ସର୍ଵଗିଳା
ସର୍ଵଗିଳା
ସଠିକ ମସିହା କି ବୟସ ମୋର କେତେ ମନେ ନାହିଁ। ମନେ କିନ୍ତୁ ଅଛି ଗୋଟେ କାନ୍ଦୁରା ମୁହଁ ଲୁହ ସିଂଘାଣୀରେ ଏକାଖଣ୍ଡ। ମୁଁ ଜାଣିନି ସେ ମୁହଁ ଏବେ କେଉଁଠି କେମିତି ଥିବ। ସେ ପ୍ରାୟତଃ ତା ମା କାନି ଧରି ପଛେ ପଛେ କାନ୍ଦୁରା ମୁହଁ କରି ଚାଲେ ଓ ମା ହୁଁ ଉଁ ମା ହୁଁ ଉଁ ହୁଏ।ମା କିନ୍ତୁ ତା କଥାକୁ କାନ ନ ଦେଇ ତା କାମ କରି ଚାଲିଥାଏ।
ମୁଁ ବୁଝି ପାରେନି ସେ ତା ମା ପଛେ ପଛେ ଏମିତି କାନ୍ଦୁଣୁ ମାନ୍ଦୁଣୁ ହୋଇ ଚାଲେ କାହିଁକି ?
ତା ମା ଆମ ଏଇ ଦୁଇ ତିନି ଦିନ ହେବ ଆସିଥିବା ନୂଆ କାମ ବାଲୀ ରେଣୁ ଆଣ୍ଟି।ସମସ୍ତେ ତାକୁ ରେଣୁ ,ତୁ ତା ବେ ବା କରନ୍ତି। ମୋ ଭାଇ ଓ ଭଉଣୀ କଥା କଥା କେ ଇଂଲିଶି ଭୁଷି ମାରନ୍ତି ଓ ତା କାମରୁ ଭୁଲ୍ ବାହାର କରନ୍ତି। ବେଶୀ ସେଇ କାନ୍ଦୁରା ମୁହାଁ ପିଲାଟାକୁ ଏହେ ଅସନାଟା, ଯା ଯା ତେଣିକି ଯା ।ଇସ୍ କି ଦୁର୍ଗନ୍ଧ ତୋ ଦେହରୁ ବାହାରୁଛି।ଛିଃ ଦେଖ୍ ସିଙ୍ଘାଣି କେମିତି ଚାଟି ଦେଉଛି।ଏ ରେଣୁ ! ଯା ତାକୁ ପଛ ପଟ ବାରଣ୍ଡାରେ ବସାଇ ଆ।
ରେଣୁ ମୁହଁ ଶୁଖାଇ କୁହେ , କଣ କରିବି ଶକ୍ତି ଦି।ବାଡିପଡାଟା ମୋ ପିଛା ଛାଡୁନାହିଁ।ଯେଉଁଠି ବସେ
ଇଲେ ବି ଟିକେ ବସିଥିବ କି ନାହିଁ ଉଠି ଆସୁଛି।ମରି ଯାଆନ୍ତା କି ମୋର କଣ୍ଟା ଯାଆନ୍ତା।ସର୍ଵଗିଳାଟା ସବୁବେଳେ କହୁଛି ଖାଇବି ଖାଇବି। ଏତେ ଖାଇବା ତା ପାଇଁ କେଉଁଠୁ ଆଣିବି ଯେ !
ହେ ହେ ସର୍ଵଗିଳା କହି ମୋ ଶକ୍ତି ଦି ଓ ଟିଟୁ ଭାଇ ହୋ ହୋ ହୋଇ ହସନ୍ତି। ସେଇ ଦିନଠାରୁ କାନ୍ଦୁରା ମୁହଁଟିର ନାଁ ହୋଇଗଲା "ସର୍ବ ଗିଳା" ।ବାବା ମାମା ଥିଲା ବେଳେ ମୋ ଦି ଓ ଭାଇ ସେଇ କାନ୍ଦୁରା ମୁହାଁକୁ କିଛି କୁହନ୍ତି ନାହିଁ।କିନ୍ତୁ ମା ବାବା ଟିକେ ଆଡ଼ ହେଲେ ଚାଲିଲା ତା ସହ ବଦମାସି।
ଆରେ " ସର୍ଵଗିଳା "ମାଟି ଖାଇବୁ,ଇଟା ଖାଇବୁ ନେ ନେ କହି ତାକୁ ଖୁବ୍ ହଇରାଣ କରନ୍ତି।ଚୁପ୍ ଚାପ୍ ପିଲାଟି ଶୁଣେ।ପାଟି ସିନା ଖୋଲେନି ତା ଆଖି କିନ୍ତୁ ବିଦ୍ରୋହ କଲା ପରି ଜଳେ।
ବୋଧେ ରେଣୁ ଆଣ୍ଟି କହିଥିବ , ବାବୁ ମା ପିଲାଙ୍କୁ କିଛି କହିବୁ ନାହିଁ।ହୁଏତ ପିଲାଟି ମା କଥା ମାନି ପାଟି ଖୋଲୁ ନଥିବ।
ମୋତେ ଏସବୁ ଆଦୌ ଭଲ ଲାଗେନି। ମୁଁ ରେଣୁ ଆଣ୍ଟିକୁ କୁହେ , ସେ କାନ୍ଦୁଛି କାହିଁକି ? ତା ନାଁ କଣ ସର୍ଵଗିଳା ?
ରେଣୁ ଆଣ୍ଟି ଆଖିରୁ ଜୋରେ ବର୍ଷା ହୁଏ। ତା ନାଁ ରାଜା : ରାଜେନ୍ଦ୍ର।
ବାଃ ଖୁବ୍ ସୁନ୍ଦର ନାଁ ଟିଏ ତ !
ଗରିବ ଘର ଛୁଆ କଣ ନାଁ ରେ ବି ରାଜା ହୋଇ ପାରିବେ କି ମୈତ୍ରୀ ମା ! ସେମାନେ "ସର୍ଵଗିଳା" ହିଁ ହୋଇ ପାରିବେ।
ହୁଏତ ରେଣୁ ଆଣ୍ଟି ଙ୍କର ଅଭିମାନ ବୁଝିବା ବୟସ ମୋର ହୋଇ ନଥିଲା।କିନ୍ତୁ ତାଙ୍କ ଭାରି ଭାରି ସ୍ୱରରୁ ସେ କହୁଥିବା କଥାଟା କାନ୍ଦିଲା କଥା ଏତିକ ଜାଣି ପାରୁଥିଲି।
ରେଣୁ ଆଣ୍ଟି ସେ ତୁମ କାନି ଧରି ସେମିତି ଉଁ ମା ଉଁ କାଇଁ ହେଉଥିଲା।
ଖାଇବ ବୋଲି ମୋ କାନି ଧରି କାନ୍ଧୁଛି। ମୁଁ ସିନା ତୁମ ଘର କାମ ସାରି ଗଲେ କଣ ରୋଷେଇ କଲେ ସେ ଖାଇବ !
ତୁମ ଘରେ ଆଉ କେହି ନାହାନ୍ତି ?
ଆଉ କିଏ ମା ,ସେଇ ରାଜା ବାପା ଟା ଘରେ ଟାରେ ପଡିଛି ଅହରହ।ବସ୍ ଡ୍ରାଇଭର ଥିଲା। ବସକୁ ଟ୍ରକ ସହ ବାଡେଇ ମେରୁଦଣ୍ଡ ଭାଙ୍ଗି ଘରେ ପଡିଛି।ଗୋଟିଏ ବୋଲି ପୁଅ ଆମର ରାଜା।ଅଭାବ ନଥିଲା।ଭଲ ଖାଇ ପିନ୍ଧି ମୋ ରାଜା ,ରାଜା ଛୁଆ ପରି ଦେଖା ଯାଉଥିଲା। ଏଇଠି ଚାରି ବର୍ଷ ହେବ ତ ବାପା ଘରେ ପଡିବାରୁ ମୁଁ ଦୁଇଟି ଘରେ କାମ କରୁଛି।ସେଇଥିରୁ ଯେତିକି ରୋଜଗାର ତିନି ପେଟ ପୁରି ଯାଆନ୍ତା କଷ୍ଟେ ମଷ୍ଟେ।କିନ୍ତୁ ଅଧା ପଇସା ରାଜା ବାପା ଔଷଧ ଖର୍ଚ୍ଚରେ ଯାଏ। ଏଣୁ ରାଜାଙ୍କୁ ତା ମନ ମୁତାବକ ଖାଦ୍ୟ କି ପୋଷାକ ଦେଇ ପାରୁ ନାହିଁ।ହେଲେ ଜାଣିଛ ମୈତ୍ରୀ ମା ମୋ ରାଜା ଭଲ ପଢୁଛି।ତାଙ୍କ ସ୍କୁଲ ସାର୍ କହୁଥିଲେ ଆର ବର୍ଷ ରାଜାକୁ ସ୍କଲାରସିପ୍ ପଠେ
ଇବେ। କଣ ହୋଇଛି କେଜାଣି ଚାରି ଦିନ ଦିନ ହେବ ସ୍କୁଲ ଯାଉନାହିଁ। ଖାଲି ଏ ଚକୋଲେଟ୍ ସେ ବିସ୍କୁଟ ,ମ୍ୟାଗି, କୁରୄକୁରି ଖାଇବ ଖାଇବ ହେଉଛି।ବୋଧେ ତାର କୁର୍ମୀ ହୋଇ ଯାଇଛି।ସେଥିଲାଗି ଏମିତି ଭୋକ ହେଉଛି ତାକୁ।
ଆଜି ରାଜା କଣ ଖାଇଥିଲା !
ମୁଢି ମୁଠେ ମୁଠେ ତା ବାପା ଓ ସେ ନାଲି ଚାରେ ଭସେଇ ଖାଇ ଛନ୍ତି।ଦଶଟା ଭିତରେ କାମ ସାରି ଦେଇ ଗଲେ ଭାତ ରାନ୍ଧିଲେ ସେ ଖାଇବ।
ଓହୋ।ନଅଟା ହେଲାଣି ତାକୁ ତ ଭୋକ ହେବା ସ୍ବାଭାବିକ।
ନାଇଁ ମା ଯେତେ ଖାଇଲେ ବି ତାକୁ ଭୋକ ହେଉଛି।
ଯେତେ ଖାଇଲେ ? ଛଅ ସାତ ବର୍ଷର ପିଲା ନାଲି ଚା ରେ ମୁଠେ ମୁଢି ଖାଇଛି, ଭୋକ ହୁଅନ୍ତା ନାହିଁ ? ମୁଁ ମନେ ମନେ କହି ତା ପାଇଁ ଗୋଟେ ଆପେଲ ଓ କଦଳୀ ନେଇ ପଛ ପଟକୁ ଗଲି।
ହେ ଭଗବାନ ! ରାଜା ଖଣ୍ଡ ଖଣ୍ଡ ଇଟା ଚୋବେଇ ଢୋକୁଛି !
ମୁଁ ତାକୁ ଟିକେ ନାଲି ଆଖି ଦେଖେଇ କହିଲି ଏ..ଇ ରାଜେନ୍ଦ୍ର ଇଟା କଣ ଖାଉଛୁ ? ରାଜାମାନେ କଣ ଇଟା ଖାଆନ୍ତି ! ଇଟା କଣ ଖାଦ୍ୟ ତାକୁ ଖାଉଛୁ ?
ସେ କାନ୍ଦୁଣୁ ମାନ୍ଦୁଣୁ ହୋଇ କହିଲା, ମା କିଛି ଖାଇବାକୁ ଦଉନି।ମୋତେ ଭୋକ ହେଉଛି।କଣ ଖାଆନ୍ତି ଆଊ।
ଶୁଣ୍ ସେ ଟ୍ୟାପ ଦେଖୁଛୁ ?
ହଁ
ଯା ମୁହଁ ହାତ ପରିଷ୍କାର କରି ଧୋଇ ହୋଇ ଆ।
ସେ ମୋ ବୋଲ ମାନି ଟ୍ୟାପ୍ ରେ ମୁହଁ ହାତ ଧୋଇ ଆସିଲାରୁ ମୁଁ ତାକୁ ଗୋଟେ ଆପେଲ ଓ କଦଳୀ ଖାଇବାକୁ ଦେଲି। ସେ ଦୁଇ ମିନିଟରେ ଗାଉଁ ଗାଉଁ କରି ଖାଇଦେଲା।ମୁଁ ପୁଣି ବିସ୍କୁଟ ପ୍ୟାକେଟ୍ ଟିଏ ଦେଲି।ତାକୁ ବି ଟାକ୍ କିନା ଖାଇ ଦେଲା।
ତାପରେ ସେ କାନ୍ଦୁରା ମୁହଁରେ ହସ ଉକୁଟିଲା।ଖୁସି ହୋଇ ମୋତେ କହିଲା, ତୁମେ ମୋ ସାଙ୍ଗ ହେବ ?
ହଁ ତୁ ଯଦି ସବୁ ଦିନେ ସ୍କୁଲ ଯିବୁ।
ମା କିଛି ଖାଇବାକୁ ଦଉନି, ସକାଳୁ କାମକୁ ପଳେଇ ଆସୁଛି।ଆମ ସ୍କୁଲରେ ମଧ୍ୟାହ୍ନ ଭୋଜନ ଗୋଟେ ତିରିଶ ରେ ଦିଆ ଯାଏ। ଖାଲି ପେଟରେ କେମିତି ଏତେ ବେଳ ଯାଏ ରହନ୍ତି।ମା ସାଙ୍ଗେ ଆସିଲେ ତୁମେ ଖାଇ ସାରିଲା ପରେ ଯାହା ବଳି ଥାଏ ବାସନ ଧୋଇବାକୁ ନେଲା ବେଳକୁ ସେ ସବୁ ଏକାଠି କରି ଖାଇବାକୁ ଦିଏ । ତୁମ ଘର ଖାଇବା ବଢ଼ିଆ ଲାଗେ ମୋତେ। ସେଥିପାଇଁ ସ୍କୁଲ ନ ଯାଇ ମା ସହ ଆସୁଛି ।
ହଉ ତୁ ବ୍ୟସ୍ତ ହଅନା।ମା ବାବା ଙ୍କୁ କହି ପ୍ରତିଦିନ ତୋ ପାଇଁ ଖାଦ୍ୟ ପଠା ଇବା ବ୍ୟବସ୍ଥା କରିବି।ତୁ କିନ୍ତୁ ସ୍କୁଲ ଯିବୁ।
ହଁ ମୁଣ୍ଡ ହଲେଇ ସେ ସ୍ୱୀକୃତି ଦିଏ।
ଆଉ ଘଣ୍ଟାଏ ପରେ ପୁଣି ଉଁ ମା ଉଁ ହୁଏ।ମୁଁ ଆଶ୍ଚର୍ଯ୍ୟ ହୁଏ ସେ ଏତେଥର ଖାଏ କେମିତି। ତା ପେଟରେ ବୋଧେ ରାକ୍ଷସ ଅଛି।
ଖାଦ୍ୟ ନ ପାଇଲେ ରାଜା,ଇଟା, ମାଡି ଚୋବେଇ ପକାଏ।ବେଳେବେଳେ କାଗଜ ବିଣ୍ଡା କରି ଚୋବାଏ।
ସତରେ କଣ ତାକୁ ଗୋଟେ ରୋଗ ହୋଇଛି ?ନଲେ ଏତେ କେମିତି ଖାଉଛି ?
ଦୁଇ ବର୍ଷ ପରେ ବାପାଙ୍କ ଟ୍ରାନ୍ସଫର୍ ହୋଇଗଲା ଓ ବଦଳି ଗଲା ଆମ ଘର ଠିକଣା।ତାପରଠାରୁ ରାଜା
ବିଷୟ ରେ ଆମେ କିଛି ଜାଣିନୁ।
ଆଉ ସେଇ ଭୋକର ଜ୍ବାଳା ଅନୁଭବ କଲୁ ଯେବେ ମହାବାତ୍ୟା ହୋଇଥିଲା। କାର୍ତ୍ତିକ ମାସ ପାଇଁ ଗାଁ କୁ ଯାଇଥିଲୁ।ଜେଜେ ମା ଙ୍କୁ ହବିଷ କରିବା ସାମଗ୍ରୀ ଦେଇ ଦିନେ ଦୁଇ ଦିନ ରହି ଫେରିବୁ।ଏଣୁ ସାଙ୍ଗରେ ଖାଦ୍ୟ ପଦାର୍ଥ ସାଙ୍ଗରେ ନେଇ ନଥିଲୁ। ବାତ୍ୟା ହେବାରୁ ପନ୍ଦର ଦିନ ଅଟକି ଗଲୁ ସିନା ଖାଇବୁ କଣ। ଜେଜେ ମା ଖାଇବା ପାଇଁ କିଛି ସାଇତି ନଥିଲା।
ଓଃ ଭୋକର କି ଜ୍ବାଳା !
ସୁଦୁ ଚଣ୍ଡାଳ ଟିଏ ସେ।ସୁଖରେ ତ ତାର ଉପସ୍ଥିତି ରହିବା ଥୟ।କିନ୍ତୁ ଦୁଃଖରେ ସେ କେଉଁ ଛାଡେ କି !
ଭାରି ସମାୟାନୁବର୍ତ୍ତି।ଟିକେ ସମୟ ଏପାଖ କି ସେପାଖ ହେଲେ ପୁରା ଦୁର୍ବଳ କରି ମାରିଦେଵ।ଠିକ୍ ଠିକ୍ ଖାଦ୍ୟ ନ ଖାଇଲେହବ ନାନାଦି ରୋଗରେ କଲବଲ କରିବ।ପେଟରୁ ଖାଦ୍ୟ ସରିଗଲେ କଅଁ କଅଁ ବାଜିବ।
ମହାବାତ୍ୟାରେ ଯାହାଙ୍କୁ କ୍ଷୀର, ଫଳ, ଆଦି ସୁଷମ ଜାତୀୟ ଖାଦ୍ୟ ରୁଚୁ ନଥିଲା, ସେଇ ଭାଇ ଭଉଣୀ ଆମେ ତିନି ଜଣ ବାସୀ ରୁଟି ଦୁଇ ପଟ ଛଡା ଛାଡି ହୋଇ ଖାଇଥିଲୁ।।ରାତି ରୋଷେଇରୁ ପଖାଳ ଅଧ ହାଣ୍ଡିଏ କାମ କରିବା ଲୋକଙ୍କ ପାଇଁ ଥିଲା।ସେମାନେ ପଖାଳ ଓ ଶୁଖୁଆ ଭଜା ଖାଇବାକୁ ସୁଖ ପାଆନ୍ତି।ଆମେ ତିନି ଭାଇ ଭଉଣୀ ବାଁ ହାତର ଖଟା ଧରି ସେଇ ହାଣ୍ଡିରୁ ମୁଠେ ମୁଠେ ଭାତ ଆଣି ଖାଇ ବଞ୍ଚିଥିଲୁ ଦୁଇ ଦିନ।
ପେଟ ପୋଡ଼ିଗଲେ ସତରେ ଆମ୍ବିଳା ଆମ୍ବ ସୁଆଦ କଥା ସତ ଲାଗୁଥିଲା ମୋତେ।
ପଖାଳ ଭାତ ଓ ଖଟା ଲଗେଇ ଖାଇଲା ବେଳେ ମୋର ରେଣୁ ଆଣ୍ଟି ପୁଅ ରାଜା କଥା ଖୁବ୍ ମନେ ପଡିଥିଲା, ଯାହାକୁ ମୋ ଭାଇ ଭଉଣୀ ସର୍ଵଗିଳା ଡାକୁଥିଲେ।ବାତ୍ୟା ଆମକୁ ଭୋକର ତାତି କେମିତି ଅନୁଭବ କରେଇ ଦେଲା।
ବାସି ରୁଟି ଯେତେ ବଳିଲେ କାଉ କୁକୁରକୁ ଦିଆ ଯାଉଥିଲା। ସେଇ ଶୁଖିଲା ରୁଟି ଛଡା ଛଡି ହୋଇ ମହା ଆନନ୍ଦରେ ଖାଉଥିଲୁ ଆମେ।
