Satyabati Swain

Tragedy

3  

Satyabati Swain

Tragedy

ସୁନା କଣ୍ଢେଇ

ସୁନା କଣ୍ଢେଇ

4 mins
180


କାଲି ମୁଁ ଓ ମୋ ବାବୁ ଗୋଟେ ରିସେପସନ୍ ଭୋଜିକୁ ଯାଇଥିଲୁ। ସେଠି ଯାଇ ଯେଉଁ ମାନଙ୍କୁ ଭେଟିଲି ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଆରେ ଏମାନେ ସବୁ ମୋ ଗାଁ ଲୋକ।ମୁଁ ସମସ୍ତଙ୍କୁ ଚିହ୍ନେ।ହୋଇଥିବେ ୟାଙ୍କର୍ କେହି ଆତ୍ମୀୟ ବୋଲି ମୁଁ ଧରିନେଲି।ସେମାନେ ମୋତେ ଦେଖି କୋଟି ନିଧି କଲେ।ପୁଅବୋହୂଙ୍କ ପାଖକୁ ମୁଁ ଗଲି।ସିଂହାସନ ପରି ଗଦି ଚୌକିରେ ସେମାନେ ବସିଥାନ୍ତି।ଖୁବ୍ ସାଜ ସଜ୍ଜା ହୋଇଥାଏ କପଡା ଓ ଆଲୋକରେ।ସତେକି ଝୁଲନ୍ତା ଘର ଭିତରେ ଆକାଶ ଭ୍ରମ ସୃଷ୍ଟି କରୁଥିବା ମଣ୍ଡପରେ ସେମାନେ ବସିଥାନ୍ତି ।ପୂର୍ଣ୍ଣିମା ଜହ୍ନ ପରି ଝଲସୁଥାଏ ବୋହୁଟି।ସରଳ ଓ ନିର୍ବୋଧତାର ହସ ଲାଖିଥାଏ ତା ଆଖିରେ।ବୋହୁଟିକୁ ଏମିତି ସଜେଇ ଥାଆନ୍ତି ଦେଖିଲେ ଆଖି ଲାଖି ରହିବ।ପୁରା "ସୁନା କଣ୍ଢେଇ "ଟିଏ ପରି ଲାଗୁଥିଲା।ପୁଅ ଅପେକ୍ଷା ବୋହୁଟି ଅତି ଛୋଟ ମନେ ହେଉଥାଏ।


ବୁଝୁ ବୁଝୁ ସେ ବୋହୁଟି ମୀରା ଆମ ଗାଁ ବାବୁଲା ଝିଅ।ଏଥର ବୁଝିଲି ଆମ ଗାଁ ଲୋକେ ଏଠି ଏତେ ମାତ୍ରାରେ କାହିଁକି?ବାବୁଲା ସ୍ତ୍ରୀ କନକର ଦ୍ଵିତୀୟ ପକ୍ଷ ସ୍ତ୍ରୀ ।ମୀରା ନିଜ ବୋଉ ବାବୁଲା ପ୍ରଥମ ସ୍ତ୍ରୀ ବ୍ରେନ୍ ମ୍ୟାଲେରିଆ ରେ ମାରିବା ପରେ କନକକୁ ବାହା ହୋଇଥିଲା। ମୋତେ ଦେଖି କୁଣ୍ଢେଇ ପକାଇଲା।ଅନେକ ଦିନ ପରେ ମୋର ସେମାନଙ୍କ ସହ ଦେଖା ସାକ୍ଷାତ ହେଲା।ମୁଁ ଟିକେ ଦ୍ଵନ୍ଦରେ ପଡିଲି।ସତ କହିବାକୁ ଗଲେ ଜ୍ବାଇଁ ଅପେକ୍ଷା ଝିଅଟି ଯେତିକି ସୁନ୍ଦର ସେତିକି ସାନ।ମୁଁ କହିଲି "କନକ ତୋ ଝିଅଟି ତ ଖୁବ୍ ଛୋଟ ଲାଗୁଛି।କେତେ ହେବ ବୟସ ତାର ଯେ ବାହା କରିଦେଲୁ?


କନକ ହସି ହସି କହିଲା କଣ କରିଥାନ୍ତି ଅପା ମେଟ୍ରିକ ପରେ ଆଉ ପଢେଇ ପାରିଲୁ ନାହିଁ।ଭଲ ପ୍ରସ୍ତାବ ଟିଏ ବି ଆସିଲା।ଆମ ମେରୀକୁ ପୁରା ଅଠର ପୁରି ସାତ ମାସ ହୋଇଛି।ଉଣେଇଶି ବର୍ଷ ବି ପୁରା ହୋଇ ନାହିଁ।ଦେଖିଲ କେମିତି ଘରଦ୍ୱାର,ଶାଶୁ ଶଶୁର।ଆମ ପରି ଗରିବ ଗୁରୁବା ଲୋକଙ୍କୁ ଏମିତି ପ୍ରସ୍ତାବ ମିଳିବା ଭାଗ୍ୟ କି ନୁହେଁ ,କହୁନ?ୟା ପରେ ପୁଣି ମୋର ଆଉ ଦୁଇଟି ଝିଅ ଅଛନ୍ତି ।ତୁମ ଭାଇ ତ ବୁଢା ବୟସରେ ମୋତେ ବାହା ହୋଇ ମୋ ଜୀବନ ମାଟି କରିଦେଲେ।


ମୁଁ କହିଲି ଠିକ୍ ଯେ ମୀରାଟା ଏତେ ସାନ କଣ ଜାଣିଛି ଦୁନିଆଁ ବିଷୟରେ ତୁ ତାକୁ ବାହା କରିଦେଲୁ?ଅକାଳେ ବାର୍ଦ୍ଧକ୍ୟ ଗ୍ରାସିବ।ଛୁଆଟା ଗୋଟେ ଦିଟା ପିଲା ଜନ୍ମ କରିଦେଇ ବୁଢ଼ୀ ହୋଇଯିବ,ରୋଗୀଣା ବି।ତାର ଯାହା ହେଉ ;ତୁମେ ବାପା ମା କର୍ତ୍ତବ୍ୟ ସାରିଦେଲ।ବୋଝ ଗଲା।ନା କଣ?


ମୋ କଥା କନକ କଥା ବୁଝିଲା ଠିକ୍ ବୁଝିଲେ ବି ମୋତେ ବୋକା ବନେଇଁ କହିଲା,"ସେଇଆ ମ ଅପା।ଝିଅ ଜନ୍ମ ତ ସେଇ ପାଇଁ।ଆଜି ନ ହେଲେ କାଲି ବାହା ହୋଇଥାନ୍ତା।ସହରରେ ;ପୁଣି ଏମିତି ଘରଦ୍ୱାର ପାଇଥାନ୍ତା କି?ମୀରା କପାଳ ଟାଣ।ଏତେ ବଡ଼ ଘରେ ବଉଛୁ ବୋଲି ଧାର କରଜରେ ବୁଡି ସବୁ ଜିନିଷ ଦେଇଛୁ ମ ଅପା।ମୋ ମୀରା ଟି ଜାଣ ରାଣୀ ହେବ।"

ଆଖିରେ କିନ୍ତୁ ତାର ଚଞ୍ଚକତା ଭାଵ ମୁଁ ସ୍ପଷ୍ଟ ଭାବେ ଦେଖି ପାରୁଥାଏ।


ସେ ବାରମ୍ବାର ଘର ଦ୍ୱାର କହୁଥାଏ।କିନ୍ତୁ କହୁ ନ ଥାଏ ଜ୍ବାଇଁ କଥା।ପ୍ରକୃତରେ ଜ୍ବାଇଁ ବିଷୟରେ କିଛି କଥା ହିଁ ନଥାଏ।ମୁଁ ସବୁ ଜାଣିଛି।ମୋ ବାବୁଙ୍କ ସାଙ୍ଗର ପୁଅ ଏ।ଗୁଣ୍ଡା ହୁଣ୍ଡା ମଦୁଆ ଟା।କେଇଥର ଜେଲ ବି ଯାଇଛି।ପୁରା ଖରାପ ରେକର୍ଡ।କେହି ଆଖ ପାଖ ଲୋକେ ଏସବୁ ଜାଣି ଝିଅ ଦେଉ ନ ଥିଲେ।ବୁଢା ହେଲାଣି,ଝିଅ ମିଳୁ ନଥିଲେ।ପଇଁତିରିଶ ବର୍ଷରୁ ଅଧିକ ହେବ।ମୀରା ବୟସର ଦୁଇ ଗୁଣ।


ଶେଷକୁ ହାବୁଡ଼େ ପଡିଛି ବାବୁଲା।ବିଚରା ସରଳିଆ

,ଗାଉଁଳି ପାନ ଦୋକାନୀଟେ।ତା ସାଙ୍ଗକୁ କନକ ର ଦୁଷ୍ଟ ବୁଦ୍ଧି ମୀରା ଜୀବନ ନଷ୍ଟ କରିବା ପାଇଁ ଯଥେଷ୍ଟ।ଝିଅ ମୀରାଟି ତାର ସ୍ୱର୍ଗ ଅପ୍ସରୀ ପରି।ଝିଅକୁ ଦେଖି ଗୋଟିଏ ଥରେ ଯେ କେହି ରାଜି ହୋଇଯିବ।ଜ୍ବାଇଁ ଘରଦ୍ୱାର ଦେଖି ବାବୁଲ ଟା ବସି ଯାଇଛି।କିନ୍ତୁ ମୀରା ଖୁସି ରହିବ ତ...!ଏ ପ୍ରଶ୍ନ ମୋତେ ଭାରି କଷ୍ଟ ଦେଉଥାଏ।ବାହା ଘର ତ ସରିଲାଣି ଆଉ ଭାବି ଲାଭ କଣ?


ମୁଁ ପୁଅ ବୋହୁଙ୍କ ପାଖକୁ ଗଲି।କନକ ମୋତେ ମୀରା ସହ ପରିଚିତ କରାଇଦେଲା।ଖାମ୍ ଟି ହାତକୁ ବଢ଼ାଇ ଦେଉ ଦେଉ ମୀରାକୁ ଟିକେ ଗେଲ କରିଦେଲି।ସେ ମୁହଁଟି ଶୁଖାଇ ଥାଏ।ମୁଁ କହିଲି କଣ କି ମୀରା ମୁହଁଟି କାହିଁକି ଶୁଖି ଯାଇଛି?


ସେ ମୋ କାନରେ କହିଲା "ଆଣ୍ଟି ମା କହିଛି ହେଁ ହେଁ ଫେଁ ଫେଁ ହେବୁ ନାହିଁ।ଲୋକେ ଖରାପ ଭାବିବେ।ଜାଣିଛ ଆଣ୍ଟି ମୁଁ ହେଁ ହେଁ ହୋଇ ବଡ଼ ପାଟିରେ ହସେ ତ ସେଇ ପାଇଁ ମା ମୋତେ କହିଛି 'ହସିବୁନି ଝିଅ

'ଶାଶୁଘର ଲୋକେ ଖରାପ କହିବେ।ସେଇ ପାଇଁ ମୁଁ ହସୁନି।"


ହେ ଭଗବାନ!କି ସରଳ ଗୋଟିଏ ଚାଉଳରେ ଗଢ଼ା ସୁନା କଣ୍ଢେଇଟିଏ।ସଉତୁଣୀ ଝିଅ କନକ ଭାବି ବୋଝ ମୁକ୍ତ ହେବାକୁ ତାର ଜୀବନ ନଷ୍ଟ କଲେ ବି ବିଚାରୀ ମୀରା କିନ୍ତୁ ସଉତୁଣୀ ମା କହିଥିବା କଥାକୁ ବେଦ ବାକ୍ୟ ଭାବି ହସବାକୁ ଇଚ୍ଛା ଥିଲେ ବି ମୁହଁ ଶୁଖାଇ ବସିଛି।ତା ଭାଗ୍ୟରେ ଗୋଟେ ବଦମାସ୍ ପୁଣି ଦରବୁଢା ଟିଏ ରଖିଥିଲ?ହେ ପ୍ରଭୁ ଝିଅଟି ଭାଗ୍ୟରେ ସୁଖ ଲେଖିଥାଅ।ବିବାହ ପରେ ଜ୍ବାଇଁଟି ନୂଆ ମଣିଷ ଟିଏ ହୋଇ ଯାଉ।ଛାଡି ଦେଉ ମଦ ଓ ଯେତେକ ବଦ ଅଭ୍ୟାସ।


