Laxman Kumar Behera

Tragedy Others

3  

Laxman Kumar Behera

Tragedy Others

ଶ୍ରୀରାଧା

ଶ୍ରୀରାଧା

6 mins
354


ପ୍ରିୟ ମହର୍ଷି,


        ତୁମେ ମୋ ଚିଠି ପାଇବ କି ନା ମୁଁ ଜାଣିନି । ତଥାପି ପଠାଉଛି । ଇଶ୍ଵରଙ୍କ କୃପାରୁ ଭଲରେ ଥିବ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ ଅଛି । ଆଜି ଆଖି ବୁଲାଉ ବୁଲାଉ ତ୍ରୈମାସିକ ପ୍ରେମ ପତ୍ରିକାରୁ ତୁମର ଠିକଣାଟି ପାଇଲି । ସୁଦୂର ଆମେରିକାରେ ଅଛ ବୋଲି ଜାଣି ଖୁସି ହେଲି । ହେଲେ, ଫୋନ୍ ନମ୍ବର କି ଇମେଲ୍ ଠିକଣା ପତ୍ରିକାରୁ ପାଇଲି ନାହିଁ । ମୁଖ ପୁସ୍ତିକାରେ ମଧ୍ଯ ତୁମକୁ ଅନେକ ଖୋଜିଛି । କୌଣସି ପ୍ରକାର ଯୋଗାଯୋଗ ନ ହେବାରୁ ତୁମ ପାଖକୁ ଚିଠିଟିଏ ଲେଖୁଛି । ଚିଠି ପାଇଲେ ଭ୍ରାମ୍ଯଭାଷ ତଳେ ଉଲ୍ଲେଖ କରିଛି ଫୋନ୍ କରି ମୋତେ ଜଣାଇବ ।


      ତୁମ ଠାରୁ ମୁଁ ଆଜି କେତେ ଦୂରରେ ଅଛି ପୃଥିବୀର ମାନଚିତ୍ରକୁ ଥରୁଟିଏ ଦେଖିଲେ ଜାଣି ପାରିବ ମହର୍ଷି । ଯୁକ୍ତ ତିନି ( କଲେଜ୍ ) ପଢିଲା ବେଳେ ତୁମେ ସବୁବେଳେ ମୋତେ କହୁଥିଲ ନା, ଚାନ୍ଦ - ତାରା ସରଗରୁ ଆଣିଦେବ ବୋଲି, ଆମେରିକା ଯାଇ ସେଠାରୁ ଡଲାର ଆଣିଦେବ ବୋଲି । ସେ ସବୁ କଥା ଗୁଡିକୁ ଆଜି ମୁଁ ସ୍ମୃତି ଭାବି ମୋ ମନ ଆଇନାରେ ମନେ ରଖିଛି । କୌଣସି ଗୋଟିଏ କଥାକୁ ବି ତୁମର ମୁଁ ଭୁଲିନି । 


      ଆଉ ତୁମେ କହୁଥିଲ ନା ଯେଉଁ ଠାରେ ରହିଲେ ବି ପାଣି, ପବନ ଆହାର କରିବାକୁ ପଡିବ । ସତରେ, ତୁମେ କହିଥିବା କଥାଟିର ସତ୍ଯତା ମୁଁ ଅନୁଭବ କରି ପାରୁଛି । ପୃଥିବୀର ଯେଉଁ ସ୍ଥାନକୁ ଯାଇଛି ସେଇ ସ୍ଥାନର ପାଣି, ପବନକୁ ମୁଁ ନିଜେ ଆହାର କରିଛି । 


       ବିଜ୍ଞାନ ଯୁଗରେ ଦୂରତା କ'ଣ, କୁହତ ? ଅଳ୍ପ ସମୟରେ ପରା ପୃଥିବୀର ଚତୁଃପାର୍ଶ୍ବରେ ଘେରାଏ ବୁଲି ଆସିହେବ । ଆମେରିକାରୁ ଭାରତ କେତେ ସମୟ ଲାଗିବ ? ଅଳ୍ପ ବେଶିରେ ପାଞ୍ଚ ଛଅ ଘଣ୍ଟା ଲାଗିବ । ମୋତେ ବିବାହ କରିବା ପାଇଁ ତୁମେ ହଟ ଲଗାଉ ଥିଲ ପରା । କେବେ ମୋତେ ବିବାହ କରିବାକୁ ଆସିବ ଯେ । ମୁଁ ତୁମକୁ ଅପାର ପ୍ରେମ କରେ ମହର୍ଷି । ମୋତେ ଲାଗେ ମୁଁ ତୁମକୁ ଅନନ୍ତ କାଳରୁ ପ୍ରେମ କରୁଛି । ମୁଁ ସିନା ଓଡିଶାର ବନ ପାହାଡ ଘେରା ମଫସଲ ଗାଆଁରେ ଏକ ଝୁପୁଡି ଚାଳ ଘରେ ରହୁଛି, ହେଲେ; ତୁମକୁ ଭଲ ପାଇବାରେ କେବେବି ଥରୁଟିଏ ଊଣା କରିନି ।


       ମୋର ମନେ ଅଛି ଆମେ ଯେବେ ସ୍ନାତକ ଶେଷ ବର୍ଷ ପରୀକ୍ଷା ଦେଲେ, ମୁଁ ଭାବୁଥିଲି ତୁମେ ଓଡିଶାରେ ରହିବ । ହେଲେ, ଜାଣି ନଥିଲି ତୁମେ ଡଲାର ପାଇଁ ଆମେରିକା ଚାଲିଯିବ ବୋଲି । ମୁଁ ଗରିବ ଗାଉଁଲି ଆଉ ତୁମେ ସମ୍ଭ୍ରାନ୍ତ ସହରୀ ସାଜିଗଲ । ଯେତେ ଭଲ ପଢିଲେ ବି ଭାଗ୍ଯର ଲିଖନ ଯାହା, ତାହା ହିଁ ହୁଏ ନା ?


       ସ୍ନାତକରେ ମୁଁ ପ୍ରଥମ ଶ୍ରେଣୀ ଆଉ ତୁମେ ଦ୍ବିତୀୟ ଶ୍ରେଣୀରେ କୃତକାର୍ଯ୍ଯ (ପାସ୍) ହେଲ ବୋଲି ତୁମକୁ ଭ୍ରାମ୍ଯଭାଷରେ ଅନେକ ଥର ଜଣାଇବା ପାଇଁ ଚେଷ୍ଟା କରି ବିଫଳ ହେଲି । ସେଇଦିନ ଠାରୁ ଆଜି ଯାଏଁ ତୁମର ଫୋନ୍ ନମ୍ବର ଟି ସୁଇଚ୍ ଅଫ୍ ହିଁ ବତାଉ ଅଛି । ସ୍ନାତକୋତ୍ତର ପଢିବା ପାଇଁ ମନରେ ପ୍ରବଳ ଇଚ୍ଛା ଥିବା ସତ୍ତ୍ବେ ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଆଉ ପଢି ପାରିଲି ନାହିଁ । ସେଇଦିନୁ ସମାଜ ସେବା କରିବା ପାଇଁ ସଂକଳ୍ପ ନେଲି । ହେଲେ, ଦିନେ ଅବକାରୀ ବିଭାଗ ଆମ ଗାଆଁରେ ଦେଶୀ ମଦ ବ୍ଯବସାୟକୁ ବନ୍ଦ କରିବା ପାଇଁ ଚଢାଉ କରିଥିଲେ । ଏକ ଗରିବ ପରିବାରକୁ ମିଛଟାରେ ପଇସା ପାଇଁ ହଇରାଣ କରୁଥିବାର ଦେଖି ମୁଁ ସେମାନଙ୍କୁ ବିରୋଧ କଲି । ସେମାନେ ତାଙ୍କର ରାଗ ସୁଝେଇବା ପାଇଁ ମୋ ନାମରେ ଗଞ୍ଜେଇ କେସ୍ କରିଦେଲେ । ଟିକିଏ ବି ଦୟା କଲେ ନାହିଁ । ସେଦିନ ମୋ ସପକ୍ଷରେ କେହି ବି ଛିଡା ହେଲେ ନାହିଁ । ସମସ୍ତେ ଜାଣିଥିଲେ ଯେ, ମୁଁ ଗଞ୍ଜେଇ ବେପାର କରେନାହିଁ ବୋଲି । ମୁଁ ପୁରା ବଦନାମ ହେଇଗଲି । ଛଅ ମାସ ଜେଲ୍ ରେ ରହିଲା ପରେ ଘରକୁ ଫରିଲି । ଜେଲ୍ ରେ ସଜା କାଟି ଥିବାରୁ ମୋତେ କୌଣସି ପ୍ରକାର ଚାକିରି ମିଳୁନି । 


     ଏବେ ମୁଁ ଦିନ ମଜୁରୀ ( ଭୁତି/ ମୂଲ ) ଲାଗୁଛି । ସକାଳେ ଓ ସଞ୍ଜରେ ରାମୁ କକା ଘରେ ଦୁଇ ଓଳି କାମ ପାଇଟି କରୁଛି । କକା ମୋତେ ମାସକୁ ପନ୍ଦର ଶହ ଟଙ୍କା ଦେଉଛନ୍ତି । ମୋ ନାଆଁ ରେ ଜବ୍ କାର୍ଡ ଅଛି । କାମ ନ କଲେ ମଧ୍ୟ ମୋ ବ୍ଯାଙ୍କ ଖାତାରେ ଟଙ୍କା ଜମା ହେଇଯାଏ । ଏସବୁ ଆମ ଗାଆଁର ଠିକାଦାର ରତନା ଭାଇଙ୍କ କମାଲ୍ । ଗାଆଁରେ ଯେତେ ଏନ୍. ଆର୍. ଇ. ଜି. ଏ. କାମ ହୁଏ ସବୁ ଗୁଡିକୁ ସେ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ କରି ଦିଅନ୍ତି । ଜମାରୁ ଲୋକ ଦ୍ବାରା କାମ କରାନ୍ତି ନାହିଁ । ବ୍ଲକ୍ ରେ ଜେଇ, କିରାଣୀ, ବି.ଡି.ଓ. ଙ୍କୁ ପି.ସି. ଦେଇ ବିଲ୍ କରାଇ ନିଅନ୍ତି । ମୋ ଠାରୁ ଜବ୍ କାର୍ଡ ଆଉ ବ୍ଯାଙ୍କ୍ ଖାତା ନେଇ ହଜାର ହଜାର ଟଙ୍କା ଜମା କରାଇ ଉଠାଇ ନିଅନ୍ତି । ମୋତେ ଜବ୍ କାର୍ଡ ଆଉ ବ୍ଯାଙ୍କ୍ ଖାତା ଫେରାଇଲା ବେଳେ ଚାଉଳ ଦୁଇ କିଲୋଗ୍ରାମ, ବ୍ରଏଲର୍ କୁକୁଡା ଗୋଟିଏ ଦିଅନ୍ତି । ମୁଁ ଯେଉଁ ଦିନ କହିଲି ଯେ, ତୁମେ ହଜାର ହଜାର ଟଙ୍କା ମୋ ଖାତାରେ ଜମା କରାଇ ଉଠାଇ ନେଉଛ, ଆଉ କାମ କରିବାକୁ ଜମା ଡାକୁନ । କାମ କଲେ ସିନା ମୁଁ ଦୁଇ ପଇସା ପାଆନ୍ତି । ଘର ଚଳନ୍ତା । ଯାହା ଦେଉଛ କେତେଦିନ ଯିବ । ଥରେ ଚିନ୍ତା କର ତ ? ଏମିତି କହିବାରୁ ମୋ ଖାତାରେ କେବେ ଆଉ ଟଙ୍କା ପଡୁନି କି ଆମ ଗାଆଁରେ ଆଉ କାମ କରିବାକୁ କୌଣସି ଠିକାଦାର ମୋତେ ଡାକୁ ନାହାଁନ୍ତି । ସମାଜର ସବୁ କ୍ଷେତ୍ରରେ ମୁଁ ଆଜି ପଛରେ ରହିଗଲି । ମୋ ବାପାଙ୍କର ଆୟ ପନ୍ଥା କିଛି ନାହିଁ । ସେ ମୋ ପାଠ ପଢାରେ ସବୁ ସାରିଦେଲେ । ବଡ କଷ୍ଟରେ ଭୁତି ଲାଗି ବାପ, ଝିଅ ଚଳୁଛୁ ।


    ଚିଠି ପାଇଲେ ନିଶ୍ଚିତ ଜଣାଇବ । ମୁଁ ଏବେବି ତୁମ ଅପେକ୍ଷାରେ ଅଛି ।


              || ଇତି ||


           ତୁମର ଶ୍ରୀରାଧା 


      ସେଦିନ ମହର୍ଷିର ସ୍ତ୍ରୀ ଅନୁରାଧା ଏ ଚିଠିଟି ପଢି ଜୋର୍ ସେ କାନ୍ଦିବାକୁ ଲାଗିଲେ । ସୁଦୂର ଭାରତରୁ ଆମେରିକାକୁ ଆସିଛି ଚିଠି । ଯେଉଁଠି ନିଜ ପ୍ରିୟ ମଣିଷ ମହର୍ଷିକୁ ତାଙ୍କ ସହପାଠିନୀ ଅନନ୍ତ ପ୍ରେମ କରୁଥିବାର ଚିତ୍ର ସ୍ପଷ୍ଟ ଭାବରେ ଚିତ୍ରିତ ।


      ସେ କେମିତି ଜଣାଇବ ଯେ, ମହର୍ଷି ଆଉ ଇହଧାମରେ ନାହାଁନ୍ତି ବୋଲି । ଯାହାକୁ ଜଣେ ନିରବରେ ଆଉ ବିରହରେ ପ୍ରେମ କରି ଆତ୍ମ ତୃପ୍ତି ଅନୁଭବ କରୁଛି । ତା'ର ହୃଦୟକୁ କେମିତି ସେ ଭାଙ୍ଗିଦେବ । ମହାରାଷ୍ଟ୍ର ଗଲେ ମୁଁ ନିଶ୍ଚିତ ଓଡିଶା ଯାଇ ଶ୍ରୀରାଧାକୁ ସବୁ ଜଣାଇଦେବି । ଏମିତି ଭାବି ସେ ଚିଠିଟିକୁ ପୂଜାଘର ଥାକରେ ରଖିଦେଲେ ।


     ପନ୍ଦର ଦିନ ପରେ ହଠାତ ଆମେରିକାରୁ ଶ୍ରୀରାଧା କୁ ଦେଖା କରିବା ପାଇଁ ଅନୁରାଧା ତାଙ୍କ ଗାଆଁକୁ କାର୍ ଗାଡି ଯୋଗେ ଏକୁଟିଆ ପହଞ୍ଚି ଗଲେ । ଗାଆଁ ରାସ୍ତାରେ ଜଣଙ୍କଠାରୁ ଘରର ଠିକଣା ପାଇ ଶ୍ରୀରାଧା ଘରେ ପହଞ୍ଚିଲେ । ଘରେ ତାଙ୍କ ବାପା ଥାନ୍ତି । 


- ମଉସା ନମସ୍କାର । 


- ଭଲରେ ଥାଆଲୋ ମାଆ । 


-କ'ଣ ପଢୁଛନ୍ତି ?


- ଭାଗବତ ପଢୁଥିଲି ।


- ମାଉସୀ କୁଆଡେ ଗଲେ ? 


- ମୋ ସ୍ତ୍ରୀ ଆଉ ପୁଅର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଛି । ବହୁତ ଦିନ ହେଇ ଗଲାଣି ।


 ( ଚଷମା ଟିକିଏ ସଜାଡି ଦେଇ ) 


- କେଉଁଠାରୁ ଆସିଲ ଯେ ?


- ମୁଁ ଅନୁରାଧା । ଆମେରିକାରୁ ଆସିଛି ।


- ( ଟିକିଏ ଭାବ ବିହ୍ଵଳ ହୋଇ ) କେଉଁ କାମରେ ଏତେ ବାଟରୁ ଆସିଲ ମାଆ । ଆସ, ( ମଶିଣାଟିଏ ବିଛାଇ ଦେଇ ) ଏଠାରେ ବସ ।


- ଶ୍ରୀରାଧା କେଉଁଠାରେ ମଉସା ? ଦିଶୁନି ତ । 


- ରାଧା କି !!! ମିତା ସାଙ୍ଗରେ ବସିଥିବ । ବସ ଟିକିଏ ମୁଁ ଡାକି ଦେଉଛି । 


- ଏ ରାଧା, ରାଧା , ଆସ୍ ଦେଖିବୁ । ତୋତେ ଦେଖା କରିବାକୁ ଆମେରିକାରୁ ଆସିଛନ୍ତି । 


      ଆମେରିକା ନାଆଁ ଶୁଣି ଶ୍ରୀରାଧା ମନରେ ଶୀହରଣ ଖେଳିଗଲା । ପାଦ ତଳେ ଭୂମିକମ୍ପ ସୃଷ୍ଟି ହେଲା ଭଳି ସେ ଅନୁଭବ କଲା । ଖୁସିରେ ସେ ଗଦ୍ ଗଦ୍ ହୋଇ ନାଚି ଉଠିଲା । ଦୌଡି ଦୌଡି ଆସି ଦେଖିଲା ଜଣେ ଝିଅ ଛିଡା ହୋଇଛି । ମହର୍ଷିକୁ ନପାଇ ମନ ତା'ର ବିଚଳିତ ହୋଇଗଲା । ଅନୁରାଧାକୁ ପଚାରିଲା, 


- ଆପଣ କିଏ ମୁଁ ଜାଣି ପାରିଲିନି ? 


- ମୁଁ ଅନୁରାଧା । ମୋ ଘର ମହାରାଷ୍ଟ୍ରରେ । ମୋ ବାପା - ମାଆ ଏବେ ଆମେରିକାର ସ୍ଥାୟୀ ବାସୀନ୍ଦା । ମୁଁ ମହାରାଷ୍ଟ୍ରରେ ମାମୁଁ ଘରେ ରହି ପାଠ ପଢୁଥିଲି । ମହର୍ଷି ସହିତ ବର୍ଷେ ଆଗରୁ ମୋର ବିବାହ ହୋଇଥିଲା । ମୋ ବାପା ମାଆଙ୍କର ମୁଁ ଏକମାତ୍ର କନ୍ଯା । ଆମ ବାହାଘର ଚାରିମାସ ହୋଇଥିଲା ମହର୍ଷି ଆରପାରିକୁ ଚାଲିଗଲେ । ଆମର ପିଲାଛୁଆ କେହି ନାହାଁନ୍ତି । ମହର୍ଷିଙ୍କ ବାପା - ମାଆ ଙ୍କୁ ଦେଖା କରିବାକୁ ଆସିଥିଲି । ଭାବିଲି ତୁମ ସହ ଭେଟ କରିଦେବି ।


- ଏହା ଶୁଣି ଶ୍ରୀରାଧାର ଆଖି ଉପକୂଳରେ ଅସୁମାରି ଅଶ୍ରୁର ଢେଉ ଖେଳିଗଲା । ସେ ଲଥ୍ କିନା ବାରଣ୍ଡା ଉପରେ ବସି ପଡିଲା । 


     ଶ୍ରୀରାଧା ପାଖକୁ ଅନୁରାଧା ଆସି ତା'କୁ କୁଣ୍ଢେଇ ଧରି କହିଲେ, " ଭଲ ଲୋକଙ୍କୁ ଭଗବାନ୍ ଶିଘ୍ର ତାଙ୍କ ପାଖକୁ ନେଇ ଯାଆନ୍ତି " । କାନ୍ଦ ନାହିଁ ମୋ ଭଉଣୀଟି ପରା । ଏମିତି କହି ଅନୁରାଧା ସାନ୍ତ୍ବନା ଦେଲା ।


     ଭ୍ଯାନିଟି ବ୍ଯାଗ୍ ରୁ ଅନୁରାଧା ଏକ ଡାଏରୀ ବାହାର କରି ଶ୍ରୀରାଧାର ହାତରେ ଦେଇ କହିଲେ, ତାଙ୍କ ଆଲମିରା ଥାକରୁ ଡାଏରୀଟି ପାଇଥିଲି । ଏଥିରେ ତୁମ ବିଷୟରେ ସବୁକିଛି ଲେଖା ଅଛି । ଡାଏରୀରୁ ତୁମର ସଂପୂର୍ଣ୍ଣ ଠିକଣା ପାଇଥିଲି । ଯାହା ହେଉ ଇଶ୍ଵରଙ୍କ କୃପାରୁ ଦେଖା ହେଇଗଲା । 


( ଡାଏରୀରେ ଲେଖା ଥିଲା )


ହେ ମୋର ଅନୁରାଧା,


      ମୁଁ ତୁମକୁ ଅପାର ପ୍ରେମ କରେ । ମୁଁ ଏ ସୁନ୍ଦର ପୃଥିବୀରେ ଆଉ ମାତ୍ର ଅଳ୍ପ ଦିନର ବାସୀନ୍ଦା । ଜାଣିନି, କେଉଁ ମୁହୂର୍ତ୍ତରେ ଏ ରକ୍ତ କର୍କଟ ରୋଗ ସବୁଦିନ ପାଇଁ ମୋତେ ତୁମ ଠାରୁ ଅଲଗା କରିଦେବ ? ଯଦି କେବେ ତୁମେ ଏ ଡାଏରୀ ପାଅ, ମୋର ଗୋଟିଏ କାମ କରିଦେବ। ମୁଁ କଲେଜ୍ ରେ ପଢିଲା ବେଳେ ଜଣେ ଝିଅକୁ ବହୁତ ଭଲ ପାଉଥିଲି । ନାଆଁ ତା'ର ଶ୍ରୀରାଧା । ସେ ଓଡିଶାର ଏକ ମଫସଲ ଗାଆଁ ରେ ରହୁଛି । ତା' ସହିତ ଜୀବନରେ ଯଦି ତୁମର କେବେ ଦେଖା ହୁଏ, ମୋତେ କ୍ଷମା କରିଦେବା ପାଇଁ କହିବ । ମୁଁ ତା'କୁ ସ୍ବର୍ଗରୁ ଜହ୍ନ, ତାରା ଆଉ ଆମେରିକାରୁ ଡଲାର ଆଣି ଦେବାପାଇଁ କଥା ଦେଇଥିଲି । ସ୍ବର୍ଗରୁ ଜହ୍ନ, ତାରା ସିନା ଆଣି ପାରିଲିନି, ହେଲେ; ମୋ ସମସ୍ତ ସମ୍ପତ୍ତିର ଅଧା ଯାହା ବି ହେବ ଡଲାର ଆକାରରେ ତାକୁ ମୋର ସ୍ମୃତିର ସନ୍ତକ ଭାବି ଦେଇଦେବ ।


       ଶେଷ ସମୟରେ ଶ୍ରୀରାଧା କୁ ଦେଖିବା ପାଇଁ ପ୍ରବଳ ଇଚ୍ଛା ହେଉଥିଲେ ବି ବିବାହ ପାଇଁ କଥା ଦେଇ ମୋ ବଚନ ମୁଁ ପାଳନ କରି ନଥିବାରୁ ଦେଖା କରି ପାରୁନି ।

ମୋତେ କ୍ଷମା କରିଦେବ ଅନୁରାଧା ।


   ( ଏଇ ସମୟରେ ଗାଆଁ ର ସବୁ ଲୋକ ଆସି ତାଙ୍କ ଘରେ ଜମା ହୋଇ ଯାଇଥିଲେ । )


      ଗଲାବେଳେ ଅନୁରାଧା କାର୍ ଗାଡିରୁ ଡଲାର୍ ରେ ଭର୍ତ୍ତି ଥିବା ଏକ ବ୍ଯାଗ୍ ବାହାର କରି ଶ୍ରୀରାଧାକୁ ଦେଲେ । ଅଜସ୍ର ଖୁସି ଓ ପ୍ରଶାନ୍ତି ଅନୁଭବ କରି ସେ ଲୁହ ଛଳଛଳ ହୋଇ ସେଠାରୁ ବିଦାୟ ନେଲା ।


     ଶ୍ରୀରାଧା ଅଶ୍ରୁଳ ନୟନରେ ଅନୁରାଧାର ଯିବା ବାଟକୁ ଏକ ଲୟରେ ଚାହିଁ ରହିଥାଏ ।



Rate this content
Log in

Similar oriya story from Tragedy