Madhabi Patel

Inspirational

3  

Madhabi Patel

Inspirational

ସଙ୍ଗୀତର ଭାଷା

ସଙ୍ଗୀତର ଭାଷା

5 mins
195


ସେଇ ନିର୍ଦ୍ଦିଷ୍ଟ ସମୟରେ ପ୍ରତିଦିନ ଏକ ବିରହ ବିଧୁର ବଂଶୀ ଧ୍ୱନୀ ଭାସି ଆସେ ପବନରେ ତରଙ୍ଗାୟିତ ହୋଇ । ଅଭିମାନ କିଛି ଦିନ ହେଇଛି ଉଲାପଗଡରେ କାମ କରିବାକୁ ଆସିଛି । ସେଇ ଉଲାପଗଡ ଯେଉଁ ମାଟିରେ ଅର୍ଜୁନଙ୍କ ପତ୍ନୀ ଉଲ୍ଲୁପୀ ଜନ୍ମ ଗ୍ରହଣ କରିଥିଲେ । ନାଗବଂଶର ଝିଅ ସେ । ଏଠି ଆଜି ବି ଅନେକ ସ୍ମୃତି ଚିହ୍ନ ରହିଛି ସେ ସମୟର । ପଥର ଗାତ୍ରରେ ଖୋଦେଇ ହେଇଛି ପାଲି କି ଅନ୍ୟ କେଉଁ ଭାଷାର ସନ୍ତକ । ଏ ଅଞ୍ଛଳରେ ଉଲାପଗଡ ବିକ୍ରମଖୋଲ ଏପରି ଅନେକ ପାହାଡିଗୁମ୍ଫା ରହିଛି ଯୋଉଠି ଅତୀତର ଅନେକ ବାର୍ତ୍ତା ରହିଛି ଆମ ପାଇଁ । ଝାରସୁଗୁଡାରୁ ଅଳ୍ପ ଦୂରରେ ଘଣ୍ଟାଏ କି ଦୁଇଘଣ୍ଟାର ରାସ୍ତା ହେବ । 

ଅଭିମାନ ଅତୀତର ଏଇ ସବୁ ସ୍ମୃତିର ସନ୍ଧାନର ରିସର୍ଚ୍ଚ କରିବାକୁ ଆସିଛି । ହେଲେ ସେ ଲକ୍ୟ୍ କରିଛି ପ୍ରତିଦିନ ସକାଳ ଠିକ ନଅରୁ ଦଶଟା ଭିତରେ ଏକ କରୁଣ ବଂଶୀ ଧ୍ୱନୀ ଶୁଭେ । ମର୍ମଭେଦୀ ସେ ସ୍ୱର । ତା ହୃଦୟ ଭିତର ଦୋହଲି ଯାଏ ସେ ରାଗିଣୀ ଶୁଣି । ସେ କେତେ ଜଣକୁ ଏ ସ୍ୱର ବିଷୟରେ ପଚାରିଲାଣି ହେଲେ କେହି ଉତ୍ତର ଦେଇ ପାରନ୍ତିନି । 

ଦିନେ ସେ ନିଶ୍ଚୟ କଲା ଆଜି ସେ ବଂଶୀବାଲାକୁ ଯେମିତି ହେଲେ ଠାବ କରିବ । ସେ ବାଇକ୍ ଧରି ଛୁଟିଲା ଶବ୍ଦ ଆସୁଥିବା ଜାଗା ଆଡେ । ହେଲେ ନିରାଶ ହେଲା । ଆଗରେ ପ୍ରତିବନ୍ଧକ ସାଜି ନଈଟିଏ ବହି ଯାଉଛି । ନଈ ଆରପଟୁ ସେ ଶବ୍ଦ ଭାସି ଆସୁଛି । 

ସେ ନାଆଟିଏ ଯୋଗାଡ କଲା ଓ ଆର କୂଳେ ପହଞ୍ଚିଲା । ନଈଁ ଆର କୂଳେ ଅନେକ ଘଞ୍ଚ ବଣ । ବଡବଡ ବୃକ୍ଷ ଆକାଶ ଛୁଇଁବାର ପ୍ରତିଯୋଗିତା କରୁଛନ୍ତି । ଛୋଟ ଛୋଟ ବୁଦା ଓ ବଣ ଲତାରେ ରାସ୍ତା ବନ୍ଦ କରି ରଖିଛନ୍ତି । ଏକ ସରୁ ପାଦଚଲା ରାସ୍ତା ମାଡି ଯାଇଛି ଗାଆଁ ଭିତରକୁ । ଜଙ୍ଗଲ ଭିତରେ ଛୋଟ ଗାଆଁଟିଏ । ନଡା ଚାଳରେ ତିଆରି କେତୋଟି ଘର । ବୋଧହୁଏ ଆଦିବାସୀ ବସ୍ତିଟିଏ । 

