Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Laxman Kumar Behera

Tragedy

5.0  

Laxman Kumar Behera

Tragedy

ସତ୍ଯ

ସତ୍ଯ

8 mins
511


 


   ଅପରାହ୍ନ ପାଞ୍ଚଟା ସମୟ । ଅର୍ଜୁନ ଓ ରାଘବ ଦୁହେଁ ଚାକିରି ପାଇଁ ହାଇସ୍କୁଲ ପଡିଆରେ କଥାବାର୍ତ୍ତା ହୋଇ ଦୌଡ ଅଭ୍ଯାସ କରୁଥାନ୍ତି । ରାଘବ ଅର୍ଜୁନକୁ କହିଲା ଆସନ୍ତା କାଲି ଭୋର ସକାଳ ପାଞ୍ଚଟାରୁ ଶୁଳିଆପଦାରେ ପହଞ୍ଚି ସେଇଠୁ ଚିକିଣିଘାଟି ପର୍ଯ୍ଯନ୍ତ ଦୌଡିବାକୁ ହେବ । ଏହା ଶୁଣି ଅର୍ଜୁନ କହିଲା କେମିତି ଯିବା ? ଗାଆଁରୁ ବସ୍ ର ତ ସୁବିଧା ନାହିଁ । ଭୋର ସକାଳୁ ବାହାରିଲେ ପ୍ରତିଯୋଗୀତାରେ ଭାଗ ନେବା ସମ୍ଭବ ନୁହେଁ । ଏମିତି ଅନେକ ବିଚାର ବିମର୍ଶ ପରେ ଶେଷରେ ଦୁହେଁ ସାଇକେଲରେ ରାତି ଦୁଇଟାରୁ ଘରୁ ଦେବଗଡ ଅଭିମୁଖେ ବାହାରିବା ପାଇଁ ନିଷ୍ପତ୍ତି ନେଲେ ।


     ରାଘବର ବାପାଙ୍କ ପୁରୁଣା ସାଇକେଲ୍ ରେ ରାତ୍ରୀ ଦୁଇଟାରୁ ବାହାରିଲେ ଦେବଗଡ । ଶୁଳିଆପଦାରେ ସେମାନେ ରାତ୍ରୀ ଚାରିଟାରେ ପହଞ୍ଚି ଗଲେ । ଭୋର ସକାଳ ପାଞ୍ଚ ଟାରୁ ଦୌଡ ପ୍ରତିଯୋଗୀତା ଆରମ୍ଭ ହେଇଗଲା ।


   ଦୌଡିଲା ବେଳେ ରାଘବର ମନେ ପଡୁଥାଏ ନିଜ ବାପାଙ୍କ କଥା । କେମିତି ମାଟି ବୋହି, ପଥର ତାଡି, କାଠ ହାଣି, ପର ଘରେ ହଳିଆ ରହି ପ୍ରତ୍ଯେକ ଇଣ୍ଟରଭ୍ଯୁ ପାଇଁ ପଇସା ଦେଉଛନ୍ତି । କେଡେ କଷ୍ଟରେ ପରିବାର ପୋଷୁଛନ୍ତି । ତା'କୁ ଆଉ ଅଧିକ ପାଠ ପଢାଇବା ପାଇଁ କେବେ ମନା କରି ନାହାଁନ୍ତି । ଚାରିବର୍ଷ ହେଲାଣି ସେ କେମିତି ହଳେ ସାର୍ଟପ୍ଯାଣ୍ଟ୍ ରେ ଚଳୁଛି । 


   ସମସ୍ତଙ୍କ ପଛରେ ଦୌଡୁଥାଏ ରାଘବ । ମାଆ କହୁଥାଏ, ଏ ପୁଅ ପଛରେ ରହିଗଲୁ । ଏଥର ଦୌଡ୍ । ଘରର ଅବସ୍ଥା ଟିକିଏ ବୁଝ୍ । ମୋ ସୁନାଟା ପରା । ଅଜାଣତରେ ଆଖିରୁ ଅଶ୍ରୁ ଖସି ପଡୁଥାଏ ରାଘବର । ନିଜ ଭଉଣୀ କଥା ତା'ର ମନେ ପଡୁଥାଏ । ଚାକିରିଟିଏ ପାଇଁ ଭୁବନେଶ୍ବର ଯାଇ ଆଉ କେବେବି ଘରକୁ ଫେରିଲାନି । ଭଉଣୀର ହାଣ୍ଡିଘର କରିବା ପାଇଁ ଗାଆଁର ଲୋକମାନେ କେମିତି ତାଙ୍କ ପରିବାରକୁ ବାଧ୍ଯ କରିଥିଲେ ? ସବୁ କଥା ତା'ର ଆଖି ଆଗରେ ଜଳଜଳ ହୋଇ ଦିଶି ଯାଉଥାଏ ।


   ( ଅନେକ ଥର ଇଣ୍ଟରଭ୍ଯୁ ଦେଲାଣି । ସବୁଥର ମୌଖିକ ପରୀକ୍ଷାରେ ଅକୃତକାର୍ଯ୍ଯ ହେଉଥାଏ । ମାନସିକ ଓ ଶାରୀରିକ ସ୍ତରରେ ଉନ୍ନତ ଥିବା ସତ୍ତ୍ବେ କେମିତି ଅକୃତକାର୍ଯ୍ଯ ହେଉଛି ତା'ର କାରଣ ମନେ ମନେ ଚିନ୍ତା କରୁଥାଏ । )


  ଦୌଡ ପ୍ରତିଯୋଗୀତାରେ ପ୍ରଥମ ହେଲା । ହେଲେ ମୁହଁରେ ଟିକିଏ ବି ଖୁସି ତା'ର ଜଣା ପଡୁନଥାଏ । ତା'ର ସାଙ୍ଗ ଅର୍ଜୁନ ତା'କୁ ମନ ମାରି ବସିଥିବା ଦେଖି ପଚାରିଲା, " ଦୁଃଖ ରେ କାହିଁକି ବସିଛୁ ? " ରାଘବ ଟିକିଏ କାନ୍ଦକାନ୍ଦ ହେଇ କହିଲା- ଚାରିବର୍ଷ ହେଲାଣି ଅନେକ ଇଣ୍ଟରଭ୍ଯୁ ଦେଇଛି । ସବୁଥର ଦୌଡ ରେ ମୁଁ ପ୍ରଥମ । ଲିଖିତ କିମ୍ବା ଶାରୀରିକ ସବୁ ପରୀକ୍ଷାରେ କୃତକାର୍ଯ୍ଯ ହେଉଛି । ହେଲେ ଲାଞ୍ଚ ଦେଇ ପାରେନି ବୋଲି ମୌଖିକ ପରୀକ୍ଷାରେ ଅକୃତକାର୍ଯ୍ଯ ହୁଏ । କ'ଣ କରିବି କିଛି ଉପାୟ ଦିଶୁନି ? ମୋତେ ଜମା ଭଲ ଲାଗୁନି ଆଉ ।


   ସବୁକଥା ଶୁଣି ଅର୍ଜୁନ ତା'କୁ ଦୁର୍ନୀତି ନିବାରଣ କାର୍ଯାଳୟକୁ ଯାଇ ଆରକ୍ଷୀ ଉପଅଧୀକ୍ଷକ ( ଡି• ଏସ୍• ପି• ) ଙ୍କୁ ଦେଖା କରି ସବୁ କଥା ଜଣାଇବା ପାଇଁ କହିଲା । 


   ରାଘବ ଦୁର୍ନୀତି ନିବାରଣ କାର୍ଯ୍ଯାଳୟରେ ପହଞ୍ଚି ଆରକ୍ଷୀ ଉପଅଧୀକ୍ଷକ ପ୍ରକାଶ ନାୟକଙ୍କୁ ଦେଖା କରି ସବୁ କଥା ଜଣାଇଲା । ଆରକ୍ଷୀ ଉପଅଧୀକ୍ଷକ ରାଘବକୁ ସଚେତନ କରାଇ ନିର୍ଭୟରେ ଜୀବନ ଜୀଇଁବାର ଗୁରୁ ମନ୍ତ୍ର ଦେଲେ ।


      ସମସ୍ତ ପରୀକ୍ଷାରେ କୃତକାର୍ଯ୍ଯ ହୋଇ ରାଘବ ମୌଖିକ ପରୀକ୍ଷା ହେଲା । ମୌଖିକ ପରୀକ୍ଷା ଦେଲା ବେଳେ ସେ ଶ୍ରାବ୍ଯ ଧ୍ବନି ଲେଖନ ( ଅଡିଓ ରେକର୍ଡିଂ ) ନିଜ ମୁଣି ( ପକେଟ୍ ) ରେ ଲୁଚେଇ ରଖିଥିଲା । ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ନିଜେ ଖୁସି ଅନୁଭବ କରୁଥାଏ ।


    ଭାବୁଥାଏ ନିଜ ପରିବାରର ଅବସ୍ଥା ଏଥର ସୁଧୁରି ଯିବ । ଆମେ ଆଉ ପଇସା ପାଇଁ କାହା ପାଖରେ ହାତ ପତାଇବୁ ନାହିଁ । ମୋ ଭଉଣୀ ଯେଉଁଠାରେ ଥିଲେ ବି ମୁଁ ତା'କୁ ଖୋଜିକି ଆଣିବି । ଏମିତି ସଂକଳ୍ପ ନେଇ ଚାକିରି ପାଇଁ ଅପେକ୍ଷା କରିଥାଏ ।


  ନିଯୁକ୍ତିର ଚିଠି ପାଇବା ପାଇଁ ଆଉ ମାତ୍ର ଛଅ ଦିନ ବାକି ଥାଏ । ରାଘବକୁ ତାଙ୍କ ପଞ୍ଚାୟତର ସରପଞ୍ଚ ଘାସିରାମ୍ ଆସି କହିଲେ, ତୋର ଚାକିରି ହେଇଯିବ ତୁ ତିନି ଲକ୍ଷ ଟଙ୍କା ଯୋଗାଡ୍ କର୍ । ମୋତେ ଆଜି ଫୋନ୍ ଆସିଥିଲା । ଟଙ୍କା ଯୋଗାଡ୍ ହେଲେ କହିବୁ । ପଇସା କଥା କାହାକୁ ଜଣାଇବୁ ନାହିଁ । ଯଦି କାହାଠାରୁ ଶୁଣିଲି ତୋର ଚାକିରି ଗଲା ବୋଲି ଜାଣ୍ ।


    ରାଘବ ସେଦିନ ସରପଞ୍ଚର ସବୁ ଚାଲ୍ ଜାଣିଦେଲା । ଫୋନ୍ ନମ୍ବରଟି ମାଗିକି ରଖିଲା । ତା' ଆରଦିନ ସକାଳ ଛଅଟାରେ ମଣ୍ଟୁର ଟେମ୍ପୁ ଗାଡିରେ ବସି ଟଙ୍କା ଯୋଗାଡ ପାଇଁ ବାହାରକୁ ଯାଉଛି କହି ବାହାରିଲା । ଅର୍ଜୁନ ଠାରୁ ତିରିଶ ହଜାର ଟଙ୍କା କରଜ ସ୍ବରୂପ ନେଇ ବ୍ଯାଗରେ ଧରିଥାଏ । ବ୍ଯାଗ୍ ଉପରୁ ହାତ ତା'ର ଜମାରୁ ହଟୁ ନଥାଏ । ଟେମ୍ପୁରେ ବସିଥିବା ସବୁ ଲୋକ ରାଘବକୁ ଉପହାସ କରି କହୁଥାନ୍ତି, " ଏତେ ପାଠ ସାଠ ପିଲାଟା ପଢିଲା, ଚାକିରିଟେ ପାଉନି " ! ସେଦିନ ସମସ୍ତେ ତାକୁ ଦେଖି ଜୋର୍ ରେ ହସୁଥିଲେ । ସେ ପୀଡା ଅନୁଭବ କରୁଥିଲା । 


   ଦୁର୍ନୀତି ନିବାରଣ କାର୍ଯାଳୟରେ ପହଞ୍ଚି ଏତଲା ( ଏଫ୍• ଆଇ• ଆର୍• ) ଦେଇ ସବୁ କଥା ଜଣାଇଲା । ସମସ୍ତ କଥାବାର୍ତ୍ତାର ଧ୍ବନି ଲେଖନ ( ରେକର୍ଡିଂ ) ଶୁଣାଇଲା । ନ୍ଯାୟ ଦେବାପାଇଁ ଅଧିକାରୀ ଓ ସାକ୍ଷୀ ସଜବାଜ ହେଲେ । ସମସ୍ତ ସାକ୍ଷୀ ଓ ଅଧିକାରୀଙ୍କ ସମ୍ମୁଖରେ ରାଘବ ହାତ ଯୋଡି କହିଲା,


       ମୁଁ ରାଘବ ଜୟପୁରିଆ । ମୋ ବାପା ଆମ ଗାଆଁର ଜଣେ ଠିକାଦାରଙ୍କ ଘରେ ହଳିଆ ରହିଛନ୍ତି । ମାଆ ସବୁଦିନେ ଅନ୍ଯର କାମ ପାଇଟି କରେ । ମୋତେ ସ୍ନାତକ ଯାଏଁ ପାଠ ପଢାଇଲେ । ମୁଁ ଅନେକ ଥର ଚାକିରି ପାଇଁ ଇଣ୍ଟରଭ୍ଯୁ ଦେଇଛି । ସବୁଥର ମୌଖିକ ପରୀକ୍ଷାରେ ଅକୃତକାର୍ଯ୍ଯ ହୁଏ । ଏଥର ବି ମୌଖିକ ପରୀକ୍ଷା ଦେଇଛି । ମୋତେ ତିନି ଲକ୍ଷ ଟଙ୍କା ଲାଞ୍ଚ ମାଗିଛନ୍ତି । ଆମ ଗାଆଁ ର ସରପଞ୍ଚ ଘାସିରାମ୍ ହାତରେ ଟଙ୍କା ଦେଲେ ନିଯୁକ୍ତିର ଚିଠି ମିଳିବ । ଏକଥା ଖୋଦ୍ ସରପଞ୍ଚ କହିଥିବାର ରେକର୍ଡିଂ କରିଅଛି । ମୁଁ ଟଙ୍କା ଦେଇ ଚାକିରି କରିବାକୁ ପାପ ବୋଲି ବିଚାର କରେ । ଏଣୁ ଆଜି ଦୁର୍ନୀତି ନିବାରଣ ବିଭାଗର ଦ୍ବାରସ୍ଥ ହୋଇଅଛି । ମୋତେ ସାହାଯ୍ୟ ମିଳିବ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ ଅଛି । ଧାର୍ ଆକାରରେ ମାତ୍ର ତିରିଶ ହଜାର ଟଙ୍କା ପାଇଲି । ୟା ଠାରୁ ଆଉ ଅଧିକ ଟଙ୍କା ମୁଁ ଯୋଗାଡ୍ କରି ପାରିବି ନାହିଁ । 


     ରାଘବ ଠାରୁ ସମସ୍ତ କଥା ଶୁଣି ସାରିବା ପରେ ତିରିଶ୍ ହଜାର ଟଙ୍କା ଉପରେ ରାସାୟନିକ ପ୍ରଲେପ ଦିଆଯାଇ ସାକ୍ଷୀ- ଅଧିକାରୀଙ୍କୁ ପ୍ରଦର୍ଶନ ( ଡେମୋ ) ଦେଖାଗଲା । ଟଙ୍କା ସବୁ ଚିହ୍ନଟ ପାଇଁ ସେଗୁଡିକର କ୍ରମିକ ସଂଖ୍ଯା ଲେଖି ରଖାଗଲା ।


     ଘାସିରାମ୍ କୁ ସବୁ ଟଙ୍କା ଯୋଗାଡ୍ ହେଇଗଲା ବୋଲି ରାଘବ ଫୋନ୍ କରି ଜଣାଇବାରୁ ଘାସିରାମ୍ କହିଲା - କେଉଁଠାରେ ଅଛୁ ରାଘବ ?


- ( ରାଘବ ଉତ୍ତର ଦେଲା ) ମୁଁ ପ୍ରଧାନପାଟ ରାସ୍ତାରେ ଏକୁଟିଆ ଛିଡା ହେଇଛି ଆଜ୍ଞା ।


- ହଉ ହଉ ତୁ ସେଇଠି ଥା' । ମୁଁ ଘଣ୍ଟାଏ ଭିତରେ ପହଞ୍ଚୁ ଅଛି ।


   ସେଦିନ ଘାସିରାମ୍ ସମେତ ଅନେକ ଅଧିକାରୀ ଲାଞ୍ଚ ନେଉଥିବା ଅଭିଯୋଗରେ ଧରାପଡି ସମ୍ବଲପୁର ଜେଲ୍ ଖାନାକୁ ଗଲେ । 


▪▪▪▪▪▪▪▪▪▪▪▪▪▪▪▪▪▪▪▪


   ରାଘବ ଚାକିରି ପାଇ ପରିବାର ସହ ଖୁସିରେ ଥାଏ । ତା'ର ମାଆ ସୁଲୋଚନା ପୁଅର ବିବାହ ପାଇଁ ଭଲ ପ୍ରସ୍ତାବ ଖୋଜୁଥାଏ ।


   ରାଘବ ନିଜ ଗାଆଁ ଝିଅ ରୁକ୍ମିଣୀକୁ ପିଲା ଦିନରୁ ଭଲ ପାଉଥାଏ । ରୁକ୍ମିଣୀ ଅଙ୍ଗନୱାର୍ଡି ରେ ଶିକ୍ଷୟିତ୍ରୀ ଚାକିରି କରୁଥାଏ । ଚାରି ହଜାର ଟଙ୍କା ପାଉଥାଏ । ସୁବିଧା ଅସୁବିଧାରେ ସେ ରାଘବକୁ ସାହାଯ୍ୟ ମଧ୍ୟ କରୁଥାଏ । ଅଙ୍ଗନୱାର୍ଡି ରେ ଦିନେ ରୋଷେଇ କରୁଥିବା ବେଳେ ରୁକ୍ମିଣୀ ଦେଖିଲା ଡାଲିରୁ ପୋକ ବାହାରୁଛି । ସେ ରାଘବକୁ ସବୁକଥା ଜଣାଇଲା । ରାଘବ ସଂଗେ ସଂଗେ ସାମ୍ବାଦିକଙ୍କ ସହ ଯୋଗାଯୋଗ କଲା । 


    ତା' ଆରଦିନ ସକାଳୁ ସକାଳୁ ପେପରରେ ସମ୍ବାଦଟି ବାହାରିଲା । ଅଙ୍ଗନୱାର୍ଡି ସେଣ୍ଟର ଗୁଡିକରେ ଦିଆଯାଉଥିବା ଡାଲିରେ ପୋକ ବୋଲି ସମସ୍ତେ ଜାଣିଗଲେ ।


    ଦୁର୍ନୀତି ନିବାରଣ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ଡାଲିର ନମୁନା ସଂଗ୍ରହ କଲା । ସେ ଡାଲି ସବୁ ଅସଲି ନା ନକଲି ଜାଣିବା ପାଇଁ ସମ୍ବଲପୁର ଯୋଗାଣ ବିଭାଗକୁ ପଠାଇ ଦିଆଗଲା । ସାତ ଦିନ ପରେ ଜଣା ପଡିଲା ଯେ, ସେ ଡାଲି ସବୁ ବୁଟ ଡାଲି । ହରଡ ଡାଲି ବଦଳରେ ଶିଶୁମାନଙ୍କୁ ବୁଟ ଡାଲି ଦିଆ ଯାଉଥିବା ପ୍ରମାଣିତ ହେଲା । ସେଥିରେ ସଂଶ୍ଳିଷ୍ଟ ଥିବା ସମସ୍ତ ଆସାମୀ ବ୍ଯବସାୟୀ, ସରକାରୀ ଅଫିସର, କର୍ମଚାରୀ ମାନଙ୍କୁ କାରାଗାରରେ ଭର୍ତ୍ତି କରାଗଲା । 


