ସମର୍ପିତା
ସମର୍ପିତା
ବିନିଦ୍ରିତ ରଜନୀ ତୁମ ଲାଗି ସଜନୀ
ମନେ ପଡେ, ତୁମ ମୁହଁର ଠାଣି
କଳା କୁହୁକ ପରି ଦିଶେ,
ସତେକି ଚାରୁ ଚନ୍ଦ୍ରମା, ବିକାଶେ
ଆଖିରୁ ଝରେ ଲୁହ ମନ ଯେ
ଅଥୟ, ଦର୍ଶନର କାମନା, ମନ ହୁଏ
ଆନମନା, ଯମୁନାର ତୀରେ ସଞ୍ଜ
ସକାଳେ, ତୁମକୁ ହିଁ ମନ ଖୋଜେ
ଛନ୍ଦିତା ମହାପାତ୍ର ଏ ଛନ୍ଦଟିରେ ନାଚିବା ସହ ଗାଇବା ଦକ୍ଷତାରେ ପ୍ରଥମ ବଡ଼ ସମ୍ମାନରେ ଆଜି ତା ମନଟି ପୁରା ଖୁସି । ସେ ଏକାଧାରରେ ଓଡ଼ିଶୀ କଣ୍ଠଶିଳ୍ପୀ ଓଡିଶୀ ଡାନ୍ସର ଆଜି ସବୁ ଖବର କାଗଜ଼ର ମୁଖ୍ୟ ହେଡଲାଇନ ନୂଆ ପ୍ରତିଭାର । ହେଲେ ତା ଘରେ ଆଜି ସେଥିପାଇଁ କନ୍ଦଳ ଖୁଡି ଆସି ବୋଉକୁ କହୁଥାନ୍ତି ହେଇଚି ଝିଅର ଫୋଟୋ ଆସିକି କୋଉଠି ବାହାରିଲାଣି । ଲୁଚି ଲୁଚି ବିରାଡି କ୍ଷୀର ପିଉଥିଲା । ଭାବିଲା କିଏ ଜାଣିପାରିବେନି । ଏବେ ଦେଖ କେମିତି ଦୁନିଆରେ ଝିଅର ନାଆଟା ବାଜା ବଜା ହେଉଛି ଲୁଚି ଲୁଚି କି ଓଡିଶୀ ଶିଖୁଥିଲା । ମାଆ କହୁଚି ମୁଁ ଜାଣିନି । ବୁଝିଲ ନାନୀ ତମେ ନ ଜାଣିକି ସେ ଶିଖୁଥିଲା ଏ କି କଥା ମ ।
ମତେ ଜମା ବିଶ୍ୱାସ ନାଗୁନି!!ତମେ ଆଉ ତମ ଝିଅ ମିଶିକି ଏ ଘରର ଅଭିଜାତ୍ୟକୁ ମାଟିରେ ମିଶେଇ ଦେଲ । ଆମ ଘରେ କେହି ନାଚବାଲି ନ ଥିଲେ ବୁଝିଲ ଖାଲି ମୁହଁ ବଢ଼େଇଚ ଝିଅର । ମୋ ଝିଅ ହେଇ ଥିଲେ ତଣ୍ଟିରେ ବାଉଁଶ ମଡେଇ ଦେଇଥାନ୍ତି । ଜନ୍ମ ହେଲା ବାପକୁ ଖାଇଲା, ଆଉ ଆମକୁ ଶାନ୍ତିରେ ବଞ୍ଚିବାକୁ ଦେବନି ସେ । ଶାରଦା ଦେବୀ ଚୁପ ଚାପ ସେ ସବୁକୁ ଶୁଣୁ ଥାନ୍ତି । କାହିଁକି ନ ଶୁଣିବେ କାହାକୁ ପ୍ରତିବାଦ କରିବେ
ନା ଝିଅକୁ ନା ଯାଆକୁ । ନାକ କଟିଲେ ରକ୍ତର ଛିଟା ନିଜ ମୁହଁରେ ପଡିବାଟା ଥୟ ।
ଝିଅକୁ କିଛି କହି ପାରିବେନି କାରଣ ଝିଅକୁ ସେ ବହୁତ ଭଲ ପାଅନ୍ତି । ଶ୍ରୀଧର ବାବୁ ଗାଡି ଆକ୍ସିଡେଣ୍ଟରେ ମଲା ଦିନ ଠାରୁ ତା'ର ମୁହଁଟି ଦେଖି ଜୀବନ ବଞ୍ଚିବାକୁ ସାହସ ପାଇଥିଲେ । ତାରି ପାଇଁ ବଞ୍ଚିଛନ୍ତି ଆଉ ସେ ତ କିଛି ଖରାପ କାମ କରିନି ।
ହଁ ଟିକେଟିକେ ଆଭାସ ଥିଲା ତା ପ୍ରତିଭାର । ହେଲେ ଏତେ ସୁନ୍ଦର ଭାବେ ସେ ଆଜି ନାଆଁ କରିଗଲା ସେଥିପାଇଁ ସେ ମନେ ମନେ ଗର୍ବିତ । ହେଲେ ତାଙ୍କ ଯାଆକୁ କିଏ ବୁଝେଇବ ? ମିଛ ଆଭିଜାତ୍ୟର ଦୁହାଇ ଦେଇ ସବୁ ଦିନେ କିଛି ନା କିଛି ଶୁଣାଏ ସେ ଶାରଦା ଦେବୀଙ୍କୁ । ସବୁ ଶୁଣି ମୁଣ୍ଡପାତି ରହି ଯାନ୍ତି କାରଣ ତାଙ୍କ ଶ୍ୱଶୁର ତାଙ୍କୁ ରାଣ ଦେଇ କହିଥିଲେ ଶାରଦାମୋ ଘରେର ଦୁଇଟା ଭାତ ହାଣ୍ଡି କରିବୁନି । ଆଜି ବି ସେ ଶ୍ୱଶୁରଙ୍କର କଥା ଅକ୍ଷର ଅକ୍ଷର ପାଳିଛନ୍ତି ।
ଛନ୍ଦା ଦେଖିବାକୁ ଯେମିତି ସୁନ୍ଦର ଗୁଣର ବି କିଛି କମ ନୁହେଁ, ନମ୍ର, ଶାନ୍ତ ଧୀର ଭକ୍ତିରେ ଭରା ହୃଦୟ ତାର । ହେଲେ ଶାରଦାଦେବୀଙ୍କୁ ଛାଡି ଦେଲେ ଆଉ କେହି ବୁଝିପାରନ୍ତିନି ବୁଝିବେ ବା କେମିତି ଖୁଡି ତ ଦିନ ରାତି ଗାଳିରେ କାଟି କୁଟି ଗଦାନ୍ତି ତାକୁ । ସେଥିପାଇଁ ଡରିକି କିଛି କୁହେନା ସେ । ସମସ୍ତେ ଶୋଇଲା ପରେ ରାତି ତାଟି କବାଟ କିଳି ଓଡିଶୀ ଡାନ୍ସ କରେ । ବହୁତ ଦିନୁ ଖୁଡିର ନଜର ତା' ପରେ ଥିଲା । ଆଜି ସେ ରିପୋର୍ଟରଗୁଡିକ ଜୋକ ପରି ତା ସହିତ ଲାଗିକି ରହିଥିଲେ । ରବୀନ୍ଦ୍ର ମଣ୍ଡପରେ ଗୋଟେ ପ୍ରତିଯୋଗିତାରେ ପ୍ରଥମ ପ୍ରାଇଜଟା ତାକୁ ମିଳିଥିଲା । ସେଥିପାଇଁ ସବୁ ଖବର କାଗଜ଼ରେ ତା ନାଁ । ଗାଆଁର ଲୋକମାନେ ଆସି ହାଜ଼ର । ତାଙ୍କ ଜମିରେ ଚାଷ କରୁଥିବା ଲୋକମାନଙ୍କର ପାଟିରେ ତାର ଗୁଣଗାନ । ହେଲେ କକା ଖୁଡି କାହିଁକି ବୁଝି ପାରୁନାହାନ୍ତି, ତାର ସେ ସମର୍ପଣ ଭାବକୁ ଓଡିଶୀ ପ୍ରତି ।
