Satyabati Swain

Tragedy

4  

Satyabati Swain

Tragedy

ସମୟର ଖେଳ

ସମୟର ଖେଳ

5 mins
22.5K



ହରାଇବାକୁ ଏବେ ମୋ ପାଖେ କିଛି ନାହିଁ।


ଯେହେତୁ" ସମୟ ' ମୋ ପାଖରୁ ସବୁ ଛଡେଇ ନେଇଛି।


କେବଳ ଅଛି ମୁଁ; ମନେ ପକାଇବାକୁ ସମସ୍ତଙ୍କୁ।ଏମିତି ବି କହି ପାରନ୍ତି ମୁଁ ଥିଲି ଶେଷ ଦୀପଶିଖା ଆମ ଘରର।


ହଁ ମୁଁ ସେଇ ସମୟ କଥା କହୁଛି ବୋଧେ ମୋ ବୟସ କେତେ ମୁଁ ମନେ ପକାଇ ପାରୁ ନାହିଁ।ମନ ପକାଇ ଦେବାକୁ ମୋ ପାଖେ ସେମିତି ମଣିଷ ବି କେହି ନାହାନ୍ତି।


ଛାଇ ଛାଇଆ ହୋଇ କିଛି ମନେ ଅଛି ମୋର।ବାପା କୁହନ୍ତି ମୋର କାଳେ ମନେ ରଖିବା ଶକ୍ତି ପ୍ରଖର।


କାହା କଥା କି ମୁହଁ ମନେ ନାହିଁ ସିନା ଚାରିଟି ପ୍ରିୟ ମଣିଷଙ୍କ ମୁହଁ ମନେ ଅଛି।ଫୋଟୋ ସହ ମିଳେଇଛି ମୁଁ ମନ ପକେଇବା ମୁହଁକୁ।କେବେ ମିଶେ ମୋ ମନେ ଥିବା ମୁହଁ ସହ ତ କେବେ ମିଶେନା।ଯେଉଁ ଫୋଟୋରେ ଆମେ ପାଞ୍ଚ ଜଣ ଯାକ ଅଛୁ ସେଇ ଫୋଟୋ ସହ ମୋ ମନେ ପକାଇବା ମୁହଁ ମିଶେ କିନ୍ତୁ ଚାରି ଜଣିଆ ଫୋଟୋ ସହ ମିଶେନି ମୁଁ ମନେ ରଖିଥିବା ମୁହଁ ସହ।

ବାପା ମା ଙ୍କ ବିବାହ ବେଳର ଫୋଟୋ ସହ କେବଳ ଆଖି ମିଶେ।ମୋ ଜନ୍ମ ବେଳକୁ କେତେ ପରିବର୍ତ୍ତନ ହୋଇ ଯାଇଥିଲା ସେ ମୁହଁରେ।ଏଣୁ ପାଞ୍ଚ ଜଣିଆ ଫୋଟୋ ମୁହଁ ହିଁ ମୋ ସ୍ମୃତି ପଟରେ ଛପା ହୋଇଛି।


ମୁଁ ବଢିଛି।ମୋ ରୂପ,ରଙ୍ଗ,ଢଙ୍ଗ ସହ କାନ୍ଦ ବି ବଦଳିଛି। ମୋ ପ୍ରିୟ ଚାରିଟି ମୁହଁ କିନ୍ତୁ ବଢି ନାହାନ୍ତି କି ବଦଳି ନାହାନ୍ତି।ସେଡିକି ସେଡିକି ଅଛନ୍ତି।ଯେବେ ମୋତେ ମାଇଁଙ୍କ ପାଖେ ଏକା ଛାଡି ଆକାଶକୁ ଯାଇଛନ୍ତି।ସେମିତି ହସୁଛନ୍ତି।


ସବୁ ପ୍ରିୟ ମୁହଁ ପ୍ରତିଦିନ ମୁଁ ଆକାଶର ତାରା ଭିତରେ ଖୋଜେ।ହେଇ ସେ ଯେଉଁ ବଡ଼ ଦିଶୁଥିବା ତାରାଟି ବେଶୀ ଆଲୁଅ ଦେଉଛି ସେ ବାପା ହୋଇଥିବେ।ଟିକେ ଦୁରେ ଯେଉଁ ତରାଟି ବାପା ତାରାଙ୍କୁ ଅହରହ ଚାହିଁଛି;ମୋ ମା ନିଶ୍ଚେ।ମା ତାରା ପାଖେ ଯେଉଁ ଟିକି ଟିକି ତାରା ଦି ଟା ସେ ତ ମୋ ବୁବୁ ଓ ସୁନୁ ଭାଇ।


ସେବେଠୁ ଆଜିଯାଏ ସେମାନଙ୍କୁ ମୁଁ ଦେଖେ ବେକ ଭାଙ୍ଗି।ମନ କଥା ହୁଏ।ସମସ୍ତେ ଏକାଠି ରହିଲ ସାଙ୍ଗ ହୋଇ।ମୋତେ ଏକା ଛାଡି ଗଲ ବୋଲି ରାଗେ

,ଅଭିମାନ କରେ। 


ବାପା ; ମୁଁ ତୁମର ମନେ ପଡେନି?ମନେ ପଡେନି ଏ 'ଖୁସି' ତୁମର କେମିତି ଖୋଜୁଛି ତୁମ ପିଠିରେ ବସି କହିବାକୁ" ଲକଡ଼ି ପେ ଘୋଡା,ଘୋଡା ପେ କାଠି,ଚାଲ ମୋର ଘୋଡା ଟିକ୍ ଟିକ୍।ମନେ ପଡେନି କାନ୍ଧରେ କାନ୍ଧେଇ ଯେମିତି କୁହ ଦୋଳ ଆଇଲେ ଢାଉଁ ଢାଉଁ;ଭୋଗ ଲଗାଅ ଭୋଗ।ମନେ ପଡୁନି ଗୋଡ଼ରେ ପକାଇ ମୋତେ କା ପତ କଲା ବେଳେ ଯାହା କୁହ"ନଡ଼ିଆ ଗଛକୁ ଯା,ତାଳ ଗଛକୁ ଯା,ସୁନା ପଡିଆ ଯା,ଖୁସି ମୋ ଶୋଇଯା କଣ୍ଢେଇ ମୋ ଶୋଇଯା।" ମା କୁ କାମ କରେଇ ଦିଏନି।ସବୁବେଳେ ତା କାନି ଧରି ଉଁ ଉଁ ହେଉଥିବି।ମା କାମ କରିବ ବୋଲି ଖୁଆଇ ପିଆଇ ଦିଏ ଆଉ ନଡ଼ିଆ ଗଛ କା ପତ କରୁ କରୁ ମୋତେ କେମିତି ଶୁଆଇ ଦିଅ ତୁମେ ବାପା।


ମାଇଁ କୁହନ୍ତି କେତେ ଓଷା ବ୍ରତ କରି ମା ଓ ତୁମେ ମୋତେ ପାଇଥିଲ।ଝିଅ ରଙ୍କୁଣା ଥିଲ କାଳେ ତୁମେ।ଲାଗ ଲାଗ ଦୁଇ ଭାଇ ହେଲେ ବୋଲି ମନ ଊଣା କରୁ ଥିଲ।ମୋ ଜନ୍ମରେ ଏତେ ଖୁସି ହୋଇଗଲ ଯେ ମୋ ନାଁ ରଖିଲ ଖୁସି।ତୁମ ରାଣୀ , କଣ୍ଢେଇ।କେମିତି ମୋତେ ଛାଡ଼ି ଗଲ ବାପା।


ବୁବୁ ଓ ସୁନୁ ଭାଇ ;ତୁମର ମନେ ପଡେନି ଚକା ଚକା ଭଉଁରୀ ମାମୁଁ ଘର ଚଉଁରୀ ଖେଳ! ଅନ୍ଧ ପୁଟୁଳି ବାନ୍ଦି ଯେମିତି କୁହ "ଆଖି ନାହିଁ ନା କାନ ନାହିଁ;ବାଜି ଗଲେ ଦୋଷ ନାହିଁ।"


ମାମୁଁ ବି କୁହନ୍ତି ତୁମେ ଦିଟା ବିଲେଇ ଛୁଆ ପରି କରୁଥିଲ ମୋତେ।"ଗୋଡ଼ ଳମ୍ବେଇ ବସି କହୁଥିଲ ଦେ ମା ଖୁସି କୁ ଟିକେ ଦେ ମୁଁ ଧରିବି"।ତୁମ ଭିତରେ ମାଡ଼ ଗୋଳ ଲାଗୁଥିଲା ମୋତେ କିଏ ଆଗ ଧରିବ।ଶେଷରେ ଏମିତି ହେଉଥିଲା ଜଣେ ଧଇଲେ ଆଉ ଜଣେ ମୋ ମୁଣ୍ଡ ଆଉଁସୁଥିଲା।ମା ଶୁଆଇ ଦେଇ ଗଲେ ମୋ ଦୁଇ କଡେ ଦୁଇ ଜଣ ଯାକ ଜଗି ବଉଥିଲ।କେଡୁଟିଏ ହେବା ଯାଏ ମୋତେ କୁଆଡେ ତଳେ ଥୋଇ ଦେଉ ନଥିଲ।ବୁବୁ ଭାଇ ତୋ ଚିଲା ଚିଲା ଆଖି କୁ ଝିଙ୍କ ପରି ଚୁଟି ମୋର ମନେ ଅଛି।


ତୁ ସୁନୁ ଭାଇ ନାକ କାନ୍ଦୁରା ଟା।ଆଖି ମଳି ମଳି ଟିକେ ଟିକେ କଥାରେ କାନ୍ଦୁ।ରାକ୍ଷୀ ଦିନ ମୁଁ ଆଗ ମୁଁ ଆଗ କହି ରାକ୍ଷୀ ବାନ୍ଧୁ।ମୁଁ ଛୁଆ ଟା ନା ମା ସେଥିପାଇଁ ମୋ ହାତ ଧରି ତୁମ ଦୁହିଁ ହାତରେ ରାକ୍ଷୀ ବାନ୍ଧି ଦିଏ।ପ୍ରତି ରାକ୍ଷୀ ପୂର୍ଣ୍ଣିମୀ ରେ ଦୁଇ ଦୁଇଟି ରାକ୍ଷୀ ସେଇ ତାରାକୁ ଦେଖେଇ କୁହେ ନେ ରାକ୍ଷୀ ବାନ୍ଧ ମୋ ଭାଇ।


ମନେ ପଡେନି କିଛି ତୁମର ଭାଇ।ସେଠି ବାପା ମା ସାଙ୍ଗେ ରହି ମଜା କରୁଛ ମୋତେ ଏକା ଛାଡି!


ଯା..ମୁଁ ତୋ ସାଙ୍ଗରେ କଥା ହେବିନି ଲୋ ମା।ସମସ୍ତଙ୍କ ସାଙ୍ଗରେ ତୁ ବି ତୋ ଖୁସି କଣ୍ଢେଇ ରାଣୀ କୁ ଭୁଲି ଗଲୁ!!

ମା ତୁ ତ ଜାଣିଛୁ ମୁଁ ତୋତେ ଛାଡି କ୍ଷଣେ ରହି ପାରେନି

।ତୋ ପଛେ ପଛେ ଜୋକ ପରି ଲାଗିଥାଏ।କେମିତି କହତ ମୋତେ ଏକା କରି ସମସ୍ତେ ପଲେଇଲ?

ଅନ୍ଧାରକୁ ମୋର ଭାରି ଡର ତୁ କଣ ଜାଣିନୁ?ସବୁଦିନ ଅନ୍ଧାର ଭିତରକୁ ମୋତେ ଠେଲି ଦେଲୁ କେମିତି ମା?


ମା ପ୍ରତିଟି କ୍ଷଣେ ତୋ କଥା ମୋର ବେଶୀ ମନେ ପଡେ।ତୁ ଯେତେବେଳେ କାମ ଧନ୍ଧା ସାରି ଝାଲୁଆ ମାଲୁଆ ଦେହରେ ତୋ କାନିରେ ହାତ ପୋଛି ଆସି ମୋତେ ନେଇ କୋଳରେ ଜାକି ମୋ ଗାଲରେ ଚୁମା ଟିଏ ଦେଇ ଦେଉ ;ସତ କହୁଛି ଲୋ ମା ସେଇ ସୁଖ ଟିକକ ଆଜି ପର୍ଯ୍ୟନ୍ତ କେଉଁଠି ପାଇଁ ପାରୁ ନାହିଁ।ମୋ ଅଳିଆ ଅସନା ମୁହଁ ଦେହ ତୋ ପିନ୍ଧା ଲୁଗାରେ ପୋଛି ପାଛି ତୋ ବାହୁ ଦୋଳିରେ ଛାତିକୁ ଲଗାଇ ଯେତେ

ବେଳେ ଝୁଲାଇ ବାଁ ଡାହାଣ କରୁ ଆଃ କି ଖୁସି ଲାଗେ

 ମା!


ବୟସ ମନେ ନାହିଁ ମନେ କିନ୍ତୁ ଅଛି କିଛି କିଛି ଅନୁଭବ ଓ ଦୃଶ୍ୟ।


ହଁ ସେଦିନ ସକାଳୁ କଣ ହେଲା କେଜାଣି ଜୋରେ ଜୋରେ ପବନ ବହିଲା।ଆମେ ସମସ୍ତେ ଆମ ମାଣ୍ଟୁ ଘରେ ଖଟ ଉପରେ ବଇ ଥିଲୁ।ଘରେ ପାଣି ଗଳିଲା।ଆମେ ସମସ୍ତେ ଖଟ ତଳେ ପଶି ଗଲୁ।ଉଚ୍ଚା ଖଟ ଟି ଥିଲା।ତାରି ତଳେ ଆମେ ତିନି ଭାଇ ଭଉଣୀ ଶୋଇ ପଡ଼ିଲୁ।ବାପା ଆଉ ତୁ ,ତୁମ ହାତ ଖଟକୁ ଲଗାଇ ଆମ ଉପରେ ରଖିଥିଲ।ଆଉ ତାପରେ କଣ ହୋଇଛି ମୋର ମନେ ନାହିଁ।


ମାଇଁ କୁହନ୍ତି ପାଞ୍ଚ ଦିନ ପରେ ଯେତେବେଳେ ସମସ୍ତଙ୍କ ଘରୁ ଭଙ୍ଗା କାନ୍ଥ ତଳୁ ଶବ ବାହାର କରା ଯାଉ

ଥିଲା;ସେତିକି ବେଳେ ମୁଁ କୁଆଡେ ସୁକୁ ସୁକୁ ହେଉଥିଲି ମୋ ବାପାମା, ଭାଇ ଦୁହି ଙ୍କ ଶବ ଭିତରେ।ସାଙ୍ଗେ ସାଙ୍ଗେ ମୋତେ କଟକ ଶିଶୁ ଭବନକୁ ନିଆ ଗଲା।ତିନି ମାସ ସେଠି ମୋ ଟିକିତ୍ସା କରା ଗଲା ପରେ ଖୋଜ ଖବର ନେଇ ମୋତେ ମୋ ଲେଖା ଯୋଖା ମାମୁଁ ମାଇଁଙ୍କୁ ହସ୍ତାନ୍ତର କରା ଯାଇଥିଲା।


ସମସ୍ତେ କାବା ପାଞ୍ଚ ଜଣଙ୍କ ଶବ ଭିତରେ ମୁଁ କେମିତି ବଞ୍ଚି ରହିଗଲି।


ହଁ ମୁଁ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଳକ ଆମ୍ବିକି ଗାଁ ର ସେଇ ଉଦ୍ଧାର କରା ଯାଇଥିବା ହତଭାଗିନୀ ଶିଶୁ କନ୍ୟା 'ଖୁସି' ଯିଏ ଉଣେଇଶ ଅନେଶୋତ ମହାବାତ୍ୟାର ଆଁ ରୁ ବଞ୍ଚି ଯାଇଥିଲା ବିସ୍ମୟ ଚକିତ କରି ସଭିଙ୍କୁ।ସମସ୍ତ ଶବ ତଳେ ସୁରକ୍ଷିତ ହୋଇ ବଞ୍ଚିଥିଲା ବିନା ଖାଦ୍ୟ ପାଣିରେ ପାଞ୍ଚ ଦିନ।


ଏ କେମିତି ଜୀବନ ମୋର;ସମୟର ଏ କି ଖେଳ! ସବୁ ଆତ୍ମୀୟ ମୋର ହଜି ଗଲେ! ଜଣେ କେହି ବଂଚିଲେଣି ମୋ ପାଇଁ।


ସମୟ !ତୋତେ ବୁଝିବା ଯେତିକି କଷ୍ଟ ତୋ ପ୍ରହାର ସହିବା ସେତିକି ଯନ୍ତ୍ରଣା ଦାୟକ।କେତେବେଳେ କି କି ରଙ୍ଗ ନେଇ ଆସୁ ବୁଝିବା ମୁସ୍କିଲ।


କିନ୍ତୁ ଯେବେ ଯେବେ ବାତ୍ୟା ଆସୁଛି ସେବେ ମୋ ଛାତି ଥରୁଛି।ଆଉ ଗୋଟେ ଖୁସି କେଉଁଠି ଶବ ମାନଙ୍କ ଭିତରେ ବଂଚିବା ପାଇଁ ସୁକୁ ସୁକୁ ହେବନି ତ;ଏଇ କଥା ଭାବି।


ସେ ଗୋଟେ ସମୟ ଥିଲା ଖୁସି ବିଶୋଇ ଅନାଥ ହୋଇଥିବା ପାଞ୍ଚ କି ଛଅ ବର୍ଷର ଛୁଆ।ଆଜି ସେଇ ଖୁସି ଜଣେ ଡାକ୍ତର କରୋନା ଯୋଦ୍ଧା।


