Padmalaya Padhy

Tragedy

3  

Padmalaya Padhy

Tragedy

ସୁଖ -ଦୁଃଖ :

ସୁଖ -ଦୁଃଖ :

7 mins
527



ବୋଉ ଆମର ଟିକିଏ ଟିକିଏ କଥାରେ ଖୁସି ହୋଇ ଯାଏ l ହେଲେ ବାପା ଙ୍କ ଖୁସି ଆମେ କେବେ ଜାଣି ପାରୁ ନାହିଁ l କେଜାଣି ବାପା କୋଉଥିରେ ଖୁସି ସେଇ ଏକା ଜାଣିଥିବେ l ସବୁବେଳେ କେମିତି ଗୋଟେ ସ୍ଥିତପ୍ରଜ୍ଞ ଭାବ ସ୍ଥିର ପାଣି l ବୋଉ କହେ l


ମୁଁ ବାହା ହୋଇ ଆଜି ଯାଏ ଜାଣି ପାରିଲି ନାହିଁ ତୁ ତ ବକଟେ ପିଲା କେମିତି ଜାଣିବୁ l ଏ ଲୋକ କେବେ ବି ଖୁସି ଦେଖାଇବେନି ମନ ଭିତରେ ରଖିଥିବେ l ବୁଡି ବୁଡି ପାଣି ପିଇବା ବୁଦ୍ଧି l ବୋଉ ର ଆରମ୍ଭ ହୋଇଯାଏ ଭାଷଣ l

 

ବୋଉ ଏବେ ତୁ ପୁଣି ଆରମ୍ଭ ହେଇ ଯାଆନା ତ l


ବୋଉ କିନ୍ତୁ ଛୋଟ ଛୋଟ କଥାରେ ପିଲାଙ୍କ ପରି ଖୁସି ହୁଏ ବୋଲି ତା ମୁହଁ ଦେଖିଲେ ଜଣା ପଡ଼ିଯାଏ l ଘର କୁ ମିକ୍ସଚର ଆସିଲେ ମୋର ମୁଠା ମୁଠା ପାଟିରେ ପଶେ l ବୋଉ ତୁ ଟିକିଏ ପାଟିରେ ପକା ତ ଦେଖ ବେଶୀ ରାଗ ଅଛି କି ନାହିଁ l ପ୍ରସାଦ ସେବନ କଲା ପରି ଚାମୁଚେ ଖଣ୍ଡେ ମିକ୍ସଚର ପାଟିରେ ପକାଇ ବୋଉ ବହୁତ ଖୁସିରେ କମେଣ୍ଟ ଦେବ ଯେ ନା ରାଗ ନାହିଁ କି ବେଶୀ ରାଗ ଅଛି ସେଓ କମ ଅଛି କି ବାଦାମ ବେଶୀ ଅଛି l ଚା ତିଆରି ହେବା ପାଇଁ ଘର କୁ ଅମୁଲ ଆସିଲେ ସେଇଟା ବି ମୁଁ ପାଟିରେ ପକାଇ ଶେଷ କରିବା ପାଇଁ ଅତି ତତ୍ପର l


