Banabihari Mishra

Tragedy

4.9  

Banabihari Mishra

Tragedy

ସ୍ନେହ

ସ୍ନେହ

5 mins
375


"ଅରକ୍ଷିତିଆଣି, ତତେ ଯାହା ମରଣ ହୋଉନି। ତୋ ପେଟ ଖାଲି ସବୁବେଳେ ପୋଡିଯାଉଚି। ଚରିବୁଲି ଆସିକି ପୁଣି ମୋ ଚାଳକୁ ଥୋମଣା ବଢୋଉଚୁ।" ନିରୀହ ପଶୁଟାକୁ ଏତକ ଗାଳି ଦେଲାପରେ ସନା ମାଆର ଗାଳିର ଦିଗଟା ପରିବର୍ତ୍ତନ ହେଇ ମାଧିଆ ଘର ଆଡକୁ ଚାଲିଯାଏ।

"ଆଲୋ ହେ, ତତେ ମରଣ ହୋଉନି। ଯଦି ଗାଈଟାକୁ ଖାଇବା ପାଇଁ ଦେଇପାରୁନୁ, ଗାଈ ପାଳୁଚୁ କାହିଁକି? ଏତେ ଡେଙ୍ଗେଇ ଗାଈ, ମୁଣ୍ଡେ ଉଚ୍ଚର ଚାଳକୁ ମୁହଁ ବଢେଇ ଦୋଉଚି। ହଁଅଅ, ମାଗିଖାଇ ନିଜେ ତ ଖାଇବାକୁ ପାଉନି, ଘରେ ମୂଷା ଏକାଦଶୀ କରୁଛି। ଗାଈକି ଦବୁ କୋଉଠୁ? ଗାଈଟାକୁ ଖାଇବାକୁ ନଦେଇ ଖାଲି ସେର ସେର ଦୁଧ ଦୁହିଁବୁ?"


ଏଇଟା ଗୋଟେ ନିତିଦିନିଆ ଘଟଣା। ସନାମା ତା ସାନ ଯାଆକୁ ଏମିତି ସବୁବେଳେ ଗାଳି ଦିଏ। ଗାଈଟାକୁ ଗାଳି ଦିଏ, ଆଉ ତା'ପରେ ରେବତୀ ଆଡକୁ କଥା ଆପେଆପେ ବୁଲିଯାଏ। ସେଇ ଗରଗର ହେଲା ସମୟରେ ଘର ଭିତରକୁ ଯାଇ ଯାହା ପେଜପାଣି ଥାଏ, ତାକୁ ଆଣି ଗାଈ ଆଗରେ ଥୋଇଦିଏ। 'ଗିଳ୍, ପେଟ ପୁରେଇ ଗିଳ୍। ତୋ ମାଲିକାଣି ଚଁ ଚଁ କରି ଦୁଧ ଦୁହିଁବ।'


ଏଇଟା ଗୋଟେ କାରଣ ନୁହେଁ, ସନାମା ପାଇଁ ରେବତୀକୁ ଗାଳି ଦେବାକୁ ହଜାରେ କାରଣ ପଡିଛି। ଏମିତିକି ବର୍ଷାଦିନେ ତା ଓଳିପାଣି ସନାମା ଘର ଆଗ ଦେଇ ବହିବା, ଶୀତଦିନେ ତା ଅଗଣାର ଆମ୍ବ ଗଛର ଛାଇ ସନାମା ଦୁଆରେ ପଡିବା ଭଳି ଅତି ଛୋଟ ଛୋଟ କାରଣକୁ ନେଇ ସନାମା ରେବତୀକୁ ସଅଁପେ। ସବୁ ରାଗ ତା'ର ରେବତୀ ଉପରେ। ହେଲେ କେବେ ତା ଦିଅର ମାଧବକୁ ପଦେହେଲେ କହିବନି। ରେବତୀର ପୁଅଟାକୁ ସନାମା ଭାରି ସୁଖ ପାଏ। ସେଇଥିପାଇଁ ସେ ପିଲାଟା ଟିକିଏ ମଉକା ପାଇଲା ମାତ୍ରେ ବଡମା ପାଖକୁ ଦଉଡି ଆସେ। ରେବତୀ ଯେତେ ବାରଣ କଲେ ବି ମାନେନି। ରେବତୀର ମାଧବ ପାଖରେ ସବୁବେଳେ ଅଭିଯୋଗ, 'ଦେଖୁଛ, ନାନୀ ଆଜି ଏମିତି କହିଲେ, ସେମିତି ଗାଳି ଦେଲେ। ତମେ ନାନୀଙ୍କୁ କିଛି କହୁନ କାହିଁକି?' ମାଧବ ଏସବୁର ଲେଶମାତ୍ର ଧାର ଧାରେନା। ମାଇପି କଳି, ଦାଣ୍ଡ ଧୂଳି। ସେଗୁଡା ମରଦପୁଅ ଏ କାନରେ ପୁରେଇ ସେ କାନରେ ବାହାର କରିଦେବା କଥା। ଅତି ବେଶି ହେଲେ ମାଧବ ରେବତୀକୁ ବୁଝାଏ, 'ଆଲୋ, ଭାଉଜ ବୁଢୀ ହେଲାଣି। ତା'ଉପରେ ଭାଇ ଆଉ ସନାତନ ମଲା ପରଠୁ ମୁଣ୍ଡ ଠିକ ରହୁନଥିବ। କେତେବେଳେ କାହାକୁ କ'ଣ କହୁଛି ନିଜେ ଜାଣିପାରୁନି। ତା କଥାକୁ ଜମାରୁ ଦିହକୁ ନେଏନା।' ତଥାପି ରେବତୀର ମନ ବୁଝେନା। ଭାବେ ଜବାବ ଦେଇଦେବ। ହେଲେ ଭରସି ପାରେନି। ବୟସରେ ଢେର ବଡ। ଆଉ ତା'ଛଡା ତା ସ୍ବାମୀକୁ ଛୋଟ ବେଳୁ ପାଳି ଏଡୁଟେରୁ ଏଡେଟେ କରିଛନ୍ତି। 


ରେବତୀର ଶ୍ବଶୁର ମଲାପରେ ଦି ଭାଇ ପୁରା ଏକୁଟିଆ। ଭଲ ଝିଅଟିଏ ବାଛି ସମ୍ପର୍କୀୟମାନେ ବଡ ପୁଅକୁ ବାହା କରି ଦେଇଥିଲେ। ସେଇ ଦିନଠୁ ମାଧବ ଭାଉଜ ପାଖରେ ବଢିଛି। ପୁଅଟିଏ ହେଲାପରେ ବି ସନାମାର ସ୍ନେହ ମାଧବ ପାଇଁ କମି ଯାଇନି। କେତେ ବାଛି ବାଛି ମାଧବ ପାଇଁ ରେବତୀକୁ ବୋହୁ କରି ଆଣିଥିଲା। ବେଶ କିଛି ଦିନ ଖୁବ୍ ଭଲରେ ଚଳିଲେ। ରେବତୀ ଦେଖିଛି ତା ଦେଢଶୁର ଆଉ ପୁତୁରା ଚଡକରେ ମଲେ। ତା'ପରଠୁ କ'ଣ ହେଲା କେଜାଣି, ସନାମା ରେବତୀକୁ ଦୂର୍ ଦୂର୍ କଲା। ଜମାରୁ ପାଖ ପୁରେଇ ଦେଲାନି। ଜିଦି କରି ଭାଗ କରେଇ ଦେଲା। ସେଇ ଦିନରୁ ରୋଷେଇ ଅଲଗା। ତଥାପି ମଝିରେ ମଝିରେ କିଛି ଭଲମନ୍ଦ ରୋଷେଇ ହେଲେ ରେବତୀ ପୁଅ ନହେଲେ ସ୍ବାମୀ ହାତରେ ପଠେଇ ଦିଏ। ବୁଢୀ ମଣିଷ, ଭଲମନ୍ଦ ଖାଇବା ପାଇଁ ଇଚ୍ଛା ହେଉଥିବା ସ୍ବାଭାବିକ। ନିଜେ କରିପାରିବା ସମ୍ଭବ ହେଉନଥିବ। ସେଇଥିପାଇଁ ଏତେ ସବୁ ଶୁଣିଲା ପରେ ବି ରେବତୀ ପଠାଏ। ଯେବେ ନିଜେ ଯାଏ, ସେଦିନ ତ ବୁଢୀକୁ ମଉକା ମିଳିଯାଏ। ମନ ଇଚ୍ଛା ଗାଳି ଦିଏ। 'ମରୁନୁ ବାଡିଖାଇ, ଏଇଆ ମିଳୁଛି ତତେ ଆଣି ଦବାକୁ। ନିଜେ ଭାରି ସୁଆଦିଆ କରି ଘୁଅଗାଡରେ ପୁରୋଉଥା, ଦେଲା ବେଳକୁ ଏଇଆ ଆଣୁଚୁ।' ରେବତୀକୁ ଶୁଣେଇ ଶୁଣେଇ 'ସୁଆଦ ଲାଗୁନି, ଏମିତି ହେଇଚି, ସେମିତି ହେଇଚି, ତୋ ସାତ ଜନମରେ ଏମିତି କରିଥିଲୁ' ବୋଲି ଖୁଣ୍ଟା ଦେଉଥିଲେ ମଧ୍ୟ ବଡ ଶରଧାରେ ବୁଢୀ ଖାଏ।


କାଲିଠୁ ରେବତୀ ଆଉ ବଡ ଯାଆର କୌଣସି ଗାଳିମନ୍ଦ ଶୁଣିବାକୁ ପାଉନି। ସେପଟୁ କିଛି ସୋର ଶବଦ ଶୁଭୁନି। ରେବତୀ ମନରେ ଛନକା ପଶୁଛି, ଆଶଙ୍କା ଆସୁଛି କାଳେ ବୁଢୀର କିଛି ହେଇଗଲା କି? କାଲିଠୁ ଏ ପିଲାଟା ବି ବଡମା ପାଖକୁ ଯାଇନି। ପରୀକ୍ଷା ଅଛି ବୋଲି ପଢୁଛି। ଯାଆ ବୋଲି କହିଲେ ବି ଶୁଣୁନି। ସେଇଥିପାଇଁ ବୁଢୀର ଖବର ଅନ୍ତର କିଛି ମିଳୁନି। ରେବତୀର ମନଟା କେମିତି କେମିତି ଲାଗୁଛି। କିଛି ଭଲ ଲାଗୁନି। 'ହଇ ହେ, ଶୁଣୁଛ, ଗଲ ଟିକେ ଦେଖି ଆସିବ। ନାନୀଙ୍କର ପାଟି ଆଜି କାଇଁ ଶୁଭୁନି। ବୁଢୀ ମଣିଷ, କେତେବେଳେ କୋଉକଥା। ଆମେ ଏଇଠି ଥାଉ ଥାଉ ଯଦି କିଛି ଭଲମନ୍ଦ ହେଇଯାଏ, ତେବେ ବାରଲୋକ ବାରକଥା କହିବେ। ବୁଢୀଟା ପଡି ପଡି ମରିଗଲା, ଦିଅର ଯାଆ ଦିଟା ଦେଖିଲେନି। ଗଲ, ଗଲ ଦେଖିବ।' ଏତେଦିନ ବଡ ଯାଆର ଗାଳିମନ୍ଦ ଶୁଣି ଶୁଣି ରେବତୀ ଏତେ ଅଭ୍ୟସ୍ତ ହେଇ ଯାଇଥିଲା ଯେ ଆଜି ସେଇ ଗାଳିର ଅଭାବବୋଧ ତାକୁ ଅଡ଼ୁଆ ଲାଗୁଥିଲା। କୋଉଠି କିଛି ଯେମିତି ହଜିଯାଇଛି।


ମାଧବ ବେଶ୍ କିଛିଦିନ ପରେ ଆଜି ଭାଉଜ ପାଖକୁ ଯାଉଛି। ମାଆ ଭଳି ପାଳିପୋଷି ବଡ କରିଥିବା ସେଇ ଭାଉଜ ପାଖକୁ ଯିଏ ବିନା ଦ୍ବିଧାରେ ତାର ସବୁ ଅଳି ଅର୍ଦ୍ଦଳି ସହିଛି। ସନାମା ବାହା ହେଇ ଏ ଘରକୁ ଆସିଲା ଦିନରୁ ମାଧବ ତାକୁ 'ତୁ' ସମ୍ବୋଧନ କରେ। 'ତୁ' ସମ୍ବୋଧନରେ ଆପଣାପଣିଆ। ବେଶି, ସେଇଥିପାଇଁ ତା ଭାଉଜ ବି ତାକୁ କେବେ ଖରାପ ଭାବେନି। ନିଜ ଛୁଆ ଭଳି ତାକୁ ଦେଖେ।

'ଭାଉଜ, ଭାଉଜ, କବାଟ ଖୋଲ।' ଘରଟାଯାକ ପୁରା ମେଲା ପଡିଛି। ଖାଲି ଭାଉଜ ଶୋଇଥିବା ଘରଟାର କବାଟ ଆଉଜା ହେଇଛି। ବେଧଡକ ଭାବେ ମାଧବ ଭିତରକୁ ପଶିଗଲା। ଦିନ ଦିପହର ହେଲେ ବି ବନ୍ଦ ରହିଥିବା ଛୋଟିଆ ଝରକାରେ ଧସେଇ ପଶି ଆସୁଥିବା ପତଳା ଆଲୋକ ରେଖା ଘର ଭିତରଟାକୁ କେମିତି ଗୋଟେ ଝାପ୍ସିଆ ବାତାବରଣ କରି ଦେଇଥିଲା। ଆଲୁଅରୁ ଆସିଥିବା ମାଧବକୁ ଘର ଭିତରଟା ଅନ୍ଧାରିଆ ଲାଗୁଥାଏ। ଅଣ୍ଡାଳି ଅଣ୍ଡାଳି ଖଟିଆ ପାଖରେ ପହଞ୍ଚିଲା ବେଳକୁ ଅତ୍ୟନ୍ତ କ୍ଷୀଣ କୁନ୍ଥେଇବା ଶବ୍ଦ ଶୁଣି ମାଧବ ଭାଉଜ ମୁଣ୍ଡରେ ହାତ ଦେଲା। ଓଃ, ଖଇଫୁଟା ତାତି। ଆଲୁଅ ପାଇଁ ସୁଇଚ୍ ଦେଉ ଦେଉ ମାଧବ କହିଲା, 'ଭାଉଜ, ଏ ଭାଉଜ, ତୋ ଦେହ ଏତେ ଖରାପ। ତୁ ଥରେ ହେଲେ ମତେ ଡାକିଲୁନି। ମତେ ପର କରିଦେଲୁ।'


-- 'ନାଇଁରେ ବାପା, ତୋତେ ପର କରିବି ତ ନିଜର କିଏ ହବ? ଆଉ ବେଶି ସମୟ ନାହିଁ ମୋ ହାତରେ। ପୁଅକୁ ଆଉ ରେବକୁ ଡାକିଦେ ଟିକେ, ଥରେ ଆଖି ପୁରେଇ ଦେଖିବି। ମୋ ଆତ୍ମା ଶାନ୍ତି ପାଇଯିବ।'

-- 'ନାଇଁ ଭାଉଜ, ଏମିତି କହନା। ତୋର କିଛି ହବନି। ମୁଁ ରେବକୁ ଆଉ ପୁଅକୁ ଡାକି ଦଉଚି। ମୁଁ ଯାଉଛି, ଡାକ୍ତରଙ୍କୁ ଡାକି ଆଣିବି।'


ମାଧବ ରେବତୀକୁ ଡାକି ପୁଅକୁ ଆଣି ଆସିବା ପାଇଁ କହିଦେଇ ଡାକ୍ତରଙ୍କୁ ଡାକିବା ପାଇଁ ବାହାରି ଗଲା। ରେବତୀ ପୁଅକୁ ଆଣି ସନାମା ପାଖରେ ପହଞ୍ଚିଲା ବେଳକୁ ପାଟି ଖନି ମାରିଗଲାଣି। ରେବତୀ ସବୁ ଅଭିମାନ ଭୁଲି ବୁଢୀ ପାଖରେ ବସି ତା ଦେହମୁଣ୍ଡରେ ହାତ ବୁଲେଇ ଆଣିଲା। ସନାମାର ମୁଣ୍ଡକୁ ନିଜ କୋଳରେ ରଖିଲା। ସନାମାର ନିଷ୍ପ୍ରଭ ଆଖି କଣରୁ ଧାରେ ଉଷୁମ ଲୁହ ବୋହିଗଲା ଯାହା ରେବତୀକୁ ଏକ ବିକଳ କିଂକର୍ତ୍ତବ୍ୟ ବିମୂଢ ଭାବରେ ଆପ୍ଳୁତ କରି ଦେଉଥିଲା। ସନାମା ଥଙ୍ଗ ଥଙ୍ଗ ହେଇ କହୁଥିଲା, "ରେବ ଲୋ, ତତେ ବହୁତ ଗାଳିମନ୍ଦ କରିଛି ଲୋ। ମୋ ସୁନାଟା ପରା, ମନରେ ଧରିବୁନି। ମୋ ମାଆ କହୁଥିଲା, ଗାଳି ଦେଲେ କୁଆଡେ ଆଇଷ ବଢେ। ତୋତେ ବୋହୁ କରି ଆଣିବା ପରେ ତୋ ଜାତକ ଦେଖି ତୋର ଆଇଷ କମ ବୋଲି ଜୋତିଷ କହିଥିଲା। ସେଇଥିପାଇଁ ତତେ ଗାଳିମନ୍ଦ କରୁଥିଲି। ଛୋଟ ଛୁଆଟା କାଳେ ମା ଛେଉଣ୍ଡ ହେଇଯିବ, ସେଇଥିପାଇଁ ଭାରି ଡର ଥିଲା। ମୁଁ ତ ସବାଖାଇ, ପୁଅ ଗେରସ୍ତ ଖାଇଲି। ମୋ ଖରାପ ନଜର ତୁମ ଉପରେ ନପଡୁ, ସେଇଥିପାଇଁ ଭାଗ କରେଇ ଦେଲି। ମୋ ଆ...ଇ...ଷ ନେଇ ବଞ୍ଚି ଥା..." 


ଅତି କଷ୍ଟରେ ଏତକ କହି ସନାମା ନୀରବ ହେଇଗଲା। ସତୁରୀ ବର୍ଷର ତେଜହୀନ ଆଖି ଦିଟା ଧୀରେ ଧୀରେ ବୁଜି ହେଇ ସାରା ଶରୀର ଅସାଡ ସ୍ଥିର ହେଇ ଯାଇଥିଲା। ରେବତୀ ଏତେବେଳକେ ବଡ ଯାଆର ଅନ୍ତଃସ୍ରୋତା ସ୍ନେହର ଫଲ୍ଗକୁ ମର୍ମେ ମର୍ମେ ଅନୁଭବ କରୁଥିଲା। ଆଖିର ଲୁହ ତାର ବୋଲ ମାନୁନଥିଲା। 


Rate this content
Log in

Similar oriya story from Tragedy