Santosh Kumar Misra

Tragedy

0.4  

Santosh Kumar Misra

Tragedy

ସମ୍ପର୍କ

ସମ୍ପର୍କ

9 mins
474




ନିଷ୍ଠୁର ଭାବରେ ରାତିଟାର ଛାତିଚିରି ବାଜି ଉଠିଲା କାନ୍ଥ ଘଣ୍ଟାଟା । ଦିନେଶ ଘଣ୍ଟାକୁ ଚାହିଁଲା ରାତି ବାରଟା । ତା’ ପଢା ଟେବୁଲ୍‌ ପାଖରୁ ଉଠିଆସି ଶୋଇବାର ଉପକ୍ରମ କଲା ଦିନେଶ । ଆଜିକାଲି ଭଲ ନିଦ ହୁଏନି ତା’କୁ । ତେଣୁ ଡାକ୍ତରଙ୍କର ପରାମର୍ଶ କ୍ରମେ ନିୟମିତ ଭାବେ କିଛି ନିଦ ଔଷଧ ଖାଇ ଶୋଇବାକୁ ଚେଷ୍ଟା କରୁଛି ଦିନେଶ । ଡାକ୍ତରଙ୍କ ମତରେ ମନରେ ଉଦ୍‌ବିଗ୍ନତା ରହିଲେ ରାତିରେ ଭଲ ନିଦ ନହେବାଟା ସ୍ବାଭାବିକ । ତେଣୁ ସବୁଦିନ ନିଦ ପାଇଁ ଔଷଧ ଖାଇ ଶୋଇବା ଅପେକ୍ଷା ବରଂ ମନ ଭିତରୁ ସମସ୍ତ ଉଦ୍‌ବିଗ୍ନତାକୁ ଦୂରେଇ ଦେବା ପଇଁ ଚେଷ୍ଟା କରିବା ଅଧିକ ବାଞ୍ଛନୀୟ । ଦିନେଶ କିନ୍ତୁ ଡାକ୍ତରଙ୍କ କଥା ମାନେନି । ସେ କହେ ତା’ର ମନରେ ସେମିତି କିଛି ଉଦ୍‌ବିଗ୍ନତା ନାହିଁ  । କିନ୍ତୁ ଏ କଥା ନିରାଟ ସତ ଯେ କୌଣସି ରାତିରେ ସେ ଗାଢ ନିଦରେ ଶୋଇପାରେ ନାହିଁ ।


ସବୁଦିନ ପରି ସେଦିନ ମଧ୍ୟ ନିଦ ଔଷଧ ଖଇବା ପରେ ବି କେଜାଣି କାହିଁକି ଦିନେଶ ଆଖିରେ ନିଦ ନଥାଏ ।ବିଛଣା ଉପରେ ପଡିରହି ଖୋଲାଥିବା ଝରକା ଫାଙ୍କ ଦେଇ ସେ ଚାହିଁ ରହିଥାଏ ଆକାଶକୁ । ଝରକା ବାହାରେ ଝିପ୍‌ଝିପ୍‌ ବର୍ଷା ଆଉ କିଟିମିଟିଆ ଉଁଆସିଆ ଅନ୍ଧାର । ଷ୍ଟ୍ରିଟ୍‌ ଲାଇଟ୍‌ର ଝପ୍‌ସା ଝାପ୍‌ସା ଆଲୁଅରେ ଚକ୍‌ଚକ୍‌ ମାରୁଥିଲା ତା’ ଘର ଆଗରେ ରିବନ୍‌ ପରି ଲମ୍ବି ଯାଇଥିବା କଳା ମଚ୍‌ମଚ୍‌ ପିଚୁରାସ୍ତା । ହାଠାତ୍‌ ବାଜି ଉଠିଲା ତା’ର ଟେଲିଫୋନ୍‌ଟି । ରାତ୍ରିର ଏ ବିଳମ୍ବିତ ପ୍ରହରରେ ଟେଲିଫୋନ୍‌ଟି ବଜିଉଠିବାକୁ ଦିନେଶ ସ୍ବାଭବିକ୍‌ ଭବରେ ଗ୍ରାହଣ କରି ପାରିନଥିଲା । ତଥାପି ସେ ଟିକିଏ ପ୍ରକୃତିସ୍ଥ ହୋଇ ଫୋନ୍‌ ରିସିଭରଟିକୁ ଉଠେଇଲା ।

-ହ୍ୟାଲୋ,ଭାଇ! ମୁଁ ରାଜୁ କହୁଥିଲି, ନିଶା....

- କଅଣ ହେଲା ନିଶାର ?

