Purusottam Mishra

Tragedy

3  

Purusottam Mishra

Tragedy

ବାଘ ମାମୁଁ

ବାଘ ମାମୁଁ

4 mins
393


  ଜଙ୍ଗଲ କଥା ଆସିଲେ ମନର ସ୍ୱଚ୍ଛପଟଳରେ ସ୍ୱୟଂ ଭାସି ଉଠେ ବାଘର ପ୍ରତିଛବି l ବିରାଟ ଶରୀର, ହଳଦୀ ଓ କଳା ରଙ୍ଗର ପଟାପଟା ଗାର ସାଙ୍ଗକୁ ଦୁଇଟି ଉଜ୍ଜ୍ୱଳ ଆଖି l ଜୀବନର ଅୟଂ ଆରମ୍ଭରେ ଶିକ୍ଷାଲାଭ କରିଥିଲି ବାଘ କ୍ରୁର ହେଲେମଧ୍ୟ ଖୁବ ଆପଣାର l ଯେବେଠାରୁ ମୁଁ ବାଘ କୁ 'ବାଘମାମୁଁ' ବୋଲି ସମ୍ବୋଧନ କରିବା ଶିଖିଲି ସେବେଠୁ ହିଁ ବୁଝିନେଇଥିଲି ସେ ଆମର ଆପଣାର l ଅନ୍ୟଜଣେ ମୋ ମନରେ ବାଘ ପ୍ରତି ଅନୁରକ୍ତିକୁ ଉର୍ଦ୍ଧଗାମୀ କରିଥିଲେ, ସେ ବାଘ ଠାରୁ ନିମ୍ନ ନଥିଲେ, ମାମୁଁ ଥିଲେ ମୋର l ନନ୍ଦିପୁର ଶାସନ ସହ ମୋର ସମ୍ପର୍କ ଥିଲା ରକ୍ତର l ମୋ ଅତି ଆପଣାର ମାମୁଁ ସତ୍ୟବ୍ରତ ମିଶ୍ର ରହୁଥିଲେ ସେଠି l ଛଅ ଫୂଟ ଉଚ୍ଚ, ବଳିଷ୍ଠ ସ୍ୱାସ୍ଥ୍ୟ ର ଅଧିକାରୀ ମୋ ମାମୁଁ ଖୁବ ନିର୍ଭିକ ଥିଲେ l ତାଙ୍କ ନିର୍ଭିକତାର କାହାଣୀ ମୋତେ ବହୁତ ପ୍ରେରଣା ଦିଏ l 


   ପିଲା ବେଳରୁ ଆରମ୍ଭ କରି ବିଦ୍ୟାଳୟ ପାଠ ଶେଷ କରିବା ପର୍ଯ୍ୟନ୍ତ ପ୍ରତିଥର ଗ୍ରୀଷ୍ମ ଅବକାଶ ମୋର ମାମୁଁ ଘରେ ହିଁ କଟୁଥିଲା l ମାମୁଁ ନିଜର ପୁରୁଣା ଚବିଶ ଇଞ୍ଚିଆ ସାଇକେଲ୍ ଟି ଧରି ଛୁଟି ଆରମ୍ଭ ହେବା ପୂର୍ବରୁ ଆସି ମୋତେ ନେଇଯାନ୍ତି, ଛୁଟି ସରିଲେ ପୁଣି ସେଇ ପୁରୁଣା ସାଇକେଲ ରେ ବସାଇ ଆଣି ଛାଡ଼ିଯାଆନ୍ତି l ଦୁଇ ମାସ ଦୀର୍ଘ ରହଣି ଭିତରେ ମୁଁ ଘର କଥା ସମ୍ପୂର୍ଣ୍ଣ ରୂପେ ଭୁଲିଯାଏ l


