The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Purusottam Mishra

Others

3  

Purusottam Mishra

Others

ଛାୟା

ଛାୟା

5 mins
605



ସମୟର ରଥ ଦ୍ରୁତ ଗତିରେ ଚାଲୁଥାଏ ଆଗକୁ l କୋମଳ ଅମ୍ଲାନର ଜୀବନରେ ସତରଟି ବସନ୍ତ ଆସି ନିଜ ନିଜର ମଳୟ ପବନରେ ତା କୋମଳ ମନକୁ ଶକ୍ତ କରିଦେଇଥାଏ l ସ୍ଟୁୱାର୍ଟ୍ କଲେଜରୁ ଯୁକ୍ତ ଦୁଇ ପଢି ସାରି ସେ ଯୋଗ ଦିଏ କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ l ପିଲାଳିଆ ଚେହେରା, ପତଳା ଶରୀର, ମଜାଳିଆ ମିଜାଜ୍ ତାକୁ ଅନ୍ୟ ମାନଙ୍କ ମଧ୍ୟରେ ଖୁବ କମ ସମୟରେ ଜନପ୍ରିୟ କରେଇଦିଏ l ସମସ୍ତ ସହପାଠୀ ତାକୁ 'ଅମୁ' ଡାକି ସମ୍ବୋଧନ କରନ୍ତି l ପାହାଡ ଜଙ୍ଗଲ ଘେରା କେଂଧୁଝରକୁ ସେ ସମ୍ପୂର୍ଣ୍ଣ ନିଜର ଭାବିନିଏ l ପଢାପଢାରୁ ସାମାନ୍ୟ ଟିକେ ବିରତି ମିଳିଗଲେ ସେ ଦୋଉଡିଯାଏ କଲେଜର ପଛରେ ଥିବା ଅଙ୍କା ବଙ୍କା ଝର୍ ଝର୍ ପାହାଡି କନ୍ୟା ପାଖକୁ, ଝରଣା ପାଖକୁ l ମନଭରି ଗାଧୋଇବାକୁ l


             ଇତିମଧ୍ୟରେ ତାର ବନ୍ଧୁତା ହୁଏ ସହପାଠୀ ସାଗର ସହ l ଖୁବ କମ ସମୟ ଭିତରେ ସେମାନେ ଅନ୍ତରଙ୍ଗ ବନ୍ଧୁ ହେଇଯାନ୍ତି l ଦୁହେଁ ଛାତ୍ରାବାସରେ ଗୋଟାଏ କକ୍ଷରେ ରୁହନ୍ତି l କୁଆଡେ ବୁଲିବାକୁ ଯିବାକଥା ହେଉ କିମ୍ବା ଖେଳ କୁଦ ରେ ଭାଗ ନେବା କଥା ହେଉ ସବୁ ବେଳେ ଦୁଇଜଣ ଜାକ ଛାଇ ପରି ସାଥିହୋଇ ଚାଲନ୍ତି l ଛାତ୍ରାବାସରେ କେବେ ଖାଦ୍ୟ ଭଲ ନଲାଗିଲେ ସେମାନେ ଚାଲିଯାନ୍ତି 'ପ୍ରିୟା ଢ଼ାବା'କୁ ରାତ୍ରିଭୋଜନ ପାଇଁ l ଦୁଇ ଜଣଙ୍କ ଏପରି ବନ୍ଧୁତା ଅନ୍ୟ ସହପାଠୀ ମାନଙ୍କୁ ଈର୍ଷାନ୍ୱିତ କରାଇଦିଏ l ଏହିପରି ଅନ୍ତରଙ୍ଗତା ଓ ଚପଳାମୀ ଭିତରେ ଦୁହିଁଙ୍କର ଦୁଇ ବର୍ଷ କଟିଯାଏ କେନ୍ଦୁଝର ରେ l 


          ଅମ୍ଲାନର ଜୀବନକୁ ପୁର୍ଣିମାର ଜହ୍ନ ପରି ଆଗମନ କରେ ଅଲିଭା l ଅଲିଭାର ଘର ଥିଲା ଭଦ୍ରକ ଜିଲ୍ଲାରେ, ଯାହା ସାଗର ର ମାମୁଁ ଘର ଖୁବ ନିକଟରେ ଅବସ୍ଥିତ l ତଥାପି କାହିଁକି କେଜାଣି ଅଲିଭାର ଆଗମନ ଦୂରେଇଦିଏ ସାଗରକୁ ଅମ୍ଲାନ ଠାରୁ ଦୂରକୁ ବହୁ ଦୂରକୁ l

ଦୁଇ ଜଣ ଆଉ ଆଗ ଭଳି ମିଶୁଥିବାର ଦେଖାଯାନ୍ତି ନାହିଁ l ଏବେ ଅମ୍ଲାନ ବାହାରିଯାଏ ସାନଘାଗରାର ଜଳରାଶିରେ ସ୍ନାନ କରିବାକୁ ଅଲିଭା ସହ ଆଉ ଅନ୍ୟ ପଟରେ ସାଗର ରହିଯାଏ ଛାତ୍ରାବାସର ଚାରି କାନ୍ଥ ମଧ୍ୟରେ ଏକଦମ ଏକୁଟିଆ l ଦୁଇଜଣ ସାଙ୍ଗ ହୋଇ ଖେଳିବାକୁ ଯିବାର ବି ଦେଖାଯାଏନାହିଁ ଆଉ ପୂର୍ବଭଳି l ଅନ୍ୟ ସହପାଠୀ ମାନେ ଏପ୍ରକାର ଦୃଶ୍ୟ ମାନ ଦେଖି ବହୁତ ଆନନ୍ଦିତ ହେଉଥିଲେ ଏବଂ ଉପହାସ ଛଳରେ କହୁଥିଲେ," ରଜନୀରେ ଛାୟାର ସ୍ଥାନ ନାହିଁ "l 


   ସାଗର ଏବେ ସବୁବେଳେ ଗୁମସୁମ୍ ରହେ l କଣ ଗୋଟେ ଥିଲା ତାର କହିବାକୁ , ଅନ୍ୟ ମାନଙ୍କୁ ନୁହେଁ ଅମ୍ଲାନକୁ କିନ୍ତୁ କହିନାହିଁ ସେ କେବେ l ସେ ଜାଣି ପାରୁନଥିଲା ରାତ୍ର କାହା ଜୀବନରେ ଆସିଥିଲା, ତା ନିଜ ଜୀବନରେ ନାଁ ତାର ସବୁଠାରୁ ପ୍ରିୟ ଅମୁ ଜୀବନରେ l ଅମ୍ଲାନ ନିଜର ପ୍ରିୟତମା ସହ ଥିଲେ ମଧ୍ୟ ପୂର୍ବଭଳି ଆନନ୍ଦ ଅନୁଭବ କରେନାହିଁ l ସେ ସବୁବେଳେ ଖୋଜୁଥାଏ ହଜିଯାଇଥିବା ତାର ପ୍ରିୟ ବନ୍ଧୁ ସାଗର ସହ କଟେଇଥିବା ପୁରୁଣା ଦିନର ଅଭୁଲା କାହାଣୀ ମାନଙ୍କୁ l ଅଲିଭା ସହ ଥିଲାବେଳେ ସେ ସବୁବେଳେ ଅନ୍ୟମନସ୍କ ଦେଖାଯାଏ, ଅଲିଭା ବି ସେହି ଅନ୍ୟମନସ୍କତା ର କାରଣ ପଚାରିଛି ତାକୁ ଅନେକଥର କିନ୍ତୁ ଉତ୍ତର ନଥିଲା ଅମ୍ଲାନ ପାଖରେ l ଯାହାଥିଲା ଗୋଟେ ଅଭିବକ୍ତ ପ୍ରଶ୍ନ ଏବଂ ଉତ୍ତର କେବଳ ଦେଇପାରିଥାନ୍ତା ଜଣେ ଯିଏ ତା ଠାରୁ ବହୁତ ଦୂରକୁ ଚାଲିଯାଇଥିଲା l ସେହି ତ ଥିଲା ତାର ଛାଇ,ତାର ହୃଦୟର ଗୋଟେ ଥାକ, ବନ୍ଧୁ, ରୁମ୍ ମେଟ୍ ସାଗର l କେଵଳ ଆଉ କେଵଳ ସାଗର l


