ସମ୍ପର୍କର କର୍କଟ କ୍ରାନ୍ତି

ସମ୍ପର୍କର କର୍କଟ କ୍ରାନ୍ତି

4 mins
342



  "ଅସହାୟ କ୍ୟାନସର ରୋଗୀକୁ ଛାଡି ପଳାଇଲେ ପରିବାର ଲୋକେ"


ଶିରୋନାମାରେ ବାହାରିଥିବା ସମ୍ବାଦଟି ଖବରକାଗଜରେ ପଢି ହତବାକ ହୋଇଯାଇଥିଲା ସୁଦାମ।

ଫଟରେ ଥିବା ସ୍ତ୍ରୀ ଲୋକଟି ତ ମିନୁଅପା।ତାରି ବଡ଼ ଭଉଣୀ ମିନୁଅପା।


- ଏଇ ଶୁଣୁଛ, ମିନୁ ଅପାକୁ ଦିଲୀପ ଭାଇ ଓ ତାଙ୍କ ଘର ଲୋକ ହସ୍ପିଟାଲ ବାରଣ୍ଡାରେ ଛାଡି ପଳେଇଛନ୍ତି।କେଡ଼େ ଅମଣିଷ ଏମାନେ !ଛିଃ, ଧର୍ମ ସହିବ ଏମାନଙ୍କୁ ?ମୁଁ ଯାଉଛି କଟକ।"


  ସ୍ତ୍ରୀ କନକ ରୋଷେଇ ଘର ଭିତରୁ ବାହାରି ଆସି କହିଲା,"ଖବରଦାର କହିଦେଉଛି, ତାଙ୍କ ଘର କଥାରେ ମୁଣ୍ଡ ପୁରାଇବାକୁ ତମେ କିଏ ?ସେମାନେ ମଣିଷ କି ଅମଣିଷ ସେକଥା ଜାଣି ଆମର କି ଲାଭ ?

- ଆମ ନିଜ ଭଉଣୀ....


 ସୁଦାମ କଥାରେ ବାଧା ଦେଇ କନକ କହିଲା,"ଆହାରେ ,ମୋର ନିଜର ;ତମର ପରା ଆଉ ଦୁଇଟା ଚାକିରିଆ ଭାଇ ଅଛନ୍ତି।ମାସକୁ ହଜାର ହଜାର ଟଙ୍କା ରୋଜଗାର, ସହରରେ କୋଠା ବାଡେଇ କାର ଚଢି କେତେ ଅୟସରେ ଅଛନ୍ତି।ଭଲ ପାଠଶାଠ ପଢିଲ ନାହିଁ ବୋଲି ତମେ ଗାଁରେ ବେକାର ହୋଇ ବସିଛ। କଣ ଅଛି ତମର ?ରହିବାକୁ ଦୁଇ ବଖରା ଚାଳ ଘର ଓ ବିଲରୁ ମିଳୁଥିବା ଧାନ ,ଚାଉଳ ଯାହା ବର୍ଷକ ବି ଅଣ୍ତୁନି ?ବିପିଏଲ ଚାଉଳ ମିଳୁଛି ବୋଲି ଚଳିଯାଉଛେ।ଇନ୍ଦିରା ଆବାସ ଘର ପରା ଛାତ ପକେଇ ପାରୁନ ?ସ୍ତ୍ରୀ,ପୁଅଙ୍କ ଖର୍ଚ୍ଚ ପାଇଁ ତମ ପାଖରେ ପଇସା ନାହିଁ ବୋଲି ସିଲେଇ ମେସିନ ପକେଇଛି ମୁଁ।ସେଥିରେ କଣ ନା ନିଜ ଭଉଣୀ ?ତମ ଦୁଇ ଭାଇଙ୍କୁ ଫୋନ କରି କୁହ ,ଭଉଣୀ କଥା ବୁଝିବେ।"


  ମୁହଁର ଝାଳକୁ ଗାମୁଛାରେ ପୋଛି କିଛି ଚିନ୍ତା କଲା ସୁଦାମ।ଅଭାବୀ ମଣିଷର ବ୍ୟବହାର ବି ବେଳେବେଳେ ବିଚିତ୍ର ହୋଇପଡେ।ସ୍ବାର୍ଥପର ହୋଇ ମଣିଷ କେଵଳ ନିଜ କଥା ଚିନ୍ତା କରେ।ପାରିବାରିକ ସମ୍ପର୍କ,ବନ୍ଧନ ମୂଲ୍ୟହୀନ ହୋଇଯାଏ।


 ତାରି ଚାଳଘର ସାମ୍ନାରେ ଦୁଇ ଭାଇଙ୍କ ବନ୍ଦ ପଡିଥିବା କୋଠାଘର।ବର୍ଷରେ ଥରେ ଦୁଇଥର ଆସିଲେ ରୁହନ୍ତି।ସାନ ଭାଇ ଟା ଚାଳ ଘରେ କେମିତି କଷ୍ଟରେ ରହୁଛି,ଅଥବା ତା ପାଇଁ ବଖୁରାଏ କୋଠାଘର କରିଦେବାକୁ ସେମାନଙ୍କ ମନ ହୁଏନା।

 ସୁଦାମ ଫୋନ ଲଗାଇଲା ବଡ଼ ଭାଇଙ୍କୁ ।


-ରାଜୁ ଭାଇ,ହସ୍ପିଟାଲ ଯାଇ ଅପାକୁ ଟିକେ ତମ ଘରକୁ ନେଇଯାଅନ୍ତନି ?ଖବରକାଗଜ ରେ ଫଟ ଦେଖିଲଣି ?ବିଚାରୀ ଏକୁଟିଆ ବାରଣ୍ଡାରେ ପଡ଼ିଛି।"


 ସେପଟୁ ବଡ଼ଭାଇଙ୍କ ସ୍ବର,"ଆରେ ଆଗରୁ ତ ଅପାକୁ ଦୁଇଥର ଦେଖିବାକୁ ଯାଇ ପାଞ୍ଚହଜାର ଟଙ୍କା,ଫଳ,ହର୍ଲିକ୍ସ ଦେଇକି ଆସିଥିଲି।ଏ ରୋଗ ତ ଏମିତି।ଅଳ୍ପଦିନ ଆୟୁଷ ତାର।ତା ପରିବାର ଲୋକେ ଦାୟିତ୍ୱ ନେବା କଥା।"

- ଅପା କଣ ଆମ ପରିବାରର ନୁହେଁ ଭାଇ?"

 - ତୋ ଭାଉଜର ତ ଅଣ୍ଟା ଧରିଛି ବୋଲି ଆମେ ହଇରାଣ। ମୋ ଦେହ ବି ଭଲ ରହୁନି।ଝିଅର ମେଡିକାଲ କଲେଜରେ ଆଡ଼ମିସନ।ପୁଅର ଏମବିଏ ପାଠପଢା ଖର୍ଚ୍ଚ।ବ୍ୟାଙ୍କରୁ ଲୋନ ନେଇଛି।ଆମ ଘରେ କିଏ ତା ଯତ୍ନ ନେବ? ମଝିଆଁ କୁ କହ।"


 ମଝିଆ ଭାଇ ଟୁକୁନାକୁ ଫୋନ ଲଗାଇଲା ସୁଦାମ।

- ଆରେ ମୋ ଘରେ ଜାଗା କେଉଁଠି ?ଶାଶୁ,ଶଶୁର ଦୁହିଁଙ୍କ ଦେହ ଭଲ ନାହିଁ ବୋଲି ସେମାନେ ଏଇଠି।ତୋ ଭାଉଜ ଓ ମୁଁ ଦୁହେଁ ତ ଅଫିସ, ଟୁରରେ ବ୍ୟସ୍ତ।ଘରେ ରହି କିଏ ଅପାର ଯତ୍ନ ନେବ ?ତୁ ରହୁଛୁ ଘରେ ,ନେଇଯାଉନୁ ?ତା ଛଡ଼ା ଅପାର ଲାଷ୍ଟ ଷ୍ଟେଜ।ବେକ ପାଖ ଘା'ରେ କାଳେ ପୋକ ହୋଇ ଗଲେଣି ବୋଲି ତା ଘର ଲୋକ ଛାଡି କି ପଳେଇଛନ୍ତି।ସରକାରୀ ହସ୍ପିଟାଲ ବାଲା ବି କି ଅଦ୍ଭୁତ କେଜାଣି ?ରୋଗୀର ଯତ୍ନ ନ ନେଇ ମିଡିଆ ବାଲାଙ୍କୁ ସୁଯୋଗ ଦେଉଛନ୍ତି।"