ବୋଉ କାଇଁ ଆଁ କଲୁ ଅମୁଲ ଟିକେ ପାଟିରେ ପକା l


ନାହିଁ ନାହିଁ l ଚା ପାଇଁ ଆସିଛି ସରିଯିବ ଯେ l


ସରିଲେ ପୁଣି ଆସିବ ହେଲା ? ତୁ ଏବେ ଆଁ କରିବୁ ନା ନାହିଁ କହିଲୁ l


ବହୁତ କଷ୍ଟରେ ସେ ମୁହଁ ଖୋଲିଲେ ଚାମୁଚେ ଅମୁଲ ତା ପାଟିରେ ଦିଏ ଏବଂ ତା ଆଖିରେ ସେଇ ଖୁସି ଟିକିଏ କିଛି କ୍ଷଣ ପାଇଁ ଝଲସି ଉଠି ମିଳେଇ ଯାଏ l ବୋଉ ରୂପରେ ଗୋଟିଏ ଛୋଟ ଛୁଆ ବାରମ୍ବାର ନିଜର ଝଲକ ଦେଖାଇ ଲୁଚି ଯାଏ ଏବଂ ସ୍ୱୟଂ ବୋଉ ତାକୁ ଲୁଚେଇ ରଖିଦିଏ l କାରଣ ସେ ପରା ବୋଉ l ପିଲାଙ୍କ ପରି ହେବ ନା କଣ ? ହେଲେ ବାପା ଏ ସବୁ ଜିନିଷ କେତେ କହିଲେ ବି ଛୁଇଁବେ ନାହିଁ l ମିକ୍ସଚର ରେ ବାଜେ ତେଲ ପେଟ ଖରାପ ହେବ ଓ ଅମୁଲ ଟା ଏତେ ମିଠା ଖାଇ ହେବନାହିଁ ଇତ୍ୟାଦି କାରଣ ଦର୍ଶାଇ ଖସି ଯାଆନ୍ତି l ଦିନେ ପଚାରିଲି l


ବାପା ତୁମକୁ କଣ ଭଲ ଲାଗେ କୋଉ କଥାରେ ଖୁସି କୋଉ କଥାରେ ଦୁଃଖ ଲାଗେ କହିଲ ? ଖୁସି ଟା ଆଗେ କୁହ l ଟିକିଏ ହଡବଡେଇ ଯାଇଥିଲେ ବାପା l


ଖୁସି କଣ ଲାଗେ ଜାଣେନି ହେଲେ ଦେହ ଖରାପ କୁ ମୋର ଭାରି ଭୟ ଲୋ ମା l ମୋର ହେଉ କି ଘରେ ଆଉ କାହାର ହୋଇଥାଉ l


ଓହୋ ବାପା ପୁଣି ତୁମେ ସେଇ ଡିପ୍ରେସଡ଼ କଥା ଗୁଡାକ କହୁଛ l ମୁଁ ପରା ତୁମକୁ ପଚାରୁଛି ତୁମେ କେଉଁଥିରେ ଖୁସି ହୁଅ ବୋଲି ?


ହଁ ଖୁସି ଗୋଟେ କଣ ସମସ୍ତେ ଘରେ ଭଲରେ ଥିଲେ ଖୁସି l ତୁମେ ମାନେ ଭଲରେ ରହିବ ତୁମ ମାନଙ୍କର ଦେହ ପା ଭଲ ଥିବ l ସେଦିନର କଥା ସେତିକିରେ ସରିଲା l 


ଚାକିରୀ ପାଇଲା ପରେ ଅନେକ ଚେଷ୍ଟା କରିଥିବି ବାପାଙ୍କ ଖୁସି ଜାଣିବା ପାଇଁ ହେଲେ ପ୍ରତିଥର ସେଇ ଏକା କଥା l ତା ମାନେ ନୁହଁ ଯେ ବାପା ହସନ୍ତି ନାହିଁ କିମ୍ବା ଖୁସି ହୁଅନ୍ତି ନାହିଁ l ବାପା ହସନ୍ତି ଏବଂ ଅତ୍ୟନ୍ତ ପ୍ରଗଳ୍ଭ ମଧ୍ୟ ହେଲେ ବାପା ତାଙ୍କ ନିଜ ପାଇଁ କଣ ଚାହାଁନ୍ତି ତାହା ଗୋଟେ ଅଜଣା ବିଷୟ ଥିଲା ଆମ ପାଇଁ l କୋଉଠି ଗୋଟେ ଗପ ରେ ପଢ଼ିଥିଲି ଯେ ପୁଅଟିଏ ବଡ଼ ହୋଇ ତା ବାପା ଙ୍କ ର ଭାଓଲିନ ବଜାଇବାର ସଉକ କୁ ପୁନର୍ବାର ଉଦ୍ଜୀବିତ କରି ପାରିଛି ବୋଲି ଯାହା ପରିବାର ର ଦାୟିତ୍ୱ ତଳେ ପୋତି ହୋଇ ଯାଇଥିଲା l ତେବେ ମୁଁ ଝିଅ ହୋଇ କାହିଁକି କରି ପାରିବି ନାହିଁ ?


