ସଞ୍ଜନା ଭାଉଜ
ସଞ୍ଜନା ଭାଉଜ
ତୁମେ ଦେଖିଛ ସଞ୍ଜନା ଭାଉଜଙ୍କୁ ?
ଦେବୀପରି ରୂପ ଆଜି ଶ୍ରୀହୀନ !
ସମସ୍ତେ କହୁଛନ୍ତି ସବୁ କିଛି ବଦଳିଛି !
କଣ ବଦଳିଛି !
ଜୀବନ!
ଜୀଇଁବା !
ନା ସମାଜର ଲକ୍ଷ୍ମଣ ରେଖା !
ଆଜିବି ତ ବିଧବା ଆଭୂଷଣ,ରଙ୍ଗ,ହସ,ଖୁସି ହିନା ହୋଇ ଜୀଉଁଛି ମରି ମରି।
କିଏ ଟାଣିଦେଲା ଏତେ ଗୁଡିଏ ଲକ୍ଷ୍ମଣ ରେଖା ସଞ୍ଚନା ଭାଉଜ ପାଇଁ ! ତାଙ୍କ ଆଖିରୁ କଳା ନେଇ ଭରିଦେଲା ପ୍ରଶାନ୍ତ ମହାସାଗର ନୀଳ ! ଓଠରୁ ହସକୁ ଜବରଦସ୍ତ ଟାଣି ଓଟାରି ନେଇ ଛାଡିଦେଲେ କୋହରେ ଥରିବାକୁ !
ହଁ ଏଇ ସଞ୍ଜନା ଭାଉଜ ମୋ ମାମୁଁଙ୍କ ବଡ଼ ପୁଅ ରିତ୍ରିକ ଭାଇଙ୍କ ପତ୍ନୀ ଥିଲେ। ଗୋଡ଼ରୁ ଅଳିତା ଲିଭିନି କିନ୍ତୁ ହୋଇଗଲେ ବିଧବା।ରିତ୍ରିକ ଭାଇ ମୋଠାରୁ ମାତ୍ର ବାଇଶି ଦିନ ବଡ଼।ଏଣୁ ଆମେ ଦୁଇ ଜଣ ଭାଇ କମ୍ ବେଶୀ ବନ୍ଧୁ ଥିଲୁ ।
ରିତ୍ରିକ ଭାଇ ବିବାହର ଏଗାର ମାସ ନ ପୁରୁଣୁ କରୋନାରେ ଏବେ ତୁ ଆରାମ ଏବଂ ନିର୍ଭୟରେ ଅଛୁ ବୋଧେ ସ୍ଵର୍ଗରେ। ମୁଁ ଜାଣିନି ସ୍ଵର୍ଗରେ ତୁ ସୁଖ ଭୋଗୁଛୁ କି ଦୁଃଖ। ମଲା ପରେ ଲୋକେ କୁଆଡେ ଯାଆନ୍ତି ଏ କଥା ବି ସଠିକ କିଏ କହିବ ଯେ ?ଲୋକଙ୍କ ବିଶ୍ୱାସ ଯିଏ ମରେ ସେ ସ୍ୱର୍ଗକୁ ଯାଏ। ସତରେ ସ୍ୱର୍ଗ ଯଦି କେଉଁଠି ଥାଏ ଆଉ ଭାଇ ରିତ୍ରିକ ତୁ ଯଦି ସେଇଠି ଅଛୁ ପ୍ଲିଜ଼ ତୋ ସଞ୍ଜନା ଭାଉଜଙ୍କୁ ସଦ୍ ବୁଦ୍ଧି ଦେ ସେ ମୋତେ ବୁଝୁ। ଛବିଶି ବର୍ଷ ଗୋଟେ ବୟସ ! ମୋ ଭଉଣୀ ଅନନ୍ୟା ତାଙ୍କଠୁ ବଡ଼ ହେଲେ ବି ସେ ଏଯାଏ ବିବାହ କରି ନାହାଁ । କିନ୍ତୁ ସଞ୍ଜନା ଭାଉଜ ବିଧବା ହୋଇ ମରଣ ଜୀଉଁଛି ରଙ୍ଗ, ଢଙ୍ଗ, ହସ, ଖୁସିକୁ ନିଜ ଜୀବନରୁ ଅନିଛା ସତ୍ତ୍ୱେ ବିଦା କରି ଚଳନ୍ତି ଶବ ହୋଇ!
