ସ୍ଵପ୍ନର ରଙ୍ଗ
ସ୍ଵପ୍ନର ରଙ୍ଗ
ସ୍ଵପ୍ନର ରଙ୍ଗ ଥାଏ କି ? ସ୍ଵପ୍ନ କୁଆଡ଼େ ସପ୍ତରଙ୍ଗ ଇନ୍ଦ୍ରଧନୁ ପରି ସୁନ୍ଦର , ସମସ୍ତେ କୁହନ୍ତି । ରଙ୍ଗୀନ ସ୍ଵପ୍ନ , ସୁନେଲି ସ୍ଵପ୍ନ , ରୂପେଲି ସ୍ଵପ୍ନ ! ମୁଁ ଶୁଣିଛି ଖାଲି । ଦେଖିନାହିଁ କେବେ , କେବଳ ଶୁଣିଛି ।
ମୁଁ କଣ ସ୍ଵପ୍ନ ଦେଖେ ନାହିଁ କି ? ଦେଖେ , ବେରଙ୍ଗ କଦାକାର ସ୍ଵପ୍ନ , କୁତ୍ସିତ ବିଭତ୍ସ ସ୍ଵପ୍ନ , ଦିବା ସ୍ଵପ୍ନ , ରାତ୍ରି ସ୍ଵପ୍ନ । ହଁ , ମୁଁ କିନ୍ତୁ ସ୍ଵପ୍ନ ସହିତ କଥା ହୁଏ । ସେ ମୋତେ ଭୟ ଦେଖାଇଲେ , ମୁଁ ତାକୁ ତଡି଼ଦିଏ , ଘୃଣା ବି କରେ ।
ଏମିତି କି କଥା ହୁଏ ଯେ ?
ମୋର ଅଙ୍ଗେଲିଭା କଥା । ସ୍ଵପ୍ନ ମୋର ସାଙ୍ଗ । ତାକୁ ଗପ ବି ଶୁଣାଏ । ମୋ ଜୀବନର ଗପ ।
ମୋ ଜୀବନ ??
ମୋର ଜୀବନ ଅଛି କି ? ହଁ ନଥିବ କେମିତି ଯେ ? ମୁଁ ତ ଚାଲି ପାରୁଛି । କଥା କହି ପାରୁଛି , ଶୁଣି ବି ପାରୁଛି । ପବନକୁ ଆଘ୍ରାଣ କରି ପାରୁଛି । ଫୁଲର କୋମଳତାକୁ ସ୍ପର୍ଶ କରି ପାରୁଛି । ପାଣିର ଶୀତଳତାକୁ ଅନୁଭବ କରି ପାରୁଛି ।
ହଁ , ଜୀବନ ବି ମୋର ସହଚର । ମୁଁ ଯୁଆଡେ ଯିବି , ମୋର ସ୍ଵପ୍ନ ସିଆଡେ ଯିବ । ମୋର ଜୀବନ ବି ସିଆଡେ ଯିବ ।
ଥରେ ସ୍ଵପ୍ନକୁ ଅନୁରୋଧ କଲି , - ସ୍ଵପ୍ନରେ , ତୁ ମୋ ପାଇଁ ରଙ୍ଗୀନ ହୋଇ ଯାଉନୁ । ସୁନେଲି ସ୍ଵପ୍ନ , ରୂପେଲି ସ୍ଵପ୍ନ । ସେ ଶୁଣିଲା ନାହିଁ । ଧରା ଛୁଆଁ ବି ଦେଲା ନାହିଁ କେତେ ଦିନ । ନିର୍ବୋଧ ଶିଶୁ ଭଳି ଅଝଟ ହୋଇ ଲୁଚିଗଲା । ଦିନ ରାତି ଗୁଡ଼। ପାଲଟି ଗଲା ନିରା ସାଦା ଫର୍ଦ ।
ପୁଣି ଜୀବନକୂ ନେହୁରା ହେଲି , - ଜୀବନରେ ମୋ ଦିନର ସଫା ଫର୍ଦ ଉପରେ କିଛି ତ ଲେଖିଦେ । ସାଦା କାଗଜ ଫର୍ଦକୁ କିଏ ପଚାରିବ ?