ଅଭିମାନ ସ୍ୱରକୁ ଅନୁସରଣ କରି ଆଗକୁ ବଢୁଥାଏ । ଏକ ଛୋଟ ଚାଳଘରୁ ବଂଶୀଧ୍ୱନୀ ଆସୁଥିଲା । ସେ, ସେ ଘରେ ପହଞ୍ଚି ଦରଆଉଜା କବାଟ ଭିତରକୁ ଝାଙ୍କି ଦେଖିଲା । ଅର୍ଦ୍ଧ ବୟସ୍କ ଲୋକଟିଏ ବଂଶୀ ବଜାଇବାରେ ମଗ୍ନ ହେଇ ଯାଇଛି । 

ସେ ଉଚ୍ଚସ୍ୱରରେ ପଚାରିଲା ଭିତରେ କିଏ ଅଛ, ଟିକେ ଶୁଣିବ । ହଠାତ୍ ବଂଶୀଶବ୍ଦ ବନ୍ଦ ହେଇଗଲା । ବଣ ବୁଦାରେ ଖେଳିବୁଲୁଥିବା ସଂଗୀତମୟତା ସ୍ଥିର ପଡିଗଲା । ସେ ରାଗିଣୀ ଯେମିତି ବଣର ଜୀବନ ଥିଲା । ଜୀବନ ବନ୍ଦ ହେଇ ଯିବା ପରେ ସବୁଆଡ ଶୂନ୍ୟ ନିଷ୍ପ୍ରାଣ ଲାଗିଲା । 

ପକ୍ଷୀମାନେ ଏଆଡେ ସେଆଡେ ଫଡଫଡ କରି ଉଡିବାକୁ ଲାଗିଲେ । ସେମାନେ ବି ବୋଧହୁଏ ଏ ସ୍ୱର ଶୁଣିବାରେ ଅଭ୍ୟସ୍ତ ଅଟନ୍ତି । ହଠାତ୍ ବନ୍ଦ ହେଇ ଯିବାରୁ ଉତ୍ୟକ୍ତ ହେଇ ଯାଉଥିଲେ । 

ଲୋକଟି ଠେଙ୍ଗାର ସାହାରାରେ ଦରଜା ଯାଏ ଆସିଲା । ଲୋକଟାର ଗୋଟେ ଗୋଡ ଚାଲିବାକୁ ଅକ୍ଷମ ହେଇ ଯାଇଥିଲା । 

ଅଭିମାନ ଲୋକଟାକୁ ଜୁହାର କଲା । କିଏ ଜଣେ ବାବୁ ଲୋକ ତାକୁ ସମ୍ମାନ ଦେଇ ଜୁହାର କରୁଥିବାରୁ ଲୋକଟି ଖୁସି ହେଇଗଲା । 

ଅଭିମାନ କହିଲା ଆଜ୍ଞା ଆପଣ ବହୁତ ସୁନ୍ଦର ବଂଶୀ ବଜାଉଛନ୍ତି । ମୁଁ ତାରି ରାଗିଣୀରେ ଆକର୍ଷିତ ହେଇ ଏଠାକୁ ଚାଲି ଆସିଛି । ମୁଁ ଜଣେ କଲେଜ ଛାତ୍ର ଏଠିକୁ ରିସର୍ଚ୍ଚ କାମରେ ଆସିଛି । ପ୍ରତିଦିନ ଆପଣଙ୍କ ବଂଶୀ ଶୁଣେ । ମତେ ବଡ ଆନ୍ଦୋଳିତ କରେ ଆପଣଙ୍କ ବଂଶୀସ୍ୱନ । ସବୁଦିନ ସେଇ ବିରହ ରାଗିଣୀ । କଣ ଆପଣ ଖୁସିର ଗୀତ ଜାଣନ୍ତିନି?କି ଆପଣ ଦୁଃଖକୁ ଭଲ ପାଆନ୍ତି?