ବାପା ତୁମର କିଛି ସ୍ବପ୍ନ ଥିଲା କି ? ମାନେ କିଛି ଅଭିଳାଷ କିଛି ଆଶା କିଛି ମନୋବାଞ୍ଛା କିଛି…l


ବାସ ବାସ ଆଉ କିଛି ନାହିଁ l ପାଠ ପଢି ଚାକିରୀ ବାକିରି କରି ପରିବାର ର ଭାର ନେବା କଥା l ଭାଇ ଭଉଣୀ ମାନଙ୍କୁ ମଣିଷ କରିବା କଥା l ତା ପରେ ବିବାହ ଘର ସଂସାର ଏସବୁ ତ ଦୁନିଆ ର ନିୟମ l ମୁଁ ବି ସେଇ ନିୟମ ରେ ବନ୍ଧା l


ବାପା ତୁମେ ଏମିତି କଥା କହୁଛ ଯେ ସାପ ବି ମରିବନି କି ବାଡ଼ି ବି ଭାଙ୍ଗିବନି l


ତୁ ତ ଗୋଟିଏ ଛୁଆ ହେଇଛୁ l ତୋ ଉପରେ ପରିବାର ର ଅନ୍ୟ ସଦସ୍ୟ ମାନଙ୍କ ଦାୟିତ୍ୱ ଥିଲେ ଜାଣିଥାନ୍ତୁ l ବାପା କହିବେ ନାହିଁ ମୁଁ ଜାଣିଛି l


ସେଦିନ ବୋଉ ର ଜନ୍ମ ଦିନ ଥିଲା l ସପ୍ତାହେ ପୂର୍ବରୁ ମୁଁ ବାପାଙ୍କୁ କହି ରଖିଥିଲି ଯେ


ବାପା ବୋଉ ର ଜନ୍ମ ଦିନ ଆର ସପ୍ତାହ ରେ ପଡୁଛି l ତୁମେ ନିଜ ପସନ୍ଦ ରେ ଗୋଟିଏ ଶାଢ଼ୀ ଆଣି ଏଥର ବୋଉକୁ ଦେବ ହେଲା ? ବାପା କହିଲେ l


ମା ରେ ମୁଁ ସେ ସ୍ତ୍ରୀ ଲୋକଙ୍କ ପସନ୍ଦ ନାପସନ୍ଦ ଜାଣି ପାରିବି ନାହିଁ l ମାସକ ଦରମା ଗଣ୍ଡାକ ଆଣି ତୋ ବୋଉ ହାତରେ ଦେଇଦେଲେ ମୋ କାମ ସରିଲା l ସେ ଯାଇ ତା ନିଜ ପସନ୍ଦ ର ବାଛି ଆଣୁ l ବୋଉ ମୋର ମୁହଁ ଫୁଲେଇ ବସି ରହିଲା l


ଯିଏ ସ୍ତ୍ରୀ କୁ ସ୍ନେହ କରୁଥିବ ସିଏ ସିନା ସ୍ତ୍ରୀ ର ପସନ୍ଦ ନାପସନ୍ଦ ଜାଣିବ ଏ ଲୋକ କାହୁଁ ଜାଣିବ l ଅନେକ ଜିଦ କଲା ପରେ ବୋଉ ଯାଇ ଶସ୍ତାରେ ସମ୍ବଲପୁରୀ ଶାଢ଼ୀ ଖଣ୍ଡେ ବାଛି ଆଣିଥିଲା l ଦାମିକା ନହେଲେ ବି ସମ୍ବଲପୁରୀ ଶାଢ଼ୀ ମୋ ବୋଉକୁ ଭଲ ମାନେ l ସେଦିନ ବାପା ମୋତେ ଧୀରେ କହିଲେ l


