Purusottam Mishra

Romance Tragedy

3  

Purusottam Mishra

Romance Tragedy

ସୀମାହୀନ ସ୍ମୃତି

ସୀମାହୀନ ସ୍ମୃତି

11 mins
348



 କଲେଜ୍ କ୍ୟାମ୍ପସ୍ ରେ ପେନ୍ଥା ପେନ୍ଥା ଆମ୍ବ ବଉଳ ଗଛରେ ଝୁଲି ଖେଳୁଥିଲା l କୋଇଲି ବି ରହି ରହି କୁହୁ କୁହୁ ଡାକୁଥିଲା l ବସନ୍ତର ବାର୍ତ୍ତା ନେଇ ସୁଲୁସୁଲିଆ ମଳୟ ବୋହିଆସୁଥିଲା l ଋତୁରାଜ ଙ୍କ ଆଗମନରେ ମୋ ମନ ବି ଉଚ୍ଚାଟ ହେଉଥିଲା, ଯଦିଓ ମୁଁ ଏଭିତରେ ଉଣେଇଶ ଟି ବସନ୍ତ ପାର କରିସାରିଥିଲି l କାହିଁକି କେଜାଣି ସେଥର ର ସେହି ଋତୁଟା ମୋ ଜୀବନରେ ନୂଆ ରଙ୍ଗ ବୋଳୁଥିବା ପରି ମୋତେ ମନେ ହେଉଥିଲା l


      ସେତେବେଳେ ମୁଁ କେଉଁଝରର ସରକାରୀ ଇଂଜିନିୟରିଂ କଲେଜ୍ ରେ ତୃତୀୟ ବର୍ଷ ବି.ଟେକ୍ ର ଛାତ୍ର l ଆଗକୁ ପରୀକ୍ଷା ଥାଏ l କିନ୍ତୁ ମୁଁ ପଢ଼ା ପଢ଼ି ନକରି କଲେଜ୍ ଫଙ୍କଶନ ପାଇଁ ମାତିଥାଏ l ଆହୁରି ମଧ୍ୟ କଲେଜ୍ ର ବିଭିନ୍ନ ସମସ୍ୟା ନେଇ ସେତେବେଳେ ଛାତ୍ର ଓ ପ୍ରିନ୍ସିପାଲ୍ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ l ବଡ଼ ଗୋଟେ ଅଡ଼ୁଆ ପରିସ୍ଥିତି ଦେଇ ମୁଁ ଗତି କରୁଥିଲି l ପ୍ରାୟ ପ୍ରତିଦିନ ଗଣ୍ଡଗୋଳ ଓ ବିଶୃଙ୍ଖଳା l ମୋର ମନ ଓ ମସ୍ତିସ୍କ ଇଂଜିନିୟରିଂ ପାଠଠୁ ଅନେକ ଦୂରକୁ ଦୁରେଇ ଯାଉଥିଲା ଯୋଉଟା ପାଇଁ ମୁଁ ଆଦୌ ସଚେତନ ନଥିଲି l ମୋ ଗରିବ ପରିବାର ପ୍ରତି ମୋର କର୍ତ୍ତବ୍ୟକୁ ମଧ୍ୟ ମୁଁ ଭୁଲି ଯାଇ ଭୁଲ ଗୋଟେ ବିପଦପୂର୍ଣ୍ଣ ରାସ୍ତାକୁ ପାଦ ବଢା଼ଉ ଥିଲା ବେଳେ ତା ସହ ମୋର ଦେଖା ହେଲା l ଆଜି ବି ମୋର ସେହି ଝରଣା ପରି ସ୍ଵଚ୍ଛ ଓ ଛଳ ଛଳ ସ୍ମୃତିର ହାଲ୍କା ହାଲ୍କା ନିରୀହପଣ ମୋ ଆଖି ଆଗରେ ନାଚିଯାଏ l ମୁଁ ଶତ ଚେଷ୍ଟା କଲେ ବି ଭୁଲି ପାରେନି l


          ସ୍ମୃତି ସହ ପ୍ରଥମ ଭେଟ ଲେଡିଜ୍ ହଷ୍ଟେଲ ସାମ୍ନାରେ l ମୁଁ ମୋ ବ୍ୟାଚ୍ ର ଅନ୍ତରଙ୍ଗ ଝିଅ ସାଙ୍ଗଟେ ଠାରୁ ଗୋଟେ ବହି ଆଣିବାକୁ ଯାଇଥାଏ l ପାଠ ପଢ଼ାରେ ବହୁତ ପଛେଇ ଯାଇଥିବା ହେତୁ ମୋର ପ୍ଲସ ଟୁ ଠାରୁ ଆଜି ଯାଏଁ ବେଷ୍ଟ ଫ୍ରେଣ୍ଡ ଭାବେ ମୋ ସାଥ ଦେଇଥିବା ପ୍ରିୟ ସାଙ୍ଗ 'ନାଜିଆ' ମୋତେ ଖୁବ ଗାଳି କରୁଥାଏ l ମୁଁ ମୁଣ୍ଡ ତଳକୁ କରି ତାର ସବୁ ଗାଳିକୁ ହଜମ କରୁଥାଏ l ସେହି ସମୟରେ ଗେଟ୍ ଭିତରକୁ ସଲ୍ୱାର ସୁଟ୍ ପିନ୍ଧା ତନୁ ପାତଳୀ ଝିଅଟେ ପଶିଗଲା l ସେ ଯିବା ପୂର୍ବରୁ ନାଜିଆ ଓ ମୋ ଆଡ଼କୁ ଟିକେ ଚାହିଁ ଦେଇଗଲା l ମୋ ନଜର ତା ଆଖିରେ ପଡିବା କ୍ଷଣି ଆଉ ଫେରେଇ ଆଣି ପାରିଲିନି l ସେ ଚାଲିଯାଇଥିଲା ମୁଁ କିନ୍ତୁ ଅନ୍ୟମନସ୍କ ଭାବେ ସେହି ତାର ଯିବା ରାସ୍ତା କୁ ଦେଖୁଥିଲି l ନାଜିଆ ସବୁ ବୁଝିପାରେ l


:କିରେ ମନ ଲାଖି ଗଲା କି ? 


