STORYMIRROR

Pravanjan Dash

Tragedy Classics Inspirational

3  

Pravanjan Dash

Tragedy Classics Inspirational

ସୁନା ହରିଣୀ

ସୁନା ହରିଣୀ

2 mins
117

ଆପଣମାନେ ସମସ୍ତେ ଏକଥା ଭଲ ଭାବରେ ଜାଣନ୍ତି ଯେ ଡାଙ୍ଗର ଟିକେ ଆଳୁପାଳୁଆ ଦୋଷ ଅଛି ମାନେ ଭୁଲା ରୋଗ। ଏଇ ଯେମିତି ବଜାରକୁ ଚିନି ଆଣିବାକୁ ଗଲେ ଦୋକାନୀକୁ ଲୁଣ ମାଗିବ, ଆଳୁ ପାଇଁ ଗଲେ ଦୋକାନରୁ ସାରୁ ଆଣିବ ଇତ୍ୟାଦି। ତା’ର ଏ ଭୁଲା ଗୁଣ ଆଗରୁ କିଛି ନଥିଲା ମ ହେଲେ ବୟସ ବଢିବା ସଙ୍ଗେ ସଙ୍ଗେ ଏସବୁ ଦୁର୍ଗୁଣ ତାକୁ ଯେପରି ଶନି ଭଳି ମାଡି ବସିଛି। ସେଥିପାଇଁ ପ୍ରିୟତମା ସୁନ୍ଦରୀ ଲିପି ଡାଙ୍ଗ ଉପରେ ଖୁବ୍ ବିରକ୍ତ ହୁଏ ହେଲେ ଲିପି କରିବ ବା କଣ? ଯେତେ ହେଲେ ବି ଡାଙ୍ଗ ତା’ ପତି ପରମେଶ୍ୱର। ଥରେ ଲିପିକୁ ପ୍ରବଳ ଜ୍ୱର ହୋଇଥିଲା ଡାଙ୍ଗ ଦୋକାନରୁ କି ମେଡ଼ିସିନ୍ ଆଣି ଦେଲା କେଜାଣି ତାକୁ ଖାଇଲା ପରେ ଲିପିର ମୁଣ୍ଡ ବିନ୍ଧିବା ସହିତ ଝାଡା ଦୋଷ ବି ବାହାରି ପଡିଲା ପରେ ବୁଝୁବୁଝୁ ଡାଙ୍ଗ ବାଉଳାରେ ଦୋକାନୀଠୁ ଝାଡା ଔଷଧ କିଣି ଆଣିଛି। ସେଦିନଠାରୁ ଡାଙ୍ଗର ଦୋକାନକୁ ଯିବା ପୁରା ବନ୍ଦ ଯାହା କିଣା କିଣି ସବୁ ଲିପି କରେ । ସେଇ କିଣାକିଣି ବାହାନାରେ ଲିପି ବାହାରେ ଟିକେ ମାଇଣ୍ଡ ଫ୍ରେସ୍ ବି କରେ। ଆଜିକାଲି ଲିପିର ସବୁ ଦୋକାନୀ ଚି଼ହ୍ନା। ସବୁ ଦୋକାନୀ ବି ଲିପିକୁ ଭଲ ବ୍ୟବହାର ସହିତ ବାକିସାକି ଦିଅନ୍ତି। ଖାସ୍ କରି ଲିପିର ସୁନ୍ଦରତାକୁ ନେଇ ସେ ସବୁଠାରେ ବେଶ୍ ପରିଚିତ। ଥରେ ଲିପିର ଭୀଷଣ ମୁଣ୍ଡ ବିନ୍ଧା ହେଉଥିଲା ସେଥିପାଇଁ ସେ ଘରେ ରହି ବିଶ୍ରାମ ନେଲା। ଡାଙ୍ଗକୁ ଗୋଟେ ଲମ୍ବା ସଉଦା ଚିଠା ଦେଇ ଲିପି କହିଲା, “ଦୋକାନରୁ ଏସବୁ ଜିନିଷ ମନେକରି