ସୀତା ନା ସାବିତ୍ରୀ
ସୀତା ନା ସାବିତ୍ରୀ
ପ୍ରାୟ ସମୟରେ ସେଇ ସ୍ତ୍ରୀ ଲୋକଟିକୁ ଦେଖେ । କାହିଁକି କେଜାଣି ତା' ବିଷୟରେ ଜାଣିବାକୁ ଇଚ୍ଛା ହୁଏ । ଧୀରେଧୀରେ କିଛି କଥା ଜାଣିଯାଏ । ଯେତେବେଳେ ତାକୁ ଦେଖେ ତା'ର ମୁହଁଟି ସିଝିଲା ସିଝିଲା ଦିଶୁଥାଏ । ତା'ର ଏଇ ଅବସ୍ଥାର କାରଣ ହେଉଛି ତା'ର ସ୍ବାମୀ । ସିଏ ଦିନତମାମ୍ ଟ୍ରଲି ଟାଣେ । ସଂଧ୍ୟାରେ ଦେଶୀ ମଦରୁ ପେଟେ ପିଇ ଘରକୁ ଫେରେ ।
ଟିକେ ଟିକେ କଥାରେ ତା' ଘରେ ବଡ଼ବଡ଼ ବିସ୍ଫୋରଣ ହୁଏ । ହେଲେ ସବୁ ବିସ୍ଫୋରଣ ପାଇଁ ସେ ନିଜକୁ ପ୍ରସ୍ତୁତ କରି ରଖିଥାଏ । କାହାକୁ ସେସବୁ କଥା କହି ତଟସ୍ଥ କରିଦିଏନି କେବେ । ସବୁକିଛି ସହିବାର କଳା ତାକୁ ବେଶ୍ ଜଣା ।
ତା'ର ଗୋଟିଏ ମନ ଥାଏ । ତା'ର ଗୋଟିଏ ହୃଦୟ ଥାଏ । ତା' ଭିତରେ କିଛି ସ୍ବପ୍ନ ଥାଏ । ତା' ଭିତରେ ପୁଣି ସମ୍ଭାବନା ଥାଏ । ହେଲେ ଏସବୁର କିଛି ମୂଲ୍ୟ ନ ଥାଏ ତା' ଜୀବନରେ । ଏସବୁ କିଛି ବୁଝେନାହିଁ ତା'ର ସ୍ବାମୀ ।
ଅଣ୍ଟିରେ ନିଆଁ ଜାକି ତାକୁ ଚଳିବାକୁ ହୁଏ । ସେଇ ନିଆଁରେ ସେ ସବୁବେଳେ ତା'ର ମନ,ହୃଦୟ, ସ୍ବପ୍ନ ଆଉ ସମ୍ଭାବନାକୁ ସେକୁଥାଏ । କେବଳ ଉଃ ଆଃ ଟି ମାନ ବାହାରି ଆସୁଥାଏ ତା' ପାଟିରୁ । ଶୁଣିଛି ଲୋକେ କହନ୍ତି ସେ ସ୍ତ୍ରୀ ଲୋକଟି କାନ୍ଦେନି କେତେବେଳେ । ସେ କେବେ ଭାଙ୍ଗି ଯିବାର ବି ମୁଁ ଜାଣେନି ।
ସ୍ବାମୀ ଠାରୁ ମାଡ଼ ଗାଳି ଖାଇ ବି ବଞ୍ଚୁଥାଏ ଜୀବନ । ସମ୍ଭାଳୁଥାଏ ସଂସାର । ଘରର ଟିକିନିଖି କଥା ବୁଝୁଥାଏ । ଘରୁ ଅଗଣା, ଅଗଣାରୁ ଘର ସେ ଘୂରୁଥାଏ ସବୁବେଳେ । ଗୋଟେ ଶକ୍ତ ଖୁଣ୍ଟ ପରି ମୋର ମନେହୁଏ ସେ । ଯେତେ ବତାସ ଆସେ ସବୁ ଯେମିତି ତା' ଉପର ଦେଇ ଚାଲିଯାଏ । ତାକୁ ଉଡେଇ ନେଇ ପାରେନି । କିନ୍ତୁ ତା' କଥା ଭାବିଲେ ମୁଁ କାହିଁକି ଦୋହଲିଯାଏ । ସବୁକିଛି ରହସ୍ୟମୟ ମନେହେଲା । ତେଣୁ ଦିନେ ତା' ପାଖରେ ପହଞ୍ଚିଲି । ସମୟ ଅପରାହ୍ନ । ଦେଖିଲି ସାମ୍ନାରେ ଗୋଟିଏ ଦର୍ପଣ ଥୋଇ ଦେଇ ସେ କେଶବିନ୍ୟାସ କରୁଛି । ଗୁଣବନ୍ତ ସ୍ବାମୀର ଖୁସି ଓ ସନ୍ତୁଷ୍ଟି ପାଇଁ ଇଏ ଏକ ଉପକ୍ରମ ପରି ମନେହେଲା ।
ଅଗଣାରେ ଖେଳୁଥାଏ ଝିଅ । ବୟସ ଚାରି କିମ୍ବା ପାଞ୍ଚ ହେବ । ଦେଖିଲି ହଠାତ୍ ଉଠିଯାଇ ସେ ତା' ଲୁଗାକାନିରେ ଝିଅଟି ନାକରୁ ସିଙ୍ଘାଣି ପୋଛି ପକାଇଲା । ଟିକେ ଧୂଳି ବି ଝାଡିଦେଲା ତା' ଦେହରୁ । ଆଣି କୋଳରେ ଧରିଲା । ଝିଅଟି ପ୍ରତି ତା'ର ଏଇ ଅନାବିଳ ଶ୍ରଦ୍ଧା ମୋତେ ବିମୋହିତ କଲା । ମୁଁ ଅବାକ୍ ହୋଇଗଲି ।
- କୁଆଡ଼େ ଆସିଥିଲ ? ମୋତେ ପଚାରିଲା ସେ ।
- କେମିତି ଅଛ ? ଓଲଟି ପଚାରିଲି । ସେ ତା'ର ଘରକରଣା କଥା ଗପିଲା । ଅଭାବ, ଅସୁବିଧା କଥା ବି କହିଲା ।
- ହେଲେ ତୁମକୁ ତ ସବୁବେଳେ ଖୁସି ଦେଖେ ମୁଁ । ଆଶ୍ଚର୍ଯ୍ୟ ଭଙ୍ଗୀରେ କହିଲି ।
ସେ କହିଲା - ଏଠି ବହୁତ ବଡ ବଡ ସମସ୍ୟା ଲୋକଙ୍କର ଅଛି । ବହୁତ ଦୁଃଖପୂର୍ଣ୍ଣ ଘଟଣା ବି ଘଟୁଛି ଏଠି । କେବେ ତାଙ୍କର ଅମଙ୍ଗଳ କାମନା କରେନି । ମନ ଦୁଃଖ କରେନି । ସବୁ କଥାରେ ମନ ଦୁଃଖ କରି ଲାଭ କ'ଣ !
ତା'ର ଏଇ କଥା ଶେଷରେ ମୁଁ ବିବାକ୍ ମୂକ ପାଲଟିଗଲି । ତାକୁ ସୀତା କହିବି ନା ସାବିତ୍ରୀ !