sushama Parija

Inspirational

3  

sushama Parija

Inspirational

ସ୍ନେହାଞ୍ଜଳି

ସ୍ନେହାଞ୍ଜଳି

7 mins
116


ସ୍ପ୍ରଣମ୍ୟା ବୋଉ !

ହୃଦୟର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜଣାଉଛି ଆପଣଙ୍କୁ ।

ଗତକାଲି ମହାନଦୀ ଉତ୍ସବ ରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଏବଂ କଟକ ମେୟର ଶ୍ରୀମତୀ ମୀନାକ୍ଷୀ ବେହେରାଙ୍କ ଦ୍ବାରା ମହାନଦୀ ଉତ୍ସବ ସମ୍ମାନ ରେ ସମ୍ମାନିତ ହେଲାବେଳେ ମୋ ଆଖିରେ ଲୁହ ଜକେଇ ଆସିଥିଲା । ଅନେକ କିଛି କହିବାକୁ ଚାହୁଁଥିଲେ ମଧ୍ୟ ମୁଁ ବାକ୍ ରୁଦ୍ଧ ହୋଇ ଯାଇଥିଲି ଏକ ଅବ୍ୟକ୍ତ କୋହରେ , କାରଣ ଆପଣ ନଥିଲେ ମୋ ପାଖରେ ସେ ମହାର୍ଘ ମୁହୂର୍ତ୍ତକୁ ଉପଭୋଗ କରିବା ଲାଗି । ମୋର ଲୁହ ଭିଜା ଆଖି ଚାରି ଆଡେ ଖୋଜି ବୁଲୁଥିଲା ଆପଣଙ୍କୁ , ମନେ ହେଉଥିଲା ଏଇ ଯେମିତି ଆପଣ ଆସି ବସି ପଡିବେ ସାମନା ରେ ପଡିଥିବା ଚୌକି ଟି ରେ ଆପଣଙ୍କର ସେଇ ଚିରାଚରିତ ଢଙ୍ଗରେ , ବେଦାଗ୍ ସଫେଦ୍ ଶାଢୀ ଆଉ ସୁନେଲି ଫ୍ରେମ୍ ର ଚଷମା ଭିତରୁ ଉକୁଟି ଉଠିବ ସେଇ ନିଶବ୍ଦ ମନମୋହିନୀ ହସ । ପୁଣି ଭରିଯିବ ମୋ ଭିତରେ ସମୁଦ୍ର କୁ ଲଙ୍ଘି ଯିବାର ଅସୀମ ଶକ୍ତି , ମୁଁ ପକ୍ଷ ମେଲି ଉଡିଯିବି , ଅତିକ୍ରମ କରିଯିବି ସାରା ଆକାଶକୁ , ଦିଗ୍ ବଳୟ ସେପଟରୁ ଲୁଟି ଆଣିବି ସୂର୍ଯ୍ୟଙ୍କର ରକ୍ତିମ ଆଭାକୁ , ବିଜୟର ଧ୍ୱଜା ଉଡେଇ ସ୍ଥାପନା କରିଦେବି ଭିନ୍ନ ଏକ ସାମ୍ରାଜ୍ୟର , ସବୁରି ମୁହଁରେ ଭରିଦେବି ଆନନ୍ଦ ଉଲ୍ଲାସ , ବାଣ୍ଟି ଦେଇ ଯିବି 'ବସୁଧୈବ କୁଟୁମ୍ବ କମ୍ ' ର ବାର୍ତ୍ତା , ଯାହା ଉଣେଇଶ ଅଣାଅଶୀ ଜୁଲାଇ ମାସ ରୁ ଦୁଇ ହଜାର ଆଠ ମସିହା ଫେବୃଆରୀ ମାସ ଯାଏ ଆପଣ ମୋତେ ନିତ୍ୟ ନୈମିତ୍ତିକ ଭାବରେ ଶିକ୍ଷା ଦେଇଥିଲେ କାନେ କାନେ।

