Satyabati Swain

Tragedy

3  

Satyabati Swain

Tragedy

ସ୍ପର୍ଶ

ସ୍ପର୍ଶ

7 mins
26



ଲାଇନ ନାହିଁ । ଘର ବାହାର ଅନ୍ଧାର । ବାପାଙ୍କ ଦେହ ଖରାପ । ମାଆ ହସ୍ପିଟାଲରେ ବାପାଙ୍କ ପାଖେ । ଆମେ ଭାଇ ଭଉଣୀ ଦିଟା । 


ଦିନ ସାରା ଯା ଯେମିତି କଟିଯାଏ । କିନ୍ତୁ ରାତି ଅନ୍ଧାରକୁ କୁନୁ, ମୋ ଆଠ ବର୍ଷର ଛୋଟ ଭାଇ ଯେତିକି ଡରେ ନାହିଁ ମୁଁ ତା ଠାରୁ ତିନି ବର୍ଷ ବଡ଼ ହୋଇକି ବି ସେତିକି ଅଧିକ ଡରେ । ପଡିଶା ଘର ଜିଲୁ ଦି ଆମ ପାଇଁ ରାନ୍ଧି ଥୋଇ ଦେଇ ଯାଆନ୍ତି ଦିନରେ । ଆମେ ଭାଇ ଭଉଣୀ ଦିଟା ମୁଠେ ମୁଠେ ଖାଇ ଆଉ ଦିଟା ରାତିକୁ ରଖିଥାଉ । ସଞ୍ଜ ନ ହେଉଣୁ ଖାଇ ପିଇ ଶୋଇ ପଡୁ । 


କୁନୁ ବେଡ୍ ଧରୁ ଧରୁ ଶୋଇ ପଡେ । ମୋତେ କିନ୍ତୁ ଡରରେ ନିଦ ଲାଗେନି । ଜିଲୁ ଦି ଜିଲୁ ଦି ଡାକ ଛାଡେ । ଜିଲୁ ଦି ଆସିଲେ ମୋ ଦେହରେ ଟିକେ ଜୀବନ ପଶେ । ଆମେ ଦିହେଁ ଟିଭି ଦେଖୁ । ଫୋନରେ ଖେଳୁ । 


ମାଆ ଫୋନ କରି କୁହେ ବୁଇ ଖାଇଛ ? କୁନୁ କଣ କରୁଛି ? ଭାଇ ଭଉଣୀ ଦୁହେଁ ପଢୁଛ ତ । କୁନୁକୁ କୁହେ କୁଆଡେ ଯିବୁନି ରାଜା । କୁନୁ ଅପେକ୍ଷା ମୋତେ ବେଶୀ ତଗିଦା କରେ । ଘର ଛାଡି କୁଆଡେ ଯିବୁନି । ସନ୍ଧ୍ୟା ହେଲେ କବାଟ ଦେଇ ଘର ଭିତରେ ରହିବୁ । କେହି ବି ଡାକିଲେ କବାଟ ଖୋଲିବୁ ନାହିଁ । କୁନୁ କାଳେ ବେଡରେ ସି ସି କରିଦେବ, ତାକୁ ଥରେ ଉଠାଇ ସି ସି କରାଇ ଦେବୁ । ବାପାଙ୍କ ଦେହ ଟିକେ ବାଗ । ଡାକ୍ତର ବାବୁ କହିଛନ୍ତି ଆଉ ପାଞ୍ଚ ଛଅ ଦିନ ପରେ ଛାଡ଼ିଦେବେ । ତୁ ସେ ଯାଏ ନିଜ ସହ କୁନୁକୁ ସମ୍ଭାଳି ନେବୁ ଧନ । 