ଜୀବନ ଶୁଣିଲା । ନିବିଡ଼ ଭାବରେ ମୋତେ ଗେଲ କଲା । ଅସହ୍ୟ ଗେଲ । ମୁଁ ଅତିଷ୍ଠ ହୋଇ ପଡିଲି ।
ପେଲିଦେଲି ତାକୁ । ସେ ଅଟ୍ଟହାସ୍ୟ କଲା । ପୁଣି ମୋତେ ଜାବୁଡ଼ି ଧରିଲା । ମୁଁ ଚିତ୍କାର କଲି ।
ବାଟରେ ଯାଉଥିଲା ମୃତ୍ୟୁ । ତାକୁ ଡାକିଲି । ଆକୁଳ ହୋଇ । ଜୀବନର ଫାଶରୁ ଉଦ୍ଧାର କରିବାକୁ ନେହୁରା ହେଲି । ଶୁଣିଲା ନାହିଁ । ମୋତେ ଆଡ଼ କରି ଚାଲିଗଲା ।
ଏମିତି ଅନେକ ଥର ମୁଁ ମୃତ୍ୟୁକୁ ଝୁରିଛି । ପ୍ରେମ କରିଛି । ଆଲିଙ୍ଗି ଧରିଛି । ନିଷ୍ଠୁର ଦଗାବାଜ୍ ସେ । ମୋତେ ଥରୁଟେ ହେଲେ ସାଙ୍ଗରେ ନେଇ ଯାଇ ନାହିଁ । ପ୍ରତାରକ ମୋତେ ଆହତ କରି ନିର୍ଦୟ ଭାବେ ନର୍କ ଯନ୍ତ୍ରଣା ଦେଇଛି । କ୍ଷତ ଦେଇଛି , ଶାରୀରିକ ମାନସିକ ।
ସମସ୍ତେ ଆଶ୍ଚର୍ଯ୍ୟ ହେବେ , ମୃତ୍ୟୁ ନିମନ୍ତେ ଏତେ ଆତୁରତା ?
ହେବ ନାହିଁ କି ?
ମୋ ସ୍ଥାନରେ ଯେ କେହି ଥିଲେ ଭଲ ପାଇଥାନ୍ତା ମୃତ୍ୟୁକୁ ।
ଯେତେବେଳେ ଅଜ୍ଞାନରୁ ଜ୍ଞାନକୁ ଓ ଅନ୍ଧାରରୁ ଆଲୋକକୁ ଆସିଲି ଯେତେବେଳେ ସମ୍ୟକ ଭାବରେ ଯଥାର୍ଥ ଦୃଷ୍ଟି ଉନ୍ମିଳିତ କଲି , ସେତେବେଳେ ଆଲୋକ ଲିଭି ଯାଇଥିଲା । ଦୃଷ୍ଟିରେ କେବଳ ମେଞ୍ଚା ମେଞ୍ଚା କଳା , କଳା କଳା ଅନ୍ଧାର ।
ଆଲୋକ କିନ୍ତୁ ମୋର ଅତି ପରିଚିତ । ଆଲୋକ ନିମନ୍ତେ ହିଁ ମୋର ସ୍ମୁତିର ଆକାଶ ।
ସବୁଜ କ୍ଷେତ , ଧୂସର ପାହାଡ଼ , ସ୍ଵଚ୍ଛ ସ୍ଫଟିକ ସଦୃଶ୍ୟ ଝରଣା , ଲାଲ ଲାଲ ଗୋଲାପ ଓ ଲାଲ ଲାଲ ସାଧବ ବୋହୁ ।
ଦିବସର ବିଭିନ୍ନ ରୂପକୁ ଚିହ୍ନି ଥିଲି ଏହି ଆଲୋକ ସକାଶେ ।
ସକାଳର ନିଷ୍ପ୍ରଭ ଆଲୋକରେ , ମୁଁ ଦେଖୁଥିଲି ଲିଭି ଲିଭି ଆସୁଥିବା ତାରା , ମଲାଜହ୍ନର କରୁଣ ବିଦୟ , ଜାଜ୍ଵଲ୍ୟମାନ ସୂର୍ଯ୍ୟର ଚିବୁକରେ ଉକୁଟି ଉଠୁଥିବା ସୁନେଲି ହସର କିରଣ ।
