Madhumita Mishra

Tragedy

3.7  

Madhumita Mishra

Tragedy

ସକ୍ରିୟ ମୃତ୍ୟୁ

ସକ୍ରିୟ ମୃତ୍ୟୁ

14 mins
24K



"ଆରେ!!କେହି କଣ ଦେଖାଯାଉ ନାହାନ୍ତି? ମୁଁ ..ଅବିନାଶ ପଟ୍ଟନାୟକ ଫେରେ କଣ ଏକା ଏକା ଅଛି ? ଆରେ କୋଉଠି କିଏ ଅଛ?"


ଆଶ୍ଚର୍ଯ୍ୟ ହେଲେ ଅବିନାଶ।କେହି କାହିଁକି ଦେଖା ଯାଉନାହାନ୍ତି?


"ଏ କଣ?ଏଇଟା ତ ହସ୍ପିଟାଲ୍ ବେଡ୍ ପରି ଲାଗୁଛି..ମୁଁ ଏଇଠି କଣ କରୁଛି?"ନିଜକୁ ନିଜେ ପ୍ରଶ୍ନ କଲେ ସେ... ମନେ ପକେଇବାକୁ ଚେଷ୍ଟା କଲେ..କଣ ହୋଇଥିଲା ସବୁ…?


ପଞ୍ଚାବନ ବର୍ଷ ବୟସ୍କ ଅବିନାଶ ପଟ୍ଟନାୟକ..ରାଜନୀତିର ଏକ ଚର୍ଚ୍ଚିତ ଚେହେରା।କିଏ ବା ଏ ଚତୁର୍ଦ୍ଦିଗରେ ତାଙ୍କୁ ଜାଣେନି ? ମୋଟେ କୋଡ଼ିଏ ବର୍ଷ ହୋଇଥିଲା ତାଙ୍କୁ.. ସେତେବେଳୁ ନିଜ ପରିଚୟ ସେ ସୃଷ୍ଟି କରି ପାରିଛନ୍ତି।ବାପା ଜଣେ ସ୍କୁଲ୍ ମାଷ୍ଟର ହୋଇଥିବା ବେଳେ ମା ଗୃହିଣୀ ଥିଲେ।ପାଞ୍ଚ ଭାଇଙ୍କ ତଳେ ଥିଲେ ଅବିନାଶ ..ଏଣୁ ଘରେ ତାଙ୍କ ଉପରେ ଯଥେଷ୍ଟ ଗୁରୁତ୍ବ ନ ରହିବା ସ୍ବାଭାବିକ ଥିଲା.. ପାଠ ସହ ଶାଠ ଭଲ ରୂପେ ସେ ଶିଖି ଯାଇଥିଲେ।ଏଇ ଯେମିତି ଗାଆଁ ପୋଖରୀରୁ ମାଛ ଧରିବା ହେଉ କିମ୍ବା ନଦୀ ପହଁରା କି ଅଥବା ହେଉ କୌଣସି ଗୋଷ୍ଠୀ କନ୍ଦଳ..ସେ ସବୁରେ ଆଗୁଆ..ଘରକୁ ଆସିଲା ବେଳକୁ କେଉଁ ଦିନ ଖଣ୍ଡିଆ ଖାବରା ହୋଇଥାନ୍ତି ତ କେଉଁ ଦିନ କାହା ସହ ଝଗଡ଼ା କରି ଚିରା ପୋଷାକରେ ଘରକୁ ଆସିଥାନ୍ତି।ବାପା ଏସବୁ ଜମା ଭଲ ପାଆନ୍ତି ନାହିଁ।ପଢା ପଢ଼ି ଛଡା ଆଉ କିଛି ତାଙ୍କ ପସନ୍ଦ ନୁହେଁ।କିନ୍ତୁ ଅବିନାଶ ଯେ କେବଳ ବହି ଭିତରେ ନିଜକୁ ଲୁଚାଇ ଦେଇ ନାହାନ୍ତି..ସେ ବୁଝନ୍ତି ନାହିଁ.!!କିନ୍ତୁ ବାପା ଆସିବା ଆଗରୁ ମାର ପଣତ କାନି ତଳେ ସବୁ ଲୁଚି ଯାଇଥାଏ...ମା ର ଅଭୟ ଆଶ୍ରା ଟିକକ ଥିଲେ ଆଉ ଚିନ୍ତା କଣ ?


କିନ୍ତୁ ସବୁଦିନ ସମାନ ଯାଏନି।ସେ ଦିନ ମଧ୍ୟ ଆସିଗଲା ଯେଉଁ ଦିନ ଅବିନାଶ୍ ଙ୍କ ମା ସବୁଦିନ ପାଇଁ ତାଙ୍କଠାରୁ ଦୂରେଇ ଯାଇଥିଲେ..ବିଧିର ବିଧାନ !ମା ତାଙ୍କୁ ଛାଡି ଚିରନିଦ୍ରାରେ ଶୋଇଗଲେ। ଅବିନାଶ ସବୁଠୁ ଛୋଟ ହୋଇଥିବାରୁ ତାଙ୍କୁ ମାଙ୍କ ମୃତଦେହ ଠାରୁ ଦୂରେଇ ରଖା ଯାଇଥିଲା, କିନ୍ତୁ!!ମନ କେବେ କଣ କେହି ଦୂରେଇ ଦେଇପାରେ ? ବୁକୁଫଟା କାନ୍ଦ ଟିକକ ଛଡା ଆଉ କିଛି ଦେଇପାରିଲେନାହିଁ ସେ ନିଜ ମା କୁ.. ଦୁନିଆର ସବୁଠୁ ନିଜର ମଣିଷଟାକୁ ସମ୍ପୂର୍ଣ୍ଣ ପର କରିଦେବା କେତେ ଯେ ମର୍ମନ୍ତୁଦ ତାହା ଅନୁଭବୀ ହିଁ ଜାଣିପାରେ..ଆଉ ତାହା କଣ କେବେ କଥାରେ ବର୍ଣ୍ଣନା କରାଯାଇପାରେ କି ?


କେମିତି ଗୋଟିଏ ହା ହତାଶ ଭାବ ଆସିଯାଇଥିଲା ଅବିନାଶଙ୍କ ଜୀବନରେ ! ବାହାରୁ ଆସିଲା ପରେ"ଆସିଗଲୁ.." ଶୁଣି ସେ କେତେ ଥର ବିରକ୍ତ ହୋଇଛନ୍ତି ମା ଉପରେ..

" ଦେଖିଲୁ ପରା ଆସିଗଲି।ଆଉ କଣ ସେଇୟା ପଚାରୁଛୁ ଯେ ?" କୁହନ୍ତି ସେ..


"ଆରେ ନା..ମୁଁ କେମିତି ଜାଣିଲି ତୁ ଆସିଲୁ ବୋଲି ଏମିତି ପଚାରି ଦେଲି ନା.. "ମିଛରେ କୁହେ ମା..କିନ୍ତୁ ସେ ବି ଜାଣେ ତାକୁ ମିଛ କହି ଆସେନା । ତେବେ ମା ମିଛ କିପରି କହିଲା?ତାକୁ ଯଦି କ୍ୟାନ୍ସର ହୋଇଥିଲା ହେଲେ କେତେ କଷ୍ଟ ହେଉ ନ ଥିବ ?କିନ୍ତୁ ସେ ତା ହସ କେବେ ବି ଲିଭି ଯିବାକୁ ଦେଇନି..ମିଛ ହସ ସବୁବେଳେ ପାଖରେ ସାଇତି ରଖିଛି..କେମିତି?କଣ ଏମିତି ନିଜ ଦୁଃଖ କଷ୍ଟ ଲୁଚାଇ ହସିବାକୁ ହୁଏ ଏ ଦୁନିଆରେ ?ଅଲକ୍ଷ୍ୟରେ ଅବିନାଶ ମିଛ ହସ କଣ ଆଉ କାହାକୁ କୁହନ୍ତି ସେକଥା ବେଶ୍ ଶିଖି ପାରିଥିଲେ ।


ମା ଚାଲିଯିବା ପରେ ଅବିନାଶ କେମିତି ଏକ ଅଲଗା ମଣିଷ ହୋଇଯାଇଥିଲେ। ପତ୍ନୀ ବିୟୋଗ ଯୋଗୁଁ ଅବିନାଶଙ୍କ ବାପା ମନ କଷ୍ଟରେ ଥିଲେ।ଏତେ ସନ୍ତାନଙ୍କ ଲାଳନ ପାଳନ ଏକୁଟିଆ କରିବା ତାଙ୍କ ପକ୍ଷରେ ଅସମ୍ଭବ ଥିଲା।ତା ଛଡା ଏଇ ଯେଉଁ ଛୋଟ ଆଦର୍ଶ ତାରତମ୍ୟ ର ବୀଜ ବପାନ ହୋଇସାରିଥିଲା ବାପା ପୁଅ ମଧ୍ୟରେ ତାହା ଯେ ବିଶାଳକାୟ ଦ୍ରୁମ ହୋଇ ଠିଆ ହେଇ ଯାଉଥିଲା ସେକଥା ସେତେବେଳେ ଧୀରେ ଧୀରେ ଜଣା ପଡିଗଲା ।