ଆଜି ଆପଣ ଥିଲେ କହିଥାନ୍ତେ ମୁଁ ସେ ଶିକ୍ଷାର କେତେଦୂର ସଦ୍ ଉପଯୋଗ କରିଛି। ମୋର ଆଜିର ଏ ସମ୍ମାନ ପ୍ରାପ୍ତି ରେ ଯଦି କେହି ସବୁଠାରୁ ଖୁସି ହୋଇଥାନ୍ତେ ସେ ହେଲେ ଆପଣ । ବୋଉ ! ଆପଣ ଥିଲେ ମୋର ସକଳ ଶକ୍ତିର ଆଧାର । ଆଜିକୁ ଚାଳିଶ ବର୍ଷ ତଳେ ମୋତେ ବିନା ଯୌତୁକ ରେ ବୋହୂ କରି ଆଣି ମୋ ବାପାଙ୍କୁ ଆପଣଙ୍କର ଯେଉଁ ମହାନୁଭବତା ରେ ଅନୁଗୃହୀତ କରିଥିଲେ, ସେଥିଲାଗି ମୋ ବାପା ତାଙ୍କର ଆଜୀବନ ଦେବୀ ଭଳି ମାନୁଥିଲେ । ଆମ ଗାଁରେ ସମସ୍ତଙ୍କୁ ସେ ଆପଣଙ୍କର ଉଦାହରଣ ଦେଉଥିଲେ ସବୁବେଳେ । ସେଦିନ ଆପଣ ଜମିଦାର ଘର ବୋହୂ ଯେଉଁଭଳି ଭାବରେ ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଟିର ଭଡାଘରୁ ନିତାନ୍ତ ସାଧାରଣ ଢଙ୍ଗ ରେ ବାହାଘର କରି ବୋହୂ ଆଣି ଥିଲେ ସେଥିରେ ଖାଲି ଆମ ଗାଁ ନୁହେଁ ଆପଣଙ୍କ ଗାଁ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । ମୁଁ ଥିଲି ଆପଣଙ୍କ ପସନ୍ଦ । ଆପଣଙ୍କ ପରିବାର ର ଝିଅ ଟିଏ ମୋ ମାମୁଁଘର ପରିବାର ର ବୋହୂ ଥିଲା । ଆପଣ ପୁଅ ପାଇଁ ଝିଅ ଖୋଜୁଥିବା ଜାଣି ସେ ଖୁବ୍ ସନ୍ତର୍ପଣରେ ମୋ ପ୍ରସ୍ତାବ ଟି ଦେଇଥିଲା ଆପଣଙ୍କୁ , ଯଦିଓ ସେ ଜାଣିଥିଲା ଯେ ଆମ ପରିବାର ଆପଣଙ୍କ ପରିବାର ସହିତ କୌଣସି ଗୁଣରେ ସମକକ୍ଷ ନଥିଲା ତଥାପି ଆପଣଙ୍କର ପଦିଏ କଥା ' ମୋର ଖାଲି ଭଲ ପରିବାର ର ପାଠପଢୁଆ ସୁନ୍ଦରୀ ଝିଅ ଟେ ଦରକାର ' ତାକୁ ସାହସ ଦେଇଥିଲା ଆମଘରକୁ ଟାଣି ନେବାକୁ । ମୋର ଭଲଭାବରେ ମନେ ଅଛି ସେଦିନ ଥିଲା ଜୁନ୍ ମାସର ଏକୋଇଶି ତାରିଖ । ଆପଣ , ଆପଣଙ୍କ ବଡପୁଅ ଆଉ ସାନଝିଅ କୁ ଧରି ମୋର ସେ ଭାଉଜଙ୍କର ସାଥିରେ ପହଞ୍ଚି ଥିଲେ ଆମର ସେ ନୁଆଁଣିଆ ଚାଳଘର ଟିରେ ଯେଉଁଠି ଆପଣ ମାନଙ୍କ ବସିବା ଲାଗି ଭଲ ଚେୟାର ଦି'ଟା ବି ନଥିଲା ।