ମଧ୍ୟାହ୍ନର ଉଜ୍ଜ୍ୱଳ ଆଲୋକରେ ଝୁଲି ଝୁଲି ଗୀତ ଗାଉଥିବା ଫୁଲ , ତା ସହ ତାଳ ମିଳେଇ ନାଚୁଥିବା ପ୍ରଜାପତି , ଭସା ଭସା ଖଣ୍ଡ ଖଣ୍ଡ ବାଦଲ୍ , ପଂକ୍ତି ବଦ୍ଧ ତୋଫା ବଳାକାସମୂହ , ଘିର୍ ଘିର୍ ଚକ୍ର ବୁଲାଉ ଥିବା ଶଙ୍ଖଚିଲ , ଆଉ ରୁଣୁଝୁଣୁ ନାଲି କାଚ ପିନ୍ଧି ନାଲି ସିନ୍ଦୁରରେ ସୂନ୍ଥାଣିକୁ ସଜାଉଥିବା , ଗୋଲାପି ଗୋଲାପି ହସୁଥିବା ମୋ ମାଆ ।
ଗୋଧୂଳିର ଧୂସର ଆଲୋକରେ ନୀଡ଼କୁ ଫେରୁଥିବା , ସବୁଜ ରଙ୍ଗର ଶୁଆ , ଝାଉଁଳି ଆସୁଥିବା ଲାଜକୁଳୀ ଲତା ଓ ଝଡି ପଡିଥିବା ରଙ୍ଗଣୀ ଫୁଲ ।
ଏତେ ସ୍ମୃତି ଯେ ମନେ ପକେଇବାକୁ ବେଳ ନାହିଁ , ସାଇତି ରଖିବାକୁ ମନ ନାହିଁ ଆଉ ବିଞ୍ଚି ଦେବାକୁ ଅଗଣା ବି ନାହିଁ ।
ମୋ ମାଆ ଚିରଯାତ୍ରାରେ ଗଲାବେଳେ କହି ଯାଇଥିଲା ,
- ଝିଅ ଲୋ , ଏ ଅନ୍ଧାର ପୃଥ୍ଵୀରେ , ତୋ ଅନ୍ଧାର ଆଖିରେ ଅନ୍ଧ ପୁଟୁଳି ବାନ୍ଧିବୁ ନାହିଁ ମୋ ମାଆ । ଅନ୍ଧାର ରାତିରେ ଚୋରକୁ ଡର , ଦିବାଲୋକରେ ବି ଚୋରକୁ ଡର ।
ସେ ତ ଚାଲିଗଲା , ମୋତେ ନିଃସହାୟ କରି ଦେଇ । ମୋର ଅନ୍ଧାରକୁ ଆହୁରି ଅନ୍ଧାର କରିଦେଇ । ସେଇ ଅନ୍ଧାର ଆଖିରେ ଦରାଣ୍ଡୁ ଦରାଣ୍ଡୁ ପାଇଲି ମୁଁ ରସିଟେ । ସେହି ରସି ଯାହାକୁ ଜାବୁଡ଼ି ଧରି ମୁଁ ଖେଳୁଥିଲି ରଜଦୋଳି , ଭାଙ୍ଗୂଥିଲି ଗୁଆପାନ କାଳ୍ପନିକ କକାଙ୍କ ପାଇଁ । ସେ ପେଲି ଦେଇ ମୋ ଜୀବନରେ ଭରିଦେଇଥିଲା ଅନ୍ଧାର । ତାକୁ କହିଲି,
- ମୋତେ ତୁ ଅନ୍ଧାର ଦେଇଛୁ । ଏବେ ସେହି ଅନ୍ଧାରି ଗହ୍ଵରରେ ମୋତେ ଲୀନ କରି ଦେ । ସେ ପୁଣି ଥରେ ଦଗା ଦେଲା । ଜଖମ୍ କରିଦେଲା , ମୋର ହାତ, ଗୋଡ଼ ଓ ବେକକୁ ।
