ସୁନ୍ଦରୀ ଆମ୍ବ
ସୁନ୍ଦରୀ ଆମ୍ବ
ଟମି ଭୋ ଭୋ ହୋଇ କିଛି କହିବାକୁ ଚାହୁଁଥିଲା।
କଣ କିରେ ଟମି, କାହିଁକି ଏମିତି ଭୋ ଭୋ ହେଉଛୁ
। ଦି ମାସ ହେବ ସବୁବେଳେ ଭୋ ଭୋ ହେବା ତୋର ଗୋଟେ ବଦ ଅଭ୍ୟାସ ହୋଇ ଗଲାଣି।କଣ ହୋଇଛି ତୋର ? ଭୋକ ହେଲାଣି ? ଝାଡ଼ା ନା ପରିସ୍ରା ଯିବୁ?ଆମେ ନିଜକୁ ବୁଝାଇ ବଂଚିଛୁ ଟି ! ତୁ କାଇଁ ଏମିତି ହେଉଛୁ ?
ଟମି କେବଳ ଭୋ ଭୋ ହେଉଥିଲା ବନ୍ଦ ନ ହୋଇ।
ଦେଖୁଛୁ ଏ ବାଡ଼ି ! ଦେବି ଦି ପାହାରେ।ଚୁପ୍ ହୋଇଯିବୁ।
ତେବେ ବି ଟମି ଚୁପ୍ ହେଉ ନଥିଲା। ପଶୁ ହେଲେ ବି ମଣିଷଠାରୁ ଭଲ ବୁଦ୍ଧି। ଦି ମାସ ହେଲା ଅହରହ ଲୁହ ନିଗାଡୁଛି ଆଖିରୁ। ଆମ ଆଖି ଶୁଖିଲାଣି ପଛେ ସମୟ ଓ ଜୀବନ ସହ ବୁଝାମଣା କରି; ଟମିର କିନ୍ତୁ ଲୁହ ଶୁଖିବା ବନ୍ଦ ହେଉନି।ଆଲୋ ହେ ଜହ୍ନ ! କୁଆଡେ ଗଲେ ସେ ଛୁଆ ଦିଟା। ଡାକିଲୁ ତାଙ୍କୁ ବୁଝନ୍ତୁ ତାଙ୍କ ଗେଲ ବସରର ଟମି କଥା।
କୁଆଡେ ଯିବେ ଆଉ। ବାଡ଼ି ପଟ ବଗିଚାରେ ଖେଳୁଥିବେ।
ଆଲୋ ଡାକେ ତାଙ୍କୁ। ପବନ ବହିଲାଣି, ବାତ୍ୟା ହେବ ପରା।ତତେ ଦେଖା ଯାଉନି କିଛି, ଛୁଆ ଦିଟା ଙ୍କୁ ଛାଡି ଦେଇଛୁ। ଗଛ ଡାଳ ଫାଳ ଭାଙ୍ଗି ପଡିବ କାଳେ । ଆଲୋ ଦେଖେ ଦେଖେ ସେ ଆମ୍ବ ଗଛ ଆଡକୁ ଯାଇ ନାହାନ୍ତି ତ।ମୁଁ ତ ଠିକ୍ ରେ ଚାଲି ପାରୁ ନାହିଁ। ଆଣ୍ଠୁ ଗଣ୍ଠି ଟା ଧରିଛି। ତୁ ଯା ,ଦେଖେ ଛୁଆଙ୍କୁ ମୋର ।
ରୋଶନ! ରୁବି! ଆରେ କୁଆଡେ ଗଲ। ପବନ ବହିଲାଣି, ପଳେଇ ଆସ ଘର ଭିତରକୁ ରୋଶନ ।
ଜେଜେମା ଆମେ ଆମ୍ବ ଗୋଟାଉଛୁ। ପବନରେ ଟକ୍ ଟାକ୍ ଗଳି ପଡୁଛି ଆମ୍ବ ଗୁଡା।