ଲୋକଟା ଦୀର୍ଘନିଃଶ୍ୱାସଟେ ଛାଡିଲା । ସେ ଅଭିମାନକୁ ଏକ ଛୋଟ ଖଟୁଲିରେ ବସିବାକୁ ହାତରେ ଇସାରା କରି ଦେଖାଇଲା । 

ଅଭିମାନ ବଖରା ଭିତରେ ପଶି ଖଟୁଲିରେ ବସିଲା । ଭିତରଟି ସଫା ସୁତୁରା ଥିଲା । କାନ୍ଥରେ ଏକ ସୁନ୍ଦରୀ ଝିଅର ଚିତ୍ରଟିଏ ଲାଗିଥିଲା । କିଏ ହେଇଥିବ ଝିଅଟି । ଲୋକଟାର ଝିଅ ହେଇ ଥାଇ ପାରେ? ସେ ମନେ ମନେ ଏସବୁ ଭାବୁଥାଏ । 


ଅଭିମାନ କହିଲା ଆଜ୍ଞା ନିଜ ବିଷୟରେ କିଛି କୁହନ୍ତୁନା । ଆପଣଙ୍କ ଗୋଡ ବିଷୟରେ । ଆପଣଙ୍କ ବଂଶୀ ଧ୍ୱନୀ ବିଷୟରେ, ମତେ ଜାଣିବାକୁ ଆଗ୍ରହ ହେଉଛି । ଅଭିମାନର ତା ବିଷୟରେ ଜାଣିବାର କୌତୁହଳ ଦେଖି ଲୋକଟି କହିବାକୁ ଆରମ୍ଭ କଲା । 


ତା ନାଆଁ ସେବକ । ତାଙ୍କ ଗାଆଁର ସେ ଜଣେ ଶିକ୍ଷିତ ଯୁବକ ଥିଲା । ସେ ନିଜ ମାମୁଘରେ ରହି ପାଠ ପଢିଲା । ନଈ ଆରକୂଳରେ ତା ମାମୁଁ ଘର । ମାମୁଁଘର ଗାଁ ଗୌରୀକୁ ସେ ଭଲ ପାଇଲା । ଦୁଇଜଣ ପଢା ସାଙ୍ଗ ଥିଲେ । ହେଲେ ଜାତି ପ୍ରଥା ସେମାନଙ୍କ ପ୍ରତିବନ୍ଧକ ସାଜିଲା । ଗୌରୀ ଘରଲୋକେ ରାଗରେ ତାକୁ ମାରି ନଈ ଆରପଟେ ପକେଇଦେଲେ । ଯା ହଉ ସେ ବଞ୍ଚିଗଲା ହେଲେ ଗୋଡ ଚାଲିଲାନି । ଛୋଟା ହେଇ ପଡିରହିଛି ସେ । ଗୌରୀକୁ ସେ ଗାଆଁର ଜମିଦାର ପୁଅ ସାଙ୍ଗରେ ବିଭା କରିଦେଲେ ତା ଘରଲୋକେ । ସେ ଦିନୁ ଦେଖି ପାରିନି ତାକୁ । ବିବାହ ପରେ ବୋହୁ ବେଶରେ କେମିତି ଦିଶୁଥିବ ସେ କେଜାଣି? ଏବେ ତ କେତେ ସନ୍ତାନର ମାଆ ହେଇ ସାରିଥିବଣି । ତାକୁ ଥରେ ଦେଖିବାକୁ ବଡ ଇଚ୍ଛା ହୁଏ । ହେଲେ ମୁଁ ଏ ଅବସ୍ଥାରେ କୁଆଡେ ଯାଇ ପାରୁନି । ଆମେ ମାଆ ପୁଅ ଏଠି ରହିଛୁ । ମାଆ ମୋର ଛୋଟ ପିଲାପରି ଯତ୍ନ ନେଉଛି । ମୁଁ ବିଏ ପଢିଛି ହେଲେ ମାଆକୁ କିଛି ସୁଖ ଦେଇ ପାରିଲିନି । ମରିବା ଆଗରୁ ମୁଁ ଥରେ ଗୌରୀକୁ ଦେଖିବାକୁ ଚାହେଁ । ମୁଁ ତାର ଖୁସୀ ଚାହେଁ । ସେ ଯୋଉଠି ଥାଉ ଖୁସୀ ଥାଉ । 

ସକାଳ ନଅଟାରୁ ଆପଣ ବଂଶୀ ବଜାନ୍ତି ଏହାର କାରଣ?

