STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ସରପ୍ରାଇଜ

ସରପ୍ରାଇଜ

4 mins
381

ଅନେକ ଘଟଣା ଭିତରୁ ଯୁଦ୍ଧ ଏକ ଛାତିଥରା ଘଟଣା ନିଶ୍ଚୟ. ଶତ୍ତୃପକ୍ଷ ଯେତେ ପରାକ୍ରମୀ ହେଉ କି ନହେଉ ନିଶ୍ଚୟ ଦୁଇ ଦେଶ ବା ଗୋଷ୍ଠୀ ଭିତରେ କ୍ଷତି ହୋଇଯିବ. ଭାଙ୍ଗିଯିବ ମନୋବଳ, ଧର୍ଯ୍ୟ ଓ ଅନେକ କିଛି,ଠିକ ରୁଦ୍ର ଭଳି. ସେଦିନ ବାପାଙ୍କ ଅବସର କାଳୀନ ଦିନ ଥିଲା ତ ପରିବାର ବର୍ଗ ଘର ସଜେଇ, କେକ କିଣି ବାପାଙ୍କୁ ସରପ୍ରାଇଜ ଗିଫ୍ଟ ଦେବାକୁ ଅପେକ୍ଷା କରି ରହିଥାଆନ୍ତି. ସବୁତ ବାପାଙ୍କ ଯୋଗୁଁ. ଏ ଘର, ଗାଡି, ତିନି ଭାଇ ଭଉଣୀଙ୍କୁ ଯୋଗ୍ୟ କରିବା ସହ ଦୁଇ ଭଉଣୀଙ୍କୁ ଭଲ ଘର ଓ ବର ଦେଖି ବାହା ଦେବା ଇତ୍ୟାଦି ସବୁ ବପାଙ୍କ ପାଇଁ. ଆଜି ଅବସର ନେଇ ଶେଷ ଚାକିରୀ ସ୍ଥାନ ପୁରୀରୁ ଗାଁକୁ ଫେରୁଛନ୍ତି ବାପା. ବାକି ଜୀଵନ ତାଙ୍କୁ ଆନନ୍ଦ ଟିକେ ଦେବାକୁ ଏ ସମସ୍ତ ଆୟୋଜନ ରୁଦ୍ରର. ମାଆ ମଧ୍ୟ ଦୁଇଝିଅଙ୍କ ସହାୟତାରେ ଖୁବ ସଜେଇ ହୋଇଛନ୍ତି. ବାହାଘର ଦିନ ବାପା ଦେଇଥିବା ସରପ୍ରାଇଜ ଗିଫ୍ଟ ମୁଦିଟାକୁ ଜୋର କରି ପିନ୍ଧାଇ ଦେଇଛି ବଡ଼ଝିଅ ସ୍ନାତା ଆଉ ମିତା ପିନ୍ଧେଇଛି ନୂଆ ଚୁଡ଼ି, ବନାରଶି ପାଟ ଶାଢ଼ୀ, ପୁଣି ଜୁଡ଼ାରେ ରଜନୀଗନ୍ଧାର ମାଳ ଆଉ ପାଦରେ ଅଳତା ଧାର. ବାପାଙ୍କ ଗାଡି ଲାଗିଲା. ଦଉଡିଗଲେ ପିଲା ତିନିହେଁ. ଝିଅ ସ୍ନାତା, ମିତା ଆଉ ରୁଦ୍ର. ହେଲେ ବାପା ଜଣେ ତରୁଣୀ ସହିତ ଓଲ୍ହେଇଲେ ଓ ଦୁହିଁଙ୍କ ବେକରେ ଫୁଲମାଳ ଥିଲା. ଲାଗୁଥିଲା ସଦ୍ୟ ବିବାହ କରି ଫେରିଛନ୍ତି ବାପା.
    ଘରେ ତୁମୁଳ କାଣ୍ଡ ଘଟିଗଲା. ସମସ୍ତଙ୍କ ଅନେକ ପ୍ରଶ୍ନର ଉତ୍ତରକୁ ଅଣହେଳା କରି ବାପା କେବଳ ମାଆ ସୁଭଦ୍ରାଙ୍କୁ ମିନତି କରୁଥିଲେ ଆରେ ତୁମେ ଅନ୍ତତଃ ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର. ସବୁକଥା କହିବାର ସୁଯୋଗ ଦିଅ. କଣ ଆଉ ବାକି ରହିଲା ଶୁଣିବାକୁ ମୋର କହି ମଥା କୋଡ଼ି କଚାଡି କାନ୍ଦୁଥିଲା ମାଆ. ଦୁଇ ଭଉଣୀ ରାତି ରାତି ଫେରିଯାଇଥିଲେ ସେମାନଙ୍କ ଶାଶୁ ଘରକୁ. ହେଲେ ରୁଦ୍ର କୁଆଡେ ଯିବ!ଏ ଭିତରେ ନୂଆ ମାଆକୁ ଘର ଦ୍ୱାର ସବୁ ବୁଲେଇ ଦେଖେଇ ସାରିଥିଲେ ବାପା ବିନୋଦ ତ ନୂଆ ମାଆ ସମସ୍ତଙ୍କ ପାଇଁ ରା଼ନ୍ଧି ବଢ଼ାବଢ଼ି କରି ଆଣିଲା ବେଳେ ଝୁଣ୍ଟି ପଡ଼ିଥିଲେ ତ ତାଙ୍କୁ ଧରିନେଇ ବିନୋଦ କହୁଥିଲେ ଏ ଅବସ୍ଥାରେ ତୁମର ଏସବୁ କରିବା ଉଚିତ ନୁହେଁ ଆଦ୍ରା. ସୁଭଦ୍ରା କେତେବେଳୁ ନିଜ ସାଜସଜା ପୁର୍ଣ୍ଣ ବେଡ଼ରୁମରେ ଶୋଇ ସାରିଥିଲେ କାନ୍ଦି କାନ୍ଦି . ଆଉ ରୁଦ୍ର, ତା ପାଇଁ ବଢ଼ା ହୋଇଥିବା ଥାଳିରେ ଲଣ୍ଡେ ଛେପ ପକାଇ ଥୁ କହି ଦୁଆର ଦେଇଥିଲା.ବଢ଼ା ଥାଳି ସବୁକୁ ଚାହିଁ ଆଦ୍ରା କାନ୍ଦୁଥିବା ବେଳେ ବିନୋଦ ତାକୁ କେକ କାଟି ଖୁଆଉଥିବାର ଦୃଶ୍ୟ ସାଇ ପଡୋଶୀଙ୍କ ପାଇଁ ସରପ୍ରାଇଜ ଥିଲା. ଆଜିଠୁ ବିନୋଦବାବୁଙ୍କ ବେଡ଼ ରୁମ ଦାଣ୍ଡଘର ପାଖ ବୈଠକ ଘର ହୋଇଥିଲା ବେଳେ ବଡ଼ଝିଅ ସ୍ନାତା ରୁମରେ ଦେହ ଲୋଟାଇ କେତେ କଣ ଭାବି ଚାଲିଥିଲା ଆଦ୍ରା.