ଅବିନାଶ ମେଧାବୀ ଥିଲେ ଓ ସବୁବେଳେ ବିଭିନ୍ନ ପ୍ରକାରେ ନିଜ କଥା କୌଶଳ ମାଧ୍ୟମରେ ସମସ୍ତଙ୍କୁ ପରାଜିତ କରିବା କଳା ଶିଖି ସାରିଥିଲେ..ମା ଥିବା ବେଳେ ଖାଇବା ପାଇଁ ଘରକୁ ନ ଆସିଲେ ସେ ଭୋକରେ ତାଙ୍କ ରାସ୍ତା ଅନେଇ ରହୁଥିଲା।ତେଣୁ ଏକ ସମୟ ନିର୍ଘଣ୍ଟ ଥିଲା ଘରକୁ ଆସିବା ପାଇଁ।କିନ୍ତୁ ମା ସହ ସେ ସମୟ ସୀମା ମଧ୍ୟ ଲୀନ ହୋଇଯାଇଥିଲା।ତେଣୁ ଘରକୁ ଆସିବା ପୂର୍ଣ୍ଣତଃ ନିଜସ୍ବ ହୋଇଗଲା।ବେଳେବେଳେ ଏପରି ପରିସ୍ଥିତି ଆସିଗଲା ଯେ ଅବିନାଶ ଘରକୁ ରାତିରେ ନ ଆସିଲେ ମଧ୍ୟ ତାଙ୍କୁ କେହି ପ୍ରଶ୍ନ କଲେନି।ବାପା ବିରକ୍ତ ହେଉଥିଲେ..ପ୍ରଥମେ ବହୁତ ମନ କଷ୍ଟ ମଧ୍ୟ କରୁଥିଲେ।କିନ୍ତୁ ଦେହ ସୁହା ହୋଇଯିବା ପରେ ଆଉ ସେସବୁକୁ ଖାତିର କରିବା ଦରକାର୍ ପଡ଼ିଲାନି।ଅବିନାଶ ବ୍ୟସ୍ତ ହୋଇଗଲେ ନିଜ ବନ୍ଧୁ ମାନଙ୍କ ଗହଣରେ...ଘରେ କଣ ହୁଏ ନ ହୁଏ ସେସବୁ ଠାରୁ ନିଜକୁ ଦୂରେଇ ନେଇ ସେ ଅନ୍ୟ ଏକ ରାଜ୍ୟରେ ବୁଲିବାକୁ ଲାଗିଲେ..

ଅବିନାଶଙ୍କ ମାମୁଁ ଏସବୁ ଦେଖି ଆଉ ସହି ପାରିଲେନି..ଅନ୍ୟ ପିଲାମାନଙ୍କ ଅପେକ୍ଷା ଏ ଛୋଟ ପୂଅଟା ପ୍ରତି ନିଜ ଭଉଣୀର ଥିବା ମମତା ତାଙ୍କୁ ବାଧ୍ୟ କରିଦେଲା ଅବିନାଶଙ୍କ ବିଷୟ କଥା ହେବା ପାଇଁ..


" ଅଭିକୁ ନେଇଯିବି ନିଜ ସହିତ ଭାବୁଛି..ଏଇଠି ରହିଲେ ସେ ଆହୁରି ବିଗଡ଼ି ଯିବ।ବରଂ ମୋ ପାଖରେ ରହିଲେ ମୋ ଦୁଇ ଝିଅଙ୍କ ସହ ଘର ପରିବାର ନେଇ ଚଳିବା ଶିଖି ଯାଇପାରେ.." ମାମୁଁ କହିଲେ


" ହଁ..,ସେଇୟା ଠିକ୍ ହେବ।ଛ ପିଲାଙ୍କ ବୋଝ ମୋ ମୁଣ୍ଡରେ ଲଦି ଦେଇ ତୋ ଭଉଣୀ ଚାଲିଗଲା..ଆଉ ଏ ଅଭି ମୋ କଥା ଶୁଣିବା କଣ ମୋ ସହିତ ଦୁଇ ପଦ କଥା ମଧ୍ୟ ହେଉନି।ବରଂ ତୋ ପାଖରେ ରହି ମଣିଷଟେ ହେଉ.."ବାପା ଏତିକି କହିବା ପରେ ଅବିନାଶଙ୍କ ଜୀବନ ଏକ ନୂତନ ମୋଡ଼ ନେଇଯାଇଥିଲା…


ମାମୁଁ ମାଇଁ ଙ୍କ ସହିତ ଦୁଇଜଣ ଭଉଣୀ ମଧ୍ୟ ମିଳିଯାଇଥିଲେ ଅବିନାଶକୁ । ମାମୁଁ ସେତେବେଳେ ରାଜନୀତିରେ ନୂଆ ନୂଆ ପାଦ ଥାପିଥନ୍ତି । ସଭା ସମିତି ହେଉ କି କୌଣସି ଦଳୀୟ କାର୍ଯ୍ୟ ସବୁରେ ସେ ଅବିନାଶ ଙ୍କୁ ସାଙ୍ଗରେ ନେଇ ଯାଆନ୍ତି।ଅବିନାଶ ପରି ଜଣେ ବୁଦ୍ଧିମାନ ଯୋଦ୍ଧା ତାଙ୍କୁ ବହୁତ ସାହାଯ୍ୟ କରି ଦେଉଥିଲା।ଧୀରେ ଧୀରେ ପାର୍ଟିର ସମସ୍ତଙ୍କ ଭାଷଣ ଲେଖିବା ଓ ଭାଷଣ ଦେବା ଠାରୁ ଆରମ୍ଭ କରି ଦଳୀୟ ପ୍ରଚାର କରିବା ସହ ବିରୋଧୀ ଦମନ କାର୍ଯ୍ୟ ମଧ୍ୟ ଅବିନାଶ ଭଲ ରୂପେ ଶିଖିଗଲେ ।


ମାତ୍ର ଅଳ୍ପ କିଛି ଦିନ ଭିତରେ ସେ ସଭିଙ୍କ ଚିହ୍ନା ମୁହଁ ହୋଇଯାଇଥିଲେ । ମାମୁଁ ଘରେ ଆଉ ଟିକେ ସ୍ଵାଧୀନତା ମିଳିଯାଇଥଲା ଘର ପରିବାର ମୁହାଁ ହେବାର ଯେଉଁ ସ୍ବପ୍ନ ନେଇ ବାପା ତାଙ୍କୁ ଘରୁ ବାହାରକୁ ପଠାଇ ଥିଲେ.. ସେ ସ୍ବପ୍ନ ଦୂର ଦିଗନ୍ତରେ ମିଳାଇ ଯାଇ ନିଜ ଅସ୍ତିତ୍ବ କେବେଠୁ ହରେଇ ସାରିଥିଲା।


ବ୍ୟସ୍ତ ହୋଇଯାଇଥିଲେ ଦିନକୁ ଦିନ ଅବିନାଶ।ଜୀବନ ଏ ଯେଉଁ ନୂଆ ଦିଗରେ ନେଇ ଚାଲିଥିଲା ସେଥିରେ ସେ ସମ୍ପୂର୍ଣ ରୂପେ ରାଜନୀତି ମନସ୍କ ହୋଇଗଲେ। ଛୋଟ ଆୟୁ ଆଉ ବିକ୍ଷିପ୍ତ ପରିବାର ତାଙ୍କ ଗତିରୋଧ କରି ପାରି ନ ଥିଲା ଅବଶ୍ୟ ଏହା ଏକ ଆଶୀର୍ବାଦ ହୋଇଗଲା ତାଙ୍କ ପାଇଁ…!!କିନ୍ତୁ ?


ବାପା ଶେଷ ଶଯ୍ୟାରେ ପଡିଥାନ୍ତି !


