Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ସମ୍ପର୍କର ସେତୁ

ସମ୍ପର୍କର ସେତୁ

3 mins
365


ଆମ ଗାଆଁ ଠାରୁ ଅଳ୍ପ କିଛି ବାଟ ପୁରୁଷୋତ୍ତମପୁର । ରଘୁନାଥବାବୁ ମୋର ଖୁବ ଜଣାଶୁଣା, ଆମେ ଦୁହେଁ ଷଷ୍ଠ ଶ୍ରେଣୀରୁ ଏକାଦଶ ଯାଏ ଏକା ହାଇସ୍କୁଲ ଏବଂ କଲେଜ ମଧ୍ୟ ପଢ଼ିଛୁ, ପିଲାଟି ଦିନରୁ ଭଲ ସାଙ୍ଗ । ଉଚ୍ଚଶିକ୍ଷା ପରେ ଚାକିରୀ ବାକିରୀ ପାଇଁ ବାହାରେ ଅବସ୍ଥାନ ଘର ସ°ସାର, ଏ ମଧ୍ୟରେ ବିତିଯାଇଛି ଦୀର୍ଘ ଚାଳିଶ ବର୍ଷ । ଏଇ କିଛି ଦିନ ତଳେ ହଠାତ ହରିପୁର ବଜାରରେ ଭେଟ ହେଲା ରଘୁନାଥଙ୍କ ସହିତ । ଖୁବ ଖୁସି ଲାଗିଲା, ବହୁ ସମୟ ପର୍ଯ୍ୟନ୍ତ ଗପ ହେଲା । ପ୍ରାୟ ଫୋନ ଯୋଗେ ଆମ ଦୁହେଁ କଥାବାର୍ତ୍ତା ହେଉ,ଓ ସନ୍ଧ୍ୟାବେଳେ ଚାଲି ଚାଲି ଖରସ୍ରୋତା ନଦୀ କୂଳ ଆଡ଼େ ବୁଲିଯାଉ ।

ଏଇ କିଛି ବର୍ଷ ତଳେ ନିର୍ମିତ ହୋଇଥିବା ପୋଲଟିକୁ ଦେଖି ଆମ କଲେଜ ଯିବା ସମୟର କଥା ମନେ ପଡିଯାଏ । ସେତେବେଳେ ପୋଲ ତ ନଥିଲା, ପଟୁଆ ଡଙ୍ଗାରେ ଉଭୟ ଖରସ୍ରୋତା ଏବଂ ବୁଢ଼ା ନଈ ପାର ହୋଇ ଯିବାକୁ ପଡୁଥିଲା । କଥାରେ ଅଛି ଏକା ନଈ ଷାଠିଏ କୋଷ । କୋମଳ ମତି କୈଶୋର ଅବସ୍ଥାରେ ନିଜ ନିଜ ସାଇକେଲକୁ ନଈ ବାଲିରେ ଠେଲି ଠେଲି ଡ଼ଙ୍ଗା ଉପରେ ଚଢ଼ା ଉତରା ଭାରି କଷ୍ଟ ଲାଗେ । ବର୍ଷା ପବନ ହେଲେ ତ କଥା ଆହୁରି ବଳିପଡେ । ନାଉରୀ ଡ଼ଙ୍ଗା ଫିଟାନ୍ତି ନାହିଁ । ଆମକୁ ଗୋଟାପଣେ ତିନ୍ତି ଭିଜି ଅସହାୟ ଅବସ୍ଥାରେ ନଈକୂଳ ଆମ୍ବଗଛଟି ମୂଳେ ଆଶ୍ରୟ ନେବାକୁ ପଡେ । ପାଗ ଟିକିଏ ଫର୍ଚ୍ଚା ହେଲେ ବିଚରା ନାଉରୀ ଫୁସି ଓ ଗନ୍ଧର୍ବ ଭାଇ ଆସିଯାଆନ୍ତି ପାର୍ କରି ଦେବାକୁ । ପିଲାଟି ମାନେ କେତେ କଷ୍ଟ ପାଇଲେଣି ବୋଲି ହାଇପି ସାଇପି ହୋଇ ପଡନ୍ତି ।