ଅତି ଶ୍ରଦ୍ଧାରେ ବାବା ତାର ମଲା ପୂର୍ବ ରୁ ତା ନା ଦେଇ ଥିଲେ ଛନ୍ଦିତା । ଛନ୍ଦର ତାଳେ ତାଳେ ସେ ଆଜି ଆତ୍ମହରା । ଦୁନିଆଁରେ କିଛି ଚାହେଁନି ସେ ଓଡିଶୀ ଛଡା । କୃଷ୍ଣ ପ୍ରେମରେ ସେ ବିଭୋର । କେତେ ଯେ ରାତି ନିଦ୍ରା ବିନା ସେ କାଟିଛି । ଓଡିଶୀର ସାଧନା କରିଛି ତା ପାରିଶ୍ରମର ଫଳ କେବେ ବି ସେ ଚାହିଁନି । ଜମିଦାର ଘରର ଝିଅ ଅମାପ ସମ୍ପତ୍ତି ହେଲେ ତାକୁ କିଛି ଦରକାର ନାହିଁ । ଖାଲି ଗୀତର ତାଳେ ତାଳେ ଗାଇବାକୁ ଆଉ ନାଚିବାକୁ ତା ପାଦ ଆଉ କଣ୍ଠ ଆତୁର । ହେଲେ ଆଜି କାହିଁକି?? ତାକୁ ସମସ୍ତେ ନାଚବାଲି କହୁଛନ୍ତି । ରାଧା ତ କୃଷ୍ଣଙ୍କ ସଙ୍ଗେ ନାଚୁଥିଲେ ସ୍ୱୟଂମ ଭଗବାନ ଯେ ନାଚକୁ ଏତେ ମାତ୍ରରେ ଭଲ ପାଅନ୍ତି ଜଗନ୍ନାଥ ମନ୍ଦିରର ଦେଵଦାସୀ ମାନେ ତ ପୁଣି କଳିଆ ଆଗରେ ନାଚୁଥିଲେ । ସେଟା କଣ ଖରାପ । ହେଲେ ମୁଁ ନାଚିଲେ କାହିଁକି ଖୁଡି କକାକୁ ଖରାପ ଲାଗେ ।
ପାଠ ପଢିବ ପାଇଁ ଜିଦ ଧରିଲା । ବହୁତ ପାଟି ତୁଣ୍ଡରେ ପାଠ ପଢ଼ା । କକା ଆଗରେ ଖୁଡି କହୁଥିଲେ ଦିନେ ରାତିରେ ଓଃ!! ଆଇଏସ ଅଫିସରେ ହବ ତ କଲେଜରେ ଝିଅକୁ ପଢେଇବେ । ତମେ ଭାଉଜଙ୍କୁ କହୁନ ତାର ବାହାଘର ଶୀଘ୍ର କରିବେ । କକା ଖାଲି ହଁ ହଁ କରୁଥିଲେ । କହିଲେ ଭାଇ ମୁଣ୍ଡ ଉପରେ ଦୁଇଟି ଦାୟିତ୍ୱ ଥୋଇଦେଇ ଯାଇଛନ୍ତି ତାକୁ କେମିତି ପାର ଉତ୍ତାର କଲେ, ସବୁ ସମ୍ପତ୍ତି ଆମ ପୁଅମାନେ ଭୋଗ କରିବେ । ଖୁଡି କହୁଥିଲା ହଁ ଝିଅକୁ ଆଗ ବାହା କରିଦେବା, ତା'ପରେ ତା ମାଆକଥା ବୁଝିବା
ଉପରେ ଉପରେ ଖୁଡିଙ୍କର ଭାରି ଗେଲ କଥା କହି ଝିଅ ଦେଖା ପୁଅ ଦେଖା କରିବାକୁ ବସିଥିଲେ । ଯୋଉ ପୁଅକୁ ତାକୁ ବାହା ଦେଇଥାନ୍ତେ ସେ ଟିକେ ପାଗଳ ବୋଲି ଶାରଦାଦେବୀ ଶୁଣିବାକୁ ପାଇଲେ । ତେଣୁ ବାହାଘରଟା ଭାଙ୍ଗି ଦେଲେ । ସେ ସେଦିନ ଠାରୁ ଦିନ ରାତି ବୋଉକୁ ଗାଳି ବୋଉ ବି କେମିତି ସେ ସବୁ ସହୁଚି କେଜାଣି । ଭଗବାନ ଗୀତାରେ କହିଛନ୍ତି ଅନ୍ୟାୟ କରିବା ଲୋକ ଠାରୁ ଅନ୍ୟାୟ ସହିବା ଲୋକ ବହୁତ ପାପୀ ହୋଇଥାଏ । ବୋଉକୁ କେତେ ଥର କହିଲିଣି ଚାଲେ ଆମେ ଏ ଘରଛାଡିକି ପଳେଇବା । ହେଲେ ବୋଉ କିଛି କହୁନି ସେ ବାବା ଗଲା ଠାରୁ ଘର ପ୍ରତି ସମର୍ପିତା । ହେଲେ ତା ସମର୍ପଣ ଭାବ କିଏ ବୁଝିବ । କକାଙ୍କର ଦୁଇଟି ପୁଅ ପୁରା ଛତରା ବାଳୁଙ୍ଗା । ଖାଲି ସମ୍ପତ୍ତିଗୁଡିକୁ ଉଡାଇ ଖାଇ ଯିବେ ।
