STORYMIRROR

Satyabati Swain

Tragedy

3  

Satyabati Swain

Tragedy

ସତରେ କଣ ଆମେ ସ୍ୱାଧୀନ

ସତରେ କଣ ଆମେ ସ୍ୱାଧୀନ

2 mins
26


ସବୁ ଥରକ ପରି ଝିଅ 'ସ୍ୱାଧୀନତା 'ଦୁଆର ମୁହଁକୁ ଅତି ଖୁସିରେ ଦଉଡ଼ି ଆସି ପଚାରେ"ବାପା ହେଲା?


ନାଇଁରେ ମା ହେଇଯିବ" ଶୁଣି ସ୍ତ୍ରୀ 'ଭାରତୀ' ମୁହଁ ରକ୍ତହୀନତା ରୋଗୀ ପରି ଦିଶେ ଓ ଆଖି ବାମ୍ଫେଇ ଯାଏ ଅସହାୟତା ଢେଉରେ।


ଏଇ ବର୍ଷ ଦଶମ ଶେଣୀ ପରୀକ୍ଷା ଦେବାକୁ ଥିବା ପୁଅ ' ଦିଲ୍ଲୀ' ଯିଏ କି ବହୁ ବିଳମ୍ବରେ ଜନ୍ମ ହୋଇଛି ଖୁବ୍ ଗୋଟେ ବଡ଼ ଆଶା ନେଇ କୁହେ , "ବାପା ମୋ ରେସିଂ ସାଇକେଲ ଆଣିଛ"?


ନାରେ ଧନ ଆଣିବି କହିଲା ବେଳକୁ ଲମ୍ବା ଦୀର୍ଘ ଶ୍ଵାସଟିଏ ବରାଳ ସାର୍ ଙ୍କ , ବାଁ ପଟ ଛାତିକୁ ଦଳି ଚକଟି ମନ୍ଥି ପକାଇ ଯନ୍ତ୍ରଣାରେ ଫାଟି ପଡି ମୁହଁଟି ଅତି କରୁଣ ଦିଶେ।


ତିନିଟା ଉତ୍ସୁକତାର ମୁହଁ ମଉଳି ଯାଏ ସଞ୍ଜ ଛୁଉଥିବା କନିଅର ଫୁଲ ପରି।ମନ ଚମ ଉତ୍ତୁରା ଘାଆ ର ଅବ୍ୟକ୍ତ ଯନ୍ତ୍ରଣାରେ ନିଃଶବ୍ଦେ ବିକଳ ଚିତ୍କାର ଛାଡ଼ନ୍ତି। 


ଅଫିସ୍ ଦୌଡ଼ି ଦୌଡ଼ି ଚପଲ ଛିଣ୍ଡିଲାଣି।କିନ୍ତୁ ଏକମାତ୍ର ସମ୍ବଳ ପେନ୍ସନ ଗଣ୍ଡାକ....


ରାଜ ରାସ୍ତା ପୋଲ ତଳୁ ଖଣ୍ଡିଆ ଖାବରା ଦୀନ ଭାଇଙ୍କ ଝିଅର ମଲା ଲଙ୍ଗଳା ବିଭତ୍ସ ଦେହ ଟାକୁ ଦେଖିଲା ପରଠୁ ନିଜ ବାହା ବୟସ ଗଡି ଯାଉଥିବା ସୁନ୍ଦର ଝିଅ କଥା ଭାବି ଆଉ ନିଦ ହେଉନି ବରାଳ ସାର୍ ଙ୍କୁ । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ନିର୍ଭୀକ ,ଆଦର୍ଶ ସତ୍ୟନିଷ୍ଠ ,କର୍ତ୍ତବ୍ୟ ପରାୟଣ ପ୍ରାଥମିକ ସ୍କୁଲ ଶିକ୍ଷକ ବରାଳ ସାର୍ ସେଦିନମଧ୍ୟାହ୍ନ ଭୋଜନ ହେରଫେର୍ ଅନ୍ୟାୟ ପ୍ରତିବାଦ କଣ କରି ଦେଇଥିଲେ ଯେ ବର୍ଷେ ହେଲା ରିଟାୟାଡ଼ ହେଲେଣି ରାଗ ରଖି ଅଫିସ୍ ଵାଲା ପେନ୍ସନ୍ ଗଣ୍ଡାକ କରୁନାହାନ୍ତି।ପୁଣି କଣ ନା ମୋଟା ଅଙ୍କର 'ଭୋଗ' ନଦେଲେ ପେନ୍ସନ୍ ହୋଇ ପାରିବନି !


ସେଦିନ ତିରିଶି ବର୍ଷ ତଳେ ଟଙ୍କା କେଇଟା ଦେଇ ନ ପାରିବାରୁ ପୋଲିସ୍ ଚାକିରି ଟା ହାତରୁ ଖସି ଯାଇଥିଲା ବରାଳ ସାର୍ ଙ୍କର।ଆଜି ତିରିଶି ବର୍ଷ ପରେ ଭୋଗ ନ ଦେବାରୁ ପେନ୍ସନ୍ ଗଣ୍ଡାକ ହୋଇ ପାରୁନି। ଜୀବନ ତମାମ ଦୁଇ ଭଉଣୀ , ରୋଗୀଣା ବାପାମା ଙ୍କ ଦାୟିତ୍ୱ ବୁଝୁ ବୁଝୁ ବୟସ କଣ୍ଟଟା କେତେବେଳେ ଷାଠିଏରେ ପହଞ୍ଚିଗଲା ଜଣା ପଡ଼ିଲାନି। ଆଦର୍ଶ ଓ ସତ୍ୟକୁ ପୁଞ୍ଜି କରି ବର୍ତ୍ତମାନ ସହ ଯୁଝୁ ଯୁଝୁ ଭବିଷ୍ୟତ କଥା ଭାବିବାକୁ ବେଳ ନିଅଁଣ୍ଟ ଥିଲା।


ଆଜି ଚଉସ୍ତରୀ ତମ ସ୍ୱାଧୀନତା ଦିବସରେ ଶୁଭୁଛି , ପିଲାମାନଙ୍କ ସ୍ୱାଧୀନତା ଦିବସ କୀ ଜୟ,ଭାରତ ମାତା କୀ ଜୟ।


ବରାଳ ସାର୍ ନିଗିଡି ପଡୁଥିବା ଲହୁ କେଇ ବୁନ୍ଦାକୁ ଗାମୁଛାରେ ପୋଛୁ ପୋଛୁ; ଫରଫର ହୋଇ ଉଡୁଥିବା ଜାତୀୟ ପତାକାକୁ ଅନେଇଁ ମନକୁ ମନ କହି ହେଉଥିଲେ, "ସତରେ କଣ ଆମେ ସ୍ୱାଧୀନ ! "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy