Purusottam Mishra

Others

4.2  

Purusottam Mishra

Others

ଭଙ୍ଗା ହାଣ୍ଡି

ଭଙ୍ଗା ହାଣ୍ଡି

7 mins
626


     

   ପ୍ରଫୁଲ୍ଲକୁ ମାତ୍ର ୨୧ ବର୍ଷ ହୋଇଥାଏ ବାପା ମା ଦିଜଣ ହାତ ଧରା ଧରି ହୋଇ ପରସ୍ପରକୁ ଡକା ଡ଼କି ହୋଇ ଆର ପାରିକୁ ଚାଲିଗଲେ l ସାନଭାଇ ଭଉଣୀଙ୍କୁ ଯଥା କ୍ରମେ ୧୧ ଏବଂ ୯ ବର୍ଷ ହୋଇଥାଏ ତେଣୁ ଘରର ସମସ୍ତ ବୋଝ ପ୍ରଫୁଲ୍ଲର ଅନଭିଜ୍ଞ କାନ୍ଧ ଉପରେ ହଠାତ ଆସି ପଡିଗଲା l ଆଦ୍ୟ ଉନବିଂଶ ଶତାବ୍ଦୀରେ ବାଲ୍ୟ ବିବାହ ରୀତି ପ୍ରଚଳିତ ଥିଲା l ତେଣୁ ବାପା ରଖିଯାଇ ଥିବା ଚାଷ ଜମି କୁ ବିକ୍ରି କରି ସେ ୯ ବର୍ଷର ଭଉଣୀକୁ ବିଭା ଦେଇ ପଠେଇ ଦେଲା ଶାଶୁଘର l ଚାଷ ଜମି ହାତରୁ ଯିବା ପଖାଳ କଂସାଟା ମୁଁହ ଆଗରୁ ଚାଲି ଯିବା ସହ ସମାନ l ତାହା ହିଁ ହେଲା l ନିଜ ଭାଇର ପେଟରେ ଦାନା ଦେବା ପାଇଁ ପ୍ରଫୁଲ୍ଲ ପର ବିଲରେ ମୁଲ ଲାଗିବା ଆରମ୍ଭ କରିଦେଲା l ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହ ସାନଭାଇ ମଦନର ସମସ୍ତ ସ୍ବପ୍ନକୁ ପୂରଣ କରିବା ପାଇଁ ପ୍ରଫୁଲ୍ଲ ରାତିଦିନ କଠିନ ପରିଶ୍ରମ କଲା l ବାପା ବୋଉ ଚାଲି ଗଲା ବେଳେ ମଦନ ଏତେ ଛୋଟ ହେଇଥିଲା ଯେ ପ୍ରଫୁଲ୍ଲ କେତେବେଳେ ତାକୁ ତାର ସାନ ଭାଇ ଭାବେନି, ଭାବେ ମଦନ ହେଉଛି ତାର ଛୋଟ ଗୋଟେ ପୁଅ ଆଉ ସେ ମଦନର ବାପା l 


       ମଦନର ପାଦରେ ସାମାନ୍ୟ କଣ୍ଟାଟେ ଫୁଟିଗଲେ ପ୍ରଫୁଲ୍ଲର ହୃଦୟରେ ସେ କଣ୍ଟାଟା ଆସି ଆଘାତ ଦେଇଯାଏ  l ନିଜ ଗୋଡ ଝାଳକୁ ଗୋଡରେ ମାରି ନିଜେ ଅଖିଆ ଅପିଆ ରହି ସେ ମଦନକୁ ଉଚ୍ଚ ଶିକ୍ଷିତ କରେ l 

   

       ଏମ୍.ଏ ପାସ୍ କରି ସାରି ମଦନ ନିକଟସ୍ଥ ସରକାରୀ ମହାବିଦ୍ୟାଳୟରେ ଇଂରାଜୀ ବିଭାଗରେ ପ୍ରାଧ୍ୟାପକ ଚାକିରୀ ପାଏ l ଏଥର ପ୍ରଫୁଲ୍ଲର ସମସ୍ତ କଷ୍ଟ ଯିବ l ଅନେକ ଦିନରୁ ଅଧାଖିଆ ତା ପାରିବାର ର ଭୋକିଲା ପେଟଗୁଡା ଏବେ ମାଛ ମାଂସ ରେ ପ୍ରସ୍ତୁତ ଦିବ୍ୟ ଭୋଜନର ଆଚ୍ଛାଦନରେ ତୃପ୍ତ ହୋଇଯିବେ l ମଦନର ପାଠ ପଢା ପାଇଁ ଟଙ୍କା ଦେଇଥିବା କରଦାତା ମାନଙ୍କୁ ସବୁ ଋଣ ପରିଶୋଧ କରି ମୁଣ୍ଡ ଟେକି ବାଟ ଚାଲିବ ଏଥର ପ୍ରଫୁଲ୍ଲ l ଏପରି ଅନେକ ବାସ୍ତବ ସ୍ବପ୍ନ ମାନ ଭାସି ବୁଲନ୍ତି ପ୍ରଫୁଲ୍ଲର ପରିପକ୍ୱ ମସ୍ତିସ୍କରେ l


   ଚାକିରୀ କରିବାର ମାସ କେଇଟା ନପୂରୁଣୁ ମଦନର ବିବାହ ପ୍ରସ୍ତାବ ଆସେ କୁସୁପୁର ଶାସନର ପଦ୍ମଲୋଚନ ବାବୁଙ୍କ ଏକମାତ୍ର କନ୍ୟା ସୁଭଦ୍ରା ସହ l ଆଉ ମଧ୍ୟ ପ୍ରସ୍ତାବ ଆସେ ସେ ସବୁଦିନ ପାଇଁ ଗୃହ ଜାମାତା ହେଇ ରହିବ କୁସୁପୁରରେ l ପ୍ରସ୍ତାବଟି କାଳ ବୈଶାଖୀର କୁଖ୍ୟାତ ସୌଦାମିନୀ ପରି ଆସି ତାର ବାସ୍ତବ ଅପରିପକ୍ୱ ସୁଖ ସ୍ବପ୍ନ ଗୁଡ଼ାକର ଅପ୍ରାକୃତିକ ମୃତ୍ୟୁର କାରଣ ହୁଏ l ବାସ୍ତବତା ଟା କେତେବେଳେ ଅବାସ୍ତବରେ ପରିଣତ ହୋଇ ଯାଏ ପ୍ରଫୁଲ୍ଲର ଅଜାଣତରେ, ସେ ହୃଦୟଙ୍ଗମ କରି ପାରେନାହିଁ l


         ତଥାପି ନିଜର ସମସ୍ତ କୋହକୁ ତାର ବିଶାଳ ଅଥଚ କ୍ଷୁଦ୍ର ବୁକୁ ଭିତରେ ଚାପିରଖି ସାନ ଭାଇର ସୁନ୍ଦର ଭବିଷ୍ୟତର କାମନାକରି, ପ୍ରତି ସପ୍ତାହର ଶେଷ ଦିନରେ ଭେଟିବାର ଆଶା ପୋଷଣ କରି ବିଦାୟ ଦିଏ ପ୍ରଫୁଲ୍ଲ ମଦନକୁ ନିଜ ଠାରୁ ସବୁଦିନ ପାଇଁ l 


