STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ସର୍ପଦେବୀ ମାଆ ମନସା

ସର୍ପଦେବୀ ମାଆ ମନସା

5 mins
237


ଶ୍ରାବଣ କୃଷ୍ଣ ପଞ୍ଚମୀ ଭାରତରେ ସର୍ବତ୍ର ମନସା ପଞ୍ଚମୀ ଭାବେ ପାଳନ କରାଯାଏ l ଏହି ତିଥିରେ ସର୍ପଦେବୀ ମା'ମନସାଙ୍କ ପୂଜା କରାଯାଇ ଥାଏ l ପୁରାଣରେ ମାଆ ମନସା ସର୍ପ ବିଷହାରୀ ଦେବୀ ଭାବେ ବର୍ଣ୍ଣିତ l ଦେବୀଙ୍କର ଭାରତବର୍ଷରେ ବହୁ ମନ୍ଦିର ରହିଛି l ସେଥିମଧ୍ୟରୁ ହରିଦ୍ୱାର,

ଚଣ୍ଡିଗଡ଼, ମଥୁରା,ରାଜନନ୍ଦଗାଓଁ ସ୍ଥିତ ମନସାମାତା ମନ୍ଦିର ବିଶ୍ୱ ପ୍ରସିଦ୍ଧ l

ମନସା ଦେବୀ ଶକ୍ତି ସ୍ୱରୂପା, ଭଗବାନ ଶଙ୍କରଙ୍କ ମାନସ କନ୍ୟା ଓ ନାଗରାଜ ବାସୁକୀଙ୍କ ଭଉଣୀ l ମାନସିକ ପୂରଣ କରୁଥିବା ଦେବୀ ହେଉଛନ୍ତି ମା' ମନସା l ପଶ୍ଚିମବଙ୍ଗ,ଉତ୍ତରପୂର୍ବ ଭାରତ,ବିହାର ଏବଂ ଝାଡ଼ଖଣ୍ଡରେ ମାଆ ମନସାଙ୍କ ପୂଜା ବହୁଳ ଭାବେ ପ୍ରଚଳିତ l

ପୁରାଣରୁ ଜଣାଯାଏ ନାଗରାଜ ବାସୁକୀଙ୍କ ଭଗ୍ନୀ ମନସା,ଋଷି ଜରତ୍କାରୁଙ୍କୁ ବିବାହକରିଥିଲେ ଏବଂ ତାଙ୍କ ଗର୍ଭରୁ ଋଷି ଆସ୍ତିକ ଜନ୍ମଲାଭ କରିଥିଲେ l କେତେକ ଶାସ୍ତ୍ରରେ ମନସାଦେବୀ ହରଗୌରୀଙ୍କ ମାନସକନ୍ୟା ଭାବେ ବର୍ଣ୍ଣିତ,ପୁଣି ଆଉ କେତେକ ଶାସ୍ତ୍ରରେ ସେ ଋଷି କଶ୍ୟପଙ୍କ କନ୍ୟା ନାଗ ଲକ୍ଷ୍ମୀ ଭାବେ ମଧ୍ୟ ପରିଚିତା l

ଦେବୀ ମନସାଙ୍କ ଉଲ୍ଲେଖ ସର୍ବ ପ୍ରଥମେ ଅଥର୍ବ ବେଦରେ ଦେଖିବାକୁ ମିଳିଥାଏ l ଏଥିରେ ଦେବୀ ଋଷି କଶ୍ୟପ ଓ କଦ୍ରୁଙ୍କର କନ୍ୟା ବୋଲି ବର୍ଣ୍ଣିତ l ସାଗର ମନ୍ଥନ କାଳରେ ଶିବଙ୍କ ବିଷପାନ ପରେ ତାଙ୍କୁ ମା'ମନସା ରକ୍ଷାକରିଥିଲେ ବୋଲି ପୁରାଣ ବର୍ଣ୍ଣନା ଅଛି l ସେଥି ପାଇଁ ତାଙ୍କୁ 'ବିଷ ବିଦାୟୀ' ଭାବେ ପୂଜା କରାଯାଏ l