   କେହି କେହି କୁହନ୍ତି, "ଅଲିଭାକୁ ସାଗର ମନେ ମନେ ଭଲପାଉଥିଲା ସେଥିପାଇଁ ଅମ୍ଲାନ ସହ ବନ୍ଧୁତା ଭାଙ୍ଗିଦେଲା" l ଆଉ କେହି କେହି କୁହନ୍ତି, "ଅଲିଭାର ଚରିତ୍ର ଭଲ ନଥିଲା ସେ ସାଗର ସହ ଥିବା ବେଳେ ଅମ୍ଲାନର ଦୃଷ୍ଟିରେ ଆସିଲା ଏବଂ ତାଙ୍କ ବନ୍ଧୁତା ଭାଙ୍ଗିଗଲା" l ଆଉ କେତେକ କୁହନ୍ତି," ସାଗର ଅମ୍ଲାନ ଠାରୁ କିଛି ଟଙ୍କା ଧାର ନେଇ ପରିଶୋଧ ନକରିପାରିବା ତାଙ୍କ ବିଛେଦର ପ୍ରକୃତ କାରଣ " l ଏପରି ଅନେକ ପ୍ରଶ୍ନ ସହ ଅବାସ୍ତବ ଉତ୍ତର ମାନ ଘୁରିବୁଲନ୍ତି କଲେଜ କ୍ୟାମ୍ପସର ପବନ ରେ l 


         ଚାଁହୁଚାଁହୁ କଲେଜରେ ସେମାନଙ୍କ ଶେଷ ବସନ୍ତ ଆସି ନିଜର ଆଗମନର ବାର୍ତା ପହଞ୍ଚାଇଦିଏ ଆମ୍ବ ଵଉଳର ପେନ୍ଥା ସହ l ସେମାନଙ୍କୁ ସବୁଦିନ ପାଇଁ ଅଲଗା ହେବାକୁ ହେବ l ଜୁନିଅର୍ ମାନେ ବି ବିଦାୟ ଉତ୍ସବ ପାଳନ କରି ଭବିଷ୍ୟତ ସୁଗମ ହେବାର ବାର୍ତା ସହ ବିଦାୟ ଦେଇଦିଅନ୍ତି l ଅମ୍ଲାନକୁ କିନ୍ତୁ ଲାଗୁଥିଲା ଯେପରି ତାକୁ କେନ୍ଦୁଝର ନିହାତି ଭାବେ ପର କରିଦେଉଛି l ସେ ମନେ ପକାଇପାରୁଥିଲା ବର୍ଷାଭିଜା ଏକ ସକାଳରେ ସେ କିପରି ଆସିଥିଲା ଏଠାକୁ ବାପାଙ୍କ ସହ, ଆହୁରି ମନେ ପକାଉଥିଲା ତାର ଛାଇ ସ୍ୱରୂପ ପ୍ରିୟ ବନ୍ଧୁ ସାଗର କୁ l ସେ ଧାଇଁଲା ତାର ରୁମ୍ କୁ ମନରେ କୋହମିଶା ଦମ୍ଭ ସହ l ଆଜି ସେ ଖୋଜିପାଇବ ଅନେକ ଦିନରୁ ଚାପିରଖିଥିବା ଅସମାହିତ ପ୍ରଶ୍ନର ସମାଧାନ l ହଷ୍ଟେଲରେ ପହଞ୍ଚି ସେ ଦେଖିଲା ତାର ଛାଇ ଚାଲିଯାଉଛି ହଷ୍ଟେଲ ଛାଡ଼ି, ସବୁଦିନ ପାଇଁ ତାକୁ ଓ ତାଙ୍କ ରୁମ୍ କୁ ପର କରି l ଆଖିରୁ ଗଡିପଡୁଥିବା ଲୁହକୁ ଗୋଟେ ହାତରେ ପୋଛି ସେ ସାଗର ଯାଉଥିବା ରିକ୍ସା କୁ ପିଛା କଲା ଖାଲି ପାଦରେ l ଗଡିଯାଇଥିବା ସମୟର ଚକ ପରି ସେ ରିକ୍ସାର ବଡ଼ ବଡ଼ ତିନିଟା ଚକ କୁ ବି ଅଟକାଇବାରେ ବିଫଳ ହେଲା l କିନ୍ତୁ ମନକୁ ବୁଝେଇଦେଇ କହିଲା, "ହଁ ଆଜି ଯାଉ, ମୁଁ ତ ଜାଣିଛି ନା ସାଗରର ଘର ଠିକଣା l ପହଞ୍ଚିଯିବି ଯେ ଦିନେ " l