ନାଇଁ ରେ ଧନ ଆମ୍ବ କିଏ ଖାଇବ? ଯେତିକି ହୋଇଛି ଆଣି ପଳେଇ ଆସ।ପବନ ଜୋରେ ବହିଲାଣି, ବର୍ଷା ବି ପକେଇଲାଣି । ଓଦା ହୁଅନି ରେ
ପିଲେ। ରୋଶନ; ରୁବିକୁ ଆଣି ପଳେଇ ଆ ବାବା। ଟମିଟା କେତେବେଳୁ ଭୁକୁଛି ତୁମକୁ ଶୁଭୁନି ? ଆସ ତା କଥା ବୁଝ ।
ଯାଉଛୁ ଯାଉଛୁ ଜେଜେମା।
ରୋଶନ ଓ ରୁବି ବାଲ୍ଟିଏ ସୁନ୍ଦରୀ ଆମ୍ବ ଧରି ପହଞ୍ଚିଲେ। ଏବର୍ଷ ଆମ ସବୁ ବର୍ଷଠାରୁ ବଡ଼ ବଡ଼ ହୋଇଛି।ନାଲି ଟହ ଟହ ଦିଶୁଛି। ରାଜୁଟା ଏଇ ଆମ୍ବ ଖାଇବାକୁ ଭାରି ସୁଖ ପାଏ । ତା ସହ ଭାଗ ବସେ ସ୍ୱପ୍ନା । ସବୁ ବର୍ଷ ଚାରିଟି କି ପାଞ୍ଚଟି ଆମ୍ବ ହୁଏ । କିନ୍ତୁ ଏ ବର୍ଷ ଆମ୍ବରେ ଗଛ ଭାଙ୍ଗି ପକାଉଛି। ଆମ୍ଭ ଦେଖି ଦେଖି ରାଜୁ କହିଲା , ଜାଣିଲୁ ମା ଏ ବର୍ଷ ମନ ଭରି ଆମ୍ବ ଖିଆ ହେବ। ସ୍ୱପ୍ନା ଅଳ୍ପ ଖାଇଲା ବୋଲି ଆଉ ମୁହଁ ଫୁଲେଇବ ନାହିଁ।
ଆରବର୍ଷ ଏଇ ଦିନ କଥା।
ତୁମେ ଏକା ସବୁ ଆମ୍ବ ଖାଇବ କି? ମା ଦେଖିଲ ରାଜୁ ସବୁ ଆମ୍ବ ଏକା ଏକା କେମିତି ଖାଉଛନ୍ତି ? ଆରେ ମୋ ପାଇଁ କିଛି ରଖ।
ଏ ଗଛ ମୋ ପାଇଁ ମୋ ମା ଲଗେଇଥିଲା।ଏଣୁ ଏ ଗଛର ଯେତେ ଆମ୍ବ ସବୁ ମୋର।କାହାକୁ ଦେବିନି,
ତୁମକୁ ବି ନୁହେଁ ସ୍ୱପ୍ନା।
ହେଉ ନ ଦିଅ। ଆମ୍ବରେ ଭାଗ ବସାଉନ ଆଉ କଣ ମୋତେ ଦେବ ମ କହି ଅଭିମାନରେ ସ୍ୱପ୍ନା ମୁହଁ ଫୁଲେଇ ବସେ।
ତା ମୁହଁ ଫୁଲାକୁ ଦେଖି ରାଜୁ କୁହେ, ତୁମ ଗାଲ ଦିଟା ବା ଏଇ ସୁନ୍ଦରୀ ଆମ୍ବ ପରି ଦିଶୁଛି କହି ମୁହଁ ଲଗେଇ ଦିଏ।ସ୍ୱପ୍ନା କୃତ୍ରିମ ରାଗ ଦେଖାଇ କୁହେ, ରଖ ମ ତୁମ ରସିକିଆ କଥା।ଏମିତି କହି କିସ୍ ଦେଇ ସବୁତକ ଆମ୍ବ ଏକା ଖାଇବ ଲାଗିଛ, ମୁଁ ଜାଣେ?
