Bismita Sahoo

Tragedy

5.0  

Bismita Sahoo

Tragedy

ସ୍ମୃତିଶକ୍ତି

ସ୍ମୃତିଶକ୍ତି

3 mins
584


(୧)

ମୁଁ ସେତେବେଳେ ଚତୁର୍ଥ କି ପଞ୍ଚମ ଶ୍ରେଣୀରେ ପଢୁଥିବି ବୋଧେ। ମୋ ସାଙ୍ଗ ଲୀନା ତା ବହିଖାତାର ଗୋଟି ଗୋଟି କରି ସବୁ ପୃଷ୍ଠା ଓଲଟାଉଥାଏ। ମୁଁ ଅନୁସନ୍ଧିତ୍ସୁ ଭାବରେ ପଚାରିଲି "ତୁ କଣ ବିବେକାନନ୍ଦ ହେଇଗଲୁକି? ପୃଷ୍ଠା ଓଲଟେଇଲେ ତୋର ମନେରହିଯାଉଛି?

ସେ ଚିଡ଼ିଯାଇ ବଡ଼ ବଡ଼ ଆଖିରେ ଅନେଇଲା ଓ ଟିକିଏ ସମୟ ପରେ ମିଳିଗଲା , ମିଳିଗଲା କହି ଚିତ୍କାର କଲା। ମୁଁ ଅବୁଝା ଆଖିରେ ତାକୁ ଚାହିଁ ରହିବାରୁ ସେ କହିଲା ଯେ ଯେବେ ତାଙ୍କ ଘରକୁ କୌଣସି କୁଣିଆ ଆସନ୍ତି ଗଲାବେଳେ ଚକଲେଟ ଖାଇବୁ କହି ତା ହାତରେ ପଇସା ଦେଇ ଯାଆନ୍ତି। ସେ ସେସବୁ ପଇସା ଖର୍ଚ୍ଚ ନ କରି ଯେକୌଣସି ବହି କିମ୍ବା ଖାତା ଭିତରେ ରଖି ଭୁଲିଯାଏ। ଯେତେବେଳେ ତା ପାଖେ ଖର୍ଚ୍ଚ କରିବାକୁ ପଇସା ନ ଥାଏ ସେ ଏହି ବହି ଖାତା ସବୁ ଖୋଜିଲେ ନିଶ୍ଚୟ ପଇସା ପାଏ।

ବାଃ କେତେବଢ଼ିଆ କଥାଟିଏ ଆଜି ଶିଖିବାକୁ ମିଳିଲା। ଖୁସିରେ ମୋ ଆଖି ଚକଚକ କରିବାକୁ ଲାଗିଲା। ମୋ ବଡ଼ଭାଇ ସେତେବେଳେ ରେଭେନ୍ସା ମହାବିଦ୍ୟାଳୟରେ ପଢୁଥିଲେ। ଘରକୁ ଆସିଲେ ମୋତେ ପାଞ୍ଚ ଟଙ୍କା ଓ ହଷ୍ଟେଲ ଗଲାବେଳେ ମୋ ହାତରେ ଦଶ ଟଙ୍କା ଦେଇଯାନ୍ତି। ମୁଁ ଏଥର ସେ ପଇସା ଖର୍ଚ୍ଚ ନ କରି ଆଖି ବନ୍ଦକରି ମୋ ବହିଥାକ ଭିତରେ ଲୁଚେଇ ଦେଲି ଓ ସେ ପଇସା କଥା ଭୁଲିବାକୁ ଚେଷ୍ଟାକଲି। କିନ୍ତୁ ନା ......ତାହା ସମ୍ଭବ ହେଲାନି। ମୁଁ ଦଶ ପଇସିଟିଏ ବି ଯଦି କେଉଁଠି ରଖିଥାଏ ତେବେବି ମୋର ମନେ ରୁହେ। ମନେ ମନେ ଭାରି ରାଗ ଲାଗେ। ଭାବେ ମୁଁ ବି ମୋ ସାଙ୍ଗପରି ଟିକେ ଭୁଲିଯାନ୍ତିନିକି? ଅଚାନକ ମୋତେ ବି ପଇସା ମିଳନ୍ତା।

(୨)