ଅପ୍ରତ୍ୟାଶିତ ଭାବେ କୁଣିଆଙ୍କୁ ଦେଖି ମୋ ବୋଉ ଶଙ୍କି ଯାଇଥିଲା । ମୋର ସେ ଭାଉଜ ଜଣକ ଯିଏ ମୋ ବୋଉର ପୁତୁରାବୋହୂ ହେବେ ସିଏ ସନ୍ତର୍ପଣରେ ବାହାଘର କଥା କହିଥିଲେ ମୋ ବୋଉ କୁ । ଯୋଗକୁ ପାଖରେ ଥିଲାମୋ ମାଉସୀ ଘର। ମାଉସୀ ର ସାଧାରଣ ଶାଢୀ ଖଣ୍ଡିଏ ପିନ୍ଧାଇ ଦେଇ ଭାଉଜ ମତେ ଆପଣମାନଙ୍କ ସାମନା ରେ ଠିଆ କରେଇ ଦେଲା । ସେଇ ଡର ରେ ଥରଥର ହେଇ ଠିଆ ହୋଇଥିବା ଝିଅ ଟା ଭିତରେ ଆପଣ କ'ଣ ଦେଖିଲେ କେଜାଣି , ଆପଣଙ୍କ ବଡ ପୁଅ ଙ୍କ ସାଙ୍ଗରେ କଥା ବାର୍ତ୍ତା କରି ମୋ ବୋଇକୁ କହିଲେ '' ତମେ ମତେ ଏଇ ଝିଅ ଟି କୁ ଦେବ ? ମୁଁ ୟାକୁ ହିଁ ବୋହୂ କରି ନେବାକୁ ଚାହୁଁଛି '' । ସ୍ତବ୍ଧ ହୋଇ ଯାଉଥିଲା ମୋ ବୋଉ । ଝିଅ ର ବାପା ଘରେ ନାହାଁନ୍ତି , ବର ର ଦେଖା ସାକ୍ଷାତ ନାହିଁ , କଣ ନାଁ ବାହାଘର କରିବି । ଆପଣ ଆଶ୍ୱାସିତ କରିଥିଲେ ମୋ ବୋଉ କୁ '' ତମେ ଝିଅ ର ବାପାଙ୍କୁ ଖବର ଦିଅ , ସେ ଆସନ୍ତୁ , ମୋ ପୁଅ ଘରେ ଅଛି , ଯେ କୌଣସି ସମୟରେ ତମେ ଚାହିଁଲେ ତମେମାନେ ଆସି ତା'କୁ ଦେଖି ପାରିବ । ତମର ସମ୍ମତି ଦେଲେ ମୁଁ ଆସନ୍ତା ଛବିଶ ତାରିଖରେ ନିର୍ବନ୍ଧ କରି ଜୁଲାଇ ଚାରି ତାରିଖ ଦିନ ବାହାଘର କରିଦେବି। ଦେବା ନେବା କଥା ଆପଣ ଚିନ୍ତା କରିବେନି , ଖାଲି ଶହେ ଜଣ ବରଯାତ୍ରୀଙ୍କ ଖାଇବା ବନ୍ଦୋବସ୍ତ କରିବେ , ବାକି ସବୁ ମୋର ଦାୟିତ୍ବ '''। ଆପଣଙ୍କର ଏଇ କଥା ଗୁଡ଼ିକ ମୁଁ କବାଟ ପଛରେ ଥାଇ ଶୁଣିଥିଲି । ସେଦିନ ମୋର ମନେ ହୋଇଥିଲା ଆପଣ ସାକ୍ଷାତ ଦେବୀ ଟିଏ , ଯିଏ ମୋ ବାପାଙ୍କୁ କନ୍ୟାଦାୟ ରୁ ଉଦ୍ଧାର କରିବା ଲାଗି ସ୍ବର୍ଗ ରୁ ଓହ୍ଲାଇ ଆସିଛନ୍ତି । ମୋ ମୁଣ୍ଡ ନଇଁ ଯାଉଥିଲା ଆପଣଙ୍କ ମହତପଣିଆ ଆଗରେ। ବୋଉକୁ ବୁଝାଇ ଥିଲେ ମାଉସୀଙ୍କର ଘରଲୋକେ ' ଏମିତି ଘର ବର ତୁ ଖୋଜିଥିଲେ ବି ପାଇ ନଥାନ୍ତୁ , ସୁବିଧା ସୁଯୋଗ ତୋ ଗୋଡ ତଳକୁ ଆସିଛି, ତୁ ମୋଟେ ହାତଛଡ଼ା କରନା , ଆଉ ପାଇବୁନି ' ।