ଭାଇ ରିତ୍ରିକ ! ତୁ ପରା ସଞ୍ଜନା ଭାଉଜଙ୍କୁ ଭଲ ପାଇ ତୋ ନନା ବୋଉ ଓ ଆତ୍ମୀୟ ସ୍ଵଜନଙ୍କ ବିରୁଦ୍ଧରେ ଯାଇ ବିବାହ କରିଥିଲୁ ? ତୋ କଥା ସେ ମାନିବ ଭାଇ। "କାଳେ କିଏ କହିବ ସଦ୍ୟ ବିଧବା ବୋହୁଟା କୂଳରେ କଳଙ୍କ ଲଗାଉଛି " ଏଇ ଭୟରେ ସେ ମୋତେ ଦେଖା ହିଁ କରୁନାହାଁନ୍ତି।ଭାଇରେ ତୁ ସେଇ ସ୍ଵର୍ଗରେ ଥାଇ କିଛି ଚମତ୍କାର କର। ସଞ୍ଜନା ଭାଉଜ ଅନ୍ଧାରରୁ ଆଲୋକ ମୁହାଁ ହୁଅନ୍ତୁ।
ତୁ କହିବୁ କି ରିତ୍ରିକ ତୁ ମଲା ପରେ କେବେ ସଞ୍ଜନା ଭାଉଜ ଦେଖିଲଣି ଦର୍ପଣରେ ତାଙ୍କ ମୁହଁ ଓ ଦେହ ? ପଢିଲେଣି ତାଙ୍କ ଆଖି ? ଶୁଣିଲେଣି ହୃଦୟ କଥା ? କାହିଁକି ଆଜକୁ ଚାରି ମାସ ହେବ ନିଜକୁ ଘର କୋଣେ ଲୁଚେଇ ରଖିଛନ୍ତି ? ଅନ୍ଧାରକୁ ସାଥି କରି ମରଣ ଜୀଉଁଛନ୍ତି ? କାହିଁକି ସମୁଦ୍ର ସୃଷ୍ଟି ହେଉଛି ଆଖି କୋଣେ ? କାହିଁକି ସେ ସାମାଜିକତା ମାନି ବାଧ୍ୟ ହେଉଛ ଧଳା ବସ୍ତ୍ର ପିନ୍ଧିବାକୁ ?
ଏ ସମାଜ ଓ ସାମାଜିକତା ତାଙ୍କୁ ନୀତି ନିୟମ ଓ ପ୍ରଥା ପରମ୍ପରା ଦ୍ୱାହି ଦେଇ ମାରୁଛି ଆଉ ସେ ଜୀଅନ୍ତା ଜଳୁଛନ୍ତି ! ଏପରିକି ବୃଦ୍ଧଟିଏ ସ୍ତ୍ରୀ ହରେଇଲେ ଦ୍ଵତୀୟ କି ତୃତୀୟ କି ଚତୁର୍ଥ ବିବାହ କରିବାରେ ଆପତ୍ତି ଅଭିଯୋଗ ତ ନ ଥାଏ ? ଏକୁଟିଆ ପୁରୁଷଟି କେମିତି ଚଳିବ କହି ଜ୍ଞାତି କୁଟୁମ୍ବ ପୁନଃ ବିବାହ କରିବାକୁ ଲାଗି ପଡ଼ନ୍ତି । କେହି କାହିଁକି ଭାବନ୍ତିନି ନାରୀ ବି ଗୋଟେ ମଣିଷ। ସେ କେମିତି ଚଳିବ ବିନା ପତିରେ ଏକଥା କେହି ହୃଦୟରୁ ଥରେ ଚିନ୍ତା କରନ୍ତି ନାହିଁ କଣ ପାଇଁ ? ନାରୀ କଣ ନିର୍ଜୀବ ବସ୍ତୁ ? ବିଧବା ହେଲା ତ ସମସ୍ତ ସୁଖରୁ ସେ ବଞ୍ଚିତ ହେବାକୁ ବାଧ୍ୟ !