  ଅବାସ୍ତବତାର ମେଘୁଆ କଳା ବାଦଲ ଦୂରେଇ ହେଇ ଯାଇଛି ପ୍ରଫୁଲ୍ଲର ଜୀବନର ଆକାଶରୁ l ସେ ପୁଣି ଫେରି ଆସିଛି ତାର ମୁଣ୍ଡ ବାଜୁଥିବା ଛଣଛପର କୁଡିଆକୁ l ଚାଷ ଜମିର ମାଟି ସହ ମାଟି ହୋଇ ସେ ଗଢ଼ିଥିବା ପରିବାର ରୂପକ ହାଣ୍ଡିଟି ତାର ଭାଙ୍ଗିଯାଉଥିଲା ତା ଆଖି ସାମ୍ନାରେ l ପୁଣି ଥରେ ତା ମୁଣ୍ଡ ଉପରେ କର୍ତବ୍ୟର କଞ୍ଚାମାଟି l ସେତକକୁ ସମ୍ବଳ କରି ପୁଣି ଥରେ ଗଢିବାକୁ ହେବ ଶକ୍ତ ହାଣ୍ଡିଟିମାନ, ନିଜ ପୁଅ ଝିଅ ମାନଙ୍କ ପାଇଁ l ଏମାନେ କିନ୍ତୁ ତାକୁ କୌଣସି ଦିନ ଦୁରେଇ ଦେବେନି ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ l ଶେଷ ଜୀବନ ସେ ଶାନ୍ତିରେ ନିଶ୍ଚୟ କାଟିବ ନିଜ ପିଲାମାନଙ୍କ ଗହଣରେ l ତଥାପି ଏତେ ଦିନ ଧରି ପାଳି ପୋଷି ବଡ କରିଥିବା, ନିଜର ଆଉ ଗୋଟେ ଅଙ୍ଗ ଭାବି ସ୍ନେହ କରୁଥିବା ସାନଭାଇକୁ ସେ ଭୁଲିଯିବ କିପରି ? ସେ ସବୁ ସପ୍ତାହରେ ଚିଠି ଲେଖେ ପ୍ରିୟ ମଦନ ପାଖକୁ ଓ ଆଶାକରେ ଛୋଟ ଭାଇଟିକୁ ଆଖି ପୁରେଇ ଟିକେ ଦେଖିବାକୁ, ତାର ସୁଖକୁ ପେଟଭରି ପିଇ ଶାନ୍ତିରେ ଦୀର୍ଘଶ୍ୱାସ ମାରିବାକୁ l କିନ୍ତୁ ମଦନର ଉତ୍ତର ପାଏନା ସେ l ମଦନ ବ୍ୟସ୍ତ ଥିବ ଭାବି ମନକୁ ବୁଝେଇ ଦିଏ ପ୍ରଫୁଲ୍ଲ l 


        ଏ ଭିତରେ ମଦନର ଟ୍ରାନ୍ସଫର୍ ହେଇଯାଏ ସୁଦୂର ସମ୍ବଲପୁର ମହାବିଦ୍ୟାଳୟକୁ l ସପରିବାର ସେମାନେ ଚାଲିଯାନ୍ତି ସମ୍ବଲପୁର l ପରିବାର ଦାୟିତ୍ୱ ଏବଂ ପିଲାମାନଙ୍କ ପାଠପଢ଼ାରେ ବ୍ୟସ୍ତ ରହି ମଦନ ସମ୍ପୂର୍ଣ୍ଣ ରୂପେ ଭୁଲିଯାଏ ନିଜର ପରିଚୟଦାତାକୁ, ତାକୁ ତା ନିଜ ଗୋଡ଼ରେ ଛିଡାକରେଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରି ଆଦ୍ୟ ଜୀବନରେ ଅକାଳ ବାର୍ଦ୍ଧକ୍ୟ ଲାଭ କରିଥିବା ନିଜର ଚିରନମସ୍ୟ ବଡଭାଇ ପ୍ରଫୁଲ୍ଲକୁ l ଆହୁରି ମଧ୍ୟ ଭୁଲିଯାଏ ଗରିବ ଭାଇଟି ପ୍ରତି ଥିବା ତାର କର୍ତବ୍ୟକୁ l ଯେତେବେଳେ ତା ମନରେ ଆସେ ଭାଇ ପାଖକୁ ଯିବାକୁ ସେତେବେଳେ ସେ, "ଭାଇ ଚିଠି ଦେଉନି, ମୋତେ ଭୁଲି ଯାଇଛି ନିଶ୍ଚୟ ", ଏମିତି ବାହାନା ମାନ ମନରେ ଆଣି ନିଜକୁ ଠିକ ବୋଲି ପ୍ରମାଣିତ କରିବାପାଇଁ ଚେଷ୍ଟା କରେ l କିନ୍ତୁ ବାରମ୍ବାର ଅସଫଳ ହୁଏ l ଆଉ ଯଦି ବି କେତେବେଳେ ଭାଇକୁ ଦେଖିବାକୁ ଇଛା ପ୍ରକାଶ କରେ ପତ୍ନୀ ସୁଭଦ୍ରା ତାକୁ ବାରଣ କରେ l 


     ମଦନର ଏକମାତ୍ର ପୁତ୍ର ସମ୍ବିତ ଏବେ ଲଣ୍ଡନ୍ ରେ l ପି.ଏଚ୍.ଡି. କରିବାକୁ ଯାଇ ସେଇଠି ବୃତ୍ତିଗତ ଜୀବନ ଆରମ୍ଭ କରି ସେହିଠାରେ ସ୍ଥାୟୀରୂପେ ରହିବାର ଯୋଜନା କରିନେଇଛି ସେ l ଅଲିଅଳି ଝିଅ ପବିତ୍ରା ବର୍ଷେ ଆଗରୁ ବାପାର କଥାକୁ କାଟିଦେଇ ନିଜର ଲଫଙ୍ଗା ପ୍ରେମିକ ସହ ରେଜିଷ୍ଟ୍ରୀ ମ୍ୟାରେଜ୍ କରି ଘର ଛାଡି ଚାଲି ଯାଇଛି l ମଦନ ଓ ସୁଭଦ୍ରା ଏବେ ଏକାକୀ ଭୀଷଣ ଏକ ନିରୋଳା ଜୀବନ ଜୀଉଁଛନ୍ତି l 


  ରିଟାଏର୍ଡମେଣ୍ଟ୍ ପରେ ମଦନର ଏବେ ସମୟ କଟେ ପ୍ରବନ୍ଧ କବିତା ମାନ ଲେଖିବାରେ l ଏବେ ଏହିକିଛି ଦିନ ହେବ କାହିଁକି କେଜାଣି ତା ମନଟା ବହୁତ ଭାରି ଭାରି ଲାଗୁଛି ! କୌଣସି ଗୋଟେ ଅଜଣା ଦ୍ୱନ୍ଦ୍ୱ ତା ମନକୁ ସବୁବେଳେ ଆସି ତାକୁ ଅସ୍ତବ୍ୟସ୍ତ କରିପକାଉଛି l ସେ ଅନ୍ୟମନସ୍କ ରହୁଛି ଅନେକ ସମୟରେ l ଅନୁଭବ କରୁଛି ତା ଦ୍ୱାରା କିଛି ଗୋଟେ ଅଜଣା ଭୁଲ ହେଇଯାଇଛି , ଯାହାର ସଂଶୋଧନ ଓ ସମାଧାନ ନିହାତି ଆବଶ୍ୟକ l କିନ୍ତୁ ସେ କଣ ଭୁଲ କରିଛି ମନେ ପକେଇ ପାରୁନାହିଁ ଆଦୌ l ଦିନେ ନିଜର ଏକ ପୁରୁଣା କବିତାକୁ ସଂଶୋଧନ କରିବା ପାଇଁ ସେ ଖୋଜୁଥିଲା କବିତାଟି ସାଇତି ରଖିଥିବା ବହିକୁ l ସବୁଆଡେ ଖୋଜି ନିରାଶ ହେଲାପରେ ସେ ସୁଭଦ୍ରାର ବନ୍ଦ ପଡ଼ିଥିବା କପ୍ ବୋର୍ଡ୍ କୁ ଜୋରକରି ଭିଡି ଆଣି ଖୋଲିଦେଲା l କାଠ ଡୋର୍ ଟା କେଁ ଶବ୍ଦ କରି ଦୁଇ ପାଖକୁ ଠେଲି ହେଇଗଲା l ସେଥିରେ ତ ସେ ତା ବହି ଆଉ ପାଇଲନି ବରଂ ପାଇଲା ବହୁତ ପୁରୁଣା ଗୋଟେ ଚିଠି l ଚିଠିଟିର ଅକ୍ଷର ମାନ ସ୍ୱଳ୍ପ ଲିଭିଯାଇଥିଲା ତଥାପି ସେ ଅକ୍ଷର ମାନଙ୍କ ମଧ୍ୟରୁ ଚିହ୍ନାପଣ ସ୍ପଷ୍ଟ ବାରିହେଇପଡୁଥିଲା l ସେ ଚିଠିଟି ଲେଖିଥିଲା ତାର ବଡଭାଇ ପ୍ରଫୁଲ୍ଲ l ସେ ସଙ୍ଗେସଙ୍ଗେ ଚିଠିଟିକୁ କାଢି ଆଣି ପଢିବାକୁ ବସିଗଲା ଚୌକି ଉପରେ l ଚିଠିରେ ଏମିତି କିଛି ଲେଖା ଥିଲା :