ବୁଝିଲ ଆକାଶର ତାରା! ସରକାରଙ୍କ ସାହାଯ୍ୟ ଓ ନିଜର ନ ହେଲେ ବି ମାମୁଁ ମାଇଁ ହିସାବର ଦେବତା ରୂପୀ ମଣିଷଙ୍କ ଯୋଗୁଁ ଆଜି ମୁଁ ଜଣେ ଡାକ୍ତର।ମୋର ପ୍ରତିଟି ସଫଳତା ପାଇଁ କପ୍ ,ମେଡାଲ୍ କି ସାର୍ଟିଫିକେଟ ଆଣିଲା ବେଳେ ତୁମେ ମୋର ମନେ ପଡ଼।ପ୍ରତିଦିନ କବାଟ ଆଉଜାଇ ତୁମ ଫୋଟୋ ସହ ସବୁ ସୁଖ ଦୁଃଖ ବାଣ୍ଟେ।


ଏଇ ଦେଖ!ଆଜି ବେଷ୍ଟ କ ରୋନା ଯୋଦ୍ଧା ଡାକ୍ତର ଭାବେ ଆୱାର୍ଡ ମିଳିଛି।


ମାଇଁ ଘର ଭିତରକୁ ପଶି ଆସି କହିଲେ ଖୁସି ପୁଣି କାନ୍ଦିଲୁ?ପିଲାଟି ଦିନୁ କାନ୍ଦୁଛୁ ଏ ଯାଏ।ତୁ ପରା ଜଣେ ବଡ଼ ଡାକ୍ତର ହେଲୁଣି।ତୁ ଯେଉଁ କହୁ କାହିଁକି ବଂଚିଲୁ?ଈଶ୍ୱର ଟି ବାପା ମା,ଭାଇ ମାନଙ୍କୁ ନେଇ ଯାଇ ତୋତେ କାହିଁକି ବଞ୍ଚାଇଲେ।ବୋଧେ ଏଇଥି ପାଇଁ ତୁ ଜଣେ ଭଲ ଡାକ୍ତର ହେବୁ ଓ ଲକ୍ଷ ଲକ୍ଷ ଲୋକଙ୍କୁ ବଞ୍ଚାଇବୁ।


ମାଇଁ...


ହଁ ଧନ!ଈଶ୍ୱରଙ୍କ ଏଇଆ ଇଚ୍ଛା ଯେ ତୁ ସେବା କରିବାକୁ, ଅନ୍ୟ ଜୀବନ ବଞ୍ଚାଇବାକୁ ଜନ୍ମ ହୋଇଛୁ।ସେ ତୋତେ କେମିତି ମାରି ପାରିଥାନ୍ତେ।ଯୋଗ ଦେଖ ଆମେ ନିଃସନ୍ତାନ।ଠାକୁରଙ୍କ ଇଚ୍ଛା ତୋ ପରି ହୀରା ଖଣ୍ଡେ ଆମ ଝିଅ ହେବ।କୁସୁମ ପରଶେ ପଟ୍ଟ ନିସ୍ତାର ପରି ତୋ ମାମୁଁ ମାଇଁ ହିସାବରେ ଆମ ଛାତି କୁଣ୍ଢେ ମୋଟ।


ମାଇଁ...


ହଁ ସୁନା।ଏ "ସମୟର ଖେଳ 'ବଡ଼ ବିଚିତ୍ର।କାହାକୁ କେତେବେଳେ କଣ ଦେବ,କାହାର କେତେବେଳେ କଣ କରିବ କେବଳ ତାକୁ ହିଁ ଜଣା।ଯା ମା ଫୋଟୋଟି ରଖି ଆ ଖାଇବା।


ତୁ ଖାଇନୁ ଏଯାଏ ମାଇଁ!


ପାଗେଳି ଟା ତୁ ନ ଖାଇଲେ ମୁଁ କଣ କେବେ ଖାଏ।ତୋତେ ଜନ୍ମ ସିନା ଦେଇ ନାହିଁ କିନ୍ତୁ ତୁ ବା ମୋ ଆତ୍ମା।


ମାଇଁ..ମାଇଁ ମୋ ମାଇଁ କହି ଦି ଘେରା ବୁଲି ଗଲି ମାଇଁକୁ ଧରି ମୁଁ।


ମାଇଁ ଓ ମୋ ଆଖିରୁ ଗଳି ପଟୁଥିଲେ ବର କୋଳିଆ ଟୋପା ଅଦିନ ବର୍ଷା ଆଖି ଆକାଶରୁ।




Rate this content
Log in

Similar oriya story from Tragedy