ଆରେ କାଇଁକି ସେମିତି ଛୁଆଙ୍କ ପରି ହେଉଛ। ରୋଶନ ଓ ରୁବି କଣ ଛୁଆ। ମୋ ପୁଅ ବୋହୂ ତ ତାଙ୍କ ଠାରୁ ବି ଛୁଆ।
ରୋଶନ ଓ ରୁବି ବି ଅପୂର୍ବ ପିଲା। ଆମ୍ବ ତାଙ୍କୁ ଭଲ ଲାଗେନି । ଅତି ବାଧ୍ୟ କଲେ ଚିରୁଡ଼ାଏ ନେବେ କି ନାହିଁ।ନଲେ ବାପା ମା ଛୁଆ ଆମ୍ବ ଲାଗି ବାଡ଼ିଆ ପିଟା ହୁଅନ୍ତେ।ଆଖୁ ରସିଆ ଆମ୍ବରେ ମୋର ଭାରି ଶରଧା ବୋଲି ଝୁଡ଼ି ଝୁଡ଼ି ଆଣେ ରାଜୁ।ସେ ସବୁ କିଣା ଆମ୍ବ ଯିଏ ଖାଉ କି ବାଣ୍ଟୁ ସେଥିରେ ତାର କିଛି ଯାଏ ଆସେନା।କିନ୍ତୁ ଏଇ ସୁନ୍ଦରୀ ଆମ୍ବ ସେ କାହାକୁ ଦବାକୁ ଭଲ ପାଏନି।ଗଛ ଟି ବି ସେମିତି କୃପଣ ;ଚାରିଟି କି ପାଞ୍ଚଟି ଆମ୍ବ ପ୍ରତି ବର୍ଷ ଫଳିବ। ମାଙ୍କଡ଼ ଦାଉରୁ ରକ୍ଷା କରିବା ପାଇଁ ଜାଲ ଗୁଡେଇ ପାଚିଲା ଯାଏ ରାଜୁ ରଖେ। ଗଛରେ ପାଚି ଗଳିଲେ ଆଣି ଖାଏ ।
କିନ୍ତୁ ଏ ବର୍ଷ ଦେଖ।କେମିତି ଖତେଇ ହୋଇ ଗଛ ଭାଙ୍ଗୁଛି ଆମ୍ବରେ କହି ଆଖି ପୋଛିଲା କାନିରେ ଜହ୍ନ।
ଜହ୍ନ ଲୋ !ଦଇବ କଣ ଏଇ ଦିନ ଦେଖେଇବ ବୋଲି ଆମକୁ ବଞ୍ଚେଇ ରଖିଲା।କେଉଁ କାମକୁ ଆମେ।ନା ପିଲାଙ୍କ ଯତ୍ନ ନେଇ ପାରିବା ନା ଭଲ ମଣିଷ କରି ପାରିବା। ପାଚିଲା ପତର କେତେ ବେଳେ ଖସିବା କିଏ କହିବ ? ଆମ ଅନ୍ତେ ଏ ପିଲାଙ୍କର କଣ ହେବ? କହିଲେ ବିଶ୍ୱ ମୋହନ।
ଦୀର୍ଘଶ୍ଵାସ ଛାଡି ଜହ୍ନ କହିଲା, ଆମ ଆଖି ତାଡି ନେଇ ଆହୁରି ଦୁଃଖ କଷ୍ଟ ଦେବାକୁ ରଖିଛି ପରା।
ଜେଜେ ମା ଦେଖ କେତେ ବଡ଼ ବଡ଼ ଆମ୍ବ।ବାବା ମାମା ଏ ଆମ୍ବ ଖାଇବାକୁ ଭଲ ପାଆନ୍ତି ବା।
ରଖିଦିଅ ବାବା ଆସିଲେ ଖାଇବେ।ନଲେ ଅମୀୟ ଅଙ୍କ ହାତରେ ପଠେଇ ଦେବ ତାଙ୍କ ପାଖକୁ।
ଆହୁରି ଲୁହ ଗଡ଼ିଲା ଛାତି ଫଟେଇ ବିଶ୍ୱ ମୋହନ
ଓ ଜହ୍ନ ଆଖିରୁ।
ସବୁବେଳେ ଖାଲି କାନ୍ଦିଲ ? ଏଥରକ ବାବା ଆସନ୍ତୁ କହିବି ତୁମକୁ ସାଙ୍ଗରେ ନେଇ ଯିବେ।ତାଙ୍କ ପାଖେ ଦୁଇଜଣ ଯାକ ରହିବ ଯେ ଆଉ କାନ୍ଦିବ ନାହିଁ।
ଜେଜେ ! ବାବା ଏତେ ଦିନ ଧରି କାଇଁକି ଆସୁ
ନାହାନ୍ତି।ମାମା ଦେହ ଖରାପ ବୋଲି ସାଙ୍ଗରେ ନେଇ ଯାଇଥିଲେ ଯେ ଯାଇଛନ୍ତି।ମାମା ଦେହ ଏ ଯାଏ ଭଲ ହୋଇନି ? ଫୋନ୍ ବି କରୁ ନାହାନ୍ତି।
କଣ ହୋଇଛି ତାଙ୍କର ଜେଜେ।ଆମ ସାଙ୍ଗେ କେହି ଖେଳୁ ବି ନାହାନ୍ତି।ଖେଳିବେ କଣ ଆମ ଘରକୁ ତ ଏବେ କେହି ଆସୁ ନାହାନ୍ତି। କଣ ହୋଇଛି ଜେଜେ?