ମଉସା କହିଥିଲେ '' ଦେଇ ! ଭାଇ ନଥିଲେ କ'ଣ ହେଲା, ମୁଁ ତ ଅଛି , ସେ କ'ଣ ମୋର ଝିଅ ନୁହେଁ ? ମୁଁ କରିବି ତା'ର ବାହାଘର, ତମେ ଜମା ଅରାଜି ହୁଅନାହିଁ ''। ସେଇଆ ହେଲା , ସେଇ ପ୍ରଥମ ଦେଖାରେ, ଆପଣଙ୍କର ପଦିଏ କଥା ରେ , ମୋର ବାହାଘର ହୋଇଥିଲା ଆପଣଙ୍କ ପୁଅ ଙ୍କ ସାଥିରେ । ଆପଣଙ୍କର ମାତୃଭକ୍ତ ପୁତ୍ର ଥରଟିଏ ବି ପ୍ରତିବାଦ କରି ନଥିଲେ ଗୋଟିଏ ଅଦେଖା ଅଚିହ୍ନା ଝିଅ କୁ ବିନା ଯୌତୁକ ରେ ନିରାଡମ୍ବର ରେ ବାହା ହେବା ପାଇଁ। ନିର୍ଦ୍ଧାରିତ ତାରିଖରେ ବାହାଘର ପରେ ବୋହୂ ହୋଇ ଆସିଲି ମୁଁ ଆପଣଙ୍କ ଘରକୁ । ଆପଣଙ୍କୁ କେନ୍ଦ୍ର କରି ଗଢ଼ିଉଠିଥିଲା ମୋ ସଂସାର । ସୌରଭ ସେତେବେଳେ ବ୍ୟବସାୟିକ କାର୍ଯ୍ୟରେ ରହୁଥାଆନ୍ତି ଆନ୍ଧ୍ର ର କାକିନାଡା ରେ। ବାହାଘରର ପନ୍ଦର ଦିନ ପରେ ସେ ଫେରିଗଲେ ତାଙ୍କର କାର୍ଯ୍ୟସ୍ଥଳୀ କୁ। ମୁଁ ରହିଲି ଆପଣଙ୍କ ପାଖରେ । ଆମ ତିରିଶ ପଇଁତିରିଶ ଜଣିଆ ଯୌଥ ପରିବାର ର ମୁଖିଆ ଥିଲେ ଆପଣ । ପରିବାର ର ପ୍ରତ୍ୟେକ ସଦସ୍ୟଙ୍କ ଦାୟିତ୍ବ ସମ୍ଭାଳିବା ରେ ଆପଣଙ୍କର ସେ କର୍ମ ପଟୁତା ବିମୁଗ୍ଧ କରିଥିଲା ମତେ। କ୍ଷୀଣ ଶରୀର ର ଚାରି ଫୁଟିଆ ସ୍ତ୍ରୀ ଲୋକଟିଏ ଆପଣ , ଛଅ ପୁଅ, ତିନି ଝିଅ , ତିନି ବୋହୂ, ବାର ପନ୍ଦର ଟି ନାତି ନାତୁଣୀ ଙ୍କ ସହିତ ଆପଣଙ୍କର ନିଜ ମା' ଙ୍କର ଦାୟିତ୍ବ କେଡେ ସୁଚାରୁରୂପେ ଚଳାଉଥିଲେ ଆପଣ ତା 'ଦେଖି ମୁଁ ସ୍ତମ୍ଭୀଭୂତ ହୋଇ ଯାଉଥିଲି ମୁଁ। ଘରେ ଗାଈଗୋରୁ ଥିଲେ, ଦୋକାନରେ ଚାକର ବାକର ଥିଲେ , ସମସ୍ତଙ୍କର ଖବର ଗୋଟି ଗୋଟି କରି ବୁଝନ୍ତି ଆପଣ। ଆପଣଙ୍କର ବାପା ମା ' ଅଲେଖ ଧର୍ମ ଧରିଥିଲେ ବୋଲି ଆପଣ ମଧ୍ୟ ସେଥିରେ ଅନୁପ୍ରାଣୀତ ହୋଇଥିଲେ।

