Pradeep Kumar Panda

Abstract Classics Inspirational

4.0  

Pradeep Kumar Panda

Abstract Classics Inspirational

ଶ୍ରୀଜଗନ୍ନାଥ ଦର୍ଶନ

ଶ୍ରୀଜଗନ୍ନାଥ ଦର୍ଶନ

4 mins
22


ଓଡ଼ିଆ ଅସ୍ମିତା ପାଇଁ ଶ୍ରୀଜଗନ୍ନାଥଙ୍କର ମାହାତ୍ମ୍ୟ କେତେ ଯେ ମହତ୍ତ୍ୱପୂର୍ଣ୍ଣ ଏ କଥା ସର୍ବଜନବିଦିତ। ଶ୍ରୀକ୍ଷେତ୍ରରେ ବିଜେ ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ପ୍ରାଣବିନ୍ଦୁ। ଶ୍ରୀଜଗନ୍ନାଥଙ୍କ ପୂଜା, ଭକ୍ତି ଓ ନିରନ୍ତର ଉପାସନା ପ୍ରତ୍ୟେକ ଓଡ଼ିଆ ପ୍ରାଣକୁ ଯାବତ୍‌‌ଜୀବନ ସ୍ପନ୍ଦିତ କରିଥାଏ। ଜନ୍ମ ସଂସ୍କାରଠାରୁ ଶେଷସଂସ୍କାର ପର୍ଯ୍ୟନ୍ତ ରତ୍ନସିଂହାସନସ୍ଥ ଦାରୁବ୍ରହ୍ମ ଆମ ଓଡ଼ିଆ ଜୀବନର ମୂଳାଧାର। ବର୍ଷକ ବାରମାସ ଯାକ କାଳିଆ ଠାକୁରଙ୍କ ଡୋରି ଲାଗିଥାଏ ଆମ ସମସ୍ତଙ୍କ ମନ, ମୁନ ଓ ଚଇତନରେ। ସବୁବେଳେ ପୁରସ୍ତମ ଯିବା ପାଇଁ ଅଦମ୍ୟ ଇଚ୍ଛା। ଆମ ଦୈନନ୍ଦିନ ପେଟପାଟଣାରେ, ଦୁଃଖସୁଖରେ, ହର୍ଷବିଷାଦରେ ଆମ ଠାକୁର ଆମ ପାଖେ ପାଖେ ଥାଆନ୍ତି। ଆମ ପାଖ ଲୋକ କିଏ ପୁରୀ ଦର୍ଶନ ଯାଇ ଫେରିଥିଲେ ଆମେ ତାଙ୍କ ଦର୍ଶନ କରି କଳାଠାକୁରଙ୍କ କରୁଣା ପ୍ରାପ୍ତିର ପରମାନନ୍ଦ ଲାଭ କରୁ। ନୀଳଶଇଳର କାଳିଆ ଠାକୁରଙ୍କ ସହ ଆମ ଓଡ଼ିଆଙ୍କ କି ସମ୍ପର୍କ ଥାଏ ତାହା ବେଦ, ଉପନିଷଦ, ପୁରାଣରେ କୁହାଯାଇପାରିନାହିଁ; ଗୁଣୀ, ଜ୍ଞାନୀ, ସନ୍ଥଙ୍କ ବାଣୀରେ ପରସା ଯାଇପାରେ ନାହିଁ କିମ୍ବା ଶାସନ, ପ୍ରଶାସନ, ଆଇନ, କାନୁନ ଓ ଆଦବ କାଇଦା, କଟକଣାରେ କେବେହେଲେ ପରିଭାଷିତ ହୋଇପାରେ ନାହିଁ। ସେଇଥିପାଇଁ ତ ଭାଗବତାକାର ଗାଇଛନ୍ତି – ‘ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ।’


