ସମ୍ପର୍କର ପରିଭାଷା
ସମ୍ପର୍କର ପରିଭାଷା


- ସମ୍ପର୍କ କହିଲେ ସାଧାରଣତଃ ସ୍ବାମୀ ସ୍ତ୍ରୀ, ପ୍ରେମିକ ପ୍ରେମିକାର ଭଲପାଇବାକୁ ପ୍ରାୟ ସମ୍ପର୍କ ବୁଝାଇଥାଏ। ଲୋକମାନେ କିନ୍ତୁ ଭଲ ପାଇବାର ଅସଲ କାରଣ ଭୁଲି ଯାଇଛନ୍ତି, ସେଥିପାଇଁ ବୋଧେ ସମ୍ପର୍କ ଭଲଭାବେ ଯୋଡି ହବା ପୂର୍ବରୁ ଭାଙ୍ଗି ଯାଉଛି ।
- ସମ୍ପର୍କ ଭାଙ୍ଗିବାର ବହୁତ ଗୁଡାଏ କାରଣ ହୋଇପାରେ - ୧. ମନ ଅଲଗା ୨. ଭାବ ଅଲଗା ୩. ଭାବଧାରା/ଚିନ୍ତାଧାରା ଅଲଗା ୪. ସୁନ୍ଦର ଜୀବନ ସହିତ ଖାପଖୁଆଇ ନ ପାରିବା / ଆର୍ଜଷ୍ଟ ନ ହୋଇ ପାରିବା ୫. ପରିବେଶ/ପରିସ୍ଥିତି ଇତ୍ୟାଦି ଏଭଳି ଅନେକ ଗୁଡିଏ କାରଣ ରହିଛି ସମ୍ପର୍କ ଯୋଡିବା ଓ ଭାଙ୍ଗି ବାରେ ।
- ସଂସାର ରୂପକ ସାଗରରେ ଜୀବନ ରୂପକ ଡଙ୍ଗାକୁ ଠିକ୍ ଭାବରେ ବାହି ପାରିଲେ , ଜୀବନ ସୁନ୍ଦରମୟ ସୁଖମୟ ଆନନ୍ଦମୟ ହୁଏ। ଯଦି ମନଭାଙ୍ଗି ଯାଏ ସନ୍ଦେହ ସୃଷ୍ଟି ହୁଏ । ସନ୍ଦେହ ସୃଷ୍ଟି ହେଲେ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଫାଟ ଆସେ ଏବଂ ବିଶ୍ଵାସ ରହେନାହିଁ ସମ୍ପର୍କ ଧିରେ ଧିରେ ଭାଙ୍ଗିଯାଏ ।
- କୌଣସି ଏକ କାମରେ ସେଦିନ ବୁଗୁଡ଼ା ଥାନାକୁ ଯାଇଥାଏ । ବଡ ବାବୁଙ୍କୁ ଅପେକ୍ଷାରତ । ଛୋଟିଆ ପିଲାଟି କାରାଗାର ଆଡକୁ ଯାଉଥାଏ ପୁଣି ଭୟତ୍ରସ୍ତ ଅବସ୍ଥାରେ ମାଆ ପାଖକୁ ଫେରି ପଳାଇ ଆସୁଥାଏ , ମାଆର ପଣତ କାନି ଘୋଡାଇ କିଛି ସମୟ ନିରବ ରହିଯାଉଥାଏ ।
- ଦୃଶ୍ୟଟି ଦେଖିବାକୁ ଯେତିକି ସୁନ୍ଦର ଏବଂ ଭାବାବେଗ ଲାଗୁଥାଏ ତାର ରହସ୍ୟ ଉନ୍ମୋଚନ କରିବାକୁ ସେତିକି ବ୍ୟାକୁଳତା ଲାଗୁଥାଏ ।
- ନମିତା ସଂସାରର ଚାରି ଦଉଡି କାଟି, ଚାରି ଦଉଡି କହିଲେ ତ ହେବ ନାହିଁ । ପୁଅ ସିନା ଚାରି ଦଉଡି କଟା କିନ୍ତୁ ଝିଅଟି ସଂସାରର ସମସ୍ତ ବନ୍ଧନ ଛିନ୍ନ କରି ଅର୍ଥାତ୍ ଷୋଳହ ଦଉଡି କାଟି ନରି ଗୌଡ ସାଥିରେ ଘରୁ ଗୋଡ କାଢି ପଳାଇ ଆସିଥିଲା ।
- ବାପା ମାଆଙ୍କୁ ନ ଜଣାଇ ଆସି ଥିବାରୁ, ସମାଜର କଳଙ୍କ ଦୃଷ୍ଟିରୁ ଆମ ପାଇଁ ଆମର ଝିଅ ନମିତା ସବୁଦିନ ମରିଗଲା ବୋଲି ଅନୁଭବ କରି ନମିତାର ବାପାମାଆ ସମସ୍ତ ସମ୍ପର୍କ ଛିନ୍ନ କରିଦେଲେ ।