ଭୋର୍ ଚାରିଟା ରୁ ଆରମ୍ଭ ହେଉଥିଲା ଆପଣଙ୍କର ଦିନଚର୍ଯ୍ୟା । ରାତି ରୁ ଉଠି ନିତ୍ୟକର୍ମ ସାରି ଆପଣ ପ୍ରାତଃନମନ କରିବା ପରେ ଠାକୁରଘରେ ପଶୁଥିଲେ । ମହିମା ଗୋସ୍ଵାମୀ ଙ୍କ ପରେ ଆପଣ ଥିଲେ ଅନନ୍ତ ନାରାୟଣ ଙ୍କ ଉପାସକ। ପ୍ରତ୍ୟେକ ଦିନ ଶ୍ରୀମଦ୍ ଭାଗବତ ପଢି ସାରିବା ପରେ ସତ୍ୟ ମହିମା ଧର୍ମ ପ୍ରତିପାଦକ ଏବଂ ଭୀମଭୋଇ ଗ୍ରନ୍ଥାବଳୀ ନିଶ୍ଚିତ ପଢୁଥିଲେ । ସେଇ ସମୟ ମଧ୍ୟରେ ବଡପୁଅ , ମଝିଆ ପୁଅ ଠିକ୍ ସମୟରେ ଖାଇପିଇ ଅଫିସ୍ ଗଲେ କି ନାହିଁ , ଗୁହାଳ ସଫା ହୋଇ ଗାଈ ଦୁହାଁ ହେଲା କି ନାହିଁ , ପିଲାମାନେ ଠିକ୍ ସମୟରେ ସ୍କୁଲ ଗଲେ କି ନାହିଁ , ଦୋକାନରେ ଥିବା ପିଲାମାନେ ଜଳଖିଆ ଖାଇ ଠିକ୍ ସମୟରେ ଦୋକାନ ଖୋଲିବାକୁ ଗଲେ କି ନାହିଁ , ସବୁ ଗୋଟି ଗୋଟି କରି ବୁଝନ୍ତି ଆପଣ । ମୁଁ ବୁଝିପାରେନା ସେ ଦୁର୍ବଳ ପାଦ ଦୁଇଟି ରେ ଏତେ ଶକ୍ତି କେଉଁଠାରୁ ଆସେ ଏ ଘରୁ ସେ ଘର ବାରି ରୁ ବଗିଚା ବିଂଚଣା ପରି ଅନବରତ ଘୁରି ବୁଲିବାକୁ । ଆପଣଙ୍କ ବୟସ ଆପଣଙ୍କ ମନୋବଳ ପାଖରେ ହାର ମାନିଥିଲା । ଆପଣଙ୍କ ସମୟରେ ଆପଣ ଥିଲେ ସେଠାର ଅଠର ଖଣ୍ଡ ମୌଜାର ସବୁଠାରୁ ପାଠ ପଢୁଆ ସର୍ବଗୁଣ ସଂପର୍ଣ୍ଣା ବୋହୂ । ଦାସ ଘର ମା' ନାଁ ରେ ସମସ୍ତଙ୍କର ଅତି ଆପଣାର ମା ' ଟିଏ ହୋଇ ସମସ୍ତଙ୍କ ସୁଖ ଦୁଃଖରେ ସାହା ହେଉଥିଲେ ଆପଣ । ଛୋଟ ଛୋଟ ତୁଟୁକା ତୁଟୁକି ଔଷଧ ଆଉ ଝଡ଼ାଫୁଙ୍କା, ଲୁଣ ମନ୍ତୁରା ଆଦି ଜଣାଥିଲା ଆପଣଙ୍କୁ । ସେଥିଲାଗି ଆଖପାଖ ଦଶ ଖଣ୍ଡ ଗାଁର କାହାର ରକା ପଶିଲେ , କାହା ଛୁଆ ଚମକିଲେ, କାହାର ପେଟ ଟାଣିଲେ , କାହାର ପ୍ରସବବେଦନା ଆରମ୍ଭ ହେଉଥିଲେ ,ସେମାନେ ଧାଇଁ ଆସୁଥିଲେ ଆପଣଙ୍କ ପାଖକୁ । ଆପଣଙ୍କର ଟିକିଏ ଛୁଆଁ ରେ , ଟିକିଏ ମନ୍ତୁରା ଲୁଣ ରେ,ଟିକିଏ କାଟପାଣି ରେ ସେମାନେ ଭଲ ହେଉଥିବା ମୁଁ ନିଜେ ଦେଖିଛି । ଆପଣଙ୍କର ଔଷଧ ରେ କମ୍ କଥା ରେ ବେଶୀ ଭଲ ହେଉଥିଲେ ସେମାନେ। ସେଥିଲାଗି ସେମାନଙ୍କ ହୃଦୟରେ ଦେବୀ ଟିଏ ହୋଇ ବିରାଜମାନ ହେଉଥିଲେ ଆପଣ। ଆପଣଙ୍କର କଥାରେ ଗୋଟିଏ ଅଦ୍ଭୁତ ଯାଦୁକରୀ ଶକ୍ତି ଥିଲା। ସେଥିରେ ଉତ୍ସାହିତ ହୋଇ ପଙ୍ଗୁ ଟିଏ ମଧ୍ୟ ଗିରି କୁ ଲଙ୍ଘି ଯିବାର ଅସୀମ ସାହସ ଯୁଟାଇ ପାରୁଥିଲା ।

