Bismita Sahoo

Tragedy Inspirational Crime

5.0  

Bismita Sahoo

Tragedy Inspirational Crime

ସଂହାର

ସଂହାର

4 mins
597


ଶାନ୍ତ ନୀଳ ଆକାଶକୁ ଚାହିଁ ଅନେକ କଥା ଭାବି ଯାଉଛି ଅନିତା। କାହାର ମୃଦୁ ଆଘାତରେ ତାର ଧ୍ୟାନ ଭଗ୍ନ ହେଲା। ସେ ପଛକୁ ଅନେଇ ଚାହିଁ ଦେଖିଲା ପଡ଼ିଶା ଘରର ଭାଉଜ ତାକୁ ଦେଖି କହୁଛନ୍ତି

- ଆରେ, ଆକାଶକୁ ଏକ ଲୟରେ ଅନେଇ କଣ ଦେଖୁଛ?


- ସତରେ ଭାଉଜ, ଆକାଶଟା କେଡ଼େ ଶାନ୍ତ ଓ ସରଳ। କିଛି ଛନ୍ଦ କପଟ ଜାଣେନି। ପକ୍ଷୀମାନେ କେମିତି ତାର ସ୍ନେହ ଡୋରିରେ ଟାଣି ହୋଇ ତା ପାଖକୁ ଯାଉଛନ୍ତି।


ଅନିତା ଧୀରେ କହିଲା।


- ପାଗଳୀଙ୍କ ପରି କଣ ଗପୁଛ ଅନି? ତୁମ ଦେହ ଭଲ ନାହିଁ କି ?


ଭାଉଜଙ୍କ ପ୍ରଶ୍ନରେ ଅନିତା ନିରୁତ୍ତର ରହିଥିଲା। କଣ ବା ସେ କହିଥାନ୍ତା? ପିଲାଟି ଦିନରୁ ଆକାଶ ପ୍ରତି ତାର ଦୁର୍ବଳତା। ଖୋଲା ଆକାଶକୁ ଏମିତି ଘଣ୍ଟା ଘଣ୍ଟା ଚାହିଁ ରହିବା ଦେଖି ପିଲାଦିନେ ମା ତାର କୁହନ୍ତି


- ମା ଅନି, ତୁ ଆକାଶକୁ ଖାଲି ଦେଖୁଛୁ ନା ତା ଠାରୁ କିଛି ଜ୍ଞାନ ଆହରଣ କରୁଛୁ? ତା ଠୁ କିଛି ଶିଖ। ଏ ଆକାଶର ହୃଦୟ କେଡ଼େ ବିଶାଳ। ଯେଉଁଠି ଇଗଲ୍ ପରି ଶକ୍ତିଶାଳୀ ପକ୍ଷୀ ଆତ ଯାତ କରେ ସେଠି ଦୁର୍ବଳ କୀଟ ଟିଏ ପାଇଁ ବି ସ୍ଥାନ ଥାଏ। ତା ପାଖରେ ପର, ଆପଣାର ଏମିତି କିଛି ନାହିଁ। ସଭିଏଁ ତା ନିଜର। ତୁ ବି ମା, ତା ପରି ହୁଅ। ସାରା ଦୁନିଆକୁ ସଦା ନିଜର ଭାବିବୁ।


  ମା ର ଏହି କଥା ଦି ପଦ ଅନିର ମନରେ ଗଭୀର ରେଖାପାତ ସୃଷ୍ଟି କରିଥିଲା। ସେ ସେଦିନଠାରୁ ସଭିଙ୍କୁ ଆପଣାର କରିବାକୁ ଚେଷ୍ଟା କରେ। ଯିଏ ରାଗିକି କହେ ସେ ଫିକ୍ କରି ହସିଦିଏ। କାହା କଥା ଧରେନା। ମନ ଦେଇ ପାଠ ପଢେ। ଗୁରୁଜନଙ୍କୁ ଭକ୍ତି କରେ। ତାର ଏପରି ବ୍ୟବହାରରେ ସମସ୍ତେ ଖୁସି ହୁଅନ୍ତି। ସେ ଚେଷ୍ଟା କରେ ନିଜେ ପଛେ ଦୁଃଖରେ ରହୁ କିନ୍ତୁ ଅନ୍ୟମାନେ ଖୁସିରେ ରୁହନ୍ତୁ। 


    ମାତ୍ର ସେତେବେଳେ ସେ ହୃଦୟଙ୍ଗମ କରିନଥିଲା ଯେ ଏହା ତାର ବିରାଟ ଭୁଲ। କାରଣ ସେ ଆକାଶ ପରି ନିରୀହ, ଉଦାର , ଅପରପକ୍ଷରେ ତା ସୁଖ ଦୁଃଖର ସାଥି , ତା ପତି ଦେବତା ହେଉଛନ୍ତି ସମୁଦ୍ର ସମ ଉଗ୍ର, ଅସହ୍ୟ, ଭୟଙ୍କର। ଆକାଶ ଓ ସମୁଦ୍ରର ମିଳନ କଣ ସମ୍ଭବ ନା ଆକାଶ ଚାହିଁଲେ ବି ସାଗର ସମକକ୍ଷ ହେଇ ପାରିବ। ତଥାପି ସେ ସମୁଦ୍ରର ମନକଥା ବୁଝିବାକୁ ଅହରହ ଚେଷ୍ଟା ଚଳେଇଛି। ସମୁଦ୍ରର ଅଶାନ୍ତ ହୃଦୟରେ ଶାନ୍ତିର ବୀଜ ବିପନ କରିବାକୁ ଚେଷ୍ଟା କରିଛି। ହେଲେ ପ୍ରତିଥର ଢେଉ ମାଡ଼ରେ ତାର ଶରୀର ହେଇଛି କ୍ଷତାକ୍ତ।


  କଣ ବା ସେ ଅଧିକ କରିପାରିଥାନ୍ତା , ଘରର ଯାବତୀୟ କାର୍ଯ୍ୟ ସହିତ ଶାଶୁ, ଶ୍ୱଶୁରଙ୍କ ସେବା ସେ ଅତ୍ୟନ୍ତ ଆଗ୍ରହରେ ସୂଚାରୁ ରୂପେ ତୁଲାଏ। ମା ତାର ବିବାହ ବେଳେ କହିଥିଲେ ପତି ହେଉଛି ପତ୍ନୀର ଈଶ୍ୱର। ସେ ଈଶ୍ୱରଙ୍କ ମନ ଯିଏ ଜିଣିପାରେ ତାର ପତ୍ନୀଧର୍ମ ସାର୍ଥକ ହୁଏ। ସେ ମା ର ଗୋଟି ଗୋଟି କଥା ଅନୁସରଣ କରିବାକୁ ଚେଷ୍ଟା କରେ। ରାତ୍ରୀର ଶେଷ ପ୍ରହର ଯାଏ ନ ଖାଇ ତା ସ୍ୱାମୀ ନୀଲିଖଙ୍କୁ ଅପେକ୍ଷା କରେ କିନ୍ତୁ , ତା ପତିଦେବ ନା ପଢ଼ି ପାରନ୍ତି ତା ମନର ଭାଷା, ନା ହୃଦୟର ଆଶା। ଅଫିସରୁ ଘରକୁ ନ ଫେରି ସାରା ରାତି ପଡ଼ି ରହନ୍ତି କେଉଁ ମଦ୍ୟଶାଳାରେ ସୁନ୍ଦରୀ ମାନଙ୍କ ବାହୁ ବନ୍ଧନରେ। ସକାଳ ହେଲେ ଘରକୁ ଫେରନ୍ତି। ଯଦି ଦୈବାତ ତାର ଆଖି ଲାଗିଯାଇଥାଏ, ଏବଂ କବାଟ ଖୋଲିବାରେ ଡେରି ହୁଏ ତେବେ ଅତ୍ୟନ୍ତ ଅସହ୍ୟ, କଟୁ ଭାଷାରେ ତା ଉପରେ ବର୍ଷିଯାନ୍ତି ନୀଲିଖ।


       ବୁଝିବାକୁ ଚେଷ୍ଟା କରି ସେ ଆଜି ପର୍ଯ୍ୟନ୍ତ ନିଜ ଭୁଲ କଣ ବୁଝି ପାରେନା। ତା ଶାଶୁଘର ଲୋକ ଯେତିକି ଯୌତୁକ ମାଗିଥିଲେ ତା ଠାରୁ କାହିଁ ଗୁଣ ଅଧିକ ତା ବାପା ଦେଇଥିଲେ। ଏବେ ବି ପୁଣ୍ୟ ପର୍ବ ବାହାନାରେ ବାପା ସେମାନଙ୍କ ପ୍ରତ୍ୟେକଟି ଚାହିଦା ପୂରଣ କରୁଛନ୍ତି। ହେଲେ ତା ପ୍ରତି ସମସ୍ତେ ଏପରି ବିମୁଖ, ନିଷ୍ଠୁର କଣ ପାଇଁ? 


   ଏହା ସତ୍ୟ ଯେ ସେ ଦେଖିବାକୁ ସେତେ ଟା ସୁନ୍ଦର ନୁହେଁ। ହେଲେ ବାହାଘର ପୂର୍ବରୁ ବି ତ ସେ ଅସୁନ୍ଦର ଥିଲା। ସେ ସମୟରେ ନୀଲିଖ କଣ ପାଇଁ ହସି ହସି ତା ବାପାଙ୍କୁ କହିଥିଲେ ଯେ ତାଙ୍କର ସୁନ୍ଦରୀ ସ୍ତ୍ରୀର କେବେ କାମନା ନାହିଁ। ହୃଦୟର ସୌନ୍ଦର୍ଯ୍ୟ ଆଗରେ ଆଉ ସବୁ ବହିରାଗତ ସୌନ୍ଦର୍ଯ୍ୟ ମୂଲ୍ୟହୀନ।


    ହେଲେ----- ହେଲେ--- ଏବେ ସେ କିପରି ନୀଲିଖଙ୍କ ପାଇଁ ଏତେ ଅଲୋଡ଼ା ହେଇ ପଡ଼ିଲା? ବିବାହ ପୂର୍ବର ପ୍ରତ୍ୟେକଟି ପ୍ରତିଶ୍ରୁତି କଣ ପାଣିର ଗାର ଥିଲା ନା ଜାଣିଶୁଣି ନୀଲିଖର ପରିବାର ଜାଲ ପକେଇ ମାଛ ଶିକାର କରିଥିଲେ। 


   କାହାକୁ ସେ ନିଜର ଅଭିଯୋଗ ଜଣେଇବ? ଯଦି ଆତ୍ମା ଶରୀରକୁ ତ୍ୟାଗ କରିବାକୁ ଚାହଁ , ଶରୀର ଯେତେ ଛାଟି ପିଟି ହେଲେ ବି କଣ ତାକୁ ଅଟକେଇ ପାରିବ? ଅନି ନିଜ ଭାଗ୍ୟର ଗତି କୁଆଡେ ଜାଣି ପାରୁନଥିଲା। 


 ସଞ୍ଜ ଗଡ଼ି ଆସୁଥିଲା। ଅନି ସନ୍ଧ୍ୟା ଦେବାପାଇଁ ତରବର ହେଇ ସିଡ଼ିରୁ ଓହ୍ଲେଇଲା ବେଳେ କାହାର କଥାବାର୍ତ୍ତା ସେ ଶୁଣି ପାରିଲା। ନୀଲିଖ କହୁଛନ୍ତି 


- ମା, ଯେଉଁ ଆଶା ଓ ସ୍ୱପ୍ନ ନେଇ ମୁଁ ଅନିକୁ ବିବାହ କରିଥିଲି ତାହା ସତ୍ୟରେ ପରିଣତ ହେବାକୁ ଯାଉଛି। କାଲି ଅନିର ବାପା ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ସବୁ ମୋ ନାଁ ରେ କରିଦେବେ। ମୋର ଅଭିନୟରେ ବୁଢ଼ା ଟା ପୁରା ଫସିଗଲା। ସେ ମୋତେ ତା ନିଜ ପୁଅଠୁ ବି ଅଧିକ ଭାବି ନେଇଛି। ବୁଢ଼ା ଭାବିଛି ମଲାଯାଏ ମୁଁ ତା ର ଓ ତା ସ୍ତ୍ରୀର ଦାୟିତ୍ୱ ନେବି। ସେ ଜାଣିନି ବଂଶୀକଣ୍ଟା ପକେଇ ମାଛ ଶିକାର କଲାବେଳେ କଣ୍ଟାରେ ଜାଣିଶୁଣି ମାଛକୁ ଆକୃଷ୍ଟ କରିବା ପାଇଁ ତା ପ୍ରିୟ ଖାଦ୍ୟ ଲଗେଇ ଦିଆଯାଏ। ଠିକ୍ ସେମିତି ବୁଢ଼ା ମୋ ଚିକିଣିଆ କଥାରେ ଭାସି ଯାଇଛି। ସମ୍ପତ୍ତି ପାଇ ସାରିଲା ପରେ ବୁଢ଼ା ବୁଢ଼ୀ ଦିଟାଙ୍କୁ ସେ ଘରୁ ଗଳା ଧକ୍କା ଦେଇ ବାହାର କରିଦେବି ଯେ ଅଖା ଧୋଉଥିବେ , ମୋ ଗୁଣ ଗାଉଥିବେ।


