STORYMIRROR

Paramita Mishra

Inspirational

3  

Paramita Mishra

Inspirational

ସ୍ମୁତିରେ ଛନକା

ସ୍ମୁତିରେ ଛନକା

3 mins
14.2K


ସ୍ମୃତି ରେ ଛନକା 
 
 
କାଲିଠୁ ପିଲା୍ଟାର ଦେହ ଖରାପ, ତାରି ମୁଣ୍ଡରେ ହାତ ବୁଲାଉ ବୁଲାଉ  ଲେଖା ସବୁ ବସି ପଢୁଥାଏ। ଭାରି ଇଛା ହେଉ ଥାଏ କିଛି ଲେଖି ଯିବାକୁ, କିନ୍ତୁ ମୁଣ୍ଡରେ କିଛି ପଶୁନଥାଏ।ଏମିତି ଭାବୁ ଭାବୁ ସ୍ଵାମୀ କହିଲେ କଣ ଭୁତ ଦେଖିଲ କି ! କଣ ହେଲା? ଏମିତି ବସିଛ କାହିଁକି? ବାସ୍ ମନରେ ଥିବା  କଥା ସହ ଭୁତ ଶବ୍ଦଟି ଶୁଣି ଚଟ କରି ପିଲାଦିନର ସ୍ମୃତିଟିଏ ମନେପଡି ଗଲା। 
 
     ବୟସ ସେତେବେଳେ ସାତ କି ଆଠ ହେବ। ଘରୁ ଦୁଇ ପାହୁଣ୍ଡ ପକେଇଲେ ସ୍କୁଲ। ମାଟି ସିଲଟ, କାଠ ଖଡିକୁ ଛୋଟିଆ ଝୁଲାରେ ଧରି ସାଙ୍ଗ ମାନେ ଡକା ହକା ବାହାରି ପଡୁ ସ୍କୁଲ। କେଢେ ବଢିଆ ଲାଗେ ସେତେବେଳେ ସ୍କୁଲ। ସଂଗାତ, ମକର ସବୁ ମିଶି ବୋହୁବୋହୁକା, ଲୁଚକାଳି, ବାଡିଡିଆଁ ପରି ଆହୁରି ଏମିତି କେତେ କଣ ଖେଳ ଖେଳୁ। ଆଖି ଆଗରେ ଭାସି ଉଠିଲା ପିଲାଦିନର ସେଇ କାଠ ସିଲଟ, ସାଂଗରେ ଗୋଟିଏ ଛୋଟିଆ ବୋତଲ୍ ରେ କିଛି ପାଣି ନେଇ ବାରମ୍ବାର ତାକୁ ପୋଛି,କାହା ସିଲଟ ଆଗ ଶୁଖିବ ବୋଲି ସେହି ଗୀତଟି ଗାଉ । ନଈ ପାଣି ନଈକୁ ଯା, ମୋ ସିଲଟ ଶୁଖିଯା। ଗୀତ ସହ ତାଳ ଦେଇ ଝାପ୍ସା ଚେହରା ଟିଏ ବି ଦିଶିଗଲା।
 
   ସନି , ସନ୍ନିକେତ ସାହୁ। ନାଁ ଟା ବହୁତ ଦିନପରେ ଧରିବାକୁ ଅଜବ ଲାଗୁଛି। ମୋର ଭଲ ସାଙ୍ଗ ଥିଲା ସନି। ବଡ ସାନ୍ତ ସ୍ଵଭାବର ପିଲା । ଆମଘରଠୁ ପାଞ୍ଚ ଘର ଛାଡ଼ି ତାଙ୍କ ଘର। ତା ବାପା ହଳ କରନ୍ତି। ଦିନେ ହଠାତ ସେ କୁଆଡେ ଚାଲିଗଲା। ସେଦିନ ସେ ସ୍କୁଲ ଆସିନଥିଲା। ଗାଁରେ ବହୁତ ଥର ପିଲାମାନେ ସ୍କୁଲକୁ ଆସନ୍ତିନି। ସେଦିନ ସନି ସ୍କୁଲ ଆସିନଥିଲା। ସାଧାରଣ କଥା ଭାବି ଆମେ ରହିଗଲୁ। 
 
      ଗାଁ ସ୍କୁଲରେ ପାଠ ପଢା ସରିବା ପରେ ସେଇ ବାରଣ୍ଡାରେ ଆମର ଟିୟୁସନ୍ ହୁଏ। ସନ୍ଧ୍ୟାରେ ଆମର ଟିୟୁସନ୍ ଚାଲିଥାଏ। ତାର ଘରଲୋକ ସନିକୁ ଖୋଜିବାକୁ ଆସିଲେ। ବାପା ତାର ଚାଷି, ଖେତରୁ ଫେରି ପୁଅକୁ ନପାଇ ବ୍ୟସ୍ତ ହୋଇଗଲେ। ସାଙ୍ଗେ ସାଙ୍ଗେ  ସାରା ଗାଁରେ ହଇଚଇ ସୃଷ୍ଟି ହେଲା, ଏକାନରୁ ସେ କାନ ଡେଇଁ ଗାଁ ସାରା ରାଷ୍ଟ୍ର ହୋଇଗଲା। ସମସ୍ତେ ଖୋଜିବାରେ ଲାଗିଗଲେ। ଦିନଟିଏ ଗଡିଗଲାଣି। ସନ୍ଧ୍ୟା ହେଲାଣି ଆସି। ସନି ଗଲା କୁଆଡେ? ଘରେ ନାହିଁ, ସ୍କୁଲ ଆସିନି, ବିଲକୁ ଯାଇନି, ଗଲା ତେବେ କୁଆଡେ? ସାରା ଗାଁରେ ଖୋଜାପଡିଲା। ବନ୍ଧ, ପୋଖରୀ, ଗାଡିଆ, କ୍ଷେତ, ବିଲ, ମାହାରା ସବୁ ଖୋଜା ହେଲା। କିନ୍ତୁ ସନିର କିଛି ଖବର ନାହିଁ। ଦିନ ଯାଇ ରାତି ହେଲା। ପରଦିନ ସକାଳ।ତା ମା ଭୂଇଁରେ ଗଡି ଯାଉଥାଏ, ବାପା ମୁଣ୍ଡରେ ହାତ ଦେଇ ବସିଥାଏ।
 