ରୋଷେଇ କଲାବେଳେ ପରିବା ଆଣିବାକୁ ଯାଇ ଫ୍ରିଜ ପାଖରେ ଦଶ ମିନିଟ ଠିଆହୋଇ ପୁଣି ପନିକି ପାଖକୁ ଆସିଲା ପରେ ମନେପଡ଼ିଲା ଯେ ପରିବା ନ ଆଣି ଫ୍ରିଜ ପାଖରୁ ଫେରି ଆସିଛି। ହଠାତ ଚାକରାଣୀ ଦୁଇଶହ ଟଙ୍କା ମାଗିଲା। ତାର କଣ ଅର୍ଜେଂଟ ଦରକାର ଅଛି। ମୁଁ ପର୍ସ ଖୋଲିଲି। ପୁରା ଖାଲିଥିଲା। ମୁଁ କହିଲି ମୋ ପାଖରେ ଆଜି ପଇସା ନାହିଁ କାଲି ନେଇଯିବୁ। ପୁଅ କହିଲା ମମି ଟିକିଏ ରୁହ। ଦେଖିବ ମୁଁ ଗୋଟିଏ ଯାଦୁ କରିବି ଓ ତୁମ ପାଖରେ ପଇସା ଆସିଯିବ। ଏହାକହି ବହିଥାକରୁ ମୋ ଡାଇରି ନେଇ ପୃଷ୍ଠା ଓଲଟେଇଲା। ସତକୁସତ ତା ଭିତରୁ ୧୦୦ଟଙ୍କିଆ ତିନିଟି ନୋଟ ବାହାରିଲା। ପୁଅ କହିଲା ମମି ରୋଷେଇ ଘର ଥାକ ଖୋଜିଲେ ବି ପଇସା ମିଳିବ। ଏଥର ଅଚାନକ ପୁରୁଣା ପର୍ସରୁ , ଶାଢ଼ୀ ଆଲମାରୀରୁ, ଶେଯ ତଳୁ ପଇସା ମିଳୁଥିଲା। ଯୋଉଟା ମୋ ପିଲାଦିନର ସ୍ୱପ୍ନ ଥିଲା କିନ୍ତୁ କିନ୍ତୁ ମୁଁ ଏବେ ଆଉ ଖୁସି ହେଇ ପାରୁନଥିଲି।

(୩)

ଯସ୍ମୀନ ବରାଳ। ନବମ ଶ୍ରେଣୀରେ ପଢ଼େ। ଝିଅଟିକୁ ପାଠର ପ ଅକ୍ଷର ଆସେନି। ଯେତେ ଭଲରେ ପଢ଼େଇଲେ ବି ସେ ବୁଝିପାରେନି କି ଘୋଷିବାକୁ ଦେଲେ ବି ଘୋଷି ପାରେନି। ପ୍ୟାରେଣ୍ଟ - ଟିଚର ମିଟିଂରେ ତା ମମି ଏଥିପାଇଁ ଭାରି ବ୍ୟସ୍ତ ହୁଅନ୍ତି। ବେଳେବେଳେ ଏଥିପାଇଁ ଘରେ ତା ଉପରକୁ ହାତ ବି ଉଠାନ୍ତି। ମୁଁ ତାଙ୍କୁ ବୁଝାଏ ଦେଖନ୍ତୁ ମ୍ୟାଡାମ ବ୍ୟସ୍ତ ହୁଅନ୍ତୁନି। ସମସ୍ତଙ୍କର ତ ସମାନ ସ୍ମୃତିଶକ୍ତି ନ ଥାଏ। ବିଚାରୀର ତ ମନେ ରହୁନି ସେ କଣ କରିବ?