ରିତ୍ରିକ ତୁ କହୁ ତୋ ଭାଉଜଟା ସୁଦୁ ବିଲେଇ।ଆମିଷ ନ ହେଲେ ଭାତ ଥାଳି ପାଖେ ବସେନି ? । କିନ୍ତୁ ଏବେ ! ଆମିଷ ପାଖ ମାଡିବା ତାଙ୍କୁ ମନା !
ଭାଉଜ କଣ ଦୋଷୀ ତୋ ମରଣ ପାଇଁ କି ରେ ଭାଇ ? ସେ କାହିଁକି ଶୁଣୁଛନ୍ତି ଅଲକ୍ଷଣି ,ସ୍ୱାମୀ ଖାଇ !
ଏ ସମାଜର ବଡ଼ ପଣ୍ଡା ମାନେ ଟାଣିଦେଲେ ଅନେକ ଲକ୍ଷଣ ରେଖା । କେବଳ ନାରୀଙ୍କ ପାଇଁ ?ନିଜେ ପିତଳ ଗରା।ମାଜିମୁଜି ଦେଲେ ଚିକ ଚିକ ବାଜିବେ। ତୁମେ ବାଜ ତା ସହ ନାରୀ ମାନଙ୍କୁ ବଞ୍ଚିବାକୁ ସ୍ୱୀକୃତୀ ତ ଦିଅ।
ବଡ଼ ସାନ ଭାଇ ସମ୍ପର୍କ ଆମର ନ ଥିଲା କେବେ।ତୋଠାରୁ ଏ ବିଷୟରେ ଅଧିକ କେହି ଜାଣି ନଥିବେ। ସେଇ ବନ୍ଧୁ ହିସାବରେ କହୁଛି ତୁ କିଛି ଚମତ୍କାର କର ଭାଇ ଯେମିତି ନିଜକୁ ଭଣ୍ଡେଇ ଭାଉଜ ନ ବଞ୍ଚନ୍ତୁ। ସମାଜ ଦେଇଥିବା ସମସ୍ତ ଅଭିଶାପର ପ୍ରାଚୀର ଭାଙ୍ଗି ଦେବା ସାହସ ଜୁଟାନ୍ତୁ । ବିଲକୁଲ୍ ନିଜ ଆତ୍ମାର ଆତ୍ମହତ୍ୟା ନକରି ସେ ବାହାର ଦୁନିଆ ସହ ମିଶନ୍ତୁ। ।
ରିତ୍ରିକ ! କେଉଁ ହିତ ଦୃଷ୍ଟିରୁ ବିଧବା ବୋହୁ ପାଇଁ ମନୁଷ୍ୟ କୃତ ଏତେ ସବୁ ଦୁସ୍ଥ ପ୍ରଥା ପରମ୍ପରା ସହେ ମୁଁ ଜାଣେ ନାହିଁ। ଏତିକି ଜାଣିଛି ଏ ବିଧି ଅନେକ ନାରୀଙ୍କ ଆତ୍ମାକୁ ତିଳ ତିଳ କରି କ୍ଷତାକ୍ତ କରୁଛି ଅହରହ। ସେ କ୍ଷତରୁ ଝରୁଛି ପୋଷ ପୋଷ ଯନ୍ତ୍ରଣାର ରକ୍ତ । ଏ କ୍ଷତକୁ ଆମ ସମାଜ ଆହୁରି ଦଲ୍ ଦଲ୍ କରେଇବ ପଛେ ଶୁଖିବାକୁ ଦେବନି। ଛବିଶି ବର୍ଷରୁ ଏ କୁଛ୍ର ସାଧନା ଭାଉଜ କରି ପାରିବ ତ ?