ଫୋନ ସୁଇଚ ଅଫ ହୋଇଗଲା ଭାଇ'ର।


  ଛାତି ଭିତରଟା କଣ ହୋଇଯାଉଥିଲା ସୁଦାମର।ବଡ଼ ଭଉଣୀ ହିସାବରେ କେତେ ସ୍ନେହ ଶ୍ରଦ୍ଧା ସମସ୍ତଙ୍କୁ କରେ ମିନୁ ଅପା ?ଭାଇ ମାନଙ୍କର କିଛି ହୋଇଗଲେ ଓପାସ ବ୍ରତ କରେ।ସବୁ ଭାଇଙ୍କ ପିଲାପିଲି ହେଲାବେଳେ ଆଗେ ହାଜର।ସେଇ ଅପା ଆଜି ଏକୁଟିଆ! 

 

   ସୁଦାମ ମନେ ପକାଉଥିଲା ପିଲାବେଳ କଥା।ଛୋଟ ବେଳେ ସୁଦାମ, ନଈ ସୁଅରେ ଥରେ ଭାସି ଗଲା ବେଳେ ମିନୁ ଅପା ନିଜ ଜୀବନକୁ ଖାତିର ନକରି ପାଣିକୁ ଡ଼େଇଁ ତାକୁ ଉଦ୍ଧାର କରି ଜୀବନ ବଞ୍ଚାଇଥିଲା।ଗରମ ତେଲ ପଡି ହାତ ଓ ଛାତି ଫୋଟକା ହୋଇଯାଇଥିଲା ବୋଲି ରାତି ରାତି ନଶୋଇ ସେବା କରିଥିଲା ମିନୁ ଅପା।କେତେ କାଖେଇ କୋଲେଇଛି !ଆଉ ଆଜି....।ସ୍ବାର୍ଥପରତାର ଗୋଟେ ସୀମା ଥାଏ।ଅମଣିଷ ହୋଇ ବଞ୍ଚିବା ଅପେକ୍ଷା ମରିଯିବା ବରଂ ଭଲ।ମିନୁ ଅପାକୁ ସେ ଏଭଳି ଅବସ୍ଥାରେ ଛାଡିପାରିବ ନାହିଁ।


- ମୁଁ ଯାଉଛି ଅପାକୁ କଟକରୁ ଘରକୁ ନେଇ ଆସିବି।ଆମ ସହ ଶାଗ ଭାତ ଖାଇବ ଅପା।

ଯେତେଦିନ ଆୟୁଷଥିବ ବଞ୍ଚିବ।ହେଲେ ଏମିତି ଅନାଥ ଭଳି କାହିଁକି ପଡିବ ମୋ ଅପା ?


- ତାଙ୍କ ସେବା କରିବ କିଏ ?ଇୟେ ଜର ଥଣ୍ଡା ହୋଇନି ଯେ ଭଲ ହୋଇଯିବ।ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ଏ ରୋଗରେ।

ଚିକିତ୍ସା ପାଇଁ ଟଙ୍କା କେଉଁଠୁ ଆଣିବ ?ତମ ଭଉଣୀ ନା ତମ ସ୍ତ୍ରୀ ପୁଅ,କିଏ ଏ ଘରେ ରହିବ ଚିନ୍ତା କର।"କହିଲା କନକ।


  ଗୋଟେ ଦୀର୍ଘ ନିଶ୍ବାସ ନେଇ ସୁଦାମ କହିଲା,"ଟଙ୍କା କେଉଁଠୁ ହେଲେ ଯୋଗାଡ଼ କରିବି।ଅପା ପାଇଁ ଦରକାର ପଡିଲେ...