ବିକଳ ହୋଇ ଭାଇ ଫୋନ୍ କଲେ" ଅଭି..ଗଲା ପରଠୁ ପାଞ୍ଚ ବର୍ଷ ହେଲାଣି ଦିନେ ଫେରି ଆସିନୁ..ବାପା ବୋଧେ ଆଉ ବଞ୍ଚିବେନି..ଥରେ ଆସି ।"


" ମୁଁ ଆସିଗଲେ ବାବାଙ୍କୁ ବଞ୍ଚେଇ ପାରିବିନି ଭାଇ।କିନ୍ତୁ ମୋତେ ଦେଖିଲେ ସେ ଆହୁରି ଉତ୍ତେଜିତ ହୋଇଯିବେ ବୋଲି ମୋତେ ଲାଗୁଛି।ଏମିତିରେ ମୁଁ ଆସିଯିବା ପରେ ତୁମେମାନେ ମଧ୍ୟ ମୋତେ ଥରେ ହେଲେ ମନେ ପକାଇ ନାହଁ..ଏବେ ମୁଁ ଦଳୀୟ କାମରେ ଦିଲ୍ଲୀ ଆସିଛି..ଚାରିଦିନ ପରେ ଫେରିବି।ଯଦି ଦରକାର ହୁଏ କହିବ ସେତେବେଳେ ଆସିବି ।


ଈଶ୍ୱରଙ୍କ ନିର୍ଦେଶ ବୋଧେ କିଛି ଅଲଗା ଥିଲା।ସେଥିପାଇଁ ବାପା ଆଉ କିଛି ସମୟ ଅପେକ୍ଷା କରି ପାରିଲେନି କି ଅବିନାଶ ମଧ୍ୟ କିଛି ସମୟ ଆଗରୁ ଆସି ପାରିଲେନି.. ଶବ ସତ୍କାର ହୋଇଯାଇଥିବା ପରେ କେବଳ ନିଜ କେଶ ଅର୍ପଣ ଛଡା ଆଉ କିଛି କର୍ତ୍ତବ୍ୟ ବାକି ନ ଥିଲା ତାଙ୍କ ପାଇଁ ?ମା ବହୁତ ମନେ ପଡ଼ୁଥିଲା..ବାପାଙ୍କ ଦେହାନ୍ତ ପରେ ମା କାହିଁକି ଏତେ ମନେ ପଡୁଥିଲା କେଜାଣି ?


ଠିକ୍ ସେତେବେଳ ପରି ଅସ୍ଥିର ଲାଗୁଛି ଆଜି !ହସ୍ପିଟାଲ ବେଡ୍ ଉପରକୁ ସେ କେମିତି ଆଉ କାହିଁକି ଆସିଲେ? କଣ ହୋଇଯାଇଛି ତାଙ୍କର?ସେ ତ..


ହଁ.. ମନେ ପଡ଼ିଲା..ଚିଫ୍ ମିନିଷ୍ଟରଙ୍କ ପାର୍ଟିରୁ ସେ ଘରକୁ ଆସୁଥିଲେ..ସେ ସିନା ନିଶାଗ୍ରସ୍ତ ଥିଲେ..କିନ୍ତୁ ତାଙ୍କ ଡ୍ରାଇଭର !ସେ ତ ଠିକ୍ ଠାକ୍ ଥିଲା..ତେବେ !!!


ହଁ.. ସେ ଫୋନରେ ବିନୁ ସହିତ କଥା ହେଉଥିଲେ।ହଠାତ୍ ଗୋଟେ ଶବ୍ଦ ହେଲା.. ଆଉ ତା ପରେ !


ତାଙ୍କର କଣ ହୋଇଛି? ସେ କିଛି ଦେଖିପାରୁ ନାହାଁନ୍ତି ଯେ.. ହଁ.. କିନ୍ତୁ ଶୁଣି ପାରୁଛନ୍ତି ନିଶ୍ଚୟ..


" ସାରଙ୍କ ବ୍ରେନ୍ ଡେ଼ଡ ହୋଇଯାଇଛି.." କେହି ଜଣେ କହୁଥିଲେ..ସେ କଣ ତାଙ୍କ ବିଷୟ କହିଲେ?ତାଙ୍କ ବ୍ରେନ୍ କେମିତି ଡେ଼ଡ ହୋଇଛି ଯେ? ସେ ତ ସବୁ ଜାଣି ପାରୁଛନ୍ତି।ହଁ କିନ୍ତୁ ବୋଧେ କିଛି ଦେଖା ଯାଉନି କଣ ହେଉଛି..


ଶୁଣିବାକୁ ଚେଷ୍ଟା କଲେ ଅବିନାଶ..


ସୂଁ ସୂଁ କାନ୍ଦ ଶୁଭୁଥିଲା..


" ଭାଉଜ..ଆଉ କାନ୍ଦନି ମ.." କେହି ନାରୀ ସ୍ଵରରେ କହିଲା..


ହଁ.. ଏଇଟା ମାମୁଁଙ୍କ ଝିଅ ମିତାର ସ୍ଵର..ସେ ବୋଧେ ତାଙ୍କ ସ୍ତ୍ରୀ ଚେତନା ସହିତ କଥା ହେଉଛି..


" ତମେ କାନ୍ଦିଲେ କଣ ଭାଇ ଠିକ୍ ହେଇଯିବେ କି? କାଲି ରାତିରୁ କାନ୍ଦୁଛ କିଛି ଖାଇନ ,ରାତିସାରା ଶୋଇନ...ଆଉ ତମ ଦେହ ଖରାପ ହେଲେ କିଏ ସେବା କରିବ କୁହ?ମୁଁ ତ ଆଉ ଟିକେ ପରେ ମୋ ଘରକୁ ଚାଲିଯିବି।ତମେ ଟିକେ ସମ୍ଭାଳ !!"କହୁଥିଲା ମିତା..ମିତା ଏ ଆର ସହରରେ ନିଜ ଶାଶୁ ଶଶୁର ସହିତ ରହେ।ବୋଧେ ଅବିନାଶଙ୍କୁ ଦେଖିବାକୁ ଆସିଛି !


ମିତା ଚାଲିଯିବା କଥା ଜାଣି ପାରିଲେ ଅବିନାଶ.. ଓଃ..ତେବେ ଗତକାଲି ରାତିରେ ତାଙ୍କ ଗାଡ଼ି ଆକ୍ସିଡେନ୍ଟ ହୋଇଯାଇଛି ?କିନ୍ତୁ ଚେତନା..ସେ ବସିଥାନ୍ତି ଅବିନାଶ ପାଖରେ !


"ଆଇ ସି ୟୁ ଭିତରେ ଏତେ ସମୟ ରହି ପାରିବେନି ମାଡ଼ମ.."କେହି କହିଲେ..ବୋଧେ ନର୍ସ..ଆଉ ତା ପରେ ପାଉଁଜି ଶବ୍ଦ ଦୂରକୁ ଚାଲିଗଲା..ଚେତନା ବୋଧେ ଚାଲି ଯାଇଥିଲେ ?


ଚେତନା.. ଚଉଠି ରାତିରେ ହିଁ କହି ଦେଇଥିଲେ ଅବିନାଶ.."ମୁଁ ଅନ୍ୟ ମାନଙ୍କ ପରି ତୁମକୁ ସମୟ ଦେଇ ପାରିବିନି..ମୋ ଦଳ କାମ ପ୍ରଥମ।ରାଜନୀତି ମୋ ତପସ୍ୟା।ତେଣୁ ତୁମେ ଏସବୁ ସହିତ ଆଡ଼ଜଷ୍ଟ ହେବାକୁ ପଡିବ.."ବୋଧେ ନବ ବିବାହିତା ପତ୍ନୀ ପାଇଁ ଏତିକି ସନ୍ତକ ସେ ଦେଇ ପାରିଥିଲେ ?


ତା ପରେ ଚେତନା କେବେ ମଧ୍ୟ ତାଙ୍କୁ ସମୟ ମାଗି ନାହାନ୍ତି..କେତେ ଦେହ ଅସୁସ୍ଥତା ,କେତେ ଉତ୍ସବ ମାଦକତା..କେତେ ସ୍ବପ୍ନ କେତେ ବାସ୍ତବ !କେଜାଣି କେତେ କଣ ସେ ନିଜେ ସମ୍ଭାଳି ନେଇଛନ୍ତି ଏ ବିଗତ ତିରିଶ ବର୍ଷ ଭିତରେ ?ଦିନେ ମଧ୍ୟ ପଚାରି ନାହାନ୍ତି ଅବିନାଶ ତାଙ୍କୁ..ଆଉ ଆଜି ଏଇ ଯେଉଁ ପାଉଁଜି ସ୍ଵର ଶୁଣି ସେ ତାଙ୍କ ଅନୁପସ୍ଥିତି ଜାଣି ପାରୁଛନ୍ତି.. ଏ ପାଉଁଜି ମଧ୍ୟ କେବେ ତାଙ୍କ ପାଦର ଶୃଙ୍ଖଳ ହୋଇ ପାରିନି !


