Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sambit Srikumar

Tragedy

4.0  

Sambit Srikumar

Tragedy

ସଙ୍ଗାତ

ସଙ୍ଗାତ

3 mins
473



ନିଜ ଲୋକ ଯେବେ ପର କରି ଚାଲିଯାନ୍ତି, ହୃଦୟ କ୍ଷତ ବିକ୍ଷତ ହୋଇଯାଏ । ସମୟର ସୁଅରେ ସେ କ୍ଷତ ବି ଭରି ଯାଏ, ତାର ଲେଉଟାଣିରେ ଅବା ନୂଆ ସାଥୀର ଆଗମନରେ ସେହି ଶୂନ୍ୟ ସ୍ଥାନ ପୂର୍ଣ୍ଣ ହୋଇଯାଏ । ମାତ୍ର ଯଦି କେହି ଆପଣାର ଲୋକ ଅଫେରା ରାଇଜକୁ ଚାଲିଯାଏ ଚୁପ୍ ଚାପ୍ କାହାକୁ କିଛି ନ ଜଣାଇ ବିନା ରାଗ ରୁଷା ମାନ ଅଭିମାନରେ, ଯାହା ସହ ତୁମର ବହୁତ କିଛି କଥା ହେବାର ଥିବ ତେବେ...?   

ହଁ, ଏଇ "ତେବେ" ପାଇଁ ମୁଁ ଘାଣ୍ଟିଚକଟି ହେଉଛି ଆଜକୁ ପ୍ରାୟ ପାଞ୍ଚ ଛଅବର୍ଷ ଧରି ଆଉ ହେଉଥିବି ବି ସାରା ଜୀବନ...

ସୁବ୍ରତକୁ ଏ ଦୁନିଆ ଛାଡି ଚାଲିଯିବାର ପାଖାପାଖି ଦୁଇ ବର୍ଷ ହୋଇ ଯାଇଥିଲା ସେତେବେଳକୁ, ଯେବେ କି ମୋ ପାଖରେ ତାର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାର ଖବର ହସ୍ତଗତ ହେଲା । ଯଦି ଆଜି ଯାଏଁ ବି ଜାଣି ନଥାନ୍ତି ହୁଏତ ଗୋଟେ ଭ୍ରମରେ ଜୀଉଁଥାନ୍ତି କି ସୁବ୍ରତ ବଡ଼ ଲୋକ ହେବା ପରେ ମୋତେ ଭୁଲି ଗଲା ବୋଲି । ଅଭିମାନରେ ଜଳୁଥାନ୍ତି କିନ୍ତୁ ସୁଖରେ ତ ଟିକେ ଥାନ୍ତି! ନିଷ୍ଠୁର ସତ୍ୟ ଠାରୁ ବେଳେ ବେଳେ ବେଶି ସୁଖପ୍ରଦ ଲାଗେ ଭ୍ରମ!

ସେଦିନ ସକାଳୁ କାହା ମୁହଁକୁ ଚାହିଁ ଉଠିଥିଲି କେଜାଣି ମୁଁ, କଠୋର ବାସ୍ତବତା ସହ ହୋଇଥିଲି ସାମ୍ନାସାମ୍ନି । ଦିନ ପ୍ରାୟ ସାଢ଼େ ଏଗାରଟା ହେବ ବୋଧେ, ଭୁବନେଶ୍ବରରୁ ବୋଉର ଫୋନ୍ ଆସିଲା । ଏଭଳି ଅସମୟରେ ବୋଉର ଫୋନ ଦେଖି ଆଶ୍ଚର୍ଯ୍ୟ ଲାଗିଲା । ସାଧାରଣତଃ ଆମେ ଲଞ୍ଚ୍ ବ୍ରେକରେ ହିଁ କଥା ହେଉ । କିଛି ଜରୁରୀ ଅବା ଅଶୁଭ ସୂଚନା ଦେବାକୁ ଥିବ ଭାବି ମୁଁ ଶଙ୍କିତ ହୋଇ ଫୋନ ଉଠେଇଲି । ସେପଟୁ ଭାସି ଆସିଲା ବୋଉର ବାଷ୍ପରୁଦ୍ଧ କମ୍ପିତ କଣ୍ଠସ୍ଵର, "ତୋ ସଙ୍ଗାତ ସୁବ୍ରତ ଆଉ ନାହିଁରେ । ଦି ବର୍ଷ ହେଲାଣି ଆକ୍ସିଡେଣ୍ଟରେ ଚାଲିଗଲାଣି..."