:ଉଁ.. କଣ କହୁଛୁ ? 


:ସ୍ମୃତି.. ତା ନାଁ ସ୍ମୃତି l


ନାଜିଆ ମୁରୁକି ହସି କହିଲା l


ମୁଁ ମୋ କାନ କୁ ଆଉଁଷୁ ଆଉଁଷୁ ପଚାରିଲି, "କୋଉ ଇୟର୍ କି ରେ "?


: ଫାର୍ଷ୍ଟ ଇୟର l ମୋ ରୁମ୍ ମେଟ୍ l


: ବାଃ ! ବଢିଆ ହେଲା l


: ସେ ବହୁତ ସିମ୍ପଲ ଝିଅଟା ବେ l ତୋ ଟାଇପ୍ ର ନୁହେଁ l ବୁଝିଲୁ? ତୁ ଏବେ ପଢ଼ି ପଢ଼ାରେ କନ୍ସେନଟ୍ରେଟ୍ କର l ଆଉ ସବୁ ବାତରାମୀ ଛାଡ଼ l


  ମୁଁ ସେଦିନ ନାଜିଆର ହଷ୍ଟେଲରୁ ବହି ନେଇ ପଳେଇ ଆସିଥିଲି l କିନ୍ତୁ ସେହି ନିରୀହ ଗୋଲ ସୁନ୍ଦର ମୁହଁଟା ଓ ବଡ଼ ବଡ଼ ଆଖି ଦୁଇଟା ପୁଣି ଥରେ ମୋତେ ସେଠିକି ଟାଣି ନେଉଥିଲା l ମୁଁ ଫିଜିକାଲ୍ ଭାବେ ତ ବୟେଜ୍ ହଷ୍ଟେଲରେ ଥିଲି କିନ୍ତୁ ମାନସିକ ସ୍ତରରେ ମୋ ମନଟା ଗାର୍ଲସ ହଷ୍ଟେଲର ଫାର୍ଷ୍ଟ ଇୟର ଝିଅ ସ୍ମୃତି ପାଖରେ ଘୁରିବୁଲୁଥିଲା l


    ନାଜିଆକୁ ଫୋନ ଲଗେଇଲି l ପୁଣି ତା ପରଦିନ ତା ହଷ୍ଟେଲ କୁ ଗଲି l ବାରମ୍ବାର ନାଜିଆକୁ ଫୋନ କରିବା ଓ ଲେଡ଼ିଜ ହଷ୍ଟେଲର ଚକ୍କର କାଟିବା ଦେଖି ମୋ ସାଙ୍ଗ ମାନେ ଭିନ୍ନ କଥା ଭାବୁଥିଲେ l ନାଜିଆ ବି ଏ ଭିତରେ ଝିଅଟାକୁ ମୋ ବିଷୟରେ କହିଦେଇଥାଏ l ଝିଅଟାର ପ୍ରତିକ୍ରିୟା କଣ ଜାଣିବାକୁ ମୁଁ ଭୀଷଣ ଭାବେ ଆଗ୍ରହୀ ଥିଲି l 


  ଆଜି ମନେ ପଡ଼େ, ଖୁବ ମନେ ପଡ଼େ ସେହି ପ୍ରଥମ ଥର ତା ଓଠରେ ମୋ ନାଁ ଟା ଶୁଣିବାର ସୁଖଦ ମୁହୂର୍ତ୍ତ l


: ସୋନୁ ! (ନାଜିଆ ମୋତେ ଏଇ ନାଁରେ ଡାକେ ) ଇଏ ସ୍ମୃତି l ମୋ ରୁମ୍ ମେଟ୍ l


: ହାଏ ସ୍ମୃତି ! କେମିତି ଅଛ ? 


: ଭଲ ଅଛି ସାର୍ l


: ସାର୍ ନୁହେଁ ତୁମେ ମୋତେ ସୋନୁ ନହେଲେ ସମ୍ବିତ ଡାକିପାରିବ l 


: କିନ୍ତୁ ସାର୍.. 


:କିନ୍ତୁ ଫିନ୍ତୁ କିଛି ନାହିଁ l ମୋତେ ଭଲ ଲାଗିବ l


   ସେ ଲାଜ ଲାଜ ହେଇ ମୋତେ କହିଥିଲା, "ଓକେ ସମ୍ବିତ " l


ମୁଁ ଏବେ ଆଉ ନାଜିଆକୁ ଫୋନ ନକରି ସ୍ମୃତିକୁ କଲ୍ କରୁଥିଲି l ନାଜିଆ ପାଖେ କାମ ଥିଲେ ବି ସ୍ମୃତିକୁ ଜଣାଉଥିଲି l ନାଜିଆ ବିରକ୍ତ ହେଉଥିଲା l ଦେଖାହେଲେ କହୁଥିଲା, "ହଉରେ ପୁଅ, ଗର୍ଲ ଫ୍ରେଣ୍ଡକୁ ପାଇ ବେଷ୍ଟ ଫ୍ରେଣ୍ଡକୁ ଭୁଲିଗଲୁ ନାଇଁ? "