ଚେତନା ଯାହା ବି ହୁଅନ୍ତୁ.. ଯେମିତି ବି ହୁଅନ୍ତୁ କିନ୍ତୁ ଗୋଟିଏ କଥା ପାଇଁ ଅବିନାଶ ସବୁବେଳେ ତାଙ୍କ ପାଖରେ କୃତଜ୍ଞ.. ବିନୁ ପାଇଁ..ଅବିନାଶଙ୍କ ଏକମାତ୍ର ଯୋଗ୍ୟ ଉତ୍ତରାଧିକାରୀ..ବିନୁକୁ ଦେଇଥିବାରୁ ସେ ଚେତନାଙ୍କୁ କେବେ ଧନ୍ୟବାଦ ତ କହି ନାହାନ୍ତି ? ଏ ହସ୍ପିଟାଲରୁ ଫେରିକି ଗଲା ପରେ ସେ ନିଶ୍ଚୟ ତାଙ୍କୁ ଧନ୍ୟବାଦ କହିବେ।ଚେତନା ଏତେ ବର୍ଷ ହେଲା ବିନା ପ୍ରତିବାଦରେ ତାଙ୍କ ସହ ରହିଛନ୍ତି !କେବେ କିଛି ମାଗି ନାହାନ୍ତି ! ଏଥର କିନ୍ତୁ ଅବିନାଶ କହିବେ ମନ ଖୋଲି ମାଗିବାକୁ..ଯାହା ଇଚ୍ଛା..


ହଁ..ଥରେ କହିଥିଲେ ଚେତନା..ତାଙ୍କର କାଳେ ବହୁତ୍ ଇଚ୍ଛା ଅଛି ଚାରିଧାମ ତୀର୍ଥ ଯିବାପାଇଁ..ହସରେ ଉଡ଼େଇ ଦେଇଥିଲେ ଅବିନାଶ..

"ହଃ..ତୀର୍ଥ କରିବ !"

କିନ୍ତୁ ଆଜି ବହୁତ ଇଚ୍ଛା ହେଉଛି ଚେତନା ସହିତ ତୀର୍ଥ କରିବାକୁ.. ଦେବ ଦୁଆରେ ଯାଇ ମୁଣ୍ଡ ନୋଇଁବାକୁ !


ମା କେତେ କହୁଥିଲା.."ବାପାରେ..ଈଶ୍ୱରଙ୍କ ପାଖରେ ହାତ ଯୋଡ୍.." 


କିନ୍ତୁ ସେ କେବେ ଶୁଣନ୍ତି ନାହିଁ..କିନ୍ତୁ ଆଜି ଇଚ୍ଛା ହେଉଛି ଥରେ ମନ୍ଦିର ଯିବାକୁ !କେତେବେଳେ ସେ ଏ ବେଡ୍ ରୁ ଉଠିବେ କେଜାଣି !ଆଉ ବିନୁ.. ଏ ବିନୁଟାର କଣ ହେଲା?ଏଯାଏଁ ଆସିନି ?ନା ଆସି ବାହାରେ ଅଛି?କିନ୍ତୁ ସେ ନିଜ ପୁଅକୁ ଭଲ ରୂପେ ଚିହ୍ନିଛନ୍ତି।ସେ ଯଦି ଆସିଯାଇଥାନ୍ତା ତେବେ ପ୍ରଥମେ ତାଙ୍କୁ ଦେଖା କରନ୍ତା...ତା ଛଡା ବିନୁର ରାସ୍ତା ରୋକିବାକୁ କାହା ପାଖରେ ସାମର୍ଥ୍ୟ ଅଛି ଏ ଦୁନିଆରେ ?


କିଛି ସ୍ଵର ଶୁଭୁଛି.. କାନେଇଲେ ଅବିନାଶ..


" ଆରେ ଡାର୍ଲିଂ..ଆଜି ଯେତେ ଇଚ୍ଛା ଗପି ହେବ।ଆଜି ପରା ଜଣେ ବ୍ରେନ୍ ଡେ଼ଡ୍ ପେସେଣ୍ଟ ର ଡିଉଟି !ଏଇ ପରି ରୋଗୀ ପାଖରେ ବହୁତ ମଜା..ସେ ନା କେବେ ଉଠିବ ନା କାହା ଆଗରେ କହିବ କଣ ହେଉଛି..ତେଣୁ…"


କଥା ଲମ୍ବି ଚାଲିଥିଲା ..ବୋଧେ ଆଟେଣ୍ଡାଣ୍ଟ ! ଓଃ..ମୁଣ୍ଡ ଗୋଳମାଳ ହୋଇ ଗଲାଣି ଅବିନାଶଙ୍କ..କଣ ଆଜେ ବାଜେ ଗପି ଚାଲିଛି ?ଏମିତିକା ପେସେଣ୍ଟ କଣ ଆଉ କେବେ ଉଠିବେନି ଭାବିଛି ନା କଣ?ଅବିନାଶ ଥରେ ଠିକ୍ ହୋଇଗଲା ପରେ ତା କଥା ନିଶ୍ଚୟ ବୁଝିବେ..ଆରେ !ରୋଗୀ ସେବା ଦାୟିତ୍ୱରେ ରହି ଏତେ ଖାମଖିଆଲି?ତା ପାଉଣା ତାକୁ ନିଶ୍ଚୟ ଦେବାକୁ ପଡ଼ିବ..ସେ ଜାଣିନି ବୋଧେ..ଅବିନାଶ କେମିତି ଲୋକ ?ଦାୟିତ୍ଵ ନ ତୁଲେଇଲେ ସେ କାହାକୁ କ୍ଷମା ଦିଅନ୍ତି ନାହିଁ..ଆଉ ସେ ନିଜ ଦାୟୀତ୍ବ..ବହନ କରିଛନ୍ତି ତ ?


ଗାଁରୁ ମଝିଆ ଭାଇ ତା ପୁଅକୁ ନେଇ ଆସିଥିଲା..କିଛି ଗୋଟିଏ କାମରେ ଲଗେଇ ଦେବା ପାଇଁ..ସେ ମଧ୍ୟ କାହିଁକି ମନା କରନ୍ତେ?ବସ୍ତି ବାସିନ୍ଦା ମାନଙ୍କ ସୁଖ ଦୁଃଖ ବୁଝିବାକୁ ତାକୁ ଦାୟିତ୍ଵ ଦେଇଦେଲେ..ସେ ପିଲାଟି ଦୁଇ ତିନି ଦିନ ଦୌଡ଼ା ଦୋୖଡି କରି ନିଜ ଦାଦା କ୍ଷମତାରେ ଥିବାର ଫାଇଦା ଉଠାଇ କାମରେ ଅବହେଳା କରିଥିଲା !ପରଦିନ ତାକୁ ସବୁଦିନ ପାଇଁ ଗାଆଁକୁ ସେ ପଠେଇଦେଲେ !

ଏ ସବୁ କାମ କେବଳ ବିନୁ ଭଲ ରୂପେ କରିପାରେ।ବିନୁ ଅବିକଳ ତାଙ୍କରି ପରି ହେଇଛି। ନ ଜାଣିବା ଲୋକେ ମଧ୍ୟ କୁହନ୍ତି ଏକଥା !ଏତେ ଛୋଟ ବୟସରୁ ଠିକ୍ ତାଙ୍କରି ପରି ସେ ଆଗେଇ ଚାଲିଛି।ଗତ ଥର ସେ ମନ୍ତ୍ରୀ ପଦରେ ଥିବା ସମୟରେ ଅଧିକାଂଶ ସମୟ ମିଟିଂ ଓ ଗସ୍ତରେ ବିତି ଯାଉଥିଲା।ସେ ସମୟ ଭିତରେ ସାଧାରଣ ଜନତାଙ୍କ ସୁଖ ଦୁଃଖ ଭଲ ମନ୍ଦ ସବୁ ବିନୁ ବୁଝି ଟିକିନିଖି ଖବର ଅବିନାଶଙ୍କୁ ଦେଉଥିଲା..କେତେ ବୁଦ୍ଧି ସତରେ ପିଲାଟିର !ଗର୍ବିତ ହୁଅନ୍ତି ଅବିନାଶ ତା ପରି ଏକ ଯୋଗ୍ୟ ଦାୟାଦ ପାଇ !


ପୁଣି ପାଉଁଜି ସ୍ଵର..ଚେତନା ଆସିଲେ ବୋଧେ..