ମନସା ଦେବୀ ସର୍ପ ଓ ପଦ୍ମ ଉପରେ ବିରାଜିତା l ଅନେକ ସର୍ପ,ଫଣା ଟେକି ତାଙ୍କ ମସ୍ତକ ଉପରେ ରହିଥିବା ଦେଖାଯାଏ l ତାଙ୍କ କୋଳରେ ଗୋଟିଏ ଶିଶୁ ଶୋଇଥିବା ଦେଖାଯାଏ l ଶିଶୁଟି ତାଙ୍କ ନିଜ ସନ୍ତାନ ଆସ୍ତିକ l

ମନସାଦେବୀଙ୍କ ବିଷୟ ପୁଣି ମହାଭାରତର ଋଷି ଜରତ୍କାରୁ ଚରିତରେ ଦେଖିବାକୁ ମିଳି ଥାଏ l ବହୁ ପୂର୍ବେ ନାଗ ମାତା କଦ୍ରୁ ତାଙ୍କ ସପତଣି ବିନତାଙ୍କ ସହ କଳହକାଳରେ ନାଗକୂଳକୁ ଅଭିଶାପ ଦେଇ ଥିଲେ ଅଗ୍ନିରେ ଭସ୍ମ ହେବେ ବୋଲି l ସେ ସମୟ ଆସି ଉପସ୍ଥିତ ହୋଇଥିଲା, ମହାରାଜ ପରୀକ୍ଷିତ ତକ୍ଷକ ନାଗର ଦଂଶନ ଦ୍ୱାରା ମୃତହେବା ପରେ l ଏହାର ପ୍ରତିଶୋଧ ନେବାପାଇଁ ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟ ଉତ୍ତଙ୍କ ଋଷିଙ୍କ ପରାମର୍ଶରେ ସର୍ପଯଜ୍ଞ କଲେ l ସେତିକି ବେଳେ ଆସ୍ତିକ ବ୍ରହ୍ମା ବର ପାଇ ସର୍ପକୂଳକୁ ରକ୍ଷା କରିଥିଲେ l ସର୍ପକୂଳକୁ ଆସ୍ତିକ ରକ୍ଷା କରିଥିବାରୁ ସେମାନେ ତାଙ୍କୁ ପ୍ରାର୍ଥନାକଲେ, "ଆମେ ଆପଣଙ୍କର କି ଉପକାର କରି ପାରିବୁ"l ଆସ୍ତିକ ତାଙ୍କୁ କହିଥିଲେ, ଏତିକି କର, ଆଜିଠାରୁ ମୋର ନାମକୁ ଯିଏ ଉଚ୍ଚାରଣ କରିବ ତାକୁ ତୁମ୍ଭେ ମାନେ ଦଂଶନ କରିବ ନାହିଁ l ତେଣୁ ଆସ୍ତିକ ନାମ ଉଚ୍ଚାରଣ କଲେ ସର୍ପ ଦଂଶନର ଭୟ ରହେନାହିଁ ବୋଲି ବିଶ୍ୱାସ ରହିଛି l ଋଷି ଜରକ୍ତlରୁଙ୍କ ଚରିତ ଦେବୀ ଭାଗବତ ଓ ବ୍ରହ୍ମବୈବର୍ତ୍ତ ପୁରାଣରେ ମଧ୍ୟ ରହିଛି l

ଜରକ୍ତlରୁ ଥିଲେ ବିଶାଳ ଶରୀର ଧାରୀ l ତାଙ୍କର ଏହି ବିଶାଳ ଶରୀରକୁ ସେ ଉଗ୍ର ତପସ୍ୟା ଦ୍ୱାରା ବହୁ କ୍ଷୀଣ କରି ଦେଇଥିଲେ l ଜରା ଅର୍ଥ,ଜଳାଇ ଦେବା,କାରୁ ବା ବିଶାଳ ଶରୀର ଯୋଗୁଁ, ତାଙ୍କର ନାମ ହୋଇଥିଲା ଜରକ୍ତlରୁ l ଗୋଟିଏ ଯାଯାବର ବ୍ରାହ୍ମଣ ଗୋଷ୍ଠୀର ସେ ଜଣେ ରୁଷି ଥିଲେ l ବାଲ୍ୟ କାଳରୁ ସେ ଈଶ୍ଵରାନୁରାଗୀ ଥିଲେ ଓ ପରେ ଗୃହ ତ୍ୟାଗୀ ସନ୍ନ୍ୟାସୀ ହୋଇ ଯାଇଥିଲେ l ଦିନେ ସେ ଭ୍ରମଣ କରୁକରୁ ଯାଇ ପୁତ୍ ନର୍କ ପାଖରେ ପହଞ୍ଚି ଗଲେ l ସେଠାରେ ସେ ଦେଖିବାକୁ ପାଇଲେ କିଛି ମହାତ୍ମା ନର୍କ ଆଡକୁ ତଳକୁ ମୁହଁ କରି, ଦଉଡ଼ିରୁ ଝୁଲୁଛନ୍ତି ଓ ମୂଷାମାନେ ସେ ଦଉଡ଼ିକୁ କାଟୁଛନ୍ତି l ସେମାନେ ଯନ୍ତ୍ରଣାରେ ଚିତ୍କାର କରୁ ଥିଲେ l ତାଙ୍କୁ ଜରକ୍ତlରୁ ପ୍ରଶ୍ନକଲେ ହେ ମହାତ୍ମାଗଣ, ଆପଣଙ୍କ ଏପରି ଦଶା କେଉଁଥି ପାଇଁ ହୋଇଛି l ସେମାନେ କହିଲେ, ଆମ୍ଭେ ସମସ୍ତେ ଅପୁତ୍ରିକ ହୋଇ ଥିବାରୁ ଏଭଳି ଦଶା ଭୋଗ କରୁଛୁ l ଆମ ବଂଶରେ ଯଦି କେହି ଥାନ୍ତେ ସେ ଆମକୁ ଶ୍ରାଦ୍ଧ ଓ ପିଣ୍ଡଦାନ କରି ଉଦ୍ଧାରକରନ୍ତେ l ଆମ ବଂଶରେ ଜରକ୍ତlରୁ ନାମା ଜଣେ ପୁତ୍ର ଥିଲେ,କିନ୍ତୁ ସେ ସଂସାର ତ୍ୟାଗ କରି ସନ୍ନ୍ୟାସୀ ହୋଇ ଗଲେ l ଏହାଶୁଣି ସେ କହିଲେ, 'ମୁଁ ହେଉଛି ସେହି ଅଧମ ପୁତ୍ର'l ମହାତ୍ମା ମାନଙ୍କ ପରାମର୍ଶରେ ଜରକ୍ତlରୁ ମନସା ଦେବୀଙ୍କୁ ବିବାହ କରିଥିଲେ l ତାଙ୍କ ଔରସରୁ ଆସ୍ତିକ ଜନ୍ମ ଗ୍ରହଣ କରି ପିତୃକୂଳକୁ ଶ୍ରାଦ୍ଧ ଦେଇ ନର୍କରୁ ଉଦ୍ଧାର କରି ଥିଲେ ଓ ମାତୃନାଗକୁଳ ନାଗମାନଙ୍କୁ ସର୍ପ ଯଜ୍ଞରୁ ରକ୍ଷା କରିଥିଲେ l

ମନସା ଦେବୀଙ୍କ ମହିମା ବିଷୟରେ ଏକ ସୁନ୍ଦର ଉପାଖ୍ୟାନ ରହିଛି l ସେହି ଉପାଖ୍ୟାନଟିକୁ ନେଇ ବଙ୍ଗଳାରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣହୋଇଛି l ଏହା ବଙ୍ଗଳା ପାଲାଗାୟନରେ ମଧ୍ୟ ପରିବେଷିତ

 ହୋଇଥାଏ, କାହାଣୀଟି ଆନୁମାନିକ ପ୍ରାୟ ତେର ଶହ ଶତାବ୍ଦୀର l ବୃହତ ଶିବପୁରାଣରୁ ଆନିତ ଏ ଉପାଖ୍ୟାନ ମନସା ମଙ୍ଗଳ ନାମରେ ଖ୍ୟାତ l