       ( ସବୁ ଜିଲ୍ଲାରେ ଦୁର୍ନୀତି ନିବାରଣ ବିଭାଗ ଚଢାଉ କଲା । ଡାଲି ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା ଅଧିକାରୀ ମାନଙ୍କୁ ଚାକିରିରୁ ବହିଷ୍କାର କରାଗଲା, ବ୍ଯବସାୟୀଙ୍କୁ କଳା ତାଲିକା ଭୁକ୍ତ କରାଗଲା । ନେତା - ମନ୍ତ୍ରୀ ନିଜ ନିଜର ପଦ ମର୍ଯ୍ଯାଦା ହରାଇଲେ । )


▪▪▪▪▪▪▪▪▪▪▪▪▪▪▪▪▪▪▪▪


       ସକାଳୁ ସକାଳୁ ସମ୍ବଲପୁର ବସ୍ ଷ୍ଟାଣ୍ଡ୍ ରେ ଶ୍ଯାମ ଆଉ ସୁର ପହଞ୍ଚିଲେ । ( ସେମାନେ ଦାଦନ । ଟଙ୍କା ରୋଗଗାର କରି ପରିବାର ପୋଷିବା ପାଇଁ ବାଙ୍ଗାଲୋର ଯାଇଥିଲେ । ସେଦିନ ରେଳଗାଡିରେ ବାଙ୍ଗାଲୋରରୁ ଆସି ସମ୍ବଲପୁରରେ ପହଞ୍ଚିଲେ । ) ନିଜ ଗାଆଁ କୁ ଆସୁଥିବା ବସ୍ ରେ ଦୁହେଁ ଏକାଠି ବସିବା ପାଇଁ ସିଟ୍ ପାଇଲେ । ସୁର ଧରିତ୍ରୀ ପେପର୍ ଟିଏ କିଣି ପଢୁଥାଏ ।


   - ( ସୁର କହିଲା ) ଶ୍ଯାମ ଭାଇ ।


   - କଣ ହେଲା ?


   - ସବୁ କ୍ଷେତ୍ରରେ, ସବୁ ସ୍ତରରେ, ସେ ଅଧିକାରୀ ହୁଅନ୍ତୁ ଅବା ଚପରାଶି । ଦୁର୍ନୀତି ନ କଲେ କାହାରି ମନରେ ଟିକେ ଶାନ୍ତି ଲାଗେ ନାହିଁ ବୋଧେ । ଦେଖୁନୁ ଆଜି ଧରିତ୍ରୀ ପେପରରେ ବାହାରିଛି " ଡାଲି ଚୋର " ଶୀର୍ଷକ । ପଢିଲେ ତୋର୍ ମଥା ଘୁରି ଯିବ । ଆମେ ଛୁଆ ପିଲାଙ୍କୁ ଛାଡି ବାହାରକୁ ଯାଉଛନ୍ତି କାମ ପାଇଁ । ଦୁଇ ପଇସା ଆଣିଲେ ପରିବାର ପୋଷୁଛନ୍ତି । ଆଉ ଏମାନଙ୍କୁ ଦେଖ ରାଜକୋଷକୁ ପୁରା ଦିନ୍ ଦାହାଡେ ଲୁଟୁଛନ୍ତି ।


     ଆରେ ବାପ୍ ରେ ! ଏ ଡାଲି ର ନମୂନା ସବୁ ଆମର ଗାଆଁ ରୁ ବ ଶ୍ଯାମ ଭାଇ । ଆମର ଗାଆଁ ର ନାଆଁ ବାହାରିଛି ପେପର୍ ରେ । ଅଙ୍ଗନୱାର୍ଡିର ରୁକ୍ମିଣୀ ଅପା ଯିଏ ଶିକ୍ଷୟତ୍ରୀ ତା'ର ବି ନାଆଁ ବାହାରିଛି । 


    - କିଏ କିଏ ଚୋରେଇ ଛନ୍ ହୋ । ସେ ଡାଲି ସବୁ ?