   ମୁଁ କିନ୍ତୁ ତାକୁ ପାଇନଥିଲି l ମୋତେ ଲାଗୁଥିଲା ମୁଁ ଜୋର କରି ସ୍ମୃତି ସହ କଥା ହେଉଛି l ତାର ଆଗ୍ରହ ନାହିଁ l ସେ ଭୟରେ ବା ସିନିୟର୍ ବୋଲି ରେସପେକ୍ଟ ଦେଇ କଥା ହେଉଛି l ମୁଁ ଅନୁଭବ କରୁଥିଲି ସେ ଖୁସି ନଥିଲା l ବସନ୍ତର ଆଗମନରେ ମୁଁ ଆନମନା ହେଉଥିଲି ସେ କିନ୍ତୁ ଆହତ ହେଉଥିଲା ପରି ମୋତେ ଲାଗୁଥିଲା l 

  

       ମାର୍ଚ୍ଚ ପନ୍ଦର ତାରିଖ l ହୋଲିର ପୂର୍ବ ଦିନ l ମୁଁ ସ୍ମୃତିକୁ ହଷ୍ଟେଲ ବାହାରକୁ ଡାକିଲି l ସେ ଆସିଲା l ଅପରାହ୍ନ ପାଞ୍ଚଟା l ଆମ୍ବ ବଉଳର ବାସ୍ନାରେ ମୁଁ ଅଣନିଃଶ୍ୱାସୀ ହେଉଥିଲି l ଋତୁଟା ଉପରେ ଭୀଷଣ ରାଗୁଥିଲି l କୋଇଲିଟାର ରାବ ବଡ଼ ବିରକ୍ତ ବୋଧ ହେଉଥିଲା ମୋତେ l ମୁଁ ଜାଣିପାରୁନଥିଲି କାହିଁକି ମୋତେ ଏମିତି ଲାଗୁଥିଲା l ଆମେ ଚାଲି ଚାଲି କିଛି ବାଟ ଗଲୁ l ଦୁହେଁ ନିରବ ଥିଲୁ l ସେ ପ୍ରଥମେ କହିଲା, "ସମ୍ବିତ ତୁମେ ପଢ଼ା ପଢ଼ି କରୁଛ ତ ? "


: ମନ ଲାଗୁନି l


:ଏମିତି ହେଲେ କେମିତି ହେବ କୁହ ? ଫ୍ୟୁଚର୍ କଥା ଟିକେ ଚିନ୍ତା କର ଏବେ ଠୁ l ସମୟ ଗଡ଼ିଗଲେ ଆଉ କିଛି କରିହେବନି l ପ୍ଲିଜ଼ ପାଠରେ ମନ ଦିଅ l


:ମୁଁ ଆଜି ଗୋଟେ କଥା ତୁମକୁ ପଚାରିବାକୁ ଡାକିଛି l ତୁମେ ସତ କହିଦେଲେ ମୋର ଦ୍ୱନ୍ଦ୍ୱ ଦୂର ହେବ ଆଉ ମୁଁ ସବୁ ଛାଡ଼ି ଶାନ୍ତିରେ ପଢ଼ି ପାରିବି l


: ପଚାର l


: ସ୍ମୃତି, ମୁଁ ତୁମକୁ କାହିଁକି ଏତେ ନିଜର ଭାବେ ଜାଣେନି l ମୁଁ ତୁମ ଭାବନାରେ ସବୁବେଳେ ବୁଡି ରହୁଛି l ବହୁତ ଭଲ ପାଉଛି ତୁମକୁ l ଆଉ ମୋତେ ଲାଗୁଛି ମୁଁ ତୁମକୁ ଜୋରକରି ମୋ ସହ କଥା ହେବାକୁ ବାଧ୍ୟ କରୁଛି କେଵଳ ମୋ ନିଜର ସ୍ୱାର୍ଥ ପାଇଁ l ତୁମେ ମୋତେ ଆଜି କ୍ଳିଅର କରି କୁହ ତୁମେ ବାଧ୍ୟରେ ମୋ ସହ ମିଶୁଛ ନାଁ ନିଜ ଇଚ୍ଛା ରେ ? ଦେଖ, ତୁମେ ସତ କହିବ ଆଜି l ସତ ଯାହା ହେଇଥିବ ମୁଁ ଖୁସି ଖୁସି ଗ୍ରହଣ କରିନେବି l ଆଉ ମୋ ନିଜ ଅତ୍ୟାଚାର ମୁଁ ନିଜେ ସହିପାରିବିନି l ନାଜିଆ ବି ମୋ ସହ ଏବେ ଭଲରେ କଥା ହେଉନାହିଁ l ମତେ ଦୋଷୀ ଦୋଷୀ ଲାଗୁଛି l