ଇଏ ତ ଗଲା ଓଡ଼ିଆ ଭକତ ପାଇଁ ଶ୍ରୀଜଗନ୍ନାଥଙ୍କ ଏକାତ୍ମକତାର କଥା। ଅଗଣିତ ଭାରତୀୟ ତଥା ବିଶ୍ୱଯାକ ପରିବ୍ୟାପ୍ତ ହିନ୍ଦୁଙ୍କ ପାଇଁ ମଧ୍ୟ ଶ୍ରୀକ୍ଷେତ୍ର ପୁରୀ ହେଉଛି ପବିତ୍ର ଶ୍ରୀପୁରୁଷୋତ୍ତମ ଧାମ। ସହଜେ ତ ଆମ ଠାକୁରେ ମହାବାହୁ ପ୍ରସାରିତ ହସ୍ତରେ ବିଶ୍ୱବାସୀ ସମସ୍ତଙ୍କୁ ଡାକୁଛନ୍ତି ଆଲିଙ୍ଗନ ମୁଦ୍ରାରେ। ଏପରି ଠାକୁର ଆଉ କେଉଁଠି ଦେଖିଛନ୍ତି କି ତାଙ୍କ ନୀଳଚକ୍ରକୁ ଦେଖିବା ପାଇଁ ଯେତିକି ଅଲଂଘ୍ୟ ତୃଷ୍ଣା, ତାଙ୍କ ଶରଧାବାଲିରେ ଗଡ଼ିବା ପାଇଁ ଯେତିକି ଆତୁରତା, ତାଙ୍କ ବିଶାଳ ଅପଲକ ଚକ୍ଷୁ ଦୁଇଟିରେ ବିଲୀନ ହୋଇଯିବା ପାଇଁ ସେତିକି କିମ୍ବା ତା’ଠାରୁ ଅଧିକ ଆଧ୍ୟାତ୍ମିକ ତୃଷ୍ଣା ଓ ଆକୁଳତା ଭକ୍ତମାନଙ୍କ ହୃଦୟରେ। ଏ ସବୁ ଲେଖିବାର ଉଦ୍ଦେଶ୍ୟ ଏହି କି ଯେ ଶ୍ରୀଜଗନ୍ନାଥ ଦର୍ଶନ ଭକତ ଜୀବନର ସର୍ବୋତ୍ତମ ଅଭୀପ୍‌‌ସା। ସେ ଅଦମ୍ୟ ପିପାସାକୁ ନା ତ ଏଡ଼ାଇ ହେବ, ନା ସମ୍ପୂର୍ଣ୍ଣ ବୁଝି ହେବ, ନା ତ ତାକୁ ସହଜରେ ନିୟନ୍ତ୍ରିତ କରିହେବ।


ସମ୍ପ୍ରତି ଓଡ଼ିଶାର ନୂଆ ସରକାର ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଗତ ୧୩ ତାରିଖ ସକାଳ ମଙ୍ଗଳ ଆଳତି ପରଠାରୁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲି ଦେଇଛନ୍ତି ଶ୍ରୀଜଗନ୍ନାଥଙ୍କ ଅସଂଖ୍ୟ ଭକ୍ତମାନଙ୍କ ଅବାଧ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନଲାଗି। ସେଦିନ ଚାରିଦିଗରେ ଚାରିଦୁଆରରୁ ଭକ୍ତମାନେ ମନ୍ଦିର ପ୍ରବେଶ କରି ଶ୍ରୀଜଗନ୍ନାଥ ଦର୍ଶନ ଯେଉଁଭଳି ଅଶ୍ରୁଳ ଓ ଭାବବିହ୍ୱଳ ସ୍ୱରରେ ନିଜ ନିଜର ଆନନ୍ଦ ପ୍ରକାଶ କରିଥିଲେ ତାହା ସମଗ୍ର ଓଡ଼ିଶା କାହିଁକି ଦେଶବାସୀ ଦେଖି ଶୁଣି ନିଶ୍ଚୟ ଆଶ୍ୱସ୍ତି ଲାଭ କରିଥିବେ। ତେବେ ଗତ ଦୁଇଦିନ ଧରି ରଜ ଉତ୍ସବ ଉପଲକ୍ଷେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ବିଶାଳ ଭକ୍ତସଂଖ୍ୟାଙ୍କର ଆଗମନ ପ୍ରଶାସନ ଓ ସୁରକ୍ଷା କର୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଗୋଟିଏ ପଟେ ଶ୍ରୀଜଗନ୍ନାଥ ଦର୍ଶନର ଅତୀବ ତୃଷ୍ଣା, ତା’ ସାଙ୍ଗକୁ ପ୍ରବଳ ଭକ୍ତ ସମାଗମ ଜନିତ ଦୀର୍ଘ ପ୍ରତୀକ୍ଷା ଏବଂ ଅନ୍ୟ ପଟେ ଅସହ୍ୟ ଗ୍ରୀଷ୍ମ ତାପ। କେତେକ ଭକ୍ତଙ୍କ ଅଂଶୁଘାତ ଜନିତ ଅସୁସ୍ଥତା ସମସ୍ୟାକୁ ଆହୁରି ଚିନ୍ତାଜନକ କରାଇଛି। ନିଜେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଆସନ୍ତା ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ସମୟରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ଜନିତ ସମସ୍ୟା କଥା ମଧ୍ୟ ବିଚାର କରିଛନ୍ତି। ଏହାର ଆଶୁ ସମାଧାନ ପାଇଁ ପ୍ରଶାସନ ଯେ ଉଚିତ ପଦକ୍ଷେପ ନେବ ଏ କଥା ବିଭାଗୀୟ ମନ୍ତ୍ରୀ ସମୀକ୍ଷା ବୈଠକ ପରେ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି। ଏ କଥା ସତ ଯେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସମ୍ବାଦ ସାରା ଓଡ଼ିଶାର ଜନସାଧାରଣଙ୍କୁ ନିଶ୍ଚୟ ଉତ୍ସାହିତ କରିଥିବ ଏବଂ ସେମାନେ ଆମର ପାରମ୍ପରିକ ରଜ ପର୍ବ ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ବିଶାଳ ସଂଖ୍ୟାରେ ପୁରୀଠାରେ ଏକତ୍ର ହୋଇଥିବେ। ତେଣୁ ହୁଏତ ଏହି ସାମୟିକ ବିପୁଳ ଜନସମାଗମ ଆଉ ଦିନେ ଦି ଦିନ ପରେ ରହିବ ନାହିଁ। ତେବେ ପରବର୍ତ୍ତୀ ସମୟରେ ଦର୍ଶନାର୍ଥୀଙ୍କ ଭିଡ଼ ନିୟନ୍ତ୍ରଣ ଓ ଠାକୁର ଦର୍ଶନର ସୁପରିଚାଳନା ପାଇଁ ରାଜ୍ୟ ସରକାର ତଥା ଶ୍ରୀମନ୍ଦିର ପ୍ରଶାସନ ଏବେଠାରୁ ଆଦର୍ଶ କାର୍ଯ୍ୟ ବିଧି ନିର୍ଦ୍ଧାରଣ କରିଦେବା ଉଚିତ।