- ଏପଟେ ନରି ଗୌଡ ନମିତାକୁ କିଛି ଦିନ ଭୁବନେଶ୍ଵରରେ ରଖିଲା । କାମଦାମ କଲା ଯାହା ରୋଜଗାର କରେ ଦୁଇ ପ୍ରାଣୀ ଆନନ୍ଦରେ ଚଳନ୍ତି। ଭୁବନେଶ୍ବରରେ ରହିବା ସମୟରେ ନରି ଗାଆଁ କୁ ଏକାଏକା ଆସେ । ପୂର୍ବରୁ ଗାଁ ପାଖରେ ତାର ଗୋଟିଏ ଝିଅ ସହିତ ସମ୍ପର୍କ ଥିଲା । ସେ ଝିଅ ଏବେ ବି ଅବିବାହିତା ।
- ଧିରେ ଧିରେ ନମିତା ଓ ନରି ଭିତରେ ସନ୍ଦେହ ସୃଷ୍ଟି ହେଲା । ସନ୍ଦେହର ଅଡୁଆ ସୁତା ବଢିଲା, ଯାହା ଛିଣ୍ଡିଲା ନାହିଁ । ଦୁଇ ଜଣଙ୍କ ଭିତରେ ଫାଟ ଦେଖାଦେଲା ।
- ଘରସଂସାର କରିବାର ଦୁଇବର୍ଷ ପରେ ହୋଇଯାଇଥିଲା । ପୁଅଟି ସାତ ଆଠ ମାସର । ଦୁଇଜଣଙ୍କ ଭିତରେ ସାମାନ୍ୟ କଥାରେ ଯୁକ୍ତି ତର୍କ, ମନୋମାଳିନ୍ୟ । ଯେ ଯାହାର କଥାରେ ଅଟଳ । ଜଣେ ଜଣକ କଥାରେ ଯୁକ୍ତି ତର୍କ ନକରି ସହିଯିବା ଦେଖାଯାଉ ନ ଥିଲା ।
- ନମିତା ବି ଭାରି ନଖରୀ । ଗୋଟିଏ କଥାକୁ କହୁଥିବ ତ ଆଘାତ ଦେଲା ଭଳି କହୁଥିବ । ମରଦ ପୁଅ ରାଗିଲେ ଭାରି ଅସୁବିଧା, ସେକଥା ସେ ଅନୁଭବ କରିପାରୁ ନ ଥାଏ ।
- ଗୋଟିଏ ଛାତ ତଳେ ରହିବା ବୋଲି ସମାଜ, ଜାତି, ଧର୍ମ, ପରିବାର ଏ ସବୁକୁ ପଛରେ ପକାଇ ନରି ଓ ନମିତା ଜନ୍ମ ଜନ୍ମର ସାଥୀ ବନ୍ଧନରେ ବାନ୍ଧି ହୋଇଥିଲେ । ପ୍ରେମ, ସ୍ନେହ, ତ୍ଯାଗ, ସହାନୁଭୂତି, ସମର୍ପଣ ଦୁଇ ଜଣଙ୍କୁ ଏକାଠି ବେଶୀ ଦିନ ରଖି ପାରୁ ନ ଥାଏ ।
- ହଠାତ୍ ଦିନେ ନମିତାର କଥାରେ ଉତ୍ୟକ୍ତ ହୋଇଗଲା ନରି । ନମିତା ଧରିଥିବା ପ୍ରେସର କୁକରର ଢାଙ୍କୁଣୀଟି ଛଡାଇ ଆଣି ନମିତାର ମୁଣ୍ଡକୁ ପିଟିଦେଲା । ନମିତାର ମୁଣ୍ଡରୁ ରକ୍ତ ଗୁଡିକ ବୋହି ଯାଉଥାଏ ।
- ଏ ସବୁ ଦୃଶ୍ୟ ଗୁଡିକ ବାଳୁତ ପୁଅଟି ଦେଖୁଥାଏ । ସେ ଅବା କ'ଣ ଜାଣେ ? କିନ୍ତୁ ମାଆର କାନ୍ଦିବାଟା ବୋଧହୁଏ ଅନୁଭବ କରିପାରୁଥାଏ । ଆମର କାନ୍ଦିବା ଉପରେ ବାପା ଉପରେ କ୍ରୋଧାନ୍ୱିତ ହେବାର ଭାବ ଜଣା ପଡୁଥାଏ ।
- ନମିତା ନିଜର ସ୍ବାମୀ ନରିକୁ ଉଚିତ୍ ଶିକ୍ଷା ଦେବା ପାଇଁ ରକ୍ତାକ୍ତ ଅବସ୍ଥାରେ ଥାନାରେ ହାଜର । ଥାନା ବାବୁ ଦେଖି ସମସ୍ତ ବିଷୟ ଶୂଣିବା ପରେ ସଙ୍ଗେ ସଙ୍ଗେ ଗାଡି ପଠାଇ ନରିକୁ ଆରେଷ୍ଟ କରି ଧରି ଆଣିଲେ । ନରିକୁ କାରାଗାରରେ ରଖିଲେ । ଯେ ଯାହାର ଦୋଷ ଅନ୍ୟ ଉପରେ ଲଦିଲେ ।