-ଏଇ ଘରଢିଅ ,ଜମି ବିକିଦେବ ? ଚଳିବ କେମିତି ଭାବିଛ?ତମ ଭାଇ ମାନଙ୍କ ଠାରୁ କିଛି ଶିଖିଲନି ?ମୁଁ ପୁଅକୁ ନେଇ ଚାଲିଲି ଆମ ଘରକୁ।"


  ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେବହସ୍ପିଟାଲ ବାରଣ୍ଡାରେ ଅସହାୟ ଅବସ୍ଥାରେ ବସିଥିବା ମିନୁଅପାକୁ ଦେଖି କାନ୍ଦି ପକାଇଲା ସୁଦାମ।


- ତୁ ଆସିଲୁ ସୁଦାମ ? ମୁଁ ଜାଣିଥିଲି କେହି ନଆସିଲେ ତୁ ଆସିବୁ।ସମସ୍ତେ କହୁଛନ୍ତି ଘର ଲୋକ ଛାଡ଼ିକି ପଳେଇଲେ। ଏଇଠି କାଳେ ଏମିତି ଅନେକ ରୋଗୀଙ୍କୁ ନିଜ ଲୋକ ଛାଡି ପଳାନ୍ତି।"

 ସୁଦାମ କଣ୍ଠଟା ବାଷ୍ପରୁଦ୍ଧହୋଇଯାଉଥିଲା।


- ଅପା,ମୁଁ ପରା ତୋ ସହିତ ଅଛି।ତୁ ବ୍ୟସ୍ତ ହଅନା।ତୋତେ ଛାଡି ମୁଁ କୁଆଡେ ଯିବିନି।"


- ରାଜୁ ଆଉ ଟୁକୁନା ଆସିଲେନି ?

 ଚୁପ୍ ରହିଲା ସୁଦାମ।କଣ କହିବ ସେ ?


- ମୁଁ ଭାବୁଥିଲି ମୋତେ କ୍ୟାନସର ହୋଇଛି ବୋଲି।ହେଲେ ନିଜ ଲୋକଙ୍କ ହୃଦୟକୁ ଯେ କ୍ୟାନସର ଗ୍ରାସ କରିଛି ତାହା ଜାଣିନଥିଲି।"


 ଦୁଇଦିନ ପରେ ମିନୁ ଅପାକୁ ,ଗୋଟେ ଭଲ କ୍ଲିନିକକୁ ଆଣି ସୁଦାମ କହିଲା,"ଏଇଠି ତୁ ରହିବୁ।ତୋର ସେବା ଯତ୍ନରେ କିଛି ଅସୁବିଧା ହେବନି।ସବୁ ବ୍ୟବସ୍ଥା କରିଛି।"


- ଟଙ୍କା କେଉଁଠୁ ଆଣିଲୁ ?


- ପାଣିରୁ ପରା ତୁ ମୋତେ ଟାଣି ଆଣିଥିଲୁ ପରା? ତୋରି ପାଇଁ ଆଜି ମୁଁ ବଞ୍ଚିଛି ଅପା।ମୋର ଗୋଟେ କିଡନୀ ବଦଳରେ ତୋର ସବୁ ସୁବିଧା ହୋଇଯିବ।ଡାକ୍ତର କହିଛନ୍ତି ପୁଣି ଅପରେସନ ହେବ ତୋର।ଲାଇଟ ପକେଇ କ୍ୟାନସର ଜୀବାଣୁକୁ ପୋଡି ଦେବେ।ପିଲାଦିନେ ଯେମିତି ବିଲ କଙ୍କଡାକୁ ପୋଡୁଥିଲେ ଆମେ?ତୁ ଜମାରୁ ଡର ନା।"


 ସୁଦାମକୁ କୁଣ୍ଢାଇ ପକାଇ ମିନୁ ଅପା କାନ୍ଦି ପକାଇ କହିଲା,"କ୍ୟାନସର ଜୀବାଣୁକୁ ସିନା ପୋଡି ମାରିଦେବେ,ହେଲେ ଆମ ନିଜ ଲୋକଙ୍କ ମନ ଭିତରେ ଥିବା କ୍ୟାନସର ଜୀବାଣୁକୁ କେଉଁ ଲାଇଟ ପୋଡିବ ?ମରଣକୁ ଆଉ ଡର ଲାଗୁନିରେ ,ଡର ମାଡୁଛି ସମ୍ପର୍କର ଏଇ ବିଷାକ୍ତ କର୍କଟକ୍ରାନ୍ତିକୁ, ଯିଏ ମଣିଷଠୁ ଅଲଗା କରିଦେଉଛି ମଣିଷପଣିଆକୁ।


Rate this content
Log in

Similar oriya story from Tragedy