ସେବକ କହିଲା । ସେ ସମୟ ଗୌରୀର ସ୍ନାନ ସମୟ । ସେ ଆସୁଥିବ ନଈକୁ । ମୁଁ ତାକୁ ବଂଶୀରେ ସୂଚେଇଦିଏ ଯେ କେହି ଜଣେ ଆଜିବି ସେତିକି ଭଲ ପାଉଛି ତାକୁ । 

ଅଭିମାନ ଲୋକର ପ୍ରେମର ଗଭୀରତା ଦେଖି ଆଶ୍ଚର୍ଯ୍ୟ ହେଉଥିଲା । ଯାହାପାଇଁ ଏତେ ଅବସ୍ଥା ହେଇଛି, ଯିଏ ଅନ୍ୟର ପତ୍ନୀ ହେଇ ସାରିଛି ତଥାପି ତା ପାଇଁ ସେ ଶୁଭକାମନା କରୁଛି । ଅଜବ ଏ ପ୍ରେମ । 


ଏତେବେଳକୁ ବୁଢୀଟିଏ ପାଛିଆଏ ଶାଗ ଧରି ଆସିଲା । ପୁଅ ସଂଗେ କେହି ଜଣେ କଥା ହେଉଥିବାର ଦେଖି ଖୁସୀ ହେଇଗଲା । ଏତେ ଦିନ ହେଲା କେହି ତା ସହ ମିଶୁ ନଥିଲେ । 

ଅଭିମାନ ବୁଢୀକୁ ନମସ୍କାର କଲା । ବୁଢୀ ତା ପାଇଁ ଚା ତିଆରି ଦେଲା । ଅତିଥି ସେବା ଓଡିଶାର ସବୁଆଡେ ରହିଛି । ସାମର୍ଥ୍ୟ ମୁତାବକ ସମସ୍ତେ ଚର୍ଚ୍ଚା କରିଥାନ୍ତି । 


ଅଭିମାନ ଫେରିଲା ବେଳେ ସେବକକୁ ଆଶ୍ୱାସନା ଦେଇଗଲା ସେ ନିଶ୍ଚୟ ଗୌରୀକୁ ତା ସହ ଭେଟ କରାଇବ । 

ଫେରିଲା ପରେ ତା ପରଦିନ ଠିକ୍ ନଅଟା ବେଳେ ସେ ନଈ କୂଳରେ ପହଞ୍ଚି ଗଲା । ଗୌରୀକୁ ପାଇବାକୁ ବେଶି କଷ୍ଟ କରିବାକୁ ପଡିଲାନି । ଲଗନ ଥିଲେ ଭଗବାନ ବି ମିଳିଯାନ୍ତି । ଏ ତ ସାମାନ୍ୟ ମଣିଷ ଜଣେ । ସେ ଗୋରୀକୁ ସେବକର ଶେଷ ଇଚ୍ଛା ଜଣେଇଥିଲା । ତାର ଫଟୋ ଦେଖାଇଲା । ଗୋଡ ଭଙ୍ଗା ଦୃଶ୍ୟ ଦେଖି ଗୌରୀ ଭେଟ କରିବାକୁ ରାଜି ହେଇଗଲା । ସେ ତାକୁ ଧରି ଡଙ୍ଗାରେ ଆରକୂଳକୁ ନେଇ ଆସିଲା । ବହୁବର୍ଷ ପରେ ଦୁଇଜଣ ଭେଟ ହେଇଥିଲେ । ଗଙ୍ଗା ଯମୁନା ଏକାକାର ହେଉଥିଲେ ଦୁଇଜଣକ ଆଖିରୁ ଝରି ପଡି । ଦୁଇଜଣ ଦୁଇଜଣକୁ ପ୍ରବୋଧନା ଦେଉଥିଲେ । ଅନ୍ୟର ସୁଖ ଚାହୁଁଥିଲେ ଦୁହେଁ । ତାଙ୍କ ପ୍ରେମରେ କଳୁଷତା ନଥିଲା । ଥିଲା ସମ୍ମାନ ଓ ଭଲ ପାଇବା, ଉତ୍ସର୍ଗିକୃତ ହେବାର ଭାବନା । 

ଅଭିମାନ ତାପରେ ଗୌରୀକୁ ଫେରାଇ ଆଣିଥିଲା । ଏବେ ତା ପରଦିନଠୁ ବଂଶୀରେ ବାଜୁଥିଲା ଏକ ଆନନ୍ଦର ଧୁନ, ଯାହା ଶୁଣି ଅଭିମାନ ଓ ଗୌରୀର ମନରେ ଟିକେ ଶାନ୍ତି ଭରି ଯାଇଥିଲା । ସଂଗୀତର ବି ଭାଷା ଥାଏ ଯିଏ ଦୁଃଖରେ ଅସ୍ଥିର କରିପକାଏ ଓ ବେଳେ ବେଳେ ଶାନ୍ତି ପ୍ରଦାନ କରେ । ଏ ଭାଷାକୁ ଗଛଲତା ପଶୁପକ୍ଷୀ ମଣିଷ ସମସ୍ତେ ହୃଦୟଙ୍ଗମ କରିପାରନ୍ତି । 



Rate this content
Log in

Similar oriya story from Inspirational