ମୁଁ ବି ବଡ଼ ଲୋକଙ୍କ ପରି କୁହେ ତୁ ଜମ୍ମା ଚିନ୍ତା କରନା ମାଆ । ଯେତେ ଦିନ ଲାଗୁ ମୋ ବାପା ଭଲ ହୋଇଯିବା ଦରକାର । କୁନୁ ବେଡରେ ସି ସି କରୁନି । ମୁଁ ତାକୁ ସି ସି କରାଇ ଦେଲା ପରେ ଶୋଉଛି । କବାଟରେ ତାଲା ଦେଉଛି । ଜିଲୁ ଦି ଆମ ପାଇଁ ରୋଷେଇ କରୁଛି । ତୁ ଆମ ପାଇଁ ଚିନ୍ତା କରିବୁ ନାହିଁ । ତୁ ବି ସେଠି ଦୋକାନରୁ କିଣି ଖାଉଥିବୁ । 


ଏତିକି କହି ସାରିଲା ବେଳକୁ ମାଆର ସୁଉଁ ସୁଉଁ ଶୁଭେ । ଏପଟେ ମୋର କୋହ ଫୁଟେ । ଭାରି ଗୋଟେ ସାହସ କରି ସିନା କହି ଦିଏ ; ମନ କିନ୍ତୁ ଖୁବ୍ କାନ୍ଦେ । ବାପା ମାଆ ତୁମେ ଶୀଘ୍ର ଫେରିଆସ ମୋତେ ଭାରି ଡର ଲାଗୁଛି । ରାତି ହେଲେ ଅନ୍ଧାର ରାକ୍ଷାସୁଣୀ ପାଲଟି ଯାଉଛି । ଲାଇନ ଥିଲେ ଟିକେ ଯାହା । କିନ୍ତୁ ଯେଉଁଦିନ ଲାଇନ ପଳାଏ ସେଦିନ ମୋ ଛାତି ଖାଲି ପଡେ ଉଠେ । ଆଖି ବୁଜି ମୋ ଭାଇକୁ କୁଣ୍ଢେଇ ପଡି ରୁହେ ସିନା, ନିଦ ଆସେନି । ଇଆଡୁ ସିଆଡୁ ଡର ବିଭିନ୍ନ ରୂପରେ ମୋତେ ଗୋଡାଏ । 


ମା ବାପା ଯିବା ଆଜିକୁ ଆଠ ଦିନ ହୋଇ ଗଲାଣି । କି ଜର ହୋଇଛି କେଜାଣି ଭଲ ହେବା ନାଁ ନେଉ ନାହିଁ । ଜିଲୁ ଦି ଦୁଇ ଚାରି ଦିନ ହେବ ଭଲରେ ରୋଷେଇ ଗଣ୍ଡେ କରିଦେଲା । ଏଣିକି ଖାଲି ରାଗ ଗରଗର ହେଉଛି । ମୁଁ ଆଉ କରି ପାରିବି ନାହିଁ ଯା,କହୁଛି । ତୁ ଏଡ଼େ ବଡ଼ ପିଲା ହେଲୁଣି, ରୋଷେଇ କରୁନୁ । ସବୁବେଳେ କିଏ ତୁମର କାମ କରିବ । ଚାକର ରଖିଛ ନା କଣ ? 


ଜାଣିଲୁ ମାଆ ଜିଲୁ ଦି ମୋତେ ରାଗ ଶୁଝେଇବା ପାଇଁ ଦୁମୁ ଦୁମୁ ଥୋଉଛି । 


ନିଲୁ ଦାଦା ବାରମ୍ବାର ଆମ ଘରକୁ ଆଉଚି । ଜିଲୁ ଦି ନିଲୁ ଦାଦା ଥିବା ଯାଏ ରହୁଛି, ନିଲୁ ଦାଦା ଗଲେ ସେ ବି ପଳଉଚି । 


ଜାଣିଛୁ ମାଆ ! କାହାକୁ କହିବୁ ନାହିଁ ,ଜିଲୁ ଦି ଆଉ ନିଲୁ ଦାଦା ଆମ ପଢ଼ା ଘରେ ଘଣ୍ଟା ଘଣ୍ଟା ଗପୁଛନ୍ତି । ହସୁଛନ୍ତି । ମୁଁ ଯଦି ତାଙ୍କ ପାଖକୁ ଯାଉଛି ମୋତେ କହୁଛନ୍ତି ତୁ ଯା ତୋ ପାଠ ପଢ଼, କାର୍ଟୁନ ଦେଖେ । ଆମେ କଥା ହେଉଛୁ ବା । 