କାହାଣୀ ଅନୁସାରେ ବାଣାସୁରର ଝିଅ ଶ୍ରୀକୃଷ୍ଣଙ୍କ ପୌତ୍ର ଶ୍ରୀ ଅନିରୁଦ୍ଧଙ୍କୁ ପ୍ରେମ ବିବାହ କରିଥିଲେ l ସେମାନେ ଦେବତା ମାନଙ୍କ ଠାରୁ ଅଭିଶାପ ପାଇ ପର ଜନ୍ମରେ ବେହୁଲା ଓ ଲକ୍ଷୀନ୍ଦର ଭାବେ ଜନ୍ମ ନେଲେ l ଏହି ଜନ୍ମରେ ମଧ୍ୟ ତାଙ୍କର ପୁଣି ବିବାହ ହେଲା l ବେହୁଲା ଉଜ୍ଜୟିନୀ ରାଜା ସାୟାବେନଙ୍କ ଏକମାତ୍ର କନ୍ୟା ଥିଲେ ଓ ଲକ୍ଷୀନ୍ଦର ଥିଲେ ଚମ୍ପା ନଗରର ଚାନ୍ଦ ସୌଦାଗରଙ୍କ ସପ୍ତମ ପୁତ୍ର l

ବେହୁଲା ଥିଲେ ମା'ମନସା ଦେବୀଙ୍କ ଭକ୍ତ l ଚାନ୍ଦ ସୌଦାଗର ଥିଲେ ମହାନ ଶୈବ ଭକ୍ତ l କୌଣସି କାରଣରୁ ସେ ମା ମନସାଙ୍କୁ ଭକ୍ତି କରୁ ନ ଥିଲେ l ସେତେବେଳେ ମାଆ ମନସା ଦେବତାଙ୍କ ମଧ୍ୟରେ ଦେବୀ ମାନ୍ୟତା ପାଇ ନଥିଲେ l କଥା ଥିଲା ଯଦି ଶିବଭକ୍ତ ଚାନ୍ଦ ସୌଦାଗର ତାଙ୍କ ଦକ୍ଷିଣ ହସ୍ତରେ ମାଆ ମନସାଙ୍କୁ ଅଞ୍ଜଳୀ ଦେବେ, ତେବେ ମନସା ଦେବୀର ମାନ୍ୟତା ପାଇବେ, ତେଣେ ସୌଦାଗର କିନ୍ତୁ ପ୍ରତିଜ୍ଞା କରିଥାନ୍ତି ମୁଁ ଯେଉଁ ହାତରେ ଶିବଙ୍କୁ ଅଞ୍ଜଳି ଦେଉଛି ସେହି ହସ୍ତରେ ମନସାଙ୍କୁ କେବେ ହେଲେ ଅଞ୍ଜଳୀ ଦେବି ନାହିଁ l ତାଙ୍କୁ ଶାସ୍ତି ଦେବା ପାଇଁ ନାଗ ଦେବୀ ମନସା ନାଗ ମାନଙ୍କୁ ପଠାଇ ତାଙ୍କର ଛଅଗୋଟି ପୁଅଙ୍କୁ ସର୍ପାଘାତରେ ବିନାଶ କଲେ l ଏଥିରେ ଚାନ୍ଦ ସୌଦାଗର ଆହୁରି ରାଗି ଗଲେ l ତାଙ୍କର ସପ୍ତମ ସନ୍ତାନ ଲକ୍ଷୀନ୍ଦର l ତାକୁ ମନସାଙ୍କ କବଳରୁ ବଞ୍ଚାଇବା ପାଇଁ, ସେ ପ୍ରତିଜ୍ଞା କଲେ l ସମୟକ୍ରମେ ଚାନ୍ଦସୌଦାଗର ତାଙ୍କ ପୁତ୍ର ଲକ୍ଷୀନ୍ଦରକୁ ସୌଭାଗ୍ୟ ବତୀ ବେହୁଲା ସାଥିରେ ବିବାହ କରାଇଦେଲେ l କଲ୍ୟାଣୀ ବେହୁଲା ବର ପାଇଥିଲେ କେବେହେଲେ ବିଧବା ହେବେ ନାହିଁ l ସୌଦାଗରଙ୍କ ଗୋଟିଏ ଲୌହର ପ୍ରାସାଦ ଥିଲା l ପ୍ରସାଦରେ ପ୍ରବେଶପାଇଁ କୌଣସି ଛିଦ୍ର ନ ଥିଲା l ପ୍ରସାଦ ଭିତରକୁ କୌଣସି ସର୍ପ ପ୍ରବେଶ କରିବା ଅସମ୍ଭବ ଥିଲା l ବିଶ୍ୱକର୍ମା ସେ ପ୍ରସାଦକୁ ନିର୍ମାଣ କରି ଥିଲେ l ବିଶ୍ୱକର୍ମା ମନସାଙ୍କ ଅନୁରୋଧରେ, ପ୍ରାସାଦରେ ଗୋଟିଏ ସୁକ୍ଷ୍ମ ଛିଦ୍ର ରଖି ଦେଇଥିଲେ ଯାହା କେହି ଜାଣି ପାରିବେ ନାହିଁ l ନବଦମ୍ପତ୍ତିଙ୍କ ବାସର ରାତ୍ରିରେ ମାଆ ମନସା, କାଳ ନାଗୁଣୀକୁ ଲକ୍ଷୀନ୍ଦରକୁ ଦଂଶନ କରିବା ପାଇଁ ପଠାଇଲେ l ଦେବୀ ତାଙ୍କ ମାୟା ବିସ୍ତାର କରିଥାନ୍ତି l ବେହୁଲା ଗାଢ଼ନିଦରେ ଶୋଇ ପଡ଼ିଥାଏ l ଏହି ସମୟରେ କାଳ ନାଗୁଣୀ ପ୍ରାସାଦରେ ଥିବା ସେହି ଛିଦ୍ର ମଧ୍ୟ ଦେଇ ଶୟନ କକ୍ଷରେ ପଶି ଲକ୍ଷୀନ୍ଦରକୁ ଦଂଶନ କଲା,ଖୁବ ଯନ୍ତ୍ରଣାରେ ଲକ୍ଷୀନ୍ଦର ଚିତ୍କାର କଲାରୁ ବେହୁଲାର ନିଦ ଭାଙ୍ଗିଗଲା l ସେ ଉଠି ଦେଖିଲା କାଳନାଗୁଣୀ ସେହି ଛିଦ୍ର ବାଟ ଦେଇ ପଳାଉଛି l

ବେହୁଲା ସେ ପାଖରେ ଜଳୁଥିବା ପିତ୍ତଳ ଦୀପକୁ ଯୋରରେ ଫିଙ୍ଗି ଦେବାରୁ କାଳ ନାଗୁଣୀ ଲାଙ୍ଗୁଡ଼ କଟିଗଲା l ଵିଷଜ୍ୱାଳାରେ ଲକ୍ଷୀନ୍ଦରର କିଛି କ୍ଷଣ ମଧ୍ୟରେ ପ୍ରାଣବାୟୁ ଉଡ଼ିଗଲା l ସେ ସମୟ ପ୍ରଥା ଅନୁସାରେ ଶବକୁ ଏକ ଭେଳାରେ ରଖି ନଦୀରେ ଭସାଇ ଦିଆଗଲା l କିନ୍ତୁ ବେହୁଲା ସ୍ୱାମୀର ମୃତ ଶରୀରକୁ ଛାଡିଲାନାହିଁ l ସେ ଶବକୁ ଜାବୁଡ଼ି ଧରି ଭେଳା ଉପରେ ବସିରହିଲା ଓ ଭେଳା ଭାସିଭାସି ଚାଲିଲା l ଭେଳାରେ ବସି,ବେହୁଲା ମା'ମନସାଙ୍କୁ ପ୍ରାର୍ଥନା କରି ଚାଲିଥାଏ ସ୍ୱାମୀର ପ୍ରାଣ ଫେରାଇ ଦେବା ପାଇଁ l ଶବଟି କ୍ରମେ ପଚି ଦୁର୍ଗନ୍ଧ ବାହାରୁ ଥାଏ l ଛଅ ମାସ ଚାଲିଗଲା l ଲକ୍ଷୀନ୍ଦରର ଖାଲି କଙ୍କାଳ ପଡ଼ି ରହି ଥାଏ l ଏପରି ଅବସ୍ଥାରେ ସେ ଯାଇ ପହଞ୍ଚିଲା ସ୍ୱର୍ଗ ପୁରୀରେ l ସେଠାରେ ନିଜ ବିନୟଭରା ବାକ୍ୟରେ ଓ ନିଜ ରୂପଗୁଣରେ ସେ ଦେବତା ମାନଙ୍କୁ ସନ୍ତୁଷ୍ଟକଲା l ବେହୁଲା ସ୍ୱାମୀର ଜୀବନ ଫେରାଇ ଦେବା ପାଇଁ ଦେବତା ମାନଙ୍କୁ ପ୍ରାର୍ଥନାକଲା l ଦେଵତାମାନେ ବେହୁଲା କଥାରେ ରାଜି ହୋଇ ସ୍ୱାମୀର ଜୀବନ ଫେରାଇ ଦେବାକୁ କହିଲେ l କିନ୍ତୁ ସେମାନେ ଗୋଟିଏ ସର୍ତ୍ତ ରଖିଲେ ଯେ ଚାନ୍ଦ ସୌଦାଗର ମନସାଙ୍କୁ ଅଞ୍ଜଳି ଦେବାକୁ ପଡ଼ିବ l ବେହୁଲା ସ୍ୱର୍ଗରୁ ଆସି ଏ କଥା ଶ୍ୱଶୁରଙ୍କୁ କହିଲାରୁ ପୁଅ ଜୀବନ ଫେରି ପାଇବା ଆଶାରେ ସୌଦାଗର ଏଥିରେ ରାଜି ହୋଇଗଲେ l