ବହୁତ ଭଲ ଦିଶୁଛି ନା ଶାଢ଼ୀ ଟା l


ବାପା ଶାଢ଼ୀ ଭଲ ଦିଶୁଛି ନା ଶାଢ଼ୀଟା ପିନ୍ଧିକି ବୋଉ ଭଲ ଦିଶୁଛି l ବାପା କିଛି କହି ନଥିଲେ ଏବଂ ବୋଉ ଲାଜେଇ ଯାଇଥିଲା l ଝିଅ ଆମର କେମିତି ନାତୁଣୀ ପରି ହେଉଛି ଦେଖ ବୋଲି କହି ବୋଉ ଉଠି ଚାଲି ଯାଇଥିଲେ ବି ବୋଉ ର ନୂଆ ଶାଢ଼ୀ ପିନ୍ଧି ଜନ୍ମ ଦିନ ପାଳନ କରିବା ବାପାଙ୍କୁ ଅନେକ ଖୁସି ଦେଇଥିଲା ବୋଲି ମୁଁ କିନ୍ତୁ ଜାଣି ପାରିଥିଲି l


ମାତ୍ର ବାପାଙ୍କୁ ବେଶୀ ଦିନ ଖୁସି ଦେବାକୁ ବୋଉ ରହି ନଥିଲା l ତାହା ଥିଲା ବୋଉ ର ଶେଷ ଜନ୍ମ ଦିନ l ତହିଁ ପର ବର୍ଷ ବୋଉ ଚାଲି ଯାଇଥିଲା କେଉଁ ଗୋଟେ ଅଜଣା ରାଇଜ କୁ l ଭାଙ୍ଗି ପଡ଼ିଥିଲେ ବାପା l ଧୀରେ ଧୀରେ ଶାରୀରିକ ଶକ୍ତି ହରାଇବାରେ ଲାଗିଥିଲେ ସେ l ପ୍ରାୟ ଶଯ୍ୟାଶାୟୀ ହୋଇ ଯାଇଥିଲେ l ଉଠି ବସି ପାରୁ ନଥିଲେ ଆଉ l ଏକାକୀତ୍ବ ସାଙ୍ଗକୁ ରୋଗ ର ଭୟ ବାପାଙ୍କୁ ଅନବରତ ଘାଣ୍ଟୁଥିଲା l ମୁଁ କେତେ ବୁଝାଇଲେ ବି ଦେହ ଖରାପ ଲାଗିଲେ କହୁ ନଥିଲେ କେବେ l କାଳେ ମୁଁ ହସ୍ପିଟାଲ ଡକ୍ଟର ଝମେଲା ରେ ପଡି ହଇରାଣ ହୋଇଯିବି ବୋଲି l


 ଅନେକ ଦିନରୁ ଭିତରେ ଭିତରେ କଷ୍ଟ ପାଉଥିଲେ ଯାହାକୁ ଅତି ସଫଳତାର ସହ ଲୁଚାଇ ରଖି ଶେଷରେ କ୍ରମାଗତ ଭାବେ ଚାରି ପାଞ୍ଚ ଦିନ ଅନେକ କଷ୍ଟ ସହି ସହି ରହିଲେ ଓ ତହିଁ ପରଦିନ ରାତି ପ୍ରାୟ ଅଢ଼େଇଟା ହେବ ଏକଡ ସେକଡ଼ ବାରମ୍ବାର ହେବାରୁ ମୁଁ ଉଠି ଆସି ଦେଖିଲି ଯେ ବାପା ଶୋଇ ନାହାନ୍ତି l


ବାପା କଣ ଲାଗୁଛି ? ଏମିତି କାହିଁକି ହେଉଛ ? କଣ ହେଉଛି ମୋତେ କୁହ l


ତୁ ଶୋଇନୁ ଏଯାଏଁ ?


ମୋ କଥା ଛାଡ଼ ତୁମକୁ କଣ ଲାଗୁଛି କୁହ ଶୀଘ୍ର l ସେଦିନ ଆଉ କଷ୍ଟ ଚପାଇ ରଖିବାରେ ଅସମର୍ଥ ହୋଇ ଯାଇଥିଲେ ବାପା ମୋର l କଥା ବି କହି ପାରୁ ନଥିଲେ l ଅନେକ କଷ୍ଟ ରେ କହିଲେ l


ନିଶ୍ୱାସ ଆଉ ନେଇ ପାରୁନି lତୁ ଯା  ଶୋଇ ବୁ l


ସକାଳେ ତ କିଛି କହୁ ନଥିଲ ଏବେ ହଠାତ କଣ କେମିତି ଏସବୁ ହେଇଗଲା ?


ବୋଉକୁ ହରାଇବା ପରେ ବାପା ହିଁ ଏବେ ଏକମାତ୍ର ସାହାରା ମୋର l କିଛି ନ କରନ୍ତୁ ପଛକେ ଘରେ ଭିତରେ ଖାଲି ବଞ୍ଚି କି ରହି ଥାଆନ୍ତୁ l ମୋର ଆଉ କିଛି ଦରକାର ନାହିଁ l ସେଦିନ ଏତେ କଷ୍ଟରେ ବି ମୋତେ ଯାଇ ଶୋଇ ପଡ଼ିବାକୁ କହୁଥାନ୍ତି l


ତୁ ଶୋଇବୁ ଯା l ଭଲ ହେଇ ଯିବ l


ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ନେଇ ଯାଇଥିଲି ବାପାଙ୍କୁ l ଆମ ଟାଉନ ର ହସ୍ପିଟାଲ ରେ କେହି କିଛି ଜାଣି ପାରିଲେନାହିଁ l ଖାଲି ଏପଟ ସେପଟ କଡ଼ ଲେଉଟାଇ ଲେଉଟାଇ ପେସେଣ୍ଟ କୁ ଦଶ କୋଡିଏ ଥର ଦେଖିବାରେ ଲାଗିଥିଲେ ଏଣେ ସେ ନିଶ୍ୱାସ ନେଇ ପାରୁ ନଥାନ୍ତି l ବାରମ୍ବାର ନିଶ୍ୱାସ ନେବାକୁ କଷ୍ଟ ହେଉଛି ବୋଲି କହିବା ପରେ କଣ ନା ଗୋଟିଏ ଇଞ୍ଜେକ୍ସନ ଆଣି ବିନା ସ୍ପିରିଟ ରେ ଫୋଡି ଦେଇଥିଲେ l କଷ୍ଟ ବେଳକୁ ବେଳ ବଢ଼ୁଥାଏ l