  ମୋ କଥା ଶୁଣି ସ୍ମୃତି କୁ କାହିଁକି ଏତେ କଷ୍ଟ ଲାଗିଲା ମୁଁ ଆଜି ଯାଏଁ ବୁଝିପାରିନି l ସେ ତା ଢଳ ଢଳ ଆଖିରୁ ଲୁହ ଗଡେଇବା ଆରମ୍ଭ କରିଦେଲା l କିଛି କହିପାରିଲାନି l ମୁଁ ରୁମାଲ୍ ଟା ବଢ଼େଇଲି l ସେ ନେଲାନାହିଁ l ମୁଁ ଆହୁରି ଆଘାତ ପାଇଲି l ବ୍ୟସ୍ତ ଲାଗିଲା l ସେ କିଛି ସମୟ କାନ୍ଦି ସାରିଲା ପରେ ହଠାତ ମୋ ଡାହାଣ ବାହୁ ପାଖରେ ନିଜ କାନ୍ଦୁରା ମୁହଁ ଟାକୁ ଗୁଞ୍ଜିଦେଇ କହିଲା, "ମୁଁ ସେମିତି ଝିଅ ନୁହେଁ ଯେ ଏମିତି କିଏ ଜୋର କରିଦେଲେ ତା ସହ ରାତି ରାତି ଫୋନରେ ଗପିଦେବି l ଆଗରୁ କେବେ କୋଉ ପୁଅ ସହ କଥା ହେଇନି l କାହା ପାଇଁ କେବେ ବି ମୋ ହାର୍ଟ ରେ କିଛି ଫିଲିଙ୍ଗ୍ସ୍ ନଥିଲା l ଏଇ ଫାର୍ଷ୍ଟ ଟାଇମ୍ l ମୁଁ ଜାଣିନି ନାଜିଆ ଦି କାହିଁକି ତୁମ ସହ କଥା ହେଉନାହାଁନ୍ତି l ସେ ମୋ ସହ ବି ଭଲରେ କଥା ହେଉନାହାଁନ୍ତି l "


  ମୁଁ ସ୍ମୃତିକୁ ଏଥର ସିଧା ପଚାରିଲି, "ଡୁ ୟୁ ଲଭ୍ ମି ? "


ସେ ଖାଲି ଡବ ଡବ କରି ମୋତେ ଦେଖିଲା l ପୁଣି ରାଗରେ ଲାଲ୍ ପଡିଯାଇ କହିଲା, "ମୋତେ କଣ ବୋଲି ଭାବୁଛ ? ମୁଁ କଣ ଯାତ୍ରା କରୁଛି? "

   ସନ୍ଧ୍ୟା ନଇଁ ଆସୁଥିଲା l ଅସ୍ତମିତ ସୂର୍ଯ୍ୟଙ୍କ ରକ୍ତିମ କିରଣ ସ୍ମୃତି ର ଗାଲରେ ପଡ଼ି ସେ ଆହୁରି ଆକର୍ଷଣୀୟା ଦିଶୁଥିଲା l ମୁଁ ତାକୁ ନିଜ ଆଡ଼କୁ ଭିଡ଼ି ଆଣି ପଚାରିଲି, "ତାହେଲେ କଣ କରିବା କୁହ ? ଏବେ ବୁଝିଲି ତୁମକୁ l ସରି ସ୍ମୃତି l ଆଉ କେବେ ପଚାରିବିନି l ଏବେ ଆଗକୁ କଣ କରିବି କୁହ? "


: ସାଧନା l ଗଭୀର ସାଧନା l ସେ ଗଣ୍ଡଗୋଳ, ମାଡ଼ପିଟ୍,ଦାବୀ -ଆନ୍ଦୋଳନ, ଘେରାଉ ଛାଡ଼ି ପଢ଼ା ପଢ଼ି କର l ନହେଲେ ତୁମ ଫିଲିଙ୍ଗ୍ସ, ମୋ ଅକୁହା ହୃଦୟର ସବୁତକ ଅବ୍ୟକ୍ତ ଅପ୍ରକାଶ୍ୟ ପ୍ରେମ ଏହି କ୍ୟାମ୍ପସ୍ ଭିତରେ ସୀମିତ ରହିଯିବ l ଆଉ ଏଇଠି ହିଁ ଶେଷନିଃଶ୍ୱାସ ଛାଡ଼ିଦେବ l ଏହି ବିଲ୍ଡିଙ୍ଗସ,ହଷ୍ଟେଲ, ରାସ୍ତା, ଗଛ ଲତା ଭିତରେ ଆମ ପ୍ରେମ ଚିରଦିନ ପାଇଁ ଲୁଚିଯିବ l


  ସ୍ମୃତି ସେଦିନ ସେତିକି କହି ହଷ୍ଟେଲକୁ ଫେରିଯିବାକୁ ଚାହିଁଲା l ମୁହଁ ଅନ୍ଧାର ସଞ୍ଜବେଳକୁ ଷ୍ଟ୍ରିଟ ଲାଇଟର ଅନୁଜ୍ୱଳ ଆଲୋକରେ ଆମ ଦୁହିଁଙ୍କ ଚ୍ଛାୟା ଦୀର୍ଘକାୟ ଦିଶୁଥିଲା l ଛାୟା ଦୁଇଟି ପରସ୍ପରଠୁ ଧୀରେ ଧୀରେ ଦୂରେଇଲେ l ସେ ତା ହଷ୍ଟେଲ ହତା ପାର କରି ଭିତରକୁ ଯାଇସାରିଥିଲା l ମୁଁ ବାହାରେ ଟିକେ ସମୟ ଟହଲ ମାରି ଫେରି ଆସିଲି l ସେଦିନ କିନ୍ତୁ ଆଉ ପଛକୁ ବୁଲି ଦେଖିନଥିଲି l ଆତ୍ମବିଶ୍ୱାସ ବଢ଼ି ଯାଇଥିଲା l ଆଉ ସେବେଠୁ କୋଉଦିନ ପଛକୁ ବୁଲି ଦେଖିନାହିଁ l ସ୍ମୃତିର ସ୍ମୃତି ମୋତେ ଆଗକୁ ବାଟ କଢେଇ ନିଏ l