- ଭାଇ ନିଶା ଆପା ଆଉ ନାହିଁ, ସେ ଆମକୁ ଛାଡି ଚାଲିଗଲା ।

ଟେଲିଫୋନର ରିସିଭରଟି ଦିନେଶ ହାତରୁ ଖସି ପଡିଲା । ଚଟାପଟ୍‌ ବିଛାଣାରୁ ଉଠିଯାଇ ଡ୍ରେସ୍‌ ପିନ୍ଧିନେଲା ଦିନେଶ । ବହୁ ଦିନରୁ ଘରେ ରହି ପରିବାରର ସମସ୍ତଙ୍କର ସେବା ଯତ୍ନ କରି ଆସୁଥିବା ରାମୁ କାକା ଙ୍କୁ ଖୁବ୍‌ ଚିତ୍କାର କରି ଡାକ ପକେଇଲା ସେ:

- ରାମୁ କକା! ରାମୁ କକା!


କାହାଠାରୁ କିଛି ଉତ୍ତର ପାଇବା ପୂର୍ବରୁ ଖୁବ୍‌ ଅସ୍ତବ୍ୟସ୍ତ ଭାବରେ ଧପ୍‌ଧପ୍‌ ଶବ୍ଦ କରି କାଠ ଶିଡିର ପାହଚ ଉପରେ ଦୌଡିବାକୁ ଲାଗିଲା ଦିନେଶ । ସଦ୍ୟ ନିଦରୁ ଉଠିଥିବା ରାମୁ କକା ରାତି ଅଧଟାରେ ଦିନେଶର ଏ ବ୍ୟସ୍ତତାର କାରଣ କିଛି ବୁଝିପାରୁ ନଥାଆନ୍ତି । ତେଣୁ ସେ ପଚାରିଲେ :

- କଅଣ ହେଲା ସାନବାବୁ? ଏତେ ବ୍ୟସ୍ତ କାହିଁକି?

- ସବୁ ସରିଗଲା ରାମୁ କକା, ନିଶା ମରି ଯାଇଛି ।

- ମାନେ? ତୁମେ କଅଣ ଏବେ ତାଙ୍କରି ଘରକୁ ବହାରିଛ ନା କଅଣ? ସେମାନେ ଯଦି.......


ରାମୁ କକା ତାଙ୍କର ପ୍ରଶ୍ନ ପୁରା ନକହିଥିଲେ ମଧ୍ୟ ଦିନେଶ କିନ୍ତୁ ଠିକ୍‌ ଠିକ୍‌ ବୁଝି ନେଇଥିଲା ସେ କଅଣ କହିବାକୁ ଚାହୁଁଥିଲେ । ଥମ୍‌ କରି ବସିଗଲା ଚୌକି ଉପରେ ଦିନେଶ । କିଛି ଉତ୍ତର ଦେବାକୁ ଯେମିତି ତା’ର ଜିଭ ଲେଉଟୁନଥିଲା । କଅଁଳା ଛୁଆଟି ଏକାଗ୍ର ଚିତ୍ତରେ ତା’ର ମା’ କୁ ଚାହିଁ ରହିଲା ପରି ଦିନେଶ ଚାହିଁ ରହିଥିଲା ରାମୁ କକାଙ୍କର ମୁହଁକୁ । ଦୁଇ ଆଖିରୁ ତା’ର ବହି ଯାଉଥିଲା ଧାର ଧାର ଲୁହ । ଦିନେଶର ମାନସିକତାକୁ ପରଖି ନେବା ପରେ ରାମୁ କକା ତାର ମୁଣ୍ଡରେ ହାତ ବୁଲେଇ ଆଣିଲେ । ଦିନେଶ ରାମୁ କକାଙ୍କ କୋଳରେ ମୁହଁ ଥାପି ଦେଇ ବେଶ୍‌ ଯୋରରେ କାନ୍ଦି ଉଠିଲା । କନ୍ଥକୁରାରୁ ଗାଡି ଚାବିଟି ଆଣି ଦିନେଶ ହାତକୁ ବଢେଇ ଦେଇ ତାକୁ ଇସାରା କଲେ ରାମୁ କକା ନିଶାକୁ ଶେଷଥର ପାଇଁ ଦେଖି ଆସିବାପାଇଁ ।


ଜେଜେବାପାଙ୍କ ଅମଳର ମରିସ୍‌ମାଇନର ଗାଡିଟି ଏବେବି ଦିନେଶର ଭାରି ବିଶ୍ବସ୍ତ । ଗାଡିରେ ଷ୍ଟାର୍ଟ ଦେଲା ଦିନେଶ । ଝିପ୍‌ ଝିପ୍‌ ବର୍ଷାରାତିର ଘୋର ଅନ୍ଧାରର ଛାତିଚିରି ଛିଞ୍ଚାଡି ହୋଇ ପଡିଲା ଆଗକୁ ତା ମରିସ୍‌ମାଇନରର ହେଡ୍‌ ଲାଇଟ୍‌ର ଆଲୁଅ ।