 ଶେଷରେ ଆଉ ଗୋଟିଏ ଆମ୍ବୁଲାନ୍ସ ସହିତ କଥା ହୋଇ ଅକ୍ସିଜେନ ସିଲିଣ୍ଡର ଲଗାଇ ପାଞ୍ଚ ଘଣ୍ଟାର ରାସ୍ତା ଅତିକ୍ରମ କରି ବାପାଙ୍କୁ ନେଇ ପହଞ୍ଚିଥିଲି ଟାଉନ ବାହାରେ ଥିବା ଗୋଟିଏ ସୁପର ସ୍ପେସିଆଲିଟି ହସ୍ପିଟାଲ ରେ ଯୋଉଠି ଅନେକ ପରୀକ୍ଷା ନିରୀକ୍ଷା କଲା ପରେ ବାପା ମୋର କୋଭିଡ ପଜିଟିଭ ବୋଲି ଡାକ୍ତର ଜଣାଇ ଦେଲେ l ସାଙ୍ଗେ ସାଙ୍ଗେ ଆଇସିୟୁ ରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ବି ନିଆଗଲା l କୋଭିଡ କଟକଣା କୁ ଦୃଷ୍ଟିରେ ରଖି କେବଳ ଆଇସିୟୁ ର ନର୍ସ ହିଁ ବାପାଙ୍କ ଦେଖାଶୁଣା କରିବେ l ଘର ଲୋକ ଭିତରକୁ ଯିବା ଉପରେ ଅନେକ ନିଷେଧାଦେଶ l ବାପା ଭାବିଥିଲେ ଯେତେବେଳେ ଚାହିଁଲେ ମୋତେ ଦେଖି ପାରିବେ l ଯେତେବେଳେ

 କହିଲି l


ବାପା ତୁମର ସବୁ ଟେଷ୍ଟ ସରିଲା ଏବେ ସେମାନେ ତୁମକୁ ଆଇସିୟୁ କୁ ନେବେ l


ନାହିଁ ନାହିଁ ଚାଲ ଘରକୁ ଫେରିଯିବା l ଓଷଦ ଲେଖାଇ ନେଇଯିବା l ସେଇଠି ଆଇସୋଲେସନ ରେ ରହି ଓଷଦ ଖାଇଲେ ଭଲ ହୋଇଯିବି l


ବାପା ଘର କୁ ଫେରିଗଲେ ଭଲ ହୋଇ ପାରିବ ନାହିଁ l ଫେରାଇ ନେବାକୁ ଥିଲେ ଏତେ କଷ୍ଟ କରି ଏଠିକି କାହିଁକି ଆଣିଥାନ୍ତି ତୁମକୁ ? ଡକ୍ଟର କହିଲେ କୋଭିଡ ପଜିଟିଭ ବାହାରିଛି ତୁମର l ଆଇସିୟୁ ରେ ରହିବା ଦରକାର l ବେଶୀ ନାହିଁ ଦୁଇ କିମ୍ବା ତିନି ଦିନ l


ଆଇସିୟୁରେ ରହିଲେ ଭଲ ହେଇଯିବି ନା ?


ହଁ ବାପା l ଏତେବଡ ହସ୍ପିଟାଲ ବଡ଼ ବଡ଼ ଡକ୍ଟର ଅଛନ୍ତି l ଏମାନେ ନିଶ୍ଚୟ ତୁମକୁ ଭଲ କରି ଦେବେ l


ତୁ ମୋ ସାଙ୍ଗେ ଭିତରକୁ ଯିବୁନି ?


ଆଇସିୟୁ ଭିତରକୁ କେହି ବି ଯିବେନାହିଁ ବାପା l ବାହାର ଲୋକଙ୍କୁ ଭିତରକୁ ଯିବା ପାଇଁ ବାରଣ l ତୁମର ସମସ୍ତ ଯତ୍ନ ସେମାନେ ନେବେ l ଚିନ୍ତା କରନା ତୁମେ ଶୀଘ୍ର ଭଲ ହୋଇଯିବ l