ଆଣିବ, ଆଉ ହଁ ଦୋକାନୀକୁ ପ୍ରଥମେ ମୋ ପରିଚୟ ଦେଇ ସଉଦା କିଣିବ”। ଡାଙ୍ଗ ଚିଠା ଦେଖି ଦୋକାନରୁ ସବୁ ଜିନିଷ ଗୋଟି ଗୋଟି କରି କିଣିଲା। ପଇସା ଦେଲା ବେଳକୁ ବିଲ୍ ହେଲା ଦୁଇ ହଜାର ଟଙ୍କା ହେଲେ ଡାଙ୍ଗ ପକେଟ୍ ରେ ସମୁଦାୟ ଅଛି ମାତ୍ର ପାଞ୍ଚଶହ ଟଙ୍କା। ବିଚରା ଡାଙ୍ଗ କରିବ କଣ? କିଛି ଭାବି ନପାରି ଶେଷରେ ତାର ଲିପି କଥା ମନେ ପଡ଼ିଗଲା ଯେ ଦୋକାନୀକୁ ଆଗ ମୋ ପରିଚୟ ଦେବ। ଡାଙ୍ଗ ଦୋକାନୀକୁ ଲିପିର ସ୍ୱାମୀ ପରିଚୟ ଦେବା କ୍ଷଣି ଦୋକାନୀ କହିଲା, “ବାବୁ ଇଏ ଗୋଟେ କଥା ଆପଣ ଜିନିଷ ସବୁ ବାକିରେ ନେଇ ଯାଆନ୍ତୁ ପଇସା ପରେ ସୁବିଧା ହେଲେ ଦେବେ”। ଡାଙ୍ଗ ଟିକେ ରହିଯାଇ କହିଲା, “ତମେ ମତେ ବାକି ଦେଲନାହିଁ କିନ୍ତୁ ମୋ ସ୍ତ୍ରୀକୁ କେମିତି ବାକିଦେଉଛ ? ତମେ କଣ ଖାଲି ସ୍ତ୍ରୀ ଲୋକଙ୍କୁ ବାକିଦିଅ” ? ଦୋକାନୀ ଟିକେ ହସିଦେଇ କହିଲା, “ବାବୁ ମୁଁ ଖାଲି ସ୍ତ୍ରୀଲୋକଙ୍କୁ ନୁହେଁ ସୁନ୍ଦରୀ ସ୍ତ୍ରୀ ଲୋକଙ୍କୁ ହିଁ ବାକି ଦିଏ । କାରଣ ସେମାନେ ବା ମୋ ଦୋକାନର ବ୍ରାଣ୍ଡ୍ ଅମ୍ବାସଡର୍। ଆଗରୁ ମୋ ଦୋକାନକୁ ଲୋକ କାଁ ଭାଁ ଆସୁଥିଲେ, କିନ୍ତୁ ଲିପି ମାଡାମ୍ ଆସିଲା ପରେ ଏବେ ମୋ ଦୋକାନରେ ମୁଁ ଜିନିଷ ବିକି ପାରୁନି। ଆଗରୁ ମୋ ଫେସବୁକରେ ଫ୍ରେଣ୍ଡ କମ୍ଥିଲେ କିନ୍ତୁ ଲିପି ମାଡାମ୍ଙ୍କ ସହିତ ଗୋଟେ ଫଟୋ ପୋଷ୍ଟ୍ କରି ଟାଗ୍ କଲା ପରେ ମୁଁ ଫ୍ରେଣ୍ଡ ଆକସେପ୍ଟ୍ କରିପାରୁନି। ଯାହା କୁହନ୍ତୁ ଆଜ୍ଞା ଲିପି ମାଡାମ୍ ପୁରା ଖାଣ୍ଟି ସୁନା ହରିଣୀ ଖଣ୍ଡେ।” ଜିନିଷ ଧରି ଘରକୁ ଆସିଲା ବେଳେ ଡାଙ୍ଗ ମନେ ମନେ ଭାବୁଥିଲା ଯିଏ ମୋ ପାଇଁ କାଳ ଡାହାଣୀ ସିଏ ଅନ୍ୟମାନଙ୍କ ପାଇଁ ଖାଣ୍ଟି ସୁନା ହରିଣୀ ହେଲା କେମିତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy