ସନ୍ଧ୍ୟା ଭ୍ରମଣ
ସନ୍ଧ୍ୟା ଭ୍ରମଣ
ଦିନସାରାର ଭ୍ରମଣ ସାରି ସୂର୍ଯ୍ୟ ପଶ୍ଚିମ ଦିଗ୍ବଳୟରେ ବିଶ୍ରାମ ନେବାକୁ ବାହୁଡି ଯାଉଥିଲେ । ତାଙ୍କସହ ବାହୁଡି ଆସୁଥିଲେ ଜୀବଜଗତର ସବୁ ପଶୁପକ୍ଷୀ ଆଉ ମାନବ ମାନେ । ପଶୁପକ୍ଷୀ ଚରା ଖୋଜିବାକୁ ଯିଏ ଯୁଆଡେ ବାହାରକୁ ଯାଇଥିଲେ ସନ୍ଧ୍ୟା ହେଉ ହେଉ ଲେଉଟି ଆସିଲେ ନିଜ ନୀଡ ମୁହାଁ । ମଣିଷମାନେ କିଏ ନିଜ କ୍ଷେତକୁ,ବା ମଜୁରୀକୁ ଯାଇଥିଲେ ସେମାନେ ବି ଫେରି ଆସୁଥି୍ଲେ ନିଜ ଘରକୁ । ଅଫିସକୁ ଯାଇଥିବା ବାବୁ ମାନେବି ଫେରିଆସୁଥିଲେ ନିଜ ପରିବାର ପାଖକୁ ।
ନିତିଶର କିନ୍ତୁ ଏଯାଏ କେହି ନଥିଲେ ଯାହା ପାଖକୁ ସେ ଫେରିଆସିବ । ମାଆ ବାପା ଦୂର ରାଜ୍ୟରେ ରହୁଥିଲେ । ସେ ଭୁବନେଶ୍ୱରରେ ଚାକିରି କରୁଥିଲା । ଏକ ଭଡାଘର ନେଇ ରହୁଥିଲା ସେ । ବାହାରୁ ଏକ କେଣ୍ଟିନରୁ ମିଲ ମଗାଇ ଖାଉଥିଲା । ଅଫିସରୁ ଘରକୁ ଫେରିଲେ ବି ଏକା ଜୀବନ ବରଂ କୋଉ ପାର୍କ ଆଡେ ବୁଲି ଆସିଲେ ତାକୁ ଟିକେ ଭଲ ଲାଗୁଥିଲା । ସୁନ୍ଦର ଫୁଲଗଛ ସାଙ୍ଗରେ କୁନି କୁନି ପିଲାମାନେ ଖେଳୁଥାନ୍ତି ପାର୍କରେ । କିଏ କିଏ ସ୍ଲାଇଡିଂ କରୁଥାନ୍ତି ତ କେହି ଦୋଳି ଝୁଲୁଥାନ୍ତି । ଏକ ବେଞ୍ଚରେ ବସି ସେସବୁ ସେ ନିରୀକ୍ଷଣ କରେ । ପିଲାମାନଙ୍କର ନିର୍ମଳ ଖିଲି ଖିଲି ହସର ମଜା ନିଏ । ତାଙ୍କର ଅକୃତ୍ରିମ ହସ ତା ହୃଦୟରେ ଦଲକାଏ ସତେଜତା ଭରିଦିଏ ଯେମିତି । ଦିନେ ସେ ବି ଛୋଟ ଥିଲା ବେଳେ ପ୍ରତିଦିନ ମାଆ ସାଙ୍ଗରେ ପାର୍କକୁ ଯାଉଥିଲା । ସେଠି ତାଙ୍କ କଲୋନିର ଅନ୍ୟମାନେ ବି ପିଲାଙ୍କୁ ଖେଳାଇବାକୁ ଆଣୁଥିଲେ ।
ଶ୍ରାବଣୀ ବୋଲି ଛୋଟ ଝିଅଟେ ଥିଲା । ତିନିବର୍ଷର ହେବ ବୋଧହୁଏ । ଆଉ ତାକୁ ସେତେବେଳେ ପାଞ୍ଚବର୍ଷ ହେଉଥିଲା । ସେ ଶ୍ରାବଣୀକୁ ବହୁତ ପସନ୍ଦ କରୁଥିଲା । ତାର ହାତଧରି ଦଉଡୁଥିଲା । ଦୋଳିରେ ବସାଇ ଝୁଲାଇ ଦେଉଥିଲା । କୁଞ୍ଚୁକୁଞ୍ଚିଆ ଚୁଟି ଓ ନୀଳ ନୀଳ ଆଖି ଶ୍ରାବଣୀକୁ ବହୁତ ଆକର୍ଷଣ କରୁଥିଲା । ଏମିତି ବି ସେ ଦୁଧପରି ଗୋରା ରଙ୍ଗଥିଲା । ନାଲି ଟୁକୁ ଟୁକୁ ଓଠରେ ସବୁବେଳେ ଖିଲିଖିଲି ହସ ଧାରେ ଲାଖି ରହିଥାଏ ।
ନିତିଶର ମାଆ ଓ ତା ମାଆ ବଡ ସାଙ୍ଗଥିଲେ । ଯାହାଘରେ ଯାହା ପିଠାପଣା ହେଉଥିଲା ଦିଆନିଆ ଚାଲିଥିଲା । ଏମିତି ସେମାନେ ପାଞ୍ଚବର୍ଷ ପରେ ବଦଳି ହୋଇ ଚାଲିଗଲେ ଅନ୍ୟରାଜ୍ୟକୁ । ବାପାଙ୍କର ରେଲରେ ଚାକିରି ହେତୁ ଦୂର ଜାଗାକୁ ବି ବଦଳି ହେଉଥିଲା । ସେଠି ଗଲାପରେ ସେ ହିନ୍ଦି ଭାଷାଭାଷୀ ଲୋକଙ୍କ ଭିତରେ ବଢିଲା । ଭୋପାଳରେ ଭଲ ପରିବେଶ । ସଫାସୁତୁରା ସିଟି ଭାବରେ ନାମ କରିଛି ଭୋପାଳ । ପ୍ରତି ଗଳିରେ ଛୋଟ ଛୋଟ ପାର୍କ ମାନ ରହିଛି । ଅନେକ ଫୁଲଗଛରେ ଭର୍ତ୍ତି । ରାସ୍ତା କଡରେ ମଧ୍ୟ ଲିମ୍ବଗଛର ଧାଡି ଲଗାହେଇଛି । ବସନ୍ତ ଋତୁରେ ଲିମ୍ବଫୁଲରେ ଗଛଗୁଡାକ ଧଳା ଦିଶୁଥାଏ । ଗଛରେ ପ୍ରାୟ ପତ୍ର ନଥାଏ । କେବଳ ଫୁଲ ହିଁ ଫୁଲ । ଫୁଲ ତୋଳି ସେମାନେ ଚଡଚଡି ତିଆରି କରି ଖାଉଥିଲେ । ଲୋକ କଥାରେ ଅଛି ଖାଇବ ପିତା ପଢିବ ଗୀତା । ଏ ଦୁଇଟା ଆମ ଦେହ ପାଇଁ ଉପାଦେୟ । ଲିମ୍ବ ପିତା ରୋଗଦାଉରୁ ଦେହକୁ ରକ୍ଷା କଲାବେଳେ ଗୀତା ଆମକୁ ଆଜେବାଜେ ରାସ୍ତାରେ ଖସିବାକୁ ଦିଏନି । ଆମକୁ କର୍ମ କର୍ତ୍ତବ୍ୟର ଜ୍ଞାନ ଦିଏ ।
ଭୋପାଳରେ କଟିଲା ତାର କୈଶୋର ଆଉ ଯୌବନର ସମୟ । ସେ ଭଲ ପଢୁଥିଲା । ଏବେ ଭୁବନେଶ୍ୱର ରେ ଚାକିରି କରୁଛି । ଅଫିସ କାମ ନଥିଲେ ସନ୍ଧ୍ୟାରେ ବା ରବିବାର ଦିନ ସନ୍ଧ୍ୟାରେ ସେ ପାଖ ପାର୍କକୁ ବୁଲିଆସୁଥିଲା ।
ସେଦିନ ବି ସେମିତି ବୁଲିବାକୁ ଆସିଥିଲା । ଝିଅଟିଏ ଦୋଳିରେ ଝୁଲୁଥାଏ । ଅନ୍ୟଜଣେ ଝିଅ ତାକୁ ଝୁଲାଉ ଥାଏ । ହଠାତ ଦୋଳିର ବେଗ ବଢିଗଲା ଆଉ କୁନି ଝିଅଟି ଛିଟିକି ପଡିଲା ଦୂରକୁ । ମୁଣ୍ଡଟି ପଥର ଦେହରେ ପିଟି ହୋଇ ରକ୍ତ ବାହାରିବାକୁ ଲାଗିଲା ।
ନିତିଶ ଦଉଡି ଯାଇ ଝିଅଟାକୁ ଉଠାଇ ନେଲା । ବାଲି ଝାଡି ଦେଇ ନିଜ ରୁମାଲରେ ପଟି ବାନ୍ଧିଦେଲା କ୍ଷତ ଜାଗାକୁ । ସେତେବେଳେ ଜଣେ ବୁଢୀ ଲୋକ ଦଉଡି ଆସିଲେ, ଯିଏ କିଛି ଦୂରରେ ଠିଆହୋଇ ଅନ୍ୟ ଜଣେ ସ୍ତ୍ରୀ ଲୋକସହ ଗପୁଥିଲେ । ସେ କହୁଥିଲେ ମୋର ନାତୁଣୀର କଣ ହୋଇଗଲା ଲୋ ମାଆ । ଝିଅ ମତେ ଆଜି ଗାଳି କରିବ ନିଶ୍ଚୟ?ମୁଁ ଭଲରେ ତାର ଦେଖା କରି ପାରିଲିନି । ସେ ଅନ୍ୟ ଝିଅକୁ ସମ୍ବୋଧନ କରି କହିଲେ ମାମିନା ତୁ ମୋ କୁନମୁନକୁ ଏତେ ବେଗରେ ଝୁଲାଉଥିଲୁ କାହିଁକି?
ଛୋଟ ଛୁଆଟା ପଡିଗଲା ଦେଖତ?
ସେ କୁନମୁନକୁ ଧରି ଚାରିଆଡ ଆଉଁସି ପକେଇଲେ ।
ମୋର ଧନ ମୋର ଗେହ୍ଲୀ କହି ନିଜ ଛାତିରେ ଜାକି ନେଲେ । ନିତିଶ ଏତେବେଳକୁ ସେ ବୁଢୀ ଲୋକକୁ ଚିହ୍ନି ସାରିଥିଲା । ଯଦିଓ ସେ ଏବେ ବୁଢୀ ହୋଇ ଯାଇଛନ୍ତି ହେଲେ ସେ ଶ୍ରାବଣୀର ମାଆ ଦୁଲଭା ଆଣ୍ଟିକୁ ଚିହ୍ନି ପାରିଥିଲା ସହଜରେ । ପିଲାବେଳେ ଏ ଦୁଲଭା ଆଣ୍ଟିଙ୍କ କେତେ ସ୍ନେହ ଆଦର ପାଇଛି । ଶ୍ରାବଣୀ ସହ ତାଙ୍କ ଘରେ ଖେଳିଛନ୍ତି ଦୁଇଜଣ ।
ଦୁଲଭା ଆଣ୍ଟି ବୋଧହୁଏ ତାକୁ ଚିହ୍ନି ପାରୁନଥିଲେ । ତେଣୁ ଧନ୍ୟବାଦ ଜଣାଉଥିଲେ । କହୁଥିଲେ ବାବୁରେ ଧନ୍ୟବାଦ ତତେ । ତୁ ମୋ ନାତୁଣୀକୁ ତଳୁ ଉଠାଇ ପଟି ବାନ୍ଧିଦେଲୁ ।
ନିତିଶ୍ କହିଲା ଆଣ୍ଟି ତୁମେ କଣ ମତେ ଚିହ୍ନି ପାରୁନ । ମୁଁ ପରା ନିତିଶ । ଏକା କଲୋନୀରେ ଭଡା ରହୁଥିଲେ ଆମେମାନେ । ମୋ ମାଆ ଆଉ ତୁମେ ବଡ ସାଙ୍ଗ ଥିଲ । ମୁଁ ଶ୍ରାବଣୀ ସହ ସବୁବେଳେ ଖେଳୁଥିଲି । ଆଚ୍ଛା ତୁ ତାହେଲେ ନିତିଶ୍ । ଏବେ ଏତେବଡ ହୋଇଯାଇଛୁ । ନିଶଦାଢୀ ଉଠି ଚେହେରା ଚିହ୍ନାପଡୁନି । ଆଉ ତୁମେ ତ ଭୋପାଲ ଚାଲି ଯାଇଥିଲ । ଏଠି ଏବେ କଣ କରୁଛୁ । ସେ କହିଲା ମୁଁ ଇମ୍ଫାସିସରେ ଚାକିରି କରୁଛି । ଫୁର୍ସତ ସମୟରେ ଏ ପାର୍କକୁ ବୁଲି ଆସେ । ଏ ଝିଅ କୁନୁମୁନ୍ କଣ ଶ୍ରାବଣୀର ଝିଅ?
ଆଣ୍ଟି କହିଲେ ହଁ ତା,ରି ଝିଅ । ଚାଲନା ଘରଆଡେ ଶ୍ରାବଣୀ ସହ ବି ଭେଟ ହୋଇଯିବ ।
ପୁରୁଣା ସାଙ୍ଗକୁ ଭେଟିବା ଖୁସିରେ ନିତିଶ ଆନନ୍ଦିତ ହୋଇ ଯିବାକୁ ବାହାରିଲା । ସେ କୁନମୁନକୁ ନିଜ କୋଳରେ ଉଠାଇ ଚାଲିଲା । କୁନମୁନ୍ ଯଦିଓ ଅଜଣା ଲୋକ ପାଖକୁ ଯାଏନି ହେଲେ ଆଈମା ସାଙ୍ଗରେ କଥା ହେବା ଦେଖି ସେ ଜାଣି ନେଇଥିଲା ଏ ଜଣେ କେହି ପୁରୁଣା ପରିଚିତ ଲୋକ । ସେଥିପାଇଁ ବିଶ୍ୱାସ ସହ ଖୁସୀରେ ଲାଉ ହୋଇଗଲା ।
ଲିପ୍ଟରେ ଛଅ ମହଲାରେ ପହଞ୍ଚିଲେ ସେମାନେ । ଡୋରବେଲ୍ ବଜାଇଲା ପରେ ଶ୍ରାବଣୀ କବାଟ ଖୋଲିଲା । କୁନମୁନ୍ ମୁଣ୍ଡରେ ପଟିବାନ୍ଧିଥିବା ଓ ଅଜଣା ଯୁବକକୁ ଦେଖି ସେ ଡରିଗଲା ।
ସେ ଚିତ୍କାର କରି ଉଠିଲା କଣ ହେଲା ମୋ କୁନୁର?
ଦୁଲଭା କହିଲେ ବେସି କିଛି ହେଇନି ଦୋଳିରୁ ପଡିଗଲା । ପଥରରେ ବାଜି ଚମଡା ଉଞ୍ଚୁଡି ଯାଇଛି ।
ନିତିଶ ସେଠି ଥିଲା ବୋଲି ଝିଅକୁ ଉଠାଇ ପଟି ବାନ୍ଧିଦେଲା । କୋଉ ନିତିଶ୍?ସେ ପଚାରିଲା । ଦୁଲଭା କହିଲେ ତୋର ମନେ ନଥିବ । ଛୋଟବେଳେ ଆମେ ନିତିଶର ପରିବାରସହ ପାଖେ ପାଖେ ଏକ ଏପାର୍ଟମେଣ୍ୟଟରେ ରହୁଥିଲେ । ତୁ ତା ସହ ବହୁତ ସାଙ୍ଗ ହେଉଥିଲୁ । ସବୁବେଳେ ହାତ ଧରାଧରି ହୋଇ ଖେଳୁଥିଲ ଦୁଇଜଣ । ସେଥିପାଇଁ ଆମ ଦୁଇପରିବାର ଭାବୁଥିଲୁ ତୁମ ଦୁଇଜଣର ବିବାହ କରିଦେବୁ । ହେଲେ ଭାଗ୍ୟ ଆଗରେ କାହାର ଚଳିଛି?ଦୁଲଭା ଏତିକିରେ କଥାଟା ଅଧା ରଖିଦେଲେ ।
ଶ୍ରାବଣୀର ଏବେ ନିତିଶ କଥା ମନେ ପଡୁଥିଲା । ପାଞ୍ଚରୁ ସାତ ବର୍ଷ ହେବାଯାଏ ସେ ତାକୁ ଦେଖିଥିଲା । ତାପରେ ସେମାନେ ଚାଲିଗଲେ ଅନ୍ୟତ୍ର । ସେ ତା ଭାବନା ରାଜ୍ୟରୁ ଫେରିଲା । କହିଲା ଆସ ନିତିଶ ଭିତରକୁ ଆସ । ସମସ୍ତେ ସୋଫାରେ ଆସି ବସିଲେ । ଶ୍ରାବଣୀ ଚା ଜଳଖିଆ ନେଇ ଆସିଲା ନିତିଶ୍ ପାଇଁ ।
ଚା ପିଉ ପିଉ ନିତିଶ କହିଲା । କୁନୁମୁନ୍ ବି ଦେଖିବାକୁ ଶ୍ରାବଣୀ ପରି ହୋଇଛି । ମୁଁତ ପାର୍କରେ ତାକୁ ଦେଖିଲା ପରେ ଆମର ପିଲାଦିନର ଦୃଶ୍ୟକୁ ମନେ ପକାଉଥିଲି । ଆମେ ବି ଏମିତି ଦୋଳି ଝୁଲାଝୁଲି ହୋଇ ଖେଳୁଥିଲେ । ଶ୍ରାବଣୀପରି କର୍ଲି ହେୟାର ହୋଇଛି ।
ହେଲେ କୁନୁମୁନର ବାପା ତ ଦିଶୁ ନାହାଁନ୍ତି କୋଉଠି?
ଦୁଲଭା କହିଲେ ତୁତ ନିଜ ଲୋକ ତତେ ଆଉ କଣ ଲୁଚାଇବୁ । ଶ୍ରାବଣୀ କଲେଜ ପଢିଲା ବେଳେ ପ୍ରଶାନ୍ତର ପ୍ରେମରେ ପଡିଗଲା । ଆମେ ଏକଥା ଜାଣିଲା ପରେ ତା ସହ ବିବାହ କରିଦେଲୁ । କୁନମୁନ୍ ହେବାପରେ ଦିନେ ପ୍ରଶାନ୍ତ ଅଫିସରୁ ଫେରୁଥିଲା ବାଇକରେ । ଟ୍ରକ୍ ଗୋଟେ ଆସି ତାକୁ ଧକ୍କା ଦେଇଥିଲା । ମଦୁଆ ଟ୍ରକ୍ ଡ୍ରାଇଭରର ଦୋଷରୁ ମୋ ଝିଅ ବିଧବା ହୋଇଗଲା । କୁନୁମୁନ୍ ବାପାର ଦୁଲାର କଣ ଜାଣିବା ଆଗରୁ ପିତୃହରା ହୋଇଗଲା । ସେଇଦିନୁ ସେ ଶାଶୁଘରୁ ଫେରି ଆସି ମୋ ପାଖରେ ରହୁଛି । ଏଠି ଶିକ୍ଷୟିତ୍ରୀ ଚାକିରି ଖଣ୍ଡେ ମିଳିଯାଇଛି । ବାପା ଚାଲିଗଲା ପରେ ଏବେ ମୋରି ଭରସାରେ ଏ ମାଆ ଝିଅଙ୍କ ଜୀବନ । ମୁଁ ବି ପାଚିଲା ପତର କେତେବେଳେ ଝଡି ପଡିବି । ମୋର ପରେ ଏମାନଙ୍କର କଣ ହେବ ସେଇ ଚିନ୍ତାରେ ମୁଁ ଘାରି ହେଉଛି ।
ନିତିଶ୍ ଶ୍ରାବଣୀର ଦୁଃଖଦ କାହାଣୀ ଶୁଣି ନିଜେବି ଦୁଃଖିତ ହୋଇଗଲା । ସେ ଘରକୁ ଆସି ନିଜ ମାଆ ସହ କଥା ହେଲା । ସେ ଶ୍ରାବଣୀ ବିଷୟରେ ଯାହା ଶୁଣି ଥିଲା ସବୁ କହିଲା । ତା ମାଆ ବି ବଡ ଦୁଃଖ କଲେ । ସେ କହିଲେ ଶ୍ରାବଣୀକୁ ସେ ନିଜ ବୋହୁ କରିବାର ଅଭିଳାଷ ରଖିଥିଲେ । ହେଲେ ସେ ଅନ୍ୟ ଜଣକୁ ଭଲ ପାଇଲା ଓ ବିଧବା ହେଲା । ନିତିଶ୍ କହିଲା ମାଆ ଆମେ ଆଜି ବି କଣ ଶ୍ରାବଣୀକୁ ବୋହୁ କରି ଆଣିପାରିବାନି?