ଏହା ପରେ ୱାର୍ଡ ବୟ ମାନେ ଆସି ବାପାଙ୍କ ଷ୍ଟ୍ରେଚରଟିକୁ ଭିତରକୁ ନେବା ପାଇଁ ବାହାର କରିଥିଲେ l ସାରା ଜୀବନ କେଡେ କେଡେ ଝଡ଼ ଝଞ୍ଜା ରେ ଅବିଚଳିତ ରହିଥିବା ମୋ ବାପାଙ୍କ ଆଖିରୁ ସେଦିନ ଧାରେ ଲୁହ ବୋହି ଆସିଥିଲା ଯାହା ତାଙ୍କର ପ୍ରଥମ ଓ ଶେଷ ଅଶ୍ରୁ ଧାର ଥିଲା l ତା ପରେ ଷ୍ଟ୍ରେଚର ଟି ଆଇସିୟୁ ଭିତରକୁ ଚାଲି ଯାଇଥିଲା l ଏତେ ଶୀଘ୍ର ହଠାତ ବାପାଙ୍କୁ ଆଇସିୟୁ ଭିତରକୁ ନେଇଗଲେ ଯେ ଅକ୍ସିଜେନ ମାସ୍କ ଲାଗିଥିବା ଯୋଗୁଁ ବାପାଙ୍କୁ ଭଲ ଭାବେ ଥରେ ଆଖି ପୁରାଇ ଦେଖି ବି ପାରିଲି ନାହିଁ କିନ୍ତୁ ତାଙ୍କର ଲୁହ ଦେଖିବାକୁ ଭଗବାନ କାହିଁକି ମୋତେ ବଞ୍ଚାଇ ରଖିଛନ୍ତି ଭାବୁଥିଲି l


ଦିନରେ ଚାରି ପାଞ୍ଚ ଥର ଆଇସିୟୁ କୁ ଫୋନ କରି ବାପାଙ୍କ ବିଷୟ ରେ ନର୍ସ ମାନଙ୍କ ଠାରୁ ପଚାରି ବୁଝେ l ଅବସ୍ଥା ଭଲ ଅଛି ବୋଲି କହନ୍ତି ସେମାନେ l କିନ୍ତୁ ଲ୍ୟାଣ୍ଡଲାଇନ ରେ ହିଁ କଥାବାର୍ତ୍ତା l ସିଧା ସଳଖ ବାପାଙ୍କ ସାଙ୍ଗେ କଥା ହୋଇ ପାରୁ ନଥାଏ l ବାପା ବି ନିଜେ ଫୋନ କରିବା ଅବସ୍ଥାରେ ନଥାନ୍ତି l ଆଇସିୟୁ କୁ ଯିବାର ତିନିଦିନ ପରେ ଅତ୍ୟନ୍ତ ଦୟାବାନ ଡକ୍ଟର ଜଣେ ଭିଡିଓ କଲ କରି ବାପାଙ୍କୁ ଦେଖାଇ ଥିଲେ l ଭିଡିଓ କଲ ରେ ମୋତେ ଦେଖି ବାପାଙ୍କ ମୁହଁରେ ଯେଉଁ ହସ ଟିକିଏ ଆସିଲା ସେତିକି ଖୁସି ର ଝଲକ ମୁଁ ଆଜି ପର୍ଯ୍ୟନ୍ତ ତାଙ୍କ ପାଖେ କେବେ ବି ଦେଖି ନଥିଲି l 


ସାତ ଦିନ ପରେ ବାପାଙ୍କୁ ନେଇ ଘରକୁ ଫେରିବା ଦିନ ଆସିଲା l ନିଜ ପରିବାର ବର୍ଗଙ୍କ ଠାରୁ ଦୁରେଇ ଯିବାର ଯନ୍ତ୍ରଣା ଓ ନିଜ ଝିଅକୁ ସାମ୍ନାରେ ପାଇ ଅସରନ୍ତି ଖୁସି ଏହାହିଁ ଥିଲା ବାପାଙ୍କ ସାରା ଜୀବନ ର ସୁଖ ଦୁଃଖ ର ହିସାବ କିତାବ l ଭଗବାନଙ୍କୁ ଡାକୁଥାଏ ଯେ ଆଉ କେବେ ବି ତାଙ୍କ ଆଖିରେ ମୋତେ ଲୁହ ଦେଖିବାକୁ ନମିଳୁ l


Rate this content
Log in

Similar oriya story from Tragedy