ଆକାଶ ମୁଣ୍ଡରେ ଛିଡି ପଡିଲା ପରି ଅନୁଭବ କରୁଥିଲି ମୁଁ । ବୋଉର ଫୋନ୍ କାଟି ଦେଲି ବିନା କୌଣସି ପ୍ରତିକ୍ରିୟାରେ । କଣ କରିବି କିଛି ଭାବି ପାରୁଥିଲି ମୁଁ । କିଭଳି ଭାବେ ନିଜକୁ ବୁଝାଇବି ଜାଣି ପାରୁନଥିଲି । ଅଗତ୍ୟା ବସାକୁ ଫେରିଗଲି ଦେହ ଭଲ ନାହିଁର ବାହାନା କରି । ଅଫିସରୁ ବସା ପାଖାପାଖି କୋଡ଼ିଏ ମିନିଟର ଦୂର । ଅଟୋରେ ବସାକୁ ଫେରିବା ବେଳେ ସୁବ୍ରତର ସେ ହସ ହସ ମୁହଁ ନାଚି ଉଠୁଥିଲା ଅନବରତ ମନରେ । 

ଦି' ବର୍ଷ ହେଲା ତାର ଫୋନ୍ ଲାଗୁନଥିବାରୁ କଥା ବି ହୋଇନଥିଲି ତା ସହ । ଏମିତି କେମିତି ଫୋନ୍ ନମ୍ବର ବଦଳାଇ ଜଣେଇବ ନାହିଁ ବୋଲି ମନରେ ମୋର ପ୍ରବଳ ରାଗ ଥିଲେ ବି ତାଙ୍କ ଘରର ଲ୍ୟାଣ୍ଡଲାଇନକୁ ବରାବର ଫୋନ୍ କରୁଥିଲି । ତାଙ୍କ ଘର ଲ୍ୟାଣ୍ଡ୍ ଲାଇନଟା ବି କାମ କରୁନଥିଲା ଯାହା ମୋ ଡାଏରୀରେ ଥିଲା ଲେଖା ହୋଇ ଅନେକ ଦିନରୁ । ତାଙ୍କ ଗାଆଁ ପିଲା ଆଉ କାହା ସହ ମୋର ବିଶେଷ ପରିଚୟ କି ସଂପର୍କ ବି ନଥିଲା ଯେ ତା'ର ନୂଆ ନମ୍ବର ପାଇପାରିବି । ଏଣୁ ଏକପାଖିଆ ଅଭିମାନରେ ସବୁବେଳେ ମୁଁ ଭାବେ କି ସେ ମୋତେ ଭୁଲିଗଲାଣି ବୋଲି । 

ଅତୀତଟା ଯେମିତି ପୁଣିଥରେ ଜୀଇଁଉଠିଲା, ବିଜେବି କଲେଜରେ ପଢିବା ବେଳେ ଦେଖା ସୁବ୍ରତ ସହିତ । ଆମ ଗାଆଁକୁ କଟକ କି ଭୁବନେଶ୍ୱରରୁ ଯିବାକୁ ହେଲେ ତାଙ୍କ ଗାଆଁ ଡେଇଁ କରି ହିଁ ଯିବାକୁ ପଡେ । ମୁଁ ଯେବେ ବି ଗାଆଁକୁ ଯାଏ ତାଙ୍କ ଘର ହୋଇ କି ଟିକେ ବୁଲି ଆସେ । ତେଣୁ ପାରିବାରିକ ସଂପର୍କ ଆମର ଆହୁରି ସୁଦୃଢ ହୋଇଗଲା ଅଳପ ଦିନରେ । ବାହାଘର ବ୍ରତଘରରେ ଆମର ଖୋଜା ଲୋଡା ହୁଏ । 

ଏମିତି ଯେ ଅଚାନକ ସୁବ୍ରତ ଚାଲିଯିବ ମୁଁ ବିଶ୍ୱାସ କରିପାରୁନଥିଲି । ଘଟଣାଟା ଅବିଶ୍ଵାସ ଲାଗୁଥିଲା ମୋତେ । ଅସ୍ତବ୍ୟସ୍ତ ହୋଇ ବୋଉକୁ ଫୋନ କରି ପଚାରିଲି, "ଏକଥା କିଏ କହିଲା?"

: ତାଙ୍କ ଗାଆଁର ଜଣେ ଝିଅ ଆମ ପଡିଶାରେ ବାହା ହେଇଛି । ଏମିତି କଥା ପଡୁ ପଡୁ ସେ କହିଲା ଏ କଥା । 

: ଆଉ କଣ କହୁଥିଲେ ସେ?

: ରାତିରେ ଭୁବନେଶ୍ଵରରୁ ବାଇକରେ ଫେରୁଥିବା ବେଳେ ଅଡଶପୁର ଠାରେ ଆଖୁ ଟ୍ରକ ପିଟିଦେଲା ମୁହାଁମୁହିଁ । ସ୍ପଟରେ ହିଁ...