ସେଇ ଶକ୍ତିରେ ଅନୁପ୍ରାଣୀତ ହୋଇ ମୋ ଭଳି ସାଧାରଣ ଝିଅ ଟିଏ ବାହାଘର ର ତିନି ବର୍ଷ ପରେ ଗୋଟିଏ କନ୍ୟା ସନ୍ତାନ ର ମା' ହୋଇ ମଧ୍ୟ ସାହସ କରିଥିଲା ଚାକିରି କରିବାକୁ ପଦାକୁ ଗୋଡ ବଢେଇବା ଲାଗି । ମୋ ଭିତରେ ଥିବା ସବୁ ପ୍ରତିଭାକୁ ଉଜ୍ଜୀବିତ କରିଥିଲେ ଆପଣ । ଆପଣଙ୍କର ଆଶୀବାଣୀ ରେ ଉଦ୍ ବୁଦ୍ଧ ହୋଇ ମୁଁ ମୋ ବାପଘରେ ଛାଡି ଆସିଥିବା ପୁରୁଣା ଭଙ୍ଗା ହାରା ମୋନିୟମ୍ ଟି ଆଣି ସଜଡା ସଜଡି କରି ପ୍ରଥମେ ଭୀମଭୋଇ ଙ୍କର ଭଜନଟିଏ ଶୁଣେଇ ଥିଲି ଆପଣଙ୍କୁ। ଖୁବ୍ ଖୁସି ହୋଇ ସେଦିନ ଆପଣ ମୋ ମୁଣ୍ଡ ଉପରେ ହାତ ରଖିଥିଲେ । କିଛି ଛୋଟ ଛୋଟ ଗପ ଆଉ କବିତା ଲେଖା ଥିବା ମୋ ପୁରୁଣା ଡାଇରୀ ଟି ଦେଖି ଆପଣ ଖୁସିରେ ଗଦଗଦ ହୋଇ ଉଠିଥିଲେ । କହିଥିଲେ '' କେତେ ସୁନ୍ଦର ହସ୍ତାକ୍ଷର ତୋର ରେ ମା' । କେତେ ପ୍ରତିଭା ଭରି ରହିଛି ତୋ ଭିତରେ , ତାକୁ ଏମିତି ହାଣ୍ଡି ଚୁଲିରେ ନଷ୍ଟ କରନା ମା' । ଲେଖା ଲେଖି ଜାରି ରଖ। ଦିନେ ନା ଦିନେ ଏସବୁ ଲୋକ ଲୋଚନକୁ ଆସିବ । ଆଜି ସମୟ ତୋ ପ୍ରତି କୂଳ ରେ ଯାଉଛି , କାଲି ଅନୁକୂଳ ରେ ଯିବ।