ଚୋର ଭୟରେ ମୁଁ ପଦାକୁ ବାହାରିଲି ନାହିଁ । କୁଙ୍କୁରି କାଙ୍କୁରି କୁଡିଆ ଭିତରେ ପଡ଼ି ରହିଲି । ତଥାପି ତ ଆସିଲେ ଚୋର ମାନେ । ଉଜ୍ଜ୍ୱଳ ଦିବାଲୋକରେ ଆସିଲେ , ନିର୍ଜନ ଅନ୍ଧାରରେ ମଧ୍ୟ ଆସିଲେ , ମୋ ସ୍ଥୁଳ ଶରୀରର ମୋ ସୂକ୍ଷ୍ମ ମନର କେତେ କଣ ଭାଙ୍ଗିରୁଜି ନେଇଗଲେ । କିଏ ଶ୍ରଦ୍ଧା ଦେଖେଇ ସାଉଣ୍ଟି ନେଲା ତ କିଏ ଭୟ ଦେଖାଇ ଅତ୍ୟାଚାର କରି ନେଲା । କିଏ ଦୟା ଦେଖେଇ ନେଲା ତ କିଏ ଭୋକିଲା ପେଟରେ ଉଚ୍ଛିଷ୍ଟ ପକେଇ ନେଲା ।
କଳାରକ୍ତ ଜମାଟ ବାନ୍ଧି ଥିବା ଆଖିର ଡୋଳାକୁ ବୁଲେଇ ଚୋରଙ୍କୁ ଦେଖିବାକୁ ଚେଷ୍ଟା କଲି , ନିରାଶ ହେଲି ।
ଦିନ ରାତି ସବୁ ମୋତେ ଖତେଇ ହେଲେ । ପାଖ ପଡୋଶୀ ରବେଇ ଖବେଇ ହେଲେ । ପେଟର ଜ୍ଵାଳାରେ ୟା ତା ପାଖରେ ହାତ ପତେଇଲି । କିଏ ଭିକ ଦେଲା ତ କିଏ ଗାଳି ଦେଲା । ଜୀବନକୁ କାଢ଼ି ଫିଙ୍ଗି ଦେଇ ପାରିଲି ନାହିଁ । ସେ ମୋତେ ଛାଡ଼ିବାକୁ ନାରାଜ ହେଲା ।
ଜୀବନର ଜ୍ଵାଳାରେ ମୁଁ କାମ ମାଗିଲି । ଅନ୍ଧାରିଆ ଆଖି ନେଇ କି କାମ ବା କରିଥାନ୍ତି । ସମସ୍ତେ ମୁହଁ ମୋଡି଼ଲେ ।
ମୁହଁ ମୋଡି଼ଲା ନାହିଁ ଖଞ୍ଜଣି ବଜାଉଥିବା , କାଳିଆ ଠାକୁରଙ୍କୁ ଅହରହ ଡାକି ଡାକି ଗାଁର ଏମୁଣ୍ଡରୁ ସେ ମୁଣ୍ଡ ଚକ୍କର କାଟୁଥିବା ବାବାଜୀ ଜଣେ । ସେ ଆସି ମୋର ମୁଣ୍ଡ ସାଉଁଳେଇଲା , ଲିଭି ଯାଇଥିବା ଆଖିକୁ ଆଉଁସିଲା , ପିଠି ଥାପୁଡେଇଲା ।
ଦିନରେ ଖାଇବାକୁ ଦେଲା । ରାତିରେ କାମ ଦେଲା , ବିଭତ୍ସ ଘୃଣ୍ୟ କାମ ।
କ୍ଷୁଧା ପିପାସା , ସର୍ବୋପରି ଜିଜୀବିଷା ମୋତେ ବାଧ୍ୟ କଲା ସେ କାମ କରିବା ପାଇଁ । ମୁଁ କାମ କଲି । ମୋ କୁଡିଆରେ , ଛିଣ୍ଡା ସଉପ , କନ୍ଥା ଉପରେ ।
ଆହୁରି , ନରମ ନରମ ଗଦିରେ , ଭିଜା ଭିଜା ହେମାଳିଆ କୋଠରୀ ଭିତରେ । ମୋର ଅନ୍ଧାରିଆ ଆଖିରେ କାଚ ଖଞ୍ଜାଗଲା । ସମସ୍ତେ ଦେଖି କହିଲେ , - ସୁନ୍ଦର । ମୁଁ ଦେଖି ପାରିଲି ନାହିଁ । ମୋ ଭିତରେ"" ମୁଁ "" ଟା କହିଲା ,- କୁତ୍ସିତ ।