ଗଗନ ତା ସାଙ୍ଗ। ତାକୁ ବହୁତ ସାହାଯ୍ୟ କରିଛି । ଡରରେ ସେ ଘରକୁ ଆସେନି ତାର କାଳେ କିଏ କଣ କହିଦେବ । ଗୋଟେ ଦିନ ବହୁତ ଜରୁରୀ କାମରେ ଆସିଥିଲା ଘରେ ପାଦ ଦେଇନି ସେ ଏମିତି ଗାଳି ଯେ ଦାଣ୍ଡ ଦୁଆରୁ ଚାଲିଗଲା । ଖୁଡିର ପ୍ରକାପ ଦିନକୁ ଦିନ ବଢିବାକୁ ଲାଗିଲାଣି । ଶାରଦାଦେବୀ ଯେତେ ସମର୍ପିତା ଘର ପ୍ରତି ହେଲେ କଣ ହେବ । ଏମାନେ ତାଙ୍କର ସେ ସମର୍ପଣ ଭାବକୁ ବୁଝିବେନି । ସେ ଜାଣି ପାରିଲେନି । ତେଣୁ ଆଜି ଦିଅରକୁ ଡାକେଇ କହିଲେ । ଦେଖେ ଶଙ୍କର ମୁଁ ଏତେ ପାଟି ତୁଣ୍ଡରେ ଚାହୁଁନି । ତୋ ସ୍ତ୍ରୀ ଆଉ ଆମକୁ ବାସ ଦଉନି ଏ ଘରେ ତେଣୁ ମୁଁ ଏ ଘର ଛାଡ଼ି ଯାଉଛି ମୋ ଝିଅକୁ ନେଇକି । ତାର ଚାକରି ଖଣ୍ଡେଏ ହେଇଚି ଆମେ ମାଆ ଝିଅ ଖୁସିରେ ଚାଲି ଯିବୁ । ଆଉ ରହିଲା ସମ୍ପତ୍ତି କଥା ମୁଁ ତତେ ମାଗିବିନି କି ତୁ ମତେ ଦବୁନି ତେଣୁ ମୋର ସେଥିରେ କିଛି ଯାଏ ଆସେ ନାହିଁ ।
ଆଜିକୁ ତିନିବର୍ଷ ହେବ ଘର ଛାଡ଼ି ଛନ୍ଦିତା ଆଉ ସେ ଭୁବନେଶ୍ୱରରେ ଘର ଭଡା କରି ରହୁଛନ୍ତି । ଦିନେ ବି ତାଙ୍କ ଦିଅର ଆଉ ଯାଆ ତାଙ୍କ କଥା ପଚାରିବାକୁ ଫୋନ କରିନାହାନ୍ତି । ହେଲେ ଛନ୍ଦିତା ଆଜି ଜଣେ ପ୍ରତିଷ୍ଠିତ କଳାକାର ହିସାବରେ ଓଡ଼ିଶାରରେ ନାଁ ତାର ସେ ସମର୍ପଣ ଭାବର ମୂଲ୍ୟ ଆଜି ମିଳିଛି ତାକୁ ହେଲେ ଶାରଦାଦେବୀକୁ କଣ ମିଳିଲା ଘର ପ୍ରତି ସମର୍ପିତା ହୋଇ ତାଙ୍କ ଗାଁର ଲୋକଟି ଦେଖା ହୋଇଥିଲା କହୁଥିଲା । ଶଙ୍କର ବାବୁ ଏବେ ଦାଣ୍ଡର ଭିକାରୀ । ତାଙ୍କ ପୁଅ ମାନେ ସବୁ ସମ୍ପତ୍ତି ବିକ୍ରି କରି ଆଜି ତାଙ୍କୁ ସର୍ବସ୍ୱାନ୍ତ କରି ଦେଇଛନ୍ତି । ଏ କଥାଟି ଶୁଣି, ଶାରଦାଦେବୀଙ୍କର ମନ ଦୁଃଖ ହେଇ ଥିଲା ହେଲେ ସେ ସେତେବେଳେ କହିଥିଲେ ସବୁ କର୍ମର ଫଳ ।