ସେ ମା'ମନସାଙ୍କୁ ଅଞ୍ଜଳି ଦେବାରୁ ଲକ୍ଷୀନ୍ଦରର କଙ୍କାଳରେ ପ୍ରାଣ ସଞ୍ଚାର ହେଲା l ନିଦରୁ ଉଠିଲା ଭଳି ସେ ଉଠି ବସି ପଡ଼ିଲା l ସୌଦାଗରର ଛଅ ମୃତପୁତ୍ର ମଧ୍ୟ ତା ସହ ଜୀବିତ ହୋଇ ଉଠିଲେ l ସେ ତିଳାଞ୍ଜଳୀ ଦେବା ଦ୍ୱାରା ମନସା ମାତା ମଧ୍ୟ ସ୍ଵର୍ଗରେ ଦେବୀର ଆସନ ଲାଭ କଲେ l

ସର୍ପଦେବୀ ମନସାଙ୍କ ଦୁଇ ହାତରେ ଅମୃତ ଭରି ରହିଥିବା ଶ୍ଵେତ ଏବଂ ବିଷ ଭରା ରକ୍ତ ପଦ୍ମ ରହି ଥାଏ l ସେ ଲୋକଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରିଥାଆନ୍ତି l ମନସା ମାତାଙ୍କ ସପ୍ତ ନାମ ଜପ କଲେ ସର୍ପଭୟ ରହେନାହିଁ l ମା' ମନସାଙ୍କ ବିଭିନ୍ନ ନାମ ରହିଛି l ସେଗୁଡ଼ିକ ହେଲା ବୈଷ୍ଣଵୀ ଜରତ୍କାରୁ,ଜଗତଗୌରୀ,ନାଗଭୋଗିନୀ, ଶୈବୀ, ନାଗେଶ୍ବରୀ,ଜରତ୍କାରୁ ପ୍ରିୟା,ଆସ୍ତିକ ମାତା ଏବଂ ବିଷହାରୀ l

ମନସାଦେବୀଙ୍କ ଉତ୍ପତ୍ତି ପୂର୍ବରୁ ପୃଥିବୀ ପୃଷ୍ଠରେ ସର୍ପ ପୂଜା କରା ଯାଉ ନଥିଲା l ତାଙ୍କ ଆବିର୍ଭାବ ପରେ, ମନୁଷ୍ୟ ମାନଙ୍କ ଦ୍ବାରା ସର୍ପପୂଜା ଆରମ୍ଭ ହେଲା l ମାଆ ମନସାଙ୍କ ବଙ୍ଗଳାରେ ଏକ ସୁନ୍ଦର ବନ୍ଦନା ରହିଛି :-

ଜୟ ଜୟ ମା' ମନସା ଜୟ ବିଷହାରୀ ଗୋ

  ! ବନ୍ଦନା କରି ମୁଁ ମାତ ବନ୍ଦନା କରି !



Rate this content
Log in

Similar oriya story from Inspirational