ତୁ ଶୀଘ୍ର ଚାଲି ଆ ମାଆ । ମୁଁ ଜିଲୁ ଦିକୁ ତୁ ଆସିଲେ ନିଲୁ ଦାଦା କାଇଁ ଆଉଚି ବୋଲି କହିଦେବି କହିବାରୁ ତାର ମୋ ଉପରେ ରାଗ । 


ଏମିତି ମନେ ମନେ କୁହେ ଓ କାନ୍ଦେ । ମାଆକୁ କିନ୍ତୁ କିଛି କୁହେନି । ମାଆ ମନ କଷ୍ଟ ହେବ ବୋଲି । ଏମିତିରେ ମାଆ ତ ବାପାଙ୍କ ରୋଗ ପାଇଁ କଣ୍ଟା ହଲିଲାଣି । ଆମ କଥା ଶୁଣିଲେ ଆହୁରି ତା କଷ୍ଟ ବଢିଯିବ । 


ଆଜି ସକାଳୁ ଲାଇନ ଯାଇଛି । କହୁଛନ୍ତି ଦୁଇ ଦିନ ଯାଏ ଲାଇନ ଆସିବନି । ତେଣୁ ମୁଁ ଜିଲୁ ଦିକୁ କହିଲି ,ଆମକୁ ଡର ଲାଗିବ ଜିଲୁ ଦି, ତୁ ଆମ ପାଖେ ଲାଇନ ଆସିବା ଯାଏ ଆସି ଶୋଇବୁ । 


ନିଲୁ ଦାଦା କହିଲେ ,ହଁ ଜିଲୁ ଛୁଆ ଦିଟା ତୁ ଟିକେ ଆସି ଶୋଇବୁ । 


ଜିଲୁ ଦି ଆଖି ଏଡ଼େ ଏଡ଼େ କରି କହିଲା, ଛୁଆ କାଇଁକି ହୋଇଛି । ବାହା କଲେ ଛୁଆ ଜନ୍ମ କରିବା ଯୋଗ୍ୟ ହେଲାଣି, ଛୁଆ ଦେଖେଉଛି । ମୁଁ ଆସି ପାରିବି ନାହିଁ । 


ଜିଲୁ ଦିଦି କଥା ଶୁଣି ନିଲୁ ଦାଦା ଆଖି ଏଡ଼େ ଏଡ଼େ କରି କହିଲା, ତା ମାଆ ନେ ବୁ ଇ...


ତା ପାଟିରୁ କଥା ଛଡେଇ ନେଇ ଜିଲୁ ଦି ହସି ହସି କହିଲା ହଁ ଛଅ ମାସ ହେଲାଣି ବା । 


ନିଲୁ ଦାଦା ଆଖି କାଇଁ ମୋତେ ଭଲ ଦେଖା ଗଲା ନାହିଁ । କେମିତି ଜଳୁଥିଲା । 


ମୁଁ କହିଲି ଜିଲୁ ଦି ଛଅ ମାସ କଣ?


ଦୁଇଜଣ ଯାକ ଏକା ବେଳେ ହସି ଉଠିଲେ ଫେଁ ଫେଁ ହୋଇ । 


ମୋତେ ଭଲ ଲାଗିଲା ନାହିଁ । ମୁଁ କହିଲି ତୁମେ ଗଲ । ଆମ ଘରକୁ ଆଉ ଆସିବ ନାହିଁ । ମୋ ମାଆ ନାହିଁ ବୋଲି କେତେ କଣ କହୁଛନ୍ତି । ଜିଲୁ ଦି ତୁ ଯା । ମୁଁ ସୁନା ଖୁଡିଙ୍କୁ କହିବି, ସେ ଆସିବେ । 


ଜିଲୁ ଦି କହିଲେ ରୁମୁଟୁଙ୍ଗେଇଟିଏ । ଗେଲ ନକଲ ଟିକେ ଦେହରେ ଯାଉ ନାହିଁ । ମୁଁ ସେମିତି ମଜାରେ କହିଲି ନା । ଶୁଣ୍ ତୁ ଯାଇ ମୋ ମାଆକୁ କହିବୁ । ତୋ ବାପା ମାଆ ଆସିବା ଯାଏ ସବୁଦିନ ରାତିରେ ଶୋଇବାକୁ ଆସିବି । 


ଯଦିଓ ମୋତେ ଜିଲୁ ଦି ଭଲ ଲାଗୁ ନଥାଏ ,ତଥାପି ଜିଲୁ ଦି ମାଆ ମିନା ବବୋଉଙ୍କୁ କହିଲି, ବବୋଉ ଲାଇନ ନାହିଁ ଆମକୁ ଡର ଲାଗିବ , ତୁମେ ନଲେ ଜିଲୁ ଦି ଆମ ପାଖେ ରାତିରେ ଶୋଇବାକୁ ଆସିବ" ?


ବବୋଉ କହିଲେ ହେଉ ଜିଲୁ ଯିବ । 


ମୋର ଯାହା ହେଉ ଭୟ ଟିକେ କଟି ଗଲା । ଜିଲୁ ଦି ବି ଆମ ଘରେ ରୋଷେଇ କଲା ଆମେ ତିନି ଜଣ ଖାଇ ଦେଇ ସେ ଦିନ ଶୀଘ୍ର ଶୋଇବାକୁ ଗଲୁ । ଜିଲୁ ଦି କହିଲେ ତୁ ଓ କୁନୁ ତୁମ ବେଡ୍ ରୁମରେ ଶୁଅ । ମୁଁ ତୁମ ପଢା ଘରେ କବାଟ ମେଲା କରି ଶୋଇବି । ଡର ଫର କିଛି ନାହିଁ । ବାରଣ୍ଡାରେ ଲଣ୍ଠନ ଜାଳି ଦେବା" । 


ହେଉ ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ, ଭାବି ଆମେ ଭାଇ ଭଉଣୀ ଦୁହେଁ ଶୋଇଲୁ । ଜିଲୁ ଦି ଆମ ପଢା ଘରେ । 


ବଢି ସକାଳୁ ଉଠିବା ମୋ ଅଭ୍ୟାସ । ବାପା ପାଞ୍ଚଟାରୁ ଉଠାଇ ଆମକୁ ଯୋଗ ଶିଖାନ୍ତି । ମୁଁ ଉଠି ଦେଖେ ତ ଦାଣ୍ଡ କବାଟ ତାଲା ଖୋଲା । କବାଟ ଆଉଜା ହୋଇଛି । 


ଜିଲୁ ଦି କଣ ଏତେ ସକାଳୁ ଉଠି ଗଲାଣି?


ନାଇଁ ତ ସେ ଶୋଇଛି । କିଏ କବାଟ ଖୋଲିଲା । ଚୋର କଣ ପଶିଥିଲା । ମୁଁ ଜିଲୁ ଦିକୁ ଡାକ ପକାଇଲି । ସେ ବିରକ୍ତ ହୋଇ କହିଲା , କାହିଁକି ଏତେ ସକାଳୁ ଡକା ପକାଉଛୁ । ଶୁଆଇ ଦେଉନି ଟିକେ । 


ମୁଁ ଆଉ କିଛି ନ କହି ଆମ ଘର ଜିନିଷ ପତ୍ର ଚେକ୍ କରି ନେଲି । ସବୁ ଠିକ୍ ଠାକ୍ ଅଛି ତ । ହେଉ ଯାହା ହେଉ । 


