ଭାଗ୍ୟକୁ ଧିକ୍କାର କରିବା ସହିତ ଆତ୍ମହତ୍ୟାର ମାନସିକତାରେ ଲିପ୍ତ ଥାଆନ୍ତି । ସାଧୁବାବା ଯୁବକ ଜଣକୁ ମନ ଦୁଃଖର କାରଣ ପଚାରିବା ମାତ୍ରେ ଯୁବକ ଜଣକ ନିଜ ଜୀବନର ସମସ୍ତ ବିଫଳତା, ଦୁଃଖ, ଅନୁତାପ, ଅଭିମାନ, ରାଗ ଇତ୍ୟାଦି ସାଧୁବାବାଙ୍କ ନିକଟରେ ବିସ୍ତୃତ ଭାବରେ ପ୍ରକାଶ କଲେ । ଦୁଃଖ ଶୁଣି ସାଧୁବାବା ଯୁବକକୁ ଆଶ୍ୱାସନା ଦେବା ସହିତ ଜୀବନରେ ବଡ଼ଲୋକ ହେବା ତାଙ୍କ ଭାଗ୍ୟରେ ଅଛି ବୋଲି କହି ତାଙ୍କୁ ଏକ ମନ୍ତ୍ରିତ ତାବିଜ ଉପହାର ସ୍ୱରୂପ ପ୍ରଦାନ କଲେ ଏବଂ ପ୍ରତ୍ୟେକ କାର୍ଯ୍ୟ ଆରମ୍ଭ ପୂର୍ବରୁ ଏହାକୁ ମୁଣ୍ଡରେ ଲଗାଇ ସ୍ମରଣ କଲେ ଅବଶ୍ୟ ଶୁଭଫଳ ଓ ସଫଳତା ମିଳିବ ବୋଲି ବଚନ ଦେଲେ ।

ଏହି ଘଟଣାକୁ ଅନେକ ଦିନ ପୁରି ଯାଇଥାଏ । ସମୟକ୍ରମେ ସାଧୁବାବା ମଧ୍ୟ ବାର୍ଦ୍ଧକ୍ୟରେ ଉପନୀତ ହୋଇଯାଇଥାନ୍ତି । ଥରେ ରାଜ୍ୟରେ ଏକ ବିରାଟ ମନ୍ଦିର ପ୍ରତିଷ୍ଠା ଅବସରରେ ସାଧୁବାବାଙ୍କୁ ମୁଖ୍ୟ ଅତିଥି ଭାବରେ ଯୋଗଦେବାର ଡାକରା ଆସିଥାଏ । ମହାନ୍ ଯୋଗୀ ତପସ୍ୱୀ ଜ୍ଞାନଧାରୀ ସାଧୁବାବାଙ୍କ ଉପସ୍ଥିତ ଲାଗି ମନ୍ଦିରକୁ ଆଲୋକ ଓ ଫୁଲରେ ଅଧିକ ଆକର୍ଷଣୀୟ କରାଯାଇଥାଏ । ମନ୍ଦିର ପ୍ରତିଷ୍ଠା ଦିନ ସମସ୍ତ ଅପେକ୍ଷାର ଅନ୍ତକରି ସାଧୁବାବା ଜଣକ ଲୋକାରଣ୍ୟ ମଧ୍ୟରେ ନବ ନିର୍ମିତ ମନ୍ଦିର ସମ୍ମୁଖରେ ଆସି ଉପସ୍ଥିତ ହେବା ମାତ୍ରେ ହଠାତ୍ ଜନ ଗହଳି ଭିତରୁ କେହି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପ୍ରତିପତ୍ତିଶୀଳ ବ୍ୟକ୍ତି ଜଣେ ଆସି ସାଧୁବାବାଙ୍କ ପାଦ ତଳେ ନତମସ୍ତକ ହୋଇ ପ୍ରଣାମ ଜଣାଇଲେ ଏବଂ ପରିଚୟ ଭାବରେ ଏକ ତାବିଜ ଦେଖାଇ ବହୁ ପୁରୁଣା ଦିନର ଜଙ୍ଗଲ ରାସ୍ତାରେ ଘଟିଥିବା ଘଟଣାକୁ ସାଧୁବାବାଙ୍କ ନିକଟରେ ପ୍ରକାଶ କଲେ । କ୍ଷମତାଧାରୀ ବ୍ୟକ୍ତି ଜଣକ ଥିଲେ ଜଙ୍ଗଲ ରାସ୍ତାର ସେହି ହତାଶ ଯୁବକ ।

ବ୍ୟକ୍ତି ଜଣକ କୃତଜ୍ଞତାର ସହ ଉପହାର ସ୍ଵରୂପ ପ୍ରଦାନ କରିଥିବା ତାବିଜର ଆଲୌକିକତା ସମ୍ପର୍କରେ ସାଧୁବାବାଙ୍କ ସମ୍ମୁଖରେ ବର୍ଣ୍ଣନା କରିବା ସହିତ ଏହି ତାବିଜ ବଳରେ ସେ ଯେ ଆଜି ଏ ସମାଜରେ ପ୍ରତିଷ୍ଠିତ ତାହା ମୁକ୍ତ କଣ୍ଠରେ ସ୍ୱୀକାର କଲେ । ଯେଉଁ କାର୍ଯ୍ୟକୁ ବାରମ୍ବାର କରି ସେ ବିଫଳ ହେଉଥିଲେ ତାବିଜର ଶକ୍ତି ବଳରେ ସେ ଆଜି ସବୁ କାର୍ଯ୍ୟରେ ସଫଳ ସିଦ୍ଧହସ୍ତ ଓ ଅଗ୍ରସର । ବ୍ୟକ୍ତି ଜଣଙ୍କର କଥା ସରିବା ମାତ୍ରେ ସାଧୁବାବା ଏକ ସ୍ମିତହାସ୍ୟ ଦେଇ ବ୍ୟକ୍ତିଜଣଙ୍କ ହାତରୁ ତାବିଜଟିକୁ ନେଇ ସର୍ବ ସମ୍ମୁଖରେ ଖୋଲି ଦେଲେ । ସମସ୍ତେ ସାଧୁବାବାଙ୍କର ଏହି କାର୍ଯ୍ୟ ଦେଖି ଅବାକ୍ ହୋଇ ଚାହିଁରହିଲେ । ଘଟଣାଟି ମଧ୍ୟ ଅତ୍ୟନ୍ତ ବେଶ୍ ଆଶ୍ଚର୍ଯ୍ୟଜନକ କାରଣ ତାବିଜର ଭିତରଟି ଥିଲା ସମ୍ପୂର୍ଣ୍ଣ ଶୂନ୍ୟ । ବ୍ୟକ୍ତି ଜଣଙ୍କ ମନ ମଧ୍ୟରେ ଉଠୁଥିବା ପ୍ରଶ୍ନକୁ ଅନୁମାନ କରି ସାଧୁବାବା ଉତ୍ତର ଦେଲେ, “ଏ ତାବିଜ ଆରମ୍ଭରୁ ହିଁ ଏପରି ଶୂନ୍ୟ ଥିଲା କେବଳ ତାହା ଥିଲା ତୁମ ଦୃଷ୍ଟି ଅଗୋଚରରେ ତୁମ ସଫଳତା ପାଇଁ ଏ ତାବିଜ ଅପେକ୍ଷା ତୁମ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ହିଁ ମୁଖ୍ୟ ଅସ୍ତ୍ର, ଏ ଶୂନ୍ୟ ତାବିଜ ଓ ମୋର କେଇ ପଦ ପ୍ରେରଣାପ୍ରଦ କଥା କେବଳ ତୁମ ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ୱାସ ବୃଦ୍ଧିର ଏକ ମାଧ୍ୟମ ମାତ୍ର, ଯାହାକି ମରୀଚିକା ଭଳି ଜୀବନର ମରୁଭୂମିରେ ତୁମର ଆତ୍ମବିଶ୍ୱାସକୁ ବଢ଼ାଇ ତୁମକୁ ସଫଳତାର ରାସ୍ତାରେ ଅନେକ ବାଟ ଚଲାଇ ଆଣିବା ପାଇଁ ସକ୍ଷମ ହୋଇଛି” । ସାଧୁବାବାଙ୍କର କଥା ଶୁଣି ଲୋକାରଣ୍ୟ ଥିବା ସ୍ଥାନ ଶୁନ୍ ଶାନ୍ ପରି ମନେ ହେଉଥିଲା । ସମସ୍ତେ ସାଧୁବାବାଙ୍କ ଉପହାର ସ୍ୱରୂପ ତାବିଜଟିକୁ ଦେଖି ଆଁ କରି ଚାହିଁ ରହିଥିଲେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational