Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Aravinda Das

Comedy

5.0  

Aravinda Das

Comedy

ସ୍ତ୍ରୀ ଙ୍କ ହ୍ବାଟ୍ସପ ବନ୍ଧୁ

ସ୍ତ୍ରୀ ଙ୍କ ହ୍ବାଟ୍ସପ ବନ୍ଧୁ

4 mins
534


ସ୍ତ୍ରୀ'ଙ୍କ କଥା ଶୁଣି ସୁକାନ୍ତକୁ ଲାଗିଲା ,ଯେମିତି ସାଙ୍ଗ ବଦଳରେ କେଉଁ ବଡ଼ ଭି.ଆଇ.ପି ତାଙ୍କ ଘରକୁ ଆସୁଛନ୍ତି ଓ ତାକୁ ଚାକିରୀ ପାଇଁ ପୁଣିଥରେ ଇଣ୍ଟରଭିଉ ଦେବାଭଳି ପ୍ରସ୍ତୁତି କରିବାକୁ ପଡିବ।

- "ଶୁଣ ,ପ୍ରଭାତ ଆମ ସ୍କୁଲ ହ୍ବାଟ୍ସଅପ ଗ୍ରୁପ୍ ର ସାଙ୍ଗ। ଅନେକ ବର୍ଷ ପରେ ତାର ମୋର ଦେଖାହେବ। କୌଣସି ଅଫିସ କାମରେ ସେ ଆସନ୍ତା ରବିବାର ଦିନ ସସ୍ତ୍ରୀକ ଆସିପହଞ୍ଚିବ। ତମେ ଟିକେ ଠିକ୍ କରି ତା ସହିତ କଥାବାର୍ତ୍ତା କରିବ।"

 -"ଠିକ୍ କରି ମାନେ "? ଆଶ୍ଚର୍ଯ୍ୟ ହୋଇ ସୁକାନ୍ତ ପଚାରିଲା।

- " ଓହୋ, ତମ ପ୍ରକୃତି ମୁଁ ଜାଣିନି ? ମୁହଁକୁ ହାଣ୍ଡି କରି ମୋବାଇଲ, ଖବରକାଗଜ ,ଟିଭିରେ ମାତିବନି। ନିଜ ଆଡୁ ସବୁକଥା ଆଗେ ପଚାରିବ। ସଫାସୁତୁରା ହୋଇ ଭଲ ଡ୍ରେସ ପିନ୍ଧିଵ ଓ ଘରକୁ ଅସନା କରିବନି। ଆଜିଯାଇଁ ନୂଆ ବେଡ଼ସିଟ,ପରଦା,କୁସନ କଭର ଆଣିବାକୁ ପଡିବ।"

- " କିନ୍ତୁ ଆମର ଏସବୁ ଜିନିଷ ତ ଭଲ ଅଛି।"

 -"ପ୍ରଭାତ ଆସୁଛି ପରା। ଆମ ସୋଫା ଓ ଡାଇନିଂକୁ ଓ.ଏଲ. ଏକ୍ସ ରେ ବିକି, ନୂଆ ସେଟ୍ ଆଣିବା। ସେ ଦେଖିଲେ ଇଂପ୍ରେସ ହେବ। ଘର ସଜାସଜି ଓ ଖାଇବା ମାମଲାରେ ସେ ବହୁତ ପଟିକୁଲାର। ତମେ ହୋଟେଲ ରୁ ଚାରି ପାଞ୍ଚଟା ଭଲ ଡିସ କିଛି ନେଇଆସିବ।"

  ବିରକ୍ତ ହୋଇ ସୁକାନ୍ତ କହିଲା, " ସେମାନଙ୍କୁ ଘରକୁ ନଡାକି ହୋଟେଲରେ ଖୁଆଇ ଛାଡ଼। ନିଜ ସାଙ୍ଗକୁ ଯଦି ହାତରେ ରାନ୍ଧି ଖୁଆଇବାକୁ କଷ୍ଟ ଲାଗୁଛି, ଆଉ ନିଜର ଘରକରଣା ନ୍ୟୁନ ଲାଗୁଛି ତେବେ ଦୟାକରି ତାଙ୍କୁ ଡାକନା। ଅନ୍ୟ ଆଗରେ ଅଭିନୟ କରିବା, ବଡ଼ଲୋକି ଦେଖାଇବା ମୋତେ ଆସେନା।"

  ଗୋଡ଼ ଛିଞ୍ଚାଡ଼ି ଇତି କହିଲା, " ମୁଁ ପରା ଜାଣେ ମୋତେ ନଖଟାଇଲେ ତମର ଭାତ ହଜମ ହେବନି। ହଉ,ଖାଇବାଟା ମୁଁ ବନାଇଦେବି। ତମେ ଟିକେ ଅଜିତଙ୍କ ପରି ପ୍ରଭାତ ସହିତ ମିଶିବ। ଏକାଠି ଫଟ ଉଠାଇଲା ବେଳେ ହସିବ। ଆମ ଗ୍ରୁପରେ ଫଟ ସବୁ ଅପଲୋଡ଼ ହେବ।"

-"ଅଜିତ ପୁଣି କିଏ "?

-" କଟକ ର ମୋ ସ୍କୁଲ ହ୍ବାଟ୍ସଅପ ଗ୍ରୁପ୍ ସାଙ୍ଗ ପ୍ରୀତି ର ସ୍ୱାମୀ ଅଜିତ।ମନେ ପଡ଼ିଲା ?ମିଶ୍ରବାବୁଙ୍କ ପୁଅ ବାହାଘରରେ ଦେଖାହୋଇଥିଲା। ଗତ ସପ୍ତାହରେ ପ୍ରଭାତ ତାଙ୍କ ଘରକୁ ଯାଇଥିଲା। ଅଜିତଙ୍କର କେତେ ପ୍ରଶଂସା କରିଛି ?ପ୍ରଭାତ ଜଣେ କବି।ଫେସବୁକରେ ଲେଖେ। ତମେ ଶୁଣିବ ଓ ଭଲ ବୋଲି ପ୍ରଶଂସା କରିବ। ତରକାରୀ ଝୋଳ ସୁଡ଼ୁ ସୁଡୁ କରି ହାମ୍ପୁଡିବନି କିମ୍ବା ଗପାଗପ କରି ମିଠା ଖାଇବନି। ଆମ୍ବ ଟାକୁଆକୁ ଦାନ୍ତରେ କୋରି ପାଲିସ କରିବା ଦରକାର ନାହିଁ। ଅଜିତ ,ତାଙ୍କ ଘରେ ପ୍ରଭାତର ବହୁତ ଯତ୍ନ ନେଇଥିଲେ ବୋଲି,ଆମ ହ୍ବାଟ୍ୱସ୍ଆପ୍ ଗ୍ରୁପରେ ପ୍ରୀତିକୁ ବହୁତ ଲକି ବୋଲି ପ୍ରଶଂସା କରିଥିଲା ପ୍ରଭାତ। ତମ ମୁହଁରୁ ତ ହସହସ ହୋଇ କଥା ପଦେ ବାହାରିବା କଷ୍ଟ।"

  ବୋକାଙ୍କ ଭଳି ଅନେଇଥିଲା ସୁକାନ୍ତ। ଇତି ପୁଣି କହିଲା,

"ତମେ ତୁମ ସ୍କୁଲ ସାଙ୍ଗମାନଙ୍କର ଗୋଟେ ହ୍ବାଟ୍ସଅପ ଗ୍ରୁପ୍ ବନାଉନ ? ମୋତେ ଲାଗେ ତମେ ଜମା ସାମାଜିକ ପ୍ରାଣୀ ନୁହେଁ। କେବଳ ଜଣେ ଏକୁଟିଆ ବାଁଆରା ମନୁଷ୍ୟଟିଏ। ଠିକ୍ ପ୍ରଭାତ ର ସ୍ତ୍ରୀ ପରି। ସିଏ ବି କାଳେ ଟିକେ ଗାଉଁଲିଆ ଓ ସମସ୍ତଙ୍କ ସହ ମିଶିପାରେନା ବୋଲି ପ୍ରଭାତ କହୁଥିଲା। ଭଗବାନ ଜାଣିଶୁଣି ବୋଧେ ଯୋଡି ବନାନ୍ତି। ମୋ ସାଙ୍ଗ,ହ୍ବାଟ୍ସଆପ୍ ଗ୍ରୁପ୍ ଦେଖି ତୁମର ଈର୍ଷା ହେଉଛି ନା ?"

   ଖଣ୍ଡିକାଶ ମାରି ସୁକାନ୍ତ କହିଲା," ଈର୍ଷା କାହିଁକି ହେବ ? ତେବେ ଘର କାମ ଭୁଲି ସବୁବେଳେ ସେ ଗ୍ରୁପରେ ମାତୁଛ। ତମ ସାଙ୍ଗ ଘରେ ସେମାନଙ୍କ ମିଟିଙ୍ଗ ର ଭିଡିଓ ଟା ମୋତେ ଦେଖାଉନ? ଆଉ ଟ୍ରେନିଙ୍ଗ ଦେଇ କୁହ କେମିତି କଥା ହେବି । କିନ୍ତୁ କବିତା ଶୁଣିବାକୁ ମୋତେ କହିବନି।"

 ବିରକ୍ତ ହୋଇ ଚାଲି ଯାଉ ଯାଉ କହିଲା,"କବିତା ଅଲବତ ଶୁଣିବାକୁ ପଡିବ ତୁମକୁ।"

    ରବିବାର ଦିନ ପ୍ରଭାତ ଘରେ ପହଁଚିଲା ପରେ ଇତି ,ସୁକାନ୍ତ ସହ ତାକୁ ଇଣ୍ଟରଡ୍ୟୁସ୍ କରିଲା ବେଳେ ,ପଛପଟେ ଠିଆ ହୋଇଥିବା ପ୍ରଭାତ'ର ସ୍ତ୍ରୀକୁ ଦେଖି ଦୋ ଦୋ ଚିହ୍ନା ହେଲା ସୁକାନ୍ତ।

 -"କର୍ପୁରମାଳା"? ସୁକାନ୍ତ ପାଟିରୁ ହାଠାତ୍ ବାହାରି ପଡ଼ିଲା।

 -"ଶୁକୁଟା "?ଇସ୍, ମା, ଏଇଟା ତମ ଘର ? ହେ ଭଗବାନ କେତେ ଦିନ ପରେ ଦେଖା ହେଲା ଆମର?ହେଇଟି ,ଇୟେ ମୋ ଗାଁ ସ୍କୁଲ ସାଙ୍ଗ । ପ୍ରଥମରୁ ଦଶମ ଯାଏଁ ଆମେ ଏକାଠି ପଢ଼ିଥିଲୁ। ଆମ ଭିତରେ ଶୁକୁଟା ସବୁଠୁ ଭଲ ପଢ଼ୁଥିଲା। ତା ଠାରୁ ପରା ଆମେ ଝିଅ ଗ୍ରୁପ୍ ସବୁ କପି କରୁଥିଲୁ ବୋଲି ସାର୍ ଙ୍କ ଠାରୁ ମାଡ଼ ଖାଉଥିଲୁ ?"

  ପ୍ରଭାତ ହତବାକ ହୋଇ ପଚାରିଲା, " ଆଛା, ତମେ କପି କରୁଥିଲ ?"

 "ନା, ନା ଖାଲି ଅଙ୍କ, ବିଜ୍ଞାନ ଓ ସଂସ୍କୃତ।"

 ଇତି ଆବାକାବା ହୋଇ ଅନାଇଥିଲା ଏଇ ନୂଆ ବନ୍ଧୁଯୁଗଳ ଙ୍କୁ।

-" ଜାଣିଲ ଭାଉଜ, ପିଲାଦିନେ ସୁକାନ୍ତଙ୍କୁ ଆମେ ତାଙ୍କ ଡାକ ନାଁ ଶୁକୁଟା ବୋଲି ଡାକୁଥିଲୁ।ସ୍ଲିମ୍ ଫିଗର ଆଜି ବି ମେଣ୍ଟେନ କରୁଛି। ମୋତେ ଆଉ ୟାଙ୍କୁ ଦେଖୁନ ? କେତେ ମୋଟା ହୋଇଗଲୁଣି ? ବାହାଘର ପରେ ମୋ ନାଁ କର୍ପୁରମାଳାକୁ ,ଇୟେ ବଦଳାଇ ମେଘମାଳା କରିଦେଇଛନ୍ତି।"

  ଥଣ୍ଡା ସର୍ବତ୍ ଓ ଦହିବରା ଆଣିଲା ଇତି।

 -"ଜାଣିଛ ଇତି, ସ୍କୁଲସମୟରେ ମାଳା ତାଙ୍କ ଘରୁ କୋଳି,କରମଙ୍ଗା,ତେନ୍ତୁଳି,ଆମ୍ବ ଲୁଚାଇ ଆଣି ମୋତେ ଦେଉଥିଲା " ?

-"ଆଛା ? ସୋ ସୁଇଟ।"

" ଭାଉଜ, ମୁଁ ପରା ସାର୍ ଓ ମୋ ବୋଉକୁ ଡରି ମୋ ପେଣ୍ଟ ଭିତରେ ପୁରାଇ ସେସବୁ ସ୍କୁଲ ନେଉଥିଲି।"