         ପ୍ରିୟ ମଦନ, 

       ମୋର ଆଶିଷ ନେବୁ l ସାନବୋହୂ ଏବଂ ପିଲାମାନଙ୍କୁ ମୋ ସ୍ନେହ ଦେବୁ l ତୁ ଘରଛାଡି ଯିବା ଅନେକ ଦିନ ହେଇଗଲାଣି ରେ l କାହିଁକି କେଜାଣି ଗୋଟେ ଅଜଣା ଡର ମନ ଭିତରେ ମୋର ସବୁବେଳେ ଆସୁଛି, ତୁ ଭଲ ଅଛୁତ???? ଆମେ ସବୁ ଏଠି ବହୁତ ଭଲ ଅଛୁ l ତୋତେ ଦେଖିବା ପାଇଁ ଏ ଆଖି ଦୁଇଟା ସବୁବେଳେ ଝୁରୁଛନ୍ତି l କିନ୍ତୁ କଣ କରିବି ? ମୁଁ ବୁଝୁଛି ସେଠି ତୋର ଅନେକ କାମଥିବ l ତତେ କେତେ ଥର ଚିଠି ପଠେଇଲିଣି, ପାଉଛୁ କି ନାହିଁ ଜାଣିହେଉନାହିଁ l ମୁଁ ଜାଣେ ପାଉଥିଲେ ମଧ୍ୟ ଉତ୍ତର ଦେବାକୁ ସମୟ ମିଳୁନଥିବ ତତେ l ସରକାରୀ ଚାକିରୀ, ବଡ଼ ଜଞ୍ଜାଳ l 


   ପିଲା ମାନେ କେମିତି ଅଛନ୍ତି ରେ ? ସମୟ ମିଳିଲେ ଟିକେ ଗାଁ କୁ ଆସିବୁ ନିଶ୍ଚୟ l ଆଶାକରେ ତୁ ଭଲରେ ଥିବୁ 


           ଇତି, 

          ତୋର ବଡଭାଇ 

           ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର 


ଚିଠିଟି ପଢି ସାରି ମଦନର କୋହ କୌଣସି ବାଧା ବନ୍ଧ ମାନିଲାନି ସେଦିନ l ପତ୍ନୀ ସୁଭଦ୍ରା କୁ ଚିଠି ବିଷୟରେ ପଚାରନ୍ତେ ସୁଭଦ୍ରା କହିଲା, "ନନା ସେବେ ସବୁ ମାସ ଚିଠି ଦେଉଥିଲେ l ତମେ ସେତେବେଳେ ତୁମ ପି.ଏଚ୍.ଡି ପାଇଁ ଖୁବ୍ ବ୍ୟସ୍ତ ଥିଲ l ସେ ସବୁ ଚିଠି କାଳେ ତୁମକୁ ଡିଷ୍ଟର୍ବ୍ କରିବ ଭାବି ମୁଁ ତମକୁ ଦେଉନଥିଲି" l ମଦନକୁ ଅନେକ ଦିନ ହେବ ବ୍ୟତିବ୍ୟସ୍ତ କରୁଥିବାସେହି ପୁରୁଣା ଦ୍ୱନ୍ଦ୍ୱଟିର କାରଣ ଏବେ ଜଣାପଡି ଗଲା l ସେ ଭାଇ ସହ କଥା ହେବାପାଇଁ ଫୋନ ନମ୍ବର ଖୋଜିଲା l କୋଉଠୁ ବି ସଂଗ୍ରହ କରିପାରିଲା ନାହିଁ l ବ୍ୟସ୍ତ ହେଇ ପଡିଲା ଯିବାପାଇଁ ତା ଜନ୍ମ ମାଟିକୁ ଯେଉଁଠି ଥିଲେ ତାର ଜିଅନ୍ତା ଭଗବାନ ତାର ଚୀରପୂଜ୍ୟ ବଡଭାଇ l 


       ସମୟର ଚକଘୁରା ହଠାତ୍ ଯେମିତି ଧୀର ହେଇଯିବା ପରି ଲାଗୁଥିଲା ମଦନକୁ l ଦ୍ରୁତଗତି ରେ ଗାଁ ଆଡକୁ ଧାଉଁଥିବା ବସ୍ ରୁ ଡେଇଁପଡ଼ି ଦୌଡ଼ି ଗଲେ ସେ ଶୀଘ୍ର ପହଞ୍ଚିଯିବକି ତା ଭାଇ ପାଖରେ ? ମଦନ ର ବିଚଳିତ ମନ ଏମିତି ସବୁ ଭାବୁଥିଲା l ଗାଁରେ ପହଂଚି ସେ ଚିହ୍ନି ପାରୁନଥିଲା ନିଜ ପୁରୁଣା ଗାଁ ଟାକୁ l ଗାଁରେ ଅନେକ ପରିବର୍ତନ ଆସିଯାଇଛି l ମାଟିର ଛୋଟ ଛୋଟ କୁଡିଆଗୁଡିକ ପକ୍କା ଘର ରେ ପରିବର୍ତନ ହେଇଯାଇଛନ୍ତି l କିନ୍ତୁ ଗୋଟିଏ ଘର ପୂର୍ବପରି ରହିଛି ଅପରିବର୍ତ୍ତନୀୟ l ସେଇଟା ତାର ଏନ୍ତୁଡ଼ିଶାଳ କୁ ନିଜର ଝାଟିମାଟିର କାନ୍ଥରେ ଧରି ରଖିଥିବା ତାର ଆପଣାର ଘର l କିନ୍ତୁ ଏ କଣ ? ଘର ଆଗରେ ଲୋକଙ୍କ ଭିଡ l ସଭିଏଁ କହୁଛନ୍ତି- ପ୍ରଫୁଲ୍ଲ ପାଟିକୁ ଆଉ ପାଣି ଯାଉନି l କେବଳ ସେ ତା ଭାଇକୁ ଯାହା ଅପେକ୍ଷା କରିଛି l 'ମଦନରେ' 'ମଦନରେ' ଛଡା ପାଟିରେ ଆଉ କିଛି ଧରୁନି l ଭାଇକୁ ଦେଖିଲେ ନିଶ୍ଚେ ଏ ଜୀବନରୁ ଉଦ୍ଧାର ପାଇଯିବ l 


           ଗତ ଛଅ ଦିନ ହେଲା ପ୍ରଫୁଲ୍ଲ କିଛି ଖାଇନାହିଁ l ଘୋଡେଇ ହୋଇଥିବା ଛିଣ୍ଡା ଅଖା ତାର ଜରୁଆ ଦେହକୁ ପୁଷମାସର ଭୟଙ୍କର ଜାଡ଼ କବଳରୁ ରକ୍ଷାକରିପାରୁନି, ଏତିକିବେଳେ ତାର ଦୃଶ୍ୟ ପଟଳକୁ ଖୁସିର ଝଲକ ପରି ହଠାତ ଆସିଗଲା ତାର ଅଶାର ଶେଷ କିରଣ, ତା ସାନଭାଇ ମଦନ l ମୃତ୍ୟୁକୁ ଅନେଇବସିଥିବା ତା ଶରୀର ଭିତରେ କୌଣସି ଏକ ଅଜଣା ସଂଜୀବନୀ ଆସି ପ୍ଲାବିତ ହୋଇଗଲା l ରୁଗ୍ଣ ଶରୀରକୁ ଏମିତି ଅଦ୍ଭୁତ ଏକ ଶକ୍ତ ମିଳିଗଲା ଯେ ସେ ଅଣ୍ଟା ସିଧାକରି ବସିବାକୁ ଚେଷ୍ଟା କଲା l କିନ୍ତୁ ଦୁର୍ବଳ ଅଣ୍ଟାତାର ଆଉ କୌଣସି ପ୍ରକାରେ ସିଧା ହେଲାନାହିଁ l ଶାନ୍ତ ପରିବେଶ ଭିତରେ ସୁକ୍ଷ୍ମ ସ୍ୱର ଆସି ବାଜିଲା ମଦନର କାନରେ "କେତବେଳେ ଆସିଲୁ ମଦନଅଅ ଖାଇଛୁନା କିଇଇଛିଇଇ ଏତେ ବିଳମ୍ବଅଅ କରିଦେଲୁରେ ମୁଁ ତୋତେ ଦେଖିପାରିବିଇଇ ଆଶାଛାଡିଦେଇଥିଲିଇଇ..."