           ୟା ମଧ୍ୟରେ ଦୀର୍ଘ ପଦର ବର୍ଷ ସମୟ ଅତିକ୍ରାନ୍ତ କରିଯାଏ l ଅମ୍ଲାନ ସାଗରର ଠିକଣା ହଜେଇଦେଇଛି କେବେଠାରୁ, ଦେଖିନି ତାକୁ ଅନେକ ବର୍ଷରୁ l ଖବର ଆସିଲା ବନ୍ଧୁମିଳନ କାର୍ଯ୍ୟକ୍ରମ ହେଉଛି କେନ୍ଧୁଝର ସରକାରୀ ମହାବିଦ୍ୟାଳୟରେ l ନିଜର ପତ୍ନୀ ସୋନାଲି ସହ ସେ ବାହାରିଲା କେଂଧୁଝର l କୈଶୋର ଓ ଆଦ୍ୟଯୌବନ ର ଘଟଣା ବହୁଳ ଦିନଗୁଡ଼ିକର ଅନେକ ସ୍ମୃତି ଓ ଗୁଡ଼ାଏ ଆବୁରୁ ଜାବୁରୁ ଅସମାହିତ ପ୍ରଶ୍ନ ଯେତେ ସବୁ ତା ମୁଣ୍ଡ ଚାରିପଟେ ସଦା ସର୍ବଦା ଘୁରିବୁଲୁଥିଲା ସେ ସବୁର ଉତ୍ତର ପାଇବାର ଇଛା ଅନେକ ଆଗରୁ ଉଭେଇଯାଇଥିଲା ତା ମନରୁ ପିଲାବେଳେ ତା କୋମଳ ଶରୀରକୁ ଆସିଥିବା ଛୋଟ ଛୋଟ କ୍ଷତଚି଼ହ୍ନ ଚମଡ଼ା ଛାଡ଼ି ମିଳେଇଗଲା ପରି l 


