Pravanjan Dash

Abstract

4  

Pravanjan Dash

Abstract

ଷଠି ଘର

ଷଠି ଘର

3 mins
594


ଗାଁ ଛାଡିବା ଆଜକୁ ପ୍ରାୟ କୋଡିଏ ବର୍ଷ ହୋଇଗଲା । ବୃତ୍ତିଗତ ଜୀବନକୁ ପାଥେୟ କରି ଏବେ ମୁଁ ବିଦେଶରେ କାର୍ଯ୍ୟରତ । ବୋଉର ଦଶାହ କାମ ପାଇଁ ଗାଁକୁ ଆସିବା ବେଳେ ହଠାତ୍ ଏକ ବିରଳ ଅନୁଭବ ହେଲା ମୋ ହୃଦୟରେ ଆଉ ସବୁ କିଛି ଲାଗିଲା ଯେପରି ନିଜର ନିଜର । ବିଦେଶରେ ରହି ଯେଉଁ ଅତ୍ମୀୟତାକୁ ମୁଁ ହଜାଇ ଦେଇଥିଲି ତାକୁ ଆଜି ପୁଣି ଫେରି ପାଇଲି ମୋ ନିଜ ଜନ୍ମଭୂମି ଗାଁ ମାଟିରେ । ଦଶାହ କାମ ସାରି ଥକ୍କା ମେଣ୍ଟାଇବା ପାଇଁ ମୁଁ ଚାଲିଗଲି ଦାଣ୍ଡର ସେହି ପୁରୁଣା କୋଠିଘରକୁ, ଯଦିଓ ବର୍ତ୍ତମାନ ସେଠି ଆଉ ଅମାପ ଶସ୍ୟର କୋଠି ନାହିଁ ପରନ୍ତୁ ପୂର୍ବ ନାମ ଅନୁସାରେ ସେ ଘର ଆଜିବି କୋଠିଘର ନାମରେ ନାମିତ । କ୍ଲାନ୍ତ ଦୂର ଲାଗି ଖଟ ଉପରେ ବସି ବିଞ୍ଚଣା ବୁଲାଇବା ବେଳେ ହଠାତ୍ ମୋ ନଜରରେ ଚାଲି ଆସିଲା କୋଠିଘରର ମାଟି କାନ୍ଥରେ ଥିବା ମାଟିର ସେହି ଷଠିଘର ଉପରେ । ମାଟି କାନ୍ଥରେ ଥିଲା ତିନୋଟି ଷଠିଘର । ପ୍ରଥମଟି ମୋ ବଡ଼ବାପାଙ୍କର ପିଲାମାନଙ୍କ ପାଇଁ ତାଙ୍କର ଚାରୋଟି ପିଲା ଥିବାରୁ ସେଥିରେ ଚାରୋଟି କଉଡ଼ି ଲାଗିଥିଲା ଦ୍ଵିତୀୟଟି ଥିଲା ମୋର, ମୁଁ ଏକୋଇର ବାଳା ବିସିକେଶନ ହୋଇଥିବାରୁ ସେଥିରେ ଗୋଟିଏ କଉଡ଼ି ଲାଗିଥିଲା ଏବଂ ତୃତୀୟଟି ଥିଲା ମୋ ପିଉସୀଙ୍କ ଦୁଇ ପିଲାମାନଙ୍କ ଉଦେଶ୍ୟରେ ଯେଉଁଥିରେ ଦୁଇଟି କଉଡ଼ି ଲାଗିଥିଲା । ଆମ ସାତ ଭାଇ ଭଉଣୀଙ୍କ ଜନ୍ମର ଚୀର ସାକ୍ଷୀ ଏହି ଷଠିଘର ଆଜି ସମ୍ପୂର୍ଣ୍ଣ ଅବହେଳିତ ଓ ଧ୍ୱଂସପ୍ରାୟ । ଚାଳଘର ଭଙ୍ଗା ହୋଇ ପକ୍କାଘର ତିଆରି ବେଳେ ବୋଉ ମନା କରିଛି ଆଉ ଅନେକ ଜିଦ୍ ଧରିଛି ଏହି କୋଠିଘରକୁ ନ ଭାଙ୍ଗିବା ପାଇଁ ନହେଲେ ଆମ ଷଠିଘର ସବୁଦିନ ପାଇଁ ଭାଙ୍ଗିଯିବ । ପିଲାବେଳେ ବୋଉ ମତେ ଅନେକ ଥର ଏହି ଷଠିଘରକୁ ଦେଖେଇ ବହୁ କଥା କହିଛି ଯେପରିକି ମୋର ଜନ୍ମ, ନାଭି କର୍ତ୍ତନ, ଏନ୍ତୁଡ଼ିଶାଳ ଇତ୍ୟାଦି ଅନେକ କିଛି । ଖାଲି ମୁଁ ନୁହେଁ ଆମ ସାତ ଭାଇ ଭଉଣୀ ମଧ୍ୟ୍ୟ ଏଇ ଗୋଟିଏ ଘରେ ଜନ୍ମ, ଯାହାର ପ୍ରମାଣ ସ୍ୱରୂପ ସାତୋଟି କଉଡ଼ି ବିଦ୍ୟମାନ । ଯେଉଁ ଘରେ ପ୍ରଥମେ ଶୁଭିଥିଲା ମୋ ପାଟିର ପ୍ରଥମ ସ୍ୱର କୁଆଁ କୁଆଁ, ଯେଉଁ ସ୍ଥାନର ଦୃଶ୍ୟ ପ୍ରଥମେ ଚାଲିଆସିଥିଲା ମୋ ଆଖି ପଲକର ଅନ୍ତରାଳରେ ସେହି ଘର ଆଜି ସତେ ଯେପରି ସମ୍ପୂର୍ଣ୍ଣ ଅଦରକାରୀ ଆଉ ଅଲୋଡ଼ା ବୋଧହୁଏ,ଏହି କୋଠିଘରର ପରମାୟୁ ଆଉ ବହୁତ କମ୍ ଦିନ ଏବଂ ତା’ ସହିତ ଷଠିଘରର ବି । ବୋଉ ଚାଲିଗଲା,ଏ ଷଠିଘର ବି ଭାଙ୍ଗି ଯିବ, ଦିନ ଆସିବ ମୁଁ ବି ଏ ଦୁନିଆ ଛାଡ଼ି ଚାଲିଯିବି ଆଉ ତା’ ପରେ ଇତିହାସର ପୃଷ୍ଠାରୁ ସବୁଦିନ ପାଇଁ ଲିଭିଯିବ ଅତୀତର ସେ ଅଭୁଲା ଦିନ ଆଉ ତାର ସାଇତା ସ୍ମୃତି ସବୁ । ନିଜ ମନର ଭାବନାରେ ଛନ୍ଦି ହୋଇ ଆଖିରୁ ଚାଲି ଆସୁଥିଲା ଲୁହର ଧାର ଆଉ ମନ କହୁଥିଲା ଏହି କୋଠିଘରର ଚାଟାଣରେ ଛାତି ଲଗାଇ ଶୋଇ ଯିବା ପାଇଁ ଠିକ୍ ପିଲାଟି ପରି । ହଠାତ୍ ସେତିକି ବେଳେ ପତ୍ନୀ ସେପଟୁ ଜୋରରେ ଡାକି ଉଠିଲେ, “ହେଇଟି ଶୁଣୁଛ ଶୀଘ୍ରଆସ, ଗାଡି ଆସିଲାଣି ନହେଲେ ଫ୍ଲାଇଟ୍ ଲେଟ୍ ହୋଇଯିବ” । ଭାବନା ରାଜ୍ୟରୁ ବାହାରିଆସି ମୁଁ ଆଖିର ଲୁହକୁ ପୋଛି ଦେଇ ମୋବାଇଲ୍ ରେ ସେହି ଷଠିଘର ଏବଂ କୋଠିଘରର କିଛି ଫଟୋ ଉଠାଇ ଆଣିଲି, ଜଣା ନାହିଁ ତାର ଭବିଷ୍ୟତ ଆଉ କେତେ ଦିନ । ଶେଷରେ ମୁଣ୍ଡିଆଟେ ମାରି ଚାଲିଆସିଲି ସେଠୁ । ଗାଁର ସେହି ଷଠିଘରର ଛବି ସବୁଦିନ ପାଇଁ ସାଇତି ହୋଇ ରହିଗଲା ମୋ ମୋବାଇଲ୍ ର ଗ୍ୟାଲେରୀରେ ହେଲେ ସେ ତ ଚୀର ଅଲିଭା ଛବି ମୋ ମନ ହୃଦୟର ମାନସ ପଟ୍ଟଳରେ । ଗାଡ଼ିରେ ଆସିବାବେଳେ ପଲ୍ଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖି ମନରେ ସ୍ୱତଃ ଭାବରେ ଚାଲି ଆସୁଥିଲା ବିଖ୍ୟାତ କବି ସଚ୍ଚି ରାଉତରାୟଙ୍କ ସେହି କାଳଜୟୀ ଲୋକପ୍ରିୟ ଗୀତ “ଛୋଟ ମୋର ଗାଁ”ଟିର କେଇ ପଦ ଧାଡି ଯାହାକୁ ଅଜାଣତରେ ପାଟି ଗୁଣୁ ଗୁଣାଉଥିଲା । “ଷଠିଘର ଯାହା ବିରଳ ଆଜିର ସମାଜରେ” ।                                                    


Rate this content
Log in

Similar oriya story from Abstract