  ଘୃଣାରେ ନାକଟେକିଦେଲା ଇତି।

 -"ତମେ ଓ ଇୟେ ଦୁହେଁ କେତେବର୍ଷ ଏକାଠି ପଢିଛ ?"ମାଳା ପଚାରିଲା।

-"ପ୍ରଭାତ ଓ ମୁଁ କେବଳ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପଢ଼ିଥିଲୁ ଓ ବେଶୀ ଚିହ୍ନା ପରିଚୟ ନଥିଲା।ଏବେ ଏଇ ହ୍ୱାଟ୍ସଆପ୍ ଗ୍ରୁପରେ ଯାହା ଆମ ଚିହ୍ନାପରିଚୟ।ମୁହଁ ବି ମନେନଥିଲା।"

- "ବେଶୀ ଚିହ୍ନା ପରିଚୟ ନଥାଇ ସେମାନଙ୍କର ଗ୍ରୁପ୍ ଅଛି ,ଅଥଚ ଏତେ ବର୍ଷ ଏକାଠି ପଢି ଆମେ ଅଜଣା ଅଶୁଣା। ଶୁକୁଟା, ଆମ ସ୍କୁଲ ସାଙ୍ଗଙ୍କ ଗୋଟେ ଗ୍ରୁପ୍ ବନାଅ। ସେବତୀ,ଚାରୁଲତା,ସ୍ନେହ,ରାଜ ଲକ୍ଷ୍ମୀ,ବନାନୀ,ମନୋରମା,ସୁଷମା,ବନଜା ଇତ୍ୟାଦିଙ୍କ ନମ୍ବର ମୋ ପାଖରେ ଅଛି।"

  ସାଙ୍ଗେସାଙ୍ଗେ ସୁକାନ୍ତ ନିଜ ମୋବାଇଲରେ ଯୋଡି ଦେଲାସମସ୍ତଙ୍କୁ।

 ସୁକାନ୍ତ ଓ ମାଳା ପ୍ରଗଲ୍ଭ ହୋଇ ଗପୁଥିଲେଅନେକକଥା;ବାଲକୋନିରେ ଥିବା ଫୁଲ କୁଣ୍ଡ ଠାରୁ ପୋଷା କୁକୁର ଓ ଛୋଟ ବେଳଠୁ ବଡ଼ ହେଲାଯାଏଁ ଇତିହାସ; ନିଜର ପୁରୁଣା ଫଟ ଆଲବମ ଦେଖାଉଥିଲା ସୁକାନ୍ତ, ମାଳାକୁ।           

     ଅଜଣା ,ଅଶୁଣା ଭଳି ନୀରବଦର୍ଶକ ସାଜି ବସିଥିଲେ ଇତି ଓ ପ୍ରଭାତ। ନିରବତା ଭାଙ୍ଗି ଇତି କହିଲା, "ଶୁକୁଟା ନାଁ ଟା କେତେ ଇରିଟେଟିଂ,ବୋରିଂ ?

 - "କର୍ପୁରମାଳା ଠୁ କମ । ଏକଦମ ଗାଉଁଲିଆ ନାଁ।"

- "ମୁଁ କେବେ ତାଙ୍କୁ ଏତେ ଖୁସିରେ କାହାସହ ଗପିବା ଦେଖିନି। ତମ ସ୍ତ୍ରୀଙ୍କ ସହ ଏକାଠି ପଢ଼ୁଥିଲେ ବୋଲି ବି ଜାଣିନଥିଲି। ହଜବ୍ୟାଣ୍ଡ ମାନଙ୍କୁ ବୁଝିବା ସତରେ ଭାରି କଷ୍ଟ।"

 - "ମାଳା କୁ ଦେଖ ? ସ୍ତ୍ରୀଙ୍କୁ ବୁଝିବା କଣ ସହଜ ବୋଲି ଭାବୁଛ ? ଆମେ ଭାବିଥିଲେ ଆଜି ଦିନଟା ଖାଲି ଖୁସି ଗପସପରେ କଟିଯିବ ବୋଲି। କିନ୍ତୁ ଦେଖ କିଏ ଗପୁଛନ୍ତି ? ଆଉ ଆମେ ତାଙ୍କୁ ଦେଖୁଛେ । ଆମ ଗ୍ରୁପରେ କେଉଁ ଫଟ ଅପଲୋଡ଼ କରିବ ?

  ଇତି କହିଲା, "ତମେ ଗୋଟେ କବିତା ଶୁଣାଅ। ସେଇ ଭିଡିଓ ଟା ଅପ୍ ଲୋଡ଼ କରିବା।"

  ବାଲକୋନି ଆଡ଼କୁ ଅନାଇ,ଦୀର୍ଘ ନିଶ୍ବାସ ଛାଡି ପ୍ରଭାତ କହିଲା,"ଆଜି ମୁଡ଼ ନାହିଁ।"



Rate this content
Log in

More oriya story from Aravinda Das

Similar oriya story from Comedy