ଶାଶୁ ଶ୍ୱଶୁର ଓ ନୀଲିଖଙ୍କ ହସରେ ଚଉଦିଗ କମ୍ପି ଉଠିଲା। ଅନିକୁ ଲାଗିଲା କିଏ ଯେମିତି ସତରେ ତା ସର୍ବାଙ୍ଗ ଶରୀରରେ କଣ୍ଟା ପିଟୁଛି। ସତରେ ଯଦି ନୀଲିଖ ତା ବାପା ମାଙ୍କ ସହିତ ଏପରି କରିବେ ତେବେ କଣ କରିବେ ତା ବାପା ମା? ଏହାପରେ ନୀଲିଖ ତାକୁ ଘରେ ରଖିବେ ନା ତାଙ୍କ ରାସ୍ତାରୁ ହଟେଇ ଦେବେ? ବଞ୍ଚିଥାଉ ଥାଉ ମା ବାପାଙ୍କ ଏପରି ଦୁଃଖ ଦେଖିବା ଅପେକ୍ଷା ମରିଯିବାଟା ତା ପାଇଁ ଶ୍ରେୟସ୍କର। ବାପା ମାଙ୍କ ଏପରି ଦୁର୍ଦ୍ଦଶା ପାଇଁ ପରୋକ୍ଷ ଭାବରେ ସେ ନିଜକୁ ଦାୟୀ କରୁଥିଲା। 


   ଦୌଡ଼ିଗଲା ରୋଷେଇ ଘରକୁ। ଛୁରୀ ଆଣି ନିଜ ପେଟରେ ଭୂଷିବାକୁ ଉଦ୍ୟତ ହେଲାବେଳେ ତା ପୁଅ ରୋହନ୍ କାନ୍ଦି ଉଠିଲା। ସତରେ କଣ କରିବାକୁ ସେ ଯାଉଥିଲା? ସେ ମରିଗଲେ କଣ ସବୁ ଠିକ୍ ହେଇଯିବ ନା ବରଂ ନୀଲିଖଙ୍କୁ ଆଉ ଗୋଟେ ସୁନେଲି ମାଛ ଜାଲରେ ପକେଇବାକୁ ସୁବିଧା ମିଳିଯିବ?


   ବାହାରେ ପାର୍ବଣର ମାହୋଲ। ମା ଦୁର୍ଗା ଦୁର୍ଗତି ନାଶିନୀ ମହିଷାସୁର ମର୍ଦ୍ଦିନୀଙ୍କୁ ସ୍ୱାଗତ ଜଣାଉଥିଲା ସାରା ଦୁନିଆ, ଠିକ୍ ସେହି ସମୟରେ ପୋଲିସ ହାତକଡ଼ା ପକେଇ ଅନିଶାଶୁଘର ଲୋକଙ୍କୁ ଗୋଟି ଗୋଟି କରି ବାନ୍ଧି ବିଚ ରାସ୍ତାରେ ଟାଣି ନେଉଥିଲା। ସେ ଓ ତା ପୁଅ ମୁହଁରେ ଫୁଟି ଉଠୁଥିଲା ବିଜୟର ହସ। ଅନି ନିଜେ ମରି କିମ୍ବା ଅନ୍ୟକୁ ମାରି ଜେଲ ଯିବାକୁ ଚାହୁଁ ନଥିଲା। ତେଣୁ ପୋଲିସ ଆଗରେ ସେ ସବୁକଥା କହିବା ସହିତ ତା ଶାଶୁ, ଶ୍ୱଶୁର, ସ୍ୱାମୀଙ୍କ କଥାବାର୍ତ୍ତା ର ଭିଡ଼ିଓ ରେକଡ଼ିଂ ବି ଦେଇଥିଲା। ମହିଷାସୁର ପଳାୟନ କରିବାର ପ୍ରତ୍ୟେକଟି ପନ୍ଥା ବନ୍ଦ ହେଇ ଯାଇଥିଲା। ସତେ ଯେମିତି ଜଗତ୍ ଜନନୀ ବିନା ଅସ୍ତ୍ରରେ ଏଥର ପାପର ସଂହାର କରୁଥିଲେ।



Rate this content
Log in

Similar oriya story from Tragedy