- ଦୁଇ ଜଣଙ୍କ ମଧ୍ଯରୁ କେହି ଆପୋଷ ବୁଝାମଣା ହେବାକୁ ଇଚ୍ଛା କଲେ ନାହିଁ । ଦୁଇଦିନ ବିତିଗଲା, ନିଜ ରକ୍ତରେ ଗଠିତ ଛୁଆ ଥାନା ଭିତରେ ଅଣ ନିଶ୍ବାସୀ ହୋଇପଡୁଥାଏ । କିଛି ସମୟ ବାପା ଆଡକୁ ଯାଉଥାଏ - ବାପା କାଳେ ମାଆକୁ ବାଡେଇଲା ଭଳି, ବାଡେଇ ଦେବ । ଏହି ଭୟରେ ପଳାଇ ଆସେ ! ! ଏପଟେ ଥାନା ବାବୁ ଦିନ ଗଡାଇବାର ଲାଗିଥାନ୍ତି ସିନା ନରିକୁ ଫରଓ୍ବାଡ୍ କରିବାକୁ ଇଚ୍ଛା କରୁ ନ ଥାନ୍ତି ।
- ଶେଷରେ ମହିଳା ସହକାରୀ ଥାନା ଅଧିକାରୀ ଦୁଇଜଣଙ୍କୁ ଡାକି ଧମକ ଚମକ ଦେଇ ବୁଝାଇ ସୁଝାଇ, କେଶ୍ ନ କରି ଏକାଠି ରହିବାକୁ ପରାମର୍ଶ ଦେଲେ । ରାଜି ନ ହେଲେ ନରିକୁ ଜେଲ୍ ପଠାଇ ଦେଲେ ତୁ କିପରି ଚଳିବୁ ବୋଲି ନମିତାକୁ ପ୍ରଶ୍ନ କରିଥିଲେ ?
- ପୁଅର ମୁହଁକୁ ଦୁଇଜଣଯାକ ଚାହିଁ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ । ଥାନାରେ ନରି ଆଉ କେବେ ସ୍ତ୍ରୀ କୁ ବାଡେଇବି ନାହିଁ ବୋଲି ଲେଖି କରି ଆସିଲା । ଥାନାରେ ଥାନା ବାବୁ ନରିକୁ ପରାମର୍ଶ ଦେଇଥିଲେ ସ୍ତ୍ରୀ ର ହାତ ଧରି ପୁଅକୁ ସାଥିରେ ନେଇ ଘରକୁ ଯାଆ ! ! !
- ସମ୍ପର୍କରେ ଯେପରି ଆଉ କେବେ ଅଭେଦ ସୃଷ୍ଟି ନ ହୁଏ ସେଥିପ୍ରତି ଦୁଇ ଜଣ ଯାକ ସତର୍କ ରହିବାକୁ କହିଥିଲେ । ଦୁଇଜଣ ଯାକ ତିନି ଦିନ ପରେ ଥାନାରୁ ମୁକ୍ତି ପାଇଥିଲେ ।
- ସମ୍ପର୍କ ଭାଙ୍ଗିଯିବା ଅତି ସହଜ କିନ୍ତୁ ବିଶ୍ବାସର ସମ୍ପର୍କ ଯୋଡ଼ିବା ଏତେ ସହଜ ନୁହେଁ । ସ୍ବାମୀ ସ୍ତ୍ରୀ ପ୍ରତ୍ୟେକଟି କାର୍ଯ୍ୟରେ, ପ୍ରତ୍ୟେକଟି କଥାରେ ପରସ୍ପରକୁ ସମ୍ମାନ ଜଣାଇବା ଏବଂ ଉଭୟଙ୍କର ସମ୍ମତି ରହିବା ଭଳି କାର୍ଯ୍ୟ କରିବା ଉଚିତ୍ ।
- ପତିପତ୍ନୀଙ୍କ ମଧ୍ଯରେ ଗଭୀର ସ୍ନେହ, ପ୍ରେମ, ବିଶ୍ବାସ, ଭରସା, ସମ୍ମାନ, ପରସ୍ପର ପ୍ରତି ସମର୍ପିତ ଭାବ ହିଁ ସମ୍ପର୍କର ବା ସୁଖଦାମ୍ପତ୍ୟ ଜୀବନର ମୂଳ ଉତ୍ସ । ତେଣୁ ଉଭୟଙ୍କ ମଧ୍ୟରେ ମଧୁର ସମ୍ପର୍କ ରହି ଜୀବନ ରୂପକ ଡଙ୍ଗାକୁ ସଂସାର ରୂପକ ସାଗରରେ ବାହିଲେ ମଙ୍ଗଳମୟ ହେବ ......