      ମୋ ଜୀବନର ବିଂଶତମ ବସନ୍ତ ପାର ହେଇ ସାରିଥିଲା l ସ୍ମୃତିର ନିରୀହ, ଅନାବିଳ ସ୍ନେହ, ପ୍ରେମ ଆଗରେ ମୁଁ ନିଜର ସମସ୍ତ ବଦଗୁଣକୁ ବଳି ପକେଇ ଦେଇଥିଲି l ଦୁଇଟା ଡୋରରେ ଛକି ପରି ବାନ୍ଧି ହୋଇଯାଇଥିଲା ମୋ ଜୀବନ l ଗୋଟେ ସ୍ମୃତିର ଭଲପାଇବାର ଡୋର, ଆରଟି ମୋର ପୂର୍ବରୁ ଛିଡି ଯିବାକୁ ବସିଥିବା ଓ ନୂଆ ନୂଆ ଗଣ୍ଠି ପଡ଼ି ମଜବୁତ ହେଇଥିବା ସେହି ପାଠର ଡୋର l ବାପା ବୋଉଙ୍କୁ ଏତେଟା ଫୋନ କରୁନଥିଲି l ନାଜିଆ ସହ ଦୂରତା ବଢ଼ିଯାଇଥିଲା l ଦ୍ୱିତୀୟ ବର୍ଷ ବେଳକୁ ସ୍ମୃତି ମଧ୍ୟ ନାଜିଆର ରୁମ୍ ଛାଡ଼ି ସାରିଥିଲା l


  ମୁଁ ସ୍ମୃତିର ଯେତେ ନିକଟବର୍ତ୍ତୀ ହେଉଥିଲି ନାଜିଆ ଓ ପୁରା ଦୁନିଆଁଠୁ ସେତିକି ଦୁରେଇ ଯାଉଥିଲି l କିନ୍ତୁ ଏଇଟା ବି ସତ ମୁଁ ମୋ ବିଶୃଙ୍ଖଳିତ ଜୀବନରୁ ବାହାରି ଆସି ପାଠରେ ବେଶିରୁ ବେଶି ମନୋଯୋଗ ଦେଉଥିଲି l ମୁଁ ଚାହୁଁନଥିଲି ଆମ ଭଲ ପାଇବା କ୍ୟାମ୍ପସ୍ ରେ ଶେଷନିଃଶ୍ୱାସ ଛାଡ଼ିଦେଉ l ଆମ ପ୍ରେମକୁ ବଞ୍ଚେଇ ରଖିବା ପାଇଁ ମୋତେ ପଢ଼ିବାକୁ ଥିଲା l ଭଲ ରେଜଲ୍ଟ କରି ଜବ୍ କରିବାର ଥିଲା l ମୁଁ ପଢ଼ୁଥିଲି l ଜବ୍ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିଲି l ମୋର ଫାଇନାଲ ପରୀକ୍ଷା ଆଉ ଅଳ୍ପଦିନ ଥିଲା, ସ୍ମୃତି ଫୋନ କରି କହିଲା ସେ ବାଲେଶ୍ୱର ଯାଉଛି, ତା ଘରକୁ l ତା ମାମାଙ୍କ ଦେହ ଭଲ ନାହିଁ l ମୁଁ ଦୁଃଖୀ ହେଲି l କିନ୍ତୁ ବରାବର ଟଚ୍ ରେ ରହିବାର ପ୍ରତିଶୃତିଟି ନେଇ ତାକୁ ଯିବାକୁ ଦେଲି l 


   ସ୍ମୃତି ମୋତେ ଫୋନ କରେ l ମାମା ଭଲ ହେଇଗଲେ ଆସିବ କହେ l ମୁଁ ପଢ଼ା ପଢ଼ି କରେ l ନାଜିଆ ଏବେ ପୁଣି ଥରେ ମୋତେ ପଢ଼ାରେ ସାହାଯ୍ୟ କରେ l ନିଜର ନୋଟ୍ସ ମୋ ସହ ସେୟାର କରେ l ଆମେ ଦୁହେଁ ମିଶି ପଢୁ l ଫାଙ୍କା ସମୟରେ ତା ସହ କଫି ପିଇବାକୁ, ଆଇସ୍କ୍ରିମ ଖାଇବାକୁ ଯାଏ l ସେଦିନ ଥିଲା ନାଜିଆର ଜନ୍ମଦିନ l ସେ ମୋତେ ନିକଟସ୍ଥ ଏକ ପାର୍କକୁ ଡାକିଲା l ମୁଁ ଭାବିଲି ଅନ୍ୟ ଫ୍ରେଣ୍ଡ୍ସ ବି ଥିବେ l କେହି ନଥିଲେ l କେଵଳ ଆମେ ଦୁହେଁ l ନାଜିଆ କେକ୍ କାଟିଲା l ଆମେ ସେଲିବ୍ରେଟ୍ କଲୁ l ସେ ତା ଫୋନରେ ଗୁଡ଼ାଏ ଫୋଟୋ ଉଠେଇଲା l ମୋ କାନ୍ଧରେ ହାତ ରଖି ସେଲ୍ଫି ନେଲା l ମୁଁ ତା ଗାଲରେ କ୍ରିମ ବୋଳିବାର ଦୃଶ୍ୟକୁ ବି ସେ ମୋବାଇଲ କ୍ୟାମେରାରେ କ୍ୟାପଚର୍ କରିନେଲା l ମୁଁ ହଷ୍ଟେଲ୍ କୁ ଫେରିଲି l ଖୁସି ଥିଲି l କିନ୍ତୁ ସ୍ମୃତିକୁ ବହୁତ ମିସ୍ କରୁଥିଲି l " ସେ ଯଦି ଜାଣିବ ନାଜିଆ ଆଉ ଆଗଭଳି ମୋ ଉପରେ ରାଗୁନି ନିଶ୍ଚୟ ଖୁସି ହେବ ", ମନେ ମନେ ଭାବୁଥିଲି l 