ଶ୍ରୀଜଗନ୍ନାଥଙ୍କ ଦର୍ଶନ ମାହାତ୍ମ୍ୟ ଆମ ସମସ୍ତଙ୍କ ପାଇଁ ଓ ଅଗଣିତ ହିନ୍ଦୁ ଭକ୍ତଙ୍କ ପାଇଁ ଯେଉଁଭଳି ମହତ୍ତ୍ୱପୂର୍ଣ୍ଣ, ସେହି ପୃଷ୍ଠଭୂମିରେ ଶ୍ରୀକ୍ଷେତ୍ରର ବାରମାସେ ତେରଯାତ୍ରା ପରମ୍ପରାକୁ ଆଖିରେ ରଖି ସୁଗମ ତଥା ଦୃଢ଼ ନିୟମାବଳୀ ପ୍ରଣୟନ କରିବା ଆବଶ୍ୟକ ହୋଇପଡ଼ିଛି। ଆଉ ଡେରି କଲେ ଚଳିବ ନାହିଁ। ଆଉ କିଛିଦିନ ପରେ ପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ତା’ ପରେ ପରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ତଥା ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଶ୍ରୀକ୍ଷେତ୍ର ଲୋକାରଣ୍ୟ ହେବା ନିଧାର୍ଯ୍ୟ। ଭାରତର ଅନ୍ୟ ବୃହତ୍‌‌ ତୀର୍ଥକ୍ଷେତ୍ରରେ ପୁରୀ ତୁଳନାରେ ଏତେ ସଂଖ୍ୟାରେ ଭକ୍ତ ସମାଗମ ହେଉ ନଥିଲେ ମଧ୍ୟ ଦର୍ଶନାର୍ଥୀଙ୍କ ମନ୍ଦିର ପ୍ରବେଶ, ଦର୍ଶନ ଓ ପ୍ରସ୍ଥାନ ଆଦିର ଶୃଙ୍ଖଳିତ ଉଦାହରଣ ଦେଖିବାକୁ ମିଳିଥାଏ। ଯେଉଁମାନେ ବୈଷ୍ଣୋଦେବୀ, ତିରୁପତି ଦେବସ୍ଥାନମ୍‌‌ ଦର୍ଶନ କରିବାକୁ ଯାଇଥିବେ ସେମାନେ ଏକ ଶୃଙ୍ଖଳିତ ବ୍ୟବସ୍ଥାର ଅନୁଭବ ନିଶ୍ଚୟ କରିଥିବେ। ବିଶେଷକରି ସ୍ଥାନୀୟ ପର୍ବପର୍ବାଣିରେ ବିଶାଳ ଜନସମାଗମର ନିୟନ୍ତ୍ରିତ ପରିଚାଳନା ଓ ଶୃଙ୍ଖଳିତ ବ୍ୟବସ୍ଥା ଶ୍ରୀକ୍ଷେତ୍ରରେ ମଧ୍ୟ ଆବଶ୍ୟକମତେ ଲାଗୁ କରିବାକୁ ହେବ। ଶ୍ରୀମନ୍ଦିର ଭିତର ବେଢ଼ା ତଥା ମୁଖ୍ୟମନ୍ଦିର ଭିତରେ ଭକ୍ତମାନଙ୍କର ଧାଡ଼ିବନ୍ଧା ଦର୍ଶନ ପାଇଁ କିପରି ଉତ୍ତମ ବ୍ୟବସ୍ଥା ହୋଇପାରିବ ତାହା ଜରୁରିକାଳୀନ ଭିତ୍ତିରେ ନିଷ୍ପତ୍ତି ନିଆଯିବା ଉଚିତ। ଭକ୍ତମାନଙ୍କ ମନ୍ଦିର ପ୍ରବେଶ ପାଇଁ ଅନ୍‌‌ଲାଇନ୍‌‌ ରେଜିଷ୍ଟ୍ରେସନ୍‌‌ କେତେଦୂର ଉପଯୋଗୀ ହେବ, ଗୋଟିଏ ସମୟ ସୀମା ଭିତରେ ମନ୍ଦିର ପ୍ରାଙ୍ଗଣରେ ସର୍ବାଧିକ କେତେ ଭକ୍ତ ଯାତାୟାତ କରିପାରିବେ ତଥା ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଧାଡ଼ି ବନ୍ଧା ଦର୍ଶନ ପୂଜାବିଧି ଓ ଅନ୍ୟାନ୍ୟ ନୀତିକାନ୍ତି ସମୟରେ ଚଲାଯାଇପାରିବ କି ନାହିଁ ତାହା ମୁକ୍ତିମଣ୍ଡପ ଓ ଛତିଶା ନିଯୋଗ ଆଦି ଅନୁଷ୍ଠାନ ସହ ବିଚାର ଆଲୋଚନା କରି ଏକ ନିର୍ଦ୍ଦିଷ୍ଟ ନିଷ୍ପତ୍ତିରେ ଶୀଘ୍ର ପହଞ୍ଚିବାକୁ ପଡ଼ିବ। ଭକ୍ତ ସମାଗମର ବିଶାଳ ସଂଖ୍ୟାକୁ ଲକ୍ଷ୍ୟ କରି, ବିଶେଷକରି ରଥଯାତ୍ରା ସମୟରେ ଉଭୟ ଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ନିୟନ୍ତ୍ରଣ ପାଇଁ ଯେଉଁ ବ୍ୟବସ୍ଥା କରାଯାଇପାରିବ ତାହା ଜରୁରିକାଳୀନ ଭିତ୍ତିରେ କରାଯାଉ।


ସମ୍ପ୍ରତି ‘ଓଡ଼ିଆ ଅସ୍ମିତା’କୁ ନେଇ ଯେଉଁଭଳି ବିଚାର ଆଲୋଚନା ଚାଲିଛି ଏବଂ ଏହା ଗତ ନିର୍ବାଚନର ଏକ ବିଶେଷ ପ୍ରସଙ୍ଗ ହୋଇଥିବାରୁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସମୟ ଥାଉ ଥାଉ ସମୁଚିତ ପଦକ୍ଷେପ ନେବା ଆବଶ୍ୟକ, ଯାହାଦ୍ୱାରା ପୁଣି ଥରେ ସେହି ପ୍ରସଙ୍ଗ ବିତର୍କର ବିଷୟ ପାଲଟିବ ନାହିଁ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୌଣସି ପ୍ରତିବନ୍ଧକ ନ ରହୁ। ଏହା ଯେତିକି ଆବଶ୍ୟକ, ଭକ୍ତମାନଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ଓ ସୁରକ୍ଷା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।


Rate this content
Log in

Similar oriya story from Abstract