ଦିନେଶ ବାହାରିଗଲା ପରେ ରାମୁ କକା ଆଉ ସ୍ଥିର ହୋଇ ରହି ପାରିଲେ ନାହିଁ  । ଆଖିରୁ ତାଙ୍କର ନିଦ କୁଆଡେ ହଜିଗଲା । ସେ ବିଶ୍ବାସ କରି ପାରୁ ନଥାଆନ୍ତି କି ନିଶା ପ୍ରକୃତରେ ମରି ସାରିଛି । କାଲି ପରି ଲାଗୁଥିଲା ତାଙ୍କୁ ନିଶା ସେ ଘରକୁ ବୋହୁ ହୋଇ ଆସିବା । ମାତ୍ର ଅଳ୍ପ କେତେଟା ଦିନ ଭିତରେ ସବୁ ଯେମିତି ଓଲଟ ପାଲଟ ହେଇଗଲା । ନିଶାର ବାପା ହରିଦାସ ପଟ୍ଟନାୟକ ସହରର ଜଣେ ନାମୀ ଦାମୀ ଓକିଲ । ପୁରୁଣା କାଳିଆ ଜମିଦାରିଆ ପରିବାର ତାଙ୍କର । ସରକାରୀ ଭାବେ ଜମିଦାରୀ ସିନା ଉଚ୍ଛେଦ ହେଇ ସାରିଛି ହେଲେ ହରିଦାସ ବବୁଙ୍କର ପ୍ରତିପତ୍ତି କିଛି ଉଣା ହେଇଯାଇନି । ନିଜର ବ୍ୟବସାୟିକ ସଫଳତା ଯୋଗୁଁ ବେଶ କିଛି ରୋଜଗାର କରିନେଇ ପାରିଥିବା ହେତୁ ବରଂ ଆଜିକାଲି ନିଶରେ ଘିଅ ମାରିବାର ଅଭ୍ୟାସଟି ବଢିଯାଇଛି ତାଙ୍କର । ଦିନେଶ ଆଉ ନିଶାର ବିବାହ ବିଚ୍ଛେଦ ଘଟାଇବାରେ ପଟ୍ଟନାୟକ ସାହେବ ବହୁତ କିଛି କଷ୍ଟ ସ୍ବୀକାର କରିଥିଲେ । ତାଙ୍କ ମତରେ ଜମିଦାର ଘରେ କେବଳ ଜନ୍ମ ହେଇଗଲେ ଜଣେ ଜମିଦାର ହେଇଯାଇ ପାରେନି । ତାର ଜମିଦାରୀ ମିଜାଜ୍‌ ରହିଥିବା ଦରକାର ଯାହା ଦିନେଶ ଠାରେ ସେ ପାଇନଥିଲେ । ସେଭଳି ନିଶା କାଏମ୍‌ ରଖିବାକୁ ଆବଶ୍ୟକ ପଡୁଥିବା ଟଙ୍କା ମଧ୍ୟ ଦିନେଶ ପାଖରେ ନଥିଲା । କାରଣ ଦିନେଶ ବୃତ୍ତିରେ ଥିଲା ଜଣେ ଲେଖକ । ଆଉ ଜଣେ ଲେଖକର ପାଣ୍ଡୁଲିପିର ମୂଲ୍ୟ ଥିଲା ଖୁବ୍‌ ନଗନ୍ୟ । ଅବଶ୍ୟ ଦିନେଶର ପାଣ୍ଡୁଲିପି ଗୁଡିକର ବଜାରରେ ବେଶ୍‌ ଚାହିଦା ଥିବାରୁ ତାର ଆୟ ସେମିତି କିଛି କମ ନଥିଲା । କିନ୍ତୁ ହରିଦାସ ପଟ୍ଟନାୟକଙ୍କ ମତରେ ସେତିକି ପଇସା ସେ ତାଙ୍କର ଗୋଟେ ଚାକରକୁ ପ୍ରତିମାସରେ ଦରମା ବବଦରେ ଦେଇଥାଆନ୍ତି । ଏହିଭଳି ଏକ ସ୍ଥିତିରେ ଦିନେଶର ନିଶା ସହିତ ପ୍ରେମ ବିବାହ ହୋଇଥିବାରୁ ପଟ୍ଟନାୟକ ସାହେବ୍‌ ବହୁତ ଖୁବ୍‌ ଚିନ୍ତିତ ଥିଲେ । ସେ ଚାହୁଁଥିଲେ ଯେନତେନ ପ୍ରକାରେଣ ଏହି ବିବାହରେ ବିଚ୍ଛେଦ ଘଟାଇ ସେ ନିଶାକୁ ଅନ୍ୟତ୍ର ବିବାହ କରାଇବେ ଯେଉଁଠି ନିଶା ତା’ର ବାଲ୍ୟବସ୍ଥା ପରି ଢେର ପଇସା ଉପରେ ଚାଲି ପାରିବ । ଶେଷରେ ହରିଦାସ ପଟ୍ଟନାୟକଙ୍କର ମନୋବାଞ୍ଛା ପୂର୍ଣ୍ଣ ହେଲା । କୁଶଳୀ ଓକିଲଙ୍କର ଶୃଙ୍ଖଳିତ କେଶ ପରିଚାଳନା ଫଳରେ ଅଦାଲତର ଆଦେଶ ବଳରେ ଦିନେଶ ଓ ନିଶାର ବିବାହ ବିଚ୍ଛେଦ ଘଟିଲା । ରାମୁକକା ଭାବୁଥିଲେ ନିଶା ହୁଏତ ତା’ର ବାପର ଜିଦ୍‌କୁ ଆଉ ଅଧିକ ସଯ୍ୟ କରି ପାରିଲାନି ଏବଂ ଦିନେଶ ଠାରୁ ଦୂରେଇ ଯାଇଥିବା ଦୁଃଖ ତାକୁ ହୁଏତ ଆହୁରି ଅଧିକ ଭାଙ୍ଗିଦେଲା । ନିଜ ପାଇଁ ନିଜେ ନିଷ୍ପତ୍ତି ନେଇ ପାରି ନଥିବାରୁ ନିଶା ହୁଏତ ଜୀବନର ପଶାଖେଳରେ ଗୋଟିଏ ମଲାଦନ ହୋଇ ପଶାପାଲିରୁ ହଜିଗଲା ସବୁଦିନ ପାଇଁ ।


ମୁନ୍‌ସିପାଲଟି ଆଲୁଅରେ ଅସ୍ପଷ୍ଟ ଦିଶୁଥିବା ରାସ୍ତା ଉପରେ ଗଡି ଚାଲିଥିଲା ଦିବେଶର ମରିସ୍‌ମାଇନର ନିଶାର ଘର ଆଡକୁ । ଝିପ୍‌ ଝିପ୍‌ ବର୍ଷା ପାଣି ବେଳେ ବେଳେ ଜମି ଯାଉଥିଲା ଗାଡିର ସାମ୍ନା କାଚ ଉପରେ । ମନେ ହେଉଥିଲା ଗାଡିର ୱାଇପର ଯେପରି କିଛି କାମ କରୁନଥିଲା । ତେଣୁ ଦିନେଶ ଇଚ୍ଛା କରି ମଧ୍ୟ ଟିକିଏ ଆଉ ଯୋରରେ ଗାଡି ଚାଳନା କରି ପାରୁ ନଥିଲା । ମନରେ ଥିଲା ତା’ର ଅନେକ ଆଶଙ୍କା । ସେ ପହଞ୍ଚିବା ପୂର୍ବରୁ ନିଶାକୁ ତାଙ୍କ ଘର ଲୋକେ ସତ୍କାର ପାଇଁ ନେଇ ଯିବେନି ତ? ଏମିତି ଝିପ୍‌ଝିପ୍‌ ବର୍ଷାରେ କଅଣ ଶବ ସତ୍କାର ସମ୍ଭବ ହେଇ ପାରିବ ଭାବି ନିଜେ ନିଜକୁ ସାନ୍ତ୍ବନା ଦେଉଥିଲା ଦିନେଶ । ଦିନେଶ ଆଶା କରୁଥିଲା ସେମାନେ ହୁଏତ ଅପେକ୍ଷା କରିବେ ବର୍ଷା ଟିକିଏ କମି ଯିବା ପର୍ଯ୍ୟନ୍ତ । ଦିନେଶ ସିନା ନିଶାକୁ ଶେଷଥର ଦେଖିବା ପାଇଁ ଉତ୍କଣ୍ଠାରେ ଆଗେଇ ଯାଉଥିଲା ହେଲେ ମନେ ମନେ ଭାବୁଥିଲା କେଉଁ ଅଧିକାରରେ ସେ ଯାଉଛି ତା ପାଖକୁ? ଗତ ବର୍ଷ ଅଗଷ୍ଟ ଚଉଦ ପାଖରୁ ଅଦାଲତର ଆଦେଶ ବଳରେ ସେ ସବୁ ଅଧିକାର ତ ହରେଇ ସାରିଛି । ନିଶା ସହିତ ଆଇନ ସିଦ୍ଧ ଭାବେ ବିବାହ ବିଚ୍ଛେଦ ଘଟି ସାରିଛି ତା’ର । ଅଦାଲତର ଆଦେଶ ତ ତା’ର ସ୍ବାମୀତ୍ବ ଉପରେ ପୂର୍ଣ୍ଣଚ୍ଛେଦ ଟାଣି ସାରିଛି । ତା’କୁ କିଏ ଏବେ ନିଶାର ସ୍ବାମୀ ବୋଲି ଗ୍ରହଣ କରିବ ବା ଏହି ପରିସ୍ଥିତିରେ ତା’ର ସେଠି ରହିବା ଏକାନ୍ତ ଜରୁରୀ ବୋଲି କିଏ ବିଚାର କରିବ?


 ସେଦିନ ଅଦାଲତରେ ସେ ବିଚାରପତିଙ୍କ ଆଗରେ କୌଣସି ଯୁକ୍ତି ବାଢି ନଥିଲା କାରଣ ସେ ଜାଣିଥିଲା ନିଶା ସେ ଦିନ ଅଦାଲତରେ ଅନ୍ୟର ଭାଷା କହୁଥିଲା । ଦିନେଶ କିନ୍ତୁ ବିଶ୍ବାସ ରଖିଥିଲା ନିଶା ନିଶ୍ଚୟ ଦିନେ ନା ଦିନେ ତାର ଭୁଲ ବୁଝି ପାରିବ ଏବଂ ପୁଣି ଥରେ ତା’ ପାଖକୁ ଫେରି ଆସିବ । ଦିନେଶ ପୁଣି ଭାବୁଥିଲା କି ସେ ଯାହାକୁ ଭଲ ପାଇ ବିବାହ କରିଥିଲା ସେ ତ ଅନ୍ୟର ପ୍ରରୋଚନାରେ ତାକୁ ଭୁଲି ଯାଇ ପାରିଲା ଓ ଅଦାଲତର କାଠ ଗଡାରେ ଛିଡା ହୋଇ ଇଶ୍ବରଙ୍କୁ ସାକ୍ଷୀ ରଖି ତା ବିରୁଦ୍ଧରେ ବିଷଦୋଗାର କରିବା ସହିତ ତାର ପୌରୁଷ ଓ ପୁରୁଷତ୍ବ କୁ ଧିକ୍କାରି ପାରିଲା , ତେବେ ସେ ପୁଣି କାହିଁକି ତା’ ପାଇଁ ଏତେ ବ୍ୟାକୁଳ ଆଜି? ତା’କୁ ଟିକିଏ ଶେଷଥର ପାଇଁ ଆଖିପୁରେଇ ଦେଖିନେବା ପାଇଁ ସେ ତେବେ ପୁଣି କହିଁକି ଏତେ ବ୍ୟଗ୍ର ହେଇ ଉଠୁଛି? ସେ କଅଣ ତେବେ ଫେରିଯିବ ? ନା, ଫେରିଯିବାର ସମସ୍ତ ଭବନାକୁ ପରାହତ କରି ଦିନେଶ କିନ୍ତୁ ଆଗେଇ ଚାଲିଥିଲା । କାନରେ ତାର ଯେମିତି ପିଟି ହେଉଥିଲା ସେଦିନର ଅଦାଲତର ସେ ଆଦେଶନାମା:

- ‘ଉଭୟ ବାଦୀ ଓ ପ୍ରତିବାଦୀ ପକ୍ଷଙ୍କର ବୟାନ, ପରିପାର୍ଶ୍ବିକ ପରିସ୍ଥିତି ଓ ବିଭିନ୍ନ ସାକ୍ଷୀମନଙ୍କର ପ୍ରଦତ୍ତ ବିବରଣୀକୁ ଭିତ୍ତି କରି ଅହି ଅଦାଲତ ହୃଦ୍‌ବୋଧ କରୁଛନ୍ତି କି ନିଶା ପଟ୍ଟନୟକ ଓ ଦିନେଶ ଚୌଧୁରୀ ଏକ ବିବାହିତ ଦମ୍ପତ୍ତି ଭାବରେ ଏକତ୍ର ରହି ଜୀବନ ଯାପନ କରିବା ସମ୍ଭବପର ନୁହେଁ  । ଏଣୁ ଏହି ଅଦାଲତ ହିନ୍ଦୁ ବିବାହ ଆଇନ୍‌ ଅନୁଯାୟୀ ସେମାନଙ୍କର ବିବାହ ବିଚ୍ଛେଦକୁ ସ୍ବୀକୃତି ଦେବା ସହିତ ଅନୁମୋଦନ କରୁଛନ୍ତି’ ।


ସେଦିନ ପର ଠାରୁ ଦିନେଶ ନିଶାକୁ କେବେ ବି ଭେଟିନି ଯଦିଚ ସେ ସବୁ ସମୟରେ ନିଶା ପାଇଁ ଚିନ୍ତିତ ରହିଛି । ବାରିଷ୍ଟର ହରିଦାସ ପଟ୍ଟନୟକଙ୍କ ଦୃଢ ଆପତ୍ତି ଯୋଗୁଁ ସେ ନିଶାକୁ ଏହା ଭିତରେ ଭେଟିବା ସମ୍ଭବ ହୋଇ ପାରିନି ତା’ ପକ୍ଷରେ । ଦିନେଶ ନିଶ୍ଚିତ ଥିଲା କି ଆଜି ମଧ୍ୟ ସେହି ଘଟଣାର ପୁନରାବୃତ୍ତି ଘଟିପାରେ । ଏ ସବୁ ଭାବନା ସତ୍ବେ ଦିନେଶ ନିଜକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲା ଓ ନିଜର ମନକୁ ଦୃଢ ରଖିବାକୁ ଚେଷ୍ଟା କରୁଥିଲା । ପ୍ରତ୍ୟେକ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସେ ନିଜକୁ କ୍ରମଶଃ ପ୍ରସ୍ତୁତ କରି ନେଉଥିଲା । ଯେମିତି ହେଲେ ବି ସେ ଆଜି ନିଶାକୁ ଶେଷଥର ପାଇଁ ଆଖିପୁରେଇ ଦେଖିନେବାର ନିଷ୍ପତ୍ତି କରିନେଇଥିଲା ।