ସାରା କଲେଜରେ ସମସ୍ତେ ଜାଣିଥିଲେ ସଞ୍ଜନା ଅଗସ୍ତି ପାଟି ଯାଉଁ ଆସୁ ଚାଲୁଥିଲା ଅହରହ। କିଛି ନା କିଛି ପାଟିରେ ପଡୁଥିଲା।ଗାଈ ପରି ସବୁବେଳେ କିଛି ନା କିଛି ପାକୁଳି କରୁଥିଲ। ସୋମବାର ଓ ଗୁରୁବାର ବ୍ୟତୀତ ଆମିଷ ନେହେଲେ ଭାତ ରୁଚୁ ନ ଥିଲା । କହିଲ ମାସକୁ କେତେ ଟଙ୍କାର ନେଲପାଲିସ ରେ ଉଡଉଥିଲେ ? ଭଳିଭଳି ପୁଣି ଗାଢ଼ ରଙ୍ଗର ରଙ୍ଗୀନ ପୋଷାକ ପିନ୍ଧି ଉଡୁଥିଲେ ହଳଦୀ ବସନ୍ତ ପରି।ଓପାସ ରହି ପାରିବେ ନାହିଁ ବୋଲି କିଛି ଓଷା କରୁ ନ ଥିଲେ । ବରଂ ଯୁକ୍ତି ବାଢୁଥିଲ ଭଗବାନ କାହାକୁ ବା କେଉଁଠି କହିଛନ୍ତି ଉପାସ କରି ପେଟକୁ କଷ୍ଟ ଦେଇ ଓଷା ବ୍ରତ କରିବାକୁ ? ଆତ୍ମା କୁଶଳେ ସର୍ଵସିଦ୍ଧି ଜ୍ଞାନ ଅନ୍ୟକୁ ବାଣ୍ଟୁଥିବା ସେଇ ଝିଅ ସଞ୍ଜନା ଅଗସ୍ତିର କି ଦୁରାବସ୍ଥା ?
ଆମେ ଦୁଇଭାଇ ପିଜିକିସ୍ ରେ ପିଜି କରୁଥିଲା ବେଳେ ଭାଉଜଙ୍କ ପ୍ଲସ୍ ଥ୍ରୀ ଦ୍ଵିତୀୟ ବର୍ଷ ଫିଜିକିସ୍ ଅନର୍ସ। ଦେଖା ଚାହାଁରୁ ପ୍ରେମର ମଞ୍ଜି ପୋତିଦେଲ ଦୁହେଁ । ଭାଇ ତୁ ଆଉ ଯାହା ପଢ଼ିଥାନ୍ତୁ ନେଟ୍ କ୍ଲିଅର କରି ଜୁନିୟର କଲେଜରେ ଲେକଚର ହେଇଗଲୁ କେବଳ ସ୍ୱାବଲମ୍ବୀ ହୋଇ ସଞ୍ଜନା ଙ୍କୁ ବିବାହ କରିବୁ ବୋଲି। କିନ୍ତୁ ତୁ କଣ ଜାଣିଥିଲୁ
କରୋନା ପରି ଗୋଟେ ଅଦ୍ଭୁତ ଭୁତାଣୁ ଆସିବ ଏବଂ ତୋତେ ନେଇଯିବ ଏତେ ଶୀଘ୍ର ସ୍ୱର୍ଗକୁ ?