ମୁଁ ଭଲ ଖାଇଲି , ଭଲ ପିନ୍ଧିଲି । ମୋତେ ଆହୁରି କାମ ମିଳିଲା , ମୋଟା ମୋଟା ପେଟ ଥିବା ଲୋକଙ୍କ ପାଖରେ , ଲମ୍ବା ଲମ୍ବା ଚୁଟି ଥିବା, ଟାଆଁଶା ନିଶ ଥିବା ଲୋକଙ୍କ ପାଖରେ । ଦିନ ରାତି କାମ । କାମ ଆଉ କାମ ।
ମୁଁ ନିଜକୁ ଘୃଣା କଲି । ତୀବ୍ର ଘୃଣା । ନିଜଠାରୁ ନିଜକୁ ବିଚ୍ଛିନ୍ନ କରିବାକୁ ଚେଷ୍ଟା କଲି । ମୃତ୍ୟୁକୁ ଫେର ଅନୁରୋଧ କଲି । ସେ ପୁଣି ମୋତେ ଜୀବନ ହାତରେ ଧରା ପକେଇ ଦେଲା । ଅଣ୍ଡାଳି ଅଣ୍ଡାଳି ଯାଇଥିଲି ଛାତ ଉପରକୁ । ଡେଇଁ ପଡିଲି ତଳକୁ । ପୁଣି ନିଜକୁ ପାଇଲି ହେମାଳିଆ କୋଠରୀରେ । ହାତ ଗୋଡ଼ ମୁଣ୍ଡରେ ତୀବ୍ର ଯନ୍ତ୍ରଣା ।
ପୁନର୍ବାର ସେ ହେୟ କର୍ମ । ନର୍କ ଯନ୍ତ୍ରଣା , କ୍ଷୁଧା ପିପାସାର ଦୌରାତ୍ମ୍ୟ , ପୁନଶ୍ଚ ବିବଶତା ଓ ଆତ୍ମସମର୍ପଣ । କୁତ୍ସିତ ସ୍ଵପ୍ନର ଲୋଭନୀୟ ନଗରୀରେ ମୋର ଶ୍ଵାସରୁଦ୍ଧ ହେଲା । ମୁଁ ଧାଇଁଲି ପ୍ରାଣମୁର୍ଚ୍ଛା ଧାଇଁଲି , ଦିଗହରା ଅନ୍ଧ ଚେମିଣିଆ ପରି । ବେଦମ୍ ହୋଇ ପଡ଼ି ଗଲି । ହାତ ଗୋଡ଼ ନିଢାଲ ହୋଇଗଲା । ହୃଦୟ ଫଟାଇ ନିଃଶ୍ବାସ ଚାଲିଲା । ମାଆର ଶୀତଳ କୋଳ ସତେ ଅବା ମୋତେ ସାହାରା ଦେଲା । ମୁଁ ଘୁମେଇ ପଡ଼ିଲି , ତରଳ ଶୀତଳତାକୁ ଛୁଉଁ ଛୁଉଁ , କୁଳୁକୁଳୁ ଗୀତ ଶୁଣୁ ଶୁଣୁ । ମୋର ଚେତା ବୁଡ଼ି ଗଲା ।
ଚେତା ଫେରିଲା ପୁତି ଗନ୍ଧ ମୟ ଏକ କୋଠରୀରେ । ଲାଠିର ଠକ୍ ଠକ୍ ଶବ୍ଦ , ଜୋତାର ମଚ ମଚ ଶବ୍ଦ । ତା ଭିତରେ ମାଧବୀ , ଲତିକା , ରାଧା ଆଦିଙ୍କର ସୁଁ ସୁଁ କାନ୍ଦଣା । ଶୁଣିଲି , ମୁଁ ଜେଲରେ ଅଛି । ସେ ଖଞ୍ଜଣି ବଜାଉଥିବା , ଜଗନ୍ନାଥଙ୍କୁ ଦିବାନିଶି ଡାକୁଥିବା ବାବାଜୀ ମଧ୍ୟ ଜେଲରେ ଅଛି ।
ଏପର୍ଯ୍ୟନ୍ତ ମୃତ୍ୟୁ ମୋତେ ଠକି ଚାଲିଛି । ଦେଖେ କେବେ ମୋତେ ସେ ପ୍ରେମ କରିବ , ଜୀବନ ଦଗା ଦେବ ଆଉ ସ୍ଵପ୍ନ ସବୁ ମୋର ପାଲଟି ଯିବେ ରଙ୍ଗୀନ ,
ସୁନେଲି ସ୍ଵପ୍ନ , ରୂପେଲି ସ୍ଵପ୍ନ ...........