   ମୁଁହରେ ତାର ଗୌରବାନ୍ବିତ ଏକ ହସ l " ମୋ ସାନଭାଇ ମୋତେ କେତେ ଭଲ ପାଏ !",ଏଭଳି ଭାବୁ ଭାବୁ ଦୁଇଧାର ଆନନ୍ଦାଶୃ ସହ ଶେଷଥର ପାଇଁ ନିଶ୍ୱାସ ନେଲା ପ୍ରଫୁଲ୍ଲ l ପ୍ରଫୁଲ୍ଲ ଚାହିଁଥିଲେ ବହୁ ଆଗରୁ ନିଜ ଦୂରଦିନର ଅବ୍ୟକ୍ତ କାହାଣୀ କହି ନିଜର ଅତି ଆପଣାର ଭାଇକୁ ତା ତ୍ୟାଗ ର ପ୍ରତିଦାନ ସ୍ୱରୂପ ଅଳ୍ପ କିଛି ଅର୍ଥ ମାଗିପାରିଥାନ୍ତା l ସାହାଯ୍ୟ, ସହାନୁଭୂତି ପାଇବା ପାଇଁ ମଦନ ଆଡକୁ ନିଜ ଦୁଇହାତ ହାତ ପ୍ରସାରିତ କରିପାରିଥାନ୍ତା ଓ ଶେଷ ସମୟରେ ନିଜ ଦୁସ୍ଥ ପରିବାର ପାଇଁ ଅଳ୍ପ କିଛି ଧନ ପାଇବାର ଆଶା ପୋଷଣ କରିପାରିଥାନ୍ତା ଯେଉଁ ଧନ ଆଉ କିଛି ଦିନ ତା ଭୋକିଲା ପେଟକୁ ପଖାଳ କଂସା ଯୋଗେଇ ଦେବାରେ ହୁଏତ ସହାୟ ହେଇଥାନ୍ତା l କିନ୍ତୁ ସେ ଧନ ମାଗିନି କେବେ, ମାଗିଛି କେବଳ ତା ଭାଇର ଦର୍ଶନ l

       

   ସେହି ଗ୍ରାମ ଭୂମି ଅଛି, ଗାଁ ଶ୍ମଶାନ ବି ଅଛି ଯେଉଁମାନେ ସାକ୍ଷୀ ଅଛନ୍ତି ଗୋଟେ ଭୀଷଣ ତ୍ୟାଗର l 'ଗଙ୍ଗା ନାରୟଣ' ଧ୍ୱନି ସହ ପ୍ରଫୁଲ୍ଲର ମର ଶରୀର ଯାଉଛି ଲୀନ୍ନ ହେବାକୁ ସେଇଠିକୁ ଯୋଉଠି ତା ବାପା ମା ଲୀନ ହୋଇସାରିଛନ୍ତି ଆଗରୁ, ବୋହୁ ଆଗରୁ l ସେପାରିରେ କିନ୍ତୁ ବାପା ମା ତାକୁ ଦୋଷ ଦେଇପାରିବେନି ସାନଭାଇ ପ୍ରତି ଅବହେଳା କରିଥିବାର କଥା କହି l ସେ ଗର୍ବରେ କହିବ ଯାଇ ନିଜ ବାପା ମା ଙ୍କୁ ନିଜ ତ୍ୟାଗର ଗାଥା ଓ ନିଜ ନିସ୍ଵାର୍ଥପରତାର କାହାଣୀ l 



Rate this content
Log in