  ଏକମାତ୍ର ଭଣଜା ହେଇଥିବାରୁ ମୋର ସବୁ ଅଳି ଅରଦଳି ମାମୁଁ ମାଇଁ ପୂରଣ କରନ୍ତି l ଥରେ ମୁଁ ଜିଦ ଧରି ବସିଲି, "ମାମୁଁ ମୁଁ ବାଘ ଦେଖିବି" l ମାମୁଁ ଆଉ କଣ କରନ୍ତେ ?? ବାଧ୍ୟ ହୋଇ ମୋତେ ନନ୍ଦନ କାନନ ନେଲେ ବାଘ ଦେଖେଇବା ପାଇଁ l ଆଜି ବି ମୋର ସ୍ପଷ୍ଟ ମନେ ଅଛି ସେହି ପ୍ରଥମ କରି ମାମୁଁଙ୍କ କାନ୍ଧରେ ବସି ବାଘ ଦେଖିବାର ଆନନ୍ଦମୟ ମୁହୂର୍ତ୍ତଗୁଡ଼ିକ l ନନ୍ଦନ କାନନରେ କିଛି ବାଟ ଚାଲି ଚାଲି ଗଲା ପରେ ମୋତେ କଷ୍ଟ ହେବାରୁ ମାମୁଁ ତାଙ୍କ କାନ୍ଧରେ ବସାଇ ମୋତେ ପୁରା ଚିଡ଼ିଆଖାନା ବୁଲେଇଥିଲେ l ମୋ ଓଠର ଖିଲଖିଲ୍ ହସ ମାମୁଁଙ୍କ ଦେହରୁ ଝରିପଡ଼ୁଥିବା ଗମଗମ୍ ଝାଳକୁ ଶୁଖେଇ ଦେଉଥିଲା l ମୋତେ ସେ ଚିଡିଆଖାନା ବୁଲା ବହୁତ ତୃପ୍ତି ଦେଇଥିଲା l ମୋ ଖୁସିରେ ମାମୁଁଙ୍କ କ୍ଲାନ୍ତ ଶରୀରଟା ବି ତାଜା ହୋଇଉଠୁଥିଲା , ସେ ଥକ୍କୁ ନଥିଲେ କିମ୍ବା ମୁଁ ଲକ୍ଷ କରିପାରୁନଥିଲି l ମୁଁ ତ ବ୍ୟସ୍ତ ଥିଲି କାନ୍ଧରେ ବସି ପଞ୍ଜୁରୀ ଆବଦ୍ଧ ଅଦ୍ଭୁତ ଦୃଶ୍ୟ କୁ ଉପଭୋଗ କରିବାରେ ଓ ମାମୁଁଙ୍କୁ ଅନବରତ ପ୍ରଶ୍ନ ପଚାରି ଉତ୍ତର ପାଇବାରେ l ସେତେବେଳେ ମୁଁ ମାମୁଁଙ୍କୁ ପଚାରିଥିଲି," ମାମୁଁ, ବାଘ ମାମୁଁ କାହିଁକି ତାରବାଡ଼ ଭିତରେ ରହୁଛି, ତା ଘର କଣ ସେଇଠି? ମାମୁଁ ବୁଝାଇ ଦେଲେ, "ନାଇଁରେ ବାୟା, ତା ଘର ସେଠି ନୁହେଁ , ଜଙ୍ଗଲରେ ବାଘମାମୁଁ ରହେ l ସେଇଠି ତା'ର ଘର l ଏଠି ତ ସେ ଅତିଥି l" l ସେଦିନ ପରଠାରୁ ମୋ ମନରେ ଗୋଟେ ଇଛା ରହି ଯାଇଥିଲା ଯେ ମୋତେ ବାଘମାମୁଁକୁ ଦେଖିବାର ଅଛି ଓ ସେଇଟା ବି ତା ପ୍ରାକୃତିକ ବାସସ୍ଥଳୀ ରେ, ତା ନିଜ ଘରେ, ଜଙ୍ଗଲରେ l ମାମୁଁ କହିଥିଲେ, "ତୁ ବ୍ୟସ୍ତହୋନି ତୁ ଚାକିରୀ କର ଆମେ ଶିମିଳିପାଳ ଯିବା ସେଠି ଦୁଇତିନି ଦିନ ରହି ବାଘମାମୁଁକୁ ମୁକ୍ତ ଅବସ୍ଥାରେ ଭଲ କରି ଦେଖିନେବା" l ମାମୁଁ ଦେଇଥିବା ଆଶାକୁ ଆକାଂକ୍ଷିତ କରି ଦଶମ ଶ୍ରେଣୀ ପରୀକ୍ଷା ଦେଇ ମୁଁ ଚାଲିଆସିଲି କଟକ ସହର ଯୁକ୍ତ ଦୁଇ ପଢିବା ପାଇଁ l


   ଇତି ମଧ୍ୟରେ ମୁଁ ତେଇଶି ଟି ଶ୍ରାବଣ ସହ ତେଇଶି ଟି ଶୀତ ଓ ଗ୍ରୀଷ୍ମ ମୋ ଦେହ ଦେଇ ଅତିବାହିତ କରିସାରିଛି l ପଛକୁ ଫେରି ଚାହିଁଛି କ୍ଵଚିତ l ସେପଟରେ ମୋର ପ୍ରିୟ ମାମୁଁଙ୍କ ସହ ମାଆଙ୍କର ମନୋମାଳିନ୍ୟ କଥା ଦୂରଭାଷରେ ଯାହା ଅଳ୍ପ କିଛି ଶୁଣିଥିଲି l ମନ ଦୁଃଖ ହେଲା ଅନେକ l ସେହି ରାଗ ରୁଷା ଓ ଆବୁଝାମଣା ଭିତରେ ମୁଁ ଅନେକ ଦିନ ହେବ ମାମୁଁଙ୍କ ସହ ଦେଖାକରିନଥିବାରୁ ନିଜକୁ ନିଜେ ଦୋଷୀ ମନେ କଲି ଓ ପୁଣି ପରବର୍ତ୍ତୀ ସମୟରେ ଚିନ୍ତା କଲି, "ସେ ଭାଇ ଭଉଣୀଙ୍କ ଭିତରେ ଯାହାବି ହେଉ ମାମୁଁ ତ ମୋତେ କିଛି କହିନାହାନ୍ତି ମୁଁ କାହିଁ ମନଦୁଃଖ କରିବି? ମାମୁଁ ମୋର ଚିରଦିନ ଆପଣାର "l


 ମୋର ମହାରାଷ୍ଟ୍ରର ଏକ ପ୍ରସିଦ୍ଧ କମ୍ପାନୀରେ ଚାକିରୀ ହେଇଗଲା l ଏଥର ମୁଁ ସ୍ଥିରକଲି ଘରକୁ ଗଲେ ପ୍ରଥମେ ମାମୁଁ ଘରକୁ ଯିବି ଏବଂ ମାମୁଁଙ୍କୁ ସାଙ୍ଗରେ ଧରି ମୁଁ ବାହାରିଯିବି ଶିମିଳିପାଳ, ବାଘମାମୁଁଙ୍କୁ ଦେଖିବାକୁ ଜଙ୍ଗଲରେ ମୁକ୍ତ ଅବସ୍ଥାରେ l


    ମାଆଙ୍କର ଶତ ବାରଣକୁ ଭୃକ୍ଷେପ ନକରି ମୁଁ ବାହାରିଲି ମାମୁଁ ଘର ମୋ ପ୍ରିୟ, ଅତିପ୍ରିୟ ମାମୁଁଙ୍କ ପାଖକୁ l ସେଠାରେ ପହଞ୍ଚି ମାମୁଁଙ୍କ ପାଦ ସ୍ପର୍ଶ ପୂର୍ବକ ଆଶୀର୍ବାଦ କାମନା କରନ୍ତେ ମୁଁ ଯାହା ଦେଖିଲି ତାହା ମୋ ହୃଦୟକୁ ଦୁଇ ଫାଳ କରି ଚିରିଦେଲା l ସେଠାରେ ଆମ ଦୁଇଜଣଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ କିନ୍ତୁ ଆମ ଦୁହିଁଙ୍କ ଭିତରୁ ଜଣେ ମାତ୍ର ହିଁ ମାମୁଁ-ଭଣଜାଙ୍କର ସେହି ମିଳନ ପର୍ବକୁ ସ୍ୱଚକ୍ଷୁ ରେ ଦେଖିପାରୁଥିଲା, ସେ ଥିଲି ମୁଁ ନିଜେ l ମାମୁଁ କିଛି ଦେଖୁନଥିଲେ, ଅନୁଭବ କରିପାରୁଥିଲେ l ଦେଖୁନଥିଲେ ମାନେ ଇଚ୍ଛା କରି ନୁହେଁ, ସେ ଦେଖିବାକୁ ଆଉ ସକ୍ଷମ ନଥିଲେ l ମୋ ପ୍ରିୟ ମାମୁଁ ଦୃଷ୍ଟିଶକ୍ତି ହରାଇ ସବୁଦିନ ପାଇଁ ଅନ୍ଧ ହେଇଯାଇଥିଲେ l ମାମୁଁଙ୍କ ପ୍ରତି ଥିବା ଗଭୀର ଭଲପାଇବା ଓ ଆନ୍ତରିକତା ସକାଶେ କାଳେ ଏକଥା ଶୁଣି ମୁଁ ମର୍ମାହତ ହେବି, ଭାଙ୍ଗି ପଡିବି ସେଥିପାଇଁ ମାଆ ମୋତେ ବିଭିନ୍ନ ଆଳ ଓ ବାହାନା ଦେଖାଇ ମାମୁଁ ଘରକୁ ନଯିବାକୁ ଅହରହ ପ୍ରବର୍ତ୍ତାଉଥିଲେ l


ମୋର ମାମୁଁଙ୍କ ସହ ବାଘମାମୁଁକୁ ଦେଖିବାର ବହୁତ ଦିନର ସ୍ୱପ୍ନ ପାଣିରେ ମିଳେଇ ଯାଉଥାଏ l ଆଖିଥାଇ ମୁଁ ଦୃଷ୍ଟିହୀନ ମନେକରୁଥିଲି ନିଜକୁ l 

" ବାୟା ଆସିଲୁ କେତେବେଳେ, ଖାଇଛୁ ନା ନାହିଁ? ", ପଚାରୁପଚାରୁ ମୋ ମାମୁଁ ମୁଁହ ଆଡେ ମୋର ତାଙ୍କ ସସ୍ନେହଁ ଡାହାଣ ହାତକୁ ବୁଲାଇ ଆଣିଲେ l ପାପୁଲିଟା ତାଙ୍କର ଲୁଣିଆ ପାଣି ରେ ଓଦା ହେଇଗଲା l ମୋ ପାଦରେ ସାମାନ୍ୟ କଷ୍ଟ ହେଉଥିବାରୁ ଯେଉଁ ମାମୁଁ ମୋତେ କାନ୍ଧରେ ବସାଇ ଦୁଇ ଘଣ୍ଟା କାଳ ବୁଲାଇ ନନ୍ଦନକାନନ ଦେଖେଇଥିଲା, ମୋ ଲୋତକ ବନ୍ୟାକୁ ସେ ସହିଥାନ୍ତେ କିପରି ? ମୋର ବିନୀତ ଅନୁରୋଧକୁ ଅଗ୍ରାହ୍ୟ କରି ମାମୁଁ ନିଷ୍ପତି ଶୁଣାଇଦେଲେ, "ଆଜି ଆମେ ଦୁଇଜଣ ଯିବା ଶିମିଳିପାଳ l ନିଶ୍ଚୟ ଯିବା ବାଘମାମୁଁକୁ ଦେଖିବାକୁ l"


  ଆମେ ଗାଡ଼ିରେ ବାହାରିଲୁ ଶିମିଳିପାଳ l ମାମୁଁ ମୋତେ କହୁଥିଲେ, "ବାୟା ! ତୁ ବାଘମାମୁଁକୁ ଦେଖିଲେ ମୋତେ ସଙ୍ଗେ ସଙ୍ଗେ କହିବୁ, ମୁଁ ତୋ ମୁଁହରେ ହାତ ବୁଲାଇଆଣିବି l ତୋ ଖୁସିକୁ ତୋ ମୁହଁରୁ ହିଁ ସ୍ପର୍ଶ କରିନେବି l ଦେଖିଲେ କହିବୁ ରେ" l ଶିମିଳିପାଳ ସାରା ଆମେ ବୁଲିଲୁ l ମୁଁ ବୁଲି ବୁଲି କ୍ଲାନ୍ତ ହୋଇ ବି ବାଘମାମୁଁକୁ ଦେଖିପାରିଲିନି କିନ୍ତୁ ମୁଁ ମୋ ନିଜ ପାଖରେ ମୋ ସାଙ୍ଗରେ ମୋ ହାତରେ ହାତ ରଖି ଚାଲୁଥିବା ଗୋଟେ ମହାବଳ ବାଘକୁ ଅତି ନିକଟରୁ ଦେଖୁଥିଲି l ଦେଖୁଥିଲି ଜୀବନ ସଂଗ୍ରାମରେ ଅହରହ ଲଢେଇ କରି ହାର-ଜିତ୍ କୁ ପାଦରେ ଦଳି ଆଗଉ ଥିବା ସେହି ନିର୍ଭିକ ବାଘଟିକୁ ଓ ସର୍ବସ୍ୱ ହରାଇ ସର୍ବସ୍ୱ ପାଇବାର ଖୁସିରେ ମୁଖରିତ ମୋ ପ୍ରିୟ ବୃଦ୍ଧ ବାଘମାମୁଁକୁ l



Rate this content
Log in

Similar oriya story from Tragedy