ଡେରି ହେବାରୁ ତରତର ହୋଇ ସ୍କୁଲ ଚାଲିଆସିଥିଲି ଓ ଭୁଲବଶତଃ ମୋ ସ୍କୁଲ ଆଲମାରୀର ଚାବିଟି ଘରେ ଛାଡ଼ିଦେଇଥିଲି। ମୋତେ ପିଲାଙ୍କ ମୌଖିକ ପରୀକ୍ଷା ନେବାକୁ ଥାଏ ତାହା ପୁଣି ଶେଷ ପିରିୟଡ଼ରେ। ସେଦିନ ହିଁ ଶେଷ ତାରିଖ ଥାଏ ପିଲାଙ୍କ ମାର୍କଲିଷ୍ଟ ଅଫିସରେ ଡିପୋଜିଟ୍ କରିବା ପାଇଁ। ଶେଷ ପିରିଅଡ଼ରେ ଯଦି ଜଣକୁ ଜଣ ଡାକି ତା ନାଁ ଓ ରୋଲନମ୍ବର ଲେଖିବି ଓ ପ୍ରଶ୍ନ ପଚାରିବି ତେବେ ସମୟ ଅଣ୍ଟିବନି। ତେଣୁ ପଞ୍ଚମ ପିରିୟଡ଼ ମୋ ଲିଜର ଥିବାରୁ ଶ୍ରେଣୀରେ ସବୁଠାରୁ ଭଲ ପଢ଼ୁଥିବା ଅନୁରୂପ ସାହୁକୁ ଷ୍ଟାଫରୁମକୁ ଡାକି ଗୋଟିଏ ପରେ ଗୋଟିଏ କ୍ରମାନୁଯାୟୀ ପିଲାଙ୍କ ରୋଲନମ୍ବର ଓ ନାଁ କହିବାକୁ କହିଲି। ରୋଲନମ୍ବର ୧୦ ପରେ ସେ ଆଉ କହିପାରିଲାନାହିଁ। କଣ କରିବି ନ କରିବି ଭାବୁଛି ସେ ସମୟରେ ପରୀକ୍ଷାରେ ଫେଲ ହେଇଥିବାରୁ ଷ୍ଟାଫରୁମରେ ବସି ରିଟେଷ୍ଟ ଦେଉଥିବା ଯସ୍ମୀନ ବରାଳ ଗୋଟିଏ ପରେ ଗୋଟିଏ ଅନର୍ଗଳ ଭାବେ ପଚାଶ ଟି ପିଲାଙ୍କ ନାଁ ଓ ରୋଲନମ୍ବର କହିଗଲା। ମୁଁ ଥରେ ତା ଖାଲି ଉତ୍ତର ଖାତା ଓ ଥରେ ତା ମୁହଁକୁ ଚାହିଁକି ତା ସ୍ମୃତିଶକ୍ତି ପାଇଁ ତାକୁ ଧନ୍ୟବାଦ ଦେବି କି ନ ଦେବି ଦ୍ଵନ୍ଦରେ ରହିଲି।

(୪)

ଯସ୍ମୀନ ବରାଳର ମମି ମୁଣ୍ଡପୋତି ତଳକୁ ଠିଆ ହେଇଥାନ୍ତି। ତାଙ୍କୁ ବୁଝାଉଥାନ୍ତି ଅନୁଭବ ମହାନ୍ତିର ବାପା।

-ମ୍ୟାଡାମ ଆପଣ ଗୋଟିଏ କାମ କରନ୍ତୁ। ବଜାର ଛକରେ ମିଶ୍ର ମେଡ଼ିସିନ ଷ୍ଟୋରରେ ସ୍ମୃତିଶକ୍ତି ବଢ଼ିବା ପାଇଁ ବଢ଼ିଆ ଔଷଧ ମିଳୁଛି। ଭଲ କାମ କରୁଛି। ମୁଁ ଓ ମୋ ପୁଅ ଦୁହେଁ ଖାଉଛୁ। ଆପଣ ଥରେ ଆପଣଙ୍କ ଝିଅ କୁ ଦିଅନ୍ତୁ। ଥରେ ପରୀକ୍ଷା କରିବାରେ କଣ ଅସୁବିଧା?

-ଠିକ୍ ଅଛି ଆଜ୍ଞା। ସେ ଔଷଧର ନାଁ ଟା କଣ କହିଲେ?

-ଓହୋ ତା ନାଁ ଟା ହେଲା.....ଜିଭ ଅଗରେ ନାଁ ଟା ଅଛି ହେଲେ ମନେ ପଡ଼ୁନି। ଅନୁଭବ ମେଡ଼ିସିନର ନାଁ ଟା ଟିକେ ଆଣ୍ଟିଙ୍କୁ କହିଦେଲୁ।

ଅନୁଭବ ଥରେ ମୋତେ, ଥରେ ଯସ୍ମୀନ ବରାଳର ମମି ଓ ତାପରେ ନିଜ ପାପାଙ୍କୁ ଅନେଇ କହିଲା -ମୋର ବି ସେ ମେଡ଼ିସିନର ନାଁ ମନେପଡୁନି।

---------------

(ବିସ୍ମିତା ରାଣୀ ସାହୁ)


Rate this content
Log in

Similar oriya story from Tragedy