ଭାଇରେ ! ଭାଉଜଙ୍କ ଦୁଃଖ କଷ୍ଟ ମୁଁ ଦେଖି ପାରୁନାହିଁ । । ଭାଉଜରୁ କେବଳ ସଞ୍ଜନା ଡାକିବା ଅଧିକାର ପାଇବା ପାଇଁ ମୋ ଭିତରେ ତୀବ୍ର ଇଛା । ମୁଁ ଭାଉଜକୁ ପ୍ରେମ କରୁଛି। ଭାଉଜଙ୍କ ହାତ ଧରି ଅନ୍ଧାର ଠେଲି ଆଲୁଅ ଆଡ଼କୁ ଚାଲିବାକୁ ମୋ ମନ କହୁଛି। ଆତ୍ମାରୁ ନିର୍ଦ୍ଦେଶ ଆସୁଛି ଭାଉଜ ହିଁ ମୋ ଜୀବନ ରାସ୍ତାର ଉପଯୁକ୍ତ ସାଙ୍ଗଟିଏ ହୋଇ ପାରିବ। ଏଥିପାଇଁ ସମାଜ ସହ ଲଢ଼ିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ଅଛି। କିନ୍ତୁ ଭାଉଜ ସିନା ଖୁସିଖୁସି ମୋତେ ତାଙ୍କ ଜୀବନର ସାଥି କରିବେ କି ନାହିଁ ଜାଣିଲେ ସିନା ଆଗେଇବି ? ତୁ ତାଙ୍କୁ ଯେମିତି ହେଲେ ଟିକେ ବୁଝା ଭାଇ।
ଏବେ ମୋ ଅନ୍ତଃକରଣରେ ଭାଉଜଙ୍କ ପାଇଁ ସୃଷ୍ଟ ପ୍ରେମ ହିଁ ତାଙ୍କ ଦୁଃଖ ଦେଖିବା କି ଅସହ୍ୟ ଯନ୍ତ୍ରଣା ଭୋଗିବା ସହି ପାରୁ ନାହିଁ ? ମୋତେ ସେ ସ୍ୱୀକୃତି ଦିଅନ୍ତୁ , ଗ୍ରହଣ କରନ୍ତୁ। ଦୃଢ଼ ହୋଇ ସାହସର ସହ ମୋ ହାତ ଶକ୍ତ ଭାବେ ଧରି ଏ ସାଂସାର ହାଟରେ ଚାଲିବାକୁ ତାଙ୍କୁ ପ୍ରେରିତ କର ଭାଇ ।
ମୁଁ କଥା ଦେଉଛି ବଞ୍ଚିଥିବା ଯାଏ ଭାଉଜଙ୍କୁ ପ୍ରେମ ହିଁ କରୁଥିବି କୌଣସି ପରିସ୍ଥିତିରେ ବି ହାତ ଛାଡ଼ିବି ନାହିଁ।
ଆଶାକରେ ତୁ କିଛି କରିବୁ । ଅଶରୀର ଆତ୍ମା କାଳେ ଅନେକ ଅସମ୍ଭବକୁ ସମ୍ଭବ କରିପାରେ ୧! ମୋ ପ୍ରେମକୁ ସ୍ୱୀକାର କରି ମୋତେ ଆଜୀବନ ସାଥିଟିଏ ଭାବେ ଗ୍ରହଣ କରିବା ଅନୁମତିଟି ଆଣି ଦେ ଭାଇ। ଭାଉଜ ମୋତେ ଜୀବନ ସାଥୀ କରିବାକୁ ହଁ ଭରିଲେ ମୁଁ ଲଢ଼ି ପାରିବି ସମସ୍ତ ମଣିଷ ଗଢା ସାମାଜିକତା ସହିତ। ଲିଭେଇ ପାରିବି ବାରଣର ଲକ୍ଷ୍ମଣ ଗାର।ଲଙ୍ଘି ପାରିବି ସବୁ ବାଧାବିଘ୍ନର ସୁଉଚ୍ଚ ପାହାଡ଼ ପର୍ବତ। କେବଳ ଭାଉଜ ମୋ ସାଥିରେ ରୁହନ୍ତୁ ମୋ ଶକ୍ତି,ସାହସ,ଧୈର୍ଯ୍ୟ ଓ ପ୍ରେରଣା ଉତ୍ସ ହୋଇ।
ମୋତେ ଜୀବନ ସାଥି କରିବାରେ ତୁମ ଆପତ୍ତି କାହିଁକି ସଞ୍ଜନା ଭାଉଜ ? ଲୋକ କଣ କହିବେକୁ ଡର କି ? ଜୀବନ ତୁମର ; ବଞ୍ଚିବ ତୁମେ । ଅନ୍ୟମାନଙ୍କ କଥାରେ କଣ ଅଛି ? ତୁମ ସ୍ୱୀକୃତି ଅପେକ୍ଷାରେ ମୁଁ।