ଚାହୁଁ ଚାହୁଁ ଦିନେଶର ଗାଡି ଆସି ଲାଗିଲା ହରିଦାସ ପଟ୍ଟନାୟକଙ୍କ ଘର ଆଗରେ । ଗାଡିର ଡୋର ଖୋଲୁ ଖୋଲୁ ରାଜୁ ପାଖକୁ ଆସି କହି ପକେଇଲା:

- ଅପା ଆତ୍ମହତ୍ୟା କରିଦେଲା ଭାଇ”  । ପୋଲିସ୍‌ ତାର ଶବକୁ ଡାକ୍ତରମାଇନା କରି ସାରିବା ପରେ ଏବେ ଏବେ ଆମକୁ ହସ୍ତାନ୍ତର କରିଛନ୍ତି । ଏବେ ତାର ସଂସ୍କାର ପାଇଁ ବ୍ୟବସ୍ଥା କରାଯାଉଛି ।


ଦିନେଶ ରାଜୁ ସହିତ ନିରବରେ ଆଗେଇ ଯାଉଥିଲା ନିଶାର ଶବ ପାଖକୁ । କବାଟ ବନ୍ଧରେ ଠିଆ ରହିଥିବା ହରିଦାସ ପଟ୍ଟନାୟକ ବାଧା ଦେଲେ ଦିନେଶକୁ । ଆପତ୍ତି କଲା ରାଜୁ, ଚିତ୍କାର କଲା । ତା’ ମନରେ ଅନେକ ଦିନରୁ ଜମାଟ ବାନ୍ଧିଥିବା ବିରକ୍ତିରୁ ସେ ଏକ ବିରାଟ ଧକ୍କା ମାରି ଦୂରେଇ ଦେଲା ହରିଦାସ ପଟ୍ଟନାୟକଙ୍କୁ । ଦିନେଶକୁ ବାଟ କଢେଇ ନେଲା ରାଜୁ ଘରର ଅଗଣାକୁ ଯେଉଁଠି ଆପାଦ ମସ୍ତକ ଢାଙ୍କି ହେଇ ପଡି ରହିଥିଲା ତା’ର ପ୍ରିୟ ମଣିଷଟିର ଶିଥିଳ ଶରୀର ନିଶ୍ଚଳ ଭାବରେ । ଦିନେଶ ଆଖିରୁ ଗଡୁଥିବା ଟୋପା ଟୋପା ଲୁହ ଧୋଇ ଦେଉଥିଲା ନିଶାର ମୁହଁକୁ । ଦିନେଶ ଅନୁଭବ କରୁଥିଲା ହୁଏତ ନିଶା କହୁଛି :

- ଦିନେଶ, ମୁଁ ତମ ପ୍ରତି ପ୍ରତାରଣା କରିଛି । ଅନ୍ୟର କଥାରେ ଭାସି ଯାଇ ମୁଁ ନିଜେ ନିଜକୁ ମଧ୍ୟ ପ୍ରତାରିତ କରିଛି । ଆଉ ମୋର ସେହି ଜଘନ୍ୟ ପାପ ପାଇଁ ମୁଁ ଆଜି ନିଜକୁ ଦଣ୍ଡିତ କରୁଛି ।

ସ୍ତବ୍ଧ ସାହି ଭାଇଙ୍କ ନିରବତାକୁ ଭଙ୍ଗକରି ପୁରୋହିତ ହରିଦାସ ବବୁଙ୍କ ଉଦ୍ଦେଶ୍ୟରେ ପଚାରି ଉଠିଲେ:

- ସବୁ ବ୍ୟବସ୍ଥା ତ ସରିଲା, ବର୍ତ୍ତମାନ ତେବେ କୋକେଇ ଉଠେଇବାର ଆୟୋଜନ କରିବା । ଶବବାହାକମାନଙ୍କୁ ଡାକନ୍ତୁ ।

ପୁରୋହିତ ପୁଣି ଜାଣିବାକୁ ଚାହୁଁଥିଲେ କେଉଁ ହିସାବରେ ସେ ନିଶା ପାଇଁ କର୍ମ ଆରମ୍ଭ କରିବେ – ଜଣେ ସଧବା ଭାବରେ ନା ଜଣେ ବିଧବା ଭବରେ ବା ଜଣେ ଅଭିଆଡି ଝିଅ ଭାବରେ । ଦିନେଶ ଅତି ନିଷ୍ଠୁର ଭାବରେ ହସ୍ତକ୍ଷେପ କଲା:

- ପୁରୋହିତେ! ମୁଁ ଏବେବି ବଞ୍ଚିଛି । ତେଣୁ ନିଶା ଏବେବି ସଧବା । ନିଶାର କୋକେଇ ଏ ଘରୁ ଉଠିପାରିବନି । ଉଠିବ ମୋ ଅଗଣାରୁ ଯେହେତୁ ସେ ମୋର ସ୍ତ୍ରୀ ଏବଂ ପ୍ରତ୍ୟେକ ବିବାହିତ ସ୍ତ୍ରୀର କୋକେଇ ଉଠେ ତାର ସ୍ବାମୀର ଆଗଣାରୁ, ବାପର ପିଣ୍ଡାରୁ ନୁହେଁ ।


ହରିଦାସ ପଟ୍ଟନାୟକ ଦୃଢ ବିରୋଧ କରି ଦିନେଶକୁ ସୂଚେଇ ଦେଲେ କି ସେହି ତାରିଖରେ ସେ ଆଉ ନିଶାର ସ୍ବାମୀ ନୁହେଁ । ଆଦାଲତର ଆଦେଶ ସେମାନଙ୍କର ବିବାହ ବିଚ୍ଛେଦ ଘଟେଇ ସାରିଛି । ଦିନେଶ ପାଇଁ ହରିଦାସ ବାବୁଙ୍କ ସୂଚନା ନିହାତି ଅବାନ୍ତର ଥିଲା । କାରଣ ସେ ବିଶ୍ବାସ କରୁଥିଲା ପ୍ରତ୍ୟେକ ହିନ୍ଦୁ ଦମ୍ପତ୍ତିଙ୍କର ସମ୍ପର୍କ ଜନ୍ମଜନ୍ମାନ୍ତରର ସମ୍ପର୍କ । ସେମାନଙ୍କର ବିଚ୍ଛେଦ ସମ୍ଭବ ଯଦି ଜଣେ କେହି ସେମାନଙ୍କ ଭିତରୁ ଜୁଇରେ ଚଢିଯାଏ । ତା ପୂର୍ବରୁ ଉଭୟେ ନିଶ୍ଚିତ ରୂପେ ଶାସ୍ତ୍ର ସମ୍ମତ ଭାବରେ ସ୍ବାମୀ ଓ ସ୍ତ୍ରୀ । ଜନ୍ମ ଜନ୍ମ ର ଏହି ମାନସିକତା ଓ ସାଂସ୍କୃତିକ ଚେତନାକୁ ଦୁନିଆର କୌଣସି ଅଦାଲତ ତା’ର ଏକ ଦୁଇ ଧାଡିଆ ଆଦେଶ ବଳରେ ଭାଙ୍ଗିଦେଇ ପାରିବନି । ଏ ପୃଥିବୀରେ ପ୍ରସ୍ତୁତ କୌଣସି ଆଇନ୍‌ ଏ ସମ୍ପର୍କରେ ପୂର୍ଣ୍ଣଛେଦ ଟାଣି ପାରିବନି । ଦିନେଶ ଚିଲେଇ ଉଠିଲା :

- ନା, ନିଶା ମୋର ସ୍ତ୍ରୀ । ମୁଁ ତାର ଶବକୁ ଅବହେଳିତ ଭାବରେ କୋକେଇ ଉପରକୁ ଉଠେଇ ଦେଇ ପାରିବିନି ।

ଦିନେଶର ଯୁକ୍ତି ପ୍ରତି ରାଜୁର ସମର୍ଥନ ଥିଲା । ସମର୍ଥନ ରହିଥିଲା ନିଶା ପରିବାରର ଅନ୍ୟ ସବୁ ସଦସ୍ୟଙ୍କର ଯେଉଁମାନେ ବୁଝି ସାରିଥିଲେ କି ନିଶା ହରିଦାସ ପଟ୍ଟନାୟକଙ୍କର ଜିଦ୍‌ର ଶୀକାର ହେଇ ସାରିଛି । ସମର୍ଥନ ରହିଥିଲା ନିଶାର ଶବକୁ ସେହି ମୁହୂର୍ତ୍ତରେ ଶାଗୁଣାଙ୍କ ପରି ବେଢି ରହିଥିବା ପ୍ରତ୍ୟେକ ବିବାହିତା ସ୍ତ୍ରୀର । ସମସ୍ତଙ୍କ ସହଯୋଗରେ ହରିଦାସ ପଟ୍ଟନୟକଙ୍କ ପ୍ରାଣମୂର୍ଚ୍ଛା ବିରୋଧ ସତ୍ବେ ନିଶାର ଶବକୁ ଅନ୍ତିମ ସଂସ୍କାର ପାଇଁ ସ୍ଥାନାନ୍ତର କରାଗଲା ଦିନେଶ ଚୌଧୁରୀର ଘରକୁ ।