ରୋଶନ ! ଧନ ମୋର ବାବା ଓ ମାମାଙ୍କ ଦେହ ପରା ଭାରି ଖରାପ।ଭଲ ହୋଇଗଲେ ଫୋନ୍ କରିବେ।ସୁନ୍ଦରୀ ଆମ୍ବ ପାଚିଲାଣି ନା; ରାଜୁ ଓ ସ୍ୱପ୍ନା ନ ଆସି କଣ ରହି ପାରିବେ ? କହିଲେ ବିଶ୍ୱ ମୋହନ ଜେଜେ।
ଗୋଡ଼ ବାଡେଇ ରୁବି କହିଲା, ମୁଁ ମିମି ପାଖକୁ ଯିବି।ଉଁ ଉଁ।
ହଁ ହଁ ଆମେ ସମସ୍ତେ ଯିବା।ଏବେ ଲକ୍ ଡାଉନ୍ ହିଇଛି, ଖୋଲୁ ଯିବା ମା।ତୁମେ ଗଲ ସେ ଟମି କାଇଁକି ଭୋ ଭୋ ହେଉଛି କେତେବେଳୁ ଟିକେ ବୁଝିବ।ତୁମରି କଥା ତ ସେ ମାନୁଛି କହିଲେ ବିଶ୍ୱ ମୋହନ।
ଟମି !ଟମି !କଣ ହୋଇଛି କିରେ ?କାଇଁ ଏମିତି ଭୁକୁଛୁ ? ରୁବି ଚାଲେ ଟମି ପାଖକୁ ଯିବା।
ନାଇଁ ମୁଁ ମିମି ପାଖକୁ ଯିବି,ବାବା ପାଖକୁ ଯିବି।
ଜେଜେ କଣ କହିଲେ, ଲକ୍ ଡାଉନ୍ ଖୋଲୁ ଯିବା।
ରୁବି କାନ୍ଦୁଛି। ଜହ୍ନ ରୁବିକୁ କୁନ୍ଥେଉ ମୁନ୍ଥେଇ ଉଠେଇ କାନ୍ଧରେ ପକାଇ ଥପୁଡ଼ାଇ ଶୁଆଇବାକୁ ନେଇ
ଗଲେ।
ତୁ ଗଲୁ ଧନ ସେ ବଡ଼ମାସ୍ ଟମି କଥା ବୁଝିଲୁ ମୁଁ ରୁବିକୁ ନେଉଛି ଶୁଆଇ ଦେବି।ରୁବି ମିମି ହୋଇ କାନ୍ଦୁଥାଏ।
ପିଲାଙ୍କ କଷ୍ଟ ସହି ହେଉନି।
ଏଡ଼େ ବକଟେ ଛଅ ବର୍ଷର ଛୁଆ ରୋଶନ, ସାଢ଼େ ତିନି ବର୍ଷର ଭଉଣୀକୁ ବୁଝଉଛି। ଦିନେ ଏଇ ମୋରି ଘର ଖୁସିରେ ଉଠୁଥିଲା ଓ ପଡୁଥିଲା।ଗୋଟିଏ
ବୋଲି ପୁଅ ପୁଣି ସେକ୍ରେଟେରିଟରେ ଭଲଚାକିରି
।ଝିଅ ଭଳି ଲକ୍ଷ୍ମୀ ପ୍ରତିମା ବୋହୁ ସ୍ୱପ୍ନା।ନାତି ନାତୁଣୀ। ଖାଲି ଖୁସି ଆଉ ଖୁସି।ମୋ ରିଟାୟଡ଼ ଜୀବନ ଖୁସିରେ କଟୁଥିଲା ନାତି ନାତୁଣୀଙ୍କ ସହ।