    - ଆମ ଜିଲ୍ଲା ର ସବୁ ମୁଖିଆ ରା ହୋ । ଲକ୍ଷ ଲକ୍ଷ ଟଙ୍କା ମାରିଛନ୍ । ଆମର ଛୁଆ ମାନଙ୍କୁ ସେମାନେ ହରଡ ଡାଲି ନାଇଁ ଦେଇ କରି ବୁଟ ଡାଲି ଖୁଆଇ ଦେଇଛନ୍ତି । ବଡେ ମୁସ୍କିଲ୍ ଲୋକ ସବୁ ଦୁନିଆରେ ଅଛନ୍ ଭାଇ ।


    - ତୁଇ ସତ୍ କହୁଛୁ କି ମିଛ୍ କହୁଛୁ ବ ।


    - ମିଛ କାହିଁକି କହିବି ବୋ । ଯାହା ପେପରରେ ଲେଖା ହେଇଛି ସେଇରା ତ ପଢୁଛି । ଦୁର୍ନୀତି ନିବାରଣ ବିଭାଗ ଧରିଛି ପରା । ଦେଖ୍ ! 


    - ଯାହା ହେଉ ଦୁର୍ନୀତି ନିବାରଣ ବିଭାଗ ଥିଲେ ଆଉ ଭୟ ନାହିଁ । ଏମିତି ଦୁର୍ନୀତି କରୁଥିବା ଅଧିକାରୀ ମାନଙ୍କୁ ସାବାଡ୍ କରିବା ପାଇଁ କେହି ନଥିଲେ ଏମାନେ ତ ଦୁନିଆଟାକୁ ପୁରା ବିକି ଦେଇତେ । ମଲାବେଳେ ଏ ଦୁନିଆରୁ ଏମାନେ କାଣା ନେଇକି ଯିବେ କେଜାଣି ? ଏମାନଙ୍କୁ ଧରେଇ କରି ଆମର ଛୁଆ ମାନଙ୍କୁ ବଞ୍ଚେଇ ଦେଲ ପ୍ରଭୁ । ନହେଲେ ସବୁଦିନେ ଆମର ଛୁଏ ହରଡ ଡାଲି ଭାବି କରି ବୁଟ ଡାଲି ଖାଉ ଥାଇତେ ।


▪▪▪▪▪▪▪▪▪▪▪▪▪▪▪▪▪▪▪▪


     ରାତ୍ରୀ ପ୍ରାୟ ଦୁଇଟା । କେହି ସୁରର ଦୁଆର ଠକ୍ ଠକ୍ କଲା । ସୁର କବାଟ ଖୋଲି ଦେଖିଲା ତାଙ୍କ ଗାଆଁ ପିଲା ରାଘବ ରକ୍ତ ଜୁଡୁବୁଡୁ ହୋଇ ସାହାଯ୍ୟ ପାଇଁ କାଉଳି ହେଉଥାଏ । ସଙ୍ଗେ ସଙ୍ଗେ ସୁର ତା'କୁ ସାହାଯ୍ୟ କରିବାକୁ ଆଗେଇ ଆସିଲା । ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନେଉଥିବା ବାଟରେ ରାଘବର ମୃତ୍ୟୁ ହେଲା । ରାଘବ ମରିବା ଆଗରୁ ସୁରକୁ ସବୁ କଥା କହିଲା । ସୁର ଗରିବ ଲୋକ । ପୋଲିସ୍ କୁ ଜଣାଇଲା । ହେଲେ ତା' କଥା କେହି ଶୁଣିଲେ ନାହିଁ । ଆମ କଥା କେହି ଶୁଣିବେ ନାହିଁ ବୋଲି କହି ଶ୍ଯାମ ସୁରକୁ ଅନେକ ବୁଝାଇଲା ।