ଗାଁ ମୁଣ୍ଡରେ ଥୁଣ୍ଟାଗଛଟିଏ ପରି ଠିଆ ହୋଇଥିବା ଚୌଧୁରୀ ବଙ୍ଗଳାର ପରିବେଶଟି ଖୁବ୍‌ ନିଛାଟିଆ ଥିଲା । ମନେ ହେଉଥିଲା ସତେ ଯେମିତି କୋଠା ଘରଟି ଲୁହ ଗଡେଇ ଠିଆ ହୋଇଥିଲା ନିଜର ଜଣେ କେହି ଆତ୍ମିୟର ଶବକୁ କିଛି ସମୟ ପାଇଁ ନିଜ ଛାତିରେ ଜଡେଇ ଧରିବାକୁ । ରାମୁ କକା ଖବର ପାଇ ସମସ୍ତ ଯୋଗାଡରେ ଲାଗି ପଡିଥିଲେ । ନିଶା ତାଙ୍କ ପାଇଁ ଚୌଧୁରୀ ବଙ୍ଗଳାରେ ତ ମାଲିକାଣୀ ନଥିଲା, ସେ ଥିଲା ତାଙ୍କର ଝିଅ । ବଞ୍ଚିଥିବା ବେଳେ ତାର କୌଣସି ଅସୁବିଧା ଦେଖିଲେ ସେ ସହି ପାରୁନଥିଲେ, ଏବେ ତ ପୁଣି ତାର ମହାଯାତ୍ରାର ସମୟ । ଦିନେଶ ଗାଡିରୁ ନିଶାର ଶବକୁ ଓହ୍ଲେଇ ଦିଆଗଲା ଚୌଧୁରୀ ବଙ୍ଗଳାରେ । ଗ୍ରାମବାସୀ ମାନେ ସାଦରେ ବୋହିନେଲେ ତାଙ୍କ ପ୍ରିୟ ମାଲିକାଣୀର ପାର୍ଥିବ ଶରୀରକୁ ବଙ୍ଗଳାର ମୁସାଫିର୍‌ଖାନାକୁ ଯେଉଁଠି ଚୌଧୁରୀ ବଂଶର ସମସ୍ତ ପୂର୍ବଜଙ୍କ ଧୂଳିଧୁସରିତ ତୈଳଚିତ୍ର ଟଙ୍ଗା ହୋଇ ରହିଥିଲା କାନ୍ଥରେ । ମନେ ହେଉଥିଲା ନିଶା ଯେପରି ଘର ସାରା ବୁଲି ବୁଲି ସମସ୍ତ ଗୁରୁଜନଙ୍କ ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରୁଥିଲା ଏଇ ତାର ମହାଯାତ୍ରାକୁ ସଫଳ ଓ ନିରଙ୍କୁଶ କରିବା ପାଇଁ । ଆହୁରି ବି ମନେ ହେଉଥିଲା ନିଶା ଯେପରି ରାମୁ କକାଙ୍କ ଗାମୁଛା କୁ ଭିଡିଧରି ଅଳି କରୁଥିଲା ତା’ର ଅନୁପସ୍ଥିତିରେ ଦିନେଶର ଖିଆଲ ରଖିବା ପାଇଁ । ଗାଁର ମହିଳା ମାନେ ଦିନେଶ ସାଇତି ରଖିଥିବା ନିଶାର ଶଙ୍ଖା, ଶାଢୀ ଓ ସିନ୍ଦୁରରେ ନିଶାକୁ ସଜେଇ ଦେଲେ ନବ ବଧୁ ବେଶରେ । ପୁରୋହିତଙ୍କର ଆଉ ବୁଝିବାକୁ ବାକି ରହିନଥିଲା କି ଅଦାଲତର ଆଦେଶନାମା ନିଶାକୁ ବିଧବା କରି ପାରିନି ।

 

ଚୌଧୁରୀ ବଙ୍ଗଳାରୁ ଆରମ୍ଭ ହେଲା ନିଶାର ମହଯାତ୍ରା । ଗ୍ରାମବାସୀଙ୍କର ଏକ ବିରାଟ ପଟୁଆର ଲମ୍ବିଥିଲା ଚୌଧୁରୀ ବଙ୍ଗଳାରୁ ଗାଁ ମୁଣ୍ଡ ଶ୍ମଶାନ ପର୍ଯ୍ୟନ୍ତ  । ଜୁଇରେ ଅଗ୍ନି ସଂଯୋଗ କରୁଥିଲା ଦିନେଶ । ଅନତି ଦୂରରେ ଅଶ୍ରୁଳ ଆଖିରେ ଚାହିଁ ରହିଥିଲେ ଅନୁତପ୍ତ ହରିଦାସ ପଟ୍ଟନାୟକ  । ହୁ ହୁ ହୋଇ ଜଳିବାକୁ ଲାଗିଲା ନିଶାର ଚିତାଗ୍ନି । ଧିରେ ଧିରେ ନିଶା ପଞ୍ଚଭୂତରେ ଲୀନ ହେଇ ଯାଉଥିଲା ।


Rate this content
Log in

Similar oriya story from Tragedy