ତାପର ଦିନ ରାତିରେ ଜିଲୁ ଦି ଆମ ସଂଗେ ଖୁବ୍ ଗପିଲା । ଗାଁ ଗୋଟାଯାକ କଥା କହିଲା । ଏଇ ବର୍ଷ ତାର ବାହା ଘର ହେବ । ତା ବରଟି ଭାରି ସୁନ୍ଦର ହୋଇଥିବ । ବଡ଼ଲୋକ ବି ହିଇଥିବ । ଭଲ ଚାକିରି ବି କରିଥିବ । ଇଆଡୁ ସିଆଡୁ କେତେ କଣ ଗପିଲା । 


ଗପ ଭିତରେ ଆମେ କେତେବେଳେ ଶୋଇ ପଡିଛୁ । ମୋ ମୁଣ୍ଡ ତଳ ତକିଆ ଭିତରେ ଚାବି ରଖି ଦେଇଥିଲି । ଜିଲୁ ଦିକୁ କହି ନଥିଲି । 


ରାତି କେତେ ହେବ ମୁଁ ଜାଣିନି । କିନ୍ତୁ କେହି ଜଣେ ମୋ ଡ୍ରେସ୍ ଭିତରେ ହାତ ଭରି ମୋ ଛାତିକୁ ଅଣ୍ଡାଳୁଥିଲା ପରି ଲାଗିଲା । ମୋ ମୁହଁ ବନ୍ଧା ହୋଇଛି ଗାମୁଛାରେ । ମୁଁ ଛାଟିପିଟି ହେଲି । କିଏ ସେ ମୋତେ ଛାଡୁ ନଥାଏ । ସେ ଯେତେ ବେଳେ ମୋ ଦେହର ଏଣେ ତେଣେ ହାତ ମାରି ମୋତେ ଯନ୍ତ୍ରଣା ଦେଲା ମୁଁ ମୋ ମୁଣ୍ଡ କୁନୁ ମୁଣ୍ଡରେ ବାଡେଇ ଦେଲି । କୁନୁ ବୁଇ ଦି ବୁଇ ଦି କହି ପୁଣି ବୋଧେ ଶୋଇ ପଡିଲା । କିଟିମିଟି ଅନ୍ଧାର । ମୁଁ ଆଖି ଖୋଲିଲେ ବି କେବଳ କାହାର ନିଃଶ୍ଵାସ ଓ ଗୋଟିଏ ଛାୟା ମୂର୍ତ୍ତି ବ୍ୟତୀତ ଆଉ କିଛି ଦେଖି ପାରୁ ନଥାଏ । ମୁଁ ଯେତେ ବଳ ଥିଲା ଖଟାଇ ମାଇଲି ଗୋଟେ ଗୋଇଠା । ଛାୟା ମୂର୍ତ୍ତିଟି କୁଆଡେ ପଲେଇଲା । 


ମୁଁ ଗୋଟା ସୁଦ୍ଧା ଥରୁଥାଏ । ଫୋନରେ ଟାଇମ ଦେଖିଲି ରାତି ଦୁଇଟା । ବୋଧେ ସ୍ୱପ୍ନ ଦେଖୁଥିଲି ଭାବି ଡରି ଡରି ମୁହଁ ମାଡି ପୁଣି ଶୋଇବାକୁ ଚେଷ୍ଟା କଲି । 


ତାପର ଦିନ ଘର ଓଳେଇଲା ବେଳେ ପିଙ୍କ କଲର୍ ବୋତାମଟିଏ ପାଇଲି । ଏଇଟା ମୋ ବାପା କି କୁନୁର ନଥିଲା । ଏ ବୋତାମ ଆସିଲା କେଉଁଠୁ?


 ଜିଲୁ ଦି ତାଙ୍କ ଘରକୁ ଯାଇ କାମ ଧନ୍ଦା ସାରି ଆମ ରୋଷେଇ କରିବାକୁ ଆସିଲା । ନିଲୁ ଦାଦା ଛକିକି ଥିଲେ କି କଣ ବୁଇ ବୁଇ ଡାକି ଡାକି ଘର ଭିତରକୁ ଆସିଲେ । ଜିଲୁ ଦି ନିଲୁ ଦାଦାଙ୍କୁ କଣ ରାଗିକି କହୁଥାଏ । ନିଲୁ ଦାଦା କହୁଥାନ୍ତି ସବୁ ଦିନେ....ଧରା ପଡିଲେ....