ସ୍ରୋତ ଅନୁକୂଳ ରେ ତ ସମସ୍ତେ ଡଙ୍ଗା ବାହିବେ ହେଲେ ସ୍ରୋତ ପ୍ରତି କୁଳ ରେ ଯେ ଡଙ୍ଗା ବାହି କୂଳରେ ଲଗାଇ ପାରେ ସେଇ ଏକା ନାଉରୀ '' । ତା ' ପରଠାରୁ ଯେତେବେଳେ ବି ସଂସାର ଜଞାଳ ରେ ବୁଡି ରହି ମୁଁ ଲେଖା ଲେଖି କରିବାକୁ ଭୂଲି ଯାଇଛି, ସେତେବେଳେ ଆପଣଙ୍କର ସେ କଥା ପଦିକ ମୋର କାନରେ ବାଜି ଉଠିଛି , ଆପଣ ଆଲୋକ ବର୍ତ୍ତିକା ହୋଇ ମୋର ପଥ ପ୍ରଦର୍ଶକ ସାଜିଛନ୍ତି । ମୋ ଲେଖନୀ ଆହୁରି ଋଦ୍ଧିମନ୍ତ ହୋଇଛି , ଆହୁରି ଶାଣିତ ହୋଇଛି । ଆଜି ଆପଣଙ୍କର ସେଇ ପ୍ରଚେଷ୍ଟା ସଫଳ ହୋଇଛି । ମୋର ଲେଖା ଗୁଡିକ ବହି ହୋଇ ବାହାରିଛି , ମୋର ସୃଷ୍ଟି କୁ ସାମାଜିକ ପରିଚିତି ମିଳିଛି , ମୋ ପ୍ରତିଭାକୁ ମଂଚ ରେ ସମ୍ମାନିତ କରାଯାଇଛି, ସେତେବେଳେ ଆପଣ ନାହାଁନ୍ତି ମୋ ପାଖରେ, ମୋ ସଫଳତା ଦେଖି ଖୁସି ହେବା ପାଇଁ , ମୋ ମଥାରେ ହାତ ରଖି ମତେ ଆଶୀର୍ବାଦ କରିବା ପାଇଁ । ମୋ ଆଖି, ମୋ ମନ, ମୋ ପ୍ରାଣ ଆପଣଙ୍କୁ ଖୋଜୁଛି । ଆପଣଙ୍କର ପାଦରେ ମଥା ରଖି ଆଶୀର୍ବାଦ ଭିକ୍ଷା କରୁଛି , ଆପଣ ତ ପ୍ରଭୁ ଙ୍କ ଚରଣ ରେ ଲୀନ ହୋଇଯାଇଛନ୍ତି , ସେଇଠି ଥାଇ ମତେ ଆଶୀର୍ବାଦ କରନ୍ତୁ , ଆପଣଙ୍କର ସୀମା ଆପଣଙ୍କ ଆଶିଷ ନେଇ ଧନ୍ୟା ହେଉ ।

।। ଇତି ।।

ଆପଣଙ୍କର ସ୍ନେହସିକ୍ତା ସୀମା


Rate this content
Log in

Similar oriya story from Inspirational