    ଉଦୁଉଦିଆ ଖରାବେଳ, ଆମେ ସମସ୍ତେ ସ୍କୁଲରେ ଥାଉ । ଗାଁକୁ ପୋଲିସ ଆସିଲା। ହଠାତ୍ ପୋଲିସକୁ ଦେଖି ଆମେ ସବୁ ଡରି ଶ୍ରେଣୀ ଗୃହରେ ବସି ରହିଲୁ। ସ୍କୁଲ ଚାରିପଟେ ଖୋଜାପଡିଲା। ସ୍କୁଲ ପଛପଟେ ଏକ ବଡ କୁଅ। କେହି ସେପାଖକୁ ଯାଆନ୍ତିନି। କିନ୍ତୁ ସେଇ କୁଅରୁ ବାହାରିଲା ସନିର ପଚା ସଢା ଶବ। ପୋଲିସ ଆଖି ସାମ୍ନାରେ ତାର ଶବଟିକୁ ନେଇ ଚାଲିଗଲେ। ସେଦିନ ମନରେ, ଦୁଃଖ ଠୁ ବେଶି ଡର ଭରି ରହିଥିଲା। ସ୍କୁଲରେ ସେଦିନ ଆଉ କି ପାଠ? ଶେଷରେ ସ୍କୁଲ ସରିଲା। ଟିୟୁସନ୍ ଆରମ୍ଭ ହେଲା କିନ୍ତୁ କାହାର ବି ପାଠରେ ଧ୍ୟାନ ନଥିଲା।ଦୁଃଖ ସାଂଗକୁ ଅଜଣା ଆତଙ୍କ। କେମିତି କଣ ହେଲା କେଜାଣି ବାହାରେ ବସିଥିବା  ଏକ ପିଲା ଜୋରରେ ଚିତ୍କାର କଲା " ମା ଲୋ...ସନି ଭିଡିନେଲା ଲୋ..."" ମା ଲୋ...ସନି ଭିଡିନେଲା ଲୋ..."। ବାସ୍ ତାପରେ ଆମର ଯେଉଁ ଅବସ୍ଥା ତାହା ନିଜେ ଅଙ୍ଗେ ନ ନିଭେଇଲେ ଜାଣି ପାରିବନି। ଗୋଟିଏ ଡିଆଁରେ ସ୍କୁଲ ଗେଟ ବାହାରେ। ଟ୍ୟୁସନ ସାର ବି ଖୁବ୍ ଡରି ଯାଇଥିଲେ। ଘରେ ପହଞ୍ଚିଲା ବେଳକୁ ମୁଁ ବରଡା ପତ୍ର ପରି ଥରୁଥିଲି। ଡର ଏତେ ଜୋର ଥିଲା ଯେ ଚାରିଦିନ ଜରରେ ପଡିଲି।ଔଷଧ, ଝଡାଫୁଙ୍କା ପରେ ଠିକ୍ ହେଲି।ଦିନେ ଛାଡି ସ୍କୁଲର ପାଖାପାଖି ସବୁ ପିଲା ବେମାର ପଡିଲେ। ସେ ବୟସରେ ଏ ଦୁଃଖର ପରିଭାଷା ତ ଜଣା ନଥିଲା କିନ୍ତୁ ମାନସିକ ସ୍ତରରେ ଡରର ଭୂମିକା ଥିଲା ଖୁବ ବେଶୀ। କିଛି ଦିନ ପରେ ସବୁ ଠିକ୍ ହୋଇଗଲା।
 
     ସ୍କୁଲ ସରୁ ସରୁ ଏ ଟ୍ୟୁସନ ଟା ଭାରି କଷ୍ଟ ଦେଉଥିଲା। ଏ ଘଟଣା ପରେ ଟିୟୁସନ ବନ୍ଦ ହୋଇଗଲା। ସ୍କୁଲର ସେ କୁଅକୁ ମାଟି ପକେଇ ପୋତି ଦିଆଗଲା। ଆମେ କିନ୍ତୁ ତାପରଠୁ କେହି ବି ସେ ଆଡକୁ ଚାହୁଁ ନଥିଲୁ ଡରରେ। ସତ କହିଲେ ସେ ଡର ଏବେବି ଲାଗେ। କାହିଁକି କେଜାଣି, ସ୍କୁଲ ବାଟ ଦେଇ ଆସିଲା ବେଳେ ଆପେ ଆପେ ଆଖି ଚାଲି ଯାଏ କୂଅ ଥିବା ଜାଗା ଉପରକୁ। ଆଉ ଗ୍ରାମ ଦେବତୀଙ୍କୁ ଡାକି ଡାକି ଘରକୁ ଆସିବା ସାର ହୁଏ। 
 
 
କିନ୍ତୁ 
 
 
ସେଦିନ ସନି ସହ କଣ ହୋଇଥିଲା ତାହା ଆଜି ବି ଅଜଣା....


Rate this content
Log in

Similar oriya story from Inspirational