ତାଙ୍କ କେଇପଦ କଥାରେ ଆମ ପ୍ରାଣରେ ଜୀବନ ସଞ୍ଚାର ହୁଏ । ଉଭୟ ରଘୁନାଥ ଏବଂ ମୁଁ ଉଭୟ ଏବେ ସେବା ନିବୃତ୍ତ, ଗାଆଁ ଛାଡି ସହରକୁ ଯିବା ଏବଂ ସହର ଛାଡ଼ି ଗାଆଁରେ ରହିବାକୁ ପରିସ୍ଥିତି ଦୃଷ୍ଟିରୁ ଏକ ପ୍ରକାର ବାଧ୍ୟ ହୋଇଛୁ । ସମୟ ସହିତ ବହୁତ ବଦଳି ଯାଇଛି ସମାଜର ଚିତ୍ର । ରଘୁନାଥ କିଛି କଥା ଗୋପନ ରଖନ୍ତିନି ।ମନ ଖୋଲି କହନ୍ତି ତାଙ୍କ ପୁଅ ଝିଅଙ୍କ ବିଷୟରେ । ତାଙ୍କ ସରକାରୀ ଚାକିରୀର ସ୍ୱଳ୍ପ ଦରମାରେ ସେ ବହୁ କଷ୍ଟରେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦୀକ୍ଷା ବି ଦେଲେ । ପିତାମାତାଙ୍କ ଅକ୍ଳାନ୍ତ ପରିଶ୍ରମ, ତ୍ୟାଗ ଓ ତପସ୍ୟା ଫଳରେ ଉଭୟ ଭଲ ପଦ ପଦବୀରେ ପ୍ରତିଷ୍ଠିତ ମଧ୍ୟ ହୋଇ ପାରିଛନ୍ତି, ଭଲ ରୋଜଗାର କରୁଛନ୍ତି ।

ସେମାନଙ୍କର ବିବାହ ଆଦି ସମ୍ପାଦନ କରି ସାରିବା ପରେ ହଠାତ କିନ୍ତୁ ତାଙ୍କୁ ଆଉ ସହରରେ ରହିବାକୁ ଭଲ ଲାଗିଲାନି ।ଏବେକା ସମୟରେ ପରିବାରର ଆକାର ଖୁବ କ୍ଷୁଦ୍ର ରହିବା ପିଲାଏ ବେଶୀ ପସନ୍ଦ କରୁଛନ୍ତି ।ସେମାନେ ବୟସ୍କ ମାତାପିତାଙ୍କ ଦାୟୀତ୍ୱକୁ ବୋଝ ମନେକରିବା ପୂର୍ବରୁ ନିଜେ ସ୍ୱଚ୍ଛନ୍ଦତାର ସହିତ ନିଜ ଜନ୍ମମାଟିରେ ଅବଶିଷ୍ଟ ଜୀବନ ଅତିବାହିତ କରିବା ସବୁ ଦୃଷ୍ଟିରୁ ଭଲ, ନିଜ ପ୍ରିୟ ସନ୍ତାନମାନଙ୍କ ପାଇଁ ବି ମଙ୍ଗଳକର ବୋଲି ତାଙ୍କର ବିଶ୍ୱାସ ।

  ରଘୁନାଥ କହି ଚାଲନ୍ତି, କିପରି ତାଙ୍କ ଛୋଟ ଗାଆଁଟିରେ ବାର ମାସରେ ତେର ପର୍ବ ଖୁବ୍ ଧୂମଧାମରେ ପାଳିତ ହୁଏ ।ତାଙ୍କ ପୂର୍ବ ପୁରୁଷରୁ ରହିଥିବା ଇଷ୍ଟଦେବ ଶ୍ରୀ ରାଧା ଗୋପୀନାଥଙ୍କ ମଠ, ଭିନ୍ନ ଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ପୂଜାପାଠ, ଭଜନ କୀର୍ତ୍ତନ, ଶାରଦୀୟ ଦୁର୍ଗାପୂଜାର ଆୟୋଜନ,ଦଶହରା ଭସାଣି, ଦୋଳ ମେଲଣ ମନରୁ ସବୁ ଦୁଃଖ ଶୋକ ଭୁଲାଇ ଦେଉଛି ।ଏଇ କିଛି ଦିନ ହେଲାତ ନିୟମିତ ସନ୍ଧ୍ୟାରେ ଭାଗବତ ଟୁଙ୍ଗୀକୁ ଯାଇ ସେ ଭାଗବତ ବି ପଢ଼ୁଛନ୍ତି, ଶୁଣୁଛନ୍ତି । ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଏବଂ ଦିନକୁ ଦିନ ଗ୍ରାମର ବହୁ ପୁରାତନ ଐତିହ୍ୟ ବହନ କରୁଥିବା ମେଲଣ ଏବଂ ପଡିଆର ଉନ୍ନତି ପାଇଁ ସେ ସକ୍ରିୟ ସହଯୋଗ ମଧ୍ୟ କରୁଛନ୍ତି । କୃଷି ଉତ୍ପାଦନ, ପ୍ରକ୍ରିୟାକରଣ ଓ ବିପଣନର ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କିପରି ପ୍ରକୃତରେ ଗୋଷ୍ଠୀ ଉନ୍ନୟନ ତ୍ୱରାନ୍ୱିତ ହୋଇପାରିବ, ସମାଜରେ ଗରିବୀ ସୀମାରେଖା ତଳେ ରହିଥିବା ଲୋକମାନଙ୍କର ଅର୍ଥନୈତିକ ଉନ୍ନତି ହୋଇପାରିବ, ସେମାନେ ସ୍ୱାବଲମ୍ବୀ ହେବେ ଏ ପ୍ରକଳ୍ପ ସାକାର କରିବାର ଉପାୟ ସମ୍ବନ୍ଧରେ ଉଦ୍ୟମ ଚଳାଇଛନ୍ତି । ସବୁ ଠିକଠାକ ଚାଲିଛି, ଶାନ୍ତି ମିଳିପାରୁଛି ।