" ହଁ ସୀମା.. ଏଇ ଦେଖ..ତୁମ ଭାଇଙ୍କ ଅବସ୍ଥା !" କହୁଥିଲେ ସେ..


ବୋଧେ ଭିଡିଓ କଲ କରୁଥିଲେ ସୀମା କୁ।ସେ ତ ଦୁବାଇରେ ରହୁଛି ବାହାଘର ପରେ। ଆସିପାରିବ ନାହିଁ।ତେଣୁ ଭିଡ଼ିଓରେ ଦେଖୁଥିବ !


ଏ ସୀମା ଆଉ ମିତା..ଦୁଇ ଜଣ ଭାଇ ଭାଇ କହି କେତେ ଆଦର କରୁଥିଲେ ଅବିନାଶଙ୍କୁ..ମାମୁଁ ସକ୍ରିୟ ରାଜନୀତିରେ ତାଙ୍କୁ ଭର୍ତ୍ତି କରିଦେବା ପରେ ସେ ଏତେ ବ୍ୟସ୍ତ ହୋଇଯାଇଥିଲେ ଯେ ସୀମା ବାହାଘରକୁ ମଧ୍ୟ ଆସିପାରି ନ ଥିଲେ।ଭାଇ ହିସାବରେ ତା ବାହାଘର କରେଇ ଦେବା ତ ଦୂରର କଥା !


ସମ୍ପର୍କ ସବୁ ଏମିତି ହିଁ ହୋଇଥାଏ ନା !କେତେବେଳେ ଅତି ନିଜର ତ ଆଉ କେତେବେଳେ ସାତ ପର !ଏଇ ଯେମିତି ଚେତନା ସହ ଅବିନାଶଙ୍କ ସମ୍ପର୍କ..ଦୁନିଆ ଆଖିରେ ପତି ପତ୍ନୀ !କିନ୍ତୁ କେବେ ମଧ୍ୟ ଅନ୍ୟ ଦମ୍ପତି ପରି କେବେ ଏକା ସାଙ୍ଗରେ ବାହାରକୁ ଯିବା କି ଘରେ ମଧ୍ୟ ଖୁସି ଗପ ହେବା ସମ୍ଭବ ହୋଇନି !


ଏଇ ଯେମିତି ବାପା ଆଉ ଅନ୍ୟ ଭାଇ ମାନଂକ ସହିତ ସମ୍ପର୍କ !ମା ବଞ୍ଚିଥିବା ବେଳେ ଏକ ରକମ ଚାଲିଥିଲା କିନ୍ତୁ ମା ଚାଲିଯିବା ପରେ ଆଉ କେହି କାହାରି ସହ ଦେଖା ହେବା ମଧ୍ୟ କଷ୍ଟକର ହୋଇ ଯାଇଛି।ଅବଶ୍ୟ ମନ୍ତ୍ରୀ ପଦ ପାଇବା ପରେ ବହୁତ ଥର ଭାଇ ଭାଉଜ ଓ ତାଙ୍କ ପିଲାମାନେ ଘରକୁ ଆସିବା ପାଇଁ ଚେଷ୍ଟା କରିଛନ୍ତି କିନ୍ତୁ ଅବିନାଶ ଆଉ ସେମାନଙ୍କୁ ପ୍ରଶ୍ରୟ ଦେଇ ନାହାନ୍ତି !


ସମ୍ପର୍କ କହିଲେ ମାମୁଁ ମାଇଁଙ୍କ ସହ ଥିବା ତାଙ୍କ ସମ୍ପର୍କ ବିଷୟ ମଧ୍ୟ କୁହାଯାଇପାରେ..ମାମୁଁ ନିଜ ଡାହାଣ ହାତ କରି ରଖିଥିଲେ।କିନ୍ତୁ ରାଜନୀତିରେ କିଏ ବା କାହାର ?ବୟସ ନ ହେଲେ ମଧ୍ୟ ଅବିନାଶ ଯେବେଠୁ ପାର୍ଟି ସମ୍ଭାଳି ନେଇଛନ୍ତି ମାମୁଁ ନିଜ ଫ୍ୟାକ୍ଟ୍ରି କାମରେ ବ୍ୟସ୍ତ ରହୁଛନ୍ତି। ମିତାର ସ୍ବାମୀ ତାଙ୍କ ସହ ରହି ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସବୁକାମ ସମ୍ଭାଳି ନେଉଛନ୍ତି..ଆଉ ସୀମା !


ତା ବାହାଘର ସମୟରେ ଅବିନାଶ ନ ରହିଥିବାରୁ ସେ ତା ପରଠୁ ଏତେ ଗପସପ କରେନି।ଏମିତିକି ତା ପୁଅ କେବେ ମଧ୍ୟ ଅବିନାଶ ସହ କଥା ହୋଇନି।କାହା ପାଖରେ ସମୟ ଅଛି?ଅବିନାଶ ତ ନିଜକୁ ଦେବା ପାଇଁ ଅଳ୍ପ ସମୟ ପାଉ ନାହାନ୍ତି !


ଅବିନାଶ କିନ୍ତୁ ବିନୁ କୁ ସମୟ ଦେଇଛନ୍ତି।ଯଥେଷ୍ଟ ସମୟ।ଏପରିକି ତାକୁ କୋଳରେ ବସେଇ ବେଳେବେଳେ ମିଟିଂ ମଧ୍ୟ କରି ଦିଅନ୍ତି।ବିନୁ ମଧ୍ୟ ସେହିପରି ସୁନା ପିଲାଟିଏ ହୋଇ ସବୁ ମନ ଦେଇ ଶୁଣେ!!ଆଉ ଶିଖି ଯାଉଥାଏ ! ତାକୁ କିଛି ଶିଖେଇବା ଦରକାର ନାହିଁ..


ଏ ସବୁ ଭାବିବା ବେଳକୁ ପୁଣି ଏକ ଗମ୍ଭୀର ସ୍ଵର ଶୁଭିଲା..


" ନୋ ସାର୍ ! ଫର୍ଟି ଆୱାର ହୋଇଗଲାଣି।କିନ୍ତୁ କିଛି ସୁଧାର ନାହିଁ ଅବସ୍ଥାରେ..ହଁ..ଆପଣ ଆସନ୍ତୁ।ଆମେ ଆପଣଙ୍କ ବାପାଙ୍କ ସମ୍ପୂର୍ଣ୍ଣ ଯତ୍ନ ନେଉଛୁ !'


ଓଃ..ମାନେ ଡକ୍ଟର ବିନୁ ସହ କଥା ହେଉଥିଲେ ?


କଣ କହିଲେ? ଫର୍ଟି ଆୱାର ?ଚାଳିଶ ଘଣ୍ଟା ହୋଇଗଲାଣି ଏ ଭିତରେ?ସେ ଏମିତି ପଡି ରହିଛନ୍ତି?ଓହୋ !ସେପଟେ ଜାତୀୟ ମିଟିଂ ଥିଲା ତାଙ୍କ ଦଳର !କଣ ହୋଇଥିବ କେଜାଣି?ସେ ଵିନୁକୁ କିଛି ଜଣେଇ ପାରି ନାହାନ୍ତି।ସେ ବା କାହିଁକି ଜଣିଥାନ୍ତେ ତାଙ୍କ ଅବସ୍ଥା ଏପରି ହୋଇଯିବ ?


କେତେ ଦାୟିତ୍ଵ ଅଛି ତାଙ୍କ କାନ୍ଧରେ !କେତେ ଯୋଜନା ଅଛି ମନରେ ?ଆଉ କେତେ ସମ୍ଭାବନା ଅଛି ଜୀବନରେ ?ଏତିକିବେଳେ ଏମିତି ଗୋଟିଏ କଥା ଜମାରୁ ପସନ୍ଦ ହେଉନି।ସେ ଯେତେବେଳେ ସବୁ ଶୁଣି ପାରୁଛନ୍ତି ଆଉ ବୁଝି ପାରୁଛନ୍ତି ତାଙ୍କୁ ଏମିତି ମୃତ ମସ୍ତିସ୍କ କହି ଆଇ ସି ୟୁ ରେ ରଖିବା କେତେ ଦୂର ଠିକ୍ ହେଉଛି ସେ ନିଜେ ସନ୍ଦିହାନ !ଆଖି ଦୁଇଟି ବନ୍ଦ ଥିଲେ ମଧ୍ୟ ତାଙ୍କ କାନ ଦୁଇଟି କେବଳ ବିନୁ କୁ ଖୋଜୁଛି..ସେ ଆସିଗଲେ ତାଙ୍କୁ ଠିକ୍ ବୁଝି ପାରିବ ଆଉ ଏଇଠୁ ମୁକୁଳେଇ ପାରିବ !


ପଚାଶ ଘଣ୍ଟା !ସେଇ ଏକା ଅବସ୍ଥା..ଜଣେ ଜଣେ ଆସି ଦେଖି ଯାଉଛନ୍ତି ଆଉ ପୁଣି ସେଇ ନୀରବତା !ସେ ନୀରବତା ମଧ୍ୟରେ ପୁଣି ପୁରୁଣା ସ୍ମୃତି ରୋମନ୍ଥନ !ବିରକ୍ତ ହୋଇଗଲେଣି ଅବିନାଶ !ତାଙ୍କୁ କିଏ ସ୍ପର୍ଶ କଲେ ସେ ଜାଣି ପାରୁଛନ୍ତି।କିନ୍ତୁ ଏତେ ସମୟ ଭିତରେ ପତ୍ନୀ ଚେତନା ଦୁଇଥର ଆଉ ଡକ୍ଟର ଚାରିଥର ସ୍ପର୍ଶ କରିଛନ୍ତି।ଆଉ କେହି ନୁହେଁ...ହସ୍ପିଟାଲ୍ ରୁମ୍ ଏତେ ଶୂନଶାନ ଲାଗୁଛି ଯେପରି କେବଳ ମୃତ୍ୟୁ ହିଁ ସକ୍ରିୟ ଅଛି.. ବାକି ସବୁ ନିଷ୍କ୍ରିୟ ?


" ଏଇଟା କେମିତି କଥା?ଆପଣ ବାହାରୁ ଡକ୍ଟର ଟିମ୍ ଆଣନ୍ତୁ..କିନ୍ତୁ ବାପାଙ୍କୁ ଉଠିବାକୁ ହେବ।ମୁଁ ଯାଉଛି..ସନ୍ଧ୍ୟାରେ ଆସିବି.."


ଆରେ!!ଏଇଟା ବିନୁର ସ୍ଵର..ଆସିଯାଇଛି ତେବେ ବିନୁ.!!ହେଲେ ସେ ସ୍ପର୍ଶ କରିନି ତାଙ୍କୁ।କିନ୍ତୁ ତା ଉପସ୍ଥିତି ଜଣେଇ ଦେଇଛି ସେ କିପରି ବ୍ୟସ୍ତ ହେଉଛି ଅବିନାଶଙ୍କ ବିଷୟ ରେ ? ଏଇ ବିନୁ ପାରିବ ଠିକ୍..କହିଛି ସେ ସନ୍ଧ୍ୟାରେ ଆସିବ !ଆଜିଯାଏଁ କାହାକୁ ନିଜ ସମୟ ଦେଇ ନ ଥିବା ଅବିନାଶ ନିଜ ପାଇଁ କାହା ପାଖରୁ ଟିକେ ସମୟ ମଗିବେ ଖାଲି ଭାବୁଛନ୍ତି !ହଉ..ବିନୁ କଣ କରୁଛି ଦେଖାଯାଉ..


ଆଶ୍ଚର୍ଯ୍ୟ ହେଉଥିଲେ ଅବିନାଶ.!! ଏ ଚେତନା ଏତେ କାହିଁକି କାନ୍ଦୁଛନ୍ତି ?ତାଙ୍କ ଭିତରେ ଏତେ ସ୍ନେହୀ ମଣିଷଟେ ଅଛି ସେ ଯଦି ଜାଣିଥାନ୍ତେ ତେବେ !ନା..ଆଉ ନୁହେଁ..ଆଜି ଏଇଠି ଏମିତି ଏକୁଟିଆ ରହିବା ପରେ ସେ ଜାଣି ପାରୁଛନ୍ତି..ପରିବାରର ମହତ୍ତ୍ଵ !ଖାଲି ପତ୍ନୀ ସନ୍ତାନ ନୁହଁ ଅନ୍ୟ ସବୁ ସମ୍ପର୍କ ମୂଲ୍ୟବାନ !ଆଉ ପତ୍ନୀ ସନ୍ତାନ ମଧ୍ୟ ସ୍ନେହ ଭିକ୍ଷୁ..ଏମାନଙ୍କୁ ସ୍ନେହ ଦେବା ଯେ କେତେ ଜରୁରୀ ସେ ଆଜି ଜାଣୁଛନ୍ତି ! ଦୁର୍ଘଟଣା ହୋଇ ଭଲ ହେଲା।ସେ ବହୁତ କିଛି ଜାଣି ପାରିଲେ।ଏଇ ଯେମିତି କାଲି ରାତିରେ ଜଣେ ନର୍ସ କିଛି ଟେଷ୍ଟ ନ କରି ରିପୋର୍ଟ ଲେଖି ଦେଇଥିଲେ।ତାଙ୍କ ସାଙ୍ଗ ପଚାରିବାରୁ ସେ କହିଲେ..


" ଏମିତି ପେସେଣ୍ଟ ଦେହରେ ବେଶୀ ପରିବର୍ତ୍ତନ ହୁଏନି।ବ୍ୟସ୍ତ ହେବା ଦରକାର ନାହିଁ।"


ସତରେ..କଣ ତାଙ୍କ ଦେହରେ କିଛି ପରିବର୍ତ୍ତନ ହେଉନାହିଁ?କିନ୍ତୁ ମନ..ମନ ତ ବଦଳି ଚାଲିଛି । ଓଃ..ଶରୀର ବାନ୍ଧି ହୋଇଯାଏ,କିନ୍ତୁ ମନ ନୁହେଁ !ଠିକ୍ ଠିକ୍..ସେଇୟା ହିଁ ହେଉଛି।


"କଣ କହୁଛନ୍ତି ଡାକ୍ତର!!ବାପା ଆଉ ଭଲ ହେବେନି ମାନେ କଣ?" ବିନୟ ପଟ୍ଟନାୟକ ଓରଫ ବିନୁ ବ୍ୟସ୍ତ ହୋଇ ପଚାରୁଥିଲେ !


"ସାର୍..ଆପଣଙ୍କୁ କଣ ଅଛପା ଅଛି କହିଲେ !ଅବିନାଶ ସାରଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗି ଇଣ୍ଟରନାଲ ବ୍ଲିଡ଼ିଂ ହୋଇଯାଇଛି।ଫଳରେ ସାର୍ ଏହିପରି ଅଚଳ ରହିବେ।ବ୍ରେନ୍ ମଧ୍ୟ ଆଉ କାମ କରିବନି।କଣ କରି ପାରିବା କୁହନ୍ତୁ ଆମ ତରଫରୁ ଆମେ ସବୁ ଚେଷ୍ଟା କରି ଚାଲିଛୁ।ହେଲେ.. ଉପରବାଲା ଆଗରେ "ଡକ୍ଟର ବିକଳ ହୋଇ କହିଲେ


" କିନ୍ତୁ !ଆପଣ ଯାଆନ୍ତୁ, ଟିକେ ସେକ୍ରେଟାରୀଙ୍କୁ ପଠେଇ ଦେବେ..ମୁଁ ବାପାଙ୍କ ପାଖରେ ବସିବାକୁ ଚାହେଁ କିଛି ସମୟ !!"ବିନୁ କହିଲେ।


" ବାପା !" ବିନୁର ଏଇ ଡାକ ଅବିନାଶଙ୍କ ଶରୀରରେ ପ୍ରାଣ ଭରିବା ପାଇଁ ଯଥେଷ୍ଟ ଥିଲା।କିନ୍ତୁ...ନା !ସେ ପୂର୍ବପରି କେବଳ ଶୁଣିବା ଛଡା ଆଉ କିଛି କରିପାରିଲେନି ?


"ସାର୍..!" ହାତ ଦୁଇଟି ଯୋଡ଼ି ପାଖରେ ଠିଆ ହୋଇଥିଲେ ପଣ୍ଡାବାବୁ..ଅବିନାଶଙ୍କ ସେକ୍ରେଟାରୀ।ତାଙ୍କୁ ବଡ଼ ଭାଇ ପରି ମାନନ୍ତି।କିନ୍ତୁ ସେ ବିନୟ ପାଇଁ ମଧ୍ୟ ସେତିକି ହିଁ ସମର୍ପିତ ?


" ଭାରି ଟେନସନ ହେଲାଣି ପଣ୍ଡାବାବୁ !ବାପା ହଠାତ୍ ଏ ଅବସ୍ଥାରେ ଆସି ରହିଗଲେ !"


" ଠିକ୍ କହିଲେ ସାର୍ !କିନ୍ତୁ କଣ କରି ପାରିବା ?"