      ( ସୁର କାନ୍ଦି କାନ୍ଦି କହୁଥାଏ ) ଆଜି ମୁଁ ପାପୀ ହେଇଗଲି । ସବୁ ଦେଖି ସବୁ ଜାଣି ଦୋଷୀ ମାନଙ୍କୁ ସଜା ଦେଇ ପାରିଲିନି । ରାଘବକୁ ନ୍ଯାୟ ଦେଇ ପାରିଲିନି ।


     ( ଶ୍ଯାମ କହିଲା) ଏ ସଂସାରରେ ଗରିବର ଜୀବନ କିଛି ନୁହେଁ, ତୁଚ୍ଛ । ଧନୀ ବ୍ଯବସାୟୀ, ଅଧିକାରୀ ମାନେ ଯେତେ ଭୁଲ୍ କଲେ ମଧ୍ଯ ସେମାନଙ୍କୁ ସମାଜରେ ଆଗରୁ ଯେଉଁ ସମ୍ମାନ ମିଳୁଥାଏ, ତାହା ହିଁ ମିଳେ । କେବଳ ଗରିବ ମାନେ ହିଁ ବଳି ପଡିଯାନ୍ତି, ରାଘବ ପରି । ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଦ୍ଧରେ ଯିବାରୁ ଆଜି ରାଘବର ମୃତ୍ୟୁ ହେଲା । ଡାଲି ଦୁର୍ନୀତି ଭଳି ଭୟାନକ ସତ୍ଯକୁ ସମସ୍ତଙ୍କର ସାମ୍ନାରେ ଉନ୍ମୋଚନ କରି ସେ କ'ଣ ଭୁଲ କଲା ? ଏ ସମାଜ ତା'କୁ କ'ଣ ସତରେ ଚିହ୍ନି ପାରିଲା ? ତା' ପରିବାର ଆଜି ନିଃସହାୟ । ଆଗରୁ ନିଜ ଝିଅ ହଜି ଯିବା ଆଉ ଏବେ ପରିବାରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁରେ ବାପମାଆ ଦୁହିଁଙ୍କ ଆଖି ଜମାରୁ ଶୁଖୁନି । କିଏ ସେମାନଙ୍କର ଲୁହ ପୋଛିବ ? ଇଏ କଳିଯୁଗ ସୁର ଭାଇ । ଯେତେ ଦୁର୍ନୀତି ହେଉଛି ହେବାକୁ ଦିଅ । ମୋ ପରିବାର ହେଉ ଅବା ତୁମ ପରିବାର ଯିଏ ଦୁର୍ନୀତିର ଶୀକାର ହେଉଛି ହୁଅନ୍ତୁ । ଚୁପ୍ ରହିଲେ ଆଗ ନିଜେ ତ ବଞ୍ଚିବା । ଦୁନିଆ ଦେଖିବା ।


     ( ସୁର କହିଲା) ଏ ଜୀବନଟା ପାଣି ଫୋଟକା । ଆଜି ଅଛି କାଲିକି ନାଇଁ । ମରିବା ଭୟରେ ଦୁର୍ନୀତି ଦେଖି ଚୁପ୍ ରହିବି । ମୋ ଦ୍ବାରା ଏସବୁ ହେବନି ସାଙ୍ଗ । ରାଘବ ଆମ ଗାଆଁର ଗୌରବ । ସେ ଦୁନିଆରୁ ସିନା ଚାଲିଗଲା, ହେଲେ; ମୋତେ ଶିକ୍ଷା ଦେଇ ଗଲା ।


   ଆଜି ପ୍ରତିଜ୍ଞା କରି କହୁଛି, ବଞ୍ଚିଥିବା ଯାଏଁ ଦୁର୍ନୀତି ବିରୁଦ୍ଧରେ ବଜ୍ର ଭଳି ଛିଡା ହୋଇ ମୋର ସଂଗ୍ରାମ ଜାରି ରଖିବି । ଦୁର୍ନୀତି ଗ୍ରସ୍ତ ଲୋକଙ୍କୁ କେବେ ଏ ସଂସାରରେ ଶାନ୍ତିରେ ଜୀଇଁବାକୁ ଦେବିନି ।




Rate this content
Log in

More oriya story from Laxman Kumar Behera

Similar oriya story from Tragedy