     ତା ପରଦିନ ସକାଳୁ ସ୍ମୃତି କୁ ଫୋନ ଲଗେଇଲି, ସେ କହିଲା," ପଢ଼ ମନ ଦେଇ l ଫୋନ ଫାନ୍ ଏତେ କରନା l ମୁଁ ଘରେ ବ୍ୟସ୍ତ ରହୁଛି l କଥା ହେଇପାରିବିନି l "


  ମୋତେ କାହିଁକି କେଜାଣି ତା କଣ୍ଠରେ ସେହି ପୂର୍ବର ମଧୁରତା ଥିଲା ପରି ଲାଗିଲାନି l 

ମୁଁ ପୁଣି ଲାଇବ୍ରେରୀରୁ ଆସି ଫୋନ କଲି ସେ ରିସିଭ କଲାନି l ମେସେଜ ଦେଲା, "ପଢ଼ l ରାତିକୁ କଥା ହେବା l " ରାତିରେ ବି ସେମିତି, "ବାପା ଅଛନ୍ତି l ତୁମେ ପଢ଼ l ପରୀକ୍ଷା ମୁଣ୍ଡ ଉପରେ "l


  ସ୍ମୃତି ଫେରୁନଥିଲା କିମ୍ବା ମୋ ସହ ଭଲରେ କଥା ହେଉନଥିଲା l ମୋତେ ବ୍ୟସ୍ତ ଲାଗୁଥିଲେ ବି ମୁଁ ଆମ ଭଲପାଇବାର ଭବିଷ୍ୟତ କଥା ଚିନ୍ତା କରି ପଢ଼ାରେ ମନ ଦେଉଥିଲି l ଦିନ ପରେ ଦିନ ଗଡ଼ିଗଲା l ମୋ ପରୀକ୍ଷା ଆରମ୍ଭ ହେଇଗଲା l ମୁଁ ଫୋନ ପ୍ରାୟ ବନ୍ଦ ରଖିଲି l ସ୍ମୃତିର ଫୋନ ଆଉ ଆସୁନଥିଲା l ପରୀକ୍ଷା ସରିଲେ କଥା ହେବି ଚିନ୍ତାକରି ଆଉ ଏତେଟା ବ୍ୟତିବ୍ୟସ୍ତ ହେଲିନି l ମୁଁ ଫେସବୁକ ବି ଖୋଲୁନଥିଲି l ମେସେଜ ଚେକ୍ କରିବାକୁ ସମୟ ମିଳୁନଥିଲା l 


  ପରୀକ୍ଷା ସରିଗଲା l ମୁଁ ସ୍ମୃତ କୁ ମେସେଜ କଲି l ମେସେଜ ଡେଲିଭରି ହେଲାନି l କଲ୍ କଲି ଫୋନ ଲାଗିଲାନି l ନମ୍ବର ସ୍ବିଚ୍ ଅଫ ଥିଲା l 


   ମୁଁ ଖୁବ ବିବ୍ରତ ହେଲି l ମୋର ଗୋଟେ ଭଲ କମ୍ପାନୀରେ ଇଣ୍ଟରଭିୟୁ ଟେ ଥିଲା l ମୁଁ ସ୍ଥିର ହେଇପାରିଲିନି l ଫେସବୁକ ରୁ ସ୍ମୃତି ର ଆକାଉଣ୍ଟ ରିମୁଭ ହେଇସାରିଥିଲା l "ବଡ଼ ଅଜବ ଝିଅ ",ରାଗରେ ଗାରୁ ଗାରୁ ହେଲି l ତା ସାଙ୍ଗ ମାନଙ୍କୁ ପଚାରିଲି, ସେମାନେ କହିଲେ କିଛି ଜାଣିନାହାଁନ୍ତି l


     ନାଜିଆର ସିଲେକ୍ସନ ହେଇଗଲା l ମୁଁ କଟିଯାଇଥିଲି l ମୁଣ୍ଡ ତଳକୁ କରି ବସିଥିଲି l ନାଜିଆ ଆସି ମୋତେ ଖୁବ ବୁଝେଇଲା l ଆଗକୁ ଆହୁରି ଭଲ କମ୍ପାନୀରେ ମୁଁ ମନୋନୀତ ହେବି ବୋଲି ମୋତେ ଆଶ୍ୱାସନା ଦେଲା l ମୁଁ ତା ଆଞ୍ଜୁଳି ଭିତରେ କାନ୍ଦି ପକାଇ ମେଞ୍ଚାଏ ଲୁହ ଢାଳି ଦେଲି l ସେ ଲୁହର ମାନେ ଯେ ସ୍ମୃତିର ସ୍ମୃତି ସେ ଠିକ ବୁଝିନେଲା l


:ନାଜ୍, ସେ ଠିକ ଥିବ ତ ? 


:ଠିକ ମାନେ ? ସେ ବହୁତ ଠିକ ଅଛି l ତୁ ଖାଲି ଯାହା ତା ପାଇଁ ଲୁହ ଗଡ଼ଉଛୁ l ବୋକା କୋଉଠିକାର l ଆରେ ତାର ବାଲେଶ୍ୱର ରେ ଗୋଟେ ମନ୍ତ୍ରୀର ପୁଅ ସହ ଚକ୍କର ଚାଲିଥିଲା l ସେ ଯେମିତି ସାଧା ସିଧା ଦେଖାଯାଏ, ସେତିକି ନୁହେଁ l ବହୁତ ଚୁପ ସୈତାନ l ତା ମ୍ୟାରେଜ ଠିକ ହେଇଯାଇଛି l


 ମୋ ମୁଣ୍ଡ ଉପରେ ଆକାଶ ଖସିପଡିଲା l ଇଚ୍ଛା ହେଉଥିଲା ନାଜିଆକୁ ଟେକି କଚାଡ଼ି ଦେବାକୁ l 


 "ତୁ ମିଛ କହୁଛୁ ନାଜ୍ " l


ନାଜିଆ ତା ଫୋନ କାଢିଲା ଆଉ ଗୋଟେ ଫୋଟୋ ମୋତେ ଦେଖେଇଲା l ମୁଁ ରାଗରେ ମାଟିକୁ ବିଧାଟାଏ ମାରିଲି l ନାଜିଆ ଠାରୁ ବଡ଼ କାକୁତି ହେଇ ବିଶ୍ୱାସଘାତିନୀର ନମ୍ବର ଆଣିଲି l ଫୋନ କଲି l ସେ ଉଠେଇଲା l ମନ ଇଚ୍ଛା ଶୋଧିଲି l ସେ କଣ କହୁଥିଲା ଶୁଣିଲିନି l 


  ସିମ କାର୍ଡ କାଢ଼ି ଫିଙ୍ଗିଦେଲି l ନୂଆ ଜୀବନଟେ ଆରମ୍ଭ କରିବାର ସଂକଳ୍ପ ନେଲି l ଜବ୍ ହେଇଗଲା l ନାଜିଆ,ମୁଁ ଓ ଅନ୍ୟ ସମସ୍ତେ ଅଲଗା ଅଲଗା ହେଇ ଚାକିରୀ ପାଇଁ କେଉଁଝର ଛାଡ଼ି ଦୁରକୁ ଚାଲିଗଲୁ l ମୋ ଅସମ୍ପୂର୍ଣ୍ଣ ପ୍ରେମ କାହାଣୀ ସତରେ ସ୍ମୃତି ହେଇ କଲେଜ୍ କ୍ୟାମ୍ପସ୍ ରେ ଲୁଚି ରହିଗଲା l


  ସେହି ଘଟଣାର ଅନେକ ବର୍ଷ ପରେ ପୁଣି ଗୋଟେ ସେହି କଲେଜ୍ ଦିନର ବସନ୍ତ ଫେରିଆସିଲା ପରି ମୋତେ ଲାଗୁଥିଲା l ମୁଁ କେଉଁଝର ଆସିଥିଲି ଗୋଟେ କାମରେ l କଲେଜ୍ ଆଡ଼େ ବାହାରିଲି l କ୍ୟାମ୍ପସ୍ ରେ କେଵଳ ମୋତେ ସ୍ମୃତିର ସ୍ମୃତି ହିଁ ଦିଶି ଯାଉଥିଲା l ସବୁଠି ତାହାରି ଚିହ୍ନ l ସେ ଠିକ କହୁଥିଲା, ଆମ ପ୍ରେମ ଏହିଠି ଜନ୍ମ ହେଇ ଏହିଠାରେ ଶେଷନିଃଶ୍ୱାସ ଛାଡ଼ିଛି l 


  ସ୍ମୃତିର ଗୋଟେ ଫ୍ରେଣ୍ଡ ମୋତେ ଦେଖିନେଲା l ମୁଁ ତାକୁ ଚିହ୍ନି ପାରିଲିନି l ସେ ଚିହ୍ନି ଆସିଲା ମୋ ପାଖକୁ l


: ସାର୍ କେମିତି ଅଛନ୍ତି ? ଏବେ କୋଉଠି ? 


:ଭଲ ଅଛି l ମୁମ୍ବାଇରେ ଏବେ l ସରି ମୁଁ ଆପଣଙ୍କୁ ଜାଣି ପାରିଲିନି l


:ମୁଁ ସ୍ମୃତିର ବ୍ୟାଚ୍ ମେଟ l ସରିତା l ଏଠି ଫ୍ୟାକଲ୍ଟି ଅଛି ଏବେ l


: ଆଚ୍ଛା ଆଚ୍ଛା l ସେ ଏବେ କୋଉଠି ? 


:ସାର୍.. ଆପଣ କଣ ସତରେ ଜାଣନ୍ତିନି ? ନାଜିଆ ଦି କହିନାହାନ୍ତି ? 


:ନାଜିଆର ନମ୍ବର ମୋ ପାଖେ ନାହିଁ କି ତା ସହ ସୋସିଆଲ ମିଡ଼ିଆରେ ବି ମୋର କଣ୍ଟାକ୍ଟ୍ ନାହିଁ l


:ମାନେ ??? ଆପଣ ତାଙ୍କ ସହ ଆଫେୟାରରେ .. 


:ହେତ୍ ପାଗଳ ନାଁ କଣ ? କିଏ କହିଲା ? 


:ସେ ଯେଉଁ ଫୋଟୋ ସବୁ ସ୍ମୃତିକୁ ସେଣ୍ଡ୍ କରିଥିଲେ ?? 


  ମୁଁ ସରିତାର କଥା କିଛି ବୁଝିପାରିଲିନି l କୋଉ ଫୋଟୋ କଣ ? ମୁଁ ପୁଣି ଥରେ ସ୍ମୃତି କଥା ପଚାରିଲାରୁ ସେ ଯାହା କହିଲା ମୋ ଛାତିଟା ସେହି କ୍ଷଣି ଫାଟି ଟୁକୁଡ଼ା ଟୁକୁଡ଼ା ହେଇଗଲା l ଏବେ ମୋ ପାଖରେ ଫାଙ୍କା ଭଙ୍ଗା ହୃଦୟଟେ ଛଡ଼ା କିଛି ଆଉ ନଥିଲା l ସ୍ମୃତି ସତରେ କେଵଳ ସ୍ମୃତି ହେଇ ରହିଗଲା l ମୁଁ ଏବେ ଆଉ ଚାହିଁଲେ ବି ହାତ ବଢ଼େଇ ପାରିବିନି l କେତେ ମୂର୍ଖଟେ ମୁଁ ! ସେଦିନ ତା ନମ୍ବର ପାଇଲା ପରେ ତାକୁ ଗାଳି ନକରି ଟିକେ ବୁଝେଇ ପାରିଥାନ୍ତି ହେଲେ ! ନାଜିଆର ସତଟା ତା ସାମ୍ନାକୁ ଆଣିପାରିଥାନ୍ତି ହେଲେ ! ହାୟରେ କେଡ଼େ ଦୁର୍ଭାଗା ମୁଁ ଆଉ ଆମ ଅଧୁରା ପ୍ରେମ !!


  ସ୍ମୃତିର ବାହାଘର ଠିକ ହେଇଯାଇଥିଲା ସତ l ସେ ନାଜିଆକୁ ଫୋଟୋ ପଠେଇଥିଲା ସତ l କିନ୍ତୁ ସେ ଚାହୁଁନଥିଲା ସେ ପିଲାକୁ ବାହା ହେବାକୁ l କେଵଳ ନାଜିଆ କୁ ଜଣେଇବାକୁ ଚାହୁଁଥିଲା ସେ, ମୋ ଆଉ ନାଜିଆ ଭିତରେ ଆଉ ଆସିବନି l ସେଥିପାଇଁ ସେହି ଫୋଟୋଟା ସେ ନାଜିଆକୁ ପଠେଇଥିଲା l ନାଜିଆ ସେହି ଫୋଟୋକୁ ସ୍ମୃତି ବିରୁଦ୍ଧରେ ହତିୟାର କରିନେଲା l ତା ଜନ୍ମଦିନର ଫୋଟୋକୁ ଯେମିତି ମୋ ବିରୁଦ୍ଧରେ ଅସ୍ତ୍ର କରି ସ୍ମୃତିକୁ ପଠେଇଥିଲା l ମୁଁ ଯେବେ ନାଜିଆଠୁ ଜୋର କରି ସ୍ମୃତିର ନମ୍ବର ଆଣି ତାକୁ ଖୁବ ଖରାପ କରି ଗାଳି କଲି ବିଚାରୀ ନିରୀହ ଝିଅଟା କିଛି ବୁଝିପାରିଲାନି କଣ କରିବ l ସେହି ମୋବାଇଲଟାକୁ ହାତରେ ଧରି ତା ତିନି ମହଲା ଛାତ ଉପରୁ ତଳକୁ ଡେଇଁ ପଡ଼ିଲା l ତିନିମାସ କୋମାରେ ରହି ଜୀବନ ମୃତ୍ୟୁ ଭିତରେ ସେତୁ ହେଇ ପଡ଼ିରହିଲା ପରେ, ଦିନେ ଚିରଦିନ ପାଇଁ ସେ ଆଖି ବୁଜିଦେଲା l


  ମୁଁ ସରିତା ଆଗରେ କାନ୍ଦି କାନ୍ଦି ଲୋଟିଗଲି l କାହାରି ସହ ସମ୍ପର୍କରେ ନଥିବା କାରଣରୁ କିଛି ଜାଣି ପାରିନଥିଲି l ବସନ୍ତର ମଳୟ ପବନ ବୋହୁଥିଲା l ଆମ୍ବ ବଉଳ ଝୁଲି ଖେଳୁଥିଲେ l କୋଇଲି କୁହୁ କୁହୁ ଡାକୁଥିଲା l ମୁଁ ଲୁହ ପୋଛି ଉଠିଲି l ମଳୟର ସାଥେ ସାଥେ ଉଡ଼ିଲି, ଦୋୖଡିଲି l ଦୌଡ଼ି ଦୌଡ଼ି ଲେଡ଼ିଜ ହଷ୍ଟେଲ ପାଖକୁ ଗଲି l ସୀମାହୀନ ସ୍ମୃତି ମୋ ଆଖି ଆଗରେ ନାଚି ଯାଉଥିଲା l ମୁଁ ସେହି ସିମାହୀନତା ଭିତରେ ନିଜକୁ ହଜେଇ ଦେବାପାଇଁ ପାହାଚ ଚଢ଼ୁ ଥିଲି l ଯେତେ ଉପରକୁ ଯାଉଥିଲି ସ୍ମୃତିକୁ ସେତେ ପାଖରେ ପାଉଥିଲି l ଏବେ ମୁଁ ଶିଖର ରେ l ସ୍ମୃତିର କୋଳରେ ଝାସ ଦେବାରେ ଆଉ ମୋତେ ସାମାନ୍ୟତମ ଭୟ ନାହିଁ l 



Rate this content
Log in

Similar oriya story from Romance