ଏତେ ଯଦି ଡର ତାହେଲେ ତୁମ ଘରକୁ ମୋତେ କେମିତି ନେବ?


ଓ ଭଗବାନ ଜିଲୁ ଦି ନିଲୁ ଦାଦା ଆମ ଘରେ...


ମୁଁ ଖୁବ୍ ରାଗି ଗଲି । ନିଲୁ ଦାଦା ! ତୁମେ ଆମ ଘର ଛାଡୁନ କାହିଁକି?ଜିଲୁ ଦି ଆସିଲା ମାନେ ତୁମେ ଚାଲି ଆସୁଛ । ପରଦିନ ତୁମେ ଜିଲୁ ଦି ଙ୍କ ପାଖକୁ ଆସିଥିଲ ! କାଲି ବି ଆସି ଥିଲ ?


କାଲି ...କାଲି...କାଇଁ ନାଇଁ ତ...ପାଟି ଖନା ମାରି ଗଲା ନିଲୁ ଦାଦାଙ୍କର । 


ହଁ ତୁମେ ଆସିଥିଲ? ସିଡି ଘର କବାଟ ମେଲା ହୋଇଛି ।  


ଜିଲୁ ଦି ଓ ନିଲୁ ଦାଦା ମୋ ପାଟି ବନ୍ଦ କରିଦେଲ । 


ଚୁପ୍ ଚୁପ୍ ବୁଇ । ଏକଥା କାହାକୁ କହିବୁ ନାହିଁ ,କହି ନିଲୁ ଦାଦା ମୋତେ ତାଙ୍କ ଆଡକୁ ଟାଣି ନେଲେ । ନିଲୁ ଦାଦାଙ୍କ ହାତର ସ୍ପର୍ଶ କହୁଥିଲା, କାଲି ରାତିରେ ଏଇ ସ୍ପର୍ଶ ମୋ ଦେହ ସାରା ମୁଁ ଅନୁଭବ କରିଛି । ଆଖି ବୁଜି ନିଲୁ ଦାଦାଙ୍କ ହାତର "ସ୍ପର୍ଶ "ମୁଁ ମନେ ପକେଇ ମିଳେଇଲି । 


ହଁ ତ ଏଇ "ସ୍ପର୍ଶ" । ନିଲୁ ଦାଦାଙ୍କ ହାତ ଛିଞ୍ଚାଡି ମୁଁ କହିଲି ତୁମେ ଆମ ଘରୁ ଯିବ ନା ପାଟି କରିବି । ହୁସିଆର ତୁମେ ଭାବନା ମୁଁ କିଛି ବୁଝି ପାରୁ ନାହିଁ । 


ଆଉ ଜିଲୁ ଦି ଛିଃ ତୁ ଏତେ ଖରାପ ଝିଅ । ଆମେ ଭାଇ ଭଉଣୀ ଚାଉଳ ଚୋବେଇ ଖାଇ ରହିବୁ ପଛେ ତୁ ଆଉ ରୋଷେଇ କରିଦେବାକୁ ଆସିବୁ ନାହିଁ । ଯା ଯା କହୁଛି । 


ଏଗାର ବର୍ଷର ଝିଅ ମୁଁ ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଦୁନିଆଁକୁ ଜାଣି ଗଲି ଯେପରି । 


ନିଲୁ ଭାଇ ମୁହଁ ଏଡ଼େ ଟିକିଏ ହୋଇ ଗଲା । ସେ ତଳକୁ ମୁହଁ ପୋତି ଗଲା ବେଳେ ମୁଁ ତାଙ୍କ ହାତରେ ଧରେଇ ଦେଲି ସେ ପିନ୍ଧିଥିବା ସାର୍ଟର ଛିଡି ପଡିଥିବା ପିଙ୍କ କଲର୍ ଗୋଟିଏ ବୋତାମ । 



Rate this content
Log in

Similar oriya story from Tragedy