ଆଉ ମୋର ଶୁଣିବାକୁ ଧୈର୍ଯ୍ୟ ନଥିଲା, ଭେଁ ଭେଁ ହୋଇ କାନ୍ଦି ଉଠିଲି ମୁଁ । ନିଜକୁ ସମ୍ଭାଳିବାକୁ ଅନେକ ଦିନ ଲାଗିଥିଲା ମୋତେ । 

ସେହି ବର୍ଷ ଦଶହରାକୁ ଯାଇଥିଲି ଗାଆଁକୁ ସାନ ଭାଇ ସାଙ୍ଗରେ । ଗାଆଁରୁ ଫେରିବା ବାଟରେ ଇଚ୍ଛା ଥିଲା ଯିବାକୁ ସୁବ୍ରତର ଘର ଆଡେ । ମନଟା ଛାଟିପିଟି ହେଉଥାଏ ମଉସା ମାଉସୀଙ୍କୁ ଟିକେ ଦେଖି ଆସିବାକୁ । ହେଲେ ତାଙ୍କ ଘରକୁ ଯିବା ପୂର୍ବରୁ ମୋର କଣ ହେଲା କେଜାଣି, କାହିଁକି ଭାରି ଇଚ୍ଛା ହେଲା ଭେଟିବାକୁ ତାଙ୍କ ଗାଆଁ ଛକରେ ଥିବା ସେଇ ପାନ ଦୋକାନୀକୁ, ଯାହା ଦୋକାନ ପାଖରେ ଆମେ ବସି କେବେ କେବେ ଖଟି କରୁଥିଲୁ ମିଠା ପାନ ଖାଇ । ପ୍ରଥମେ ସେଠିକୁ ଯାଇ ପଚାରିଲି, ସୁବ୍ରତ କଥା, ସତ୍ୟାସତ୍ୟ ଜାଣିବା ଆଳରେ । 

ମୋତେ ଦେଖୁ ଦେଖୁ ଚିହ୍ନି ପକେଇଲା ସେ । ମୁଁ କିଛି କହିବା ଆଗରୁ କହିଲା, " ଭାଇ ତମେ ସୁବ୍ରତ ଭାଇଙ୍କ ସାଙ୍ଗ ନା?"

: ହଁ...

: ଏତେ ଦିନକେ ମନେ ପଡ଼ିଲା ତାଙ୍କ କଥା? ସେ ତ ଆଉ ନାହାନ୍ତି । 

: ଆରେ ମୁଁ ଏଇ କିଛି ଦିନ ତଳେ ହିଁ ଜାଣିଲି । ଭାବୁଛି ତାଙ୍କ ଘରକୁ ଟିକେ ଯାଇ ମଉସା ମାଉସୀଙ୍କୁ ଭେଟିକି ଆସିବି । 

ମୋ କଥାରେ ପାନଦୋକାନୀର ଆଖି ଛଳ ଛଳ ହୋଇଗଲା ଆଉ ସେ କହିଲା, "ଆଜି ଦଶରା ଭାଇ, ଯାଅନି ତାଙ୍କ ଘରକୁ । ସବୁରି ଘର ଉଠୁଛି ପଡୁଛି । ହେଲେ ବୁଢା ବୁଢୀ ଦିଟା ଯାହା ଗୋଟିଏ ବୋଲି ପୁଅର ବାଟ ଚାହିଁ ଚାହିଁ ଲୁହ ଗଡାଉଛନ୍ତି । ପାର୍ବଣ ପାଇଁ ସମସ୍ତଙ୍କ ଘରୁ ଚାନ୍ଦା ଭେଦା କଲୁ କିନ୍ତୁ ତାଙ୍କ ଘରକୁ ଯିବାକୁ ସାହସ କୁଳେଇଲାନି । ସୁବ୍ରତ ଭାଇ ଥିଲା ବେଳେ ପୂଜା କଥା ସବୁ ବୁଝୁଥିଲେ । ତାଙ୍କ ଦାଣ୍ଡକୁ ଆଜି ଦିନରେ ଚାହିଁବାକୁ ଭଲ ଲାଗୁନି । ତମେ ବି ଭାଇ ଯାଅନି, ତମ ହାତ ଧରୁଛି ..."

ଏବେ ଯେବେ ବି ଯାଏଁ ଆମ ଗାଆଁକୁ, ସଙ୍ଗାତଙ୍କ ଗାଆଁ ଛକ ଆସିଲେ ଛାତିରେ ଛାତିଏ କୋହ ଭରିଯାଏ, କିନ୍ତୁ ତାଙ୍କ ଘରକୁ ଯିବାକୁ ସାହସ ହୁଏନି ମୋର....



Rate this content
Log in

More oriya story from Sambit Srikumar

Similar oriya story from Tragedy