ମାତ୍ର ଦୁଇବର୍ଷର ବାହାଘର ତାର । ତା ବୟସର ଝିଅମାନେ ଆଜିଯାଏ ବାହା ହେଇ ନାହାଁନ୍ତି । ଥରେ ବାହା ହୋଇଗଲା ବୋଲି କଣ ସେ ମାରା ହୋଇଗଲା?
ତୁ ଓ ବାପା ଯଦି ରାଜି ହେବ ମୁଁ ଶ୍ରାବଣୀ ଓ କୁନୁମୁନକୁ ଆପଣାଇ ନେବି । ଶ୍ରାବଣୀ ମୋଠୁ ପତିର ସବୁ ସୁଖ ପାଇବ,ଆଉ କୁନୁମୁନକୁ ମୁଁ ବାପାର ଛତ୍ରଛାୟା ପ୍ରଦାନ କରିବି । ସବୁ ବିପଦରୁ ସମ୍ଭାଳି ରଖିବି ସେ କୁନି କଣ୍ଢେଇକୁ । ତାର ପ୍ରତି ଇଚ୍ଛା ପୂରାକରି ଦିନେ ପ୍ରତିଷ୍ଠିତ କରିବି । ପୁଅର କଥାରେ ତା ବାପା ମାଆ ଗର୍ବିତ ହୋଇ ଉଠୁଥିଲେ । ତାଙ୍କର ପିଲାବେଳେ ଦେଇଥିବା ସଂସ୍କାର ବଡ ହେଲାପରେ ଉଚିତ ନିଷ୍ପତ୍ତି ନେବାରେ ସହାୟକ ହେଇଛି ।
ନିତିନର ବାପାମାଆ ଦିନେ ସୁବିଧା ଦେଖି ଶ୍ରାବଣୀ ଘରେ ପହଞ୍ଚିଗଲେ । କୁନୁମୁନୁର ସୁନ୍ଦରତା ଓ ଭୋଲାପଣ ତାଙ୍କୁ ବଡ ପ୍ରଭାବିତ କରିଥିଲା । ଶ୍ରାବଣୀ ବି ପତଳା ହେଇକି କୁଆଁରୀ ଝିଅ ପରି ଦିଶୁଥିଲା । ଜଣାପଡୁନ ଥିଲା ତାର ତିନିବର୍ଷର ଝିଅଟିଏ ଅଛି ବୋଲି । ସେମାନେ ଦୁଲଭାକୁ ତା ଝିଅକୁ ବୋହୁ କରିବେ ବୋଲି ନିତିଶର ପ୍ରସ୍ତାବ ଦେଇଥିଲେ । ରୋଗୀ ଖୋଜୁଥିଲା ଗରମପାଣି ବଇଦ କହିଲା ଦେ ତୋରାଣୀ ପରି କଥା ଶ୍ରାବଣୀର ମାଆ ତ ଏମିତି ଆଶ୍ରାଟେ ଖୋଜୁଥିଲେ । ପୁରୁଣା ବନ୍ଧୁଘରୁ ପ୍ରସ୍ତାବ ଆସିବା ଦେଖି ଖୁସୀ ହୋଇଗଲେ ।
ଶ୍ରାବଣୀକୁ ତାର ମତାମତ ପଚାରିବାରୁ ସେ ନିଜ ଝିଅର ଖୁସୀ ଚାହେଁ ବୋଲି କହିଲା । ନିତିଶ ମୋ ଝିଅ ପାଇଁ ଏକ ସୁରକ୍ଷାର ଦୁର୍ଗ ବନିବ । ଜଣେ ଏକାକୀ ମାଆ ଦ୍ୱାରା ଏସବୁ ସମ୍ଭବ ନୁହେଁ ।
ତାପରେ ସେମାନଙ୍କର ବିବାହ ହୋଇ ଯାଇଥିଲା । ଦୁଇବର୍ଷପରେ ତାଙ୍କ କୋଳକୁ ସୋନୁ ଆସିଲା । ଏବେ ସନ୍ଧ୍ୟା ସମୟରେ ସଭିଏଁ ମିଶି ପାର୍କକୁ ସନ୍ଧ୍ୟାଭ୍ରମଣ ପାଇଁ ଯାଆନ୍ତି । ଦୁଇ ଭାଇଭଉଣୀ ଦୋଳିରେ ବସି ଝୁଲିଲା ବେଳେ ନିଜ ପିଲାଦିନର କଥାକୁ ମନେ କରନ୍ତି ଶ୍ରାବଣୀ ଓ ନିତିଶ୍ ।