  ଗେଟ୍ ଟୁଗେଦର୍ କୁ ଅମ୍ଲାନର ଅତୀତର ଅନ୍ତରଙ୍ଗ ବନ୍ଧୁ ସାଗର ବି ଆସିଥିଲା, କିନ୍ତୁ ଏକୁଟିଆ l ଦୁଇଜଣ ଦୁହିଁଙ୍କୁ ଦେଖିଲେ ଓ ପୂର୍ବ ଘଟଣା କୁ ଭୁଲି ଯାଇ ପୁଣି ଥରେ ଛାଇଦୁଇଟି ଏକାଠି ହୋଇ ଏକ ଓ ଅଭିନ୍ନ ବିରାଟ ଏକ ଛାଇ ରେ ପରିଣତ ହୋଇଗଲେ l ଅମ୍ଲାନ ପୁରୁଣା ପ୍ରଶ୍ନ ପଚାରିବା ପୂର୍ବରୁ ପଚାରିଦେଲା," ବାହା ହୋଇନୁକିରେ ସାଗର?" l ସାଗର ର ଉତ୍ତର ତାକୁ ଦୁଇଟି ପ୍ରଶ୍ନର ଉତ୍ତର ଏକାବେଳେ ଦେଇଦେଲା l ଯେଉଁ ପ୍ରଶ୍ନ ଦୁଇଟି ଛାଇକୁ ପୃଥକ କରିଦେଇଥିଲା ବର୍ଷବର୍ଷ ପାଇଁ ତାହାର ଉତ୍ତରର ମହତ୍ୱ ନଥିଲା ସେଦିନ ଆଉ ପୂର୍ବ ପରି l ଯେଉଁ ଅଲିଭା କାରଣ ଥିଲା ଦୁଇ ବନ୍ଧୁଙ୍କ ବିଛେଦର ସେ ଥିଲା ଖୁସି ନିଜର ସ୍ୱାମୀ ସହ ଅନ୍ୟ କୋଉଠି l ପୁଣି ଥରେ ବାହାରିଲେ ଅମ୍ଲାନ ଏବଂ ସାଗର ସାନଘାଗରାକୁ ନିଜର ହଜିଲା ଦିନର ଅଦୃଶ୍ୟ ହେଇଯାଇଥିବା ସ୍ମୃତିକୁ ସାଉଁଟିବାକୁ ଏଥର କିନ୍ତୁ ଅଲଗା ହୋଇ ନୁହେଁ ଏକାଠି ହୋଇ ସବୁଦିନ ପାଇଁ l ସାନଘାଗରା ରୁ ଫେରି ସେମାନେ ପୁଣି ଥରେ ଗଲେ କଲେଜ ଜୀବନର ହସଲୁହ ଭିଜା ଅତୀତର ସ୍ମୃତି କୁ ଚାରି କାନ୍ଥ ମଧ୍ୟରେ ଅଦୃଶ୍ୟ ଭାବରେ ସାଇତି ରଖିଥିବା କକ୍ଷଟିରୁ ସାଉଁଟି ଆଣିବାକୁ l 


  ବଳଦେବଜୀଉ ଛାତ୍ରାବାସର ରୁମ୍ ନମ୍ବର ବି-୧୨ ନିଜର ରଙ୍ଗ କୁ ପରିବର୍ତନ କରି ନୂଆ ରଙ୍ଗରେ ରଙ୍ଗେଇ ହେବା ସହ ନିଜର ନାମକୁ ମଧ୍ୟ ପରିବର୍ତନ କରିଦେଇ ରୁମ୍ ନମ୍ବର୍-୨୧୨ ହୋଇଯାଇଛି l କିନ୍ତୁ କେଵଳ ଗୋଟିଏ ମାତ୍ର ପରିବର୍ତ୍ତନ ହୋଇନି ସେଠି, ଆଉ ସେଇଟି ହେଲା -ଦୁଇଟି ଅଜଣା କିଶୋରଙ୍କର କୈଶୋର ପାର କରି ଏକାଠି ଯୌବନ ପ୍ରାପ୍ତି ହେବାର ଅଭୁଲା କାହାଣୀ ସୃଷ୍ଟିର ଦୃଶ୍ୟ l ଆଜି ବି ତାହା ବଦଳିନାହିଁ l କୁଳୁକୁଳୁ ଝରଣା ପରି ଅନବରତ ପ୍ରବାହିତ ହେଉଛି l ଦୁଇଟି ଅପରିଚିତ ଯୁବକରୁ ଦୁଇଟି ଏକାନ୍ତ ଅନ୍ତରଙ୍ଗ ବନ୍ଧୁ ପାଲଟିଯାଇଥିବାର ଅତୀବ ସୁନ୍ଦର ରୂପାନ୍ତରଣ ଓ ଅତ୍ମୀୟତା ର ଛିଟା ସେହି ଛୋଟିଆ କୋଠରୀ ଭିତରେ ରହିଯାଇଛି ସେହିପରି ଅପରିବର୍ତ୍ତିତ ହୋଇ l ରହିଥିବ ବୋଧେ ଚୀରଦିନ l 