" ଆଗକୁ ଇଲେକ୍ସନ ଅଛି।ଗତ ଥର କେବଳ ଗୋଟିଏ ଭୋଟରେ ବାପା ହାରି ଯାଇଥିଲେ।ଏଥର ବହୁତ ଚେଷ୍ଟା କରିଛନ୍ତି।ଆଉ ଠିକ୍ ଏ ସମୟରେ…"


କଥା ଅଧା ରଖି ପଣ୍ଡାବାବୁ କହିଲେ" ଅବିନାଶ ଭାଇ ସତରେ ବହୁତ ଚେଷ୍ଟା କରିଛନ୍ତି।ଆଉ ଏଥର ଆମ ଦଳ ଜିତିବା କଥା ମଧ୍ୟ ପକ୍କା ଅଛି।ସାର୍ ଯଦି ଏପାଖ କି ସେପାଖ ହୁଅନ୍ତେ.!!"


"ମାନେ?" ପଚାରିଲେ ବିନୟ..


" ନାଇ ସାର୍ ସେମିତି କିଛି ନୁହଁ !କିନ୍ତୁ..ଅବିନାଶ ଭାଇ ଏମିତି ଯେ ଜୀବନ ଆଉ ମୃତ୍ୟୁ ମଝିରେ ରହିଲେ ଆଉ କଣ କରି ପାରିବା ?"


" ଦେଖନ୍ତୁ ପଣ୍ଡାବାବୁ..ଇଲେକ୍ସନରେ ଅନୁକମ୍ପା ଭୋଟ ତକ ପାଇଯିବା ବୋଧେ ଆମେ।ହେଲେ..ବାପାଙ୍କ ସ୍ଥାନରେ ଆଉ କିଏ ନେତୃତ୍ୱ ନେଇପାରିବ କହିଲ ?"


" କାହିଁକି ସାର୍..ଆପଣ ଥାଉ ଥାଉ ?"


"ଆରେ ନା ନା..ବାପା ଏମିତି ପଡିବା ପରେ ମୋ ଦାୟିତ୍ଵ ଏତେ ବେଶୀ ହୋଇଯାଇଛି ମୁଁ ଦଳ ନେତୃତ୍ୱ ନେଇ ପାରିବିନି..ତା ଛଡା ଭାବୁଛି ସୁବିଧା ହେବ ଲେଡିଜ୍ କୋଟା !"


" ଲେଡିଜ୍ ?" ପଚାରିଲେ ପଣ୍ଡାବାବୁ।କାରଣ ଅବିନାଶଙ୍କ ସ୍ଥାନ ନେଇ ପାରିଲା ପରି ନାରୀନେତ୍ରୀ କେହି ଯେ ସାମ୍ନାରେ ଅଛନ୍ତି ତାହା ସେ ମନେପକେଇ ପାରୁ ନାହାନ୍ତି ।


" ପଣ୍ଡାବାବୁ..ମୋ ମା କେବେ ବାହାରକୁ ଯାଇ ନାହାନ୍ତି।କିନ୍ତୁ ନିଜ ସ୍ଵାମୀଙ୍କ ଏ ଅବସ୍ଥା ଦେଖି ସେ ସହି ପାରିଲେନି।ଦଳକୁ ନିଜ ସନ୍ତାନ ପରି ଭଲ ପାଉଥିବା ତାଙ୍କ ପତିଙ୍କ ସାଧନାକୁ ସମ୍ମାନ ଦେବା ପାଇଁ ସେ ନିଜେ ଦଳର କାର୍ଯ୍ୟଭାର ସମ୍ଭାଳିଲେ।କଣ କିଛି ବୁଝିଲେ?"


" ସାର୍ !ଏଇ କଥାଟି ତ ମୋ ମନକୁ ଆସି ନ ଥିଲା ? କିନ୍ତୁ ସାର୍..ଚେତନା ଭାଉଜଙ୍କୁ କିପରି ମନେ଼ଇବା?"


" ପଣ୍ଡାବାବୁ ! ଏ ରୁମ୍ ଭିତରେ କେହି ନ ଥିଲା ବେଳେ କଣ ବାପାଙ୍କ ସହ ମୁଁ କଥା ହେଇପାରିବିନି?ତା ଛଡା ତାଙ୍କ ମନ କଥା ମୁଁ ସବୁଠୁ ଅଧିକ ଜାଣେ ଏକଥା କଣ କେହି ଜାଣନ୍ତି ନାହିଁ?"


" ତା ହେଲେ ତ ଆଉ ଅସୁବିଧା ନାହିଁ ସାର୍ ! କିନ୍ତୁ.." କଥା କହୁ କହୁ ଅଟକି ଗଲେ ପଣ୍ଡାବାବୁ..


"କଣ ହେଲା କୁହନ୍ତୁ.." ପଚାରିଲେ ବିନୟ


" ସାର୍..ଅନୁକମ୍ପା ଭୋଟ ପ୍ରାୟ ଜଣଙ୍କ ମୃତ୍ୟୁ ସମବେଦନା ସହିତ ବେଶୀ ଆସିଥାଏ..ଆଉ.."ପୁରା ବାକ୍ୟଟି ସେ କହି ନ ପାରିଲେ ବି ବିନୟ ଠିକ୍ ବୁଝି ସାରିଥିଲେ।


" ଆଛା.. ହୁଁ !ବାପା ଏତେ କାମ ଲୋକଙ୍କ ପାଇଁ କରିଛନ୍ତି !ଆଉ କଣ ଏମିତି ଅଧାରେ କଣ ତାଙ୍କ ଜୀବନ ଖାଲିଟାରେ ସରିଯିବ?"


"ମୁଁ ବୁଝି ପାରିଲିନି ସାର୍..' ଅବୁଝା ଆଖିରେ ପ୍ରଶ୍ନ କଲେ ପଣ୍ଡାବାବୁ।


' ପଣ୍ଡାବାବୁ ! ଅଙ୍ଗଦାନ ମହା ପୁଣ୍ୟ.. ବାପାଙ୍କ ମସ୍ତିସ୍କ ଅକାମୀ ହୋଇଯାଇଛି କିନ୍ତୁ ତାଙ୍କ ଶରୀର ତ ଠିକ୍ କାମ କରୁଛି ନା?ଆଉ ଯଦି ବାପାଙ୍କ ଶରୀର ଅକାମୀ ହୋଇ ମସ୍ତିସ୍କ କାର୍ଯ୍ୟକ୍ଷମ ଥାଆନ୍ତା ହେଲେ ସେ ନିଶ୍ଚୟ କିଛି ଜନ କଲ୍ୟାଣ କାମ କରନ୍ତେ..ଆପଣ ଡାକ୍ତରଙ୍କୁ ଡାକି ଆଣନ୍ତୁ।ବାପାଙ୍କ ଅଙ୍ଗଦାନ କରାଯିବ।ଯଦ୍ୱାରା ତାଙ୍କ ଶରୀର ଅନ୍ୟ ମାନଙ୍କ କାମରେ ଲାଗିବ..ତାଙ୍କ ଯଶ ଆହୁରି ବଢିଯିବ ଆଉ ତା ସହିତ ଏ ଯନ୍ତ୍ରଣାରୁ ସେ ମଧ୍ୟ ସମ୍ପୂର୍ଣ୍ଣ ମୁକ୍ତି ପାଇଯିବେ !"


" କିନ୍ତୁ ସାର୍..!ଲୋକମାନେ କଣ ଏତେ ସହଜରେ ଏସବୁ ଗ୍ରହଣ କରିବେ ? ମାନେ ମୁଁ କହୁଥିଲି କି.."ପଣ୍ଡାବାବୁ ପୁଣି ଅଧା କହି ରହିଗଲେ।


"ଆଛା ଆପଣଙ୍କ ଶାଳୀ..ଆମେରିକାରୁ ପାଠ ପଢି ଆସିଯାଇଛି କହୁଥିଲେ ନା।ଆରେ ସେ ଯାହାକୁ ମୋ ଜୀବନ ସଙ୍ଗୀ କରିବାକୁ ଆପଣ ବହୁତ ଇଚ୍ଛୁକ ଥିଲେ ? ଆଚ୍ଛା ବାପାଙ୍କ ବାର୍ଷିକ ଶ୍ରାଦ୍ଧ ପରେ ଆମ ବିବାହ ଆପଣ ହିଁ କରେଇବେ।ବୁଝିଲେ ?

ହଁ..ଆଉ କଣ କହୁଥିଲେ କି ?"ମୁରୁକି ହସି ବିନୟ କହିଲେ।


ବିନୟଙ୍କ ଏ ବିଚକ୍ଷଣ ବୁଦ୍ଧି ଦେଖି ପଣ୍ଡାବାବୁ ବହୁତ ଖୁସି ହେଉଥିଲେ।ଆଉ କାହାରି କିଛି ଶଙ୍କା ନ ଥିଲା।ବିନୟ ଆହୁରି ମଧ୍ୟ ନିଜ ବାପାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଏ ହସ୍ପିଟାଲରେ କରିବାକୁ ନିଷ୍ପତ୍ତି ନେଇଥିଲେ କାରଣ ଅବିନାଶ ବାବୁ ଏହି ଜାଗାରେ ନିଜ ତ୍ୟାଗ ଯୋଗୁଁ ଅମର ହେବାର ସୌଭାଗ୍ୟ ପାଇବାକୁ ଯାଉଥିଲେ ?କେଉଁଠି କିପରି କାମ କରାଯାଇପାରେ ସେ କଳା ଅବିନାଶଙ୍କ ଠାରୁ ବେଶ୍ ଭଲ ରୂପେ ସେ ଶିଖି ଯାଇଥିଲେ !


ଆଉ ଅବିନାଶ..କେବଳ ସବୁ ଶୁଣି ପାରୁଥିଲେ..ଆଉ ସବୁକିଛି ବୁଝି ପାରୁଥିଲେ ?


ଡକ୍ଟର ଆଉ ଚେତନାଙ୍କୁ ରୁମ୍ ଭିତରକୁ ଡକା ଗଲା।ଆବଶ୍ୟକୀୟ ସମସ୍ତ କାଗଜପତ୍ର ତିଆରି କରାଗଲା।ପ୍ରତ୍ୟେକ ଜରୁରୀ ଅଙ୍ଗ ଦାନ କରାଯିବା ପାଇଁ ପ୍ରତିବନ୍ଧିତା ତିଆରି ହେଲା।ଚେତନାଙ୍କୁ ବୁଝେଇ ଶୁଝେଇ ଅତି କଷ୍ଟରେ ବିନୟ ତାଙ୍କୁ ଦଳ ସମ୍ଭାଳିବା ପାଇଁ ମନେଇଲେ।ଅବଶ୍ୟ ସବୁ ରାଜନୈତିକ କାମ ସେ ହିଁ କରିବେ।ଚେତନା କେବଳ ନମକୁମାତ୍ର ପ୍ରତିନିଧିତ୍ଵ କରିବେ।ମହିଳା ସଶକ୍ତିକରଣ ପାଇଁ ମହିଳା ସଂରକ୍ଷଣ ଅନୁସାରେ ୟା ଠାରୁ ଅଧିକ ଲାଭଜନକ ପଦକ୍ଷେପ ଆଉ କିଛି ଯେ ହୋଇପାରେନା ? 


ସମୟ ମଧ୍ୟ ଠିକ୍ କରି ଦିଆଗଲା।ଆସନ୍ତା କାଲି ସକାଳୁ ଏକ ମହତ୍ କାମ କରି ଚିରନିଦ୍ରାରେ ଶୋଇଯିବେ ଅବିନାଶ !


ଆଜି ରାତିଟା କେବଳ ଅଛି ଆଉ ତାଙ୍କ ପାଖରେ।ତାଙ୍କ ଜୀବନ ନିଷ୍କ୍ରିୟ ହେଇଯିବ ଆଉ ମୃତ୍ୟୁ ସକ୍ରିୟ ?


ମନେ ମନେ ହସୁଥିଲେ ଅବିନାଶ ! ଏଇତ ଜୀବନ !ରାଜନୀତି ଯୋଗୁଁ ସବୁ ଛାଡ଼ିଦେଲେ ସେ..ଆଉ ରାଜନୀତି ଆଜି ତାଙ୍କଠାରୁ ତାଙ୍କ ଜୀବନ ଛଡେଇ ନେଉଛି।ଅବଶ୍ୟ ସେ ଏପରି ବଞ୍ଚିବା ଅପେକ୍ଷା ମରିଯିବା ଯଥେଷ୍ଟ ଶ୍ରେୟସ୍କର।କିନ୍ତୁ..କଣ ସେ ସତରେ ଆଉ ବଞ୍ଚିବେନି ?ଅଙ୍ଗଦାନ କରି କେତେ ଜଣଙ୍କୁ ସେ ନୂଆ ଜୀବନ ନିଶ୍ଚୟ ଦେଇପାରିବେ।କିନ୍ତୁ ତାଙ୍କ ଜୀବନ କଣ କେବଳ ଏତିକି କି ?


ସନ୍ତୋଷ ପରି ବୋଧେ କିଛି ଆସୁଥିଲା ମନକୁ।ଚେତନା ଏକ ନୂଆ ଅଧ୍ୟାୟ ଆରମ୍ଭ କରିବେ।ଯେଉଁ ବିନୁକୁ ସେ ଏ ରାସ୍ତାରେ ଚାଲିବା ଶିଖେଇ ଥିଲେ ସେ ଆଜି ତାଙ୍କୁ ପଛରେ ପକେଇ କେତେ ଦୂର ଯାଏଁ ସତରେ ଚିନ୍ତା କରି ପାରିଲା ?କୌଣସି ସମ୍ପର୍କକୁ ଗୁରୁତ୍ବ ନ ଦେଇ ସେ ନିଜ ନାମ ପ୍ରତିଷ୍ଠାକୁ ଗୁରୁତ୍ବ ଦେଇ ଆସିଥିଲେ ଆଉ ଆଜି ତାଙ୍କ ଏହି ନାମ ଅମର ରହିବ ବୋଲି ତାଙ୍କୁ ଆଉ ଗୁରୁତ୍ବ ଦିଆଗଲା ନାହିଁ।ଠିକ୍ ହିଁ ହୋଇଛି।ଯେ ଯେପରି କର୍ମ କରିବ ସେ ସେପରି ଫଳ ପାଇବ ?


ଏତିକି ହିଁ ଜୀବନର ସତ୍ୟ !ଅବିନାଶ ଗଣିବା ଆରମ୍ଭ କରିବେଲେଣି ତାଙ୍କ ବଳକା ସମୟତକ।ଏଇୟା ହିଁ ହୁଏ ନା ?ସେ ଭାବୁଥିଲେ ତାଙ୍କର ଆହୁରି କେତେ କାମ ବାକି ଅଛି !ବିନୁକୁ ଆହୁରି କେତେ ଶିଖେଇବାକୁ ପଡ଼ିବ.. ଚେତନାଙ୍କୁ ସମୟ ଦେଇ ତୀର୍ଥ ନେବାକୁ ହେବ.. ସବୁ ସମ୍ପର୍କୀୟ ମାନଙ୍କ ସହ ମଜଭୁତ ହୋଇ ଆଗେଇବାକୁ ପଡିବ.. ଏ ଇଲେକ୍ସନରେ ଜିତି ପୁଣି ମନ୍ତ୍ରୀ ପଦ ପାଇବାକୁ ହେବ .ଆହୁରି କେତେ କଣ.?କିନ୍ତୁ ଭାଗ୍ୟ ତା ଖେଳ ଖେଲିଚାଲିଥାଏ।କିଏ ଜାଣିଥିଲା ମାତ୍ର ଦୁଇଦିନ ପୂର୍ବେ ନୈଶ୍ୟ ଭୋଜିରେ ମଜା କରି ଆସୁଥିବା ବେଳେ ହଠାତ୍ ଏପରି ଏକ ଦୁର୍ଘଟଣା  ହେବ ଆଉ ସବୁକିଛି ଏମିତି ସମାପ୍ତ ହୋଇଯିବ ?


ଆହୁରି କଣ ସବୁ ଭାବି ଚାଲିଥିଲେ ଅବିନାଶ..କିନ୍ତୁ କିଛି ଅଜଣା ଶବ୍ଦ ତାଙ୍କୁ ଶୁଣା ଗଲା।ଆଉ ତ କିଛି ସେ ଜାଣି ପାରୁ ନ ଥିଲେ !କିନ୍ତୁ..କିନ୍ତୁ ହଠାତ୍ ତାଙ୍କୁ ଆଉ କିଛି ଶୁଣା ଗଲାନି...ଚାରିଆଡ଼େ ସବୁକିଛିକୁ ଘେରିଗଲା କେମିତି ଏକ ପ୍ରକାଣ୍ଡକାୟ ନୀରବତା...ନିସ୍ତବ୍ଧତା..ନିଷ୍କ୍ରିୟତା..ସବୁକିଛି କେବଳ ଚୁପଚାପ୍...ଶୁନଶାନ୍…


ବାସ୍..ଏତିକି ହିଁ ସତ୍ୟ…।


Rate this content
Log in

Similar oriya story from Tragedy