     ଲେଫ୍ଟନାଣ୍ଟ କର୍ଣ୍ଣେଲ ବିଶ୍ୱଙ୍କର ଏକମାତ୍ର ଏଇ ଅଲିଅଳି କନ୍ୟା ଶିକ୍ଷା ଦୀକ୍ଷା ପାଇ ମଧ୍ୟ ସଂଭ୍ରମ ଓ ସଂଯତ ଭୁଲି ଯାଇଥିଲା କି କଣ ବିନୋଦ ଆସି ଭଡାଟିଆ ହେବା ପରେ ଆଦ୍ରା ବିନୋଦଙ୍କୁ ଅଙ୍କଲ ଡାକୁଥିଲା ସତ ହେଲେ ଜୀବନର ଅନେକ ଅକୁହା କଥାକୁ ବିନୋଦଙ୍କ ଆଗେ ଖୋଲିଦେଇଥିଲା ଆଦ୍ରା. କହିଥିଲା ସେ ତାପସକୁ ଭଲପାଏ. ଆଉ ପୁଣି କହିଥିଲା ସେ ତାପସ ପିଲାର ମାଆ ହେବାକୁ ଯାଉଛି. ବିସ୍ମୟାଭୂତ ବିନୋଦ କହିଥିଲେ ଏସବୁ କଥା ଡାଡି ଓ ମମିଙ୍କୁ କହିଦେ ମାଆ. ତାପସ ମତେ କଥା ଦେଇଛି ଅଙ୍କଲ ସେ ବର୍ଡରରୁ ଫେରିଲେ ସବୁକଥା ଡାଡି ମମିଙ୍କୁ ଜଣାଇ ଆମ ବାହାଘର କରେଇବ. ସେଦିନ ଗରମରେ ଶୋଇ ପାରୁନଥିଲେ ବିନୋଦ.ଆଉ ଦୁଇଦିନ ପରେ ତାଙ୍କର ଅବସର ଆସୁଛି. ସମୁଦ୍ରକୂଳେ ବୁଲି ଆସିବାକୁ ବାହାରି ଗଲା ବେଳେ ଆଦ୍ରା କଥା ହିଁ ଭାବୁଥିଲେ ବିନୋଦ. ନିଜ ପୁଅ ରୁଦ୍ର ପାଇଁ ବୋହୁ କରିନେବାକୁ ମନେ ମନେ ସ୍ଥିର କରିଥିବା ବିନୋଦ ସେଦିନ ଆଦ୍ରାର ସ୍ବୀକାରୋକ୍ତିରେ ଯେତିକି ସ୍ତବ୍ଧ ହୋଇଥିଲେ ଆଜି ସମୁଦ୍ର ଲହଡିରେ ଭୁସକରି ପଡି ଭାସିଯାଉଥିବା ଝିଅଟାକୁ ତୋଳିଧରି ଉଠାଇ ମୁହଁ ଦେଖି ଚମକି ପଡ଼ିଥିଲେ ବିନୋଦ କାରଣ ସେ ଆଦ୍ରା ହିଁ ଥିଲା ଆଉ କହୁଥିଲା ଯୁଦ୍ଧରେ ତାପସ ପ୍ରାଣ ହରେଇଛନ୍ତି ଅଙ୍କଲ. ମୋର ଆଉ ବଞ୍ଚି ରହିବା ଅମୂଳକ. ଠାଏ କରି ଚାପୁଡ଼ା ବସେଇ କାନ୍ଧରେ ପକେଇ ଭଡାଘରକୁ ଫେରିବା ବେଳେ ଆହୁରି ଆଶ୍ଚର୍ଯ୍ୟ ଅପେକ୍ଷା କରିଥିଲା ବିନୋଦଙ୍କୁ. ଗର୍ଜି ଉଠିଥିଲେ କର୍ଣ୍ଣେଲ. କହିଥିଲେ ମୋର ପୁରୁଣା ବନ୍ଧୁ ହୋଇ ମୋର ସର୍ବନାଶ କରିବାକୁ ପାପବୋଧ ମନେ ହେଲା ନାହିଁ!ସମୁଦ୍ରରେ ଝାସ ଦେବାକୁ ଯିବା ପୂର୍ବରୁ ଚିଠିରେ ଆଦ୍ରା ସିନା ଲେଖିଦେଇଥିଲା ସେ ପାପ ଗର୍ଭବତୀ କିନ୍ତୁ ପାପ କି ପୁଣ୍ୟ କରିଥିବା ତାପସର ନାମ ଉଲ୍ଲେଖ୍ୟ କରିନଥିଲା ତ ଏପଟେ ମିଥ୍ୟାରୋପ ଓ ସେପଟେ ଗୋଟେ ନିଷ୍ପାପ କଳିକାର ଜୀଵନ ରକ୍ଷା ଦୋଛକିରେ ବିନୋଦ କେବଳ କହିଥିଲେ ଆଦ୍ରା କେବଳ ମୋର ବାନ୍ଧବୀ. ସେହି ଦିନ ଜୀଵନର ଅବସରର ଶେଷ ପୃଷ୍ଠା ପୂର୍ବରୁ ଏ ପୃଷ୍ଠାଟି ଯୋଡି କନିଷ୍ଠା ବାନ୍ଧବୀ ଆଦ୍ରା ସହିତ ସୈନିକ ତାପସର ସନ୍ତାନକୁ ଭୂମିଷ୍ଠ କରାଇବାକୁ ବିନୋଦ ଫୁଲମାଳ ପକେଇ ବିବାହ ନାମରେ ନେଇ ଆସିଥିବା ଆଦ୍ରାକୁ,ଘରେ ଏତେ ବିରୋଧର ଶୀକାର ହେବ ଜାଣିନଥିଲେ.
    ରାତି ପାଇଲା ବେଳକୁ ଆଦ୍ରା କାନ୍ଦୁଥିଲା ଖୁବ. ଘରେ ପଡ଼ିଥିବା ସକାଳ ପେପରର ଫ୍ରଣ୍ଟ ପେଜେରେ ତାପସର ଫଟୋ ଓ ଠିକଣା ଦେଖି ଆଦ୍ରାକୁ ବୁଝେଇ ବିନୋଦ ବାହାରି ଗଲେ ତାପସ ଘରକୁ କିନ୍ତୁ ତାଙ୍କ ଘରପରିସ୍ଥିତି ଏପରି ଥିଲା ସେ କହିପାରିନଥିଲେ ତାପସର ସନ୍ତାନ ଆଦ୍ରା କୋଳକୁ ଆସିବ. କହିବା ସମୟକୁ ଅପେକ୍ଷା କରି କରି ଆଦ୍ରାର ପୁଅ ଜନ୍ମ ହୋଇଥିଲା ଆଉ ବିନୋଦ ଦଉଡି ଯାଇଥିଲେ ପୁଣି ତାପସ ଘରକୁ. ପିତା ମାତା ପୁତ୍ର ଶୋକରେ ବିଷ ପାନ କରି ସାରିଥିଲେ ତ ଭଗ୍ନ ମନ ନେଇ ଫେରିଲେ ବିନୋଦ ଆଉ ସବୁ ସତ କଥା କହୁ କହୁ ହାର୍ଟ ଆର୍ଟାକରେ ଆଖି ବୁଜିଲେ ସବୁଦିନ ପାଇଁ . ଏସବୁ କଥା ରୁଦ୍ରକୁ ଭୀଷଣ ଭାବେ ଦୁଃଖିତ କରିଥିଲା ତ ସେ ସବୁ ଭାବନାରୁ ବାହାରି ହସ୍ପିଟାଲ ଯାଇ ଆଦ୍ରା ଓ ଛୋଟ ପୁଅକୁ ଘରକୁ ଆଣି ଆସିବା ପରେ ମାଆଙ୍କୁ କହିଥିଲା ମତେ ସ୍ତ୍ରୀ ଓ ପୁଅ ମିଳିଯାଇଛି ମାଆ, ମୋ ବାପାଙ୍କୁ ଭୁଲ ବୁଝିଥିବାରୁ ମୋର ଏହା ପ୍ରାୟଶ୍ଚିତ ବୋଲି ଭାବିପାର . ମାଆ କିନ୍ତୁ ନାତିକୁ କୋଳକୁ ନେଇ କହିଥିଲେ ତାପସ ଓ ତୋ ବାପା ବଞ୍ଚିଛନ୍ତି ମୋ ନାତି ଭିତରେ.ରୁଦ୍ର ଓ ଆଦ୍ରା ସବୁ ଭାବନା ଛାଡି ଲାଗିପଡ଼ିଥିଲେ ବାପାଙ୍କ ଆବର୍ତ୍ତମାନ କାମରେ ଲୁହ ଲହୁ ଏକାକାର କରି. ଆଦ୍ରାର ପିତା କର୍ଣ୍ଣେଲ ସବୁ ବୁଝିବା ବେଳକୁ ବିନୋଦ ନଥିଲେ ସଂସାରରେ.



Rate this content
Log in

Similar oriya story from Abstract