   ଦୁଇବନ୍ଧୁ ଅମ୍ଲାନ ଓ ସାଗର ନିଜର କଲେଜ ଜୀବନର କାହାଣୀ ଗଢୁଛନ୍ତି ସେହି ରୁମ୍ ରେ ,ଗଢୁଥିବେ ଅସୀମ ସମୟ ପାଇଁ, ତାଙ୍କ ପରେ କକ୍ଷ କୁ ନିଜର କରିବାକୁ ଥିବା ଆଉ କେହି ଅମ୍ଲାନ ଏବଂ ସାଗର ମାନଙ୍କ ପାଇଁ l 


  ସେହି କଲେଜ୍ ପୁଣି ଥରେ ବିଦାୟ ଦେଉଥିଲା ନିଜଠାରୁ ପୂର୍ବରୁ କଟି ଛିଣ୍ଡି  ଦୂରକୁ ଛିଟକି ପଳେଇଯାଇଥିବା ପିଲାମାନଙ୍କୁ l ଆଉ ଅପେକ୍ଷାରେ ଥିଲା ଆସିବାକୁ ଥିବା ନୂତନ ଉତ୍ତରାଧିକାରୀ ମାନଙ୍କୁ l ନୂଆ -ପୁରୁଣା ର ଏହି ଖେଳ ଓ କଳରବ ଭିତରେ ବି କଲେଜ୍ ଥିଲା ମୌନ l ଅନେକ କାହାଣୀର ସମାହାର ତା କାନ୍ଥ, ବାଡ଼, ଛାତ,ପାଚେରୀ ଓ ଖେଳ ପଡ଼ିଆ ପୁରୁଣା ପିଲାମାନଙ୍କ ଛାତି ଭିତରୁ କୋହ କୁ ଛାଣି ଆଣି ସେମାନଙ୍କ ଆଖି କୋଣରେ ବିନ୍ଦୁ ବିନ୍ଦୁ ଜଳ ଭରି ଦେଉଥିଲେ l


  ଅତୀତର ଛାତ୍ର ଆଜି ଅତୀତର କାହାଣୀକୁ ଛାତିରେ ଚାପି ଧରି ଫେରିଯାଉଥିଲେ କିନ୍ତୁ କଲେଜ ପଛରେ ଥିବା ବୃଦ୍ଧ ପାହାଡଟି ସେହିଭଳି ଅଣ୍ଟା ସିଧା କରି ଛିଡା ହୋଇଥିଲା ଶୁଣିବାକୁ ଆହୁରି ଅନେକ କାହାଣୀ ପ୍ରେମର, ପ୍ରତାରଣାର ଓ ଅମ୍ଲାନ -ସାଗରଙ୍କ ପରି ନିଛକ ବନ୍ଧୁତ୍ୱ ର l 


  କଲେଜ୍ ର କାହାଣୀ ଓ ପାହାଡର ଛାଇ ପରସ୍ପର ସହ ମିଳିତ ହେଉଥିଲେ କି ନାହିଁ ଜଣାନାହିଁ କିନ୍ତୁ ଦୁଇଟି ବନ୍ଧୁ ପୁଣି ଥରେ ନିଜ ଚ୍ଛାୟାକୁ ନୂଆକରି ପାଇ ଆନନ୍ଦରେ ବିଭୋର ହୋଇ କଲେଜ୍ ଗେଟ୍ ଆଗରୁ ଛାଇ ଲେଉଟିବା ବେଳକୁ ଅପସରି ଯାଉଥିଲେ ଧୀରେ ଧୀରେ l


            


Rate this content
Log in