ଭୋଜି ଖାଇବା ଖୁସିଟା ମୋର ମରି ଗଲା।କଣ ଟିକେ ପାଟିରେ ଦେଇ ଆମେ ଘରକୁ ଆସିଲୁ।ଦୀର୍ଘଶ୍ଵାସ ଟାଣି ଭାବିଲି ଏହି କି ଝିଅ ଜନ୍ମ.....।"କେବେ ବଦଳିବ" ଝିଅ ବାପାମାଙ୍କ ମନ!କେବେ ସେମାନେ ଝିଅକୁ ବାହା କରିବା ମନୋବୃତ୍ତୀ ଛାଡି ଝିଅର ଖୁସି ତଲାସ୍ କରିବେ।କେବେ...?ମୁଁ ସେଠାରେ ଚୁପ୍ ହୋଇ ବସି ରହିଲି କିଛି କ୍ଷଣ।


ମୋ ମୁହଁ ଓ ମନ ସିନା ଶୁଖିଗଲା ;ମୀରା ମା ମୁହଁ କିନ୍ତୁ ଗଡ଼ ଜିଣିବା ଖୁସିରେ ଫାଟି ପଡୁଥିଲା।ବିଚାରୀ ଝିଅଟି କିନ୍ତୁ ତା ମାର ପ୍ରକୃତ ସତ୍ୟ ସହ ପରିଚିତ ନଥିଲା ଯେଣୁ।ଭୋଜି ଶେଷ ହେବାକୁ ଆହୁରି ସମୟ ବାକିଥାଏ।


କନକ ଭାଇ ଶିବା ହସି ହସି ଆସି କହିଲା କଣ ଅପା ତୋ କଥା ଅନୁଯାୟୀ ତ ସବୁ କାମ ସରିଲା।ଏଣିକି ତୁ ଖାଲି ବନିଶୀ ପକାଇ ମାଛ ଜାଣିବୁ।


ଚୁପ୍ ଚୁପ୍ କିଏ ଶୁଣିବେ?ପୁଅବୋହୁ ବସିଥିବା ପଛକୁ ଶିବାକୁ ଟାଣି ନେଇ କନକ ଫୁସ୍ ଫୁସ୍ କରି କହିଲା ସଭା ମଝିରେ ବ୍ରହ୍ମ ଜ୍ଞାନ!ମୀରା ସୁଖରେ ରହୁ କି ନ ରହୁ ମୋ ଝିଅ ଦୁଇଟି ପାଇଁ ଅର୍ଥ ଆଉ ବାଧକ ହେବନିରେ ଶିବା।ସେ ମେଣ୍ଢା ବାପ ଝିଅ ଦୁଇଟା ଜାଲରେ ଏମିତି ଛନ୍ଦି ହୋଇଗଲେ ଯେ କେହି ବୁଝି ପାରିଲେ ନାହିଁ ଏଇଟା ମୋର ପ୍ଲାନ ମୀରାକୁ ବଳି ପକାଇ ଅର୍ଥ ରୋଜଗାର କରିବି।ବୁଝି ପାରିଥିଲେ ଏଠି କଣ ବାହା ଘର ହୋଇ ପାରିଥାନ୍ତା?


ଓଃ ମୀରା ମା ର ଏ ଗୁପ୍ତ ରହସ୍ୟ ଜାଣିଲା ପରେ ମୁଁ ଅତିମାତ୍ରାରେ ବ୍ୟସ୍ତ ହୋଇ ପଡିଲି।ଦେଖିଲି କନକ ଜଣେ ମା ର ମୁହଁ ମୋତେ ଅଚିହ୍ନା ଲାଗିଲା।


ମୀରା ଶୁଣି ପାରିଲା କି କଣ ତା ମା ଫୁସ୍ ଫୁସ୍ କଥା ବିସ୍ମୟରେ ଟିକେ ଚାହିଁଲା କନକ ମୁହଁକୁ।


ସୁନା କଣ୍ଢେଇ ଆଖି କହୁଥିଲା ତୁ କଣ ସତରେ ମୋ ମା!!ଲୁହ କେଇ ବୁନ୍ଦା ଖସି ପଡିଲା " ସୁନା କଣ୍ଢେଇ"ର ଚିକ୍ଚିକ୍ କରୁଥିବା ଗାଲରେ।



Rate this content
Log in

Similar oriya story from Tragedy