  ସେ ମନେ ମନେ ଭାବିଥିଲେ, ବୟସ ତ ବଢ଼ିବାରେ ଲାଗିଛି,ବିଭିନ୍ନ ରୋଗ ମହାମାରୀ ଯେମିତି ଘାରୁଛି, ସେ ଆଉ କେବେ ବି ସହରକୁ ଯିବେ ନାହିଁ । କିନ୍ତୁ ହଠାତ କିଛି ଦିନ ତଳେ ଖୁବ୍ ଅସୁସ୍ଥ ହୋଇ ପଡିଲେ ସେ । ମଧୁମେହ ଯୋଗୁ ରକ୍ତରେ ଶର୍କରା ପରିମାଣ ଅଧିକ ହୋଇଗଲା, ତା ସହିତ ପ୍ରବଳ ଭାଇରାଲ ଜ୍ଜ୍ୱର । ମୋଟେ ଛାଡିଲା ନାହିଁ । ରଘୁନାଥଙ୍କ ଧର୍ମପତ୍ନୀ ସୁଚେତା ଦେବୀ ଚିନ୍ତିତ ହୋଇପଡିଲେ । ଘରେ ଖିଆ ପିଆ ରୋଷେଇବାସ ବନ୍ଦ ହୋଇଗଲା । ପୁଅର କର୍ମ ବ୍ୟସ୍ତତା ଅଧିକ ଏବଂ ତାକୁ ଖବର ଜଣାଇବାକୁ ଚାହୁଁନଥିଲେ ସେ । କିନ୍ତୁ ଦୂର ସହରରେ ଥିବା ପୁଅର ମନ ହଠାତ ବିଚଳିତ ହୋଇ ଉଠିଲା । ଫୋନ କରି ତା ମାଆଠୁ ଯେତେବେଳେ ବାପାଙ୍କ ଅସୁସ୍ଥତା କଥା ଶୁଣିଲା, ଭୋ ଭୋ ହୋଇ କାନ୍ଦି ପକାଇଲା । ଟିକିଏ ବିଳମ୍ବ ନ କରି ଏକାକୀ ପାଞ୍ଚଶହ କିମି ରାସ୍ତା ଗାଡି ଚଳାଇ ଆସି ପହଞ୍ଚିଗଲା ଗାଆଁରେ । ସାଙ୍ଗରେ ବାପାଙ୍କୁ ନେଇ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା କରିବା ସହିତ ଅଉଷଧ ପତ୍ର ଫଳମୂଳ କିଣି ଆଣିଲା । ସଙ୍ଗରେ ବାପା ମାଆଙ୍କୁ ନିଜ ପାଖକୁ ଧରିଆଣି ଉତ୍ତମ ଚିକିତ୍ସା ପାଇଁ ବ୍ୟବସ୍ଥା କଲା ।

ବନ୍ଧୁ ରଘୁନାଥଙ୍କ ଅଳ୍ପ କିଛି କଥା ଓ ଅନେକ ଅକୁହା ବ୍ୟଥା ଶୁଣି ମୋ ଆଖି ଛଳଛଳ ହୋଇ ଉଠିଲା । ସନ୍ଧ୍ୟା ସମୟ ଗଡି ଯିବାରୁ ନଦୀ ଉପରେ କଙ୍କ୍ରିଟ ସେତୁଟି ଝାପ୍ସା ଝାପ୍ସା ଦିଶୁଥିଲା । ମନେ ମନେ ଭାବୁଥିଲି ଆଧୁନିକ ଶିକ୍ଷା ସହିତ ଆମ ପୂର୍ବ ସ°ସ୍କାର ସ°ସ୍କୃତି ଓ ସମ୍ପର୍କର ସେତୁ ଯଦି ଅକ୍ଷୁର୍ଣ୍ଣ ରହି ପାରନ୍ତା, ଏ ସୃଷ୍ଟି ସତରେ ସ୍ୱର୍ଗ ସମାନ ହୋଇପାରନ୍ତା ।



Rate this content
Log in

Similar oriya story from Tragedy