କିନ୍ତୁ ହେ ଭଗବାନ! କଣ କଣ ଦେଖେଇଲ ଏ ଜୀବନରେ ! କେତେ ଦିନ ଛୁଆ ଦିଟାଙ୍କୁ ଭୁଲେଇ, ମିଛ କହି ରଖିବି ମୁଁ ? ମୋ ଅନ୍ତେ କଣ ହେବ ଏଇ ପେଟ ଛୁଆ ଦିଟା ଙ୍କର ! ଆମ ବୁଢା ବୁଢ଼ୀ ଯୁଗ ରାଇଜ କରିବୁ ବୋଲି ରଖିଲ କି ଠାକୁରେ !
ବିଶ୍ୱ ମୋହନ ଦୀର୍ଘଶ୍ଵାସ ପରେ ଦୀର୍ଘଶ୍ଵାସ ଛାଡି ବାଡ଼ି ଧରି ରୋଶନ ପିଛା କଲେ ଓ ରୋଶନ ଟମିକୁ କହୁଥିବା କଥା ଶୁଣି ପଥର ହୋଇଗଲେ।
ଟାମି ରୋଶନ କୁ ଦେଖି କୁଁ କୁଁ ହେଉଛି।
ଟମି ! ତୁ ବାବାଙ୍କ ସାର୍ଟ ଟା ପବନରେ ଉଡ଼ି ଯାଉଛି ଦେଖି ଏତେ ଭୁକୁଛୁ ନା ? ତୁ ବି ମୋ ପରି ମୋ ବାବା ଓ ମାମାକୁ ବହୁତ ଭଲ ପାଉ ନୁହେଁ ?
ଜାଣିଛୁ ଟମି ! ଜେଜେ ମୋତେ ମିଛ କହୁଛନ୍ତି ମୁଁ ଜାଣେ।ମୋ ବାବା ଓ ମାମା କୋଭିଡରେ ମରି ଯାଇଛନ୍ତି।ସେମାନେ ଆଉ କେବେ ଫେରିବେନି ବୋଲି ଲୋକେ କହୁଛନ୍ତି। ସେଇ କୋଭିଡ ପାଇଁ ଆମ ଘରକୁ ଡରି କେହି ଆସୁ ନାହାନ୍ତି । ମାମାଙ୍କୁ ଜର ହୋଇଥିଲା । ବାବା ଭୁବନେଶ୍ୱରରୁ ଆସି ତାଙ୍କ ପାଖକୁ ମାମାଙ୍କୁ ଭଲ କରିବା ପାଇଁ ନେଇ ଯାଇଥିଲେ। ଆଉ ଫେରୁ ନାହାନ୍ତି ସେମାନେ ।
ଶୁଣ୍ ମୋ ବାବା ଓ ମାମା ଏଇ ସୁନ୍ଦରୀ ଆମ୍ବ ଖୁବ୍ ଭଲ ପାଆନ୍ତି। ମଲେ ପରା ଲୋକେ ଆକାଶରେ ତାରା ହୋଇ ରୁହନ୍ତି ! ତୁ ଜାଣିଛୁ ଟମି ଆକାଶକୁ ଯିବା ଠିକଣା ?ଏଇ ଆମ୍ବ ଦିଟା ବାବା ମାମା ପାଖକୁ ପଠାଇ ଥାନ୍ତି।
ଟମି ରୋଶନ ଦେହରେ ମୁହଁ ଘଷି କୁଁ କୁଁ ହେଉ
ଥିଲା।
